ଗୋପୀ ଚନ୍ଦନ
===========
ଭଗବାନ ଶ୍ରୀକୃଷ୍ଣଙ୍କର ଅତି ପ୍ରୀୟ ଚନ୍ଦନ । ଚନ୍ଦନ ମଧ୍ୟରେ, ପୁଣି ଗୋପୀ ଚନ୍ଦନ । ମନଲୋଭା ଚନ୍ଦନ ବେଶକୁ ଲକ୍ଷ କରି କବି ଭକ୍ତଚରଣ ଦାସ କହିଲେ, ‘ଚନ୍ଦନବେଶ ମୁଁ କରନ୍ତି ମୋର ହେଉଛି ମନ, ଚିତ୍ତ କେ ଧରିବ ଯୁବତୀ ଚାହିଁ ଚନ୍ଦ୍ରବଦନ’। ଏହି ଗୋପୀ
ଚନ୍ଦନ ଉଦ୍ଭବ ବିଷୟରେ ଏକ ସୁନ୍ଦର ପୌରାଣିକ କାହାଣୀ ।
ଦ୍ଵାପର ଯୁଗର ଅନ୍ତଃ ସମୟ ଉପଗତ । ଭଗବାନ୍ ଶ୍ରୀକୃଷ୍ଣଙ୍କ ଅବତାର ଲୀଳା ସରି ଯାଇଛି । ବର୍ତ୍ତମାନ ପ୍ରଭୁ ସ୍ଵଧାମକୁ ବାହୁଡ଼ି ଯିବେ । ଆଗରୁ ବଳରାମ ଚାଲି ଗଲେ । ଶେଷକୁ ରହିଲେ, ଭଗବାନ୍ ଶ୍ରୀକୃଷ୍ଣ ଏବଂ ସାରଥି ଦାରୁକ । ମହାମନସ୍ତାପରେ ଶିଆଳୀ ଲତାକୁଞ୍ଜରେ ବିଶ୍ରାମ କରୁଥାନ୍ତି କେଶବ । ରକ୍ତବର୍ଣ୍ଣର ପାଦଦୁଇଟି ଲତାକୁଞ୍ଜ ବାହାରକୁ ଦେଖା ଯାଉଥିଲା ଏକ ମୃଗର ଦୁଇଟି କାନ ସଦୃଶ। ସେହି ବାଟ ଦେଇ ଯାଉଥିଲା ଜାରା ନାମକ ଜଣେ ଶବର । ପ୍ରଭୁଙ୍କ ପଦଯୁଗଳକୁ ମୃଗ କର୍ଣ୍ଣ ଭ୍ରମରେ ତୀକ୍ଷ୍ଣ ନାରାଚରେ ଆଘାତ କଲା ଜାରା । ସେହି ତୀକ୍ଷ୍ଣ ନାରାଚ ଥିଲା ଯଦୁବଂଶ ଧ୍ଵଂସ କାରୀ ୠଷି ଅଭିଶପ୍ତ ଲୌହମୁଷଳର ଅବଶିଷ୍ଟାଂଶ । ଏହାକୁ ସାଗରକୂଳରୁ ପାଇଥିଲା ଜାରା ।
ଜରା ଯେତେବେଳେ ଜାଣି ପାରିଲା, ମୁଁ ମୃଗ ନୁହେଁ ପ୍ରଭୁଙ୍କ ପାଦକୁ ଶରବିଦ୍ଧ କରିଛି, କାନ୍ଦି କାନ୍ଦି ପ୍ରଭୁଙ୍କ ପାଦଧରି କ୍ଷମା ଯାଚନା କଲା । ଝର ଝର ଲୁହ ଝରି ପଡୁଥାଏ ଜାରା ଶବର ଚକ୍ଷୁରୁ । ପ୍ରଭୁ ଶାନ୍ତ୍ୱନା ଦେଇ ଶବରକୁ କହିଲେ,” ତୁମର କିଛି ଭୁଲ୍ ନାହିଁ ଜାରା ! ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହେଲେ ହେଁ ମରଇ । ଏ ସଂସାରର ଗତି ଏହିପରି । ତୁମେ ଦୁଃଖ କରନାହିଁ ।
