କୃଷ୍ଣକଥା -୨ : ବସ୍ତ୍ର ହରଣ

Share it

କୃଷ୍ଣ କହିଥିବେ- ମୁଁ ତ ପୁଣି ଲଙ୍ଗଳା ହେଇ ଗାଧୋଉଚି ନା ନାଇଁ ? ମୋ ବୋଉ ତ ମତେ ପୁଣି ଲଙ୍ଗଳା କରି ତେଲ ହଳଦି ମାରି ଗାଧେଇ ପାଧେଇ ଦେଉଛି ନା ନାହିଁ ? କାଇଁ ଲଙ୍ଗଳା ହେଇ ଗାଧେଇଲେ ମତେ ତ ଲାଜ ମାଡୁନି, ତମୁକୁ ସବୁ କାଇଁକି ଏତେ ଲାଜ ମାଡୁଚି ? ତମେ ସବୁ କିଏ କି ???

ବାଥରୁମ୍ ରେ କବାଟ ବନ୍ଦ କରି ଅର୍ଦ୍ଧ ବିବସନା କିମ୍ବା ପ୍ରାୟ ପ୍ରାୟ ସମ୍ପୁର୍ଣ୍ଣ ବିବସନା ପରି ହୋଇ ଗାଧୋଇବାକୁ ହୋଇଥାଏ । ଏପରି ଗାଧୋଇଲେ ସମସ୍ତ ଶରୀରକୁ ଘସିପୁସି ସଫା କରିବାକୁ ସୁବିଧା ମଧ୍ଯ ହୋଇଥାଏ ।

ପୂର୍ବକାଳରେ ବାଥ୍ ରୁମ୍ ବୋଇଲେ ସର୍ବସାଧାରଣ ଗାଧୁଆ ଘାଟ । ମହିଳାଙ୍କ ପାଇଁ ବାଥ୍ ରୁମ୍ ବୋଇଲେ ଚାରିକଡ ଗଛବୃଛ ଜଙ୍ଗଲ ଆବୃତ ନିକାଞ୍ଚନ ଏକ ପୋଖରୀ ଅଥବା ନଦୀ ଘାଟ ।

କେତେକ ଗୋପୀ ଏପରି ଏକ ଘଞ୍ଚ ବୃକ୍ଷରାଜି ଆବୃତ ପ୍ରାକୃତିକ କାନ୍ଥ ପରିବେଷ୍ଟିତ ଘାଟରେ ଗାଧୁଆ ପାଧୁଆ କରୁଥିଲେ । ବସନକୁ ଘାଟକୁଳରେ ଥୋଇଦେଇ ଅର୍ଦ୍ଧ ବିବସନା ହୋଇ ଏହାକୁ ନିର୍ଜନ ସ୍ଥାନ ମନେକରି ବହୁ ମହିଳା ଏପରି ଗାଧାନ୍ତି ପ୍ରତିଦିନ ।

ଥରେ ମହିଳାମାନେ ଏପରି ଗାଧୋଇବାରେ ମଗ୍ନ ଥିବାବେଳେ ଘୁର୍ଣ୍ଣି ପବନରେ ସେମାନଙ୍କ ବସନ ସବୁ ଉଡିଯାଇ ବଡ ବଡ ଗଛର ଡାଳରେ ଲାଖିଗଲା ।

ମହିଳାମାନେ କୁଳକୁ ଚାହାନ୍ତେ, ଦେଖିଲେ ସେମାନଙ୍କ ଲୁଗା ଗାଧୁଆ ତୁଠ କୁଳରେ ନାହିଁ । ଗଛ ଡାଳରେ ଲାଗି ରହିଛି ।

ପ୍ରାୟ ପ୍ରାୟ ଉଲଗ୍ନ ଅବସ୍ଥା , ଗଛ ଚଢି ଲୁଗା ଆଣିବେ କେମିତି ? ଲାଜରେ ସେମାନେ ପାଣି ଭିତରେ ବେକ ପର୍ଯ୍ଯନ୍ତ ବୁଡି ରହିଲେ, ବହୁସମୟ ଧରି । ବହୁ କଷ୍ଟ ପାଇଲେ, ମନେ ମନେ ବହୁ ଲଜ୍ଜିତ ହେଲେ । କିଛି ଉପାୟ ପାଉ ନଥାନ୍ତି ।

