ମୋ କହିବା କଥା ଶ୍ରୀକୃଷ୍ଣ ବାପା ନନ୍ଦର କଣ ଗାଈ ଗୋରୁ ଅଭାବ ଥିଲେ ନା ଯଶୋଦା ଘରେ ଖୀର ଲବଣି ଅଭାବ ଥିଲା ଯେ ସେ ଲହୁଣି ଚୋରୀ କରୁଥିଲା ?
କିଛି ଖ୍ରିଷ୍ଟିଆନ ପାଦ୍ରୀ ଲୋକଙ୍କୁ କୁହନ୍ତି ଶ୍ରୀକୃଷ୍ଣ ପିଲାବେଳେ ଗୋଟିଏ ଚୋର ଥିଲା । ସେ ଅନ୍ୟମାନଙ୍କ ଘରୁ ଲହୁଣି ଚୋରୀ କରୁଥିଲା ।
ଆମେ ବି ସେପରି କହୁ, କିନ୍ତୁ ଆମେ ଶ୍ରୀକୃଷ୍ଣଙ୍କୁ ଲବଣୀ ଚୋର କହି ଆନନ୍ଦ ପାଉ, ସେମାନେ କଣ ସେଇ ଭାବରେ ଆମ କାହ୍ନାକୁ ଲବଣି ଚୋର କହନ୍ତି କି ? ବୋଧେ ନା ।
ମୋ କହିବା କଥା ଶ୍ରୀକୃଷ୍ଣ ବାପା ନନ୍ଦର କଣ ଗାଈ ଗୋରୁ ଅଭାବ ଥିଲେ ନା ଯଶୋଦା ଘରେ ଖୀର ଲବଣି ଅଭାବ ଥିଲା ଯେ ସେ ଲହୁଣି ଚୋରୀ କରୁଥିଲା ।
ସେତେବେଳେ ଗାଈକୁ ଧନ ହିସାବରେ ଗଣା ଯାଉଥିଲା ।
ଯାହାର ଯେତେ ଗାଈ ଥିଲେ ତଦନୁପାତରେ ତାଙ୍କୁ ଗୋଟେ ଉପାଧି ବା ସାଂଜ୍ଞା ମିଳୁଥିଲା ।
ନନ୍ଦଙ୍କୁ ଏ ଗାଈ ସଂଖ୍ୟା ଅନୁପାତରେ ନନ୍ଦ ମହାଖୁଡ ବୋଲି ସମ୍ୱୋଧିତ କରାଯାଉଥିଲା ।
ମହାଖୁଡ ଗୋଟାଏ ସଂଖ୍ୟା ବାଚକ ପରିମାଣ ।
ନନ୍ଦଙ୍କ ପରିଚାଳନା ଅଧିନରେ ମହାଖୁଡ ସଂଖ୍ୟକ ଗାଈ ଥିଲେ ।
କେଉଁ ଗୋପାଳର ଗୁହାଳେ, କାହାର ପହ୍ଲେ, କାହାର ଝାଙ୍କ୍ୟେ ଏହିପରି ।
ଏହି ପଦବୀଗୁଡା ପରବର୍ତ୍ତୀ ସମୟରେ ଅନେକ ଗୋପାଳ ମାନଙ୍କର ପଦ୍ଧତି ବା ଟାଇଟେଲ ହୋଇଯାଇଥିବା ଆଜି ବି ଦେଖିବାକୁ ମିଳେ ।
ଯଥା ପହ୍ଲରୁ ପଲେଇ, ଗୁହାଳରୁ ଗୁଆଲ, ଝାଙ୍କ୍ୟରୁ ଝାଙ୍କଡ ଇତ୍ୟାଦି।
ଗୁହାଳ, ପହ୍ଲ, ଝାଙ୍କ୍ୟ ଏଗୁଡା ସବୁ ଗାଈମାନଙ୍କର ପରିମାଣ ।
ଏ ସମ୍ପର୍କରେ ସାରଳା ମହାଭାରତରେ ସାରଳା ଦାସ ଓ ତାଙ୍କ ବିଭିନ୍ନ ଲେଖାରେ ମହାପୁରୁଷ ଅଚ୍ୟୁତାନନ୍ଦ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି ।