ତୁମ ମନେନାହିଁ କିନ୍ତୁ ମୋର ମନେଅଛି ତୁମେ ଥିଲ ତ୍ରେତୟା ଯୁଗର ବାଳି । ତୁମକୁ ମୁଁ ଗଛ ଉହାଡ଼ରେ ଲୁଚିକରି ଅନ୍ୟାୟଭାବେ ବଧ କରିଥିଲି । ସେତିକି ବେଳେ ତୁମକୁ ମୁଁ ଯାହା ବର ଦେଇ ଥିଲି, ଏବେ ତାହା କାର୍ଯ୍ଯକାରୀ ହୋଇଛି । କୃତ କର୍ମଫଳ ପ୍ରାଣୀଙ୍କୁ ଅବଶ୍ୟ ଭୋଗକରିବାକୁ ପଡ଼ିଥାଏ । ତୁମେ ମୋର ପରମଭକ୍ତ । କଳି ଯୁଗରେ ବିଶ୍ୱାବସୁ ଶବର ହୋଇ, ତୁମେ ମୋତେ ଆରାଧନା କରିବ । ଆଉ ମୁଁ ହେବି ତୁମର ପରମ ଆରାଧ୍ୟ ଇନ୍ଦ୍ର ନୀଳମଣି ବିଗ୍ରହ ନୀଳମାଧବ ।
ସାରଥୀ ଦାରୁକଙ୍କୁ ଡାକି ଭଗଵାନ ଶ୍ରୀକୃଷ୍ଣ କହିଲେ, ତୁମେ ଅତିଶୀଘ୍ର ଯାଇ ସଖା ଅର୍ଜୁନଙ୍କୁ ହସ୍ତିନାରେ ଏ ଖବର ଦିଅ ଓ ସଖା ଅର୍ଜୁନଙ୍କୁ ଶୀଘ୍ର ଆସିବାକୁ କୁହ । ଦାରୁକ ଆଦେଶ ପାଇ ହସ୍ତୀନା ଯାତ୍ରା କଲେ। ତାଙ୍କଠାରୁ ଖବର ପାଇ ଯୁଧିଷ୍ଠିର ଦୁଃଖରେ ଖୁବ୍ ଅଧୀର ହୋଇଉଠିଲେ ଓ ଅର୍ଜୁନଙ୍କୁ ଆଦେଶ ଦେଲେ ଶୀଘ୍ର ଦ୍ୱାରକା ଯାଇ କୃଷ୍ଣ ବଳରାମଙ୍କ କୁଶଳବାର୍ତ୍ତା ଘେନି ଆସିବା ପାଇଁ । ଅର୍ଜୁନ କାଳ ବିଳମ୍ବ ନକରି ବାହାରି ପଡ଼ିଲେ ଦ୍ୱାରିକା ଅଭିମୁଖେ ।
ଯାତ୍ରା ପଥରେ ଅର୍ଜୁନଙ୍କର ଦେବର୍ଷି ନାରଦଙ୍କ ସହ ଭେଟହେଲା । ଦେବର୍ଷି ତାଙ୍କୁ ସତର୍କ କରାଇ ଦେଇ କହିଲେ, ହେ ଅର୍ଜ୍ଜୁନ ! ତୁମେ ଦ୍ୱାରକା ଯାଉଛ ଭଲ ହେଲା, କିନ୍ତୁ ମନେରଖ ତୁମେ ଭଗବାନ୍ ଶ୍ରୀକୃଷ୍ଣଙ୍କୁ କୌଣସି ପରିସ୍ଥିତିରେ ମଧ୍ୟ ସ୍ପର୍ଶକରିବନାହିଁ । ଅର୍ଜୁନ ଏକଥାର ମର୍ମ କିଛି ବୁଝି ପାରିଲେନାହିଁ । ସେ ଯାଇ ଦ୍ୱାରକାରେ ପହଞ୍ଚି ଶୁଣିଲେ ସଖା ଶ୍ରୀକୃଷ୍ଣ ଶରବିଦ୍ଧ ହୋଇ ମୂମୁର୍ଷୁଅବସ୍ଥାରେ ଶିଆଳି ଲତାକୁଞ୍ଜରେ ପଡ଼ି ରହିଛନ୍ତି । ଅଧୈର୍ଯ୍ୟ ହୋଇ ଅର୍ଜ୍ଜୁନ ଯାଇ ଶ୍ରୀକୃଷ୍ଣଙ୍କ ନିକଟରେ ପହଁଚିଲେ, ଚକ୍ଷୁରୁ ଧାର ଧାର ଲୁହ ବହି ଯାଉଥାଏ । ଅର୍ଜୁନଙ୍କୁ ଦେଖି ପ୍ରଭୁ ଆନନ୍ଦ ଗଦଗଦ ହୋଇ ଆଲିଙ୍ଗନ ମୁଦ୍ରାରେ କହିଲେ, ଆସ ପାର୍ଥ !!! ଆସ ମୋର ପ୍ରିୟସଖା !