ଏହି ସମୟରେ ପାଖରେ ଶ୍ରକୃଷ୍ଣଙ୍କ ବଂଶୀ ସ୍ୱନ ଶୁଭିଲା । କୃଷ୍ଣ ଏବଂ ତାଙ୍କ ସାଥି ପିଲାମାନେ ସେଇ ପାଖରେ ଗାଈ ବାଛୁରୀ ଚରାଉ ଥିଲେ, ଗାଈ ଜଗିଥିଲେ ।

ଶ୍ରୀକୃଷ୍ଣ ଏକେ ତ ଛୋଟ ପିଲା, ଦ୍ୱିତୀୟରେ ସମସ୍ତ ଗୋପୀମାନଙ୍କର ଗେହ୍ଲା ।

ସେମାନେ କୃଷ୍ଣଙ୍କୁ ଡାକ ପକାଇଲେ । କୃଷ୍ଣ ସେଠାକୁ ଗଲାରୁ ଗୋପୀମାନେ ସେମାନଙ୍କୁ ସେମାନଙ୍କର ଦୁର୍ଦ୍ଦଶା କହି ସାହାଯ୍ଯ କରିବାକୁ ଅନୁରୋଧ କଲେ, ଗଛରେ ଚଢି ତାଙ୍କର ବସନ ଗୁଡିକୁ ଆଣି ତାଙ୍କୁ ଦେବାକୁ କହିଲେ ।

ଲୁଗା ତ ଗୋଟାଏ ଗଛରେ ଉଡିକି ଲାଗି ନଥିବ, ବହୁ ଗଛ ବୃଛରେ ଲାଗିଥିବ । ଶ୍ରୀକୃଷ୍ଣ ବହୁ କଷ୍ଟକରି ଗଛମାନଙ୍କରେ ଚଢି ଗୋପି ମାନଙ୍କର ଲୁଗା ସବୁ ତୋଳି ସେମାନଙ୍କୁ ଦେଲେ ।

ଗୋଟାଏ ଗଛ ଚଢି ଲୁଗା ଟାଏ ତୋଳି ତାକୁ ଆଣି ଜଣେ ଗୋପୀଙ୍କ ହାତକୁ ବଢେଇ ପୁଣି ଆଉ କେଉଁ ଗଛରେ ଚଢ, ସେଥିରେ ଲାଗିଥିବା ଲୁଗା ଶାୟା ବ୍ଲାଉଜ ତୋଳ , ତାକୁ ଆଣି ଆଉଜଣକ ହାତକୁ ବଢାଅ, – ଏଗୁଡା ଏକେତ କଷ୍ଟକର କାମ, ବିରକ୍ତିକର ବି, ସହଜେ ତ ଶ୍ରୀକୃଷ୍ଣ ସାତ ଆଠ ବର୍ଷର ଟିକି ପିଲା ।

ତେଣୁ ସେ କହିଥିବେ – ମୁଁ ତୁମକୁ ଜଣ ଜଣ କରି ଏତେ ଥର ଓହ୍ଲା ପକା ହେଇ ତମ ଲୁଗାପଟା ଶାୟା ବ୍ଲାଉଜ ନେଇ ଦେଇ ପାରିବିନି,

ମୁଁ ଗଛରେ ଚଢି ଏଗୁଡା ସବୁ ତଳକୁ ପକୋଉଚି,
ତମେ ସବୁ ପାଣିରୁ ବାହାରି ଏ ଗଛମୂଳକୁ ଚାଲି ଆସ ଓ ଯେ ଯାହାର ଲୁଗାପଟା ଚିହ୍ନିକି ନେଇ ପିନ୍ଧ ।

ଗୋପୀମାନେ କହିଥିବେ କାହ୍ନାରେ ! ଆମେ ଉଲଗ୍ନ ଅବସ୍ଥାରେ ଅଛୁ, ଏ ଅବସ୍ଥାରେ ଆମେ ପାଣିରୁ ବହାରିଲେ ଆମକୁ ଲାଜ ମାଡିବ, ତେଣୁ ତୁ ଟିକେ କଷ୍ଟ କରି ସେଗୁଡା ଆଣି ଆମକୁ ଦେଇ ଦେ ।

