ଗଣକବି ବୈଷ୍ଣବ ପାଣି

Share it

ଗଣକବି ବୈଷ୍ଣବ ପାଣି ଓଡ଼ିଆ ସାହିତ୍ୟର ଏକ ଅନନ୍ୟ ତଥା ଅବିସ୍ମରଣୀୟ ପ୍ରତିଭା l ସେ ଅସଂଖ୍ୟ ଗୀତି ନାଟ୍ୟ, ସୁଆଙ୍ଗ, କାବ୍ୟ, ସଙ୍ଗୀତ, ଭଜନ, ଜଣାଣ, ଗୀତିକବିତା ଓ ଗଦ୍ୟ ସାହିତ୍ୟ ରଚନା କରି ଓଡ଼ିଶାର ବାଣୀ ଭଣ୍ଡାରକୁ ସମୃଦ୍ଧ କରିଯାଇଛନ୍ତି l ତାଙ୍କ ସାହିତ୍ୟ ଉପରେ ଗବେଷଣା କରି କେତେ ବିଦ୍ୱାନ PHD କରି ସାରିଲେଣି l ଜନନୀ ଉତ୍କଳର ଏହି ସାରସ୍ୱତ ପ୍ରତିଭା 1882 ମସିହା କୁମାର ପୂର୍ଣିମା ଦିନ ଶରତ ଚନ୍ଦ୍ରର ନିର୍ମଳ ପ୍ରଭା ନେଇ ମାହାଙ୍ଗା ଥାନାନ୍ତର୍ଗତ ଚକାପଦ ଗ୍ରାମରେ ପିତା ସୁଦର୍ଶନ ପାଣି ଏବଂ ମାଆ ଚାନ୍ଦଦେବୀଙ୍କ କୋଳ ମଣ୍ଡନ କରି ଭୂମିଷ୍ଟ ହୋଇ ଥିଲେ l ବାଲ୍ୟ କାଳରୁ ବଡ଼ ରୋଗୀଣା ଥିବାରୁ ସୁସ୍ଥ ଓ ନିରାମୟ ଜୀବନ କାମନା କରି ବାପା ମାଆ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବଡ଼ଛତା ମଠ ତଳେ ତାଙ୍କୁ ବୈଷ୍ଣବ କରି ଦେଇଥିଲେ l ସେହି ଦିନଠୁଁ ତାଙ୍କର ବାଲ୍ୟ ନାମ ଶତ୍ରୁଘ୍ନ ପରିବର୍ତ୍ତେ ସେ ବୈଷ୍ଣବ ନାମରେ ପରିଚିତ ହୋଇଥିଲେ l ଦାରିଦ୍ର୍ୟ ଥିଲା ତାଙ୍କର ଚିର ସହଚର l ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସଦା ଅଭାବ ଅନାଟନ ସହ ସଂଗ୍ରାମ କରି ନୟାନ୍ତ ହୋଇଥିଲେ ମଧ୍ୟ ସେ ନିଜର ସୃଜନୀ ଜୀବନ ଠାରୁ ବିଚ୍ୟୁତ ହୋଇ ନଥିଲେ l ଶୁକ୍କ୍ଳେଶ୍ୱର ନୂଆଗାଁର କଳ୍ପତରୁ ଦେବୀ ହେଉଛନ୍ତି ତାଙ୍କର ବାଲ୍ୟଗୁରୁ l ବ୍ରାହ୍ମଣ ପିଲା ହୋଇଥିବାରୁ ଏଗାର ବର୍ଷ ବୟସ ବେଳେ ତାଙ୍କର ବ୍ରତୋପନୟନ ହୋଇଥିଲା l ତା’ ପରେ ସେ ପରିବାର ପୋଷଣ ପାଇଁ କୋଠପଦା ମଠର ମହନ୍ତ ଶ୍ରୀ ରଘୁନାଥ ଗୋସ୍ଵାମୀଙ୍କ ଅଧୀନରେ ମଠର ଫୁଲତୋଳା, ଫୁଲଗୁନ୍ଥା ଆଦି କାର୍ଯ୍ୟରେ ନିଯୁକ୍ତ ହୋଇଥିଲେ l ପରିବାରର ଅବସ୍ଥା ଦିନକୁ ଦିନ ଖରାପ ହେବାରୁ ମଠକାର୍ଯ୍ୟ ଛାଡ଼ି ସେ କିଛିଦିନ ପାଇଁ ଗୋଚାରଣ କାମ କଲେ l ପିଲାଟି ଦିନରୁ ବୈଷ୍ଣବଙ୍କ ନୃତ୍ୟ ଗୀତ ପ୍ରତି ବହୁତ ଶ୍ରଦ୍ଧା ଥିଲା l କୋଠପଦା ମହନ୍ତ ନିଜେ ଖୁବ ନୃତ୍ୟ, ସଂଗୀତ ଓ ନାଟକ ପ୍ରୀୟ ଥିଲେ l ତାଙ୍କର ଗୋଟିଏ ଯାତ୍ରାଦଳ ଥିଲା l ବୈଷ୍ଣବଙ୍କ ଗୁଣକୁ ଚିନ୍ହି ପାରି ମହନ୍ତ ମହାରାଜ ତାଙ୍କୁ ଡେରାବିଶ ନିବାସୀ ଶିବରାମ ସିଂହଙ୍କ ପାଖରେ ନୃତ୍ୟ ଗୀତ ଶିକ୍ଷା ପାଇଁ ଛାଡି ଦେଲେ l ନୃତ୍ୟଗୀତ ଶିଖିବା ସହ କ୍ରମେ ତାଙ୍କର ନାଟକ ପ୍ରତି ଆଗ୍ରହ ବୃଦ୍ଧିପାଇଲା l ସେ ପରିବାର ଚଳାଇବା ପାଇଁ ପରେ ଅଢେଇ ଟଙ୍କା ବେତନରେ ଗୋଟିଏ ଇଂରାଜୀ ବିଦ୍ୟାଳୟର ଛାତ୍ରାବାସରେ ପାଚକ ରୂପେ ନିଯୁକ୍ତ ହେଲେ l ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ବର୍ଗତ ଭୋଳାନାଥ ମିଶ୍ର ତାଙ୍କର ପ୍ରତିଭା ଚିହ୍ନି ପାରି ତାଙ୍କୁ ଚତୁର୍ଥ ଶ୍ରେଣୀରେ ଜଣେ ଅବୈତନିକ ଛାତ୍ରଭାବେ ନାମ ଲେଖାଇ ଦେଲେ l କିନ୍ତୁ ଦାରିଦ୍ର୍ୟତାର କଷାଘାତ ଭିତରେ 17 ବର୍ଷ ବୟସରେ ତାଙ୍କର ଶିକ୍ଷାରେ ଡୋରି ବନ୍ଧାହେଲା ଷଷ୍ଠ ଶ୍ରେଣୀରୁ l ଏହିମାତ୍ର ଶିକ୍ଷା ସମାପନ ପରେ ମାସିକ ଚାରି ଟଙ୍କା ବେତନରେ ନୃତାଙ୍ଗ ଗ୍ରାମରେ ଜଣେ ଭଦ୍ରବ୍ୟକ୍ତିଙ୍କ ଘରେ ସେ ଗୃହଶିକ୍ଷକ ଭାବେ ଜୀବିକା ନିର୍ବାହ ଆରମ୍ଭ କଲେ l ସେତେବେଳକୁ ସେ ବେହେଲା,ହାର୍ମୋନିୟମ ଇତ୍ୟାଦି ବାଦ୍ୟଯନ୍ତ୍ର ବଜାଇବାରେ ପାରଦର୍ଶିତା ହାସଲ କରି ସାରି ଥାନ୍ତି l ତା ସହିତ ସେ ବ୍ୟାକରଣ,ଅମରକୋଷ, ସଂସ୍କୃତ ତଥା ଓଡ଼ିଆ କାବ୍ୟ କବିତା ଓ ପୁରାଣ ସାହିତ୍ୟରେ ମଧ୍ୟ ସାମାନ୍ୟ ବ୍ୟୁତ୍ପତି ହାସଲ କରି ଥାନ୍ତି l୧୯ବର୍ଷ ବୟସରେ ତାଙ୍କର ବିବାହ ହେଲା ଜଲୌକା ନିକଟବର୍ତ୍ତୀ ଦେବିଲି ଗ୍ରାମର ଜୟରାମ ପଣ୍ଡାଙ୍କ କନ୍ୟା ସହିତ l ପରେ ସେ ତାଙ୍କୁ ଛାଡ଼ି ଜଣେ ରଜକୀନି ହରକୁ ବିବାହ କରିଥିଲେ l ଏହି ଅସବର୍ଣ୍ଣ ବିବାହ ଫଳରେ ସେ ସମାଜରୁ ବାସନ୍ଦ ହୋଇ ଥିଲେ l ତେଣୁ ସେ ଗ୍ରାମର ବ୍ରାହ୍ମଣ ସମାଜ ଛାଡି ବିରୂପା ନଦୀ କୁଳରେ କୁଟୀର ଟିଏ କରି ରହିଲେ l ପିଲାଦିନରୁ ତାଙ୍କର ପ୍ରାଚୀନ ସାହିତ୍ୟ ପ୍ରତି ରୁଚି ଥିଲା ଓ ବୟସ ବଢ଼ିବାରୁ ସେ ସଂସ୍କୃତ ତଥା ଓଡ଼ିଆ ସାହିତ୍ୟର ବିଭିନ୍ନ କାବ୍ୟ କବିତା ଓ ପୁରାଣ ମାନ ପଢ଼ି ଏହାକୁ ଆୟତ୍ତ କରି ଥିଲେ l କିଛିଦିନ ପରେ ସେ ପାଲାଗାୟକ ହେବାକୁ ମନ ବଳାଇଲେ ଓ ବିନା ଗୁରୁରେ ପାଲା ପରିବେଷଣ କରିବାକୁ ଲାଗିଲେ l ସଫଳତାର ସହ ମୋଗଲ ବନ୍ଦୀ ଓ ଗଡ଼ଜାତର ବହୁ ଅଞ୍ଚଳରେ ସେ ପାଲା ପରିବେଷଣ କଲେ l ପାଲାକୁ ପେଶା କରି ବିଭିନ୍ନ ଜାଗା ବୁଲିବାରୁ ସେ ଲୋକଙ୍କ ସହିତ ପରିଚିତ ହେବା ସହ ବିଭିନ୍ନ ଜାଗା ମାନଙ୍କ ଭୌଗୋଳିକ ଅବସ୍ଥିତି ସହିତ ପରିଚିତ ହେଲେ l ଆଶୁ ଗାୟକ ଭାବେ ବୈଷ୍ଣବ ଜନ ମାନସରେ ପରିଚିତ ଥିଲେ l ଲୋକଙ୍କ ବରାଦ ମୁତାବକ ସେ ସଙ୍ଗେ ସଙ୍ଗେ ଗୀତପ୍ରସ୍ତୁତ କରିପାରୁ ଥିଲେ l ସେତେବେଳେ ଓଡ଼ିଶାରେ ନୂଆ କରି ରେଳ ଗାଡି ଚାଲି ଥାଏ l ପାଲା ପରିବେଷଣ ବେଳେ ପାଣି କବିଙ୍କୁ ଗୋଟିଏ ଯାଗାରେ ଦର୍ଶକ ମାନଙ୍କ ଅନୁରୋଧ ଆସିଲା ରେଳଗାଡ଼ି ଉପରେ ଗୀତଟିଏ ଗାଇବାପାଇଁ l ସେ ତୁରନ୍ତ ଗାଇଲେ :-
ଧନ୍ୟ ଧନ୍ୟ ଫିରିଙ୍ଗି ଯୋଡି
ଶୂନ୍ୟେ ଚଳାଉଛି ରେଏଲ ଗାଡି l
ଯୋଚା ନାହିଁ ହାତୀ ଘୋଡା ବଳଦ
କେବଳ ଅଗ୍ନିକୁ କରିଛି ସାଧ୍ୟ l
କଳ ମୋଡିଦେଇ ଯେବେ ଦିଏ ତାଇ
ପବନଠୁ ବେଗେ ଯାଉଛି ଉଡ଼ି ll
ଲାଗିଅଛି ଚକ ପଡ଼ିଛି ସଡ଼କ
ଲୁହା କଡ଼ି ପରେ ଯାଉଛି ଗଡି ll
****
ରଙ୍କି ଦୁଃଖୀ ସବୁ ରାସ୍ତା ଛାଡିଲେ
ରେଳ ଚଢି ସବୁ ବିଦେଶକୁ ଗଲେ l
ବଇଷ୍ଣବ ବୋଲେ ଡକାୟତ ମଲେ
କୋଶକୁ ନେଉଛି ପଇସା ଯୋଡି l
ଗଣକବିଙ୍କ ନାଟକ ଜୀବନର ଅୟମାରମ୍ଭ ହୋଇ ଥିଲା ମାତ୍ର ଚାରି ଟଙ୍କା ବେତନ ମାଳିହତା ଗ୍ରାମ ଓସ୍ତାତିରୁ l ସେ ସମୟରେ ନାଟକ ପରିବେଷଣ ପାଇଁ ଓଡ଼ିଆ ଲେଖା ଭଲ ନାଟକ ବହି ନଥିଲା l ଭଦ୍ରକ ନିକଟ ନଳାଙ୍ଗନିବାସୀ ତଥା ଗଣକବିଙ୍କ ଗୁରୁତୁଲ୍ୟ ଜଗନ୍ନାଥ ପାଣିଙ୍କ ଲିଖିତ ଅଶ୍ୱମେଧ ଯଜ୍ଞ, ମହୀରାବଣ ବଧ,ଦକ୍ଷ ଯଜ୍ଞ ଏବଂ ଚଉଦ କୁଲାଟ ନିବାସୀ ଗୋପାଳ ଦାଶଙ୍କ ରଙ୍ଗସଭା, ସହସ୍ରାରାବଣ ବଧ କେବଳମାତ୍ର ସମ୍ବଳ ଥିଲା l ଯାତ୍ରାଜଗତ ଏବଂ ନାଟକରେ ପାଣିଙ୍କର ପ୍ରଧାନ ପ୍ରତିଦ୍ବନ୍ଦୀ ଥିଲେ ଗୋପାଳ ଦାଶ ଓ ଗୋବର୍ଦ୍ଧନ ନାୟକ l ଏମାନଙ୍କ ସହିତ ସେ ବହୁ ଯାଗାରେ ବାଦୀ ଯାତ୍ରା ପରିବେଷଣ କରି ଉଚ୍ଚ ପ୍ରସଂଶିତ ହୋଇଛନ୍ତି l ବୈଷ୍ଣବ କିଛିଦିନ ପାଇଁ କୋଠପଦା ମହନ୍ତଙ୍କର ଯାତ୍ରା ଦଳର ତତ୍ୱାବଧାରକ ଭାବେ କାର୍ଯ୍ୟ କରିଥିଲେ l ଏହି ଯାତ୍ରା ଦଳକୁ ପାଣି ସୁ ସଙ୍ଗଠିତ କରି ଏକ ଉନ୍ନତ ମାନ ଯାତ୍ରାଦଳରେ ପରିଣତ କରିଥିଲେ l ଏହାର ପ୍ରସିଦ୍ଧି ଏତେ ବଢ଼ି ଯାଇଥିଲା ଯେ ଯାତ୍ରା ପରିବେଷଣ ପାଇଁ ଦଳକୁ ସମୟ ମିଳୁ ନଥିଲା l ଏ ଯାତ୍ରା ଦଳରୁ ରାତିକୁ ଆଠ ଟଙ୍କା ପାରିଶ୍ରମିକ ମିଳୁ ଥିଲା ପାଣିଙ୍କୁ l ଥରେ ପାଣି କଟକ ବିନୋଦ ବିହାରୀରେ ଯାତ୍ରା ପରିବେଷଣ କରୁଥାନ୍ତି l ଲୋକ ଯାତ୍ରା ଦେଖିବା ପାଇଁ ରାତିରେ ଘର ଦ୍ୱାର ଛାଡି ପାଗଳ ପରିକା ଧାଇଁଲେ l ଏହା ସୁଯୋଗରେ କଟକ ସହରରେ ପ୍ରବଳ ଭାବରେ ଚୋରି ସଂଖ୍ୟା ବଢିଗଲା l ପାଣି କବିଙ୍କୁ ମାଜିଷ୍ଟ୍ରେଟ ନିର୍ଦ୍ଧେଶ ହେଲା ତୁରନ୍ତ ଯାତ୍ରା ବନ୍ଦ କରି କଟକ ଛାଡ଼ିବା ପାଇଁ l ଏଥିରେ କଟକ ବାସୀ ବହୁତ ଦୁଃଖିତ ହୋଇଥିଲେ ଓ ପାଣି କାନ୍ଦି ପକାଇ ପ୍ରଭୁ ବିନୋଦ ବିହାରୀଙ୍କୁ ଦୁଃଖ ଜଣାଇ ଲେଖିଲେ :-
ଜୟ ବିନୋଦ ବିହାରୀ ହେ ଯାହା
ନେତ୍ରେ ଦେଖିଲି ଏତିକି l
ନାହିଁ ମୋର ଆଶା ଆଉକି ଦେଖିବି
ନେତ୍ରେ ଯୁଗଳ ମୁରତିଙ୍କି ll
ଓସ୍ତାତ୍‌ ଓ ନାଟ୍ୟକାର ହିସାବରେ କ୍ରମେ ତାଙ୍କର ସୁଖ୍ୟାତି ଚାରି ଆଡ଼େ ଚର୍ଚ୍ଚା ହେବାରେ ଲାଗିଲା l ଗଡ଼ଜାତର ଅଧିକାଂଶ ରାଜ୍ୟ, କଲିକତା, ଟାଟା ଆଦି ସ୍ଥାନରେ ଅଭିନୟ ଦେଖାଇ ବହୁତ ସୁନାମ ଅର୍ଜନ କଲେ l ଯାତ୍ରଜଗତରେ ପରିଚିତ ମୋହନ ସୁନ୍ଦର ଗୋସ୍ବାମୀ, ଗୋପାଳ ଦାଶ, କବି ମଞ୍ଚୁଳ କୃଷ୍ଣ ପ୍ରସାଦ ବସୁ, ନାଟ୍ୟାଚାର୍ଯ୍ୟ ଶ୍ରୀ ବାଳକୃଷ୍ଣ ମହାନ୍ତିଙ୍କ ସହିତ ତାଙ୍କର ବହୁବାର ବାଦୀଯାତ୍ରା ହୋଇଛି l ସବୁଥିରେ ପାଣି ବିଜୟୀ ହୋଇଛନ୍ତି l
ତାଙ୍କୁ ଯେତେବେଳେ ମାତ୍ର୨୧ବର୍ଷ ବୟସ ତାଙ୍କ ଲେଖନୀ ମୁନରେ ରୂପ ପାଇଥିଲା ପ୍ରଥମ ଗୀତି ଅଭିନୟ ମେଘନାଦ ବଧ ଓ ରାବଣ ବଧ l ଏହା ପରେ ସେ ଲେଖି ଚାଲିଲେ ଅଜସ୍ର ନାଟକ,ଫାର୍ସ, ଗୀତିନାଟ୍ୟ,ସୁଆଙ୍ଗ, ଭଜନ, ଜଣାଣ ଇତ୍ୟାଦି l ଏ କ୍ଷେତ୍ରରେ ତାଙ୍କର ସିଦ୍ଧି ଏବଂ ପ୍ରତିଷ୍ଠା ଓଡ଼ିଶା ସହିତ ଓଡ଼ିଶା ବାହାରେ ମଧ୍ୟ ପ୍ରଚାରିତ ହୋଇ ଗଲା l ପାଣିଙ୍କର ଅନେକ ସାରସ୍ବତ କୃତିଗୁଡ଼ିକ ମଧ୍ୟରେ ପ୍ରମୁଖ ଗୀତିନାଟ୍ୟ,ଗୀତାଭିନୟ,ସୁଆଙ୍ଗ ଗୁଡ଼ିକ ହେଲେ ରଙ୍ଗସଭା, ବ୍ରଜ ଲୀଳା ସୁଆଙ୍ଗ, ଧ୍ରୁବ ଚରିତ ସୁଆଙ୍ଗ,କୀଚକବଧ ସୁଆଙ୍ଗ,ପ୍ରହ୍ଲାଦ ଚରିତ ଗୀତାଭିନୟ, ଦଣ୍ଡୀ ପର୍ବ ଗୀତାଭିନୟ, ଦାନବୀର ହରିଶ୍ଚନ୍ଦ୍ର ସୁଆଙ୍ଗ,ନଳଦମୟନ୍ତୀ ଗୀତି ନାଟ୍ୟ,ରାବଣ ବଧ ଗୀତିନାଟ୍ୟ, ମହିଷାସୁର ବଧ, ସହସ୍ରା ରାବଣ ବଧ, ବାଲ୍ୟ ଲୀଳା,ସୁଭଦ୍ରା ହରଣ, ଜଳକେଳି,ମାଧବ ସୁଲୋଚନା, ସାବିତ୍ରୀସତ୍ୟବାନ ସୁଆଙ୍ଗ, ନିକୁଞ୍ଚ ମିଳନ ସୁଆଙ୍ଗ, ଶ୍ରୀବତ୍ସ ରାଜା ବା ଶନିଲକ୍ଷ୍ମୀ କଳି,ପାର୍ବତୀବିବାହ ସୁଆଙ୍ଗ,ରଘୁ ଅରକ୍ଷିତ,ନାବକେଳି ସୁଆଙ୍ଗ, ଲକ୍ଷ୍ମୀ ପୂଜା ଗୀତୀ ଅଭିନୟ,ବକାସୁରବଧ ଗୀତିନାଟ୍ୟ,ଦୁର୍ଯ୍ୟୋଧନ ବଧ, ଅଭିମନ୍ୟୁ ବଧ,କର୍ଣ୍ଣବଧ,ହରପାର୍ବତୀ ବିଭା ସୁଆଙ୍ଗ, ଜରାସନ୍ଧ ବଧ ଓ ମୁକ୍ତାଚୋରୀ ସୁଆଙ୍ଗ ଇତ୍ୟାଦି l
