କର୍ମ ବାଣ୍ଟେ ପରିଚୟ ବୋଲିବା ଆଗରୁ …

Share it

ମୁଁ ସପ୍ତାହେ ଗାଁକୁ ଯାଇଥିଲି । ଗାଁରୁ ଫେରି ଟିକେ ଦୀଘା ଆଡେ ଯିବାକୁ ହେଲା, କୌଣସି ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବାକୁ।

ଆଜି ସକାଳୁ ମୋ ବାଲକୋନୀ ଚାଷରୁ ଏ ଦି କିଲୋ ଖଣ୍ଡେ ଟମାଟୋ, କିଛି କଞ୍ଚାଲଙ୍କା, ଅଳପ ଟିକେ ଶାଗ ତୋଳିଲି, କାଲି ରାତିରେ ଗଛରୁ ଚାରିଟା ଭେଣ୍ଡି ଆଣି ପୋଡି କଞ୍ଚାଲଙ୍କା ରସୁଣ ଝୋଳ କରିଥିଲି, ସେଇଟା ମୋର ଗୋଟେ ପ୍ରିୟ ଖାଦ୍ୟ ଅଟଇ ।

ଦେଖନ୍ତୁ ଏ ଗଛମାନଙ୍କର ଗୁଣକୁ, ମୁଁ ନଥିଲାବେଳେ ବି ଏମାନେ ନୀରବଚ୍ଛିନ୍ନ ଭାବରେ ଫଳି ବଢି ମୋ ପାଇଁ ଖାଦ୍ୟର ବ୍ୟବସ୍ଥା କରି ଚାଲିଛନ୍ତି, ବିନା ସ୍ୱାର୍ଥରେ ବିନା ପ୍ରଶଂସା ସାର୍ଟିଫିକେଟ୍ ଲୋଭରେ, ପୁରାପୁରି ଗୋଟେ ମା ପରି, ସତରେ ଗାଈ ଓ ଗଛ ଗୋଟେ ମା ପରି କଲ୍ୟାଣମୟୀ ନୁହଁନ୍ତି କି ?

ଆପଣମାନେ ମୋର ଏ ଫଟୋ ଦେଖି ଅଥବା ମୋର ଲେଖା ପଢି ମୋତେ ପ୍ରଶଂସା କରନ୍ତୁ, ସେଥିପାଇଁ ମୁଁ ଫେସବୁକ୍ ରେ ଫଟୋ ଦିଏନି କି ଲେଖା ଲେଖେନି, ଆପଣମାନେ ଏସବୁ ଦେଖି ପଢି ଟିକେ ଖୁସି ହୁଅନ୍ତୁ କେବଳ ସେଥିପାଇଁ ।

ପ୍ରଶଂସା ଲୋଭ ଦୁନିଆର ସବୁଠୁ ବଡ ଲୋଭ । ଜମାରୁ ଏ ପ୍ରଶଂସା ଲୋଭ ମାୟାରେ ପଡନ୍ତୁ ନାହିଁ । ଥରେ ପ୍ରଶଂସା ତିଳକ ମୁଣ୍ଡର ଟୋପି ହୋଇଗଲେ, ସବୁବେଳେ ଟୋପି ଗଳିପଡିବା ଭୟ ଘାରିବ, ଦି ହାତ ଟୋପି ସମ୍ଭାଳିବା ଦାୟିତ୍ୱରେ ରହିଲେ, ଦାୟିତ୍ୱ ସମ୍ଭାଳିବା ପାଇଁ ଈଶ୍ୱର କଣ ଭଲ ମଣିଷମାନଙ୍କୁ ଚତୁର୍ଭୁଜ କରିବେ ନା କଣ ?

କଣ ମିଳେ ସେ ପ୍ରଶଂସାରୁ ??

ଗୋପବନ୍ଧୁ କହିବା ପ୍ରକାରେ –

“ନୀରବେ ଆକାଶେ ଉଦେ ରବି-ଶଶୀ-ତାରା
ନୀରବେ ପ୍ରସରେ ସିନା ଦିବ୍ୟ ଜ୍ୟୋତିଧାରା
ନୀରବେ ବଢଇ ତରୁଲତା ମହୀଧର
ନୀରବ ନିଖିଳ ବିଶ୍ୱ ନିଗୂଢ ମନ୍ତର “

ରବି, ଶଶୀ, ତାରାଙ୍କର କଣ ଗୋଟାଏ ଲେଖା ପରିଚୟ ପତ୍ର, ପ୍ରଶଂସା ପତ୍ର ନିହାତି ଆବଶ୍ୟକ ?

ସୁଧା ଅଂଶୁ ବାଣ୍ଟୁଥାଇ ନୀରବେ ସୁଧାକର
ସୁଧାଂଶୁ କିମ୍ପା ଲୋଡିବ ପ୍ରମାଣ ପତର
ଆଭା ଯାର ପରିଚୟ ସୁଧା ଝରେ କରୁ
କର୍ମ ବାଣ୍ଟେ ପରିଚୟ ବୋଲିବା ଆଗରୁ
ଅଳପ କରିବା ଲୋକେ ଇଚ୍ଛନ୍ତୁ ବଢାଇ
କର୍ମଭୀରୁ ହେଲେ ସିନା ପ୍ରଶଂସା ଲୋଡଇ

– ଲକ୍ଷ୍ମୀଧର ନାୟକ
Mo Lekha : Facebook post- 12.03.2023


Share it

Leave a comment

Your email address will not be published. Required fields are marked *

Verified by MonsterInsights