କାଳୀୟ ଦଳନ: ଲକ୍ଷେ ଭାର ପଦ୍ମ ଦେବୁରେ କହ୍ନାଇ, ନଥିବ ପାଖୁଡ଼ା ମିଶା

Share it

ସର୍ପରେ ଜାତ କଲୁ ମୋତେ
==================

ଦ୍ୱାପର ଯୁଗର କଥା, ଭଗବାନ ଶ୍ରୀକୃଷ୍ଣଙ୍କ ଗୋପ ପୁରରେ ବାଳ ଲୀଳା ଚାଲିଥାଏ l ଦିନକର କଥା, ସେ ଗୋପ ବାଳକ ମାନଙ୍କ ସହିତ ଗାଇ ଚରାଉ ଚରାଉ କାଳିନ୍ଦୀହ୍ରଦ ପାଖକୁ ଚାଲିଗଲେ l ସେହି ହ୍ରଦରେ କାଳୀୟନାଗ ସକୁଟୁମ୍ବ ବାସ କରୁଥିଲା l ତା’ର ବିଷ ଜ୍ୱାଳାରେ ସମ୍ପୂର୍ଣ୍ଣ ହ୍ରଦର ଜଳ ବିଷାକ୍ତ ହୋଇ ଯାଇ ଥିଲା l ସେହି ବିଷଧର ସର୍ପକୁ ପ୍ରଭୁ ଦମନକରି ନାମ ବହିଲେ କାଳୀୟ ଗଞ୍ଜନ l

କାଳୀୟ ନାଗ, ନାଗମାତା କଦ୍ରୁଙ୍କ ସନ୍ତାନ ଥିଲା l ଅନ୍ୟ ସର୍ପଙ୍କ ସହ ସେ ପୂର୍ବେ ରମଣକ ଦ୍ଵୀପରେ ବାସ କରୁଥିଲା l ନାଗ ମାନଙ୍କର ଶତ୍ରୁ ପକ୍ଷୀରାଜ ଗରୁଡ଼ ରମଣକ ଦ୍ଵୀପରେ ପଶି ନାଗମାନଙ୍କୁ ଧରି ଭକ୍ଷଣ କରୁଥିଲେ l ତାଙ୍କ କବଳରୁ ରକ୍ଷାପାଇବା ପାଇଁ ସର୍ପମାନେ ଏକ ବ୍ୟବସ୍ଥା କଲେ l ଗରୁଡ଼ଙ୍କ ପାଇଁ ପ୍ରତି ଦିନ ସେମାନେ ପ୍ରତି ପରିବାର ପକ୍ଷରୁ ଏକ ବୃକ୍ଷତଳେ ଗୋଟିଏ ସାପ ରଖି ଦେଉଥିଲେ, ଗରୁଡ଼ ଏହାକୁ ଖାଇ ତୃପ୍ତହେଉଥିଲେ ଏବଂ ଆଉ ସର୍ପ ମାନଙ୍କୁ ଆକ୍ରମଣ କରୁ ନ ଥିଲେ l

କାଳୀୟ ନାଗ ନିଜର ବିଷ ଓ ବଳ ଗର୍ବରେ ମତ୍ତହୋଇ ଏ ନିୟମକୁ ମାନୁ ନ ଥିଲା l ଏଥିପାଇଁ ଥରେ ଗରୁଡ଼ କାଳିୟନାଗକୁ ତୀବ୍ର ବେଗରେ ଆକ୍ରମଣ କଲେ l କାଳୀୟ ମଧ୍ୟ ତା’ର ଶହେ ଏକ ଫଣାକୁ ଉଠାଇ ପ୍ରବଳ ଫୁତ୍କାରକରି ଗରୁଡ଼ଙ୍କୁ ଦଂଶନ କରିବାରେ ଲାଗିଲା l ମାତ୍ର ଗରୁଡ଼ଙ୍କ ପ୍ରଚଣ୍ଡ ଆକ୍ରମଣକୁ ସେ ପ୍ରତିହତ କରିବାପାଇଁ ଅସମର୍ଥ ହେଲା l ଭୟରେ ପଳାଇ ଆସି କାଳୀୟ କାଳିନ୍ଦୀ ହ୍ରଦରେ ଆଶ୍ରୟ ନେଲା, କାରଣ ଏହି ହ୍ରଦରେ ଗରୁଡ଼ଙ୍କୁ ଅଭିଶାପ ଥିବାରୁ ତାଙ୍କର ପ୍ରବେଶ ନିଷେଧଥିଲା l ଅଭିଶାପ ବିଷୟ କାଳୀୟକୁ ଜଣା ଥିଲା l