ତାଙ୍କ ରଚିତ କିମ୍ବଦନ୍ତୀ ମୂଳକ ରଚନା ମଧ୍ୟରେ ଯଯାତି କେଶରୀ ଗୀତୀ ଅଭିନୟ,ଲାବଣ୍ୟବତୀ ଚନ୍ଦ୍ରଭାନୁ ପରିଣୟ ଗୀତିନାଟ୍ୟ,ସାକ୍ଷୀଗୋପାଳ ଗୀତି ନାଟ୍ୟ, ଶ୍ବେତ ବସନ୍ତ ସୁଆଙ୍ଗ, କେଦାର ଗୌରୀ ଗୀତିନାଟ୍ୟ, ଉଷା-ଜୟନ୍ତ ଗୀତିନାଟ୍ୟ ପ୍ରଧାନ l
ଚରିତ୍ର ଧର୍ମୀ ରଚନା ମଧ୍ୟରେ କାଳିଦାସ ଓ ମୀରା ବାଈ ଗୀତାଭିନୟ, କଳା ପାହାଡ଼ ଗୀତିନାଟ୍ୟ, ଚନ୍ଦ୍ରଗୁପ୍ତ ଗୀତିନାଟ୍ୟ, ସଂଯୁକ୍ତା ପରିଣୟ ଗୀତୀ ଅଭିନୟ ଇତ୍ୟାଦି ପ୍ରଧାନ l
କାଳ୍ପନିକ ରଚନା ମଧ୍ୟରେ ଠକ ପୁରାଣ ସୁଆଙ୍ଗ, ଜୟନ୍ତ ଜୟପାଳ ସୁଆଙ୍ଗ, ନିର୍ବାସିତ ରାଜ ପୁତ୍ର, ଅମରବିଳାସ ଇତ୍ୟାଦି ବହୁ ଲୋକପ୍ରୀୟ l
ଫାର୍ଶ ରଚନା କରିବାରେ ମଧ୍ୟ ସେ ଖୁବ ସିଦ୍ଧହସ୍ତ ଥିଲେ l ତାଙ୍କ ଲେଖନୀରୁ ସୃଷ୍ଟ ଅସଂଖ୍ୟ ଫାର୍ଶ ମାନଙ୍କ ମଧ୍ୟରୁ କେତେଗୋଟି ହେଲା ସୌଦାଗର ଫାର୍ଶ, ନାଟୁଆ ମହାନ୍ତି ଫାର୍ଶ, ଆଲିବାବା ଫାର୍ଶ, ଗୋପାଳଭାଣ୍ଡ ପ୍ରହସନ,କେଳା କେଳୁଣୀ ଫାର୍ଶ, ମାଆ ଡାଆଣୀ-ପୁଅ ମଦୁଆ,କଲିକତିଆ ଜୋଇଁ, ବୁଢ଼ାବୁଢ଼ୀ ଫାର୍ଶ ଓ ଭୀମାବାୟୀ ଫାର୍ଶ l ଏସବୁ ଓଡ଼ିଶାର ପୁରପଲ୍ଲୀରେ ବହୁ ଲୋକପ୍ରୀୟ l
ଗଣକବି ପାଲା ଗାୟକ ଥିବା ସମୟରେ ପ୍ରାଚୀନ ସାହିତ୍ୟକୁ ତନ୍ନ ତନ୍ନ କରି ଅଧ୍ୟୟନ କରିଥିଲେ l ସେ ସଂସ୍କୃତ ରାମାୟଣ, ମହାଭାରତ, ଶାରଳା ମହାଭାରତ, ଭାଗବତ, ନୃସିଂହ ପୁରାଣ ,ଦାଣ୍ଡି ରାମାୟଣ, ବିଲଙ୍କା ରାମାୟଣ ଇତ୍ୟାଦି ଅଧ୍ୟୟନ କରିଥିଲେ ଏବଂ ସେ ସବୁରୁ ଚରିତ୍ର ଓ ଉପାଦାନ ଆହରଣ କରି ନିଜ ପାଣ୍ଡିତ୍ୟ ବଳରେ ଲେଖନୀ ମୁନରେ ନାଟକୀୟ ରୂପ ଦେଉଥିଲେ l ତାଙ୍କର ପ୍ରତିଟି ରଚନାରେ ପାଣ୍ଡିତ୍ୟର ପ୍ରବାହ ଉପଲବ୍ଧି କରିହୁଏ l ପାଣି ଏକାଧାରାରେ ଆଶୁ କବି,ଗଣ କବି ଓ ବିଦଗ୍ଧ କବି l ପାଲାକାର ଜୀବନରୁ ହିଁ ତାଙ୍କର ଆଶୁ କବିତ୍ବର ପରିପ୍ରକାଶ ହୋଇଥିଲା l ଗୀତାଭିନୟ ଓ ପ୍ରହସନ ଗୁଡ଼ିକରେ ସଂଯୋଜିତ ସଙ୍ଗୀତ ଗୁଡ଼ିକ ତାଙ୍କର ଗଣକବିତ୍ବର ପରିଚୟ l ଏଥିରେ ଗଣ ଜୀବନର ଭାଷା,ସୁଖ ଦୁଃଖ,ପଲ୍ଲୀ ପ୍ରାଣତା ଓ ବାସ୍ତବ ଜୀବନର ଚିତ୍ର ପରିଲକ୍ଷିତ ହୁଏ l ଶକୁନ୍ତଳା, ଛାନ୍ଦ କିଶୋର ବିଳାପ,ସପ୍ତାହ ଭାବବତରେ ତାଙ୍କର ବିଦଗ୍ଧ କବିତ୍ବର ପରିଚୟ ମିଳେ l ଶକୁନ୍ତଳା ଏବଂ ଛାନ୍ଦ କିଶୋରୀ ବିଳାପ ତାଙ୍କର ଦୁଇଟି ଗାଥା କାବ୍ୟ l ମହା କବି କାଳି ଦାସଙ୍କ ଅଭିଜ୍ଞାନ ଶାକୁନ୍ତଳମ୍‌ ଓ ସ୍ବଭାବ କବି ଗଙ୍ଗାଧରଙ୍କ ପ୍ରଣୟ ବଲ୍ଲରୀ କାବ୍ୟ ଅନୁସରଣ କରି ପାଣି ରଚନା କରିଛନ୍ତି ଶକୁନ୍ତଳା କାବ୍ୟ l ଛାନ୍ଦ କିଶୋରୀ ବିଳାପ ଗଣକବିଙ୍କ ମର୍ମସ୍ପର୍ଶୀ ରଚନା l ବିଭିନ୍ନ ରାଗ ରାଗୀଣି ସମ୍ବଳିତ ଛନ୍ଦ ଏହି କାବ୍ୟର ଗୀତିଧର୍ମ କାବ୍ୟିକତାର ସ୍ବରୂପ ବହନ କରେ l ସେ ଚଉତିଶା,ଚଉପଦୀ,ଭଜନ, ଜଣାଣ,ମାହାତ୍ମ୍ୟ,ମାଳିକା,ଶୋକଗୀତି,କୀର୍ତ୍ତନ ଆଦି ବିବିଧ କବିତା ରଚନା କରି ଓଡ଼ିଆ ପଦ୍ୟ ସାହିତ୍ୟକୁ ସମୃଦ୍ଧ କରିଛନ୍ତି l ଦୀନକୃଷ୍ଣ ଦାସଙ୍କ ଆର୍ତ୍ତତ୍ରାଣ ଚଉତିଶା ପରି ସେ ରଚନା କରିଛନ୍ତି ନୀଳାଚଳ ଚଉତିଶା ଯାହା ଖୁବ୍‌ ହୃଦ୍ୟ,ଭକ୍ତିଭାବ ପୂର୍ଣ୍ଣ l ତାଙ୍କ ଶାରଳା ଦେବୀ ଜଣାଣ ଚଉତିଶା, ଓଲଟ ଚଉତିଶା, ରାଧାକୃଷ୍ଣ ଚଉତିଶା,ମଙ୍ଗଳା ଚଉତିଶା ଆଦି ଖୁବ ଲୋକପ୍ରିୟ l ତାଙ୍କ ଲିଖିତ ଭଜନ ଓ ଜଣାଣ ଭିତରୁ କବିଙ୍କର ଭକ୍ତିଭାବର ମାର୍ମିକ ପରିଚୟ ମିଳେ l ଅନେକ ଗୁଡ଼ିଏ ଶୋକ ଗୀତି କବିତାର ସ୍ରଷ୍ଟl ସେ l ଶୋକ ଗୀତି କବିତା ମଧ୍ୟରେ ପ୍ରମୁଖ ଗୁଡ଼ିକ ହେଉଛନ୍ତି ଉତ୍କଳ ମଣି ଗୋପବନ୍ଧୁ ଶୋକ,ପଞ୍ଜାବ କେଶରୀ ବିୟୋଗ ଓ ଅନ୍ତିମ ଶଯ୍ୟାରେ ସର୍ଦ୍ଦାରଜୀ l ସ୍ବରାଜ୍ୟ ପ୍ରଶଂସା, ସତ୍ୟାଗ୍ରହୀ, ଜାତୀୟ ଗୀତିକା, ବାପୁଜୀ ତଥା ଉତ୍କଳକୁ ନେଇ ସେ ବହୁ ଜାତୀୟ ବାଦୀ ଗୀତି କବିତା ରଚନା କରିଛନ୍ତି l ସାମାଜସଂସ୍କାର ଓ ସଚେତନତା ସୃଷ୍ଟି କରିବା ନିମନ୍ତେ ମଧ୍ୟ ତାଙ୍କର ଲେଖନୀ ଗତିଶୀଳ ହୋଇଛି l ମଦିରା ପାନକୁ ବିରୋଧ କରି ସେ ଲେଖିଥିଲେ :-
ଛି ଛି ମଦ ପିଇବିନାହିଁ ଲୋ
କଳାପାଣି ପରି ଦିଶେ l
ସେହି କଳାପାଣି ପେଟରେ
ପଡିଲେ ଚଉଦ ଭୁବନ ଦିଶେ ll
ସେ ଗଣ କବି l ତେଣୁ ତାଙ୍କ ସାହିତ୍ୟରେ ମିଳେ ଗଣ ଜୀବନର ଛବି l ତାଙ୍କ ଆତ୍ମ ଜୀବନୀରେ ସେ ନିଜ ଦୋଷ ଦୁର୍ଗୁଣକୁ ସ୍ପଷ୍ଟ ଭାବେ ବର୍ଣ୍ଣନା କରି ଯାଇଛନ୍ତି l ଏଥିରେ ଗୋଳି ହୋଇ ରହିଛି ତାଙ୍କର ଜୀବନ ଅନୁଭୂତି, ଜୀବନ ଜିଜ୍ଞାସା,ସମ ସାମୟିକ ଓଡ଼ିଶା ତଥା ପଡ଼ୋଶୀରାଜ୍ୟ, ବିଶେଷ କରି ପଶ୍ଚିମବଙ୍ଗର ଭୌଗଳିକ ରୂପରେଖ l କଥାକାର ଭାବରେ ବୈଷ୍ଣବ ପାଣି ଆଦ୍ୟ ଓଁକାର ତୋଳିଛନ୍ତି ତାଙ୍କ ପ୍ରଥମ ସୃଷ୍ଟି ଦୁଃଖିନୀ ଗୋବର ଗୋଟେଇ ଉପନ୍ୟାସ ମାଧ୍ୟମରେ l ଜାତି, ଜାତକ ଓ ଯୌତୁକ ବିହୀନ ସମାଜର ଏକ ନିଖୁଣ ଚିତ୍ର ତୋଳିଛନ୍ତି ସେ ଏହି ଉପନ୍ୟାସରେ l ଭି.ପି.ବର ତାଙ୍କର ଏକ ବ୍ୟଙ୍ଗ ଧର୍ମୀ ଉପନ୍ୟାସ l ସଚିତ୍ର ସ୍ବାମୀ ସ୍ତ୍ରୀ ଓ ଉତ୍କଳ ‘ଗୃହଲକ୍ଷ୍ମୀ’ ଦୁଇ ଉପନ୍ୟାସ ତାଙ୍କର ନାରୀ ସମାଜ ପାଇଁ ଏକ ଦର୍ପଣ ଶିଳା l ତାଙ୍କର ଏ ସବୁ ଗଦ୍ୟ ରଚନା ବେସ ପ୍ରାଣବନ୍ତ l
ସେ ଉତ୍କଳ ଘଣ୍ଟ କବି ଯଦୁମଣିଙ୍କ ସମ ତୁଲ୍ୟ l ପରିସ୍ଥିତି ପରିବେଶକୁ ଖାପ ଖୁଆଇ ସେ ତୁରନ୍ତ କବିତା ସୃଷ୍ଟି କରୁ ଥିଲେ ଓ ବ୍ୟଙ୍ଗାତ୍ମକ ଭାଷାରେ ପ୍ରକାଶ କରୁଥିଲେ l କନିକା ରାଜାଙ୍କ ଉଆସରେ ଥରେ ନିମନ୍ତ୍ରିତ ହୋଇ ପାଣି ଯାତ୍ରା ପରିବେଷଣ କରୁଥାନ୍ତି l କଙ୍କଡା ଖାଇବା ଇଚ୍ଛା କରି ରାଜାଙ୍କୁ ସେ ଜଣାଇଥିଲେ :-
ଦଶଗୋଡ଼ରେ ଯେ କରନ୍ତି ଗତି l
ପାଣିରେ ବାସ ଯାହାଙ୍କର ରୀତି ll
ଶିର ନାହିଁ ଚିର କାଳ ଯାହାଙ୍କ l
କରତ ଧାର ପରି ଚାରି ପାଖ ll
ପାଣି ବସି ଅଛି ପାଣି ପ୍ରସାରି l
ପାଣି ଫଳକୁ ବଡ଼ ଆଶା କରି ll
ପୁଣି ସେ କନିକା ଗଡ଼ରେ ଚାଆ ପିଇବା ପାଇଁ କ୍ଷୀର ମଗାଇଲେ l ଜଣେ ତନ୍ତୀଠାରୁ ନିମ୍ନମାନର କ୍ଷୀର ପାଇ ଚାହା ପିଇବାରେ ହଟ ହଟା ହୋଇ ପଖାଳ ଖାଇ ସନ୍ତୁଷ୍ଟ ହୋଇଥିଲେ l ସେ ରାଜାଙ୍କୁ ଜଣାଇ ଲେଖିଥିଲେ :-
ଗୋଡ଼ ଯାହାଙ୍କର ଗାଡ଼ରେ ରହେ,
ଛିଡି଼ଲେ ଯେ ସୂତା ଯୋଡନ୍ତି ଖିଏ,
ସେ କଲେ ଦୁଧ ଘୋଳ କାରବାର,
କପାଳ ଫାଟିଲା ଗୋପାଳଙ୍କର ll
ଏ କନିକା ଗଡ଼ ଭିତରେ
ଚା’ ଅଭାବରୁ ଠା କଲେ ପାଣି
ପୁଣି ପଖାଳ ଭାତରେ ll
