ଗୋଁଡ୍ ସଂସ୍କୃତିରେ ଜଂଘାଦେବ ଉପାସନା ….
ଭଗବାନ ଛଅ ପ୍ରକାର ଅବତାର ଗ୍ରହଣ କରିଥାଆନ୍ତି ବୋଲି ଭାରତୀୟ ଶାସ୍ତ୍ରମାନେ କୁହନ୍ତି ।
୧. ଅଂଶ ଅବତାର
୨. ଅଂଶାଂଶ ଅବତାର
୩. ଆବେଶ ଅବତାର
୪. କଳା ଅବତାର
୫. ପୂର୍ଣ୍ଣ ଅବତାର
୬. ପରିପୂର୍ଣ୍ଣତମ ଅବତାର
ପରିପୂର୍ଣ୍ଣତମ ନିରାକାର ଜ୍ୟୋତିସ୍ୱରୂପ ଈଶ୍ୱରଙ୍କ ପରିପୂର୍ଣ୍ଣତମ ସାକାର ରୂପକୁ 16 କଳା ପୂର୍ଣ୍ଣ କୁହାଗଲେ ମଧ୍ଯ, ପାଣି ପଥର ବୃକ୍ଷଲତା ପ୍ରକୃତିରେ ମଧ୍ୟ ଏ ଜ୍ୟୋତିରାଶି ରୂପକ ଈଶ୍ୱରସତ୍ତା ବା କଳା ବିଦ୍ୟମାନ ଥାଆନ୍ତି ।
କୁହାଯାଏ ପଥରରେ ମଧ୍ୟ ପରିପୂର୍ଣ୍ଣତମ ଈଶ୍ୱରଙ୍କର 1 କଳା ଉପସ୍ଥିତ ଥାଏ । ସେହିପରି ବାୟୁରେ 4 କଳା, ଆକାଶରେ 5 କଳା, ବୃକ୍ଷରେ 6 କଳା, ପଶୁ ପକ୍ଷୀଙ୍କ ମଧ୍ୟରେ 7 କଳା, ମନୁଷ୍ୟ ମଧ୍ୟରେ 8 କଳା ଥାଏ ।
ଏଥିପାଇଁ ମନୁଷ୍ୟକୁ ଅଷ୍ଟବସୁ ମଧ୍ୟ କୁହାଯାଇଥାଏ । ମନୁଷ୍ୟ ନିଜର କର୍ମ ଆଚରଣ ମାଧ୍ୟମରେ ନିଜର ପ୍ରତିଭାକୁ 16 କଳା ପର୍ଯ୍ୟନ୍ତ ବିକଶିତ କରିପାରିବାର ଦକ୍ଷତା ରଖେ ବା ଅଷ୍ଟକଳାଯୁକ୍ତ ମନୁଷ୍ୟପାଇଁ 16 କଳାଯୁକ୍ତ ପ୍ରତିଭା ପ୍ରାପ୍ତ ହେବା ଅନ୍ୟମାନଙ୍କ ତୁଳନାରେ ଅଧିକ ନିକଟତର ହୋଇଥାଏ ।
ଏ 8 ରୁ 16 କଳା ପର୍ଯ୍ୟନ୍ତ ଯାତ୍ରାକୁ ମନୁଷତ୍ୱରୁ ସତ୍ ଚିଚ୍ ଆନନ୍ଦ ବା ସଚ୍ଚିଦାନନ୍ଦ ଅଭିମୁଖି ଯାତ୍ରା ବା ଉନ୍ନତି କୁହାଯାଇଥାଏ ।
ବିଭିନ୍ନ ପୂର୍ଣ୍ଣ-ମଣିଷ-ଶରୀର ଅବତାରମାନଙ୍କ ମଧ୍ୟରେ ପର୍ଶୁରାମ 9 କଳା ବିଶିଷ୍ଟ, ଶ୍ରୀରାମ 12 କଳା ବିଶିଷ୍ଟ ପୂର୍ଣ୍ଣ ଅବତାର ହୋଇଥିବାବେଳେ, ଶ୍ରୀକୃଷ୍ଣ 16 କଳାପୂର୍ଣ୍ଣ ପରିପୂର୍ଣ୍ଣତମ ଅବତାର ଅଟନ୍ତି ବୋଲି ଭାରତୀୟ ଜନମାନସ ଶାସ୍ତ୍ର ଧର୍ମ ସଂସ୍କୃତି କହିଥାଏ ।
ଷୋଳ କଳାପୂର୍ଣ୍ଣ ଶ୍ରୀକୃଷ୍ଣ ଅନନ୍ତକୋଟି ବ୍ରହ୍ମାଣ୍ଡର ନାୟକ ଅଟନ୍ତି । ଜ୍ୟୋତିସ୍ୱରୂପ ନିରାକାର ଈଶ୍ୱର ସତ୍ତାଙ୍କ ପ୍ରଥମ ସାକାର ରୂପ ହେଲେ ବାଳଗୋପାଳ ଶ୍ରୀକୃଷ୍ଣ । ତହୁଁ ଶ୍ରୀରାଧା ଓ ଅନ୍ଯମାନେ । ବାଳଗୋପାଳ ଶ୍ରୀକୃଷ୍ଣ ଓ ଶ୍ରୀରାଧା ଗୋଲୋକ ନିବାସୀ ଅଟନ୍ତି ।
ତାଙ୍କଠାରୁ ଅନନ୍ତ କୋଟି ବ୍ରହ୍ମାଣ୍ଡ ସର୍ଜନା । ପ୍ରତ୍ଯେକ ବ୍ରହ୍ମାଣ୍ଡର ଦାୟିତ୍ବରେ ଜଣେ ଜଣେ ବ୍ରହ୍ମା ବିଷ୍ଣୁ ମହେଶ । ଏମିତି ଅନନ୍ତ କୋଟି ବ୍ରହ୍ମାଣ୍ଡକୁ ଅନନ୍ତ କୋଟି ବ୍ରହା ବିଷ୍ଣୁ ମହେଶ୍ୱର । ଶ୍ରୀରାଧାକୃଷ୍ଣ ଅବତାରୀ । ତାଙ୍କ ଠାରୁ ବିଭିନ୍ନ ସମୟରେ ବିଭିନ୍ନ ଅବତାର ସୃଷ୍ଟି ହୁଅନ୍ତି । ସେଥିପାଇଁ ଶ୍ରୀକୃଷ୍ଣ ଅବତାରକୁ ପରିପୂର୍ଣ୍ଣତମ ଅବତାର କୁହାଯାଏ । ଶ୍ରୀକୃଷ୍ଣ ହିଁ କଳିଯୁଗରେ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ରୂପରେ ଉପାସିତ ହେଉଛନ୍ତି ।
ସେ ସଚ୍ଚିଦାନନ୍ଦଘନସ୍ବରୂପ ଭଗବାନ ଶ୍ରୀକୃଷ୍ଣ ଆମ ଏ ପୃଥିବୀପୃଷ୍ଠରେ 125 ବର୍ଷ ମାନବୀୟ ଲୀଳାଖେଳା ମାନବୀୟ କର୍ମ ଆଚରଣ କରି ଇହ ଲୀଳା ସମ୍ୱରଣ କରିଥିଲେ ।
ଦିନେ ସେ ବୃକ୍ଷଲତା ପରିପୂର୍ଣ୍ଣ ଏକ ନିଘଞ୍ଚ ଜଙ୍ଗଲରେ ଭ୍ରମଣ କରୁ କରୁ ଶ୍ରମ କ୍ଳାନ୍ତି ଲାଘବ କରିବାକୁ ଇଚ୍ଛା କଲେ । ସେ ଦେଖିଲେ ଦୁଇଟି ବୃହତ ଅଶନ ଗଛରେ ଶିଆଳି ଲତାମାନେ ଛନ୍ଦାଛନ୍ଦି ଗୁଡେଇ ହୋଇ ଏକ ସୁନ୍ଦର ଝୁଲଣା ପରି ହୋଇଛନ୍ତି । ପ୍ରଭୁ କୌତୁହଳ ବଶତଃ ସେଇ ଶିଆଳି ଝୁଲଣାରେ ଗୋଡ ହାତ ଲମ୍ୱାଇ ଆରାମରେ ଶୋଇପଡିଲେ । ନାନା ସୁଗନ୍ଧିତ ପୁଷ୍ପ ଲତା ବେଷ୍ଟିତ ଘନ ବୃକ୍ଷରାଜି ସାଙ୍ଗକୁ ସୁଶିତଳ ମୃଦୁମଳୟ ପବନରେ ପ୍ରଭୁ ଗଭୀର ନିଦ୍ରାଗଲେ ।
