ଗୋପେ ଅଇଲା କୋଳିବିକା

Share it

ଗୋପେ ଅଇଲା କୋଳିବିକା
================

ଶୁକମୁନି ଅଭିଶପ୍ତ ରାଜା ପରୀକ୍ଷିତଙ୍କୁ ମୋକ୍ଷଦାୟୀ ହରିକଥା ଶୁଣାଉଥାନ୍ତିl ମୁନି ବାଳକୃଷ୍ଣଙ୍କ ଉଦୁଖଳ ବନ୍ଧନ ଓ ଜାମଳାର୍ଜୁନ ମୋକ୍ଷ ପ୍ରସଙ୍ଗ ଶୁଣାଇ ସାରି କହିଲେ, ହେ ଅଭିମନ୍ୟୁ ନନ୍ଦନ ! ତାଙ୍କ ଭକ୍ତମାନଙ୍କୁ ଭଗବାନ୍ ଏହିପରି କରୁଣା କରିଥାନ୍ତି l

ଏହା ଶ୍ରବଣ କରି ରାଜା ପରୀକ୍ଷିତ ଉତ୍ସୁକତାର ସହ ପ୍ରଶ୍ନ କଲେ, ହେ ଭଗବନ୍ ! ଭଗବାନଙ୍କ ଏହି ପରମ ପ୍ରେମମୟ ଲୀଳା ଶ୍ରବଣମାତ୍ରେ ମୋ ମନପ୍ରାଣ ପୁଲକିତ ହୋଇ ଉଠୁଛି l ଦୟାକରି ମୋତେ ଶ୍ରୀହରିଙ୍କ ଆଉ ସମସ୍ତ କଥାମାନ କୁହନ୍ତୁ l

ମୁନି କହିଲେ, ତେବେ ଶୁଣ, ମୁଁ ବର୍ତ୍ତମାନ ଭଗବାନ୍ ଶ୍ରୀହରି ଜଣେ ଦରିଦ୍ର ଭକ୍ତପ୍ରତି କିପରି ଦୟା କରିଥିଲେ, ସେହିକଥା ତୁମକୁ କହୁଛି, ମନଦେଇ ଶୁଣ l

ବ୍ରହ୍ମଜ୍ଞାନୀ ଶୁକ, କଥା ଆରମ୍ଭ କଲେ l ମହାମୁନିଙ୍କ କଥା ଉପକ୍ରମକୁ ସୁନ୍ଦର ଭାବେ ଶ୍ରୀମଦ୍ଭାଗବତରେ ଅତିବଡ଼ି ଜଗନ୍ନାଥ ଦାସ ବର୍ଣ୍ଣନା କଲେ :-
ଭକତ ଜନଙ୍କୁ ସୁଫଳ l
ଗୋପେ ଦେଖନ୍ତି ନନ୍ଦବାଳ ll
ଭକତ ଜନେ ଦ୍ୟନ୍ତି ଦେଖା l
ଗୋପେ ଅଇଲା କୋଳିବିକା ll
ଡାକଇ କୋଳି କୋଳି ବାଣୀ l
କୃଷ୍ଣ ଧାଇଁଲେ ତାହା ଶୁଣି ll

ଶୁକମୁନି କହିଲେ, ଶକଟ ଓ ଯାମଳାର୍ଜୁନ ଭଞ୍ଜନ ପରେ ମାଆ ଯଶୋଦା ପୁତ୍ର କୃଷ୍ଣଙ୍କୁ ତାଙ୍କ ଉପରେ ଭୂତ ପ୍ରେତ ଆଦିଙ୍କ ନଜର ପଡୁଛି ମନେକରି, ବହୁ ଆକଟ ଭିତରେ ରଖୁଥାନ୍ତି l ସେତେ ବେଳେ କାହ୍ନା ମାତ୍ର ଦି ବର୍ଷର ବାଳକ, ଠୁକୁଠୁକୁ ହୋଇ ଚାଲିବା ଆରମ୍ଭ କରିଥାନ୍ତି l