ସରଳ ଗ୍ରାମ୍ୟ ଭାଷା ବ୍ୟବହାର କରି ସେ ହାସ୍ୟ ରସ ସୃଷ୍ଟି କରିବାରେ ସିଦ୍ଧହସ୍ତ ଥିଲେ l ଏକଦା ବାଲେଶ୍ୱର ଜିଲ୍ଲାର ଯାତ୍ରା କରୁଥିବାବେଳେ ତାଙ୍କୁ ଗୋଟିଏ ଯାଗାରୁ ମୁଢ଼ିକୁ ନେଇ ଗୋଟିଏ ଗୀତ ଲେଖିଵାକୁ ଅନୁରୋଧ ଆସିଲା l ସେ ବ୍ୟଙ୍ଗାତ୍ମକ ଶୈଳୀରେ ଗୀତଟି ଲେଖିଦେଲେ :-
ଧନ୍ୟ ଧନ୍ୟ ଧନ୍ୟରେ ମୁଢ଼ି
ତୋତେ ଖାଇ ଟୋକୀ ହୁଅନ୍ତି ବୁଢ଼ୀ l
ନିରୋଳା ସୋରିଷ ତେଲ ମାଖି
ଚାଖିବ ପାଟିରୁ ନ ଯିବ ଛାଡି ll
କଞ୍ଚା ଲଙ୍କା ସଙ୍ଗରେ ତୋର,
ନିଶଙ୍କାରେ କଲେ ଆହାର,
ନୋଟା ଗାମୁଛାକୁ ସତାର ନ ଥାଏ
ପାଇଖାନାକୁ ତ ଲାଗଇ ଧାଡି ll
ତାଙ୍କ ଗୀତିକବିତାମାନଙ୍କରେ ଜାତୀୟତାର ଛଟା ମଧ୍ୟ ଦେଖିବାକୁ ମିଳିଥାଏ l.ସ୍ୱାଧୀନତା ସଂଗ୍ରାମ, ମହାତ୍ମା ଗାନ୍ଧୀ ଆଦିଙ୍କୁ ନେଇ ସେ କବିତା ମାନ ଲେଖିଛନ୍ତି ଯଥା :-
ଭାରତ ବୀରେ ବିରତ ନୁହଁ ତୁରିତେ ଭିଡ଼ ଅଣ୍ଟା l ଚିର ତ ନୁହେଁ କାହାର ଦେହ ବଜା ବିଜୟ ଘଣ୍ଟା l
****
ଦେଖ ଦେଖ ଭାଈ ଭାଙ୍ଗିଲାଣି
ଆଜି ଗୋରାଙ୍କ ଜିଅଲ ଖାନା l
କାଲିର କାଇଦା ନାହିଁ ଆଜି
ଆଉ ପଶନ୍ତି ସ୍ଵରାଜ୍ୟ ସେନା l
ଚିହ୍ନିଲାଣି ସରକାର,
ଲାଭ ହାନି ପୁଣି କେତେ କାହାର ll
ବଣିଆ ଟୋକାଟା ଉଠାଇ ଦେଲାଣି
ଜିଅଲ ଖାନାର ଡର l
ଦେଶ କାମ କରି ପସ ଯା ତହିଁରେ
ବରଷକେ ଦଶ ଥର ll
ସରକାର ବିଷଦାନ୍ତ,
ଏକା ଝାଡିବାର ସେହି ପଥ ll
ଭକ୍ତି ସାହିତ୍ୟରେ ଲେଖନୀ ଚାଳନା କରି ସେ ବହୁ ରୁଚିକର ତଥା ଶ୍ରୁତି ମଧୁର ଭଜନ ଜଣାଣ ରଚନା କରିଛନ୍ତି l ମହାପ୍ରଭୁ ଜଗନ୍ନାଥ ଥିଲେ ତାଙ୍କର ଆରାଧ୍ୟ ଦେବତା l ଭଗବାନଙ୍କ ସହିତ ଭକ୍ତର ଅପୂର୍ବ ସମ୍ପର୍କକୁ ପ୍ରତିପାଦନ କରି ସେ ବ୍ୟାଜସ୍ତୁତି ମାନ ରଚନା କରିଛନ୍ତି l ଜଗନ୍ନାଥଙ୍କୁ ମାଡୁଆ ବୋଲି କହି ସେ ଲେଖିଛନ୍ତି :-
ଛାଡ଼ ମାଡ଼ ଖିଆ ବୁଦ୍ଧି ହେ
ବଡ଼ ଦେଉଳ ବଡ଼ ଗୋସାଇଁ
ଯେ ମାଇଲା ମାଡ଼ ସେ
ହୋଇଲା ବଡ଼ ବାଡ଼ହେଲୁ ତାକୁ ତୁହି ll
****
ମାଡୁଆ ମୋହନ ମାଡ଼ ବିନୁ ଆନ
ଗତି ତୋ କପାଳେ ନାହିଁ l
ବଇଷ୍ଣବ ଭକ୍ତି କଡ଼ିଆ ଧରିଛି
କରେ ଲଗାଇବା ପାଇଁ ll
ସେ ପୁଣି ଅଭିମାନ ଭରା କଣ୍ଠରେ ମହାପ୍ରଭୁଙ୍କୁ ଗଳାକଟା କହି ଗାଳି ଦେଇ ଗାଇଛନ୍ତି :-
ଗଳାକଟା ଛଟା କା ଠାରୁ ଶିଖିଲୁ
କୁଳବୁଡା ନନ୍ଦବଳା l
ଦୂରୁବଳେ ବଧି କି ଲାଭ ପାଇବୁ
କୁରୁବଳ ଦମ୍ଭ ଟଳା ll
****
ନିଜ ଗୋଇ ନିଜେ ନ ଖୋଳା
ସହଜେ ଜଳଧି ଜେମାବଲ୍ଲଭ l
ବଇଷ୍ଣବ ଭାଳେ ଭାସେ ଶୋକ
ଜଳେ ବଢ଼ା ତୋ କରପଲ୍ଲଵ ll
****
ଶତ ଶତ ଗ୍ରନ୍ଥ ତୋହରି ଉତ୍କଳ
ଭାଷାରେ କରି ତିଆରି l
ଅଭାବ ଅଭାବ ସଦା ଭାବି ଭାବି
ଜୀବନ ଯାଏ ବାହାରି ll
****
ପାଣିର ଗୁହାରି ପାଣିରେ ଭାସୁଛି
ବାଣୀ ସେବା କରି କରି l
ପାସୋରି ନ ଦିଅ କିଶୋରୀ ବଲ୍ଲଭ
ଜୟ ନୀଳାଦ୍ରି କେଶରୀ ll
ସେ ଦରଦାମ ବୃଦ୍ଧି ଓ ନିଶା ସେବନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ପ୍ରହ୍ଲାଦ ଚରିତରେ ଲେଖି ଥିଲେ :-
କ୍ଷିତିକି ଭୀତି ହେଲା ପ୍ରବଳ
ପଇସାରେ ପାନ ପାଞ୍ଚଟା ଛଅଟା
ଟଙ୍କାରେ ଛ ସେରେ ଅଧେ ଚାଉଳ ll
ରାଣ୍ଡେ ଧାନ ଚାଉଳ କୁଟି
କରି ଟଙ୍କା ପଇସା ମୁଠି
ପାନ ଖାଇ ମନ ଫୁଲାଇ ଚାଲିଲେ
ଗୋଡ଼ରେ ନାଇଲେ ଗିଲିଟି ମଲ ll
ପେଶା ହେଲା ନିଶା ଖାଇବା
ବେଶ୍ୟା ଖଟ ପରେ ଶୋଇବା
