କୃଷ୍ଣ ବନ୍ଦେ ଜଗଦ୍ ଗୁରୁ

Share it

କୃଷ୍ଣ ବନ୍ଦେ ଜଗଦ୍ଗୁରୁ
=============

ଷୋଳକଳା ନେଇ ଦ୍ୱାପରଯୁଗରେ ଦୁଷ୍ଟ ଦଳନ ପାଇଁ ଭଗବାନ ଶ୍ରୀକୃଷ୍ଣ ଏ ଧରା ଧାମରେ ଅବତୀର୍ଣ୍ଣ ହୋଇଥିଲେ l ସେତେବେଳେ ଧରାରେ ରାଜୁତି କରୁଥାଏ ବର୍ଷାକାଳ l ନଦୀ, ନାଳ, କୂପ, ତଡାଗ ଜଳପୂର୍ଣ ଅଛନ୍ତି l ବୃକ୍ଷଲତା ତୃଣ ସବୁଜ ରୂପଶ୍ରୀରେ ମଣ୍ଡିତ ଅଛନ୍ତି l ଧରଣୀ ରସ ପୂର୍ଣ୍ଣ l ଚତୁର୍ଦ୍ଦିଗ ସୁମନର ସୁଗନ୍ଧରେ ସୁଗନ୍ଧିତ l ସମଗ୍ର ସୃଷ୍ଟି ପୁଲକିତ ହୋଇ ଉଠିଛି l କୃଷ୍ଣଙ୍କ ଆଗମନ ଅପେକ୍ଷାରେ ସମସ୍ତ ସୃଷ୍ଟି ପ୍ରସ୍ତୁତ ହୋଇ ରହିଛି l ଶ୍ରୀମଦ ଭାଗବତ ଏହାକୁ ଅତି ଚମତ୍କାର ଭାବେ ବର୍ଣ୍ଣନା କରିଛନ୍ତି :-
ଆନନ୍ଦ ହେଉଅଛି ମହି l
କୃଷ୍ଣ ଜନ୍ମିବେ ଦେହ ବହି ll
ଋତୁଙ୍କ ମଧ୍ୟେ ଶ୍ରେଷ୍ଠ ବଳ l
ସମ୍ପୂର୍ଣ୍ଣ ବରଷାର କାଳ ll
ଭାଦ୍ରବ ମାସ କୃଷ୍ଣ ପକ୍ଷେ l
ସକଳ ଗ୍ରହ ଛନ୍ତି ଉଚେ ll

ଏଭଳି ଏକ ଦିବ୍ୟ ମୁହୂର୍ତ୍ତରେ ଭାଦ୍ରବ ମାସ କୃଷ୍ଣ ଅଷ୍ଟମୀ ତିଥିରେ ଭଗବାନ ଶ୍ରୀକୃଷ୍ଣ କଂସର କାରା ଗୃହରେ ମାତା ଦେବକୀଙ୍କ ଗର୍ଭରୁ ଜନ୍ମ ହେଲେ l ଲୀଳା ପୁରୁଷୋତ୍ତମ ମର୍ତ୍ତ୍ୟ ମଣ୍ଡଳରେ ଆପଣାର ଲୀଳା ରଚନା ପାଇଁ ବସୁଦେବ ପୁତ୍ର ରୂପେ ଜନ୍ମ ଗ୍ରହଣ କରିଥିଲେ l ତାଙ୍କର ପବିତ୍ର ଜନ୍ମ ତିଥିକୁ ଆମେ ଜନ୍ମାଷ୍ଟମୀ ଭାବେ ପାଳନ କରୁ l ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ମୁହୂର୍ତ୍ତକୁ ଭାଗବତ ବର୍ଣ୍ଣନା କରି କହନ୍ତି :-

ଅଷ୍ଟମୀ ନିଶା ଅର୍ଦ୍ଧ ଭାଗେ l
ରୋହିଣୀ ନକ୍ଷତ୍ର ସଂଯୋଗେ l
ବୃଷ ରାଶିରେ ନିଶାକର l
ନକ୍ଷତ୍ର ଗ୍ରହେ ବଳୀୟାର ll
ଆକାଶେ ଉଦେ ନିଶାକର l
ଗୋବିନ୍ଦ ଉଦରୁ ବାହାର ll