ବହୁତ ମଜା ଲାଗେ ପଢ଼ିବାକୁ ଓ ସେ ସମୟର ଅର୍ଥନୀତି ସମ୍ପର୍କରେ ସମ୍ୟକ ସୂଚନା ପାଇବାକୁ ।
ଗୋଧନ ସଂଖ୍ଯା ଓ ଗୋଷ୍ଠ ପରିଚାଳନା ଅଧିକାର
ଆଧାରରେ ଗୋପାଳଙ୍କ ପଦବୀ ବା ସଂଜ୍ଞା
ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଲିଖିତ
ଗୋପାଳ ଓଗାଳ ପ୍ରଶ୍ନୋତ୍ତର
ପ୍ରଶ୍ନ :
ଯେଉଁ ଯୁଗେ ଗାଈ ସଂଖ୍ଯା ଧନେ ଗଣା ହୋଇ
ଗାଈ ଧନ ହେବା ହେତୁ ଗୋଧନ ବୋଲାଇ ।
ଗୋଧନ ପାଇଁ ଦେଶେ ଦେଶେ ଯୁଦ୍ଧ ହୋଇ
ସାହାସ୍ର ପୁରାଣେ ଏକଥା ଲେଖା ଅଛି ଭାଇ ।
ଯେ ଯେତେ ଗାଈ ଗୋଗୋଷ୍ଠ ହାନି ଲାଭ ବୁଝେ
ତେତେ ବଡ ପଦୁଆଳ ସେ ତ ସଭା ମଧ୍ଯେ ।
ଏ ଭାବେ ପଧୁତି ଅଟେ କେତେ ପରକାର
କେଉଁ ଗୋଷ୍ଠପତି ଅଟେ କେଡେ ପଦୁଆଁର ।
ସଭାର ମଧ୍ଯରେ ଭାଇ କହିବ ବୁଝାଇ
ଅଚ୍ଯୁତ କହନ୍ତି ବେଳ ଉଛୁର ହୁଅଇ ।।
ଉତ୍ତର :
ଗୋପାଳ ସାଂଗିଆ ଯିଏ ପାଇଛି ଯେପରି
ପଦେ ପଦେ କହୁଅଛି ଶୁଣ କର୍ଣ୍ଣ ଡେରି ।
କିଳାକ ଯେ ତିନି ଧେନୁ ଅଟଇ ହେ ଭାଇ
ତିନି କିଳା ଯାର ଧେନୁ ଗୋପାଳ ବୋଲାଇ ।
ଏହିପରି ଦଶ ଗୋପାଳର ଧେନୁ ଯାର
ପୋଲାର ନାମ ତାହାର ବିଦିତ ସଂସାର ।
ଦଶ ପୋଲାରର ଗାଈ ହେଲେ ଜଣକର
ଝାଂକ୍ଯ ବୋଲି ତାହାକୁ ଯେ କହନ୍ତି ନିକର ।
ଦଶ ଝାଂକେ ଗାଈ ଯାର ହେବ ଆରେ ଭାଇ
ବେହେରା ପଦଟି ତାର ହୋଇବ ଯେ ତହିଁ ।
ଦଶ ବେହେରା ଯେତିକି ତେତେ ଧେନୁ ଥିଲେ
ଭୋଇ ପଦ ଜାଣ କଂସ ରାଜା ଦେଉଥିଲେ ।
ଦଶ ଭୋଇ ଗାଈର ଯେ ବୁଝେ ହାନି ଲାଭ
ମହାଭୋଇ ନାମ ତାର ପ୍ରଚାର ହୋଇବ ।
ମହାଭୋଇ ଦଶରେ ଯେ ଖୁଡେକ ବୋଲାଇ
ଦଶଖୁଡ ଉପରେ ଯେ ମହାଖୁଡେ ହୋଇ ।
ମହାଖୁଡେ ଗାଈ ଅଟେ ନନ୍ଦରାଜାଙ୍କର
ଗୋପାଳଙ୍କ ପରେ ରାଜା ତେଣୁ ନୃପବର ।
ମହାଖୁଡେ ଗୋରୁ ହାନୀ ଲାଭ ନନ୍ଦ ବୁଝେ
କହ ଖଡିକାର ନନ୍ଦ ଗାଈ ହେଲା କେତେ ?
