କୁରୁକ୍ଷେତ୍ର ଯୁଦ୍ଧର ଅନ୍ତିମ ପର୍ଯ୍ୟାୟ । କ୍ଷତାକ୍ତ କୁରୁ ଚୂଡ଼ାମଣି ମହାମାନି ଦୁର୍ଯ୍ୟୋଧନ ପ୍ରାଣ ବିକଳରେ ଆଶ୍ରୟ ନେଇଛି ବ୍ୟାସ ସରୋବର ମଧ୍ୟରେ ମାଆ ଲକ୍ଷ୍ମୀଙ୍କ କୋଳରେ । ପାଣ୍ଡଵ ମାନେ ଏକଥା ଜାଣି ପାରିଲେ । ସରୋବର ତୀରରେ, ଭୀମ ସିଂହନାଦ କରି ଦୁର୍ଯ୍ୟୋଧନକୁ ଧିକ୍କାର କରି ଆହ୍ୱାନ ଦେବାରୁ ଦୁର୍ଯ୍ୟୋଧନ ଆଉ ସମ୍ଭାଳି ନପାରି ବାହାରକୁ ଚାଲି ଆସିଲେ । ମହାବଳି ଭୀମଙ୍କ ସହ ତାଙ୍କର ତୁମୁଳ ଗଦା ଯୁଦ୍ଧ ହେଲା । ଭୀଷଣ ଗଦାଘାତରେ ଭୀମ ତା’ର ଉରୁଭଗ୍ନ କରି ଭୂପତିତ କରାଇଲେ ।
ରକ୍ତାକ୍ତ ଦୁର୍ଯ୍ୟୋଧନ ଭୂମି ଉପରେ ପଡ଼ି ରହିଥାନ୍ତି । ଶ୍ଵାନ ଶୃଗାଳ ମାନେ ତାଙ୍କ ଚାରିପଟେ ବେଢ଼ି ରହି ଥାନ୍ତି । ଏହି ସମ୍ବାଦ ପାଇ ଅଶ୍ୱତ୍ଥାମା, କୃତବର୍ମା ଓ ଆଚାର୍ଯ୍ୟ କୃପ ଯାଇ ତାଙ୍କ ନିକଟରେ ପହଞ୍ଚିଲେ l ଧୂଳି ଧୂସରିତ, ଦୀନ ଦୁର୍ଯ୍ୟୋଧନଙ୍କୁ ଦେଖି ତାଙ୍କର ଶୋକର ସୀମା ରହିଲା ନାହିଁ । ଅଶ୍ୱତଥାମା ମୁମୂର୍ଷୁ ଦୁର୍ଯ୍ୟୋଧନଙ୍କୁ କହିଲେ ମହାରାଜ ! ବର୍ତ୍ତମାନ ମଧ୍ୟ ସମୟ ଅଛି । ଆପଣ ଆଜ୍ଞାଦେଲେ ମୁଁ ଏହିକ୍ଷଣି ଏ ଧରାକୁ ଅପାଣ୍ଡବା କରିଦେବି । କୃପାଚାର୍ଯ୍ୟଙ୍କ ଦ୍ୱାରା ଏକ ଜଳକଳସ ମଗାଇ ଦୁର୍ଯ୍ୟୋଧନ ଅତିହର୍ଷରେ ଅଶ୍ୱତ୍ଥାମାଙ୍କୁ ସେନାପତି ପଦରେ ବରଣ କଲେ । ପ୍ରତିଶୋଧ ପରାୟଣ ହୋଇ, ସେମାନେ ସମସ୍ତେ ପାଣ୍ଡଵ ଶିବିର ଆଡ଼କୁ ଚାଲିଲେ । ଦୁର୍ଯ୍ୟୋଧନଙ୍କ ପତନରେ ଆନନ୍ଦ ଉଲ୍ଲାସମୟ ପାଣ୍ଡଵ ଶିବିରରେ କିନ୍ତୁ ସେମାନେ ପଶିବାକୁ ଭରସି ପାରିଲେ ନାହିଁ । ନିକଟ ଏକ ଜଙ୍ଗଲରେ ସେମାନେ ଯାଇ ଅପେକ୍ଷା କରି ରହିଲେ ।