ଅଭିଶାପ ବିଷୟ ଥିଲା ଏହିପରି l
‘କାଳିନ୍ଦୀ ହ୍ରଦରୁ ଏକଦା ଗରୁଡ଼ ଅତିଶୟ କ୍ଷୁଧାରୁ ଗୋଟିଏ ମାଛ ଧରି ଖାଇଦେଲେ l ସେହି ମାଛଟି ଥିଲା ମାଛମାନଙ୍କ ରାଜା, ଏଣୁ ସମସ୍ତ ମାଛ ମିଶି କାଳୀନ୍ଦୀ ହ୍ରଦ କୂଳରେ ବାସ କରୁଥିବା ସୌଭରି ଋଷିଙ୍କୁ ଗୁହାରି କଲେ l ସୌଭରି ଦୟା ପରବଶ ହୋଇ, ମତ୍ସ୍ୟ ମାନଙ୍କ ସୁରକ୍ଷା ପାଇଁ ଗରୁଡ଼ଙ୍କୁ ଏ ହ୍ରଦକୁ ଆସିବା ବାରଣ କଲେ l ଅଭିଶାପ ଦେଇ ଗରୁଡ଼ଙ୍କୁ କହିଲେ ତୁ ଏ ହ୍ରଦରେ ପ୍ରବେଶ କଲେ ଅବିଳମ୍ବେ ନାଶ ହେବୁ l କାଳିନ୍ଦୀ ହ୍ରଦ ଗରୁଡ଼ଙ୍କ ବର୍ଜିତ ନିରାପଦ ସ୍ଥାନ ମଣି କାଳୀୟ ନିଜ ପତ୍ନୀ କୁଟୁମ୍ବ ମାନଙ୍କ ସହ ସେଠାରେ ନିର୍ଭୟରେ ବାସ କରୁଥିଲା’l

କାଳିନ୍ଦୀ ହ୍ରଦ ଯମୁନା ନଦୀର ନିକଟବର୍ତ୍ତୀ ଥିଲା l କାଳୀୟ ନାଗର ଉତ୍କଟ ବିଷ ପ୍ରଭାବରେ ବିଷାକ୍ତ ହ୍ରଦର ଜଳ ସର୍ବଦା ଟକମକ ହୋଇ ଫୁଟୁ ଥିଲା l ଏପରିକି ଏହି ହ୍ରଦ ଉପରେ କୌଣସି ପକ୍ଷୀ ଉଡ଼ି ଯାଉଥିଲେ ବିଷ ଜ୍ୱାଳାରେ ଖସି ପଡୁଥିଲେ l ବିଷ ଜ୍ୱାଳାରେ ହ୍ରଦ କୂଳରେ ଥିବା ସମସ୍ତ ଗଛ ପୋଡ଼ି ଯାଉ ଥିଲେ l ସେଠାରେ କେବଳ ଗୋଟିଏ ମାତ୍ର କଦମ୍ବଗଛ ତିଷ୍ଠି ରହିଥିଲା, କାରଣ ଏକଦା ଅମୃତ ସଂଗ୍ରହ କରି ଗରୁଡ଼ ଏହି ଗଛ ଉପରେ ବସିଥିବା ସମୟରେ, ଅମୃତ ଛିଟା ଏହି କଦମ୍ବଗଛ ଉପରେ ପଡ଼ି ସେ ଅମର ପାଲଟି ଯାଇଥିଲା l ଏହି କଦମ୍ବ ବୃକ୍ଷରେ ଗୋପୀମାନଙ୍କ ବସ୍ତ୍ରହରଣ କରି ଶ୍ରୀକୃଷ୍ଣ ପରେ କେଳି ପତାକା ବାନ୍ଧିଥିଲେ l

