କୃଷ୍ଣ ତୁ ଭଗଵାନ ସ୍ୱୟଂ
ଗର୍ଗଙ୍କ ଭାଇ ଥିଲେ ଦ୍ରୋଣ l ପରେ ଦ୍ରୋଣ ହେଲେ ପୁରୁ ବଂଶର ଶିକ୍ଷା ଗୁରୁ ଓ ଗର୍ଗ ମୁନି ହେଲେ ଯଦୁ ବଂଶର କୁଳପୁରୋହିତ l ଗର୍ଗମୁନି ଥିଲେ ଜ୍ୟୋତିଷ ଶାସ୍ତ୍ରରେ ପ୍ରବୀଣ ଓ ଗର୍ଗ ସଂହିତାର ପ୍ରଣେତା l
ୠଷି ଭରଦ୍ୱାଜ ଓ ପତ୍ନୀ ସୁଶୀଳାଙ୍କ ଔରସରୁ ଜନ୍ମ ଲାଭ କରିଥିଲେ, ପରମ ବୈଷ୍ଣବ, ମହାମୁନି ଗର୍ଗ l ଗର୍ଗଙ୍କ ଭାଇ ଥିଲେ ଦ୍ରୋଣ l ପରେ ଦ୍ରୋଣ ହେଲେ ପୁରୁ ବଂଶର ଶିକ୍ଷା ଗୁରୁ ଓ ଗର୍ଗ ମୁନି ହେଲେ ଯଦୁ ବଂଶର କୁଳପୁରୋହିତ l ଗର୍ଗମୁନି ଥିଲେ ଜ୍ୟୋତିଷ ଶାସ୍ତ୍ରରେ ପ୍ରବୀଣ ଓ ଗର୍ଗ ସଂହିତାର ପ୍ରଣେତା l
ରାଜା ଉଗ୍ରସେନଙ୍କ ମଥୁରା ରାଜୁତିସମୟରେ ସାଧୁ ସନ୍ଥ ଓ ପୁରୋହିତମାନଙ୍କ ଯଥେଷ୍ଟ ସମ୍ମାନ ଥିଲା l କିନ୍ତୁ ଉଗ୍ରସେନଙ୍କୁ ବନ୍ଦୀକରି କଂସ ଯେତେବେଳେ ମଥୁରା ସିଂହାସନରେ ବସିଲା ଏକଥା ଆଉ ରହିଲା ନାହିଁ l କଂସ ଆତଙ୍କରେ ସାଧୁ, ବ୍ରାହ୍ମଣ, ପୁରୋହିତ ମାନେ ପ୍ରମାଦ ଗଣିବାକୁ ଲାଗିଲେ ଓ ଆତ୍ମଗୋପନ କରି ଏଣେତେଣେ ବୁଲିବାରେ ଲାଗିଲେ l ଇଆଡ଼େ ଶ୍ରୀକୃଷ୍ଣ ବଳରାମ ବ୍ରଜପୁରରେ ନନ୍ଦରାଜାଙ୍କ ଘରେ ମାତା ରୋହିଣୀ ଓ ଯଶୋଦାଙ୍କ ବାତ୍ସଲ୍ୟ ସ୍ନେହରେ ଚନ୍ଦ୍ରକଳା ପରି ବଢ଼ୁଥାନ୍ତି l
ଦିନେ ବସୁଦେବ ଗର୍ଗାଚାର୍ଯ୍ୟଙ୍କୁ ନବେଦନ କଲେ, ମହାତ୍ମନ୍ ! ଆପଣ ଦୟାକରି, ଗୋକୁଳରେ ଯାଇ ନନ୍ଦ ଗୃହରେ ମୋର ଦୁଇ ପୁତ୍ରଙ୍କ ଜାତସଂସ୍କାର ଓ ନାମ କରଣ କରନ୍ତୁ l ତାଙ୍କ ଅନୁରୋଧ ରକ୍ଷା କରି ଗର୍ଗାଚାର୍ଯ୍ୟ ଯାଇ, ଗୋକୁଳରେ ପହଞ୍ଚିଲେ l ତାଙ୍କୁ ନନ୍ଦରାଜା ଦେଖି ମହାନନ୍ଦରେ ଭବନକୁ ପାଛୋଟି ନେଲେ ଓ ତାଙ୍କ ପାଦ ପୂଜାକରି ଦିବ୍ୟ ଆସନରେ ବସାଇ କହିଲେ, ଆପଣ ଆଜି ଆମ ଗରିବ ଘରେ ପାଦ ପକାଇଛନ୍ତି ଏହା ଆମର ପରମସୌଭାଗ୍ୟ l ଆପଣ, ଜ୍ୟୋତିଷ ଶାସ୍ତ୍ର ପାରଙ୍ଗମ l ଆପଣ ଦୟା କରି ମୋର ଏ ପିଲା ଦୁଇଟିଙ୍କର ନାମକରଣ ଜାତ ସଂସ୍କାର କରିଦିଅନ୍ତୁ l ଗର୍ଗ ମୁନି କହିଲେ, ସମସ୍ତେ ଜାଣନ୍ତି, ମୁଁ ଯଦୁବଂଶ ପୁରୋହିତ l କିନ୍ତୁ ତୁମ ପୁତ୍ର ମାନଙ୍କ ନାମ କରଣ କରିଦେଲେ ପାପିଷ୍ଠ କଂସ ଏ କଥା ଜାଣି ପାରିବ ଓ ଏମାନେ ଦେବକୀଙ୍କ ପୁତ୍ର ଭାବି ପୁଣି ହତ୍ୟା କରିବାପାଇଁ ଆଗେଇ ଆସିବ l ଏହାଶୁଣି ରାଜା ନନ୍ଦ କହିଲେ, ମହାତ୍ମନ୍ ! ଆପଣ ଗୁପ୍ତଭାବରେ ମୋ ଗୋଶାଳା ଭିତରେ ଏ ସଂସ୍କାର କରି ଦିଅନ୍ତୁ l କେହି ଜାଣି ପାରିବେ ନାହିଁ l
ନନ୍ଦ ରାଜାଙ୍କ କହିବା ଅନୁଯାୟୀ ଗର୍ଗାଚାର୍ଯ୍ୟ ଏକ ଏକାନ୍ତ ସ୍ଥାନରେ ବସି ପିଲା ମାନଙ୍କ ନାମ କରଣ କଲେ l ଆଚାର୍ଯ୍ୟ କହିଲେ ରୋହିଣୀଙ୍କ ଏହି ପୁତ୍ର ନିଜର ସଦ୍ ଗୁଣ ଦ୍ୱାରା ସମସ୍ତଙ୍କର ରମଣ ବର୍ଦ୍ଧନ କରିବ l ତେଣୁ ସେ ରାମ ନାମରେ ବିଦିତ ହେବ l ଅତିଶୟ ବଳଶାଳୀ ହୋଇ ଥିବାରୁ ବଳ ନାମରେ ସେ ପୁଣି ପରିଚିତ ହେବ, ତାର ସମସ୍ତଙ୍କୁ ଏକାଠି କରି ପାରିବା ବା ସମ୍ୟକ୍ କର୍ଷଣ ଗୁଣ ଯୋଗୁଁ ସେ ପୁଣି ସଙ୍କର୍ଷଣ ନାମରେ ବିଦିତ ହେବ l
ଯଶୋଦାଙ୍କ ଏହି ପୁତ୍ର, ସମସ୍ତ ଯୁଗରେ ଅବତୀର୍ଣ୍ଣ ହୁଅନ୍ତି l ପୂର୍ବ ତିନିଯୁଗରେ ଶୁକ୍ଳ, ରକ୍ତ ଏବଂ ପୀତ ବର୍ଣ୍ଣରେ ସେ ଅବତୀର୍ଣ୍ଣ ହୋଇ ଥିଲେ l ଏବେ ସେ କୃଷ୍ଣ ବର୍ଣ୍ଣରେ ଅବତୀର୍ଣ୍ଣ ହୋଇଛନ୍ତି l ଏଣୁ ଏହାଙ୍କ ନାମ କୃଷ୍ଣ ହେବ l ବସୁଦେବଙ୍କ ପୁତ୍ର ଭାବେ ପୁଣି ସେ ବାସୁଦେବ ବୋଲି ପରିଚିତ ହେବ l