ଗପର ନାଁ, ବଡ ଅଡୁଆ ପ୍ରଶ୍ନ …
ଏବେ ମୋର ଜଣେ ବନ୍ଧୁ ମୋ ସହ ବହୁ ସମୟ ଗପିଲେ ।
କଥା ମଝିରେ ଗୋଟେ ବଡ ଅଡୁଆ ପ୍ରଶ୍ନ ପଚାରି ଦେଲେ ।
କହିଲେ ଆଚ୍ଛା ସତ କହିବୁ, ଆଜି କାଲି ସୋସିଆଲ ମିଡିଆରେ ବ୍ରାହ୍ମଣ ମାନଙ୍କ ଦୋଷ ଦୁର୍ବଳତା ସମ୍ପର୍କରେ ସବୁଠୁ ଅଧିକ ଚର୍ଚ୍ଚା ହେଉଛି, ଅନ୍ୟମାନଙ୍କ ବିରୁଦ୍ଧରେ ସେତେ ଚର୍ଚ୍ଚା ତ ହେଉନି,
ଏବେ ଦେବଗଡର ଜଣେ ପୂଜକ ବ୍ରାହ୍ମଣ ଜଣେ ମହିଳାଙ୍କୁ ମନ୍ଦିର ଭିତରେ ଅସଦାଚରଣ କରିବାର ଅଭିଯୋଗ ଯେତେ ଭାଇରାଲ ହେଲା, ବରଗଡରେ ତେଲି କମୁନିଟିର ଲୋକ ଦଳିତ ମହିଳାଙ୍କୁ ଗଣ ବଳାତ୍କାର କରିବା କଥା ତ ସେତିକି ନିନ୍ଦା ପାଇଲା ନାହିଁ, କାରଣ କଣ?
ଏ ପ୍ରଶ୍ନ ଶୁଣି ମୁଁ ହଠାତ୍ ବିଗିଡି ଗଲି, ଏଇଥି ପାଇଁ ଯେ ଲୋକ ଟା କଣ୍ଡିସନ କଲା, ସତ କହିବୁ ।
ଯେମିତି ମୁଁ ମିଛ କହିବାକୁ ବହୁତ ଭଲ ପାଏ,
ସତ କହିବାରୁ ତ ସରଳ ସତିଆ ବାହ୍ମୁଣଙ୍କ ଚଳିବା ଭଳିଆ ଅବସ୍ଥାରେ ମତେ ଚଳିବାକୁ ପଡୁଚି, କେବେକେବେ ଘର ଭଡା ଦେବା ଡେଟ୍ ଦିନେ ଦି ଦିନ ଗଡିଯାଉଛି ଜାଣି ହେଉନି, ଆଉ କେତେ ସତ କହିଲେ ୟା ମନ ଶାନ୍ତି ହେବ କେଜାଣି?
ମୋ ରାଗ ଦେଖି ବିଚରା କଥା ବୁଲେଇଲା, କହିଲା ଏବେ ଝୁଲଣ ସରିଲା, ଖୁଦୁରୁକୁଣି ଓଷା ଆରମ୍ଭ ହେଇଗଲାଣି, ୟା ପରେ ଗଣେଶ ପୂଜା ଆସୁଚି, ତା ପରେ ନୂଆଖାଇ …
ଗଣେଶ ପୂଜାରୁ ମୋର ଗୋଟେ କଥା ମନେ ପଡିଲା,
ଗୋଟେ ପିଲା ଭାରି ଚଇନି ଚିକ୍କଣ, ଗୋରା ତକ୍ ତକ୍, ସବୁ ଦିନେ ଇସ୍ତ୍ରି କରା ଦାମିକା ପେଣ୍ଟ ସାର୍ଟ ପିନ୍ଧିକି ଇସ୍କୁଲ ଆସିବ, ପୁରା ଚିକ୍ ଚିକ୍,
ଗଣେଶ ପୂଜାରେ ଆମ ପଢିଲା ବେଳକୁ କାଁ ଭାଁ ପିଲା ନୂଆ ଡ୍ରେସ କରିବାକୁ ପଇସା ପାଆନ୍ତି,