ଛୋଟ ପିଲା ଟା, ସିଏ କଣ ଜାଣିବ ଲାଜ କଣ ସରମ କଣ ।

ଚିଡିକି କହିଥିବ – ମୁଁ ସେସବୁ କିଛି ଜାଣିନି, ମତେ ଏଇନେ କଣ୍ଟା ଝଣ୍ଟା ଆଡେଇ ପଚାଶ ଗଛରେ ଚଢିବାକୁ ପଡିବ, ମୁଁ ଏତେ କାମ କରିପାରିବିନି ।

ତମେ ଯଦି ଗଛମୁଳକୁ ଆସି ତମ ଲୁଗାପଟା ନବ ତ କୁହ ମୁଁ ଗଛକୁ ଚଢିବି, ନହେଲେ ମୁଁ ଯାଉଚି । ମୋ ବାଛୁରୀସବୁ ସିଆଡେ ଜଙ୍ଗଲକୁ ପଳେଇଲେଣି, ତମେ ଏଠି ଯାହା କରୁଚ କରୁଥା ।

ଗୋପୀମାନେ କହିଥିବେ – ଆରେ କାହ୍ନା ! ତୁ ବୁଝୁନୁ କାହିଁକି, ଆମେ ସବୁ ଉଲଗ୍ନ ଅବସ୍ଥାରେ କେମିତି ଗଛମୂଳକୁ ଯିବୁ ? ଆମକୁ ଲାଜ ଲାଗିବ ପରା ।

ଟିକି ପିଲା ନଟଖଟିଆ କାହ୍ନା କି ଲାଜ ସରମ ବୁଝି ପାରିବ ଯେ !

ସେ କହିଥିବ – ମୁଁ ତ ପୁଣି ଲଙ୍ଗଳା ହେଇ ଗାଧୋଉଚି ନା ନାଇଁ ? ମୋ ବୋଉ ତ ମତେ ପୁଣି ଲଙ୍ଗଳା କରି ତେଲ ହଳଦି ମାରି ଗାଧେଇ ପାଧେଇ ଦେଉଛି ନା ନାହିଁ ?

କାଇଁ ଲଙ୍ଗଳା ହେଇ ଗାଧେଇଲେ ମତେ ତ ଲାଜ ମାଡୁନି, ତମୁକୁ ସବୁ କାଇଁକି ଏତେ ଲାଜ ମାଡୁଚି ?
ତମେ ସବୁ କିଏ କି ???

ତା ପରେ ଗୋପୀମାନେ ଦେଖିଥିବେ ଏଟା ଅମାନିଆଟା
କିଛି ଶୁଣିବନି । ଛାଡ ଆମରି ଗେହ୍ଲା ଟିକି କାହ୍ନା ତ ।

ସିଏ ଯାହା କହୁଚି ଚାଲ ସେଇଆ କରିବା, ନହେଲେ ସିଏ ଶୁଣିବନି । ଆଉ କାହାକୁ ଡାକିବା ଯେ ?

ତା ପରେ ଶରୀରଟା ତ ଶରୀର, ତାକୁ ନେଇ ଏତେ ଗୋଟାଏ ମାନସିକ ବିକାର ପୁଣି କଣ ?

ଏମିତି ନିଜ ମନକୁ ମନ ଭାବି ସେମାନେ ପାଣିରୁ ବାହାରି ଗଛମୂଳକୁ ଯାଇ ଲୁଗାପଟା ପିନ୍ଧି ଘରକୁ ଯାଇଥିବେ ।

ଦି ପହରେ ଖାଇ ପିଇକି ଯାଇ ନନ୍ଦଘରେ ମାଇପି ଆଖଡା ଜମେଇ ଯଶୋଦା ଆଗରେ ଏକଥାକୁ ବନେଇ ଚୁନେଇ ଗପିଥିବେ ।

