ପୁରାଣ ଓ ଜାତକଗଳ୍ପ
ତୀର୍ଥାଟନରୁ ବୃଦ୍ଧ ସ୍ୱଗୃହକୁ ପର୍ତ୍ତ୍ୟାବର୍ତ୍ତନ କରୁଥିଲେ । ନିଦାଘ ଦ୍ୱିପହରରେ ସେ କ୍ଷୀପ୍ର ଗତିରେ ଘଞ୍ଚ ଜଙ୍ଗଲପୂର୍ଣ୍ଣ ରାସ୍ତା ଅତିକ୍ରମ କରୁଥିଲେ । ଜନମାନବ ଶୂନ୍ୟ ରାସ୍ତା ତାଙ୍କ ମନରେ ଭୀତି ସଞ୍ଚାର କରୁଥିଲା । ତେବେ ସେ ନିର୍ବିକାର ଥିଲେ । କିଛି ବର୍ଷ ତଳେ ସେ ନିଜର ପତ୍ନୀ ଓ ପୁତ୍ରକୁ ହରାଇଛନ୍ତି । ଶୈଶବରୁ ଅଭାବ ଅନଟନ ତାଙ୍କ ପିଛା ଛାଡି ନାହିଁ ।
ଯୁବାବସ୍ଥାରେ ସେ ଦିନଟିଏ ବି ସୁଖ ସ୍ୱଛନ୍ଦରେ ରହି ନାହାନ୍ତି ହେଲେ ସେଥିପାଇଁ ତାଙ୍କ ମନରେ ଦୁଃଖ ନାହିଁ । ସବୁକିଛି ତ୍ଯାଗ କରି ସେ ପରମେଶ୍ବରଙ୍କ ଆଶ୍ରୟ ନେଇଛନ୍ତି । ଭିକ୍ଷାବୃତ୍ତି ସହିତ ଈଶ୍ବରଙ୍କ ନାମ ଜପି ସେ ସମୟ ବିତାଉ ଥିଲେ । ଜନ୍ମ-ମରଣ ଚକ୍ରରୁ ମୁକ୍ତି ଓ ମୋକ୍ଷ ତାଙ୍କର ଅନ୍ତିମ ଲକ୍ଷ୍ୟ ଥିଲା ।
ନିଛାଟିଆ ଜଙ୍ଗଲପୂର୍ଣ୍ଣ ରାସ୍ତାରେ ଚାଲିଚାଲି ବୃଦ୍ଧ କ୍ଳାନ୍ତ ହୋଇ ପଡିଲେ । ସେ ଭୋକ ଓ ଶୋଷରେ ଆତୁର ଥିଲେ କିନ୍ତୁ ପାଖରେ କୌଣସି ଜନବସତି ନଥିଲା । ଗଛ ଛାଇରେ କିଛି ସମୟ ବିଶ୍ରାମ ନେଇ ବୃଦ୍ଧ ପୁନଶ୍ଚ ଚାଲିବାକୁ ସ୍ଥିର କଲେ । ରାସ୍ତାପାର୍ଶ୍ଵରେ ଏକ ଝଙ୍କାଳିଆ ଗଛ ଦେଖି ସେ ବସି ପଡିଲେ କିନ୍ତୁ ଶୋଷ ମେଣ୍ଟାଇବା ପାଇଁ ଜଳର ଏକାନ୍ତ ଆବଶ୍ୟକତା ଥିଲା ।
ସଂଯୋଗବଶତଃ ବୃଦ୍ଧଙ୍କୁ ଛାୟା ପ୍ରଦାନ କରୁଥିବା ବୃକ୍ଷଟି ଏକ କଳ୍ପବୃକ୍ଷ ଥିଲା । ସେଥିରେ ଜଣେ କଳ୍ପ ଦେବତା ବାସ କରୁଥିଲେ । ସେ ତାଙ୍କର ଛାୟାରେ ଆଶ୍ରିତ ପ୍ରତ୍ୟେକ ବ୍ୟକ୍ତିର ମନବାଞ୍ଛା ପୂରଣ କରୁଥିଲେ । ସେ ତତକ୍ଷଣାତ୍ ବୃଦ୍ଧଙ୍କ ସମ୍ମୁଖରେ ଏକ ସୁଶୀତଳ ଜଳପୂର୍ଣ୍ଣ ପାତ୍ର ରଖି ଦେଲେ ।
