କେଶବ ଧୃତ ଭୃଗୁପତି ରୂପ …

Share it

12th July 2024

ଆଷାଢ଼ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ପର୍ଶୁରାମାଷ୍ଟମୀ ପାଳନ କରାଯାଏ । ଏହିଦିନ ଭଗବାନ ପର୍ଶୁରାମ ଜନ୍ମଗ୍ରହଣ କରିଥିଲେ । ଦ୍ୱାପର ଯୁଗରେ ପର୍ଶୁରାମ ଭୀଷ୍ମ କର୍ଣ୍ଣଙ୍କ ଭଳି ମହାରଥୀଙ୍କୁ ଯୁଦ୍ଧବିଦ୍ୟା ଶିକ୍ଷା ଦେଇଥିଲେ । ଓଡ଼ିଶାର ଦକ୍ଷିଣାଞ୍ଚଳରେ ମାଆମାନେ ପୁତ୍ରର ଶୁଭକାମନା କରି ପର୍ଶୁରାମାଷ୍ଟମୀ ବ୍ରତ ପାଳନ କରନ୍ତି ।

ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରୀଗୁଣ୍ଡିଚା ଘରେ ଅବସ୍ଥାନ କରୁଥିବା ସମୟରେ ଏହି ବ୍ରତ ପାଳନ କରାଯାଏ । ଉପବାସ ରହି ଭଗବାନ ପର୍ଶୁରାମଙ୍କୁ ପୂଜାର୍ଚ୍ଚନା କରାଯାଏ।

ଚିରଞ୍ଜିବୀ ପର୍ଶୁରାମ ଏବେ ମହେନ୍ଦ୍ରଗିରିରେ ଅବସ୍ଥାନ କରୁଛନ୍ତି ବୋଲି ଭକ୍ତମାନେ ବିଶ୍ୱାସ କରନ୍ତି । ତେଣୁ କେହି କେହି ଆଷାଢ଼ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ମହେନ୍ଦ୍ରଗିରିକୁ ଯାଇ ଭଗବାନ ପର୍ଶୁରାମଙ୍କ ମୂର୍ତ୍ତି ନିକଟରେ ପୂଜାର୍ଚ୍ଚନା କରନ୍ତି ।

===============

ପୃଥିବୀର ପାପଭାର ବଢ଼ିଗଲେ ଅଧର୍ମର ବିନାଶ କରି, ଧର୍ମ ସଂସ୍ଥାପନ ଓ ସାଧୁଙ୍କ ପରିତ୍ରାଣ ପାଇଁ ଭଗବାନ ବିଭିନ୍ନ ଅବତାରଧରି ଏହି ଧରା ଧାମକୁ ଅବତରି ଆସନ୍ତି । ଏହା ଭଗବାନଙ୍କ ଯୁଗ ଯୁଗର ଲୀଳା ।

ସେହିପରି ଦିନେ ପୃଥିବୀକୁ ଅଧର୍ମୀ ତଥା ଅତ୍ୟାଚାରୀ କ୍ଷତ୍ରିୟମାନଙ୍କ ଭାରରୁ ମୁକ୍ତ କରିବା ପାଇଁ ପରମ ପୁରୁଷ ପରଶୁରାମ ଅବତାର ଗ୍ରହଣ କରି ଥଲେ । ମହାକବି ଜୟଦେବଙ୍କ ଦଶାବତାର ସ୍ତୋତ୍ରରେ ତାଙ୍କୁ ଶ୍ରୀହରିଙ୍କ ଷଷ୍ଠ ଅବତାର ରୂପେ ବର୍ଣ୍ଣନା କରି କୁହାଯାଇଛି:-

କ୍ଷତ୍ରିୟରୁଧିରମୟେ ଜଗଦପଗତପାପମ୍
ସ୍ନପୟସି ପୟସି ଶମିତ ଦ୍ଭବତାପମ୍
କେଶବଧୃତ,ଭୃଗୁପତି ରୂପ,
ଜୟ ଜଗଦୀଶ ହରେ ll

ଶ୍ରୀମଦ୍ ଭାଗବତରୁ ସେହି ଭୃଗୁପତି ଶ୍ରୀପର୍ଶୁରାମଙ୍କ ଚରିତ ଯାହା ମହାମୁନି ଶୁକ ରାଜା ପରୀକ୍ଷିତଙ୍କୁ ଶୁଣାଇ ଥିଲେ :-

ମହର୍ଷି ଗାଧିଙ୍କ କନ୍ୟା ଥିଲେ,ସତ୍ୟବତୀ । ମହର୍ଷି ଋଚୀକଙ୍କୁ ସେ ବିବାହ କରିଥଲେ ।

ଥରେ ମହର୍ଷି ଋଚୀକଙ୍କୁ ତାଙ୍କ ପତ୍ନୀ ଓ ଶାଶୁ ଦୁହେଁ ପୁତ୍ର ଲାଭ ପାଇଁ ପ୍ରାର୍ଥନା କଲେ । ଋଚୀକ ଦୁହିଁଙ୍କ ପାଇଁ ଭିନ୍ନ ଭିନ୍ନ ମନ୍ତ୍ରରେ ଚରୁ ପ୍ରସ୍ତୁତକରି ସ୍ନାନ କରିବା ପାଇଁ ଗଲେ ।

ତାଙ୍କ ଶାଶୁ ଭାବିଲେ ଋଚୀକ ନିଜ ପତ୍ନୀ ପାଇଁ ଶ୍ରେଷ୍ଠ ଚରୁ ପ୍ରସ୍ତୁତ କରିଥିବେ । ତେଣୁ ସେ କନ୍ୟାଙ୍କଠାରୁ ଚରୁ ମାଗିନେଇ ଭକ୍ଷଣ କଲେ ଓ କନ୍ୟା ସତ୍ୟବତୀ, ମାଆଙ୍କ ପାଇଁ ଉଦିଷ୍ଟ ଚରୁ ଭକ୍ଷଣ କଲେ ।

ଋଚୀକ ଏହାଜାଣି ସତ୍ୟବତୀଙ୍କୁ କହିଲେ, ତୁମେ ବଡ଼ ଅନର୍ଥ କାର୍ଯ୍ୟ କଲ । ଫଳରେ, ତୁମ ଗର୍ଭରୁ ଏକ ଦୁର୍ଦ୍ଦାନ୍ତ କ୍ଷତ୍ରିୟପୁତ୍ର ଜନ୍ମ ହେବ ଏବଂ ତୁମର ଭାଇ ହେବ ପରମଧାର୍ମିକ ଓ ବ୍ରହ୍ମଜ୍ଞ ।

ସତ୍ୟବତୀ ୠଷିଙ୍କୁ ଏହା ଯେପରି ନହୁଏ ତାହା କରନ୍ତୁ ବୋଲି ପ୍ରାର୍ଥନା କଲେ । ୠଷି କହିଲେ ଠିକ୍ ଅଛି ତେବେ ତୁମର ନାତି ଏପରି ଦୁର୍ଦ୍ଦାନ୍ତ ହେବ ।

ସତ୍ୟବତୀଙ୍କ ଗର୍ଭରୁ ଏହାପରେ ଜମଦଗ୍ନିଙ୍କ ଜନ୍ମ ହେଲା । ସତ୍ୟବତୀ ଲୋକପାବନୀ ପୁଣ୍ୟତୋୟା କୌଶିକି ନଦୀରେ ପରିଣତ ହୋଇଗଲେ ।

ରେଣୁ ଋଷିଙ୍କ କନ୍ୟା, ରେଣୁକାଙ୍କୁ ୠଷି ଜମଦଗ୍ନି ବିବାହ କଲେ । କାଳ କ୍ରମେ ରେଣୁକା ଅନେକ ସନ୍ତାନର ଜନନୀ ହେଲେ, ତାଙ୍କ କନିଷ୍ଠପୁତ୍ରର ନାମ ହେଲା ରାମ । ଏହି ରାମ ପର୍ଶୁରାମ ନାମରେ ଜଗତରେ ବିଦିତ ହେଲେ ।

ଧରାକୁ ଭାର ହୋଇଥିବା ମଦମତ୍ତ ଗର୍ବୀ କ୍ଷତ୍ରିୟ ମାନଙ୍କୁ ଏକୋଇଶବାର ସଂହାର କରି ପୃଥିବୀକୁ ସେ ନିକ୍ଷତ୍ରିୟ କରିଥଲେ ।

ପରୀକ୍ଷିତ ଶୁକମୁନିଙ୍କୁ ପଚାରିଲେ ତେବେ ଆପଣ ମୋତେ ବିସ୍ତାର ପୂର୍ବକ କୁହନ୍ତୁ, କେଉଁ କାରଣରୁ ଭଗବାନ ଏଭଳି କର୍ମ କଲେ । ପରୀକ୍ଷିତଙ୍କ ପ୍ରଶ୍ନ ଶୁଣି ମହାମୁନି ଶୁକ ଭଗବାନ ପର୍ଶୁରାମଙ୍କ ଚରିତ ତାଙ୍କୁ ଶୁଣାଇଲେ ।

