ଗାନ୍ଧିଜୀଙ୍କ ପ୍ରଥମ ଓଡିଶା ଆଗମନ ଓ ଚକ୍ରଧର ବେହେରା

Share it

ଗାନ୍ଧିଜୀଙ୍କ ପ୍ରଥମ ଓଡିଶା ଆଗମନ ଓ ଚକ୍ରଧର …

୧୯୨୧ ମସିହାରେ ଗାନ୍ଧିଜୀ ପ୍ରଥମେ ଓଡିଶା ଆସିଥିଲେ । ସେ କନିକାର ପ୍ରଜା ଆନ୍ଦୋଳନ ନେତା ଚକ୍ରଧର ବେହେରାଙ୍କ ଅନୁରୋଧରେ ଓଡିଶା ଆସିଥିଲେ ।

**** ****** ****** *****

ବାଲେଶ୍ୱରରୁ ଡ. କୁନାନନ୍ଦ ଗିରି ଏବେ ଟେଲିଫୋନ୍ କରିଥିଲେ । ଗାନ୍ଧିଜୀଙ୍କ ପ୍ରଥମ ଓଡିଶା ଆଗମନ ବିଷୟରେ କେତେ କଥା ଗପିଲେ। ଶୁଣିବାକୁ ଭଲ ଲାଗିଲା । ସେ ଯାହା କହିଲେ ଲେଖି ଦେଉଛି, ଆପଣମାନଙ୍କୁ ମଧ୍ଯ ଭଲ ଲାଗିପାରେ ।

୧୯୨୧ ମସିହାରେ ଗାନ୍ଧିଜୀ ପ୍ରଥମେ ଓଡିଶା ଆସିଥିଲେ । ସେ କନିକାର ପ୍ରଜା ଆନ୍ଦୋଳନ ନେତା ଚକ୍ରଧର ବେହେରାଙ୍କ ଅନୁରୋଧରେ ଓଡିଶା ଆସିଥିଲେ ।

କନିକା ରଜା ସେତେବେଳେ ପ୍ରଜାଙ୍କଠାରୁ ବିଶେଷ କରି ଚାଷୀମାନଙ୍କଠାରୁ ୬୪ ପ୍ରକାର କର ଆଦାୟ କରୁଥିଲେ, ବନ୍ଯା ପ୍ରପିଡିତ କନିକାବାସୀ କର ଭାରରେ ଅଣ୍ଟା ସଳଖି ପାରୁନଥିଲେ । ଏହାରି ବିରୁଦ୍ଧରେ ପ୍ରଜାନେତା ଚକ୍ରଧର ଆନ୍ଦୋଳନ କରୁଥିଲେ ।

ଚକ୍ରଧରଙ୍କ ଅନୁରୋଧ ଦଶପଲ୍ଲାର ଗୋବିନ୍ଦ ମିଶ୍ରଙ୍କ ଜରିଆରେ ଗାନ୍ଧିଜୀଙ୍କ ପର୍ଯ୍ଯନ୍ତ ପହଞ୍ଚିଥିଲା, ସେ ହିଁ ଚକ୍ରଧରଙ୍କ ଆନ୍ଦୋଳନକୁ ନୈତିକ ସମର୍ଥନ ଦେବାକୁ ଭଦ୍ରକ ଆସିବାକୁ ଗାନ୍ଧିଜୀଙ୍କୁ ପ୍ରବର୍ତ୍ତାଇ ଥିଲେ ।

ଗୋବିନ୍ଦ ମିଶ୍ର ଜଣେ ନିଷ୍ଠାପର କଂଗ୍ରେସ କର୍ମୀ ଥିଲେ । ସେ ହିଁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ଗାନ୍ଧିଜୀଙ୍କ ସହ ଯୋଡିଥିଲେ ।