ଦିନକର କଥା, କୃଷ୍ଣଙ୍କ ସହ ଗାଇ ବାଛୁରୀ ମାନେ ଯାଇ କାଳିନ୍ଦୀ ହ୍ରଦ କୂଳରେ ଚରୁ ଥିଲେ l ହ୍ରଦରୁ ସେମାନେ ଯାଇ ଜଳ ପାନ କରି, ବିଷ ଜ୍ୱାଳାରେ ଅଚେତ ହୋଇ ପଡ଼ିଲେ l ଶ୍ରୀକୃଷ୍ଣ ଗାଈ ମାନଙ୍କୁ ଚାହିଁ ବଂଶୀ ଧ୍ୱନୀ କରିବାରୁ ସେମାନେ ସଚେତ ହୋଇ ଉଠିଲେ l ବାଳକ ଶ୍ରୀକୃଷ୍ଣଙ୍କର କାଳୀୟ ଉପରେ କ୍ରୋଧ ହେଲା l ସେ ହ୍ରଦ ଭିତରକୁ ଲମ୍ଫ ଦେଇ ପହଁରିବାକୁ ଲାଗିଲେ l ହ୍ରଦରେ ବଡ଼ ବଡ଼ ତରଙ୍ଗ ସବୁ ସୃଷ୍ଟିହୋଇ ଚତୁର୍ଦିଗକୁ ବ୍ୟାପିଗଲା l ହ୍ରଦର ଜଳ ଆନ୍ଦୋଳିତ ହେବାରୁ କାଳୀୟ ନାଗ କ୍ଷୁବ୍ଧ ହୋଇ ଜଳ ମଧ୍ୟରୁ ବାହାରି ଆସି ଶ୍ରୀକୃଷ୍ଣଙ୍କୁ ଦଂଶନ କରିବା ସହ ତାଙ୍କୁ କୁଣ୍ଡଳୀରେ ଦୃଢ଼କରି ଗୁଡ଼ାଇ ବାନ୍ଧି ଦେଲା l କାଳୀୟ କବଳରେ କୃଷ୍ଣ ପଡ଼ିଥିବା ଦେଖି ତାଙ୍କ ସାଥୀମାନେ ଯାଇ ଗୋପ ପୁରରେ ଏକଥା କହିଲେ l

ଖବର ପାଇ ନନ୍ଦ ଓ ଯଶୋଦା ବ୍ଯାକୁଳ ହୋଇ ଗୋପପୁର ନରନାରୀ ମାନଙ୍କ ସହିତ ହ୍ରଦ କୂଳରେ ପହଞ୍ଚି ହାୟ ହାୟ କରିବାକୁ ଲାଗିଲେ l ମାତ୍ର ବଡ଼ ଭାଇ ବଳରାମ ଜାଣିଥିଲେ, କୃଷ୍ଣଙ୍କ ପ୍ରଭାବ l ବିଚଳିତ ନ ହୋଇ ସେ ସମସ୍ତଙ୍କୁ ଧୈର୍ଯ୍ୟ ଧରିବାକୁ କହିଲେ l

କାଳୀୟ ଓ ଶ୍ରୀକୃଷ୍ଣଙ୍କ ମହା ସଂଗ୍ରାମ ଚାଲିଥାଏ l ନାଗରାଜ ଫୁତ୍କାର କରି ଶ୍ରୀକୃଷ୍ଣଙ୍କ ଉପରେ ବିଷ ଉଦ୍ଗାରି ତାଙ୍କୁ ବାରମ୍ବାର ଦଂଶନ କରୁଥାଏ ଏବଂ ଶକ୍ତ ଭାବେ କୁଣ୍ଡଳୀରେ ବନ୍ଧନ କରୁ ଥାଏ l ଏହି ସମୟରେ ଶ୍ରୀକୃଷ୍ଣ ନିଜର ଶରୀରକୁ ଏକ ବିରାଟ ରୂପରେ ପରିବର୍ତ୍ତନ କରିଦେଲେ l ତେଣୁ ଗୁଡ଼େଇ ଗୁଡ଼େଇ ହୋଇ କାଳୀୟ ନାଗ ଖୁବ କ୍ଲାନ୍ତ ହୋଇ ପଡ଼ିଲା l ଶ୍ରୀକୃଷ୍ଣ କାଳୀୟନାଗର ଲାଞ୍ଜଟିକୁ ଧରି ନିଜକୁ ମୁକ୍ତ କରିନେଲେ ଓ ତାର ଫଣା ଉପରକୁ ଉଠି ଯାଇ ନୃତ୍ୟ କରିବାକୁ ଲାଗିଲେ l ଶ୍ରୀକୃଷ୍ଣଙ୍କ ଗୁରୁଭାର ସହିନପାରି କାଳୀୟ ଫଣାରୁ ଝର ଝର ହୋଇ ରୁଧିର ବହିବାକୁ ଲାଗିଲା l ସେହି ଦୃଶ୍ୟକୁ ଦର୍ଶନ କରି ସ୍ୱର୍ଗରୁ ଦେଵଗଣ ପୁଷ୍ପବୃଷ୍ଟି କରିବାକୁ ଲାଗିଲେ l ସ୍ୱର୍ଗରୁ ଡିବି ଡିବି ହୋଇ ଦୁନ୍ଦୁଭି ନାଦ ହେବାକୁ ଲାଗିଲା l

