=============
ମହାଭାରତ ମହାଯୁଦ୍ଧର ପ୍ରସ୍ତୁତି ଚାଲିଥାଏ । ଉଭୟ କୌରବ ଓ ପାଣ୍ଡବପକ୍ଷର ସେନାପତିମାନେ ନିଯୁକ୍ତ ହୋଇ ଗଲେ । ଏହି ସମୟରେ ଦୁର୍ଯ୍ୟୋଧନ ପାଣ୍ଡବ ମାନଙ୍କ ତେଜୋହାନୀ ଉଦ୍ଧେଶ୍ୟରେ ମାମୁଁ ଶକୁନିଙ୍କ ପୁତ୍ର, ଉଲୁକଙ୍କୁ ପାଣ୍ଡବଙ୍କ ଶିବିରକୁ ପ୍ରେରଣ କଲେ । ତାଙ୍କ କାମ ଥିଲା, ସେଠାରେ ଯାଇ ସେ ସେମାନଙ୍କୁ ଓ ଶ୍ରୀକୃଷ୍ଣଙ୍କୁ କୁକଥା କହି ବିଦ୍ରୁପ କରିବେ ।
କିନ୍ତୁ ଉଲୁକ ଏଥିରେ ସଫଳ କାମ ହୋଇ ପାରିଲେ ନାହିଁ । ଓଲଟା ଆସି ଦୁର୍ଯ୍ୟୋଧନଙ୍କୁ ବାର୍ତ୍ତା ଦେଲେ, ପାଣ୍ଡବ ମାନେ ଯୁଦ୍ଧ ପାଇଁ ଖୁବ୍ ଉତ୍ସାହରେ ଅଛନ୍ତି ।
ଉଲୁକଙ୍କ ବାର୍ତ୍ତା ଶୁଣି ଦୁର୍ଯ୍ୟୋଧନ ନିଜ ପକ୍ଷର ସବୁ ମିତ୍ର ରାଜାମାନଙ୍କୁ ଧରି ପିତାମହ ଭୀଷ୍ମଙ୍କ ପାଖରେ ପହଞ୍ଚି ପାଣ୍ଡବ ଓ କୌରବପକ୍ଷର ସମସ୍ତ ଯୋଦ୍ଧାଙ୍କ ଶକ୍ତି ଓ ପରାକ୍ରମ ବିଷୟରେ ଜାଣିବାକୁ ଚାହିଁଲେ । ସାଙ୍ଗରେ ଥାନ୍ତି ଅଙ୍ଗରାଜ ମହାବୀର କର୍ଣ୍ଣ ।
ପ୍ରଥମେ ଭୀଷ୍ମ ପାଣ୍ଡବ ମାନଙ୍କ ଶକ୍ତି ବର୍ଣ୍ଣନା କଲେ । ପିତାମହ ପୃଥାପୁତ୍ର ପାର୍ଥଙ୍କୁ ଶ୍ରେଷ୍ଠବୀରର ମର୍ଯ୍ୟାଦା ଦେଇ କହିଲେ, ଅର୍ଜ୍ଜୁନ ପରି ବୀର ଉଭୟ ପକ୍ଷରେ କେହି ନାହାଁନ୍ତି । ଅତୀତରେ ତାଙ୍କ ପରି ବୀର କେହି ନ ଥିଲେ, ବର୍ତ୍ତମାନ କେହି ନାହାଁନ୍ତି । ଭବିଷ୍ୟତରେ କେହି ଆସିବେ ବୋଲି ମୋର ସନ୍ଦେହ । ତାଙ୍କ ସହ ଯୁଦ୍ଧକରିବାକୁ କେବଳ ମୁଁ ଓ ଦ୍ରୋଣ ମିଳିତ ହେଲେ ଯାଇ ସମର୍ଥ ହେବୁ ।