ପେଟେ ନାହିଁ ଦାନା ଦେଇ ଧଳାକନା
ମହତ ରଖିଲେ ରଜକ କୁଳ ll
କରୁଣ ରସ ଗୁଡିକୁ ସେ ଦ୍ୱାରି ମୁଖରେ କୁହାଇ ପରିବେଷଣ କରୁଥିଲେ l ଦ୍ୱାରି ଯେତେବେଳେ କରୁଣ ଗୀତଟିଏ ଗାଇ ମଞ୍ଚକୁ ପ୍ରବେଶ କରୁଥିଲା ଦର୍ଶକ ମଣ୍ଡଳୀ ଶୋକରେ ଗଦଗଦ ହୋଇ ପଡୁ ଥିଲେ l ଦୁର୍ଯ୍ୟୋଧନ ବଧ ଗୀତିନାଟ୍ୟରେ ଯେତେ ବେଳେ ସମସ୍ତ କୌରବ କୁରୁକ୍ଷେତ୍ରରେ ନିଧନ ହୋଇ ଯାଇଛନ୍ତି,ଦ୍ଵାରିଗୀତ ମାଧ୍ୟମରେ ଦୃଶ୍ୟକୁ ପ୍ରସ୍ଫୁଟିତ କରି ସେ ଲେଖିଛନ୍ତି :-
ହାୟରେ ମନ୍ଦଦଇବ କି କଲୁ କି କଲୁରେ l
ଅନ୍ଧ ନନ୍ଦନଙ୍କୁ ସବୁ ଗଡ଼ାଇ ମାଇଲୁରେ ll
ଏଇମିତି ଗଣକବି ତାଙ୍କ ଯାତ୍ରା ମାଧ୍ୟମରେ ରାତି ରାତି ଶହସ୍ର ଶହସ୍ର ଲୋକଙ୍କୁ ଜଗାଇ, ହସାଇ, କନ୍ଦାଇ ଓ ରସାଇ ଛାଡିଛନ୍ତି l ରାତି ପାହି ଆସୁ ଥିବ, ଯାତ୍ରା ଶେଷରେ ସୁନ୍ଦର ଭଜନଟିଏ ଶୁଣି ଯେତେବେଳେ ଦର୍ଶକଟିଏ ଫେରୁଥାଏ ତାର ମନ ଆତ୍ମତ୍ରୁପ୍ତିରେ ଭରି ଯାଇଥାଏ l
ଗଣକବିଙ୍କ ଜୀବନର କେତେଗୁଡିଏ ସ୍ମରଣୀୟ ଘଟଣା :-
1.ଥରେ ପଲ୍ଲୀକବି ନନ୍ଦକିଶୋରଙ୍କ ଚଉପାଡ଼ିରେ ପାଣି ଯାତ୍ରା ପରିବେଷଣ କରୁଥାନ୍ତି l ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯାତ୍ରା ଦେଖିବା ପାଇଁ ରୁଣ୍ଡ ହୋଇ ଥାନ୍ତି l ନଳ ଦମୟନ୍ତୀ ଗୀତି ନାଟ୍ୟ ଅଭିନୀତ ହେଉ ଥାଏ l ନଳ ଅର୍ଦ୍ଧ ବସ୍ତ୍ର ଛିନ୍ନ କରି ଚାଲି ଯାଉଥିବା ବେଳେ ଯାତ୍ରାରେ ଗୋଟିଏ କରୁଣ ସଂଗୀତ ଥାଏ l ଏହାକୁ ଦେଖି ନନ୍ଦକିଶୋରଙ୍କ ପାଖରେ ବସିଥିବା ଜଣେ ଲୋକ ମନ୍ତବ୍ୟ କଲେ ଏହା କବି ରାଧାନାଥ ମଧୁସୂଦନଙ୍କ ସମକକ୍ଷ l ପଲ୍ଲୀକବି କହିଲେ ଏହା ରାଧାନାଥ ମଧୁସୂଦନ କଣ ଏହା ବ୍ୟାସବାଲ୍ମୀକିଙ୍କ କୃତିସହ ତୁଳନୀୟ l
2. ସୁକିନ୍ଦାଗଡ଼ର ରାଜା ଥାଆନ୍ତି କୃତ୍ତିବାସ ହରି ଚନ୍ଦନ l ତାଙ୍କ ଗଡ଼ରେ ଧ୍ରୁବ ଚରିତ ଗୀତିନାଟ୍ୟ ଅଭିନୀତ ହେଉଥାଏ l ନାଟକରେ ରାଜା ଉତ୍ତାନ ପାଦ ରାଣୀ ସୁନୀତିକୁ ନିଷ୍ଠୁର ଭାବେ ବନ ଗମନ ପାଇଁ ଆଦେଶ ଦେଉଥାନ୍ତି l ରାଣୀ କାରୁଣ୍ୟଭରା ଗୀତ ଗାଉଥାନ୍ତି :-
ନାରୀ ଜନ୍ମ ହୋଇ କିଏ ଏହା
ସହିବରେ ମନ୍ଦ ଦଇବ l
ରାଜକୁଳେ ଜନ୍ମ ହୋଇ
ବିଅର୍ଥେ ଗଲା ମୋ ଦେହୀ
ଏ ଯୁବାକାଳ ବିଅର୍ଥ ଅଙ୍ଗ ହୋଇବ l
ସୁରୁଚି ତୋ ରୁଚି ଭଲା ଏତେକାଳେ ପୂର୍ଣ୍ଣ ହେଲା,
ମୁରୁଛିଲେ ତୋ ବଚନେ ଜୀବ ବଲ୍ଲଭ l
ରାଜା କାନ୍ଦି କାନ୍ଦି ଭାବବିହ୍ଵଳ ହୋଇ ରଙ୍ଗମଞ୍ଚକୁ ଉଠି ଯାଇଥିଲେ l ଅଭିନୟ କାରୀର ହାତ ଧରି ପକାଇ କହିଥିଲେ ମୁଁ ରାଜା, ଜଣେ ରାଣୀ ପ୍ରତି ଏ ଅବମାନନା ସହି ପାରିବି ନାହିଁ l କେତେ କ୍ଷଣ ପାଇଁ ମଞ୍ଚ ନିରବ ହୋଇ ଯାଇଥିଲା ଓ ଦର୍ଶକ ମଣ୍ଡଳୀ ସ୍ତବ୍ଧ ହୋଇ ଯାଇ ଥିଲେ l
3.ପଲ୍ଲୀକବି ନନ୍ଦକିଶୋର ବଳ ସେତେବେଳେ ବିହାର ଓଡିଶା ସରକାରଙ୍କର Confidential Reporter of Odia Publications ଥାଆନ୍ତି l ପାଣିଙ୍କ ଗୀତିନାଟ୍ୟ ସମୀକ୍ଷା ପାଇଁ ତାଙ୍କ ପାଖକୁ ଆସିଲା l ସେ ତାଙ୍କର କେତୋଟି ନାଟକକୁ ସମୀକ୍ଷା କରି ତାଙ୍କୁ ସରକାରଙ୍କୁ ରାୟ ସାହେବ ପଦବୀ ପ୍ରଦାନ ପାଇଁ ସୁପାରିଶ କରି ଥିଲେ,କିନ୍ତୁ ପୋଲିସକମିଶନର ରିପୋର୍ଟ ଦେଲେ ପାଣି ରାଜ ଦ୍ରୋହୀ, ସେ ସରକାରଙ୍କ ବିରୁଦ୍ଧରେ କାବ୍ୟ କବିତା ମାନ ଲେଖି ଲୋକଙ୍କୁ ସରକାରଙ୍କ ବିରୁଦ୍ଧରେ ପ୍ରବର୍ତ୍ତାଉଛନ୍ତି l ଏଣୁ ନନ୍ଦକିଶୋରଙ୍କ ପ୍ରସ୍ତାବ ସରକାର ଅଗ୍ରାହ୍ୟ କରିଦେଲେ l ଏ କଥା ନନ୍ଦ କିଶୋର ଗ୍ରନ୍ଥାବଳୀରେ ଲିପିବଦ୍ଧ ହୋଇଛି l