ଯୋଗକୁ ଏହି ସମୟରେ ଜାରା ଶବର ନାମକ ଜନୈକ ବ୍ୟକ୍ତି ସେହି ଜଙ୍ଗଲରେ ଶୀକାର ଉଦ୍ଦେଶ୍ୟରେ ବୁଲୁଥିଲେ । ଶିଆଳି ଲତା ଭିତରୁ ପ୍ରଭୁଙ୍କର ପଦ୍ମବର୍ଣ୍ଣ ପାଦ ଦୁଇଟି ଜାରା ଶବରଙ୍କୁ ଗୋଟିଏ ହରିଣର କାନ ପରି ପ୍ରତୀୟମାନ ହେଲା । ସେ ହରିଣ ଶୀକାର କରିବା ଉଦ୍ଦେଶ୍ୟରେ ଶର ନିକ୍ଷେପ କଲେ।
ଶର ଟି ପ୍ରଭୁଙ୍କର ପାଦପଦ୍ମରେ ବିଦ୍ଧ ହେଲା ଏବଂ ଲୀଳାମୟ ଇହଲୀଳା ସମ୍ୱରଣ କରିବା ପାଇଁ ସେମିତି ଏକ ବାହାନାକୁ ଅପେକ୍ଷା ହିଁ କରୁଥିଲେ, ଜରା ଶବରର ପୂର୍ବଜନ୍ମର ଋଣ ଶୁଝି ତାଙ୍କୁ କାଳ କାଳକୁ ଲୋକମୁଖରେ ଚର୍ଚ୍ଚିତ ଏବଂ ଅମର କରି ରଖିବାକୁ।
ମହାଭାରତ ଯୁଦ୍ଧର ଅବସାନ ପରେ ଯୁଧିଷ୍ଠିର ଅଖଣ୍ଡ ଭାରତ ଭୁଖଣ୍ଡର ସମ୍ରାଟ ହୋଇଥାଆନ୍ତି । ପାଣ୍ଡବମାନଙ୍କ ପାଖକୁ ଖବର ଗଲା । ସେମାନେ ଆସି ପ୍ରଭୁଙ୍କର ଅନ୍ତିମ ଦର୍ଶନ କଲା ପରେ ପ୍ରଭୁ ଇହ ଜଗତରୁ ବିଦାୟ ନେଲେ । ସଚରାଚର ସ୍ତବ୍ଧ ଚକିତ ଶୋକାତୁର ହୋଇଗଲା ।
ଶୋକାକୁଳ ପାଣ୍ଡବମାନେ ସେହି ଶିଆଳି ଲତାରେ ଶୟନ ଅବସ୍ଥାରେ ଚନ୍ଦନ କାଷ୍ଠାଦି ସଂଯୋଗ କରି ପ୍ରଭୁଙ୍କ ମର ଶରୀରର ଦାହ ସଂସ୍କାର କଲେ ଏବଂ ହସ୍ତିନାପୁର ଫେରିଗଲେ ।
ଜାରା ଶବର ଓ ତାର ବଂଶଧରମାନେ ମୁଣ୍ଡ କୋଡି କାନ୍ଦି କାନ୍ଦି ଲୁଚି ଲୁଚି ପ୍ରଭୁଙ୍କର ଏ ଇହଲୀଳା ସମ୍ୱରଣ ଦୃଶ୍ୟ ତ ଦେଖିଲେ, ହେଲେ ତାଙ୍କ ଦ୍ୱାରା ଏଡେ ବଡ ଅପରାଧ ହୋଇଯିବା ଗ୍ଳାନି, କାଳକାଳକୁ ତାଙ୍କ ଶବର ବଂଶର ଅପକୀର୍ତ୍ତୀ ଅପଯଶ ହେବାର ଦୁଃଖ, ଜାରା ଶବର ଶରାଘାତରେ ପ୍ରଭୁ ପ୍ରାଣତ୍ୟାଗ କରିଛନ୍ତି ବୋଲି ସମ୍ରାଟ ଯୁଧିଷ୍ଠିର ଜାଣିଲେ ଶବର ବଂଶର କି ଅବସ୍ଥା କରିବେ କି ଦଣ୍ଡ ଦେବେ, ତତ୍ ଜନିତ ଭୟ ଜରା ଶବରଙ୍କ ମନ ପ୍ରାଣକୁ ଅସ୍ତବ୍ୟସ୍ତ କଲା । ହେଲେ ପ୍ରଭୁ ଯେ କାଳକାଳକୁ ଜରା ଶବର ବଂଶକୁ ତାଙ୍କ ମୀନବୀୟ ଲୀଳା ସହ ଯୋଡି ଅମର କରିବାକୁ ଏ ଭିଆଣ ରଚିଛନ୍ତି, ଜାରା ଶବର ସେ ପରିସ୍ଥିତିରେ ସେ କଥା କାହୁଁ ବୁଝନ୍ତା !
ଆତ୍ମଗ୍ଳାନୀ ଓ ରାଜଦଣ୍ଡ ଭୟରେ ଜାରା ଶବର ବଂଶ ସେ ଶବର ପଲ୍ଲୀ ଛାଡିଦେବାକୁ ନିଷ୍ପତ୍ତି କଲେ ।
ରାତିର ଘୋର ଅନ୍ଧାର । ଶବର ବଂଶ ଅନ୍ୟତ୍ର ଯାତ୍ରା ନିମନ୍ତେ ଆବଶ୍ୟକ ନିଜର ଯତ୍ କିଞ୍ଚିତ୍ ଆସବାବ ପତ୍ର ଶିକା ବାହୁଙ୍ଗୀରେ ଭାର କରିବାରେ ବ୍ୟସ୍ତ । ଜରା କିନ୍ତୁ ପ୍ରଭୁଙ୍କ ଜୁଈ ନିକଟରେ ମୁଣ୍ଡକୋଡି କାନ୍ଦୁଥାଏ । ଘନ ଅନ୍ଧକାର ମଧ୍ୟରାତ୍ରୀରେ ସମସ୍ତେ ବାହାରି ପଡିଲେ କେଉଁ ଏକ ଅଜଣା ଗନ୍ତବ୍ୟ ପଥରେ ।
ଜରା ଦେଖିଲା ଆଉ କିଛି ଉପାୟ ନାହିଁ । ତାକୁ ବି ଯିବାକୁ ପଡିବ ପ୍ରଭୁଙ୍କ ମରଣଜୁଈକୁ ସବୁଦିନପାଇଁ ପରିତ୍ୟାଗ କରି । ସେ ଯଦି ନଯାଉଛି ତ କଥା ଲୁଚିବ ନାହିଁ, ପାଣ୍ଡବମାନେ ଦିନେ ନା ଦିନେ ଖବର ପାଇ ତାକୁ ଧରି ନେବେ, ତା ପରେ ତାରି କଥାରୁ ଖିଅ ନେଇ ତା ଶବର ବଂଶକୁ ଠାବ କରି ହୁଏତ ମୃତ୍ୟୁ ଦଣ୍ଡ ମଧ୍ୟ ଦେଇ ପାରନ୍ତି। ଜରା ଭାବିଲା, ତା ପାଇଁ ଅନନ୍ତ କୋଟି ବ୍ରହ୍ମାଣ୍ଡ ନାୟକ ପ୍ରଭୁ ଶ୍ରୀକୃଷ୍ଣଙ୍କର ପ୍ରାଣ ଗଲା, ପୁଣି ତାରି ପାଇଁ ସମ୍ରାଟଙ୍କ ହାତରେ ତା ଶବର ବଂଶ ବି ବିନାଶ ହେବ ।
ତେଣୁ ସେ ନିଷ୍ପତ୍ତି କଲା ସିଏ ବି ଯିବ । ସେ ତାର ଶିକା ବାହୁଙ୍ଗୀ ବାହାର କଲା । ସେଥିରେ ଦୁଇଟି କଳସ ରଖିଲା । ରାତ୍ରୀର ଘନ ଅନ୍ଧକାରରେ ଲୋତକପୂର୍ଣ୍ଣ ଛଳଛଳ ନୟନରେ ପ୍ରଭୁଙ୍କ ଶୀତଳା ଜୁଈରୁ ଆଞ୍ଜୁଳା ଆଞ୍ଜୁଳାକରି ପାଉଁଶ ଭରି ମାଠିଆ ଦୁଇଟିକୁ ପୂର୍ଣ୍ଣ କଲା ।
ପ୍ରଭୁଙ୍କ ମର ଶରୀର ସିନା ଅଗ୍ନିରେ ଭସ୍ମ ହୋଇଗଲା, ହେଲେ ପ୍ରଭୁଙ୍କ ହୃଦୟରେ ଲମ୍ୱିଥିବା ଇନ୍ଦ୍ରନିଳମଣି ଖଚିତ ସ୍ୱର୍ଣ୍ଣ ହାର? ପ୍ରଭୁଙ୍କ କୁଣ୍ଡଳ? ପ୍ରଭୁ ଅଣ୍ଟାରେ ପିନ୍ଧିଥିବା ସୁବର୍ଣ୍ଣ ପଟିକା ? ପ୍ରଭୁଙ୍କ ଭୁଜର ସ୍ୱର୍ଣ୍ଣ କଙ୍କଣ, ବାହୁଟି ?
ଏ ସବୁ ତ ଭସ୍ମ ହୁଏନି । ହୁଏତ ତରଳି ମୁଣ୍ଡା ହୋଇ ଯାଇଥିବ। ପ୍ରଭୁ ପିନ୍ଧିଥିବା ଇନ୍ଦ୍ରନୀଳ ମଣି ପଥର ତ ସେମିତି ଅପୋଡା ଓ ଅକ୍ଷୁର୍ଣ୍ଣ ଥିବ । ପ୍ରଭୁ ଅଣ୍ଟା ବା ନାଭି ଦେଶରେ ପିନ୍ଧିଥିବା ଓଜନଦାର ମଜବୁତ ସ୍ୱର୍ଣ୍ଣ କମର ପେଟି ତ ଭସ୍ମ ହୋଇଯାଇ ନଥିବ ନା ! ସେଥିପାଇଁ କୁହାଯାଏ ପ୍ରଭୁଙ୍କର ସମସ୍ତ ଶରୀର ଭସ୍ମ ହୋଇଗଲା ହେଲେ ନାଭିପିଣ୍ଡ ଅପୋଡା ରହିଗଲା ।
ସେ ଯାହା ହେଉ, ରାତି ଅନ୍ଧାରରେ ଲୋତକ ଛଳଛଳ ନୟନରେ ଜାରା ଶବର ସେଦିନ ତା କଳସୀ ଦୁଇଟିରେ ପାଉଁଶ ସହିତ ଯାହା ହାତରେ ପଶିଥିବ ଭର୍ତ୍ତି କରିଥିବ । ସେଥିରେ ହୁଏତ ପ୍ରଭୁଙ୍କର ଇନ୍ଦ୍ରନିଳମଣି ପଥର କି ଅଧା ତରଳି ଯାଇଥିବା କର୍ଣ୍ଣକୁଣ୍ଡଳପରି ଛୋଟ ଛୋଟ ବସ୍ତୁ ବି ପାଉଁଶ ସହ କଳସ ଭିତରେ ପଶିଯାଇଥିବ ।
ସେ ଭାରକୁ ଧରି ଶବର ବଂଶ ମାସ ମାସ ବର୍ଷ ବର୍ଷ ଚାଲିଲେ, ତାଙ୍କ ପାଦ ତାଙ୍କୁ ଯେଉଁଆଡେ ଟାଣିଲା । ଶେଷରେ ସେମାନେ ଯେଉଁଠି ରହିଲେ ସେମାନେ ସେ ନିଳମଣି ସନ୍ତକ ସହିତ ମାଧବଙ୍କର ସେ ଭସ୍ମପୂର୍ଣ୍ଣ କଳସୀ ଦୁଇଟିକୁ ପୂଜାକଲେ । ନାମ ହେଲା ଇନ୍ଦ୍ରନୀଳ ମାଧବ ବା ନିଳମାଧବ । ତା ପରବର୍ତ୍ତୀ କଥା ବହୁ ଚର୍ଚ୍ଚିତ, ସମସ୍ତେ ଜାଣନ୍ତି।
ଜରାଶବର ଠାରୁ ସେ ନିଳମାଧବ କଳସ କିପରି ପୁରୀ ଆସିଲେ, କିପରି ଦାରୁମୂର୍ତ୍ତୀରେ ରୌପ୍ୟ ପେଟିକାରେ ପ୍ରଭୁଙ୍କର ସେ ନୀଳମଣି ସନ୍ତକ ଓ ଭସ୍ମ ବ୍ରହ୍ମରୂପରେ ଅବସ୍ଥାନ କରି ଶ୍ରୀଜଗନ୍ନାଥ ରୂପରେ ଜଗତ ଆରାଧ୍ୟ ହେଲେ ତାହା ଏକ ଲମ୍ୱା କଥା ଓ ସେ କଥା ଲୋକମୁଖରେ ବହୁ ଚର୍ଚ୍ଚିତ ।
ମହାପ୍ରଭୁଙ୍କ ସମ୍ପର୍କରେ ଇତିହାସ କଣ କହେ ଜାଣିନି,
ଶୁଣା କଥାଟିଏ କହୁଛି –
ଶ୍ରୀକୃଷ୍ଣଙ୍କ ପାଦକୁ ଜରାଶବର ତୀର ମାରିଦେଲା ଅଜାଣତରେ । ପ୍ରଭୁଙ୍କର ଶରୀର ତ୍ଯାଗ କରିବାର ଥିଲା ତେଣୁ ସେ ଶରୀର ତ୍ଯାଗ କରିଦେଲେ, ବୋଧହୁଏ ଜରାଶବର ବଂଶକୁ କାଳ କାଳକୁ ସ୍ମରଣୀୟ କରି ରଖିବାକୁ ।
ଶବର ବଂଶ ସରଳ ବିଶ୍ୱାସୀ । ଜରା ଭାବିଲା ମୁଁ ଶ୍ରୀକୃଷ୍ଣଙ୍କୁ ମାରିଦେଲି । ବହୁତ କାନ୍ଦିଲା, ଭଗବାନଙ୍କୁ ଏ ଦଶା ଭୋଗିବାକୁ ଦେଇଥିବାରୁ ।
ଯୁଧୀଷ୍ଠିର ସେତେବେଳେ ମହା ଭାରତ ବର୍ଷର ସମ୍ରାଟ । ଭୟ ପାଇଗଲା ଜରା ଶବର । ସମ୍ରାଟ ଜାଣିଲେ ଶବର ବଂଶ ନିପାତ କରିଦେବେ । ଜଙ୍ଗଲରେ ଛପିରହିଲା । ପ୍ରଭୁଙ୍କର ଶରୀରକୁ ଅଗ୍ନିରେ ଭସ୍ମୀଭୁତ କଲାପରେ ଚାଲିଗଲେ ପାଣ୍ଡବମାନେ ଓ ବନ୍ଧୁ ବିରାଦରିମାନେ।
ଜରା ଅଖିଆ ଅପିଆ ସେହି ଚିତାଭସ୍ମ ପାଖରେ ବସି ରହିଲା । ଜରାର ବଂଶଲୋକମାନେ ସେଠାରେ ପହଞ୍ଚିଲେ, ସବୁ କଥା ଶୁଣିଲେ । ନିଜ ବଂଶକୁ ଧିକ୍କାର କଲେ ପ୍ରଭୁଙ୍କ ପ୍ରତି ଏ ଅନ୍ଯାୟ କରିଥିବାରୁ ।
ଭୟ ପାଇଲେ, ଆଜି ନହେଲେ କାଲି ଏ କଥା ସମ୍ରାଟଙ୍କ କାନକୁ ଯିବ। ସମ୍ରାଟ ଯେଉଁଦିନ ଜାଣିବେ ଆମ ଶବର ପଲ୍ଲୀକୁ ଧ୍ୱଂସ କରିଦେବେ, ଶବର ବଂଶ ନିପାତ କରିଦେବେ । ଏହି ଭୟରେ ସେମାନେ ରାତାରାତି ସେ ସ୍ଥାନ ଛାଡି ଦେବାକୁ ନିଷ୍ପତ୍ତି କଲେ ।
ଜରା ଅନୁତାପରେ କାନ୍ଦି କାନ୍ଦି ଭୁଇଁରେ ଲୋଟୁଥାଏ, ପ୍ରଭୁଙ୍କ ଶରୀର ଚିତା ଭସ୍ମକୁ ଛାଡି କୁଆଡେ ଯିବାକୁ ଚାହୁଁ ନଥାଏ । ଛାଡି ନଗଲେ ତାର ବଂଶକୁ ସମ୍ରାଟ ନିପାତ କରିଦେବେ । ତା ପାଇଁ ତା ପ୍ରଭୁ ଦେହ ତ୍ଯାଗ କଲେ, ପୁଣି ତା ପାଇଁ ତାର ବଂଶ ନିପାତ ହେବ ।
ଶେଷରେ ପଲ୍ଲୀର ସବୁ ଶବରମାନଙ୍କ ସହ ଜରା ବି ସେ ସ୍ଥାନ ଛାଡିବାକୁ ନିଷ୍ପତ୍ତି ନେଲା । ଦୁଇଟି କଳସରେ ପ୍ରଭୁଙ୍କ ଚିତାଭସ୍ମ ତୋଳିଲା ।
କ’ଣ ତୋଳିଲା ?
ପ୍ରଭୁଙ୍କ ଶରୀର ସିନା ଭସ୍ମ ହୋଇଗଲା, ହେଲେ ଅପୋଡା ରହିଥିବ ପ୍ରଭୁଙ୍କ ଇନ୍ଦ୍ରନିଳମଣି ରତ୍ନହାର, ମଣିମୁକ୍ତା ଅଳଙ୍କାର, ରାତି ଅନ୍ଧାରରେ ଲୁହଭିଜା ଆଖି କୋହଭରା ମନରେ ଭସ୍ମ ସହ ଯାହା ହାତରେ ପଶିଲା ଭର୍ତିକଲା କଳସରେ ।
ତାକୁ ଭାର କରି ଚାଲିଲା । ଶବରମାନେ ରାତାରାତି ଚାଲିଲେ, ଯୁଆଡେ ରାସ୍ତା ଦିଶିଲା । କୁଆଡେ ଯାଉଛନ୍ତି ଜଣା ନାହିଁ, କେବଳ ଚାଲିଛନ୍ତି ରାତି ରାତି ଦିନ ଦିନ ମାସ ମାସ ବର୍ଷ ବର୍ଷ ।
ପହଞ୍ଚିଲେ ଦୂର ବହୁଦୂର କେଉଁ ଏକ ଅଗମ୍ୟ ପାହାଡରେ । (କେହି କେହି କୁହନ୍ତି ଏହା ମୟୁରଭଞ୍ଜର ଅଗମ୍ଯ ଶିମିଳି ପାହାଡ ହୋଇପାରେ) । ଦୁଇଟି କଳସକୁ ଥାପିଲେ ଅଗନା ଅଗନୀ ବନସ୍ତର ଏକ ଗୁପ୍ତ ଗୁମ୍ଫାରେ । ପୂଜିଲେ ଫଳ ମୂଳ ଝରଣା ପାଣି ଦେଇ ।
କେହି ଜାଣିବାର ନାହିଁ, କେହି ଦେଖିବାର ନାହିଁ, କଥା କାନକୁ ଦି କାନ ହେବାର ନାହିଁ । ଗୋଟିଏ କଳସକୁ କହିଲେ ବଡାମ (ବଳରାମ କଳସ), ଆର କଳସକୁ ଶ୍ରୀକୃଷ୍ଣ (ଶ୍ରୀକୃଷ୍ଣ କଳସ) ।