ଗୋକୁଳ ଓ ଗୋପାଳ ମାନଙ୍କର ତୁମର ଏହି ପୁତ୍ରଟି ଆନନ୍ଦ ବର୍ଦ୍ଧନକାରୀ ହେବ l ତୁମର ଏହି ପୁତ୍ର, ଗୁଣ କିର୍ତ୍ତୀ ଓ ପ୍ରଭାବ ଦ୍ୱାରା, ନାରାୟଣଙ୍କ ସହ ସମାନ l ସନ୍ଥ ମାନଙ୍କ ରକ୍ଷାର୍ଥେ ତୁମର ଏହି ପୁତ୍ରର ଜନ୍ମ l ତୁମର କୀର୍ତ୍ତିମାନ ଏହି ପୁତ୍ରଦ୍ୱୟଙ୍କୁ ଯତ୍ନରେ ପାଳନ କର l ଏପରି ଉପଦେଶ ଦେଇ ଗର୍ଗ ମୁନି ପ୍ରସ୍ଥାନ କଲେ l ନନ୍ଦ ଯଶୋଦା ଗର୍ଗାଚାର୍ଯ୍ୟଙ୍କୁ ବିଦାୟଦେଇ ନିଜକୁ କୃତକୃତ୍ୟ ମନେ କଲେ l
କିଛି ଦିନ ପରେ, କୃଷ୍ଣ ଗୁରୁଣ୍ଡି ଗୁରୁଣ୍ଡି ଓ ବଳରାମ ଥଙ୍ଗ ଥଙ୍ଗ ହୋଇ ଚାଲିବାକୁ ଆରମ୍ଭ କଲେ l ବ୍ରଜ ଦାଣ୍ଡରେ ତାଙ୍କ ପୟର ଓ କଟିଘୁଙ୍ଗୁରର ରୁଣୁ ଝୁଣୁ ଶବ୍ଦ ସମସ୍ତଙ୍କ ମନକୁ ମୋହି ନେଉଥାଏ l ଗୋପୀ ଗୋପାଳ ମାନେ ସେମାନଙ୍କର ବାଲ୍ୟଖେଳ ଦେଖି ପରମ ଆନନ୍ଦ ଲାଭକରୁଥାନ୍ତି l ସେମାନେ ଦୁଷ୍ଟାମୀ କରି ଏଣେ ତେଣେ ଧାଇଁ ଯାଉଥିଲେ ମା ରୋହିଣୀ ଓ ଯଶୋଦା ତାଙ୍କୁ ଧରିଆଣି କୋଳରେ ଗେଲ କରି ଦିଅନ୍ତି l ଦୁଇଦୁଇଟି ଦାନ୍ତଉଠିଥିବା ତାଙ୍କ ପାଟିରେ ଗୁଲୁରୁ ଗୁଲୁରୁ ହସ ଦେଖି ତାଙ୍କ ମନ ପୁରି ଉଠେ l ଦୁଷ୍ଟାମୀ କରି କେତେବେଳେ ବାଛୁରୀଲାଙ୍ଗୁଡ଼ ଧରି ପକାନ୍ତି ତ କେତେବେଳେ ସେମାନେ ଗାଇ, ମଇଁଷି ପାଖକୁ ଚାଲିଯାନ୍ତି l
କେତେବେଳେ ପୁଣି ନିଆଁ ସହ ଖେଳିବାକୁ ବାହାରିଯାନ୍ତି ତ କେତେବେଳେ କୁକୁର, ମାଙ୍କଡ଼,ବିଲେଇ ଛୁଆଙ୍କ ଲାଞ୍ଚକୁ ଧରି ଟାଣିଦିଅନ୍ତି l ଏପରି ରାମକୃଷ୍ଣ ଭାରିଚପଳ ଓ ଦୁଷ୍ଟ ହୋଇଥାନ୍ତି l ତାଙ୍କ ଦୁଷ୍ଟାମୀ ଦେଖି, ସମସ୍ତ ବ୍ରଜବାସୀ ଆହ୍ଲାଦିତ ହୁଅନ୍ତି,ସେମାନଙ୍କୁ ଆକଟ କରୁକରୁ ମା’ ରୋହିଣୀ ଯଶୋଦାଙ୍କ ଦିନ ସରିଯାଏ l କିଛି ଆଉ ଘର କାମ କରି ପାରନ୍ତିନି l ଏମିତି କିଛି ଦିନ ପରେ ସେମାନେ ସଳଖି ଚାଲିବା ଆରମ୍ଭ କଲେ l ସମବୟସ୍କ ବାଳକ ମାନଙ୍କ ସହ ସେମାନେ ବ୍ରଜ ଦାଣ୍ଡରେ ନାନା ଖେଳ କୌତୁକରେ ମାତି ଗଲେ l ତାଙ୍କର ବାଳ ଚପଳତା, ଦୁଷ୍ଟାମୀ କ୍ରମେ ଆହୁରି ବଢ଼ିବାକୁ ଲାଗିଲା l ଗୋପୀ ମାନେ ଆସି ଯଶୋଦାଙ୍କୁ କହିଲେ, ଶୁଣ ନନ୍ଦରାଣୀ, ତୁମ ପୁଅ ଗାଇଦୁହାଁ ବେଳ ଆଗରୁ ବାଛୁରୀ ସବୁକୁ ଫିଟାଇ ଦେଉଛି l କିଏକିଛି କହିଲେ ଖାଲି ହସୁଛି l ପୁଣି ଚୋରି କରିବାର ନାନା ଅପୂର୍ବ କୌଶଳ ତାକୁ ଜଣା l ଶିକା ଛିଣ୍ଡାଇ ଦହିଦୁଧ ତ ଖାଉଛି ପୁଣି ହାତ ନପାଇଲେ ବାଡ଼ି ଆଣି, ଠେକି କଣା କରି ଦେଉଛି l କେଉଁ ହାଣ୍ଡିରେ କଅଣ ଅଛି ତାକୁ ସବୁ ଜଣା l ତୁମ ପୁଅ ଚୋରି କରିବାରେ ସିଦ୍ଧ ହସ୍ତ l ବେଳେ ବେଳେ ପୁଣି ଠେକିରେ ମୁତିଦେଇ ପଳାଇ ଆସୁଛି l
ଏପରି ଦିନ ଗଡ଼ିଚାଲିଥାଏ l ଦିନେ ନନ୍ଦ ଭବନରେ କୁଳଗୁରୁ ଗର୍ଗାଚାର୍ଯ୍ୟ ଆସି ପାଦଥାପିଲେ l ଗୁରୁଙ୍କୁ ପାଇ ନନ୍ଦ ଓ ଯଶୋଦାଙ୍କ ଆନନ୍ଦର ସୀମା ରହିଲା ନାହିଁ l ଦୁହେଁ ତାଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରି ନିଜକୁ ଧନ୍ୟ ମଣିଲେ l ଯଶୋଦା କହିଲେ, ଆପଣ କେଉଁ ଦିନରୁ ମୋ ଦୁଇ ପୁଅଙ୍କ ନାମ ଦେଇ ଯାଇଥିଲେ l ଏବେ ଦେଖନ୍ତୁ ! ଦିହେଁ କେଡ଼େ କେଡ଼େ ହେଲେଣି l ଭାରି ଦୁଷ୍ଟହୋଇଛନ୍ତି l ଆପଣ ଆସିଲେ ଖୁବ୍ ଭଲ ହେଲା, ସେମାନଙ୍କୁ ଟିକିଏ ଆଶୀର୍ବାଦ କରିଯିବେ l ଆପଣ ଏଇଠି ପୁଅ ମାନଙ୍କ ସହିତ ଖେଳୁଥାନ୍ତୁ, ମୁଁ କଅଣ ଟିକେ ରୋଷେଇ କରିଦେଉଛି ଆପଣ ଆମ ଘରେ ଭୋଜନ କରି ଯିବେ l ଗର୍ଗାର୍ଚାର୍ଯ୍ୟ କହିଲେ, ମାଆ ଯଶୋଦା ! ତୁମେ ମୋ ପାଇଁ ବ୍ୟସ୍ତ ହୁଅନା l ମୁଁ ନିଜେ ରୋଷେଇକରି ଖାଏ l ଅନ୍ୟର ହାତରନ୍ଧା ପ୍ରସାଦ ଗ୍ରହଣ କରେ ନାହିଁ l ତୁମେ ଗୋଟିଏ କାମ କର l ମୋତେ କିଛି ଘିଅ,ତଣ୍ଡୁଳ ଓ ଜାଇ ଦିଅ l ମୁଁ ନିଜେ ରୋଷେଇ କରିବି l ତୁମର ଶ୍ରଦ୍ଧା ହୋଇଛି l ଏଣୁ ମୁଁ ମନା କରିପାରୁ ନାହିଁ l
ଯଶୋଦା କୁଳ ଗୁରୁଙ୍କୁ ସବୁ ଜିନିଷ ଯୋଗାଡ଼ କରି ଦେଲେ l ଯମୁନାରୁ ଜଳଆଣି ଯଶୋଦା ଦେଇଥିବା ସାମଗ୍ରୀରେ ଭୋଜନ ପ୍ରସ୍ତୁତ କଲେ, ଗର୍ଗାଚାର୍ଯ୍ୟ l ସୁମିଷ୍ଟ ବ୍ୟଞ୍ଜନ ଓ ଖିରୀ ଆଦି ପ୍ରସ୍ତୁତ ହୋଇଗଲା l ପରମବୈଷ୍ଣବ ଗର୍ଗାଚାର୍ଯ୍ୟ ଠା ବାଢ଼ିଦେଇ ତୁଳସୀ ପାଣିବୁଲାଇ ଚକ୍ଷୁ ମୁଦ୍ରିତକରି ସ୍ମରଣ କଲେ ଶ୍ରୀମନ୍ ନାରାୟଣଙ୍କୁ l ଏତିକିବେଳେ ଚଗଲା କାହ୍ନା କୁଆଡୁ ଚୁପ୍ ଚୁପ୍ ଆସି, ମିଠା ଖିରିକୁ ଖାଇବାକୁ ଲାଗିଲା l
ଗର୍ଗାଚାର୍ଯ୍ୟ ଆଖି ଖୋଲି ଦେଖନ୍ତି ତ କହ୍ନେଇ ଖିରି ଖାଇ ଚାଲିଛି l ଗର୍ଗମୁନି ଡାକ ପକାଇଲେ, ଆଲୋ ଏ ମାଆ ଯଶୋଦା ! ଧାଇଁ ଆସ ଧାଇଁ ଆସ ! ଦେଖ ଦେଖ ତୋ ନଟଖଟିଆ ଚଗଲା ପୁଅ କିପରି ପ୍ରଭୁଙ୍କ ପ୍ରସାଦ ସବୁ ଅଇଁଠା କରି ଦେଇଛି l
ନନ୍ଦରାଣୀ ଛାଟ ଖଣ୍ଡେ ଧରି, ଦଉଡ଼ି ଆସି ଦେଖନ୍ତି କହ୍ନେଇ ଅଧାଖିରି ଖାଇସାରିଲାଣି l ସେ ପୁଅ କାନ ଧରି ଧମକେଇ କହିଲେ, ଆରେ ତତେ କଅଣ ମୋ ଘରେ ଖାଦ୍ୟ ଅଭାବ ହେଇଛି ଯେ ତୁ ଆସି ଗୁରୁଙ୍କ ପ୍ରସାଦକୁ ଖାଇଦେଲୁ l ଦୁଷ୍ଟ କାହ୍ନା ଖନିଖନି ହୋଇ କହିଲା,ମତେ ପରା ବାବାଜୀ ଖାଇବାକୁ ଡାକିଲେ l ମୁଁ ଆସି ଖାଇଲି, ଏଥିରେ ମୋର ଅପରାଧ କଅଣ l ଗର୍ଗାଚାର୍ଯ୍ୟ ମାଆ ପୁଅଙ୍କର ସେହି ଅଦ୍ଭୁତ ଲୀଳାକୁ ଚାହିଁ ମୃଦୁ ମୃଦୁ ହସୁଥିଲେ l
