କଳକଣ୍ଠ କଣ୍ଠେ (ସୁମଧୁର କଣ୍ଠରେ) କହିଲା …

Share it

କଳକଣ୍ଠ କଣ୍ଠେ (ସୁମଧୁର କଣ୍ଠରେ) କହିଲା …

ଜାତି ନନ୍ଦିଘୋଷ ଚଳିବ କି ଭାଇ
ସ୍ୱାର୍ଥକୁ ସାରଥି କଲେ,
ଟାଣେ କି ରେ ଗାଡି ଦାନାର ତୋବଡା
ଘୋଡାମୂଖେ ବନ୍ଧାଥିଲେ ?

ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଦ୍ବାରା ଲିଖିତ ” ତପସ୍ୱିନୀ କାବ୍ୟ”ର ପ୍ରଥମପଦରେ ଏହି ତିନୋଟି ଶବ୍ଦ ଅଛି ।

ଆଜିର ଲେଖାର ” କଳକଣ୍ଠ କଣ୍ଠେ କହିଲା” ଶୀର୍ଷକଟି, ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଦ୍ବାରା ଲିଖିତ
” ତପସ୍ୱିନୀ କାବ୍ୟ”ର ପ୍ରଥମପଦରେ ଥିବା ତିନୋଟି ଶବ୍ଦ। ସେହି ପଦଟି ହେଉଛି –
” ମଙ୍ଗଳେ ଅଇଲା ଉଷା
ବିକଚ- ରାଜୀବ ତୃଷା
ଜାନକୀ-ଦର୍ଶନ-ତୃଷା
ହୃଦୟେ ବହି,
କରପଲ୍ଲବେ ନିହାର-
ମୁକ୍ତା ଧରି ଉପହାର
ସତୀଙ୍କ ବାସ ବାହାର
ପ୍ରାଙ୍ଗଣେ ରହି,
କଳକଣ୍ଠ କଣ୍ଠେ କହିଲା
ଦରଶନ ଦିଅ ସତୀ
ରାତି ପାହିଲା”।

“କ’ଣ ହେଲା ଯେ ଆଜି ଏହି ପଦଟି ‘ତୁଷାରକାନ୍ତର ମୁଣି’ରୁ
ବାହାରିଆସିଲା” ଭଳି ଏକ ସଂଭାବ୍ୟ ପ୍ରଶ୍ନର ଉତ୍ତର ଆଗୁଆ ଦେଇ
ଏପରି ଝମେଲାରୁ ମୁକ୍ତି ପାଇବାକୁ ଉତ୍ତରଟିକୁ ତଳେ ସ୍ଥାନିତ କରିଛି ଯାହାକୁ ପଢିବାକୁ ଅନୁରୋଧ ।

ଉତ୍ତର:- ତା 03.02.2024ରିଖଟି ତିନିଦିନବ୍ୟାପୀ ପାଳିତ ହେଉଥିବା “ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ”ର ପ୍ରଥମ ଦିବସଥିଲା।

ଏହାର ଉଦଘାଟନ ଉତ୍ସବରେ “5T କାର୍ଯ୍ୟକ୍ରମ”ର ଅଧ୍ୟକ୍ଷଙ୍କ
କର୍ତ୍ତୁକ ଆମର ସମ୍ମାନୀୟ ମୂଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଜୀଙ୍କୁ
ମଞ୍ଚ ଉପରେ କଢେଇ ନିଆଯାଉଥବା ସମୟରେ କାର୍ଯ୍ୟକ୍ରମର ଓଡିଆ ଉଦଘୋଷିକା ମହାଶୟା, କଳକଣ୍ଠ ସ୍ୱରରେ ତାଙ୍କୁ ସ୍ୱାଗତ ଜଣେଇ କହିଥିଲେ –

“ଆଦରଣୀୟ ମୂଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ— କାର୍ଯ୍ୟର ଆରମ୍ଭରେ ଆମେ ଗାନ କରିବା କଣ୍ଠକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର
କାଳଜୟୀ ରଚନା ବନ୍ଦେ ଉତ୍କଳ ଜନନୀରୁ। ଆଜିର ବନ୍ଦେ ଉତ୍କଳ ଜନନୀ ହେଉଛି କଣ୍ଠକବିଙ୍କର ଏକ କଳାତ୍ମକ ଉପସ୍ଥାପନ ।
ବର୍ତ୍ତମାନ ମୁଁ ସମସ୍ତଙ୍କୁ ଅନୁରୋଧ କରୁଅଛି, ଆସନ୍ତୁ ଆମେ ସମସ୍ତେ ତନ୍ମୟ ହୋଇ ରାଜ୍ୟର ସଙ୍ଗୀତକୁ ସମ୍ମାନ ଜଣାଇବା “।