ତା ପରେ ଇନ୍ଦ୍ରଦ୍ୟୁମ୍ନଙ୍କ କଥା । ମାଳବ ( ଛତିଶଗଡ ) ର ରାଜା । ସ୍ୱପ୍ନ ଦେଖି ଖୋଜିଲା ତାର ବଂଶର ଆରାଧ୍ଯ କୃଷ୍ଣ ବଳରାମଙ୍କୁ । ପାଇଲା ତ ନିଶ୍ଚୟ, ହେଲେ ସେଥିପାଇଁ ବିଦ୍ଯାପତି ବ୍ରାହ୍ମଣକୁ ଶବର କନ୍ଯା ଲଳିତାକୁ ବାହା ହୋଇ ଜାତି ହଜେଇବାକୁ ପଡିଲା, ପ୍ରଭୁଙ୍କୁ ପାଇବାକୁ ।
ଶବରମାନଙ୍କୁ ବୁଝେଇ ଦିଆଗଲା, ତୁମ ପ୍ରଭୁ ଏଠି ଜଙ୍ଗଲ ଭିତରେ ଗୁମ୍ଫାରେ ପଡିଛନ୍ତି, ଆମେ ଭବ୍ଯ ମନ୍ଦିର ଗଢି ତା ଭିତରେ ରାଜା ଭଳି ବହୁ ଆଡମ୍ୱରରେ ରଖିବୁ, ଏଠି ଜଙ୍ଗଲି ଫଳମୁଳ ଖାଉଛନ୍ତି ପତର ଠୋଲାରେ, ଆମେ ସେଠି ତାଙ୍କୁ ଛପନ ଭୋଗ ଖୋଇବୁ ସୁନା ଥାଳିରେ, ଲକ୍ଷ ଲକ୍ଷ ଲୋକ ପୁଜା କରିବେ ତୁମ ପ୍ରଭୁଙ୍କୁ ।
ଏଥିରେ କିଛି ଶବର ରାଜି ହୋଇଗଲେ, କିଛି ରାଜି ହେଲେ ନାହିଁ ।
ଶେଷରେ ପ୍ରଭୁଙ୍କର ଏ ଚିତା ଭଷ୍ମ କଳସ ଦୁଇଟିକୁ ଶବରମାନଙ୍କଠାରୁ ଛଡେଇ ଆଣିଲାବେଳେ, ଇନ୍ଦ୍ରଦ୍ୟୁମ୍ନଙ୍କୁ ତାଙ୍କ ପ୍ରଭୁଙ୍କ ସନ୍ତକକୁ ଦେବାକୁ ଅରାଜିଥିବା କିଛି ଶବର ଧନୁତୀର ଧରି ଗୋଡାଇଲେ ।
ଭୟରେ ଏମାନେ ବଳରାମ କଳସ ( ବଡାମ ) ଟିକୁ ଅଧାବାଟରେ ଛାଡି, କୌଣସିମତେ ଅନ୍ଯ କଳସଟିକୁ ଧରି ପୁରୀରେ ପହଞ୍ଚିଲେ । ଯେଉଁ ଶବରମାନେ ରାଜିଥିଲେ ସେମାନେ ମଧ୍ଯ ପୁରୀ ଆସିଲେ, ପ୍ରଭୁଙ୍କ ସନ୍ତକ ସହିତ । ଯେଉଁମାନେ ଆସିଲେ ନାହିଁ, ସେମାନେ ବଳରାମ କଳସକୁ ଥାପି ପୂଜାକଲେ ।
ଆଜିବି କେତେକ ପାହାଡର ପାଦ ଦେଶ ଅଞ୍ଚଳରେ ଥିବା ଗ୍ରାମର ଲୋକମାନେ ବଳରାମ ପୂଜା ( ବଡାମ ପୂଜା ) କରନ୍ତି । ବର୍ଷକେ ଥରେ ବଡ ପର୍ବଟିଏ ପାଳନ କରାଯାଏ ଏହି ଉଦ୍ଦେଶ୍ୟରେ । ଗାଁ ମୁଣ୍ଡ ବଡ ଗଛ ମୁଳେ ସବୁ ଯାକ ଭଙ୍ଗା ଲଙ୍ଗଳ, ଜୁଆଳୀ କୁ ଡେରି ପୂଜା କରନ୍ତି ସେମାନେ ।
ଏହି ବଂଶର ସବୁ ଶବର ବା ଆଦିବାସୀମାନେ ବର୍ଷର କୌଣସି ଗୋଟିଏ ଦିନ ସେହି ପବିତ୍ର ଗୁମ୍ଫା ପାଖରେ ଉପସ୍ଥିତ ହୁଅନ୍ତି , ସମୂହ ପୂଜା ଅର୍ଚନାପାଇଁ, ଯେଉଁଠାରେ ଜରା ପ୍ରଭୁଙ୍କ ଚିତା ଭସ୍ମ କଳସକୁ ଲୁଚାଇ ସ୍ଥାପନା କରିଥିଲା ।
ଏପଟେ ପ୍ରଭୁଙ୍କ ଦାରୁ ମୂର୍ତି ନିର୍ମାଣ ହେଲେ, ବିଦ୍ଯାପତି ଶବରମାନଙ୍କଠାରୁ ପ୍ରାପ୍ତ ହୋଇଥିବା ପ୍ରଭୁଙ୍କର ସନ୍ତକ ବା ବ୍ରହ୍ମ କଳସ, ଶ୍ରୀଜଗନ୍ନାଥଙ୍କ ପବିତ୍ର ଦାରୁ ମୂର୍ତି ମଧ୍ଯରେ ହୁଏତ ସ୍ଥାପିତ ହୋଇଥାଇପାରନ୍ତି ।
( ପରବର୍ତ୍ତୀ ସମୟରେ ବିଭିନ୍ନ ସଙ୍କଟକାଳରେ ମହାପ୍ରଭୁଙ୍କ ବିଗ୍ରହ ଚିଲିକା, ନେମାଳ, ସୋନପୁରର ଗୋପାଲି, ଇତ୍ୟାଦି ବିଭିନ୍ନ ସ୍ଥାନକୁ ସ୍ଥାନାନ୍ତରିତ ହୋଇ ସଙ୍କଟ ଟଳିଲାପରେ ପୁଣି ଅବସ୍ଥାପିତ ହୋଇଛନ୍ତି ଶ୍ରୀମନ୍ଦିରରେ,
କେହି ଜଣେ ଅସହିଷ୍ଣୁ ଅଶ୍ରଦ୍ଧାଳୁ ପ୍ରଭୁଙ୍କ ଦାରୁ ବିଗ୍ରହଙ୍କୁ ଗଙ୍ଗା ନଦୀ କୁଳରେ ପୋଡିଦେଇ ନିଜେ ମଧ୍ୟ ଦେହ ଛାଡିଲା, ଭକ୍ତ ବିଶର ମହାନ୍ତି ବୋଧହୁଏ ବ୍ରହ୍ମ କଳସଙ୍କୁ ମୃଦଙ୍ଗ ମଧ୍ୟରେ ପୁରେଇ ଆଣି କୁଜଙ୍ଗର ଷଣ୍ଢ ରାଜାଙ୍କୁ ଦେଲା, ସେଠାରୁ ଶ୍ରୀ କ୍ଷେତ୍ର, ପୁଣି ଶ୍ରୀକ୍ଷେତ୍ରରୁ ସୋନପୁର ଗୋପାଳୀ ଗାଁ ରେ ୧୪୪ ବର୍ଷ ପାତାଳି ହେବା ପରେ ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ଉଦ୍ଧାର ହୋଇ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦାରୁ ବିଗ୍ରହଙ୍କ ଠାରେ ବ୍ରହ୍ମ କଳସ ଓ ବଳଭଦ୍ରଙ୍କ ଦାରୁବିଗ୍ରହରେ ଶଙ୍କର ଆନୀତ ପବିତ୍ର ଶାଳଗ୍ରାମ ସ୍ଥାପିତ ହୋଇଥାଇପାରନ୍ତି । )
ସେ ଯାହା ହେଉ ଇନ୍ଦ୍ରନିଳ ମଣି ଭୂଷଣ ମାଧବ ବା ନୀଳମାଧବ ଦାରୁବିଗ୍ରହରେ ଅବସ୍ଥାପିତ ହେଲାପରେ ଦାରୁବିଗ୍ରହଙ୍କର ପୂଜା ଅର୍ଚନା ଆରମ୍ଭ ହେଲା ମହା ଆଡମ୍ୱରରେ ।
ହେଲେ ଶବରମାନଙ୍କୁ ଆଉ ପୂଜାର ଅଧିକାର ମିଳିଲା ନାହିଁ । କାରଣ ପ୍ରଭୁ ପୁରୀ ଆସିଗଲା ପରେ ସତେ ଯେମିତି କେବଳ ସଂସ୍କୃତରେ କଥାବାର୍ତା କଲେ, କେବଳ ସଂସ୍କୃତରେ କହିଲେ ବୁଝିଲେ, ଶବର ଭାଷା ଭୁଲିଗଲେ ! ଶବରମାନେ କାନମୁଣ୍ଡା ଆଉଁସି ରହିଲେ ।
ବିଦ୍ଯାପତି ମଧ୍ଯ ଜାତି ହରେଇ ପୁରୀରେ ଶବର ମାନଙ୍କ ସହ ରହିଲେ। ତାଙ୍କର ପୁଅଟିଏ ହେଲା । ତାର ନାଁ ଦିତ୍ଯାପତି । ଦିତ୍ଯାପତିଙ୍କୁ ଯେତେବେଳେ ଷୋହଳ ବର୍ଷ, ସେତେବେଳେ ସେ ଶ୍ରୀମନ୍ଦୀର ସିଂହଦ୍ୱାରକୁ ଯାଇ ପ୍ରଭୁଙ୍କ ଉଦ୍ଦେଶ୍ଯରେ ପ୍ରଣାମ ବାଢୁଥିଲେ । ( ଅଛୁତ୍ ଶବର ମନ୍ଦିର ପ୍ରବେଶ କରନ୍ତେ କେମିତି ! ଆଜି ବି ଦଇତାପତିମାନେ ପ୍ରଭୁଙ୍କୁ ରଥଯାତ୍ରାରେ ବୁଲେଇ ଶ୍ରୀମନ୍ଦିରରେ ସିଂହାସନରେ ବସେଇ ଦେଇ ଆସିଲାପରେ, ବ୍ରାହ୍ମଣମାନେ ପରମବ୍ରହ୍ମଙ୍କ ଛୁଆନ୍ତା ଦୋଷ କଟେଇବାପାଇଁ ଶ୍ରୀମନ୍ଦିର ଶୋଧ କରନ୍ତି, ଶବର ଛୁଇଁ ଦେଲା ତ !