4. ପ୍ରେମିକ କବି ଡକ୍ଟର ମାୟାଧର ମାନସିଂହ ତାଙ୍କ ଓଡ଼ିଆ ସାହିତ୍ୟର ଇତିହାସରେ ଲେଖିଛନ୍ତି ” ଆଧୁନିକ ଓଡ଼ିଶାର ଗଣଚିତ୍ତକୁ ପାଣିଙ୍କ ଦାନ ପ୍ରକୃତରେ ଅମୁଲ୍ୟ ଓ ଶାଶ୍ୱତ l ଗଣକବି ସମ ସାମୟିକ ସମାଜରେ ଯାହା ଗ୍ରହଣୀୟ ତାହାର ପ୍ରଶଂସା କରିଛନ୍ତି ଓ ନିନ୍ଦ୍ୟର ମଧ୍ୟ ଅକୁତୋଭୟ ନିନ୍ଦା କରିଛନ୍ତି l ”
ଗଣକବି ତାଙ୍କ ଜୀବନରେ ଅନେକ ପ୍ରସଂଶା ସହିତ ଯଥେଷ୍ଟ ଧନ ମଧ୍ୟ ଅର୍ଜନ କରିଛନ୍ତି l କିନ୍ତୁ ଅମିତଵ୍ୟୟୀତା,ପତ୍ନୀ ହରର ଅକାଳମୃତ୍ୟୁ,ରକ୍ତ ଚାପ ବ୍ୟାଧି ଯୋଗୁଁ ତାଙ୍କର ଉତ୍ତର ଜୀବନ ଅତି ଦୁର୍ବିସହ ହୋଇ ପଡିଛି lଉତ୍କଟଦାରିଦ୍ର୍ୟ ଗ୍ରାସରେ ସେ ଅନନ୍ୟୋପାୟ ହୋଇ ସରକାରି ଅନୁକମ୍ପାକୁ ହାତ ବଢ଼ାଇଛନ୍ତି l ସେ ସରକାରଙ୍କ ଟାଳ ଟୁଳ ନୀତିରେ ଅତିଷ୍ଟ ହୋଇ ଶେଷରେ 72 ବର୍ଷ ବୟସରେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବଙ୍କୁ ଲେଖିଥିଲେ :-
ଶତ ଶତ ବହି ଉତ୍କଳ ଭାଷାରେ l
ଲେଖି ଭୋକେ ପଡ଼ି ମରୁଛି ବସାରେ ll
***
ସରକାର ବୃତ୍ତି ଦେବେ ଦେବେ କହି l
ଗଲାଣି ତ ବାରମାସ ଆସି ବହି ll
ସଚିବ ମାନଙ୍କ ନ ପଡ଼େ ନଜର l
ଏହା ଚିନ୍ତି ଘୋଟିଯାଏ ଚିନ୍ତାଜ୍ୱର ll
ଶେଷ ଜୀବନରେ ସ୍ୱଳ୍ପକାଳ ପାଇଁ ସେ ସରକାରୀ ସାହାଯ୍ୟ ପାଇଥିଲେ l କିନ୍ତୁ ଗଣକବିଙ୍କୁ ଏ ଜାତି ଜୀବିତାବସ୍ଥାରେ ଉପଯୁକ୍ତ ସମ୍ମାନ ଦେଇ ନାହିଁ l ବାସ୍ତବରେ ସେ ଥିଲେ ଅଙ୍ଗାର ଗର୍ଭରେ ହୀରକ ଭଳି ଓ ଅନ୍ଧକାରରେ ଉଜ୍ଜ୍ୱଳ ଜ୍ୟୋତିଷ୍କ ସଦୃଶ l ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ ଭାଷାରେ ସେ ଥିଲେ :-
ଅଙ୍ଗାର ଗରଭେ ଯଥା ହୀରକ ଜନମ l
ତମୋଗର୍ଭେ ଜନମିବା ଜ୍ୟୋତିଷ୍କ ଧରମ l
ଅସଂଖ୍ୟ ଜନତାଙ୍କ ହୃଦୟରେ ଜଣେ ସୁରସିକ ପ୍ରତିଭାଧର ଅଭିନେତା,ନିର୍ଦ୍ଦେଶକ,କବି,ସାହିତ୍ୟ ସ୍ରଷ୍ଟା ଭାବରେ ଆଦରର ସିଂହାସନ ଅରୋହଣ କରି ସେ ଗଣ କବିର ସମ୍ମାନ ଲାଭ କରିଛନ୍ତି l ଗଣ ଆକାଶକୁ ଆଲୋକିତ କରି ରଖିଥିବା ଗଣ କବି ସ୍ଵର୍ଗାରୋହଣ କରିଥିଲେ ମଇ10 ତାରିଖ 1956 ମସିହା ବୈଶାଖ ଅମାବାସ୍ୟା ତିଥିରେ l ଜନ୍ମ ଶରଦ ପୁର୍ଣ୍ଣିମା ଏବଂ ମୃତ୍ୟୁ ଅମାବାସ୍ୟା l ପାଣିଙ୍କର ସାରସ୍ୱତ ସୃଷ୍ଟି ସମୂହ କାଳଜୟୀ ଓ ଉତ୍କଳ ବାଣୀ ଭଣ୍ଡାରରେ ଚିର ଭାସ୍ୱର ଅମୁଲ୍ୟ ରତ୍ନ l ଉତ୍କଳ ସାହିତ୍ୟରେ ତାଙ୍କର ସ୍ଥାନ ସ୍ବତନ୍ତ୍ର l ସେ ଗଣଙ୍କର କବି ଓଡ଼ିଆ ଜାତି ଗଣମାନସରେ ଚିର ଅମର l ଉତ୍କଳ ମାତାର ବରପୁତ୍ର, ଅନନ୍ୟ ପ୍ରତିଭାଙ୍କୁ ଆଜିର ତାଙ୍କର ଜନ୍ମ ତିଥିରେ କୋଟି ପ୍ରଣିପାତ l
🙏🙏🙏

ଅର୍ଜୁନୀ ଚରଣ ବେହେରା
ମୋ – 7693091971


Share it

Leave a comment

Your email address will not be published. Required fields are marked *

Verified by MonsterInsights