ଯଶୋଦା ଲୋ ! ଆଜି ଆମେ ସବୁ ଏଇମିତି ହଇରାଣ ହେଲୁ ।

ତୋ ପୁଅ ଆମକୁ ପଟିଏ ଲେଖା ନାମ ଦେଇକି ଛାଡିଲା ଲୋ,
ଯେତେ ବୁଝେଇଲୁ କିଛି ବୁଝିଲାନି, ଯେତେ କହିଲୁ କିଛି ଶୁଣିଲାନି ।

ଯଶୋଦା କହିଥିବେ – ହ, ସେ ଛୋଟ ପିଲାଟା, ସେ କଣ ଏତେ କଥା ଜାଣିଚି ।

ତାପରେ ଏଇଟା ବି ତମ ପାଇଁ ଗୋଟେ ଶିକ୍ଷା ।

ତମେ ଟିକେ ଚିନ୍ତାକରୁନ କାହିଁକି, ଗାଧୁଆ ତୁଠଟା ନିର୍ଜନ ହେଲେବି କାହାର ନା କାହାର ଦୃଷ୍ଟି ସେଠାରେ ପଡିବାର ସମ୍ଭାବନା ମଧ୍ଯ ରହୁଛିି ।

ତମେ ଏଣିକି ଆଉ ସେମିତି ବେପରୁଆ ହେଇ ଗାଧୁଆ ପାଧୁଆ କରିବନି ।

ବାହାର ଗାଁ ଲୋକ ଶୁଣିଲେ କହିବେ ଏ ଗୋପପୁର ଝିଅ ମାଇପେଗୁ଼ଡା ଅଲାଜୁକି ଉଗ୍ରଚଣ୍ଡି ଗୁଡାଏ ।

ତା ପରେ ଯଶୋଦା ସେ ଗାଧୁଆ ତୁଠରେ କୃଷ୍ଣ ୟାଙ୍କ କଥା କିଛି ନଶୁଣି ୟାଙ୍କୁ ସବୁ ଯେମିତି ହଲାପଟା କରିଥିବ ସେକଥା ଭାବି ମୁରୁକି ମୁରୁକି ହସି କହିଥିବେ – ଭଲ ହେଇଚି, ମୋ ପୁଅ ଆଜି ତୁମକୁ ହଲାପଟା କରିନି ଯେ ତୁମମାନଙ୍କୁ ବରଂ ଗୋଟେ ଶିକ୍ଷା ଦେଇଛି ।

ତମେ ଗାଧୁଆ ତୁଠଟାରେ ଏଣିକି ଆଉ ସେମିତି ନଙ୍ଗଳା ମୁକୁଳା ହେଇ ବେପରୁଆଭାବେ ଗାଧେଇବ ନାହିଁ କି ପୋଖରୀ ପହଁରିବ ନାହିଁକି ଉଦଣ୍ଡିଙ୍କ ଭଳିଆ ଡେଇଁ କୁଦି ସେ ପାଣିକୁ ଗୋଳିଆ କରି ସାତଭାଙ୍ଗ କରିବ ନାହିଁ ।

ତମୁକୁ ସବୁ ବଢିଆ ନାମ ମିଳିଚି । ମୁଁ ଜାଣିଚି ସିଏ ତୁମକୁ ସବୁ କି ହୀନସ୍ତା କରିଥିବ ।

ଟିକେ ଲହୁଣି ଖାଇବାକୁ ସିଏ ମତେ ନାନାଦି ହଲାପଟା କରି ଦୋଉଚି, ମୁଁ ଆଉ ତମ କଥା କଣ କହିବି !

ତା ପରଠାରୁ ସେ ମହିଳାମାନେ ଯଥା ସମ୍ଭବ ସଂଭ୍ରମତାର ସହ ଗାଧୁଆ ପାଧୁଆ କରିଥିବେ ।

ଏଇମିତି ଗୋଟେ ଗାଁ ଗହଳିଆ ମୁଳ କଥା । ତାକୁ ଯିଏ ଯେମିତି ପାରୁଛି ଲେଖୁଛି ।

ମୁଁ ତଳେ ଦୁଇଟି ଫଟୋ ଦେଉଛି ।

ଗୋଟିଏ ଭାରତୀୟ ସଂସ୍କୃତି ଓ ଶ୍ରୀକୃଷ୍ଣଙ୍କୁ ବଦନାମ କରାଯିବା ପାଇଁ କିଛି ନଜାଣିବା ଲୋକେ ଆଙ୍କୁଥିବା ଫଟୋ ।