ପୁଣି ଥରେ ପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠା କରନ୍ତି, କାରଣ ଅଛୁତ ମାନଙ୍କୁ ଛୁଇଁ ବ୍ରହ୍ମଙ୍କ ପ୍ରାଣ ଛାଡି ଯାଇଥିବ ତ ସେଥିପାଇଁ !
ବ୍ରହ୍ମ ବୋଇଲେ ଏ ପଣ୍ଡିତମାନେ କ’ଣ ବୁଝନ୍ତି କେଜାଣି !! ସେଇ ପରମବ୍ରହ୍ମ ଶ୍ରୀକୃଷ୍ଣଙ୍କୁ ଜଣା । )
ରାଜାଙ୍କ ଦୃଷ୍ଟି ପଡିଲା ଦିତ୍ଯାପତିଙ୍କ ଉପରେ । ବହୁତ ମନ ଦୁଃଖ ହେଲା ରାଜାଙ୍କର । ଯାହାର ଠାକୁର ସିଏ ଆଜି ବଡ ଦାଣ୍ଡରେ ଛିଡା ହୋଇ ମୁଣ୍ଡିଆ ମାରୁଛି । ସେତେବେଳେ ତ ଛୁଆଁ ଅଛୁଆଁ ଭେଦଭାବ ଏମିତି ଯେ, କୁଟା ପଡିଲେ ବି ନବଖଣ୍ଡ ହେବ ।
ରାଜା ଗୋଟିଏ ଉପାୟ ପାଞ୍ଚିଲେ। କହିଲେ ପ୍ରଭୁ ବର୍ଷକୁ ଥରେ ଜନ୍ମ ବେଦୀକୁ ( ଗୁଣ୍ଡିଚା ବେଦୀ, ଯେଉଁଠାରେ ପ୍ରଭୁଙ୍କର ଦାରୁ ବିଗ୍ରହ ନିର୍ମାଣ ହୋଇଥିଲେ ) ଯାତ୍ରା କରିବେ । ଛୁଆଁ ଅଛୁଆଁ ଭେଦଭାବ ଯୋଗୁ ମନ୍ଦିର ପ୍ରବେଶ କରିପାରୁନଥିବା ଲୋକ ମାନଙ୍କୁ ରାସ୍ତାରେ ଦର୍ଶନ ଦେଇ ଦେଇ ଯିବେ । ସେଥିରେ ସମସ୍ତେ ସମ୍ମତି ପ୍ରକାଶ କଲେ । ତାହା ହିଁ ହେଲା ।
ପଣ୍ଡିତେ ସିନା ସଂସ୍କୃତରେ ବଳୀୟାର, ହେଲେ ପରମବ୍ରହ୍ମ ମହାଦାରୁଙ୍କୁ ଗୁଣ୍ଡିଚା ମନ୍ଦିର ପର୍ଯ୍ଯନ୍ତ ନେବା ତ ଦୂରର କଥା, ରତ୍ନ ସିଂହାସନରୁ ତଳକୁ ଓହ୍ଲାଇ ଆଣିବାକୁ ଯୁ କାହିଁ ? ଛେର ବାହାରି ପଡିବ ଏମାନଙ୍କର, ମନ୍ଦିର ଅପବିତ୍ର ହୋଇଯିବ । ତେଣୁ ଦିତ୍ଯାପତି ବଂଶ, ଉଚ୍ଚାରଣ ବିବିଧତାରେ ଯାହାଙ୍କୁ ଦଇତାପତି ବଂଶ କୁହାଯାଉଛି, ସେହି ବଳବାନ ଦଇତା ରଥଯାତ୍ରା ଦାୟିତ୍ୱ ପାଇଲେ ।
ରଥ ଉପରେ ପ୍ରଭୁଙ୍କୁ କୁଣ୍ଢୋଉ ଥିବାର, ନଚୋଉଥିବାର, ଟେକୁ ଥିବାର କଚାଡୁଥିବାର ଅପୂର୍ବ ଦୃଶ୍ଯ ଦେଖିଲା ସାରା ବିଶ୍ୱ । ଦଇତାଙ୍କ ସହ ଏ ଉଠା ପକା ଛେଚା କଚା କୋଳା କୋଳି ଢଳାଢଳି ଭିଡାଭିଡି ଚଢାଚଢିରେ ପ୍ରଭୁଙ୍କର ଶ୍ରୀମୁଖ ଯେତେ ସୁନ୍ଦର ଯେତେ ମଧୁର ଯେତେ ହସ ହସ ଯେତେ ଆନନ୍ଦମୟ ଦେଖାଯାଆନ୍ତି, ତାର କାଣିଚାଏ ବି ଦିଶେନି ରତ୍ନ ସିଂହାସନରେ । ସେ କଠିନ ସଂସ୍କୃତ ଗୁଡା ଶୁଣି ଶୁଣି ବିରସ ଲାଗୁଥାଏ କି କ’ଣ !
ଏକଥା ବି ସମସ୍ତେ ଜାଣିବା ଉଚିତ, ଦିନଥିଲା ନଦୀ ନାଳ ବନ୍ଯା ବିପଦ ଘେରା ଅଞ୍ଚଳ ଡେଇଁ ପାଦରେ ଚାଲି ଚାଲି ପୁରସ୍ତମ ଆସିବା କଠିନ ଥିଲା, ବେଳେବେଳେ ରଥ ଟାଣିବାକୁ ଲୋକଙ୍କର ଅଭାବ ହୁଏ, ହାତୀବାପୁଡା ବି ସୁଯୋଗ ପାଏ ପ୍ରଭୁଙ୍କ ରଥ ଟାଣି ଧନ୍ଯ ହେବାକୁ ।
ହର ତ୍ୱଂ ସଂସାରଂ ଦ୍ରୁତତରମସାରଂ ସୁରପତେ
ହର ତ୍ୱଂ ପାପାନାଂ ବିତତିମପରାଂ ଯାଦବପତେ
ଅହୋ ଦୀନନାଥୋ ! ବିହିତଚରଣୋ ନିଶ୍ଚିତପଦଂ
ଜଗନ୍ନାଥଃ ସ୍ୱାମୀ ନୟନପଥଗାମୀ ଭବତୁ ମେ ।।
-ଆଦିଶଙ୍କରାଚାର୍ଯ୍ଯ
ଆମେ ବରଂ ଏଠାରେ ଆଲୋଚନା କରିବା ପ୍ରଭୁ ପାଦ ରହିତ ଅଧାଗଢା ହେଲେ କାହିଁକି ? ପ୍ରଭୁ ଜଂଘାଦେବ ନାମରେ ପୂଜିତ ହେଲେ କିପରି ?
ପ୍ରଭୁ ଶ୍ରୀକୃଷ୍ଣଙ୍କ ମହାପ୍ରାୟାଣ ପରେ ଏମିତି ଶହ ଶହ ହଜାର ହଜାର, ବହୁ ବର୍ଷ ବିତିଗଲା । ଅନନ୍ତ କୋଟି ବ୍ରହ୍ମାଣ୍ଡ ନାୟକ ଲୀଳାମୟ ଶ୍ରୀକୃଷ୍ଣଙ୍କ ଲୀଳା ଖେଳା କିଏ କେମିତି ବା ପାଶୋର ଯିବ ! ସଚରାଚର ଝୁରି ହେଉଥାଏ ପ୍ରଭୁଙ୍କ ଶରୀର ଅନୁପସ୍ଥିତିକୁ ।
କୋୟା ବଂଶୀୟ ଗୋଁଡ୍ ସମାଜର ଆଦି ଧର୍ମ ଗୋଁଡ୍ ଧର୍ମ ବା ଗୋଁଡି ଧର୍ମ ଓ ସେ ଷଢବଂଶର ଆଦିଗୁରୁ ପାରିକୁପାରି ଲିଙ୍ଗୋ ଅଟନ୍ତି । ଜରାଶବର କର୍ତ୍ତୃକ ଶ୍ରୀକୃଷ୍ଣଙ୍କ ମହାପ୍ରାୟାଣ ଘଟଣା ପରେ କୋୟାବଂଶୀୟ ଗୋଁଡ୍ ସମାଜର ସେ ସମୟକୁ ସେ ଦେହାନ୍ତରୀ ପରମ ପୁରୁଷ ଅବିନାଶୀ ସତ୍ତା ସଚରାଚର ସମଗ୍ର ଜଗତ ଲୋକଙ୍କର ପ୍ରଭୁ, ପିତା, ମାତା, ଭାଇ, ବନ୍ଧୁ, ସଖା, କୁଟୁମ୍ୱ, ବିରାଦରି ଆସନ ପ୍ରାପ୍ତ ମହାପୁରୁ; ମନ, ପ୍ରାଣ, ଇହ ଲୋକ,ପରଲୋକ ତାରଣହାର, ଆରାଧ୍ଯ, ସବୁକିଛି । ତ୍ୱମେବ ମାତା ଚ ପିତା ତ୍ୱମେବ ତ୍ୱମେବ ସଖାଶ୍ଚ ବନ୍ଧୁ ତ୍ୱମେବ ତ୍ୱମେବ ମମ ସର୍ବ ଦେବ ଦେବ । କୋୟାବଂଶୀ କେମିତି ଭୁଲି ପାରନ୍ତେ ଏତେ ବଡ ମହାନ ଈଶ୍ୱରଙ୍କୁ, ଆରାଧ୍ଯଙ୍କୁ, ପ୍ରାଣପ୍ରିୟ ପ୍ରଭୁଙ୍କୁ !
