ଅକ୍ଷୟତୃତୀୟା ମାଆଙ୍କ ଜନ୍ମ ଦିବସ । ଏଥିପାଇଁ ସ୍ବର୍ଣ୍ଣ, ରୌପ୍ୟାଦି ଆଭୂଷଣ କିଣିବା ପାଇଁ ଅକ୍ଷୟତୃତୀୟାକୁ ପ୍ରକୃଷ୍ଠ ତିଥି ବୋଲି ଗ୍ରହଣ କରାଯାଏ । ଦେବୀ ଅନ୍ନପୂର୍ଣ୍ଣା ହେଉଛନ୍ତି ନଗାଧିରାଜ ହିମାଳୟଙ୍କ କନ୍ୟାଗଣଙ୍କ ମଧ୍ୟରୁ ଅନ୍ୟତମା । ତାଙ୍କ ନାମରେ ହିମାଳୟରେ ଏକ ଶୃଙ୍ଗ ଅଛି ଅନ୍ନପୂର୍ଣ୍ଣା ।
ଭଗବାନ ଶିବଙ୍କ ନଗରୀ ପୁଣ୍ୟ କାଶୀଧାମ । ସେ ଶାଶୁ ମେନାଙ୍କ କଥାରେ ହିମବନ୍ତପୁର ପରିତ୍ୟାଗ କରି ଆସି ଏହି ଶିବ ନଗରୀ ନିର୍ମାଣ କରି ନିବାସ କରୁଛନ୍ତି ବୋଲି ପୌରାଣିକ ଗାଥା ମାନ ରହିଛି । ଏଠାରେ ଶିବ ଘରଣୀ ପାର୍ବତୀଙ୍କ ନାମ ହେଉଛି ଅନ୍ନପୂର୍ଣ୍ଣା । କାଶୀ ଧାମର ଅଧିଷ୍ଠାତ୍ରୀ ଦେବୀ ମା’ ଅନ୍ନପୂର୍ଣ୍ଣା ।
ଏ ଶରୀର ଧାରଣ ନିମନ୍ତେ ପ୍ରତ୍ୟେକ ପ୍ରାଣୀର ଅନ୍ନ ବା ଖାଦ୍ୟର ଆବଶ୍ୟକତା ରହିଛି । ଅନ୍ନକୁ ବ୍ରହ୍ମର ସଂଜ୍ଞା ଦିଆଯାଇଛି । ଏଇଥି ପାଇଁ ଆମେ ଭୋଜନ ସମୟରେ ଅନ୍ନକୁ ବ୍ରହ୍ମ ସ୍ବରୁପେ ମାନି ମନ୍ତ୍ରୋଚ୍ଚାରଣ କରିଥାଉ ।
ଅନ୍ନ ଦାନ ପ୍ରତ୍ୟେକ ଧର୍ମରେ ଏକ ମହାନ ଦାନ ବୋଲି ବିବେଚିତ ହୁଏ। ମା’ଅନ୍ନପୂର୍ଣ୍ଣା ହେଉଛନ୍ତି ଅନ୍ନ ଦେବୀ । ସେ ପ୍ରାଣୀର ଅନ୍ନର ଆବଶ୍ୟକତା ପୂର୍ଣ୍ଣ କରନ୍ତି । ଏଣୁ ତାଙ୍କ ନାମ ଅନ୍ନପୂର୍ଣ୍ଣା । ଦେବୀ ଅନ୍ନପୂର୍ଣ୍ଣାଙ୍କର ଶାସ୍ତ୍ରରେ 108 ନାମ ରହିଛି ଯଥା ଅପର୍ଣ୍ଣା, ଭୁବନେଶ୍ଵରୀ, ବିଶାଳାକ୍ଷୀ, ବିଶ୍ଵମାତା, ବିଶ୍ୱ ଶକ୍ତି, ଅନ୍ନଦା ଇତ୍ୟାଦି।