ଯାହା ପଚାରିଲୁ ଭାଇ କହିଲି ବୁଝାଇ
ଅଚ୍ଯୁତାନନ୍ଦ କହନ୍ତି କୃଷ୍ଣ ପଦ ଧ୍ଯାଇ ।
ଏହା ଦୋଳପୂର୍ଣ୍ଣିମା ବା ବସନ୍ତ ଉତ୍ସବ ଅବସରରେ ପ୍ରକୃତିପ୍ରେମୀ ଗୋପାଳମାନେ ଅତିଆନନ୍ଦ ଓ ଉଲ୍ଲାସରେ ଗାଉଥିବା ଓଗାଳ ।
ଗୋଟିଏ ଦଳ ପ୍ରଶ୍ନ ପଚାରନ୍ତି, ଆଉ ଗୋଟିଏ ଦଳ ଉତ୍ତର ରଖନ୍ତି ।
ଏପରିକି ଆଦୌ ପାଠ ପଢି ନଥିବା ଗୋପାଳମାନେ ବି ପିଢୀ ପରେ ପିଢୀ କେବଳ ଶୁଣି ଶୁଣି ବେଦ, ପୁରାଣ, ଇତିହାସ, ଯାଦବ ବଂଶାବଳୀ, ଶରୀର ତତ୍ତ୍ୱ, ଜୀବନ ଚର୍ଯ୍ଯା, ଆଧ୍ଯାତ୍ମିକତା ଇତ୍ଯାଦିକୁ ଅତି ସରଳ ସୁନ୍ଦର ଭାବରେ ଗାଆନ୍ତି ।
ଗାଈର ମାଲିକାନା ପାଇଁ ସେତେବେଳେ ଯୁଦ୍ଧ ହେଉଥିଲା । ଦୁର୍ଯ୍ୟୋଧନ ଯୁଦ୍ଧକରି ବିରାଟ ରାଜାର ହଜାର ହଜାର ଗାଈ ସବୁ ନେଇ ଯାଇଥିଲା।
ପୁଅ ଖୀର ଖାଇବାକୁ ଗାଈଟିଏ ମାଗିବାରୁ ଗରୀବ ଦ୍ରୋଣାଚାର୍ଯ୍ୟଙ୍କୁ ତାଙ୍କ ସାଙ୍ଗ ଦ୍କୁପଦ ରାଜା ଗୋଟେ ଗାଈ ଦେଇ ନଥିଲେ । ତେଣୁ ସେ କୁରୁ ରାଜ ବଂଶର ପିଲାମାନଙ୍କର ଗୁରୁ ଭାର ଗ୍ରହଣ କରି ଗୁରୁଦକ୍ଷିଣା ହିସାବରେ ଅର୍ଜୁନଙ୍କ ମାଧ୍ୟମରେ ଦ୍ରୁପଦ ରାଜାଙ୍କୁ ବାନ୍ଧି ପକାଇ ତାଙ୍କ ଗାଈ ସବୁ ନେଇ ଆସିବାକୁ କହିଥିଲେ ।
ମୁଁ ଖାଲି ଏଠାରେ ପୁରୁଣାକାଳର ଗୋଟିଏ ଅର୍ଥନୀତିର ସୂଚନା ଦେଉଛି।
ପ୍ରଥମେ ଗାଈକୁ ଧନ ହିସାବରେ ଗଣା ଯାଉଥିଲା । ସେଥିପାଇଁ ଆଜି ବି ଆମେ କହୁ ଗୋଧନ ।
ଯେତେବେଳେ ଗାଈକୁ ଧନ ହିସାବରେ ଗଣା ଯାଉଥିଲା ସେତେବେଳେ ଗୋପାଳମାନେ ଧନୀ ହିସାବରେ ଗଣା ଯାଉଥିଲେ ।
ତା ପରେ ଧାନକୁ ଧନର ମାପଦଣ୍ଡ ହିସାବରେ ଗଣା ଗଲା, ସେଥିପାଇଁ ଧାନକୁ ଲକ୍ଷ୍ମୀ କୁହାଯାଏ । ସେତେବେଳେ ଚାଷୀମାନେ ଧନୀକ ଓ ପ୍ରତିପତ୍ତିଶାଳୀ ହିସାବରେ ଗଣ୍ୟ ହେଲେ, ବିଚରା ଜ୍ଞାନ ଚାଷ କରୁଥିବା ବ୍ରାହ୍ମଣ ସମୁଦାୟ ଗରୀବ ରହିଲା ।
ଏବେ ଜ୍ଞାନକୁ ଧନ ହିସାବରେ ଗଣା ଯାଉଛି । ତେଣୁ ବ୍ରାହ୍ମଣମାନେ ଧନୀ ଓ ପ୍ରତ୍ତିପତ୍ତିଶାଳୀ ହୋଇଛନ୍ତି, ଏ କଥାକୁ ନେଇ ଅନେକେ ଆଜିକାଲି ରାଗୁଚନ୍ତି ବ୍ରାହ୍ମଣ ସମୁଦାୟ ଉପରେ ।