କୋୟା ଷଢବଂଶୀୟ ଗୋଁଡ୍ ସମାଜର ଜଣେ ପୁଣ୍ୟାତ୍ମା ଗାଁ ଛାଡି ଏକାନ୍ତରେ ଜଙ୍ଗଲରେ ଗୋଟିଏ କୁଡିଆ କରି ରହୁଥିଲେ, ଯେମିତି ଅନବରତ ପ୍ରଭୁଙ୍କ ଚିନ୍ତନ ମନନରେ ସାଂସାରିକ ବାଧା ବିଘ୍ନ ନଉପୁଜେ। ଏମିତି ନିଜ ପ୍ରଭୁ ନିଜ ଇଷ୍ଟ ନିଳମାଧବଙ୍କ ଭଜନ କୀର୍ତ୍ତନ ସ୍ମରଣ ମନନରେ ଦିନ ପରେ ଦିନ ରାତି ପରେ ରାତି ବର୍ଷ ପରେ ବର୍ଷ ବିତି ଚାଲିଲା ।
ପ୍ରଭୁ ଆଉ ଥୟ ଧରି ରହିପାରିଲେ ନାହିଁ ଗୋଲୋକରେ । ସେ ଦିନେ ସେହି ମହାତ୍ମାଙ୍କ ସମ୍ମୁଖରେ ଆବିର୍ଭୁତ ହେଲେ । ପ୍ରଭୁ କହିଲେ ଆଖି ଖୋଲି ଦେଖ, ମୋର ଅପରୂପ କମନୀୟ ସ୍ୱରୂପକୁ ଦର୍ଶନ କର । ମୁଁ ତୁମ କୁଳର ଇଷ୍ଟ । ମୁଁ ତୁମ କୁଳର ଭାଇ ବନ୍ଧୁ କୁଟୁମ୍ୱ ସଖା ସହୋଦର ଈଶ୍ୱର ସବୁକିଛି ।
ମହାତ୍ମା କହିଲେ ପ୍ରଭୁ ତୁମେ କୃପା କରି ମୋତେ ଦର୍ଶନ ଦେବାକୁ ଆସିଛ, ମୁଁ ତୁମକୁ ଆଉ ଛାଡିବି ନାହିଁ, ତୁମର ଉପସ୍ଥିତି ବିନା ମୁଁ ପ୍ରାଣଧରି ରହି ପାରିବି ନାହିଁ, ତୁମେ ଆଜିଠାରୁ ମୋରି ପାଖରେ ମୋ ସହ ରହିବ ।
ପ୍ରଭୁ ମହାତ୍ମାଙ୍କୁ ସାନ୍ତ୍ୱନା ଦେଇ କହିଲେ, ସେପରି ସମ୍ଭବ ନୁହେଁ, ତାହା ପ୍ରକୃତିର ନିୟମ ନୁହେଁ, ସେପରି ହେଲେ ସାଧୁ ଅସାଧୁ ତପି ପାପୀ ନିର୍ବିଶେଷରେ ପ୍ରତ୍ୟେକ ପ୍ରାଣୀ କାଳ କାଳକୁ ଅମର ହୋଇ ରହିବାକୁ ଚାହିଁବେ, ପ୍ରକୃତିର ସନ୍ତୁଳନ ବିଗିଡିଯିବ । ମର୍ତ୍ତ୍ୟମଣ୍ଡଳେ ଦେହ ବହି, ଦେବତା ହୋଇଲେ ମରଇ ।
କିନ୍ତୁ ମୁଁ ତୁମର ପ୍ରେମର ଅଧିନ, ମୁଁ ଏ ଧରାଧାମରେ ତୁମରି ମାନବ କୁଳରେ ଅବତୀର୍ଣ୍ଣ ହୋଇ ସାଂସାରିକ କର୍ମଲୀଳା କରୁଥିବାବେଳେ ତୁମେମାନେ ମୋର ସଖା ସହୋଦର ଭାଇ ବନ୍ଧୁ କୁଟୁମ୍ୱ ହିସାବରେ ମୋତେ ଯେପରି ଅନାବିଳ ପ୍ରେମ ସ୍ନେହର ରଜ୍ଜୁରେ ବାନ୍ଧିରଖିଥିଲ ମୁଁ ଦେଖୁଛି ମୋର ମାନବ ଶରୀର ତ୍ୟାଗକୁ ଶହଶହ ବର୍ଷ ବିତି ଯାଇଥିଲେ ମଧ୍ୟ ତୁମର ସେ ଭାବ ସେ ପ୍ରେମ ସେ ଆଦର ଅତୁଟ ରହିଛି । ତେଣୁ ମୁଁ ତୁମ କଥା ନିଶ୍ଚୟ ରକ୍ଷା କରିବି । ମୁଁ ତୁମ ସହ ସ୍ଥୁଳ ଶରୀରରେ କାଳ କାଳକୁ ରହିବି, କିନ୍ତୁ ପ୍ରତୀକାତ୍ମକ ରୂପରେ ।
ମହାତ୍ମା ଖୁସିରେ ଆତ୍ମ ବିଭୋର ହୋଇଗଲେ ।
ଅନନ୍ତ କୋଟି ଜଗତର ନାଥ ପ୍ରଭୁ ଶ୍ରୀକୃଷ୍ଣ କହିଲେ – ତୁମେ ସେ ସ୍ଥାନକୁ ଯାଅ, ଯେଉଁଠାରେ ମୋର ମର ଶରୀରକୁ ଦାହ ସଂସ୍କାର କରାଯାଇଥିଲା । ତୁମକୁ ସେଠାରେ ମୋର ପ୍ରତୀକ ସନ୍ତକ ପ୍ରାପ୍ତ ହେବ। ତୁମେ ସେହି ସନ୍ତକକୁ ଆଣି ତୁମ ଗ୍ରାମ ମଧ୍ୟରେ ସ୍ଥାପନା କରି ମୋର ସେବା ଅର୍ଚ୍ଚନା ପୂଜା କରିପାରିବ, ମୋ ସହ ଅପୂର୍ବ ଆନନ୍ଦରେ ଲୀଳା ଖେଳା କରି ମଧ୍ୟ ପାରିବ। ଏହା କହି ପ୍ରଭୁ ଅନ୍ତର୍ଧ୍ଯାନ ହୋଇଗଲେ ।
ସେ ଗୋଁଡ୍ ବଂଶୀୟ ମହାତ୍ମା ଏକା ନିଶ୍ୱାସରେ ନିଜ ଜନପଦକୁ ଦଉଡିଲେ, ନିଜ ଷଢବଂଶୀୟ ଭାଇ ବିରାଦରିଙ୍କୁ ଏକଥା କହିଲେ । ତାଙ୍କ ଷଢବଂଶୀୟ ଭାଇ ବିରାଦ୍ରୀମାନେ ଏକତ୍ର ହୋଇ ଚାଲିଲେ ପ୍ରଭୁଙ୍କର ସନ୍ତକ ଅନୁସନ୍ଧାନରେ ।
ସେମାନେ ସେ ଜାଗାରେ ପହଞ୍ଚି ଯାହା ଦେଖିଲେ ସେଥିରେ ତାଙ୍କର ଦୁଃଖ ଓ କୋହର ସୀମା ରହିଲା ନାହିଁ ।
ଯେଉଁ ଅଶନ ବୃକ୍ଷଦ୍ୱୟ ବେଷ୍ଟିତ ଶିଆଳି ଲତାରେ ଶୟନ ଅବସ୍ଥାରେ ପ୍ରଭୁଙ୍କ ଶରୀରର ଦାହ ସଂସ୍କାର କରାଯାଇଥିଲା, ସେ ବୃକ୍ଷ ଦୁଇଟି ଅଧା ପୋଡା ଅବସ୍ଥାରେ ସେପରି ଦଣ୍ଡାୟମାନ ହୋଇଛନ୍ତି । ଧାରେ ଶିଆଳି ଲତା ପୁନଃ ଅଙ୍କୁରିତ ହୋଇ ଦୁଇ ଅଶନ ଗଛକୁ ପୁନଃ ସଂଯୋଗ କରିଛି ।
ଏ ଦୃଶ୍ୟ କେତେବେଳେ ମନେ ହେଉଥିଲା ସତେ ଯେମିତି ପ୍ରଭୁ ଶ୍ରୀକୃଷ୍ଣ ସେ ଦୁଇ ଅଶନ ବୃକ୍ଷକୁ ଆଶ୍ରା କରି ଆଜି ବି ଶୋଇଛନ୍ତି ଓ ସେ ଶିଆଳି ଲତାଟି ସତେ ଯେମିତି ଉପବୀତ ପରାୟ ପ୍ରଭୁଙ୍କ ହୃଦୟରେ ଲମ୍ୱିଛି । ନାନାଦି ସୁବାସୁତ ପୁଷ୍ପରାଜି ଶୋଭିତ ନିଘଞ୍ଚ ଜଙ୍ଗଲରେ ବହୁଥିବା ମୃଦୁମଳୟର ସ୍ୱର, କର୍ଣ୍ଣ ମୋହୁଥିଲା ସତେ ଯେମିତି ପ୍ରଭୁଙ୍କ ବଂଶୀ ସ୍ୱନ ପରି।