କାଳୀୟର ମୃତ ପ୍ରାୟ ଅବସ୍ଥା ଦେଖି, ନାଗପତ୍ନୀ ମାନେ ଧାଇଁ ଆସିଲେl ବିକଳ ହୋଇ ସେମାନେ ଭଗବାନ କୃଷ୍ଣଙ୍କୁ ହସ୍ତ ଯୋଡ଼ି ପତିର ପ୍ରାଣ ଭିକ୍ଷା କଲେ l ଦର୍ପିଷ୍ଠ କାଳୀୟନାଗ ଚୈତନ୍ଯ ଲାଭକରି ଶ୍ରୀକୃଷ୍ଣଙ୍କ ଚରଣକମଳରେ ଶରଣ ପଶିଲା l ସେ ପ୍ରଭୁଙ୍କୁ କହିଲା, ପ୍ରଭୁ ! ପକ୍ଷୀରାଜ ଗରୁଡ଼ ଭୟରେ ଆସି ମୁଁ ଏଠାରେ ଆଶ୍ରୟ ନେଇଥିଲି l ଆପଣଙ୍କୁ ଜାଣି ନ ପାରି ଦ୍ରୋହ କଲି l ଆପଣହିଁ ତ ମୋତେ ସର୍ପକୁଳରେ ଜାତ କରିଛନ୍ତି l ଆପଣ ହିଁ ମୋତେ ଗରଳର ଅଧିକାରୀ କରାଇଛନ୍ତି l ସର୍ପର ସ୍ବଭାବ ବଶତଃ ମୁଁ ଆପଣଙ୍କୁ ଦଂଶନ କରିଛି l ଭାଗବତ ଭାଷାରେ :-
ସର୍ପରେ ଜାତ କଲୁ ମୋତେ l
ସ୍ଵଭାଵ ଛାଡ଼ିବି କେମନ୍ତେ ll
ତାମସ ଗୁଣେ ଜାତ କରି l
ଗରଳେ କଲୁ ଅଧିକାରୀ ll
ତେଣୁ ମୁଁ କ୍ରୋଧବଶ ହୋଇ l
ସ୍ଵଭାଵ ଛାଡ଼ି ନ ପାରଇ ll

ଭଗବାନ କାଳୀୟକୁ ଛାଡି ଦେଇ କହିଲେ,”ମୋ ପାଦ ଚିହ୍ନ ତୋରି ଫଣା ଉପରେ ରହିଲା l ଗରୁଡ଼ ତୋ’ର ଆଉ ଏଣିକି କୌଣସି କ୍ଷତି କରି ପାରିବ ନାହିଁ l କାଳବିଳମ୍ବ ନକରି ଏହି ହ୍ରଦ ଛାଡ଼ି ତୋର ପରିବାରସହ ତୁ ନିଜ ବାସସ୍ଥାନ ରମଣକଦ୍ବୀପକୁ ଚାଲି ଯା l କାଳୀୟ ପ୍ରଭୁଙ୍କୁ ବାରମ୍ବାର ପ୍ରଣିପାତ କରି ତା’ର ଜ୍ଞାତି କୁଟୁମ୍ବଙ୍କ ସହ କାଳିନ୍ଦୀ ହ୍ରଦକୁ ଚିରଦିନ ପାଇଁ ପରିତ୍ୟାଗ କରି ଚାଲିଗଲା l

ଶ୍ରୀକୃଷ୍ଣ କାଳୀୟ ଗର୍ବ ଗଞ୍ଜନ କରି କୂଳକୁ ଫେରି ଆସିବା କ୍ଷଣି ରୁଣ୍ଡ ହୋଇଥିବା ଗୋକୁଳ ବାସୀଙ୍କ ମଧ୍ୟରେ ଆନନ୍ଦ ଖେଳିଗଲା l ମାଆ ଯଶୋଦା ଓ ନନ୍ଦ ରାଜାଙ୍କ ଆନନ୍ଦ କହିଲେ ନ ସରେ !! ମାଆ ଯଶୋମତି କୃଷ୍ଣଙ୍କୁ କୋଳକୁ ଟାଣି ନେଇ ଆଉଁସି ଦେଲେ ଏବଂ ବାରମ୍ବାର ଚୁମ୍ବନଦେଇ, ଆହା ମୋ କହ୍ନେଇ କହି ଗେଲ କଲେ l