କିନ୍ତୁ ପୂର୍ବକାଳରେ, ସେତେବେଳେ ବଜାରରେ ଜ୍ଞାନର ବ୍ୟବସାୟ ହେଉ ନଥିବାରୁ ଘରେ ଜ୍ଞାନର ଭଣ୍ଡାର ଥାଇବି ବ୍ରାହ୍ମଣମାନେ ହଜାର ହଜାର ବର୍ଷ ଧରି ଗରୀବ ଥିଲେ, ଆମେ ଚୁପ୍ ଥିଲୁ, ସେମାନଙ୍କ କଥା ଚିନ୍ତା କରୁ ନଥିଲୁ । ସେଥିପାଇଁ ବୋଧେ କୃଷ୍ଣଙ୍କୁ ନିଜକୁ ଗୋ ବ୍ରାହ୍ମଣ ହିତାୟ ଚ ଜଗତ୍ ହିତାୟ କୃଷ୍ଣା଼ୟ …. ଘୋଷଣା କରିବାକୁ ପଡିଥିଲା ।
କଥାଟା ଅନ୍ୟ ଆଡେ ମାଡିଗଲା, ମୂଳ କଥାକୁ ଆସିବା ।
ହଁ, ଏ ସବୁ ଗୋପାଳ ମାନଙ୍କ ଉପରେ ନନ୍ଦ ଥିଲେ ମୁଖ୍ୟ,
ଗୋଟାଏ ସମବାୟ ବ୍ୟବସ୍ଥା ପରି ବ୍ୟବସ୍ଥା ଥିଲା ବୋଲି ଜାଣ ।
ତାହେଲେ ମତେ କୁହନ୍ତୁ ନନ୍ଦପୁଅ ଲହୁଣୀ ଚୋରୀ କରିବ କାହିଁକି ?
କି ହୋ ! ଆଜି ଦିନରେ ଆମଘରେ ମାତ୍ର ଦୁଇଟି ଗାଈ ଅଛନ୍ତି
ଦିନକୁ ଖୀର ଦେଉଛନ୍ତି ୩୦ ଲିଟର ।
ଆମେ ସିନା ଗରୀବ ଲୋକ, ତେଣୁ ଘର ଖର୍ଚ ପାଇଁ ଚାରି ପାଂଚ ଲିଟର ରୁହେ, ଆମ ଘରେ ସବୁଦିନେ ଟିକେ ଯିବା ଆସିବା ଲୋକ ଅଧିକ, ଅଧିକାଂଶ ଖୀର ତାହାରେ ସରେ, ସେଥିରୁ ବଳିଲେ କାହା ପାଟିରେ ଟିକେ ବାଜେ, ଏମିତି ଆଡଜଷ୍ଟ କରି ଚଳିଯିବାକୁ ହୁଏ ।
ବାକି ଓମଫେଡକୁ ଦେଇ ଦିଆଯାଏ, ଅନ୍ୟାନ୍ୟ ଘର ଖର୍ଚ ତୁଲେଇବାକୁ।
ବେଳେ ବେଳେ ସବୁ ଖାଇବାକୁ ମନ ହେଲେ ଓମଫେଡ୍ କୁ ଦିଆଯାଏନି, ଖୀର ତ ଆମର, ମନ ହେଲେ ଖାଇବୁ, ମନ ହେଲେ ଓମଫେଡ କୁ ଦେବୁ । ବେଳେ ବେଳେ ଓମଫେଡ ମଧ୍ୟ ନିଏନି ।
ସେଦିନ 30 ଲିଟର ଖୀର ଛେନା ଛିଡେଇ ଦେଲେ ଗଅଁଠ ମାଣ୍ଡିଏ ଛେନା ହୁଏ, ଛୁଆ ଖାଇ ଖାଇ ଥକନ୍ତି ।
ବେଳେବେଳେ ଛୁଆଙ୍କ ପଛରେ ଛେନା ଅଧକଂସାଏ ଧରି ଗୋଡେଇଲେ ବି ସେମାନେ ବାହାନା କରି ଲୁଚନ୍ତି । ମୁଁ କେତେବେଳେ କେମିତି ଜବରଦସ୍ତ ତାଙ୍କ ପାଟିରେ ପୁରେଇ ଦେଲେ ସେମାନେ ବାରି ଆଡକୁ ଯାଇ ସେଗୁଡାକୁ ଥୁ ଥୁ ଫୋପାଡନ୍ତି ।
ଆଜିର ଅଭାବି ଦିନରେ ଆମ ଭଳି ଗରିବ ଘରେ ଦି ଟା ଗାଈ ଥାଇ ଯଦି ବେଳେବେଳେ ଏ ଅବସ୍ଥା, ତାହେଲେ ମହାଖୁଡେ ଗାଈ ଥିବା ନନ୍ଦର ପୁଅ ଲହୁଣୀ ଚୋରୀ କରିବ କାହିଁକି ? ନା ଆଜି କାଲିକା ବଡିଓ ତହସିଲଦାର ସେକ୍ରେଟାରୀ କୋଟିପତି ବ୍ୟବସାୟୀଙ୍କ ପରି ତାର ଚୋର ପ୍ରବୃତି ଥିଲା ଯେ ସିଏ ଚୋରି କରୁଥିଲା ?