ଜଳପୂର୍ଣ୍ଣ ପାତ୍ରଟି ଦେଖି ବୃଦ୍ଧ ଆଶ୍ଚର୍ଯ୍ୟ ହେଲେ ତେବେ ଏହି ଅଲୌକିକତାକୁ ଈଶ୍ବରଙ୍କ ଇଛା ଭାବି, ସେ ଜଳପାନ କଲେ । ଜଳପାନ ଉପରାନ୍ତ ବୃଦ୍ଧଙ୍କ କ୍ଷୁଧା ଦ୍ୱିଗୁଣିତ ହେବାକୁ ଲାଗିଲା । ସେ ମନେମନେ କିଛି ସୁସ୍ୱାଦୁ ଭୋଜନର କାମନା କଲେ । ତୁରନ୍ତ ତାଙ୍କୁ ସୁବର୍ଣ୍ଣ ପାତ୍ରରେ ଭଳିକି ଭଳି ସ୍ୱାଦ୍ଦିଷ୍ଟ ଭୋଜନ ମିଳିଗଲା । ବୃଦ୍ଧ କୃତ୍ୟକୃତ୍ୟ ହୋଇ ଭୋଜନ ଗ୍ରହଣ କଲେ ।
ଏପରି ସ୍ୱାଦ୍ଦିଷ୍ଟ ଭୋଜନ ସେ ଆଗରୁ କେବେ ଖାଇନଥିଲେ । ପେଟପୂରା ଖାଦ୍ୟ ଗ୍ରହଣ ପରେ ବୃଦ୍ଧ କିଛି ସମୟ ଆରାମରେ ନିଦ୍ରା ଯିବାକୁ ଚାହିଁଲେ । ତାଙ୍କ ମନକଥା ବୁଝି କଳ୍ପଦେବତା ଏକ ତୂଳିତପ୍ତ ଶଯ୍ୟାଟିଏ ଯୋଗାଇ ଦେଲେ ।
ବୃଦ୍ଧଙ୍କ ଆନନ୍ଦର ଆଉ ସୀମା ରହିଲା ନାହିଁ । ଏପରି ସୁଖଦ ଅନୁଭବ ତାଙ୍କ ପାଇଁ ନୂଆ ଥିଲା । ଏହି ଅଲୌକିକତା ତାଙ୍କର ତୀର୍ଥାଟନର ଫଳ ତଥା ଈଶ୍ବରଙ୍କ ଇଛା ଭାବି ସେ ଆରାମରେ ନିଦ୍ରା ଗଲେ । ନିଦ ଭାଙ୍ଗିଲା ବେଳକୁ ସନ୍ଧ୍ୟା ଆଗତ ପ୍ରାୟ । ବୃଦ୍ଧ ବ୍ୟସ୍ତ ହୋଇ ପଡିଲେ ।
ଜଙ୍ଗଲ ଅତିକ୍ରମ କରିବାକୁ ତାଙ୍କୁ ଆଉ କିଛି ସମୟ ଲାଗିବ । ସେ ଜାଣିଥିଲେ ଜଙ୍ଗଲଟି ହିଂସ୍ରଜନ୍ତୁ ପୂର୍ଣ୍ଣ । ତାଙ୍କ ମନକୁ ପାପ ଛୁଇଁଲା । ସେ ମନକୁମନ ଭାବିଲେ,-” ସେ କୌଣସି ବଣ୍ଯଜନ୍ତୁର ଶିକାର ହେବେ ନାହିଁ ତ?” ଏହି ସମୟରେ, ହଠାତ୍ ଗୋଟିଏ ବାଘ କୁଆଡୁ ଆସି, ବୃଦ୍ଧଙ୍କୁ ମାରି ଖାଇଦେଲା ।
ଆମ ଶରୀର ଠିକ ଏକ କଳ୍ପବୃକ୍ଷ ଓ ମନ କଳ୍ପ-ଦେବତା ସଦୃଶ୍ୟ । ଆମର ସକାରାତ୍ମକ ଓ ନକାରାତ୍ମକ ଚିନ୍ତା ଆଧାରରେ ଆମେ ଫଳ ପ୍ରାପ୍ତ ହୋଇଥାଉ । ଶ୍ରୀମଦ୍ଭାଗବତର କେତେକ ପଙ୍କ୍ତି ଏଠାରେ ଅନୁଶୀଳନ ଯୋଗ୍ୟ ।
ଏ ମନ ଭାବୁଥାଏ ଯାହା
କାଳେ ପ୍ରାପତ ହୁଏ ତାହା ।
ମନରେ ମୂଳେ କାଳ ଥାଇ
ପ୍ରାଣୀ ତା ଜାଣି ନପାରଇ ।
ଯାହାର ଯେଉଁ ଭାବ ଦେଖି
ନାବ ମୁଁ ଦିଅଇ ସଳଖି ।