କେତେବେଳେ ପୁଣି ମନକୁ ଅତି ବ୍ୟଥିତ କରୁଥିଲା ଦଣ୍ଡାୟମାନ ସେ ଅଧାପୋଡା ଅଶନ ବୃକ୍ଷର ଗଣ୍ଡି ଦୁଇଟି । ତାହା ଦେଖିଲେ ଲାଗୁଥିଲା ସତେ ଯେମିତି ପ୍ରଭୁଙ୍କ ଶରୀରର ଉର୍ଦ୍ଧ୍ୱାଂଶ ଚିତାଗ୍ନିରେ ଭସ୍ମୀଭୁତ ହୋଇଯାଇଛି, ଅଧାପୋଡା ରହିଯାଇଛି କେବଳ ପ୍ରଭୁଙ୍କର କଟି ଠାରୁ ପାଦ ପର୍ଯ୍ୟନ୍ତ ଅଂଶଟି ଏବଂ ପାଦଠାରୁ ଜଂଘ ପର୍ଯ୍ୟନ୍ତ ସେହି ଅଧାପୋଡା ଅଂଶ ଦୁଇଟି ସତେ ଯେମିତି ଆଜି ଯାଏ ବି ସେମିତି ଅର୍ଦ୍ଧପତିତ ଅବସ୍ଥାରେ ଶିଆଳି ଲତାର ଉପବୀତ ଧାରଣ କରି ଲଟକି ରହି ଅଟକି ଅଛନ୍ତି ଏ ପରମ ପବିତ୍ର ଷଢବଂଶୀୟ କୋୟା ଗୋଁଡ୍ ମାନଙ୍କ ଆଗମନକୁ ଅପେକ୍ଷା କରି, ଶହେ କି ହଜାରେ ବର୍ଷ ଧରି ।
ପ୍ରଭୁଙ୍କର ଏ ଅପୂର୍ବ ସନ୍ତକ ଦର୍ଶନଲାଭ କରି ଭାବ ଗଦ୍ ଗଦ୍ ହୋଇ ଲୋତକଭରା ପ୍ରେମପୂର୍ଣ୍ଣ ନୟନରେ ସେଦିନ ସେଇ ବନ ଭୁଇଁରେ ଗଡିଗଲେ ସେଠାକୁ ଯାଇଥିବା ଷଢବଂଶୀ ପବିତ୍ର ମଣିଷମାନେ ।
କିଛିକ୍ଷଣ ଉତ୍ତାରୁ ପ୍ରଭୁ ପୁଣି ସେଠାରେ ଆଉଥରେ ଆବିର୍ଭାବ ହେଲେ ସମସ୍ତଙ୍କ ସାମନାରେ ଏବଂ କହିଲେ ଏହା ହିଁ ତୁମର ସନ୍ତକ । ତୁମେ ଏ ଅର୍ଦ୍ଧଦଗ୍ଧ ଅଶନ ଦାରୁଦ୍ୱୟଙ୍କୁ ଛେଦନ କରି ଶିଆଳି ଲତା ଝୁଲଣାରେ ତୁମ ଜନପଦକୁ ନେଇଯାଇ ଏ ସନ୍ତକଙ୍କୁ ସେଠାରେ ସ୍ଥାପନା କରି ତୁମର ଭକ୍ତି ସମର୍ପଣ କରିପାରିବ । ମୁଁ ଏହି ରୂପରେ ଯୁଗ ଯୁଗକୁ ତୁମ ସହ ସ୍ଥୁଳରୂପରେ ରହି ତୁମ ଷଢବଂଶର ପୂଜା ଅର୍ଚ୍ଚନା ଗ୍ରହଣ କରୁଥିବି । ତୁମମାନଙ୍କ ସହ ସମଗ୍ର ମାନବ ସମାଜ ମୋର ଏ ସ୍ଥୁଳ ରୂପକୁ ଭାବ ଭକ୍ତି ନୈବେଦ୍ୟ ଅର୍ପଣ କରିପାରିବେ । ଏତେକ କହି ପ୍ରଭୁ ପୁନଃ ଅନ୍ତର୍ଧ୍ୟାନ ହୋଇଗଲେ ।
ପ୍ରଭୁଙ୍କ ଆଜ୍ଞାନୁସାରେ ଷଢବଂଶୀ ଗୋଁଡ୍ ମାନେ ସେ ଦାରୁ ଦ୍ୱୟକୁ ଆଣି ତତ୍କାଳୀନ ଅବନ୍ତୀ ବା ବର୍ତ୍ତମାନର ମଧ୍ୟପ୍ରଦେଶର ନିଜ ଜନପଦରେ ସ୍ଥାପନା କରି ପୂଜା ଅର୍ଚ୍ଚନା କଲେ । ସେହି ଦିନଠାରୁ ପ୍ରଭୁ ସେଠାରେ ଜଂଘାଦେବ ନାମରେ ପୂଜିତ ହୋଇ ଭୁବନ ବିଖ୍ୟାତ ହେଲେ ।
ଜଂଘାଦେବଙ୍କ ସହ ପାର୍ଶ୍ୱ ଦେବାଦେବୀ ଭାବରେ ଲିଙ୍ଗାଦେବ, ଛତର, ଭୈରବ, ମା ଦୁର୍ଗା, ଅସ୍ତ୍ରଶସ୍ତ୍ର ଓ ବାଦ୍ୟାଦି ଏବଂ ମୁଳ କୋୟା ଷଢବଂଶ ଗୋଁଡ୍ ସମାଜର ଇଷ୍ଟଦେବଙ୍କ ପୂର୍ଣ୍ଣ ପ୍ରତୀକ ଭାବରେ କାଳିଆ ଧରୁଆ ମଧ୍ୟ ପୂଜିତ ହେଉଥିଲେ ।
ଜଂଘାଦେବ ପ୍ରଭୁ ଶ୍ରୀକୃଷ୍ଣଙ୍କର ସନ୍ତକ ହିସାବରେ ପୂଜିତ ହେଉଥିବା ବେଳେ, ଲିଙ୍ଗାଦେବଙ୍କୁ ଶିବ ଶମ୍ଭୁଙ୍କ ସାକ୍ଷାତ ସ୍ୱରୂପ ପ୍ରଭୁ ବଳରାମ ଜ୍ଞାନରେ, ସବୁବେଳେ ଜଂଘାଦେବ ଓ ଲିଙ୍ଗାଦେବଙ୍କ ପାଖେପାଖେ ସୁନ୍ଦର ସୁସଜ୍ଦିତ ହେଇ ବିରାଜମାନ କରୁଥିବା ମା ଛତର ଦେବୀଙ୍କୁ ଶ୍ରୀକୃଷ୍ଣ ବଳରାମ ଦୁଇ ଭାଇଙ୍କ ଗେହ୍ଲେଇ ଭଉଣୀ ସୁଭଦ୍ରାଙ୍କ ପ୍ରତୀକ ହିସାବରେ, ଭୈରବଙ୍କୁ ସୁଦର୍ଶନଙ୍କ ପ୍ରତୀକ ଜ୍ଞାନରେ, ଯଶୋଦା ଗର୍ଭସମ୍ଭବା ମା ଯେଗମାୟାଙ୍କୁ ମା ଦୁର୍ଗା ରୂପରେ, ଶ୍ରୀକୃଷ୍ଣଙ୍କର ପୂର୍ଣ୍ଣ ପ୍ରତୀକ ହିସାବରେ କାଳିଆ ଧରୁଆଙ୍କୁ ଷଢବଂଶୀ ଗୋଁଡ୍ ସମାଜର ଇଷ୍ଟ ଦେବ ହିସାବରେ ପୂଜାର୍ଚ୍ଚନା କରାଯଉଥିବା କଥା ଜଂଘାଦେବ ଉପାସନା ଧାରାର ତତ୍ତ୍ୱବିତ୍ ମାନେ ପର୍ଯ୍ୟାଲୋଚନା କରିଥାଆନ୍ତି।
ସେଠାରେ ପୂଜିତ ବୀର ବାଦ୍ୟ, ବଇରିଗଞ୍ଜନ ମାନ୍ୟତା ପ୍ରାପ୍ତ ହୁଅନ୍ତି । ଏବଂ ଶତ୍ରୁ ଆକ୍ରମଣ ବିପଦ ଆପଦର ସୂଚନା ପ୍ରଦାନ କରନ୍ତି ବୋଲି ବିଶ୍ୱାସ କରାଯାଏ । ବଇରୀଗଞ୍ଜନଙ୍କ ସହ ଚାରି ବାହନ ବା ଚାରିଖଣ୍ଡା ଯଥା ତମ୍ରୁଶାଲ୍, ଶତ୍ରୁଶାଲ୍, ବଇରୀଶାଲ୍ ଓ କରାଟି ମଧ୍ୟ ଜଂଘାଦେବଙ୍କ ପୀଠରେ ପୂଜିତ ହୁଅନ୍ତି ।
ଜଂଘାଦେବ ପ୍ରଥମେ ମଧ୍ୟପ୍ରଦେଶର ଫୁଲଝର ଠାରେ ସ୍ଥାପିତ ହୋଇ ପୂଜିତ ହେଉଥିଲେ । ଷଷ୍ଠ ଶତାବ୍ଦୀ ପର୍ଯ୍ୟନ୍ତ ସେଠାରେ ମହାପ୍ରଭୁ ଜଂଘାଦେବଙ୍କ ପୂଜା ଅର୍ଚ୍ଚନା ନିର୍ବିଘ୍ନରେ ଚାଲିଥିଲା ।
ଷଷ୍ଠ ଶତାବ୍ଦୀରେ କେହି ମୋଗଲ ଶାସକ ଏଥିରେ ବିଘ୍ନ ଉପୁଜାଇଥିଲେ । କୁହାଯାଏ ଶାସକମାନେ ଲିଙ୍ଗାଦେବଙ୍କୁ ଏଠାରୁ ନେଇ ମକ୍କାମଦ୍ଦିନାରେ ସ୍ଥାପନା କରିଦେଇଥିଲେ ।
ଛତିଆବଟର ମହାପୁରୁଷ ହାଡି ଦାସ ତାଙ୍କ ମାଳିକାରେ ମଧ୍ୟ ମକ୍କାମଦ୍ଦିନାରେ ଶିବ ଲିଙ୍ଗଙ୍କ ଉପରେ ମସଜିଦ୍ ନିର୍ମାଣ ହୋଇଥିବା ଏବଂ ସମୟ ଆସିଲେ ତାହା ପୁନଃ ଉଦ୍ଧାର ହେବା କଥା ଲେଖିଛନ୍ତି ବୋଲି ମାଳିକା ବ୍ୟାଖ୍ୟାକାରମାନେ କୁହନ୍ତି । ମହାପୁରୁଷ ହାଡିଦାସଙ୍କୁ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୁନର୍ଜନ୍ମ ବୋଲି ଗ୍ରହଣ କରାଯାଇଥାଏ ।