କନିକା ରାଜାଙ୍କ ଅସହଯୋଗ ହେତୁ ଗାନ୍ଧିଜୀ ଭଦ୍ରକର କୋଠାର ଇଷ୍ଟେଟ୍ ର ଜମିଦାରୀ ଅଧିନରେ ଥିବା ଏକ ପଡିଆରେ ସଭା କରିଥିଲେ । ସେ ପଡିଆକୁ ଏବେ ଗାନ୍ଧି ପଡିଆ କୁହାଯାଉଛି । ଏ ଜମିଦାର ଉଦାରବାଦୀ ଥିଲେ, ଗାନ୍ଧିଜୀଙ୍କର ସମର୍ଥକ ଥିଲେ । କୋଠାର ଇଷ୍ଟେଟର ଜମିଦାର ବିନ୍ଦୁମାଧବ ବସୁଙ୍କ ନାମରେ ଭଦ୍ରକର ବିନ୍ଦୁ ମାଧବ ହାଇସ୍କୁଲ ହୋଇଛି ।

ସେହି ବଂଶର ଦାୟାଦ ଥିଲେ ବଳରାମ ବସୁ । ସେ ରାମକୃଷ୍ଣ ପରମହଂସଙ୍କୁ ବର୍ଷସାରା ଚାଉଳ ଏବଂ ଅନ୍ଯାନ୍ଯ ସହଯୋଗ ଯୋଗାଉଥିଲେ । ରାମକୃଷ୍ଣ ପରମହଂସ କହୁଥିଲେ , ବଲରାମେର ଅନ୍ନ ଶୁଦ୍ଧ ଅନ୍ନ ।

କଲିକତାର ରାମକୃଷ୍ଣ ମଠକୁ ବହୁ ଜମି ଜାଗା ଏହି ବସୁ ପରିବାର ଦାନ କରିଥିଲେ । କଟକର ରାମକୃଷ୍ଣ ମିଶନର ଜାଗା ମଧ୍ଯ ବଳରାମ ବସୁଙ୍କ ସାନଭାଇଙ୍କର, ଯାହା ସେ ମିଶନକୁ ଦାନ କରିଦେଇଥିଲେ ।

ରାମକୃଷ୍ଣ ମିଶନର ସନ୍ଯାସୀ ପ୍ରେମାନନ୍ଦ ମହାରାଜ ଭଦ୍ରକ ଜମିଦାର ବଳରାମ ବସୁଙ୍କର ଶଳାଥିଲେ ।

ମୁଁ ଡକ୍ଟର ଗିରିଙ୍କୁ ପଚାରିଲି ଆପଣ ଏତେ କଥା କେଉଁଠୁ ଜାଣିଲେ ?

ସେ କହିଲେ – ମୋର ଶଶୁର ଜୟକୃଷ୍ଣ ଦାସଙ୍କ ( ଯାହାଙ୍କର ଓଡିଶାକୁ ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତା ଦିଆଇବାରେ ଏକ କ୍ଷୁଦ୍ର ଅଥଚ ସାହସିକ ଓ ନିର୍ଣ୍ଣାୟକ ଭୁୁମିକା ଥିଲା ) ବାପା ଭରତ ଦାସ କୋଠାର ଇଷ୍ଟେଟର ତହସିଲଦାର ଥିଲେ । ସେହି ସୂତ୍ରରୁ ଏକଥା ସବୁ ଶୁଣିଛି ।

ପ୍ରାୟ ଦୁଇବର୍ଷ ତଳେ କନିକା ପ୍ରଜାନେତା ଚକ୍ରଧରଙ୍କ ଏକ ପୂର୍ଣାବୟବ ପ୍ରତିମୂର୍ତ୍ତୀ ଭୁବନେଶ୍ୱରର ରାଜଭବନ ଛକ ସମ୍ମୁଖରେ ସ୍ଥାପିତ ହୋଇଛି,
ତତ୍କାଳୀନ ସଂସ୍କୃତି ମଂତ୍ରୀ ଶ୍ରୀଯୁକ୍ତ ଅଶୋକ ପଣ୍ଡା ଏହା ସ୍ଥାପନା କରିଥିଲେ ।