ଭଗବାନ ଶ୍ରୀକୃଷ୍ଣଙ୍କ ଧରା ଧାମରେ ଏ ଅବତାର ନେବାର କେତେ ଗୁଡ଼ିଏ ମୁଖ୍ୟ ଉଦ୍ଦେଶ୍ୟ ଥିଲା l ପ୍ରଥମ ଉଦ୍ଦେଶ୍ୟ, ଅତ୍ୟାଚାରୀ ରାକ୍ଷସ କଂସକୁ ନିଧନ କରି ଧରାଭାର ଉଶ୍ୱାସ କରିବା l ଦ୍ୱିତୀୟ, ଭକ୍ତ ଶ୍ରେଷ୍ଠ ଅର୍ଜୁନଙ୍କୁ କୁରୁକ୍ଷେତ୍ର ରଣ ଭୂମିରେ କାଳଜୟୀ ଗୀତାବାଣୀ ଶୁଣାଇବା ଏବଂ ତୃତୀୟ ସମସ୍ତ ମନୁଷ୍ୟ ସମାଜ ମଧ୍ୟରେ ଭକ୍ତି ମନ୍ଦାକିନୀ ପ୍ରବାହିତ କରାଇବା l ଭଗବାନଙ୍କ ସ୍ୱରୂପ କ’ଣ, ଭଗବାନ ମନୁଷ୍ୟ ମାନଙ୍କ ମଧ୍ୟରେ କିପରି ଲୀଳା ଖେଳା କରି ପାରନ୍ତି ତାହା ଥିଲା ଶ୍ରୀକୃଷ୍ଣଙ୍କ କର୍ମ ମୟ ଜୀବନର ନିର୍ଯ୍ୟାସ l କଂସ ବନ୍ଦୀ ଶାଳାରେ ପ୍ରକଟହୋଇ ସେ ସର୍ବପ୍ରଥମେ ନିଜ ପିତାମାତାଙ୍କୁ ନିଜର ଶଙ୍ଖ, ଚକ୍ର, ଗଦା, ପଦ୍ମ ଧାରୀ ଦିବ୍ୟ ରୂପ ଦର୍ଶନ କରାଇଥିଲେ l

ନୀଳ ଜୀମୂତ ଦେହ କାନ୍ତି l
ବଳୟ ମଣି ଝଟକନ୍ତି ll
ଦିଶଇ ଶଙ୍ଖ ଚକ୍ର ତେଜ l
ମର୍କତ ସ୍ତମ୍ଭ ଚାରି ଭୁଜ ll
ଗଦା କମଳ ଶଙ୍ଖ ଚକ୍ର l
ଅଧର ଓ଼ଷ୍ଠ ରଙ୍ଗ ରେଖ ll

ବାଲ୍ୟକାଳରେ ମାତା ଯଶୋଦାଙ୍କୁ ଆଁ କରି ମାଟି ଖିଆ ପାଟି ଦେଖାଇବାକୁ ଯାଇ ଉଦର ଭିତରେ ଚଉଦ ବ୍ରହ୍ମାଣ୍ଡ ଦର୍ଶନ କରାଇଥିଲେ l ବାତ୍ସଲ୍ୟ ପ୍ରେମରେ ବନ୍ଧା ମାଆ ଯଶୋଦା କିନ୍ତୁ ଭଗବାନଙ୍କୁ ଚିହ୍ନି ପାରି ନଥିଲେ l ସେ ତ ତାଙ୍କରି ମାୟାରେ କବଳିତ ଥିଲେ l

ତାଟକା ହୋଇଲେ ଯଶୋଦା ମାତ l
ତୁଣ୍ଡରେ ଦେଖିଲେ ସାରା ଜଗତ ll
ମୃଦୁ ମୃଦୁ ହସି ଦେଲେ କହ୍ନାଇ l
ଅପଲକେ ମାତା ଥିଲେ ଅନାଇ ll

ଶ୍ରୀମଦ ଭଗବତଗୀତା ଭଗବାନ ଶ୍ରୀକୃଷ୍ଣଙ୍କ ମୁଖ ନିସୃତ ବାଣୀ l ଏହାକୁ ଜାଣିବା ପାଇଁ ଭଗବାନ ଶ୍ରୀକୃଷ୍ଣଙ୍କ ଜୀବନ ଚର୍ଯ୍ୟାକୁ ଅନୁଧ୍ୟାନ କରିବାକୁ ହେବ l ଭଗବାନ ତାଙ୍କ ଜୀବନ କାଳ ମଧ୍ୟରେ ଦେଖାଇ ଦେଇ ଯାଇଛନ୍ତି, ସେ ହେଉଛନ୍ତି ସର୍ବ ଶ୍ରେଷ୍ଠ ଯୋଦ୍ଧା, ସର୍ବ ଶ୍ରେଷ୍ଠ ନାୟକ, ସର୍ବ ଶ୍ରେଷ୍ଠ ବକ୍ତା,ସର୍ବ ଶ୍ରେଷ୍ଠ କର୍ମଯୋଗୀ ଏବଂ ସର୍ବ ଶ୍ରେଷ୍ଠ ଜ୍ଞାନ ଯୋଗୀ l ବିଦ୍ୟା ସହିତ ବିନୟର ସମନ୍ଵୟ ଘଟାଇ ସେ ଗୁରୁ ଓ ଗୁରୁଜନ ମାନଙ୍କୁ ସର୍ବ ଶ୍ରେଷ୍ଠ ସମ୍ମାନ ପ୍ରଦର୍ଶନ କରିଛନ୍ତି l ପ୍ରଭୁ ପଣରେ ତାଙ୍କୁ କେହି ସରିନୁହଁନ୍ତି lତାଙ୍କ ଜୀବନରେ କର୍ମଯୋଗ , ଭକ୍ତିଯୋଗ, ରାଜଯୋଗ ଓ ଜ୍ଞାନଯୋଗର ଅପୂର୍ଵ ସମନ୍ଵୟ ଘଟିଛି l ତାଙ୍କର ମୁଖ ନିସୃତ ଶ୍ରୀମଦ ଭଗବତ ଗୀତା ପରମାର୍ଥର ପ୍ରାପ୍ତି ନିମନ୍ତେ ଏକ ଅସାଧାରଣ ଦିଗଦର୍ଶକ ଗ୍ରନ୍ଥ l ଏହାକୁ ସ୍ୱାଧ୍ୟାୟ ଅର୍ଥାତ ନିତ୍ୟପ୍ରତ୍ୟ ପାଠକଲେ ତତ୍ତ୍ୱମସିର ଯେ ଉଜ୍ଜ୍ୱଳ ଆଲୋକ ପ୍ରାପ୍ତ ହୋଇ ପାରିବ,ଏହା ସୁ ନିଶ୍ଚିନ୍ତ l

ଗୀତାର 18 ଟି ଅଧ୍ୟାୟ ମଧ୍ୟରୁ ପ୍ରଥମ 6 ଗୋଟି ଅଧ୍ୟାୟ କର୍ମଯୋଗ ବା ତତ ପଦ, ଦ୍ଵିତୀୟ 6 ଟି ଅଧ୍ୟାୟ ଭକ୍ତିଯୋଗ ବା ତ୍ୱମ ପଦ ଏବଂ ତୃତୀୟ 6 ଗୋଟି ଅଧ୍ୟାୟ ଜ୍ଞାନଯୋଗ ବା ଅସିପଦ ପ୍ରାପ୍ତ କରାଇବା ପାଇଁ ସମର୍ଥ l ଭଗବାନ ଶ୍ରୀକୃଷ୍ଣ ତାଙ୍କ ଜୀବନ କାଳରେ ସତ୍ୟ,ଧର୍ମ ଓ ନ୍ୟାୟର ପ୍ରତିଷ୍ଠା ପାଇଁ ନିରନ୍ତର ସଂଗ୍ରାମ କରିଛନ୍ତି l ବାଲ୍ୟକାଳରେ ଇନ୍ଦ୍ର କୋପରୁ ଗୋପପୁରକୁ ରକ୍ଷା କରିବା ପାଇଁ ସେ ଗୋବର୍ଦ୍ଧନ ଗିରିକୁ ଛତ୍ର ପ୍ରାୟ ଧାରଣ କରିଛନ୍ତି l ଚଉଦବ୍ରହ୍ମାଣ୍ଡର କର୍ତ୍ତା ହୋଇ ମଧ୍ୟ ସେ ଅର୍ଜୁନଙ୍କ ରଥରେ ସାରଥୀ ସାଜିଛନ୍ତି l ଅତିଥି ସେବାର ଚରମ ଆଦର୍ଶ ଦେଖାଇ ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କ ରାଜସୂୟ ଯଜ୍ଞରେ ଅତିଥିମାନଙ୍କର ପଦ ଧୌତ କରିବାକୁ ଶ୍ରେୟ ମଣିଥିଲେ l ଶାନ୍ତି ଦୂତ ଭାବେ ପାଞ୍ଚଖଣ୍ଡ ପଡା ମାଗିବାକୁ ଯାଇ ସେ ଦୁର୍ଯ୍ୟୋଧନର ତାତ୍ସଲ୍ୟଭରା ବାକ୍ୟକୁ ସହ୍ୟ କରି ସହାସ୍ୟ ବଦନରେ ତାଙ୍କୁ ବୁଝାଇ ଦେଇଥିଲେ, “ଦେଖ ଭାଈ ଦୁର୍ଯ୍ୟୋଧନ ! ଶାନ୍ତି, ସୁଖ ସମୃଦ୍ଧି ପାଇଁ ଏକାନ୍ତ କାମ୍ୟ l ବୃଥା ଗର୍ବରେ ମତ୍ତ ହୋଇ ହିତାକାଂକ୍ଷୀ ମାନଙ୍କ ପରାମର୍ଶ ଗ୍ରହଣ ନକଲେ ତାର କୁପରିଣାମ ତୁମକୁ ନିଶ୍ଚେ ଭୋଗ କରିବାକୁ ପଡ଼ିବ l”