ଅକ୍ଷୟତୃତୀୟା ମାଆଙ୍କ ଜନ୍ମ ଦିବସ । ଏଥିପାଇଁ ସ୍ବର୍ଣ୍ଣ, ରୌପ୍ୟାଦି ଆଭୂଷଣ କିଣିବା ପାଇଁ ଅକ୍ଷୟତୃତୀୟାକୁ ପ୍ରକୃଷ୍ଠ ତିଥି ବୋଲି ଗ୍ରହଣ କରାଯାଏ । ଦେବୀ ଅନ୍ନପୂର୍ଣ୍ଣା ହେଉଛନ୍ତି ନଗାଧିରାଜ ହିମାଳୟଙ୍କ କନ୍ୟାଗଣଙ୍କ ମଧ୍ୟରୁ ଅନ୍ୟତମା । ତାଙ୍କ ନାମରେ ହିମାଳୟରେ ଏକ ଶୃଙ୍ଗ ଅଛି ଅନ୍ନପୂର୍ଣ୍ଣା ।
କାଶୀଧାମରେ ଦେବୀ ଅନ୍ନପୂର୍ଣ୍ଣାଙ୍କ ଅବସ୍ଥିତି ବିଷୟରେ ବହୁ ପୌରାଣିକ ଉପାଖ୍ୟାନ ରହିଛି । ଗୋଟିଏ କାହାଣୀରୁ ଜଣାଯାଏ ଏକଦା ଭଗବାନ ଶଙ୍କର ଓ ମାଆ ହୈମବତୀ କୈଳାଶ ପର୍ବତରେ ବସି ପଶା ଖେଳୁଥିଲେ । ଖେଳୁ ଖେଳୁ ପ୍ରକୃତି ଓ ପୁରୁଷଙ୍କ ମଧ୍ୟରେ ଶ୍ରେଷ୍ଠ କିଏ ନେଇ ପରସ୍ପରଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଉପୁଜିଲା । ମହାଦେବ କହିଲେ ଏ ସଂସାର ହେଉଛି ଭ୍ରମ, ଏଥିରେ ଥିବା ପ୍ରକୃତି ମଧ୍ୟ ଏକ ଭ୍ରମ । ଏଥିରେ ଭୋଜନାଦି ଉପକ୍ରମ ମାୟା ଅଟେ ।
ମା ପାର୍ବତୀ ପ୍ରକୃତି ସ୍ୱରୂପା । ସେ ସମସ୍ତ ଭୌତିକ ପଦାର୍ଥର ଜନନୀ। ଶଙ୍କରଙ୍କ କଥାରେ ମାଆ ଖୁବ ରୁଷ୍ଟା ହୋଇ କହିଲେ, “ଯଦି ମୁଁ ଭ୍ରମ, ତେବେ ମୁଁ ବର୍ତ୍ତମାନ ଦେଖାଇ ଦେଉଛି ମୋ ବିନା ସଂସାରର ଦଶା କ’ଣ ହେଉଛି ।” ଏହା କହି ମା’ ପାର୍ବତୀ ସୃଷ୍ଟିରୁ ଅନ୍ତର୍ହିତ ହୋଇଗଲେ ।
ଏହାର ଫଳସ୍ୱରୂପ ସାରା ସୃଷ୍ଟିରେ ହାହାକାର ପଡ଼ିଗଲା, ସମୟ ସ୍ଥିର ହୋଇଗଲା, ଋତୁଚକ୍ର ସ୍ଥିର ରହିଲା । ଅନାବୃଷ୍ଟି, ଭୟଙ୍କର ଦୁର୍ଭିକ୍ଷରେ ତିନି ଲୋକ ତ୍ରସ୍ତ ହୋଇ ଉଠିଲା । ଦେବ, ଦାନଵ, ମାନବ କ୍ଷୁଧାରେ ବିକଳ ହେଲେ । ସମସ୍ତେ ଯାଇ ମା’ ଅନ୍ନପୂର୍ଣ୍ଣାଙ୍କ ନିବାସ ଶିବ ପୁରୀ କୈଳାଶରେ ପହଞ୍ଚି ଭୋଜନ ଭିକ୍ଷା କଲେ ।
ସେମାନଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ମହାଦେବ ନିଜେ ଭିକ୍ଷାଥାଳ ଧରି ଘୁରି ବୁଲିଲେ । କେଉଁ ଠାରୁ କିଛି ମିଳୁ ନଥାଏ । ନିରାଶ ହୋଇ ସେ ଭଗବାନ ବିଷ୍ଣୁଙ୍କୁ ଧ୍ୟାନକଲେ ।
ଶଙ୍କରଙ୍କୁ ଶ୍ରୀ ବିଷ୍ଣୁ କହିଲେ, ଆମ୍ଭେ ଶୁଣୁଛୁ କାଶୀର କେହିଜଣେ ମାଆ ଭିକ୍ଷାଦେଉଛନ୍ତି । ଆପଣ ସେଠାକୁ ଯାଆନ୍ତୁ, ନିଶ୍ଚୟ ଭିକ୍ଷା ପାଇବେ । ଶିବ ଭିକ୍ଷା ଥାଳଟି ଧରି ଯାଇ କାଶୀର ପହଞ୍ଚି ଶୁଣିଲେ ବାଇଗଣୀ ଏବଂ ଗୋଲାପୀ ରଙ୍ଗର ବସ୍ତ୍ର ପିନ୍ଧି ଥିବା, ବିଭିନ୍ନ ରତ୍ନ ଅଳଙ୍କାରରେ ସଜ୍ଜିତ ଓ ରତ୍ନ ସିଂହାସନରେ ବସି ଜଣେ ମହିୟସୀ ମହିଳା ସମସ୍ତ ବୁଭୁକ୍ଷୁ ମାନଙ୍କୁ ଭୋଜନ କରାଉ ଅଛନ୍ତି ।
ସେ ଆଉ କାଳ ବିଳମ୍ବ ନ କରି ଯାଇ ସେଠାରେ ପହଞ୍ଚିଗଲେ ଓ ସତକୁ ସତ ଦେଖିବାକୁ ପାଇଲେ ସେ ନାରୀ ସବୁ ବୁଭୁକ୍ଷୁ ଦେବତା, ଦାନଵ, ମାନବ ମାନଙ୍କୁ ଭୋଜନ ଦାନ କରୁଛନ୍ତି । ତାଙ୍କ ସାଥିରେ ଥାଆନ୍ତି ଦୁଇଟି ପୁଅ ।
ଶଙ୍କର ‘ଭିକ୍ଷାମ୍ ଦେହି’ କହି ଥାଳ ପାତି ଦେଖନ୍ତି ତ ସେ ଆଉ କେହି ନୁହଁନ୍ତି, ସ୍ୱୟଂ ନିଜର ଘରଣୀ ମହାମାୟୀ, ମାହେଶ୍ୱରୀ ପାର୍ବତୀ ଏବଂ ସାଙ୍ଗରେ ଦୁଇ ପୁଅ ଗଣେଶ ଏବଂ କାର୍ତ୍ତିକ । ସମସ୍ତଙ୍କୁ ଅନ୍ନ ବିତରଣ କରୁ ଥିବାରୁ ତାଙ୍କୁ ସମସ୍ତ ଭିକ୍ଷାର୍ଥୀ ମା’ ଅର୍ଣ୍ଣପୂର୍ଣ୍ଣା ବୋଲି କହୁଥାନ୍ତି ।
ଭଗବାନ ଶଙ୍କରଙ୍କୁ ସେ ଭିକ୍ଷା ସ୍ୱରୂପ ବହୁବିଧ ଭୋଜନ ଦେଇ ତୃପ୍ତ କରାଇଲେ । ଶିବ ତାଙ୍କର ଭୁଲ ବୁଝି ପାରିଲେ । ମାଆ ପାର୍ବତୀ କହିଲେ ମୁଁ ଏହିଠାରେ ଅନ୍ନପୂର୍ଣ୍ଣା ରୂପରେ ନିବାସ କରିବି । ତାଙ୍କରି ଇଛାରେ କାଶୀ ନଗରୀ ହେଲା ମାଆ ଅନ୍ନପୂର୍ଣ୍ଣାଙ୍କ ଧାମ ଓ ସେ ହେଲେ ଏହାର କ୍ଷେତ୍ରେଶ୍ଵରୀ ।