ତେବେ “ସ୍କନ୍ଧ ନ ବାଧତେ ରାଜନ- ତବ “ବାଧତି” ( ଭୁଲ ଶବ୍ଦ) ବାଧତେ” (ଏହା ବାବଦରେ ଆପଣମାନେ ଜାଣିଥିବାରୁ ଆଉ ଫେଣାଉନାହିଁ ) ବାଣୀଟି ଆଧାରରେ, “କାନ୍ତକବି” କୁ ” କଣ୍ଠକବି” କୁହାଯିବା ଯେତିକି ବାଧୁନାହିଁ, ତାଠାରୁ ଅଧିକ ବାଧୁଛି ସେଠାରେ ଉପସ୍ଥିତ ସମ୍ମାନିତ ହେବାକୁଥିବା ତଥା ଅନ୍ୟାନ୍ୟ ନିମନ୍ତ୍ରିତ ମୂର୍ଧଣ୍ୟ ଓଡିଆମାନଙ୍କ ସେହିକ୍ଷଣର ନୀରବତା ।

ମନେ ପଡୁଛି କେହିଜଣେ
ଅଭ୍ୟାସଗତ ନିନ୍ଦୁକ କହୁଥିବା
“ଏକଡେ କାନ୍ତ, କୁମାର/ ପ୍ରସାଦ/ ପ୍ରସନ୍ନ/ ମଣି/ କୁମାର /ରଞ୍ଜନ/
କିଶୋର /ଶେଖର/ ଚନ୍ଦ୍ର ଆଦିଙ୍କ ସହିତ ସେକଡେ ବି କାନ୍ତ ଓ ମଝିରେ ଓଡିଆ ସାହିତ୍ୟ ଓ ସଂସ୍କୃତି ହନ୍ତସନ୍ତ”
କଥାଟି।

ରକ୍ଷାହୋଇଛି ଯେ ସେମାନେ ସୁରଭାଇଙ୍କ “ମାର ତାଳି” ଆଦର୍ଶରେ ଉଦବୁଦ୍ଧ ହୋଇ ସେତେବେଳେ ପ୍ରବଳ ତାଳିମାଡରେ ଗଗନ ପବନ ପ୍ରକମ୍ପିତ କରିନାହାନ୍ତି ।

ଏହିଭଳି କିଛି ଚୁଇଁମୂର୍ଧଣ୍ୟଙ୍କୁ ଟେଲିଫୋନ ଯୋଗେ ଏ ବାବଦରେ ପଚାରନ୍ତେ କେହି “ମୁଁ ଯାଇନଥିଲି” ତ ଆଉ କେହି “ମୁଁ ଡେରିରେ ପହଞ୍ଚିବାବେଳକୁ ଉଦଘାଟନ କାର୍ଯ୍ୟ ସରିଥିଲା” କହିବା ଶୁଣି ମୋର
“ବାଧତେ” ଆହୁରି ବଢିଯାଇଥିଲା।

ଯଦି “ମୋହନଦାସ କରମଚାନ୍ଦ ଗାନ୍ଧୀ” ଙ୍କ “ମୋହନଦାସ” କୁ
“ମୋହନଲାଲ” ରୁପେ କୁହାଗଲେ ବି ଚଳିଯାଉଛି, ତେବେ “କାନ୍ତକବିଙ୍କୁ କଣ୍ଟାକବି/ କାନ୍ଥକବି/ କୁନ୍ଥାକବି ( ଆମର ‘ସୁଜାତା’
ଉଚ୍ଚାରଣକୁ ଦକ୍ଷିଣ ଭାରତୀୟମାନେ ‘ସୁଜାଥା’ ବୋଲି କହିଥାଆନ୍ତି) ଇତ୍ୟାଦି ସମ୍ବୋଧିତ ନହୋଇ ‘କଣ୍ଠକବି’ ରୁପେ ସମ୍ବୋଧିତହେବା”କୁ ବି ଚଳେଇ ନିଆଯାଉ।

ଏଭଳି ଭଣ୍ଡାମୀପାଇଁ 1934 ମସିହା ଫେବୃୟାରୀ ମାସ ଆଜିର ତାରିଖରେ ( 04.02.1934) ସ୍ୱତନ୍ତ୍ର ଓଡିଶା ପ୍ରଦେଶ ନଦେଖି
ତଥା ଅତି ଦୁଃଖରେ ମ୍ରିୟମାଣ ହୋଇ ଇହଲୀଳା ସମ୍ବରଣ କରିଥିବା ଉତ୍କଳଗୌରବ ମଧୁସୂଦନ ଦାସ ଅତ୍ୟନ୍ତ ଏକ ଧନୀକ ପରିବେଶରୁ
କାଙ୍ଗାଳ ହୋଇଯାଇଥିଲେ କି ?