ପିତାମହ ପୁଣି କୌରବ ମାନଙ୍କ ଶକ୍ତି ବର୍ଣ୍ଣନା କରି କହିଲେ, କୌରବପକ୍ଷରେ ଦ୍ରୋଣ, କୃପ, ଜୟଦ୍ରଥ, ଭୂରିଶ୍ରବା, ଶଲ୍ୟ, ଭଗଦତ୍ତ, ଆଦି ସମସ୍ତେ ଶ୍ରେଷ୍ଠ ଯୋଦ୍ଧା । କିନ୍ତୁ ମହା ଧନୁର୍ଦ୍ଧାରୀ ଦ୍ରୋଣ ଏ ତ୍ରିଲୋକ ବିଜୟ ପାଇଁ ସମର୍ଥ ଥିଲେ ମଧ୍ୟ ଅର୍ଜୁନଙ୍କୁ ସେ ନିଜ ପୁତ୍ରଠାରୁ ଅଧିକ ସ୍ନେହକରନ୍ତି । ଯୁଦ୍ଧରେ ସେ ତାଙ୍କୁ କେବେହେଲେ ନିହତ କରିବେ ନାହିଁ ।
ଏହାପରେ ଭୀଷ୍ମ କର୍ଣ୍ଣଙ୍କ ସମ୍ବନ୍ଧରେ କହିଲେ, କର୍ଣ୍ଣ ଦୂର୍ଯ୍ୟୋଧନଙ୍କ ପ୍ରିୟତମ ସଖା, ବଂଧୁ ଓ ପରାମର୍ଶ ଦାତା । କିନ୍ତୁ ଯୋଦ୍ଧାମାନଙ୍କ ମଧ୍ୟରେ ମୁଁ ତାଙ୍କୁ ଉଚ୍ଚ ସ୍ଥାନ ଦିଏନାହିଁ । ସେ ଅତ୍ୟନ୍ତ ଗର୍ବୀ ଓ ଅଭିମାନୀ ।
ସେ ବ୍ରାହ୍ମଣର ମିଥ୍ୟା ପରିଚୟଦେଇ ପରଶୁରାମଙ୍କ ଠାରୁ ଅସ୍ତ୍ର ଶିକ୍ଷା ସମୟରେ, ତାଙ୍କ ଠାରୁ ଅଭିଶାପ ପାଇଛନ୍ତି, ଜୀବନ ମରଣ ସଂଗ୍ରାମବେଳେ ତାଙ୍କର ଦିବ୍ୟ ଅସ୍ତ୍ର ମାନଙ୍କ ମନ୍ତ୍ର ସ୍ମରଣ ରହିବ ନାହିଁ। ସେ ନିଜ ଦିବ୍ୟ କବଚକୁଣ୍ଡଳକୁ ମଧ୍ୟ ହରାଇ ବସିଛନ୍ତି । ଅର୍ଜୁନଙ୍କ ସହ ସଂଗ୍ରାମରେ ସେ କେବେ ପ୍ରାଣ ରକ୍ଷା କରି ଫେରିବେ ନାହିଁ । ତାଙ୍କୁ ସମର୍ଥନ କରି ଦ୍ରୋଣ କହିଲେ, ପ୍ରକୃତରେ କର୍ଣ୍ଣ ଅତ୍ୟନ୍ତ ଗର୍ବୀ । ମୁଁ ତାଙ୍କୁ ଯୁଦ୍ଧରୁ ବହୁବାର ବିମୁଖ ହୋଇଥିବା ଲକ୍ଷ କରିଛି । ତାଙ୍କ ଯୁଦ୍ଧ କୌଶଳ ମଧ୍ୟ ପ୍ରମାଦପୂର୍ଣ୍ଣ ।
ଭୀଷ୍ମଙ୍କ କଥା ଶୁଣି କର୍ଣ୍ଣ ଅତ୍ୟନ୍ତ ଉତ୍ତେଜିତ ହୋଇ କହିଲେ, ହେ ପିତାମହ ! ଆପଣ କୌରବସେନାର ସେନାପତି ହେବା ପାଇଁ ସମ୍ପୂର୍ଣ୍ଣ ଅଯୋଗ୍ୟ । ଆପଣ ଗୁଣର ବିଦ୍ୱେଷ କରି ଯୋଦ୍ଧାମାନଙ୍କ ମଧ୍ୟରେ ଭେଦ ଜନ୍ମାଇବାରେ ଲାଗିଛନ୍ତି । ଆପଣ ମନ ଇଚ୍ଛା ଯାହା କିଛି କହିଯାଉଛନ୍ତି । ମୋତେ ଆପଣ ଏପରି ନିନ୍ଦିତ କରି ଦୂର୍ଯ୍ୟୋଧନଙ୍କ କି ଉପକାର କରୁଛନ୍ତି !
ବୃଦ୍ଧଙ୍କ ଉପଦେଶ ଗ୍ରହଣୀୟ ବୋଲି ଶାସ୍ତ୍ରରେ ବର୍ଣ୍ଣିତ ଅଛି l ମାତ୍ର, ଅତି ବୃଦ୍ଧମାନେ ବାଳକ ସଦୃଶ l ତାଙ୍କ ପାଇଁ ଏହା ପ୍ରଯୁଜ୍ୟ ନୁହେଁ l ମୋର ଶକ୍ତି ଅଛି ମୁଁ ଏକାକୀ ପାଣ୍ଡବମାନଙ୍କୁ ସଂହାର କରିପାରିବି l ମାତ୍ର ମୁଁ ଯୁଦ୍ଧ କରିବି ଆଉ ଭୀଷ୍ମ ସେନାପତି ହୋଇ ଯଶ ନେବେ, ସେକଥା ହୋଇ ପାରିବ ନାହିଁ l ଭୀଷ୍ମ ଜୀବିତ ଥିବା ପର୍ଯ୍ୟନ୍ତ ମୁଁ ଯୁଦ୍ଧ କରିବି ନାହିଁ l
ଭୀଷ୍ମ ନିଜ କ୍ରୋଧକୁ ଚାପିରଖି କହିଲେ, ହେ କର୍ଣ୍ଣ ! ହେ ସୂତପୁତ୍ର! ପ୍ରଚଣ୍ଡ ଯୁଦ୍ଧ ସମୟ ଆସି ଉପସ୍ଥିତ । ଭେଦ ଜନ୍ମାଇବା ମୋର ନୀତି ନୁହେଁ । ମୁଁ ଅତି ବୃଦ୍ଧ ହେଲେ ମଧ୍ୟ ତୁମପରି ଶିଶୁର ଯୁଦ୍ଧ ଲାଳସାକୁ ଚୂର୍ଣ୍ଣ କରିଦେଇ ପାରେ । କିନ୍ତୁ ମୁଁ ତାହା କରୁନାହିଁ ।
ଭୀଷ୍ମ ଓ କର୍ଣ୍ଣଙ୍କ ଏପରି ବିବାଦ ଦେଖି ଦୂର୍ଯ୍ୟୋଧନ ଅତ୍ୟନ୍ତ ବିଚଳିତ ହୋଇପଡ଼ି ପିତାମହଙ୍କୁ କହିଲେ, ହେ କୁରୁ ଜ୍ୟେଷ୍ଠ !! ହେ ପିତାମହ! ଆମ ମାନଙ୍କ ପ୍ରତି ଆପଣ ଦୃଷ୍ଟି ରଖନ୍ତୁ । ଏବେ ବୀରତ୍ଵ କୃତିତ୍ୱର ବେଳଆସିଛି । ଆପଣ ଓ କର୍ଣ୍ଣ ଦୁହେଁ, ଏହା ସୁଚାରୁ ରୂପେ କରିପାରିବେ । ମୁଁ ଆପଣଙ୍କ ଉପରେ ଭରସା ରଖି ଆପଣ ଦୁହିଙ୍କ ସାହଯ୍ୟ ଭିକ୍ଷା କରୁଛି ।
ମାତ୍ର କର୍ଣ୍ଣ ଏହା ଶୁଣିଲେ ନାହିଁ । ସେ ନିଜ ଜିଦରେ ଅଟଳ ରହି ଭୀଷ୍ମ କୌରବଙ୍କ ସେନାପତି ପଦରେ ଥିବା ପର୍ଯ୍ୟନ୍ତ ଯୁଦ୍ଧ କଲେ ନାହିଁ।
🙏🙏🙏
ଅର୍ଜୁନୀ ଚରଣ ବେହେରା
ମୋ -7693091971