ଅନ୍ୟଗୋଟିଏ କିମ୍ବଦନ୍ତୀ ଅନୁସାରେ ଦିନେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କ ଭିତରେ ସେମାନଙ୍କ ମଧ୍ୟରେ କିଏ ବଡ଼ ବୋଲି କନ୍ଦଳ ଲାଗିଲା । ମା’ ପାର୍ବତୀ ତାଙ୍କର କଳି ଶୁଣି ତାଙ୍କୁ ଶିକ୍ଷା ଦେବାପାଇଁ କେଉଁ ଆଡ଼େ ଅଦୃଶ୍ୟ ହୋଇଗଲେ । ଫଳସ୍ୱରୂପ ସମଗ୍ର ସୃଷ୍ଟିରେ ଅକାଳ ପଡ଼ିଗଲା। ସମସ୍ତେ ଖାଦ୍ୟ ବିନା ଦୁର୍ବଳ ହେବାକୁ ଲାଗିଲେ ।
ତ୍ରିଦେବ ବସି ଏହାର ନିରାକରଣ ଉପାୟ ଚିନ୍ତା କରୁଥାନ୍ତି । ବିଷ୍ଣୁ ଏହି ସମୟରେ ଶିବଙ୍କୁ କହିଲେ, ଦେବୀ ମହାମାୟୀଙ୍କ ଅଦୃଶ୍ୟ ହେବା କାରଣରୁ ସଂସାରର ଏ ଦଶା, ମୁଁ ଶୁଣିବାକୁ ପାଉଛି କାଶୀରେ କାଳେ ଜଣେ ଦେଵୀ ଖାଦ୍ୟାନ୍ନ ବାଣ୍ଟିବା ଆରମ୍ଭ କରିଛନ୍ତି । ତୁମେ ଯାଇ ଦେଖ ସେ ଦେବୀ କିଏ ।
ଶଙ୍କର ଗୋଟିଏ ଭିକ୍ଷୁକ ବେଶରେ ଯାଇ ଦେଖିନ୍ତି,ସେ ଦେବୀ ଆଉ କେହି ନୁହଁନ୍ତି, ସେ ସ୍ୱୟଂ ଦେବୀ ଜଗଦମ୍ବା । ମା ପାର୍ବତୀ ମନ୍ଦ ହାସ୍ୟ କରି ଶଙ୍କରଙ୍କୁ ନିଜ ହାତରେ ଖୋଇ ଦେଲେ । ସେବେ ଠାରୁ ମାଆ ଦେବୀ ଅନ୍ନପୂର୍ଣ୍ଣା ନାମରେ ପରିଚିତ ହେଲେ ।
ତ୍ରି ଦେବଙ୍କୁ ଉଚିତ ଶିକ୍ଷା ମିଳିଲା । ସେମାନେ ଅନୁଭବ କଲେ ତାଙ୍କ ଶକ୍ତି ଦେବୀ ମହାମାୟୀଙ୍କର ଶକ୍ତି ବିନା ଅଧୁରା । ଦେବୀ ନିଜ ଇଚ୍ଛାରେ କାଶୀରେ ମା’ ଅନ୍ନପୂର୍ଣ୍ଣା ରୂପରେ ନିବାସ କଲେ ।
ଦେବୀ ଭାଗବତରେ ମାଆ ଅନ୍ନପୂର୍ଣ୍ଣାଙ୍କୁ କାଞ୍ଚିପୁର ଦେବୀ ଏବଂ ବିଶାଳାକ୍ଷିଙ୍କୁ ବାରାଣସୀର ଦେବୀ ବୋଲି କୁହା ଯାଇଛି । ସ୍କନ୍ଧ ପୁରାଣରେ ଉଲ୍ଲେଖ ଅଛି ବେଦ ବ୍ୟାସ ଥରେ ଅଭିଶପ୍ତ ହୋଇ କାଶୀ ଆସିଥିଲେ ଓ ଦେବୀ ଅନ୍ନପୂର୍ଣ୍ଣା ତାଙ୍କର ସତ୍କାର କରିଥିଲେ ।