ହୈହୟ ବଂଶର ରାଜା ସହସ୍ରାର୍ଜୁନ କାର୍ତ୍ତବୀର୍ଜ୍ୟ ଭଗଵାନ ଦତ୍ତାତ୍ରୟଙ୍କ ବରରେ ଅମିତ ପରାକ୍ରମୀ ହୋଇ ଥିଲା । ଥରେ ସେ ଜମଦଗ୍ନିଙ୍କ ଆଶ୍ରମରେ ପ୍ରଵେଶକରି ଯମଦଗ୍ନିଙ୍କ ଗାଭି କାମଧେନୁକୁ ବଳ ପୂର୍ବକ ଘେନି ଗଲା । ଏଥିରେ ପର୍ଶୁରାମ କ୍ରୋଧିତ ହୋଇ ମାହିଷ୍ମତୀ ପୁରକୁ ଯାଇ ସହସ୍ରବାହୁ କାର୍ତ୍ତବୀର୍ଯ୍ୟକୁ ହତ୍ୟା କଲେ ।

ମହର୍ଷି ଯମଦଗ୍ନି ବ୍ୟଥିତ ହୋଇ ପୁତ୍ରକୁ କହିଲେ, ତୁମେ ବ୍ରାହ୍ମଣ ହୋଇ ଏ ଅବ୍ରାହ୍ମଣ କାର୍ଯ୍ୟ କରି ମହା ପାପ ଅର୍ଜନ କରିଛ । ଏ ପାପ କ୍ଷାଳନ ପାଇଁ ତୁମେ ଭଗବାନଙ୍କ ଠାରେ ଚିତ୍ତ ନିବେଶ କରି ତୀର୍ଥାଟନ କର ।

ପିତାଙ୍କ କଥାରେ ପର୍ଶୁରାମ ବର୍ଷେକାଳ ବହୁତୀର୍ଥ ଭ୍ରମଣକରି ଆଶ୍ରମକୁ ଫେରି ଆସିଲେ ।

ଦିନକର କଥା, ତାଙ୍କ ମାତା ରେଣୁକା ଗଙ୍ଗାକୁ ଜଳ ଆଣିବା ପାଇଁ ଯାଇଥିଲେ । ସେଠାରେ ସେ ଦେଖିଲେ ଯେ ଗନ୍ଧର୍ବରାଜ ଚିତ୍ରରଥ ଅପ୍ସରା ମାନଙ୍କ ସହ କ୍ରୀଡ଼ା କରୁଛନ୍ତି । ଜଳ ଆଣିବା କଥା ଭୁଲି ଯାଇ ଗନ୍ଧର୍ବ ରାଜଙ୍କ କ୍ରୀଡ଼ା ସେ ଦେଖିବାରେ ଲାଗିଲେ । ପାଣି କଥା ମନେ ପଡ଼ିଯିବାରୁ ତରଭର ହୋଇ କଳସୀ ଭରା ପାଣି ଧରି ସେ ଆଶ୍ରମକୁ ଫେରି ଆସି ହାତ ଯୋଡ଼ି ମହର୍ଷିଙ୍କ ଆଗରେ ଛିଡ଼ା ହୋଇ ରହିଲେ ।

ମୁନି କ୍ରୋଧିତ ହୋଇ କହିଲେ, ପୁତ୍ରମାନେ ! ଏହି ପାପିନୀକୁ ହତ୍ୟାକର । କିନ୍ତୁ ପୁତ୍ରମାନେ ସେପରି କଲେନାହିଁ । ଶେଷରେ ସେ ପର୍ଶୁରାମଙ୍କୁ ନିର୍ଦ୍ଦେଶ ଦେବାରୁ ପର୍ଶୁରାମ ମାତା ରେଣୁକାଙ୍କ ସହ ଭାଇ ମାନଙ୍କୁ ହତ୍ୟାକଲେ ।