ଚିନ୍ତା ଟି ଆମର ବୋଧେ ଗୋଟେ ଧନୀ ଘର ପିଲା କି କଣ, ସବୁ ପର୍ବ ପର୍ବାଣୀରେ ତାର ନୂଆ। ମୋର ଏତେ ହିସାବକୁ ଲକ୍ଷ୍ୟ ନଥାଏ, କିଏ କଣ ପିନ୍ଧିଲା, ନ ପିନ୍ଧିଲା, ଖାଇଲା, ନ ଖାଇଲା, ଧନୀ କଣ, ଗରୀବ କଣ।
ଗୋଟେ ବର୍ଷ ଗଣେଶ ପୂଜା ଦିନ ଏ କଥା ଉପରେ ଆମ ଇସ୍କୁଲରେ ଏତେ ଚର୍ଚ୍ଚା ହେଲା ଯେ, ଆଜି କାଲିକା କହିବା ଅନୁସାରେ କଥାଟା ପିଲାଙ୍କ ଠୁ ଶିକ୍ଷକଙ୍କ ପର୍ଯ୍ୟନ୍ତ ଏତେ ଭାଇରାଲ ହେଲା ଯେ, ମୁଁ ସେଇଦିନ ପ୍ରାଞ୍ଜଳ ଭାବେ ଆଠ ଦଶଟା ଟର୍ମ ର ଡେଫିନିସନ ବୁଝି ଗଲି ।
ଯଥା ଧନୀ କଣ, ଗରୀବ କଣ, ଈର୍ଷା କଣ, ଅସୂୟା କଣ, ଅହଙ୍କାର କଣ, ସମତାର ଆଦର କେତେ, ମମତାର ଆଦର କେତେ, ଧନର ଆଦର କେତେ, ଜ୍ଞାନର ଆଦର କେତେ, ପ୍ରେମ କଣ, କାମ କଣ ….. ଇତ୍ୟାଦି ଇତ୍ୟାଦି ବହୁତ କଥା । ତା ପରେ ଭୁଲି ଯାଇଥିଲି, ଆଜି ତୁ ମନେ ପକେଇଲୁ ଗୋଟେ ଫାଲତୁ କଣ୍ଡିସନ କରି ପ୍ରଶ୍ନ ଟେ ପଚାରି ।
ସବୁ ସାଙ୍ଗ ସାଥିଙ୍କୁ ବହୁତ ଭଲ ପାଉଥିବା ଚିନ୍ତାଟି ସେଦିନ ବିଚରା ଗୋଟେ ପିନ୍ ପିନ୍ ଧଳା ଆଇରନ୍ ଦିଆ ଟେରିକଟନ୍ ସାର୍ଟ ପିନ୍ଧିକି ଇସ୍କୁଲ ଆସିଥିଲା, (ଧନୀ ସାମର୍ଥ୍ଯରେ ସ୍କୁଲ ଝିଅପିଲାଙ୍କୁ ଇମ୍ପ୍ରେସ କରିବା ଝୁଙ୍କ୍ ରେ ବାରମ୍ବାର ଚେଷ୍ଟାକରି ଅସଫଳ ହେବା ସତ୍ତ୍ୱେ ସେ ବିଚରା ତାର ଝୁଙ୍କ୍ ଛାଡି ପାରୁନଥିଲା,ସେତେବେଳେକା ଗାଆଁ ଝିଅ ଗୁଣଧନର ପୂଜାରୀ, ଯାହା ଚିନ୍ତାର ଚିନ୍ତାରେ ଥିଲେ ତ ! ) ସେ ଯାହାହେଉ ଆସିଲାବେଳେ ଡଙ୍ଗାରେ ତା ପଛରେ ସେ ଡଙ୍ଗାରୁ ମେଞ୍ଚାଏ କାଦୁଅ ଲାଗିଯାଇଥିଲା କିମ୍ୱା ଆଉ କୋଉ ପିଲା ଈର୍ଷାରେ ଲଗେଇ ଦେଇଥିଲା ।
ବାସ୍ ତାପରେ ତ କଥା ଭାଇରାଲ୍, ସେଥିରୁ କେତେ ଥିଓରୀ କେତେ ଡେଫିନିସନ ସମ୍ପର୍କରେ ଆମେ ସବୁ ପରିଚିତ ହେଲୁ ଯେ ତାର ଇୟତ୍ତା ନାହିଁ, ସେଥିରୁ ପାଞ୍ଚ ସାତ ଟା ତ କହିଲି, ଆଉ ଦି ପାଞ୍ଚ ଟା କହିବି କି ?