ଏହି ସମୟରେ ଏକ ଘଟଣା ଘଟିଲା । ସେଠାରେ ଥିବା ଏକ ବରଗଛରେ ବହୁ କାକ ବସାକରି ରହୁ ଥାନ୍ତି । ରାତ୍ରିରେ ସେମାନେ ସୁପ୍ତ ଅବସ୍ଥାରେ ଥିବା ବେଳେ ଗୋଟିଏ ପେଚା କୁଆଡ଼ୁ ଉଡ଼ି ଆସି ତା’ର ତୀକ୍ଷ୍ଣ ଚଞ୍ଚୁ ଓ ନଖାଘାତରେ ବହୁ ବାୟସ ଶାବକ ମାନଙ୍କୁ ମାରି ଦେଲା । ଏହା ଦେଖି, ଅଶ୍ୱତ୍ଥାମାଙ୍କ ମୁଣ୍ଡକୁ ବୁଦ୍ଧିଟିଏ ଜୁଟିଗଲା, ବଳବାନ ଶତ୍ରୁକୁ ସୁପ୍ତ ଅବସ୍ଥାରେ ମାରିଦିଆଯାଇ ପାରେ । ଏହା ବିଚାରି ସେ ପାଣ୍ଡଵ ଶିବିର ଅଭିମୁଖେ ତୀକ୍ଷ୍ଣ କୃପାଣଟିଏ ଦୃଢ଼ମୁଷ୍ଟିରେ ଧରି ଆଗେଇ ଚାଲିଲେ ।
ସେଠାରେ ପହଞ୍ଚି ଦେଖିଲେ, ଧୃଷ୍ଟଦ୍ୟୁମ୍ନ ଅସ୍ତ୍ର ଶସ୍ତ୍ର ପରିତ୍ୟାଗ କରି ସୁଖନିଦ୍ରା ଯାଇଛନ୍ତି । ସେ ଆଉ କାଳ ବିଳମ୍ବ ନକରି ତୀକ୍ଷ୍ଣ ତରବାରୀ ଚୋଟରେ ତାଙ୍କୁ ନିହତ କଲେ । ଯୁଦ୍ଧାମନ୍ୟୁ ଏବଂ ଉତ୍ତମୋୖଜାଙ୍କୁ ମଧ୍ୟ ସେ ଏହିପରି ନିହତ କଲେ । ଏହା ପରେ ସେ ପାଣ୍ଡଵ ପାଞ୍ଚ ଜଣ ଶୋଇଥିବା ମନେ କରି ଦ୍ରୌପଦୀଙ୍କର ପାଞ୍ଚ ପୁତ୍ରଙ୍କୁ ହାଣି ପକାଇଲେ। ତତ୍ପରେ ପାଣ୍ଡଵ ଶିବିରରେ ସେ ନିଆଁ ଲଗାଇ ଦେଲେ । ବିକଳରେ ସୁପ୍ତ ଯୋଦ୍ଧା ମାନେ ଏଣେ ତେଣେ ପଳାଉ ଥିବା ବେଳେ, ସେ ଗୋଟି ଗୋଟି କରି, ସମସ୍ତଙ୍କୁ ହାଣି ପକାଇଲେ । ସେଦିନ ସେ କାଳ ରାତ୍ରିରେ ପାଣ୍ଡଵ ଶିବିର ଏହିପରି ରକ୍ତ ରଞ୍ଜିତ ହୋଇଗଲା ।
ପାଣ୍ଡଵ ଶିବିରରେ ଏହିପରି ରକ୍ତର ହୋଲି ଖେଳି ଅଶ୍ୱତ୍ଥାମା ମୁମୂର୍ଷୁ ଦୁର୍ଯ୍ୟୋଧନଙ୍କ ନିକଟକୁ ଫେରି ଆସି କହିଲା, ମହାରାଜ ! ମୁଁ ମୋ ପ୍ରତିଜ୍ଞା ପୂରଣ କରିଛି । ସମସ୍ତ ପାଣ୍ଡଵ ଶିବିର ଧ୍ବଂସ ହୋଇଛି । ଦୁର୍ଯ୍ୟୋଧନ କହିଲେ, ‘ଆଜି ତୁମେ ଯେଉଁ କାର୍ଯ୍ୟ କଲ, ତାହା କେହି ବି କରି ପାରି ନଥିଲେ । ତୁମକୁ ଶତ ଶତ ଅଭିନନ୍ଦନ ‘ । ଏମିତି କହି ଦୁର୍ଯ୍ୟୋଧନ ପ୍ରାଣ ତ୍ୟାଗ କଲେ ।