ତାଙ୍କ ରଚିତ ;
” ଜାତି ନନ୍ଦିଘୋଷ ଚଳିବ କି ଭାଇ ସ୍ୱାର୍ଥକୁ ସାରଥି କଲେ,
ଟାଣେ କି ରେ ଘୋଡା ଦାନାର ତୋବଡା (ଏହି ଲେଖାଟିର ପରିପ୍ରେକ୍ଷୀରେ ପଦବୀ/ ପୁରସ୍କାର /ପ୍ରଶଂସାପତ୍ର ଆଦି ) ଘୋଡାମୂଖେ ବନ୍ଧାଥିଲେ ” ମନେପଡି “ବାଧତେ”ର ମାତ୍ରା
ସୀମା ଟପିଯାଉଛି।

ଆମେ ଠିଆହୋଇ ନିଜ ଭାଷାରେ ଦୁଇପଦ କଥାହେବାକୁ ଆମକୁ
ଭୁଇଁଖଣ୍ଡେ ଦେଇଥିବା ମଧୁବାରିଷ୍ଟର ତାଙ୍କରି ଦ୍ବାରା ଲିଖିତ ;

“ତୁ ମନେ ଭାବୁଚୁ ତୋଷାମଦ କରି ବଢାଇବୁ ଜାତି ମାନ
ତୋଷାମଦିଆର କୁକୁର ପ୍ରକୃତି
ଅଇଁଠା ପତରେ ଧ୍ୟାନ।” କଥା ଯାହା କାମ ସେଇଆ- ନଥିଲା ଦୋଗଲାପଣିଆ) ପଦଟିର ଆଦର୍ଶରେ ଅନୁପ୍ରାଣିତ ହୋଇ କାଙ୍ଗାଳିଆ ହୋଇଯାଇଥିଲେ ସିନା,ସ୍ୱାର୍ଥପରତା ତଥା ତୋଷମୋଦପଣିଆକୁ ଆପଣେଇନଥିଲେ।

ତାଙ୍କ ସ୍ମୃତିରେ ତାଙ୍କପ୍ରତି କୃତଜ୍ଞତା ଜ୍ଞାପନ କରିବାକୁ ବିବେକ ବାଧା ଦେଉଛି ଯେହେତୁ ତାଙ୍କ ଇପ୍ସିତ ଓଡିଆଜାତି ଏପର୍ଯ୍ୟନ୍ତ ସୃଷ୍ଟି ହୋଇପାରିନାହିଁ । ତାହା କରାଇବାକୁ ଯେଉଁମାନେ ସମର୍ଥ, ସେମାନଙ୍କ ଦ୍ବାରା ମଧୁବାବୁଙ୍କ “ତୋଷାମଦିଆ” ଶବ୍ଦଟିର ସଫଳ ଋପାୟନର ଦୃଶ୍ୟପଟ ମୋ ଆଖିଆଗରେ ଭାସିଉଠୁଛି, ଯାହାର ସଂକ୍ଷିପ୍ତ ବର୍ଣନାଟିଏ ନିମ୍ନରେ,

ଫେବୃଆରୀ ମାସ ଚାରି ତାରିଖର ମଧୁବାବୁଙ୍କ ପୂଣ୍ୟତିଥି ତଥା ଅପ୍ରେଲ ଅଠେଇଶ ତାରିଖର ତାଙ୍କ ଜନ୍ମଦିନ ପାଳନ ଅବସରରେ,
ଭୁବନେଶ୍ବର ରାଜଭବନ ସମ୍ମୁଖସ୍ଥ ତାଙ୍କ ପ୍ରତିମୂର୍ତ୍ତି ପାଖରେ ସମବେତ ଚୁଇଁମୂର୍ଧଣ୍ୟ ଓଡିଆଭାଇଙ୍କ ଠାରୁ ଆରମ୍ଭ କରି ଉପରକୁ ଉପର ବିଭିନ୍ନ ଥାକର ମୂର୍ଧଣ୍ୟମାନଙ୍କ ଭିତରେ “ମଧୁବାବୁଙ୍କୁ ସମ୍ମାନ ଜଣାଇବା ଆଳରେ ଉପରିସ୍ଥ ମୂର୍ଧଣ୍ୟମାନଙ୍କ ପ୍ରତି କୃତ୍ୟ କୃତ୍ୟ ଭଙ୍ଗୀରେ ହାତକୁ ମଳି ତୋଷାମଦିଆ ଠାଣିର ଅଙ୍ଗଭଙ୍ଗୀ ଓ ଚାଟୁକାରିତାପୂର୍ଣ ପ୍ରଶଂସାଗାନ” ଯେଉଁମାନେ ଦେଖି ତାହାର କାରଣ ବାବଦରେ ବିଶ୍ଳେଷଣ କରିଛନ୍ତି ( ସବୁ ସମାବେଶରେ ଏକା ଅବସ୍ଥା, “ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଲଗାଏତ) ସେମାନେ ମଧୁବାବୁଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ବଦଳରେ ସେଠୁ ପଳେଇ ଆସିବାକୁ ଶ୍ରେୟସ୍କର ମଣନ୍ତି ।

କୂଳବୃଦ୍ଧଙ୍କ ସ୍ମୃତିରେ
ଶତକୋଟି ପ୍ରଣାମ ଅର୍ପଣ କରୁଛି ।

ବନ୍ଦେ ଉତ୍କଳ ଜନନୀ

ତୁଷାରକାନ୍ତ ଶତପଥି

ମୋ : ୮୮୯୫୮୫୭୩୧୮


Share it

Leave a comment

Your email address will not be published. Required fields are marked *

Verified by MonsterInsights