ଭଗବାନ ଧରାଧାମ ଛାଡିଲା ବେଳେ ଭକ୍ତ ଶ୍ରେଷ୍ଠ ଉଦ୍ଧବଙ୍କୁ ଭାଗବତ ଶାସ୍ତ୍ରର ସମସ୍ତ ତତ୍ତ୍ୱକୁ ଜ୍ଞାତ କରାଇ ଉପଦେଶ ଛଳରେ କହିଥିଲେ,” ସମସ୍ତ ପ୍ରାଣୀ ଦେହରେ ମୋତେ ଦର୍ଶନ କର l ମନରେ କୌଣସି ପ୍ରକାର ଦ୍ଵିଧା ନରଖି ମୋ ଠାରେ ନିଜକୁ ସର୍ବୋତଭାବେ ସମର୍ପଣ କର l ଜୀବନର ସମସ୍ତ କର୍ମଫଳ ମୋତେ ସମର୍ପଣ କରି ଶାନ୍ତିଲାଭ କର l ମୋର ନାମ ସଙ୍କୀର୍ତ୍ତନ କରି ଆନନ୍ଦ ଲାଭ କର l”

ସର୍ବ ସଂକଳ୍ପ ଛାଡ଼ି ତୁହି l
ସକଳ କର୍ମ ମୋତେ ଦେଇ ll
ଏକାନ୍ତେ ବୀର ଭଜ ମୋତେ l
ସଂସାର ଚିନ୍ତା ଛାଡ଼ି ଚିତ୍ତେ ll
ମୋର ବଚନେ ଅନୁସର l
ଏ ଭବ ଜଳୁଁ ହୁଅ ପାର ll

ଭଗବାନଙ୍କ ସେହି ମହାବାକ୍ୟକୁ ପାଥେୟ କରି ଆମ୍ଭ ମାନଙ୍କର ଜୀବନ ଧନ୍ୟ କରିବା ଏହା ହିଁ କାମନା ଆଜିର ପବିତ୍ର ଜନ୍ମାଷ୍ଟମୀ ଅବସରରେ l ଲୀଳାମୟ ଭଗବାନ ଶ୍ରୀକୃଷ୍ଣ ଆମ୍ଭମାନଙ୍କୁ ସେହି ଆଶୀର୍ବାଦ ପ୍ରଦାନ କରନ୍ତୁ l
ସର୍ବେ ଭବନ୍ତୁ ସୁଖିନଃ,
ସର୍ବେ ସନ୍ତୁ ନିରାମୟଃ !
🙏🙏🙏

ଅର୍ଜୁନୀ ଚରଣ ବେହେରା
ମୋ – 7693091971


Share it

Leave a comment

Your email address will not be published. Required fields are marked *

Verified by MonsterInsights