ଜମଦଗ୍ନି ଅତିଶୟ ସନ୍ତୁଷ୍ଟ ହୋଇ ପୁତ୍ରକୁ କହିଲେ, ତୁମର ଯାହା ଇଚ୍ଛା ମାଗି ନିଅ ।

ପରଶୁରାମ ପିତାଙ୍କ ତପବଳକୁ ଜାଣି ଏହି ଜଘନ୍ୟ କାର୍ଯ୍ୟ କରିଥିଲେ । ତେଣୁ ସେ ପ୍ରାର୍ଥନା କଲେ, ମୋତେ ଏହି ଅନୁଗ୍ରହ କରନ୍ତୁ, ମୁଁ ହତ୍ୟା କରିଥିବା ମୋର ମାତା ଏବଂ ଭାଇମାନେ ଜୀବିତ ହୋଇ ଉଠନ୍ତୁ, ମୁଁ ସେମାନଙ୍କୁ ହତ୍ୟା କରିଛି ଏହା ସେମାନେ ଯେମିତି ଜାଣି ନ ପାରନ୍ତୁ ।

ସେପରି ହିଁ ହେଲା । ସମସ୍ତେ ନିଦରୁ ଉଠିଲା ପରି ଉଠି ବସି ପଡ଼ିଲେ ଓ ତାଙ୍କର କିଛି ସ୍ମରଣ ନଥିଲା ।

ଏପଟେ ସହସ୍ରାର୍ଜୁନର ପୁତ୍ରମାନେ ପିତାଙ୍କ ବଧକୁ ସ୍ମରଣ କରି ଶାନ୍ତିରେ ରହିପାରୁ ନଥିଲେ । ଏକଦା ଭାଇ ମାନଙ୍କ ସହ ପର୍ଶୁରାମ ବନକୁ ଯାଇ ଥାନ୍ତି । ଏହି ସମୟରେ କାର୍ତ୍ତବୀର୍ଯ୍ୟର ପୁତ୍ରମାନେ ଯାଇ ଜମଦଗ୍ନୀଙ୍କ ଆଶ୍ରମରେ ପହଞ୍ଚି ତପସ୍ୟାରେ ମଗ୍ନ ଋଷିଙ୍କ ଶିରଚ୍ଛେଦନ କଲେ । ଶୋକାର୍ତ୍ତା ରେଣୁକା ଉଚ୍ଚ ସ୍ବରରେ “ହା ରାମ,ହା ରାମ” କହି ରୋଦନ କଲେ । ଦୂରରୁ ପର୍ଶୁରାମ ମାତାଙ୍କ କରୁଣ କ୍ରନ୍ଦନ ଶୁଣି ଆଶ୍ରମକୁ ଧାଇଁ ଆସି ପିତାଙ୍କ ହତ୍ୟା ହୋଇ ଥିବା ଦେଖି ଗଭୀରଶୋକରେ ମ୍ରୀୟମାଣ ହୋଇ ପଡ଼ିଲେ ।

ସେ ହାତରେ ପରଶୁ ବା କୁଠାର ଧରି ପ୍ରତିଜ୍ଞା କଲେ ସେ ଦୁଷ୍ଟ, କ୍ରୂର, କ୍ଷତ୍ରିୟ ବଂଶକୁ ନିପାତ କରିବେ ।

କ୍ରୋଧିତ ହୋଇ ସେ ମାହିଷ୍ମତି ପୁରରେ କୁଠାର ହସ୍ତରେ ପହଞ୍ଚି ସହସ୍ରାର୍ଜୁନର ପୁତ୍ରମାନଙ୍କ ଶିର ଚ୍ଛେଦନ କଲେ । ସେମାନଙ୍କ ଛିନ୍ନ ମସ୍ତକ ପର୍ବତ ଆକାରରେ ଜମାହୋଇ ତାଙ୍କ ରୁଧିରରୁ ଗୋଟିଏ ନଦୀ ପ୍ରବାହିତ ହେଲା ।

ପରଶୁରାମ ଦେଖିଲେ, କ୍ଷତ୍ରିୟମାନେ ବହୁତ ଉଚ୍ଛୃଙ୍ଖଳ ହୋଇ ପଡ଼ିଛନ୍ତି। ସେମାନଙ୍କର ନ୍ୟାୟ ଅନ୍ୟାୟର ଜ୍ଞାନନାହିଁ । ଏଣୁ ପରଶୁରାମ ପିତୃ ବଧକୁ କାରଣ କରି ଏକୋଇଶ ଥର କ୍ଷତ୍ରିୟ ସଂହାର କରି ପୃଥିବୀକୁ ନିକ୍ଷତ୍ରିୟ କଲେ । କୁରୁକ୍ଷେତ୍ର ସମନ୍ତପଞ୍ଚକ ଠାରେ କ୍ଷତ୍ରିୟ ମାନଙ୍କ ରୁଧିରରେ ସେ ପାଞ୍ଚଟି ହ୍ରଦ ସୃଷ୍ଟି କଲେ ।