ଅନେକ ଲୋକ ଏ ମୂର୍ତ୍ତୀକୁ ଦେଖି ଭାବୁଛନ୍ତି ଏ ଭଦ୍ର ଲୋକ କିଏ ? ସେ ଓଡିଶାପାଇଁ ଏତେ ଗୁରୁତ୍ୱପୂର୍ଣ୍ଣ କାହିଁକି ?

କାହିଁ ଚକ୍ରଧରଙ୍କ ଅବଦାନ ସମ୍ପର୍କରେ ତ ଓଡିଶାରେ କେବେ ଶୋର୍ ଶବ୍ଦ ଶୁଣାଯାଏ ନି ! ଅଶୋକ ପଣ୍ଡା ଏପରି କାମ କାହିଁକି କଲେ ?

ଡକ୍ଟର ଗିରି କହିଲେ – ଯଦି ଭାରତ ବର୍ଷରେ କୃଷକ ଆନ୍ଦୋଳନର ପ୍ରକୃତ ଇତିହାସ କେବେ ସଂକଳନ କରାଯାଏ, ତେବେ ଓଡିଶାର ଚକ୍ରଧରବାବୁଙ୍କର କାର୍ଯ୍ଯାବଳି ଓ ନେତୃତ୍ୱ ତହିଁରେ ଶ୍ରେଷ୍ଠତ୍ୱ ଲାଭ କରିବ, ଏଥିରେ ସନ୍ଦେହର ପ୍ରଶ୍ନ ନାହିଁ ।

ଚକ୍ରଧର କନିକାର ପ୍ରଥମ ମାଟ୍ରିକୁଲେଟ୍ ଥିଲେ । ସେ ୧୮୯୪ ମସିହାରେ କନିକା ଅଞ୍ଚଳର ଏକ ଗୋପାଳ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ।

୧୯୩୬ ରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ହେଲା । ୧୯୩୭ରେ କଂଗ୍ରେସ ପ୍ରାର୍ଥୀଭାବେ ଚକ୍ରଧର ତତ୍କାଳୀନ ପୂର୍ବ ଭଦ୍ରକ ନୀର୍ବାଚନ ମଣ୍ଡଳୀରୁ ନୀର୍ବାଚନ ଲଢିଲେ, ତାଙ୍କର ପ୍ରତିଦ୍ୱନ୍ଦୀ ଥିଲେ କନିକା ରାଜାଙ୍କ ପୁତ୍ର ଗିରୀଶ ଚନ୍ଦ୍ର ରାୟ । ପ୍ରଜାନେତା ଚକ୍ରଧର ସେତେବେଳେ ରାଜାଙ୍କୁ ବହୁ ଭୋଟରେ ହରାଇ ବିଜୟୀ ହେଲେ ।

ତା ପରେ କନିକାର ରାଜା, ଜମିଦାରମାନଙ୍କ ପ୍ରତିନିଧି ହିସାବରେ ଏହି ବିଧାନସଭାକୁ ମଧ୍ଯ ନିର୍ବାଚିତ ହୋଇଥିଲେ । ସେତେବେଳେ ସେପରି ଏକ ବ୍ଯବସ୍ଥା ଥିଲା ।