ଅନ୍ଯ ଫଟୋଟି ଦେଖିଲେ ଆପଣ ମାନେ ଆଜିକୁ ପାଞ୍ଚ ହଜାର ବର୍ଷ ପୂର୍ବେ ଅଧିକାଂଶ ଭାରତୀୟ ମହିଳା ମାନଙ୍କର ଗାଧୁଆ ତୁଠ ବା ବାଥ୍ ରୁମ୍ କିପରି ଥିଲା, ତାହା ଅନୁମାନ କରି ପାରିବେ ।

ଏହା ବାସ୍ତବତା । ଏଥିରେ ଆପଣଙ୍କୁ କୌଣସି ପ୍ରକାର ଅଶ୍ଳୀଳତା ଦିଶିବନି ।

ଗାଧୁଆ ତୁଠରେ ଗାଁ ଗହଳର ମା’ ମାନେ ସେମିତି ଗାଧାନ୍ତି, ସେଥିରେ ଅସ୍ୱାଭାବିକତା କିଛି ନାହିଁ । ସେଥିରେ ଯଦି କାହାକୁ ଅଶ୍ଳୀଳତା ଦିଶେ ତ ମୋ ମତରେ ସେଇଟା ତାଙ୍କର ନିଜ ନିଜର ଦୃଷ୍ଟିଭଙ୍ଗୀ ମାତ୍ର, ସେ ଆମ ପରି ସାଧାରଣ ମଣିଷ ହେଉ କି ବିକୃତ ମାନସିକତାଧାରୀ ଆତ୍ମଘୋଷିତ ସନ୍ଥ ।

( ଏ ଗୋପୀ ବସ୍ତ୍ର ହରଣ କଥା ଭାଗବତରେ କୋଉଠି ଲେଖା ହୋଇଛି କି ନାହିଁ ମୁଁ ଜାଣିନି, ମୁଁ ତ ଭାଗବତ ପଢିନି, ପଢ଼ିଲେ ଜଣାପଡ଼ିବ, କିନ୍ତୁ ଏ ବସ୍ତ୍ର ହରଣ ଲୀଳାକୁ ବାଦ୍ ଦେଇ ଆମ ଧର୍ମବକ ମାନେ ପ୍ରବଚନ ଦେଇ ପାରନ୍ତି ନାହିଁ )

ଲକ୍ଷ୍ମୀଧର ନାୟକ
( 07.06.2020 )

*** **** ****

ଆମର ଲକ୍ଷ୍ୟ : ଭାଷା ସୁରକ୍ଷା
ସରଳ ଲେଖା, ସରସ କଥା
ସଂସାର ପଢୁ ଆମ “ସୁଲେଖା”

(ଏଇ ଲିଙ୍କ ବ୍ଯବହାର କରି ଆପଣ Google Play Store ରୁ e-Sulekha App ଡାଉନଲୋଡ କରିପାରିବେ ଏବଂ ପ୍ରତିଦିନ ଗୋଟିଏ ଲେଖାଏ ନୁଆ ପୋଷ୍ଟ ପଢିପାରିବେ।

https://play.google.com/store/apps/details?id=com.esulekha.magazine)

***** ***** ******


Share it

Join the Conversation

3 Comments

  1. ସୁନ୍ଦର କଥାଟି କହିଲେ ଆପଣ । କିଛି ଜିନିଷ ଦେଖିବା ପାଇଁ ନିଜ ଦୃଷ୍ଟିଭଙ୍ଗୀ ର ସଂଯମତା ରହିବା ନିହାତି ଆବଶ୍ୟକ । ଇଂରାଜୀ ରେ କହିବାକୁ ଗଲେ …. It’s all about our perspective.

  2. ଅତି ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି। ଚମତ୍କାର ଢଙ୍ଗରେ, ହଁ ଏବେବି କିଛି ସ୍ଥାନରେ ଏମିତି ଗାଧୁଆ ତୁଠ ଅଛି

Leave a comment

Your email address will not be published. Required fields are marked *

Verified by MonsterInsights