ସେହି ସମୟରେ, ଗୋକୁଳରେ ଅତି ଦରିଦ୍ର ଜଣେ ଫଳ ବିକାଳୀ ବୁଢ଼ି ରହୁଥାନ୍ତି l ଦିନସାରା ମୁଣ୍ଡରେ ଫଳପସରା ମୁଣ୍ଡାଇ ସେ ଗୋକୁଳସାରା ବୁଲି ଫଳ ବିକନ୍ତି l ସେଇଥିରୁ ଯାହା ପାଆନ୍ତି ସେଥିରେ ତାଙ୍କ ସଂସାର ଚଳେ l କେଉଁ ଦିନ କିଛି ମିଳେ ତ କେଉଁ ଦିନ କିଛି ମିଳେ ନାହିଁ l କିନ୍ତୁ କୃଷ୍ଣଭକ୍ତ ସେ ବୁଢ଼ିକୁ ସେପାଇଁ କିଛି ଚିନ୍ତାନଥାଏ l ଯାହା ମିଳେ ସେତକ ସେ କୃଷ୍ଣଙ୍କୁ ସମର୍ପଣକରି ପରମସନ୍ତୋଷରେ କାଳ କାଟୁଥାଏ l

ଦିନେ ସେ ଗୋକୁଳର ଗଳି ଗଳି ବୁଲି କୌଣସି ଗ୍ରାହକ ନପାଇ ନିରାଶହୋଇ ନନ୍ଦଭବନ ଆଗରେ ଯାଇ ଥକ୍କାମାରି ଶୋଇ ପଡ଼ିଲେ l ପ୍ରଚଣ୍ଡ ଖରା,ଶୋଷରେ ତାଙ୍କ ତଣ୍ଟି ଶୁଖି ଯାଉଥାଏ l ବସି ବସି ଭାବୁଥାନ୍ତି ଆଜି କିଯୋଗରେ ରାତି ପାହିଥିଲା କେ ଜାଣି ଗୋଟିଏ ହେଲେ ଗରାଖ ମିଳିଲେ ନାହିଁ l କିନ୍ତୁ ତା ଭାଗ୍ୟକୁ ଦେଖ l

ଭକ୍ତ ପଛରେ ତ ଭଗବାନ୍ ଛାଇ ହୋଇ ରହିଥାନ୍ତି l ବୁଢ଼ୀର ଦୁଃଖ ପ୍ରଭୁଙ୍କ କର୍ଣ୍ଣରେ ବାଜିଲା l ସେ ଚିନ୍ତା କଲେ, ନାଆଁ ଆଉ ନୁହେଁ !!! ଆଜି ହିଁ ବୁଢ଼ୀର ଜନ୍ମ ଜନ୍ମାନ୍ତରର ଦୁଃଖ ଶେଷ କରିବେ l ଟିକିଏ ସାଷ୍ଟମ ହୋଇ କୋଳି ବିକାଳୀ ବୁଢ଼ୀ ନନ୍ଦ ଭବନ ଆଗରେ ଡାକଛାଡ଼ିଲା, କୋଳି ନେବ କୋଳି l ଜାମୁ, ବଇଁଚ ଖଜୁରୀ ଜାତି ଜାତିକା ପାଚିଲା ମିଠା କୋଳି l

ସେତେବେଳେ ନନ୍ଦରାଣୀ ଘରେ ନ ଥାନ୍ତି l କୋଳି ଖାଇବାରେ ତ କହ୍ନେଇର ଭାରି ସରଧା l କହ୍ନେଇ ଇଆଡ଼େ ସିଆଡ଼େ ଅନେଇଁ ଦେଖିଲା, ମାଆ ଘରେ ନାହାଁନ୍ତି, ଏଇତ ସୁବର୍ଣ୍ଣ ସୁଯୋଗ l କାହ୍ନା ଦେଖିଲା ଘର କଣର ଓଳିଆରେ ଧାନ ରଖା ହୋଇଛି l କୁନି କୁନି ହାତରେ ଆଞ୍ଜୁଳିଏ ଧାନଧରି କାହ୍ମା ଠୁକଠୁକ ଚାଲି ଯାଇ କୋଳି ବିକାଳୀ ପାଖରେ ପହଞ୍ଚିଗଲା l କୋଳି ବିକା ନିର୍ଣ୍ଣିମେଷ ନୟନରେ ଚାହିଁ ରହିଥାଏ ପ୍ରଭୁଙ୍କର ସେହି ଅପୂର୍ବ ଚାଲିକୁ l ଭକ୍ତ ଭଗବାନଙ୍କ ସେ ମିଳନର ଦୃଶ୍ୟ ଅବର୍ଣ୍ଣନୀୟ l