ଅର୍ଜୁନଙ୍କ ଦେବର୍ଷିଙ୍କ କଥା ସ୍ମରଣ ହେଉଥାଏ । ତାଙ୍କ ଦ୍ୱିଧା ଭାବକୁ ଲକ୍ଷ୍ୟ କରି ଶ୍ରୀକୃଷ୍ଣ କହିଲେ, ପାଦରେ ମୋର ଅସହ୍ୟ ଯନ୍ତ୍ରଣା ହେଉଛି । ତୁମେ ତୀର ମୁନରେ ଟିକିଏ କ୍ଷତ ଗୁଡ଼ିକୁ ଆଉଁଶି ଦିଅ।
ସଖାଙ୍କ କଷ୍ଟରେ ବ୍ୟତିବ୍ୟସ୍ତ ଅର୍ଜୁନ ନାରଦଙ୍କ ବାଣୀ ଭୁଲି ଗଲେ । ସେ ତତ୍କ୍ଷଣାତ ତାଙ୍କ ଗାଣ୍ଡୀବଧନୁଟି ଶ୍ରୀକୃଷ୍ଣଙ୍କ ଆଡ଼କୁ ବଢ଼ାଇ ଦେଲେ। କୃଷ୍ଣ ଗାଣ୍ଡୀବ ସ୍ପର୍ଶ କରିବା ମାତ୍ରେ ଅର୍ଜୁନ ଅନୁଭବ କଲେ ସେ କିପରି ନିର୍ବଳ ହୋଇପଡ଼ିଛନ୍ତି । ତାଙ୍କର ଧନୁଟିକୁ ଉଠାଇବାକୁ ମଧ୍ୟ ଶକ୍ତି ନାହିଁ। ତାଙ୍କ କଳା ହରଣ କରିନେଲେ ପ୍ରଭୁ । କାରଣ ପ୍ରଭୁଙ୍କ ଲୀଳାର ସମାପ୍ତି ସହ, ଅର୍ଜ୍ଜୁନଙ୍କ କାର୍ଯ୍ୟ ମଧ୍ୟ ସମାପ୍ତ ହୋଇ ଯାଇଥିଲା । କଥା ରହିଗଲା,’ଯେଉଁ ଗାଣ୍ଡିବ ହାତେ ସେହି ଗାଣ୍ଡୀବ ମାଥେ ‘ ।
ପ୍ରଭୁ କ୍ଷୀଣକଣ୍ଠରେ କହିଲେ,ମୁଁ ଏବେ ଏ ଧରାଧାମ ଛାଡ଼ିବି । ଏବେ ଦ୍ୱାରକା ଜଳମଗ୍ନ ହେବ । ତୁମେ ଦ୍ୱାରକାପୁରରୁ ସମସ୍ତ ରମଣୀ ମାନଙ୍କୁ ଘେନି ହସ୍ତିନା ଚାଲିଯାଅ ।
ଅର୍ଜୁନ ଦ୍ୱାରକାର ସବୁ ପୁରନାରୀମାନଙ୍କୁ ସଙ୍ଗରେ ଘେନି ହସ୍ତିନା ଚାଲିଲେ । କିଛି ପଥ ଅତିକ୍ରମ କଲା ପରେ ହଠାତ୍ କୁଆଡୁ କେତେକ ବଳଶାଳୀ ଲୋକ ବର୍ଚ୍ଛା, ତୀର, ଛୁରୀ, କଟାରୀ ଆଦି ନାନା ମାରଣାସ୍ତ୍ର