ପ୍ରଭାତହେବାରୁ ଯୁଧିଷ୍ଠିରଙ୍କ ପାଖରେ ପୂର୍ବରାତ୍ରିର ସେହି ବିଭୀଷିକା କଥା ପହଞ୍ଚିଲା ଧର୍ମରାଜ ଉଚ୍ଚ ସ୍ୱରରେ ବିଳାପ କରି କହିଲେ, ବିଶାଳ ସମୁଦ୍ରକୁ ପାର କରି ଆମ ତରୀଟି କୂଳରେ ଲାଗିବା ପୂର୍ବରୁ ବୁଡ଼ି ଗଲା। ଆହା ହତଭାଗୀନି ଦ୍ରୌପଦୀ, ପୂର୍ବେ ସେ ପିତାଙ୍କୁ ହରାଇ ଥିଲା । ଏବେ ପାଞ୍ଚପୁତ୍ର ଏବଂ ଭାଇ । ମୁଁ କଅଣ କହି ତାଙ୍କୁ ସାନ୍ତ୍ୱନା ଦେବି ।
ଧର୍ମରାଜଙ୍କ ନିକଟକୁ ଆସି ଦ୍ରୌପଦୀଙ୍କ ଶୋକର ସୀମା ରହିଲା ନାହିଁ । ସେ ଚିତ୍କାର କରି କହିଲେ, ଅଶ୍ୱତ୍ଥାମାକୁ କଣ ଶାସ୍ତି ଦେବାପାଇଁ କେହିହେଲେ ନାହାଁନ୍ତି । ଦ୍ରୌପଦୀଙ୍କ କଥା ଶୁଣି ଭୀମ ଅତି କ୍ରୁଦ୍ଧ ହୋଇ ଅଶ୍ୱତ୍ଥାମାକୁ ଖୋଜିବା ପାଇଁ ବାହାରିଲେ ।
ଭୀମ ଚାଲିଗଲା ପରେ ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ ଡାକି କହିଲେ,ମହାରାଜ ! ଅଶ୍ୱତ୍ଥାମା ହସ୍ତରେ ବ୍ରହ୍ମଶିର ବୋଲି ଏକ ମହା ତେଜଶାଳୀ ଅସ୍ତ୍ର ଅଛି । ସମସ୍ତ ସଂସାରକୁ ଦଗ୍ଧ କରି ଦେବାର ଶକ୍ତି ସେହି ଅସ୍ତ୍ରର ରହିଛି । ସେ ପିତା ଦ୍ରୋଣଙ୍କ ଠାରୁ ଏହା ପାଇଛି । ଆଚାର୍ଯ୍ୟ ଏଭଳି ଏକ ଅସ୍ତ୍ର ମଧ୍ୟ ଫାଲ୍ଗୁନୀଙ୍କୁ ଦାନ କରି ଥିଲେ । ଏ ଅସ୍ତ୍ରର ନିୟମ ହେଉଛି, ଅତ୍ୟନ୍ତ ଭୟଙ୍କର ସ୍ଥିତି ନହେଲେ ଏହାକୁ ପ୍ରୟୋଗ କରା ଯିବନାହିଁ । ତେଣୁ ଅର୍ଜୁନଙ୍କୁ ଉପଯୁକ୍ତ ମନେ କରି ଗୁରୁ ଏହା ପ୍ରଦାନ କରି ଥିଲେ । ଅଶ୍ୱତ୍ଥାମା ପରେ ବହୁ ଜିଦ କଲାରୁ ପୁତ୍ର ସ୍ନେହବଶ ସେ ତାକୁ ଏହା ପ୍ରଦାନ କରିଛନ୍ତି । ମୋର ଆଶଙ୍କା ହେଉଛି କାହିଁ ବାତୁଳ ପ୍ରାୟେ, ସେ ଏହା ଭୀମଙ୍କ ପ୍ରତି ପ୍ରୟୋଗ କରିଦେବ ନାହିଁ ତ ? ଚାଲନ୍ତୁ ଆମେ ସମସ୍ତେ ମିଶି ଭୀମଙ୍କୁ ରକ୍ଷା କରିବା । ଏକଦା ଅଶ୍ୱତ୍ଥାମା ସେହି ବ୍ରହ୍ମଶୀର ଅସ୍ତ୍ର ବଦଳରେ, ମୋତେ ସୁଦର୍ଶନ ଚକ୍ର ମାଗିଥିଲା । ଏପରି ଚିନ୍ତା କରି ସେମାନେ ଭୀମଙ୍କ ଅନୁଧାବନ କଲେ।