ଛୋଟପିଲାଟା କୁନିକୁନି ହାତରେ କେତେ ବା ଧାନ ଧରିବ l ସେଥିରୁ ପୁଣି କାହ୍ନା ହଲି ହଲି ଆସୁ ଆସୁ ଧାନ ତକ ବୁଣି ହୋଇ ଆସୁଥାଏl ବୁଢ଼ୀ ପାଖରେ ପହଁଚିଲା ବେଳକୁ, କହ୍ନେଇ ହାତରେ ମାତ୍ର ଦିଓଟି ଧାନ ଲାଗିଛି l ବୁଢ଼ୀ ନିକଟରେ ପହଞ୍ଚି କାହ୍ନା ଧାନ ଦୋଓଟି ବଢାଇ ଦେଇ, ଖନି ଖନି ହୋଇ କହିଲା, ନେ ଏ ଧାନ ନେଏ l ମୋତେ କୋଳି ଦେଇ ଯାଆ l ବୁଢ଼ୀ ଆଉ ମୂଲନେବ କଅଣ ! ସିଏତ କୋଟି ନିଧି ପାଇଗଲା l ବୁଢ଼ି କାହ୍ନା ହାତରେ ଆଞ୍ଜୁଳିଏ କୋଳି ଦେଇ ପସରା ମୁଣ୍ଡାଇ ଚାଲିଗଲା l ମାଆ ଯଶୋଦା ଫେରି ଆସି ଦେଖନ୍ତି ତ, କହ୍ନେଇ ହାତରେ କୋଳି ମେଞ୍ଚାଏ ଧରି ଗୋଟି ଗୋଟି କରି ଖାଉଛି l

ବୁଢ଼ୀ ଧାନ ଦୁଇଟିକୁ ପସରାରେ ରଖି ଚାଲିଲା ଏକା ନିଶ୍ୱାସରେ ନିଜ ଘରଆଡ଼େ l ସେ କିଛିବାଟ ଯାଇଛି କି ନାହିଁ ପସରା ମୁଣ୍ଡେଇ ଚାଲିବା ତା ପକ୍ଷରେ ଆଉ ସମ୍ଭବ ହେଲା ନାହିଁ l କଷ୍ଟେମଷ୍ଟେ ବୁଢ଼ୀ ଯାଇ ଘର ପାଖରେ ପହଞ୍ଚି ପସରାଟିକୁ ଓହ୍ଲେଇଦେଇ ଦେଖେ ତ ତା ଭିତରେ କୋଳି ନାହିଁ କି ଧାନ ନାହିଁ, ପସରା ପରିପୂର୍ଣ୍ଣ ହୋଇଛି ହୀରାନୀଳା ମୋତିମାଣିକ ଆଦି ଦୁର୍ମୂଲ୍ୟ ରତ୍ନରେ l

କଥା ଶେଷକରି ମହାମୁନି ଶୁକ କହିଲେ, ହେ ରାଜନ୍ ! ଭଗବାନ୍ ପରମ ଦୟାଳୁ l ଭକ୍ତ ବତ୍ସଳ ଭାବଗ୍ରାହୀ, ତାଙ୍କର ଏକନିଷ୍ଠ ଭକ୍ତଙ୍କୁ ଏହିପରି ଅନୁଗ୍ରହ କରିଥାନ୍ତି l

ଶ୍ରୀମଦ୍ ଭାଗବତ ଦଶମ ସ୍କନ୍ଧ ଦ୍ଵାଦଶ ଅଧ୍ୟାୟରେ ଏହି ସୁନ୍ଦର ପ୍ରସଙ୍ଗ ବର୍ଣ୍ଣିତ l ଏହାକୁ ଆଧାର କରି ଭାଦ୍ରବ କୃଷ୍ଣଦଶମୀ ତିଥିରେ ଶ୍ରୀମନ୍ଦିରରେ ପାଳିତ ହୁଏ କୋଳିବିକା ନୀତି l ସେଦିନ ମହାପ୍ରଭୁଙ୍କୁ ମହା ଗୋପାଳ ବେଶରେ ଦର୍ଶନ କରି ଶ୍ରଦ୍ଧାଳୁ ଭକ୍ତଗଣ ନୟନ ମନକୁ ପବିତ୍ର କରିଥାନ୍ତି l

🙏🙏🙏

ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧


Share it

Leave a comment

Your email address will not be published. Required fields are marked *

Verified by MonsterInsights