ଏହା ପରେ ସେ ପିତା ଜମଦଗ୍ନିଙ୍କ ଛିନ୍ନ ମସ୍ତକକୁ ତାଙ୍କ ଶରୀରରେ ଯୋଡ଼ିଦେଇ ଏକ ଯଜ୍ଞ ଆରମ୍ଭ କଲେ । ଯଜ୍ଞରେ ସେ ହୋତାଙ୍କୁ ପୂର୍ବଦିଗ, ବ୍ରହ୍ମାଙ୍କୁ ଦକ୍ଷିଣଦିଗ, ଆଧିର୍ଯ୍ଯଙ୍କୁ ପଶ୍ଚିମଦିଗ ଓ ବରଦାତାଙ୍କୁ ଉତ୍ତର ଦିଗ ଦାନ କଲେ । ଅନ୍ୟ ଋତ୍ୱିକ ମାନଙ୍କୁ ସେ ଅଗ୍ନିକୋଣ ଆଦି ବିଦିଗମାନଙ୍କୁ ଦାନ କଲେ । ପୁଣି କଶ୍ୟପ ଆଦି ୠଷି ମାନଙ୍କୁ ଭୂମି ଦାନ କରି ଯଜ୍ଞ ସମାପ୍ତ କଲେ । ଯଜ୍ଞାନ୍ତେ ସେ ପୁଣ୍ୟତୋୟା ସରସ୍ଵତୀ ନଦୀରେ ଅବଭୃତ ସ୍ନାନ କରି, ସମସ୍ତ୍ ପାପରୁ ମୁକ୍ତ ହେଲେ।

ଜମଦଗ୍ନି ଦେହ ଲାଭ କରି ପରଶୁ ରାମଙ୍କ ଦ୍ଵାରା ଅର୍ଚ୍ଚିତ ହେଲେ ।ପର୍ଶୁରାମ ଏହାପରେ ତାଙ୍କୁ ନେଇ ସପ୍ତର୍ଷୀ ମଣ୍ଡଳରେ ସ୍ଥାନ ଦେଇ ମହେନ୍ଦ୍ରପର୍ବତକୁ ଚାଲିଗଲେ ଓ ସେଠାରେ ତପସ୍ୟାରେ ମଗ୍ନ ରହିଲେ ।

ପର୍ଶୁରାମ ଭବିଷ୍ୟତ ମନ୍ଵନ୍ତରରେ ତାଙ୍କ ଯୋଗବଳରେ ବେଦ ବିସ୍ତାର କରିବେ । ଭୃଗୁ ବଂଶରେ ଅବତାର ଧରି ଶ୍ରୀହରି ଶ୍ରୀ ପରଶୁରାମ ରୂପେ ଏଭଳି ଲୀଳା କରିଥିଲେ । ଅଧର୍ମୀ କ୍ଷତ୍ରିୟ ମାନଙ୍କୁ ସେ ବହୁଥର ବିନାଶକରି ପୃଥିବୀରେ ଧର୍ମ ସଂସ୍ଥାପନ କରିଥିଲେ ।

ଭୃଗୁପତି, ପର୍ଶୁରାମଙ୍କୁ ଶ୍ରୀ ଜୟଦେବ ଗୋସ୍ବାମୀ ଗୀତ ଗୋବିନ୍ଦରେ ଷଷ୍ଠ ଅବତାର ଭାବେ ବର୍ଣ୍ଣନା କରିଥିଲା ବେଳେ, ଶ୍ରୀମଦ୍ ଭାଗବତରେ ସେ ଶ୍ରୀ ହରିଙ୍କ ଷୋଡ଼ଶ ଅବତାର ଭାବେ ବର୍ଣ୍ଣିତ :-

ଷୋଡ଼ଶ ଅବତାରେ ହରି
ପରଶୁରାମ ରୂପ ଧରି ।।
ଦୁଷ୍ଟ କ୍ଷତ୍ରୀଙ୍କ କାଟି ମୁଣ୍ଡ
ରୁଧିରେ ପୂର୍ଣ୍ଣ କରି କୁଣ୍ଡ ।।
ତର୍ପଣ କଲେ ପିତୃଗଣେ
ତପେ ରହିଲେ ଘୋର ବନେ ।।

🙏🙏🙏


ଅର୍ଜୁନୀ ଚରଣ ବେହେରା
ମୋ -7693091971


Share it

Leave a comment

Your email address will not be published. Required fields are marked *

Verified by MonsterInsights