କିନ୍ତୁ ଲବଣୀ ଚୋରୀ କରିବା କଥା ତ ସତ ।
ମୋ ମତରେ ସେ ବିଶ୍ୱର ସର୍ବ ପ୍ରଥମ କମ୍ଯୁନିଷ୍ଟ କି କ’ଣ ! ଗୋପର ଗୋପାଳ ବା ଚାଷୀକୁଳ କ୍ଷୀର ଉତ୍ପାଦନ କରନ୍ତି, ସବୁ ପରିଶ୍ରମ ତାଙ୍କର, କିନ୍ତୁ ଉତ୍ପାଦନର ସାର ବସ୍ତୁ ଲହୁଣୀକୁ ନେଇ ମଥୁରା ସହରରେ ବିକି ଦିଅନ୍ତି । ସହରବାସୀ ଅଣ ଉତ୍ପାଦକ ଗୋଷ୍ଠୀ ଲହୁଣୀ ଖାଆନ୍ତି ।
କୃଷ୍ଣ ଏ ଧାରାକୁ ଭାଙ୍ଗି ଦେଲେ, କହିଲେ ପ୍ରଥମେ ଉତ୍ପାଦକ ଓ ତାର ପିଲା ପରିବାର ଲହୁଣୀ ଖାଇବେ, ତାଙ୍କଠୁ ବଳିଲେ ଅଣ ଉତ୍ପାଦକ ସହରବାସୀ ଖାଇବେ, ଯଦି ଲହୁଣୀ ନବଲିଲା ତ ସହରବାସୀ ଘୋଳଦହି ପିଅନ୍ତୁ, ଘୋଳଦହି ବି ଅମୃତସମ ଉପକାରୀ ମ ।
ଏଇ ଚିନ୍ତାଧାରାଟିକୁ କାର୍ଯ୍ଯକାରୀ କରେଇବାକୁ ସେ ଗୋପର ଛୋଟ ଛୋଟ ପିଲାମାନଙ୍କୁ ନେଇ ଗୋଟାଏ ଦଳ ଗଢିଲେ, ସମସ୍ତଙ୍କ ଘରେ ପଶି ଲହୁଣୀ ଚୋରୀ କରି ଖାଇଲେ, ସାଙ୍ଗସାଥୀ ପିଲାଙ୍କୁ ଖୋଇଲେ ।
ବିକିବାକୁ ଯିଏ ମଥୁରାକୁ ଲହୁଣୀ ନେଇ ଗଲା, ତା ମାଠିଆ ଭାଙ୍ଗିଲେ, ଯମୁନା ଘାଟ ଡଙ୍ଗାକୁ ଲୁଚାଇ ଦେଉଥିଲେ, ସମସ୍ତଙ୍କର ଜିନିଷ ଚେକ୍ କଲାପରେ ଛାଡୁଥିଲେ ।
ଆଉ ଟିକେ ଭଲକି ଲେଖି ଥାଆନ୍ତି, ମନ ଥିଲା, ଆଙ୍ଗୁଠି ବିନ୍ଧିଲାଣି ।
ଏତିକିରୁ ଦୟାକରି ବୁଝିଯାଆନ୍ତୁ ଯେ ଆମ କୃଷ୍ଣ ଚୋର ନଥିଲା । ମୋ କହିବା କଥା ଶ୍ରୀକୃଷ୍ଣ ବାପା ନନ୍ଦର କଣ ଗାଈ ଗୋରୁ ଅଭାବ ଥିଲେ ନା ଯଶୋଦା ଘରେ ଖୀର ଲବଣି ଅଭାବ ଥିଲା ଯେ ସେ ଲହୁଣି ଚୋରୀ କରି ଖାଉଥିଲା ?
ଲକ୍ଷ୍ମୀଧର ନାୟକ