ମାଆର କର୍ମ ବେଳେ ଯାହା ଯାଇଥିଲି ଘରକୁ । ମାଆର ଅନୁପସ୍ଥିତିରେ ମାଆର ସଜଡ଼। ଦୁନିଆଟାକୁ ଯିବାକୁ ଇଚ୍ଛା ହେଲା ନାହିଁ ଅନେକ ଦିନ ପର୍ଯ୍ୟନ୍ତ । ବାପାଙ୍କ ଅନ୍ତେ ଅନେକ ଥର ମୁଁ ଘରମୁହାଁ ହେଉଥିଲି । ମାଆ ଥିଲା ତ । ଗେବୁଲ କାନ୍ଥ । ବାପା ବି ଆଉଜୁଥିଲେ ତାକୁ ।
ଭାଇମାନେ ଡାକିଥିଲେ ମୋତେ । ଜମିଜମା ଭାଗବଣ୍ଟରା ହେଉଛି । ଚାଷବାସ ତ କରିବାର ଇଚ୍ଛା ନାହିଁ କାହାର । ଗାଁରେ ରହୁଥିବା ଭାଇଙ୍କର ଇଚ୍ଛା ଥିଲେ କଣ ହେବ , ଛୁଆଠାରୁ ଗୁହ ଭାରି । ଝିଅର ଭାଗକୁ ବର୍ତ୍ତମାନ କୋର୍ଟ ଅନୁମୋଦନ କରି ସାରିଛି । ତେଣୁ ଚାରିଭାଇ ଓ ମୋ ଭିତରେ ପାଞ୍ଚଭାଗ ହେଉଥିଲା ବାପାଙ୍କର ସେହି ସୁନାଥାଳିଆ ଜମି । ଅଗତ୍ୟା ମୋତେ ଯିବାକୁ ପଡ଼ିଲା ।
ବିକ୍ରିବଟା , ଦର , ଭାଗ ସବୁ ଛିଡି଼ ସାରିଥିଲା । କେବଳ ମୋର ହସ୍ତାକ୍ଷର ଟା ବାକି ଥିଲା ।
ସବୁ ଭାଇମାନେ ବୋଝେ ଲେଖାଏଁ ନୋଟ ନେଇ ଯେ ଯାହା କର୍ମକ୍ଷେତ୍ରକୁ , ଧର୍ମକ୍ଷେତ୍ରକୁ ବାହୁଡ଼ି ଗଲେ ମୋ ସହିତ ଫର୍ମାଲ କଥାବାର୍ତ୍ତା ହେଇ । ଗାଁରେ ରହୁଥିବା ଗରିବ ଭାଇ ଓ ଭାଉଜ ମୋତେ ଅଟକାଇଲେ ଦୁଇଦିନ ରହିବା ପାଇଁ । ଦରିଦ୍ରର ଘରେ ଜଣେ ପଶିଲେ ମାଣେ ଯାଏ । ତଥାପି ।
ମୁଁ ଫେରିଲା ବେଳେ ଭାଉଜ , ବଡି଼ , ଆମ୍ବୁଲ , ଅରୁଆ ଚାଉଳ , ଚୁଡ଼। ଇତ୍ୟାଦି ବାନ୍ଧିସାରି , ବାକ୍ସରୁ ନିଜ ବାପଘରୁ ଆଣିଥିବା ସୂତା ଶାଢ଼ୀଟା ଧରେଇ ଦେଇ ବାଷ୍ପରୁଦ୍ଧ କଣ୍ଠରେ କହୁଥିଲେ ,
– ମିମି , ମାଆ ନଥିଲେ କଣ ହେଲା , ମୁଁ ତ ଅଛି ନା । ଦୁଇବର୍ଷ ହେଲା ତୁମେ ଆସିନାହଁ । ଆମେ ତୁମର ଚର୍ଚ୍ଚା କରି ପାରିବୁ ନାହିଁ ବୋଲି ଭରସି ଡାକୁ ନଥିଲୁ । ତୁମ ମାଆ ଭଳିଆ ଭାରଥୋର ତ ଯୋଗାଡି଼ ପାରିବି ନାହିଁ । ହେଲେ ତୁମକୁ ହତାଦର ମଧ୍ୟ କରିବି ନାହିଁ ।
କେଜାଣି କାହିଁକି , ଭାଉଜଙ୍କ ମୁହଁଟା ମୋତେ ମାଆ ମୁହଁ ପରି ଦିଶିଲା ।
ନୋଟବିଡ଼।ର ବୋଝ ମୋତେ ଅସହ୍ୟ ମନେ ହେଲା । ସାତବର୍ଷର ପୁତୁରା ହାତରେ ନୋଟ ବ୍ୟାଗଟା ଧରେଇଦେଇ , ମୁଁ ଭାଉଜଙ୍କୁ କହୁଥିଲି ,
ଭାଉଜ , ଟୁଟୁର ପାଠପଢ଼ା ଦାୟିତ୍ୱ ମୋର । ଏଇ ପଇସାରେ ମୋ ବାପାଙ୍କ ହାତ ତିଆରି ଆଉ ମାଆର ସଜଡ଼। ଏଇ ଦଦରି ଯାଉଥିବା ଘରଟାକୁ ମରାମତି କରିଦିଅ ।
ବାଟରେ ସେହି ସାଧାରଣ ନାଲି ସୂତାଶାଢ଼ୀଟାକୁ ଖୋଲି ମୁଁ ତାର ପ୍ରିଣ୍ଟ ଭିତରେ ହଜି ଯାଉଥିଲି । ସେଥିରେ ବି ଦିଶୁଥିଲା ମୋ ମାଆର ମୁହଁ ।
ଆରତୀ ସାହୁ ( ଆଶା )
ବସନ୍ତ ବିହାର, ନୂଆଦିଲ୍ଲୀ
(ଜନ୍ମ ସ୍ଥାନ: ଓ୍ଵାର୍ଡ ନମ୍ବର -୫, ଷଢ଼େଇକଳା,
ଜିଲ୍ଲା – ଷଢ଼େଇକଳା ଖରସୁଆଁ, ଝାଡ଼ଖଣ୍ଡ )
ପରିବର୍ତ୍ତିତ ପରିସ୍ଥିତି ରେ ଓଡିଆ ପରିବାର ଉପରେ ବସ୍ତୁବାଦ ର ପ୍ରଚଣ୍ଡ ପ୍ରଭାବ ଏବଂ ପୁଣିଥରେ ଗଢିବାର ସ୍ବପ୍ନ– ଭାରି ଭଲ ଲାଗିଲା।