ସେ ଯାହା ହେଉ ଷଷ୍ଠ ଶତାବ୍ଦୀରେ ମୋଗଲ ଶାସକମାନଙ୍କ ସମୟରେ ଜଂଘାଦେବଙ୍କ ଉପାସନା ବିଘ୍ନ ହେବା କାରଣରୁ ପ୍ରଭୁ ଦଂଘାଦେବ ମଧ୍ୟପ୍ରଦେଶରୁ ସ୍ଥାନାନ୍ତରୀତ ହୋଇ ଓଡିଶାର ସୁନ୍ଦରଗଡ ଜିଲ୍ଲାର ଭୋଇପାଲି ଗ୍ରାମ ନିକଟବର୍ତ୍ତୀ ମହାବୀର ପାହାଡର ପାଦଦେଶରେ ସ୍ଥାପିତ ହୋଇ ସେହି ଦିନଠାରୁ ଷଢବଂଶୀ ଗୋଁଡ୍ ସମାଜର ହେପାଜତ ଓ ମୁରବୀତ୍ୱରେ ସମଗ୍ର ଜନସାଧାରଣଙ୍କ ଦ୍ୱାରା ନିର୍ବିଘ୍ନରେ ଉପାସିତ ହୋଇ ଆସୁଛନ୍ତି ।
ମହାପ୍ରଭୁ ଶ୍ରୀଜଗନ୍ନାଥ ବର୍ଷକୁ ଥରେ ନିଜର ଆସ୍ଥାନ ଛାଡି ଭକ୍ତଙ୍କ ଗହଣରେ ଲୀଳାଖେଳା କଲାପରି, ପ୍ରଭୁ ଜଂଘାଦେବ ମଧ୍ୟ ବର୍ଷକୁ ଥରେ ଶାମ୍ୱ ଦଶମୀ ଦିନ ନିଜ ଆସ୍ଥାନ ଛାଡି ଭକ୍ତଙ୍କ ଗହଣରେ ଭକ୍ତଙ୍କ କାନ୍ଧରେ ବସି ଗ୍ରାମ ନଗର ବୁଲିବୁଲି ମହା ଆନନ୍ଦ ଲୀଳା ରଚି ଥାଆନ୍ତି। ଭକ୍ତମାନେ ପ୍ରଭୁଙ୍କୁ ଅତି ନିକଟରେ ନିଜର ଆତ୍ମୀୟ ସ୍ୱଜନ ଭାବରେ ପାଇ ତାଙ୍କ ସହ ଭାବବିହ୍ୱଳ ହୋଇ କରୁଥିବା ଆନନ୍ଦ ଲୀଳା ଜଣେ ପ୍ରତ୍ୟକ୍ଷଦର୍ଶୀ ଭାବ ଅନୁଭବି ହିଁ ହୁଏତ ଅନୁଭବ କରିପାରିବେ ।
ଏହି ଯାତ୍ରା ଆରମ୍ଭରେ ଷଢବଂଶୀ ଗୋଁଡ୍ ସମାଜର ଛଅ ଜଣ ମହିଳା ଛଅ ଟି ପୂର୍ଣ୍ଣ କଳସ ସ୍ଥାପନା କରନ୍ତି । ଷଢବଂଶ ତରଫରୁ ପ୍ରଭୁ ଜଂଘାଦେବଙ୍କୁ ଶିଆଳି ଲତାରେ ନିର୍ମିତ ଛଅଟି ପଇତା ଅର୍ପଣ କରାଯାଇଥାଏ । ଦାହ ଜନିତ ପୋଡା ଜଳାର ଉପଶମ ପାଇଁ ମହା ପ୍ରଭୁଙ୍କୁ ଭକ୍ତମାନେ ପ୍ରତିଦିନ ଜଡାତେଲ ଲେପନ କରିଥାଆନ୍ତି ।
ଅନୁଭବି ଭକ୍ତମାନେ କୁହନ୍ତି ମହାପ୍ରଭୁ ଭକ୍ତଙ୍କ କାନ୍ଧରେ ବସି ଗ୍ରାମ ନଗର ପରିକ୍ରମା କରୁଥିବାର ଦୃଶ୍ୟମାନ ହେଉଥିଲେ ମଧ୍ୟ ସେ ତାଙ୍କ ନିଜ ଇଚ୍ଛାରେ ଗତି କରିଥାଆନ୍ତି, ତାଙ୍କୁ ନିଜ ଇଚ୍ଛା ଅନୁସାରେ ଭକ୍ତମାନେ ଚଳାଇ ପାରନ୍ତି ନାହିଁ, ତାଙ୍କର ଯୁଆଡେ ଇଚ୍ଛା ସେ ସେଆଡେ ସେ ଭକ୍ତଙ୍କ ପାଖକୁ ମାଡି ଯାଆନ୍ତି । ଏପରିକି ପରିକ୍ରମା କରୁ କରୁ ବାଟରେ ପୋଖରୀ କି ଜଳାଶୟ ଦେଖିଲେ ସେ ସିଧା ତା ଭିତରକୁ ପଶିଯାଇ ମନଇଚ୍ଛା ଜଳକ୍ରୀଡା କରନ୍ତି।
ମନରେ ଭକ୍ତି ଓ ସମର୍ପଣ ଭାବ ନଥିବା ଅହଙ୍କାରୀ ଲୋକଙ୍କ ପାଇଁ ସେ ମହାମେରୁ ସମ ଓଜନିଆ ହୋଇଥାଆନ୍ତି, ସେପରି ଲୋକେ ମହାପ୍ରଭୁ ଜଂଘାଦେବଙ୍କୁ କାନ୍ଧରେ ବୋହି ପାରନ୍ତି ନାହିଁ । ଶ୍ରଦ୍ଧା ଓ ସମର୍ପଣ ଭାବ ଥିଲେ ପ୍ରଭୁ ଫୁଲ ପରି ହାଲକା ପ୍ରତୀୟମାନ ହୁଅନ୍ତି ।
ପ୍ରଭୁଙ୍କ ପାଖରେ ସବୁଦିନ ଫଳମୂଳ ଓ ଅନ୍ୟାନ୍ୟ ଭୋଗରାଗ ହୋଇଥାଏ, କେବଳ ବାଲିତୃତୀୟା ଦିନ ବର୍ଷକୁ ଥରେ ମହାପ୍ରଭୁ ଜଂଘାଦେବଙ୍କ ପାଖରେ ଅନ୍ନ ଭୋଗ କରାଯାଇଥାଏ ।
ହଁ, ଆଉ କଥାଏ କହିବାକୁ ହେବ।
ଅବନ୍ତୀର ( ମଧ୍ୟପ୍ରଦେଶ ) ସୋମବଂଶୀ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ୱାରା ପୁରୀରେ ଶ୍ରୀଜଗନ୍ନାଥ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା କଥା ସମସ୍ତେ ଊଣା ଅଧିକେ ଜାଣନ୍ତି ।
ତାଙ୍କୁ ବାରମ୍ୱାର ଏ ସମ୍ପର୍କୀତ ସ୍ୱପ୍ନ ହେବାରୁ ସେ ଶ୍ରୀଚତୁର୍ଦ୍ଧାମୂର୍ତ୍ତୀ ନିର୍ମାଣ କରାଇ 100 ଖ୍ରୀଷ୍ଟାଦ୍ଦରେ ଶ୍ରୀକ୍ଷେତ୍ରରେ ପ୍ରତିଷ୍ଠା କରିଥିଲେ ବୋଲି କୁହାଯାଏ ।
ଯେହେତୁ ମହାପ୍ରଭୁଙ୍କ ଜଂଘ ଠାରୁ ପାଦ ପର୍ଯ୍ୟନ୍ତ ଅଂଶକୁ ଜଂଘାଦେବ ହିସାବରେ ମଧ୍ୟପ୍ରଦେଶର ଗୋଁଡ୍ ବଂଶୀୟ ଲୋକମାନେ ବହୁ ପୂର୍ବରୁ ପୂଜାଅର୍ଚ୍ଚନା କରୁଥିବା କଥା ଇନ୍ଦ୍ରଦ୍ୟୁମ୍ନ ଅବଗତ ଥିଲେ, ବୋଧହୁଏ ସେହି ହେତୁରୁ ଜଂଘାଦେବ ଉପାସନାକୁ ଯଥାର୍ଥ ଭକ୍ତିପୂତ ମାନ୍ୟତା ଦେଇ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ନିର୍ମାଣରେ ପ୍ରଭୁଙ୍କର ଅଣ୍ଟା ବା ଜଂଘଠାରୁ ପାଦ ପର୍ଯ୍ୟନ୍ତ ଅଂଶ ପରିଦୃଶ୍ୟମାନ ହୁଏ ନାହିଁ ବା ନିର୍ମାଣ କରାଯାଇ ନାହିଁ । ସେହି ହେତୁ ହୁଏତ ପ୍ରଭୁଙ୍କର ପାଦ ଠାରୁ ଅଣ୍ଟା ପର୍ଯ୍ୟନ୍ତ ଅଂଶଟି ଶ୍ରୀଜଂଘାଦେବ ନାମରେ ଉପାସିତ ହେଉଥିବାବେଳେ ଅଣ୍ଟାଠାରୁ ମସ୍ତକ ପର୍ଯ୍ୟନ୍ତ ଅଂଶଟି ଶ୍ରୀଜଗନ୍ନାଥ ନାମରେ ଉପାସିତ ହେଉଅଛନ୍ତି ।
ଜୟ ଶ୍ରୀଜଂଘାଦେବ
ଜୟ ଶ୍ରୀଜଗନ୍ନାଥ
– ଲକ୍ଷ୍ମୀଧର ନାୟକ
03.01.2022