କଅଣ କରିବେ, ମାଆ ଯଶୋଦା ପୁଣି ସବୁ ଜିନିଷ ଆଣି ଗର୍ଗ ମୁନିଙ୍କୁ ବଢ଼ାଇ ଦେଲେ l ଯମୁନାରୁ ଜଳ ଆଣି ମୁନି ପୁଣି ରୋଷେଇ ସାରିଲେ ଏବଂ ତୁଳସୀ ଜଳ ଧରି ଚକ୍ଷୁ ମୁଦ୍ରିତକରି ନାରାୟଣଙ୍କୁ ନୈବେଦ୍ୟ ସମର୍ପଣ କରିବାରେ ଲାଗିଲେ l ପୁଣି, ସେହି କଥା l
କହ୍ନେଇ ପୁଣି ଆସି ଖିରି ଖାଇବାକୁ ଲାଗିଲା l ଆଖି ଖୋଲି ଗର୍ଗ ମୁନି ଦେଖୁ ଥାନ୍ତି, ବାଳକ କାହ୍ନା ଖିରୀ ଖାଇ ଚାଲିଛି l ସେ ବ୍ୟସ୍ତହୋଇ କହିଲେ, ଆରେ ! ଇଏ ତ ପୁଣି ସବୁକୁ ଅଇଁଠା କରିଦେଲା l
ଏଥର ବାଳକ କାହ୍ନା ଭାବିଲା, ନାଆଁ, ଆଉ ମୋର ଏ ପରମଭକ୍ତ୍ତଙ୍କୁ ଭ୍ରମରେ ପକାଇ ହେବନାହିଁ l ସେ ସଙ୍ଗେ ସଙ୍ଗେ ଚତୁର୍ଭୁଜ ନାରାୟଣ ରୂପେ ଆବିର୍ଭୁତ ହୋଇ ଗର୍ଗାଚାର୍ଯ୍ୟଙ୍କୁ ଦର୍ଶନଦେଇ କହିଲେ, ତୁମେ ଯାହାଙ୍କୁ ଡାକୁଛ, ମୁଁ ହେଉଛି ସେହି ବୈକୁଣ୍ଠବାସୀ ଚତୁର୍ଭୁଜ ନାରାୟଣ l ଗର୍ଗ ମୁନି ଆଉ କିଛି ନକହି ସେହି ଉଚ୍ଛିଷ୍ଟ ପ୍ରସାଦକୁ, “କୃଷ୍ଣତୁ ଭଗବାନ ସ୍ଵୟଂ” କହି ପରମତୃପ୍ତିରେ ଭୋଜନ କରିବାକୁ ଲାଗିଲେ l ମାଆ ଯଶୋଦା ପାଖରେ କାଷ୍ଠପିତୁଳା ପ୍ରାୟ ଠିଆ ହୋଇ ମୁନିଙ୍କ ତନ୍ମୟତାକୁ ଦେଖୁଥିଲେ l
ଭୋଜନ ସାରି, କୁଳଗୁରୁ ଯିବାକୁ ଉଦ୍ୟତ ହୁଅନ୍ତେ ନନ୍ଦ ଯଶୋଦା ଆସି ତାଙ୍କୁ ପ୍ରଣାମକରି ଆଶୀର୍ବାଦ ଭିକ୍ଷାକଲେ l ଗର୍ଗାଚାର୍ଯ୍ୟ ଯିବାବେଳେ ଯଶୋଦାଙ୍କ ଶିରରେ ହାତ ରଖି କହିଲେ :-
ଧନ୍ୟ ଧନ୍ୟ ଭାଗ୍ୟବତୀ ଯଶୋବନ୍ତୀ ତୁହି l
ପୁତ୍ର ପାଳିଅଛୁ, ଭାଗ୍ୟେ କାଳିଆ କହ୍ନାଇ ll
!!! ଓଁ କୃଷ୍ଣମ୍ ବନ୍ଦେ ଜଗଦ୍ଗୁରୁ !!!
🙏🙏🙏
ଅର୍ଜୁନୀ ଚରଣ ବେହେରା
ମୋ -7693091971