ମଜା କଥା ଶୁଣନ୍ତୁ ।
ଏହି ବିଧାନ ସଭାର ପ୍ରଥମ ଅଧିବେଶନରେ ଚକ୍ରଧର ବାବୁ ବିଧାନସଭା ଗୃହରେ ଦେଖିବା କ୍ଷଣି ରାଜାଙ୍କୁ ସମ୍ମାନର ସହ ନମସ୍କାର ଜଣାଇଲେ । ମାତ୍ର ଏହା ରାଜାଙ୍କୁ ଅତି ମାତ୍ରାରେ କ୍ରୋଧାନ୍ୱିତ କଲା, ନିଜ ରାଜ୍ଯର ପ୍ରଜାଙ୍କ ସହ ଏକାସନରେ ବସିବେ ନାହିଁ ବୋଲି ସିଦ୍ଧାନ୍ତ କରି ବିଧାନସଭାରୁ ଇସ୍ତଫା ଦେଇ ରାଜା ଇଂଲଣ୍ଡ ପଳେଇଲେ ।

୧୯୩୭ରେ ତତ୍କାଳୀନ ଓଡିଶାର କଂଗ୍ରେସ ଦଳର ପ୍ରଧାନମନ୍ତ୍ରୀ ଥିଲେ , ଖଲ୍ଲୀକୋଟ ପ୍ରଜା ଆନ୍ଦୋଳନ ନେତା ବିଶ୍ୱନାଥ ଦାସ । ପରିବର୍ତ୍ତିତ ପରିସ୍ଥିତିରେ ୧୯୩୯ ମସିହାରେ ଓଡିଶାରେ ମିଳିତ ମନ୍ତ୍ରୀମଣ୍ଡଳ ଗଠିତ ହେଲା, ପାରଳା ମହାରାଜାଙ୍କ ନେତୃତ୍ୱରେ ।

ସେ ମନ୍ତ୍ରୀମଣ୍ଡଳର ଶିକ୍ଷାମନ୍ତ୍ରୀ ପଣ୍ଡିତ ଗୋଦାବରୀଶ ମିଶ୍ର ଚକ୍ରଧର ବାବୁଙ୍କୁ ଖାଦ୍ଯ ଓ ଯୋଗାଣ ବିଭାଗ ମନ୍ତ୍ରୀ ହେବାର ପତ୍ର ପ୍ରଦାନ କଲେ । ଚକ୍ରଧର ଏହାକୁ ପ୍ରତ୍ଯାଖାନ କରିଥିଲେ, ଆନ୍ଦୋଳନ ସରିଗଲେ ପ୍ରଜାଙ୍କ ବୃହତ୍ତର ସେବା ବ୍ଯାହତ ହେବ କହି ।

ସ୍ୱାଧୀନତା ପରେ ୧୯୫୨-୫୭ ଚକ୍ରଧରବାବୁ ବିଧାନ ସଭାର ସଭ୍ଯ ଥିଲେ ।

ମୁଁ କହିଲି , ତାହେଲେ ଇଏ ସେହି ମହାନ ଚକ୍ରଧର ଯାହାଙ୍କ ଅନୁରୋଧରେ ମହାତ୍ମା ଗାନ୍ଧୀ ୧୯୨୧ ମସିହାରେ ପ୍ରଥମ ଓଡିଶା ଆସିଥିଲେ ।

ଆଜି ଦିନକୁ ଆମେ ବୋଧେ ଗାନ୍ଧୀ ଜୟନ୍ତୀ କହୁଛନ୍ତି। ଭଲ କଥା । ହେଲେ ଆଜି ଛୁଟି ନକରି କର୍ମ ସମୟକୁ ଆଠ ଘଣ୍ଟା ଜାଗାରେ ୯ ଘଣ୍ଟା କରି ଦେଇଥିଲେ, ସେପରି କର୍ମବୀର ମାନଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହୁଅନ୍ତା ସିନା !

ଏ କାଲାଙ୍କୁ ଦଶ ବର୍ଷ ହେଲା ଏ କଥା କହୁଛି, ଶୁଭିଲେ ତ ?

ଲକ୍ଷ୍ମୀଧର ନାୟକ
My Facebook Post:
02 October 2019


Share it

Join the Conversation

1 Comment

Leave a comment

Your email address will not be published. Required fields are marked *

Verified by MonsterInsights