କାଶୀରେ ମାଆ ଜଗଦମ୍ବା ଅନ୍ନପୁର୍ଣ୍ଣା ରୂପରେ ରହିବାକୁ ଇଚ୍ଛା ପ୍ରକଟ କଲାରୁ ଭଗବାନ ଶଙ୍କର ତାଙ୍କ ସମ୍ମାନରେ ସେଠାରେ ଏକ ଭବ୍ୟ ମନ୍ଦିର ନିର୍ମାଣ କରିଥିଲେ । ଭାରତର ବହୁ ସ୍ଥାନରେ ମା’ ଅନ୍ନପୂର୍ଣ୍ଣାଙ୍କ ମନ୍ଦିର ଦେଖିବାକୁ ମିଳେ । ସେମାନଙ୍କ ମଧ୍ୟରୁ ପ୍ରମୁଖ ମନ୍ଦିର ଗୁଡ଼ିକ ହେଲେ କର୍ଣ୍ଣାଟକର ଚିକମାଗାଲୁର, କେରଳର ପୁଡୁକୋଡ଼, ପଞ୍ଜାବର ଜଳନ୍ଧର, ଭତିଣ୍ଡା, ହାଇଦ୍ରାବାଦର ଜାଫରଗୁଡ଼ା ଇତ୍ୟାଦି । ରାଜସ୍ଥାନର ଚି଼ତ୍ତୋର ଦୁର୍ଗ ମଧ୍ୟରେ ଏକ ଅନ୍ନପୂର୍ଣ୍ଣା ମନ୍ଦିର ଅଛି ଯାହାକୁ ମହାରାଣା ହମିର ସିଂହ ନିର୍ମାଣ କରିଥିଲେ ।
ମାଆ ଅନ୍ନପୂର୍ଣ୍ଣାଙ୍କର ଆଦି ନିବାସ ସ୍ଥଳୀ କାଶୀ । ସେ କାଶୀ ଧାମର ଅଧିଶ୍ୱରୀ । ମାତା ଅନ୍ନପୂର୍ଣ୍ଣାଙ୍କୁ ଆରାଧନା କଲେ ଗୃହରେ କେବେ ଖାଦ୍ୟ, ଅନ୍ନର ଅଭାବ ହୋଇ ନ ଥାଏ ବୋଲି ବିଶ୍ୱାସ ରହିଛି । ତାଙ୍କ କରୁଣା ପ୍ରାପ୍ତ ହେଲେ ମନୁଷ୍ୟ ସ୍ଵସ୍ଥ ଜୀବନ ଯାପନ କରିଥାଏ । ସେଥିପାଇଁ ମା’ ଅନ୍ନପୂର୍ଣ୍ଣାଙ୍କୁ ସ୍ତୁତି କରି ଆଦିଗୁରୁ ଶ୍ରୀଶଙ୍କରାଚାର୍ଯ୍ୟ କହିଛନ୍ତି :-
ନିତ୍ୟାନନ୍ଦକରି ବରାଭୟକରି
ସୌନ୍ଦର୍ଯ୍ୟ ରତ୍ନାକରି
ନିର୍ଦ୍ଧୁତଖିଲଘୋର ପାବନକରି
ପ୍ରତ୍ୟକ୍ଷ ମାହେଶ୍ଵରୀ ।।
ପ୍ରାଲେୟାଚଳ ବଂଶ ପାବନକାରୀ
କାଶୀ ପୁରାଧୀଶ୍ଵରୀ
ଭିକ୍ଷାମ୍ ଦେହି କୃପାବଲମ୍ବନକରି
ମାତାନ୍ନପୁର୍ଣ୍ଣେଶ୍ଵରୀ ।।
🙏🙏🙏
ଅର୍ଜୁନୀ ଚରଣ ବେହେରା
ମୋ -7693091971
Khub bhala lagila
Lekhaknku dhanyabad