ଶ୍ରୀମଦ ଭାଗବତ ମହାପୁରାଣରେ ବର୍ଣ୍ଣିତ କୃଷ୍ଣଙ୍କ ଏହି କାଳୀୟଗଞ୍ଜନ ଲୀଳା କଥାବସ୍ତୁ ଆଧାରରେ ଭାଦ୍ରବ କୃଷ୍ଣଏକାଦଶୀରେ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହୁଏ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର କାଳୀୟ ଦଳନ ବେଶ l ଏହା କାଳୀୟଦଳନ ଏକାଦଶୀ ନାମରେ ପରିଚିତ l

କୃଷ୍ଣ ରୂପୀ ଜଗନ୍ନାଥଙ୍କୁ ପ୍ରଭୁ କାଳୀୟ ଗଞ୍ଜନ ଭାବେ ବର୍ଣ୍ଣନା କରି ଭକ୍ତକବି ଜୟଦେବ ଲେଖିଛନ୍ତି :-
“କାଳୀୟ ବିଷଧର ଗଞ୍ଜନ, ଜନ ରଞ୍ଜନ,
ଯଦୁକୁଳ ନଳୀନ ଦିନେଶ
ଜୟ ଜୟ ଦେବ ହରେ l”

କେତେକ ବୈଷ୍ଣବ ସାହିତ୍ୟରେ ଶ୍ରୀକୃଷ୍ଣ କାଳିନ୍ଦୀ ହ୍ରଦକୁ ମାମୁଁ କଂସ ଆଦେଶରେ ଲକ୍ଷେ ଭାର ପଦ୍ମ ତୋଳିବା ପାଇଁ ଯାଇ କାଳୀୟ ଦଳନ କରିଥିଲେ ବୋଲି ବର୍ଣ୍ଣନା ରହିଛି l

ଏଣୁ କବି ବନମାଳି ଦାସ ଲେଖିଛନ୍ତି :-
ସେଦିନ କଂସ ହୋଇଣ ରୋଷ
ଲକ୍ଷେ ପଦ୍ମ ପାଇଁ ଦେଲା ଆଦେଶ l
ପଦ୍ମ ତୋଳା ରସ କରିଣ ପ୍ରକାଶ
ବଳେ ଛଳେ କାଳି ଦଳି ଦେଲାଟି ll
କେଡ଼େ ଛନ୍ଦ ଜାଣେ ଲୋ ସହି,
ନନ୍ଦ ରାଜାର ଟିକି ପିଲାଟି !!!

ସାପୁଆ କେଳା ମାନେ ସାପ ଖେଳାଇଲା ବେଳେ ଶ୍ରୀକୃଷ୍ଣଙ୍କ ଏହି ଲୀଳା ପର୍ଯ୍ୟବେସିତ ପଦ୍ମତୋଳା ଗୀତ ଗାଇଥାନ୍ତି :-
କଂସର ଘରଣୀ, ପଦ୍ମାବତୀ ରାଣୀ
କଲା ସେ ଧନୀତିରୀ ଓଷା l
ଲକ୍ଷେ ଭାର ପଦ୍ମ ଦେବୁରେ କହ୍ନାଇ
ନଥିବ ପାଖୁଡ଼ା ମିଶା ll

ସାପୁଆକେଳାମାନେ କହିଥାନ୍ତି ଭଗବାନ ଶ୍ରୀକୃଷ୍ଣ ହେଉଛନ୍ତି ଏହି ପଦ୍ମ ତୋଳା ଗୀତର ରଚୟିତା l

ଓଁ ନମଃ ଶ୍ରୀକୃଷ୍ଣାୟ ଗୋବିନ୍ଦାୟ
ଗୋପୀଜନ ବଲ୍ଳଭାୟ ନମଃ ନମଃ
🙏🙏🙏


ଅର୍ଜୁନୀ ଚରଣ ବେହେରା
ମୋ – 7693091971


Share it

Leave a comment

Your email address will not be published. Required fields are marked *

Verified by MonsterInsights