ବନ୍ଧୁ କହିଲେ ନା ନା ସେତିକି ଥାଉ।
ମୁଁ କହିଲି, ହଁ ତୁ ପା କଣ ଗୋଟେ ପଚାରୁଥିଲୁ
ସେ ଚଟ୍ କିନା କଥା ଛଡେଇ ନେଇ କହିଲା,
ଏବେ ଝୁଲଣ ସରିଲା, ଖୁଦୁରୁକୁଣି ଓଷା ଆରମ୍ଭ ହେଇଗଲାଣି, ୟା ପରେ ଗଣେଶ ପୂଜା ଆସୁଚି, ତା ପରେ ନୂଆଖାଇ …
ମୁଁ କହିଲି ହଉ ଭଲ କଥା,
ଆନନ୍ଦ ହେଉଅଛି ମହୀ
ଦୁଃଖେ ବି ହସ ବାଣ୍ଟି ଜାଣେ
ଧନ୍ୟ ମୋ ପରବ ନୂଆଖାଇ
ଜୁହାର ମା’ ଗୋ ସମଲେଇ
ଯାଉ ଯାଉ ସେ ମତେ କହିଲା, ଦେଖ୍ ଲକ୍ଷ୍ମୀଧର, ସାଙ୍ଗ ହେବା ଦିନରୁ ଆଜି ଯାଏ ମୁଁ ତୁମ ଠାରୁ ଅନେକ ସ୍ନେହ ଶ୍ରଦ୍ଧା, ସାହାଯ୍ୟ ସହଯୋଗ ପାଇଛି, ଯାହା କେବେ ବି ଭୁଲି ହେବାର ନୁହେଁ, ତୁମର ଏ ଦୁଃଖ ସମ୍ପର୍କରେ ଟିକେ ଡେରିରେ ଜାଣିଲି, ଏତେ ମନ ଦୁଃଖ ହେଲା ଯେ, ଆଜି ପର୍ଯ୍ୟନ୍ତ ତୁମ ସହ କଥା ହେବାକୁ ବି ଧୈର୍ଯ୍ୟ ସଞ୍ଚୟ କରି ହେଉ ନଥିଲା,
ଛାଡ୍ ସେ କଥା, ଯୋଉ ଭଗବାନ ଏକଥା କରିଛନ୍ତି, ସେ ଭଗବାନ ତୋର ଅଶେଷ ମଙ୍ଗଳ କରିବେ, ପରିବାର ସହ ବେଶି ସମୟ ଦେବୁ, ହସ ଖୁସିରେ ନୁଆ ଖାଇବୁ ।
ମୁଁ କହିଲି ହଉ ।
ସେ ଯାଉ ଯାଉ କହିଲା, ଆରେ ତମର କୋଉ ପତରରେ ନୂଆ ଖାଅ କି ରେ? ତମର କୋଉ ପତର ? କୁରେଇ ନା ମହୁଲ କି ରେ ?
ମୁଁ ଆଜି ଯାଏ ନା କୁରେଇ ପତର ଚିହ୍ନିଛି ନା ମହୁଲ ପତର ଠିକ କରି ଚିହ୍ନି ପାରିବି, ୟାଙ୍କେ କି ଉତ୍ତର ବା ଦେଇ ଥାଆନ୍ତି ?
ଜାତି ଆଧାରରେ ପତର ବି ଅଲଗା ଅଲଗା କରିଥିବା ବୈଜ୍ଞାନିକଙ୍କୁ ମାନିବାକୁ ପଡିବ, ମାନିବାକୁ ପଡିବ ତାଙ୍କ ଏ ଚିନ୍ତା ପଛର ଅସଲ ବିଜ୍ଞାନୀ ମନୋଭାବଟିକୁ।
ଆଶା ଏ ଗପ ଟି ଶୁଣିବାକୁ ଆପଣମାନଙ୍କୁ ଭଲ ଲାଗିଥିବ ।
– ଲକ୍ଷ୍ମୀଧର ନାୟକ
My Facebook Post: 7th September 2021