ଧରି ତାଙ୍କ ଉପରେ ଆକ୍ରମଣ କରିଦେଲେ ଓ ନାରୀ ମାନଙ୍କ ସବୁ ଗହଣା ଓ ଅଳଙ୍କାର ଛଡ଼ାଇନେଲେ । ମହାଭାରତର ମହାବୀର ଗାଣ୍ଡିବୀ ଅର୍ଜୁନ ଉପସ୍ଥିତ ଥାଇମଧ୍ୟ କୌଣସି ପ୍ରତିରୋଧ କରିପାରିଲେ ନାହିଁ । ଆକ୍ରମଣକାରୀ ସମସ୍ତ ଡାକୁ ଥିଲେ ଭିଲ ଜନଜାତି ଲୋକେ । ଏହା ଥିଲା ମହାକାଳର ଖେଳ । ଏହାକୁ ଲକ୍ଷ୍ୟକରି ସନ୍ଥ ତୁଳସୀଦାସ କହିଲେ:-
ତୁଳସୀ ନରକା କ୍ୟା ବଡ଼ା
ସମୟ ବଡ଼ା ବଳବାନ୍ ।
ଭୀଲା ଲୁଟି ଗୋପୀଆଁ
ୱହି ଅର୍ଜୁନ ୱହି ବାଣ ।।
ଅର୍ଜୁନଙ୍କ ସାଥିରେ ଥିବା ଗୋପୀ ମାନେ ଭୟଭୀତ ହୋଇ ପାଖରେଥିବା ଏକ ପୁଷ୍କରିଣୀରେ ବୁଡ଼ି ଆତ୍ମ ଗୋପନ କଲେ । ସେହି ପୁଷ୍କରଣୀଟିର ସ୍ମୃତି ବହନ କରୁଛି ପ୍ରଭାସ ତୀର୍ଥ ନିକଟବର୍ତ୍ତୀ ଗୋପୀ ତଲାବ । ଏଠାରେ ମିଳୁ ଥିବା ଚନ୍ଦନ ମୃତ୍ତିକା ଗୋପୀ ଚନ୍ଦନ ନାମରେ ପ୍ରସିଦ୍ଧ ଯାହା ଭଗବାନ୍ ଶ୍ରୀକୃଷ୍ଣଙ୍କର ଅତି ପ୍ରୀୟ । ବୈଷ୍ଣବମାନେ ଗୋପୀ ଚନ୍ଦନରେ ତୀଳକ ଚିତା, ଧାରଣ କରିଥାନ୍ତି । ଗୋପୀ ଚନ୍ଦନର ମହତ୍ତ୍ଵ ପ୍ରତିପାଦନ କରି ଗର୍ଗ ସଂହିତାରେ ମହାମୁନି ଗର୍ଗ କହିଛନ୍ତି:-
ନିତ୍ୟମ୍ କରୋତି ଯୋ ପାପୀ
ଗୋପୀଚନ୍ଦନ ଧାରଣମ୍ ।
ସ ପ୍ରାପତି ହରେର୍ଧାମ ଗୋଲକ
ପ୍ରକୀର୍ତ୍ତ୍ୟେ ପରମ୍ ।।
!!! ଓଁ ଗୋପୀଜନ ବଲ୍ଲଭାୟ ନମଃ !!!
ଅର୍ଜୁନୀ ଚରଣ ବେହେରା
ମୋ – 7693091971