ଗଙ୍ଗାକୂଳ ବ୍ୟାସାଶ୍ରମରେ ଥାଇ, ସେ ସେମାନଙ୍କୁ ଦେଖି ଅତି ଭୟଭୀତ ହୋଇ, ଏକ କୁଶକୁ ଆଣି ବ୍ରହ୍ମଶିର ଅସ୍ତ୍ର ମନ୍ତ୍ରରେ ଅଭିମନ୍ତ୍ରିତ କରି, ‘ ସମସ୍ତ ପାଣ୍ଡଵକୁଳ ନାଶ ହେଉ’ କହି ଛାଡ଼ି ଦେଲା । ସେ ଅସ୍ତ୍ରର ପ୍ରଚଣ୍ଡ ତେଜ ସମସ୍ତ ସଂସାରକୁ ଭଷ୍ମକରି ଦେବା ଭଳି ବୋଧହେଉଥାଏ । ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଲେ, ପାର୍ଥ ଏ ଅସ୍ତ୍ରକୁ ନିବାରଣ ପାଇଁ, ତୁମକୁ ଗୁରୁ ଦ୍ରୋଣଙ୍କ ଦତ୍ତ ଅସ୍ତ୍ର, ପ୍ରୟୋଗ କର । ଅର୍ଜୁନ ଗୁରୁଙ୍କୁ ପ୍ରଣାମ କଲେ ଓ ତାଙ୍କର ବ୍ରହ୍ମଶିର ଅସ୍ତ୍ରକୁ ପ୍ରେରଣ କଲେ । ଦୁଇ ଅସ୍ତ୍ରର ଜ୍ୱାଳାରେ ଭୂ ମଣ୍ଡଳ ଥରହର ହେବାକୁ ଲାଗିଲା । ସଂସାର ରକ୍ଷାପାଇଁ ଦେବର୍ଷି ନାରଦ ଓ ମହର୍ଷି ବ୍ୟାସ ଦୁହିଁଙ୍କୁ ଏହାକୁ ପ୍ରତ୍ୟାହାର ପାଇଁ ଉପଦେଶ ଦେଲେ ।
ଅର୍ଜୁନ ଧାର୍ମିକ, ନ୍ୟାୟ ବନ୍ତ ଓ ଜିତେନ୍ଦ୍ରିୟ ହୋଇ ଥିବାରୁ, ଅସ୍ତ୍ର ଫେରାଇ ଆଣିଲେ । କିନ୍ତୁ ଅଶ୍ୱତ୍ଥାମା ଏସବୁ ଗୁଣର ଅଧିକାରୀ ନ ହୋଇ ଥିବାରୁ, ତାହା କରି ପାରିଲେନାହିଁ । ସେ ଋଷିମାନଙ୍କ କଥା ମାନି କହିଲେ,ଏ ଅସ୍ତ୍ର ଫେରାଇବା ମୋର ସାଧ୍ୟାତୀତ । କିନ୍ତୁ ଏହା ସମସ୍ତ ପାଣ୍ଡଵଙ୍କ ସଂହାରକ ନହୋଇ ପାଣ୍ଡଵଙ୍କ କୁଳବଧୁ ଅଭିମନ୍ୟୁଙ୍କ ପତ୍ନୀ ଉତ୍ତରାଙ୍କ ଗର୍ଭରେ ପତିତ ହେଉ ।
ଅର୍ଜୁନ ଅଶ୍ୱତ୍ଥାମାଙ୍କୁ ଜୀବନରେ ନ ମାରି, ତାହାର କପାଳରେ ଥିବା, ଦିବ୍ୟ ମଣିଟିକୁ କାଢ଼ି ନେଲେ । ଶ୍ରୀକୃଷ୍ଣ କହିଲେ, ଅଶ୍ୱତ୍ଥାମାର ଅସ୍ତ୍ର ଅଵ୍ୟର୍ଥ,ଏହା ଉତ୍ତରାଙ୍କ ଗର୍ଭରେ ପଡ଼ିଲେ ଏକ ମୃତ ପୁତ୍ର ଜନ୍ମ ହେବ। ଭଗବାନ ଶ୍ରୀକୃଷ୍ଣ ଉତ୍ତରାଙ୍କ ଗର୍ଭ ରକ୍ଷା କଲେ । ପାଣ୍ଡବ କୁଳ କ୍ଷୀଣ ହେବା କାଳରେ, ସେହି ପୁତ୍ରର ଜନ୍ମ । ତେଣୁ ତାହାର ନାମ ହେବ ପରୀକ୍ଷିତ । ସେ ଏହି ପୃଥିବୀକୁ ଷାଠିଏ ହଜାର ବର୍ଷ ଶାସନ କରିବ। କୃଷ୍ଣ ଅଶ୍ୱତ୍ଥାମାଙ୍କୁ କହିଲେ, ବ୍ରାହ୍ମଣ ହୋଇ ତୁମେ ଯେଉଁ ନିନ୍ଦନୀୟ କର୍ମ କରିଛ, ସେଥି ପାଇଁ ତୁମେ ତିନି ହଜାର ବର୍ଷ ଯାଏ ସହାୟହୀନ ହୋଇ ପୂଯ ରକ୍ତ ଓ ଦୁର୍ଗନ୍ଧ ଯୁକ୍ତ ହୋଇ ଜନଶୂନ୍ୟ ରାଜ୍ୟରେ ବିଚରଣ କରିବ ।
ସମସ୍ତେ ଦ୍ରୌପଦୀଙ୍କ ନିକଟକୁ ଫେରି ଆସିଲେ ଓ ତାଙ୍କୁ ମଣିଟିକୁ ପ୍ରଦାନ କରି, ଅଶ୍ୱତ୍ଥାମାଙ୍କୁ ପ୍ରଦତ୍ତ ଦଣ୍ଡ ବିଷୟ କହିଲେ । ଦ୍ରୌପଦୀ କହିଲେ, ‘ଗୁରୁ ପୁତ୍ର, ଗୁରୁ ସ୍ଥାନୀୟ । ତାଙ୍କୁ ହତ୍ୟା ନ କରି ଯେଉଁ ଦଣ୍ଡ ଦିଆ ଯାଇଛି, ତାହା ଯଥାର୍ଥ । ମୁଁ ଯେଉଁ ପୁତ୍ର କଷ୍ଟ ଭୋଗ କରୁଛି, ତାଙ୍କ ମାତା କୄପୀ ଆଉ ସେ କଷ୍ଟ ଭୋଗନକରନ୍ତୁ, ଏ ମଣି ରାଜମସ୍ତକ ଯୋଗ୍ୟ ମହାରାଜ ଯୁଧିଷ୍ଠିର ଏହାକୁ ଧାରଣ କରନ୍ତୁ ।
ଏହିପରି କ୍ଷମାଶିଳା ଥିଲେ, ପାଣ୍ତବବଧୂ ଦ୍ରୌପଦୀ । ନିଜ ପୁତ୍ର ମାନଙ୍କ ହତ୍ୟାକାରୀ, ଅଶ୍ଵତ୍ଥାମାଙ୍କୁ ମଧ୍ୟ ସେ ନିର୍ବିକାର ଚିତ୍ତରେ କ୍ଷମା ଦେଇଥିଲେ । ସେହି ରକ୍ତରଞ୍ଜିତ କାଳରାତ୍ରୀରେ ସମାଧି ଲଭିଥିବା ତାଙ୍କ ପାଞ୍ଚପୁତ୍ର ଥିଲେ ପ୍ରତିବିନ୍ଦ୍ୟ, ସୂତସୋମ, ଶ୍ରୁତକର୍ମା ସତାନିକ ଓ ଶ୍ରୁତସେନ । ଅଶ୍ଵତ୍ଥାମା ବ୍ରହ୍ମଶୀର ଅସ୍ତ୍ର ଯାଇ ଉତ୍ତରା ଦେବୀଙ୍କ ଗର୍ଭରେ ପଡ଼ିଲା । ଶ୍ରୀକୃଷ୍ଣ ସେହି ଗର୍ଭକୁ ରକ୍ଷା କଲେ ଏଵଂ ଜନ୍ମ ଲାଭ କଲେ ପାଣ୍ତବ କୂଳ ଅଙ୍କୁର ମହାରାଜ ପରୀକ୍ଷିତ ।
!!! ଓଁ ନମଃ ଭଗବତେ ବାସୁଦେବାୟଃ !!!
🙏🙏🙏
ଅର୍ଜୁନୀ ଚରଣ ବେହେରା
ମୋ -7693091971