କୁମାର ପୂର୍ଣ୍ଣିମା ତିଥିରେ ଓଡିଶା ସାରା ଲୋକ ନୂଆ ଖାଇବା ଭଲ

Share it

Mo Lekha
1st September 2019

ଓହୋ
ଏତେ ଦିନପରେ ମନ ଟା ଟିକେ ଖୁସି ଲାଗିଲା ।

ଏ ବିଜୁ ହୁଣ୍ଡା ଯେଉଁ ଦିନଠାରୁ ସମସ୍ତେ ଗୋଟାଏ ଦିନରେ ନୂଆ ଖାଇବା କଥା କହି ଦେଲେ, ସେଇ ଦିନ ଠାରୁ ଆଜି ପର୍ଯ୍ଯନ୍ତ ଆମେ ନୂଆ ଖାଇ ଦିନ ନୂଆ ଖାଇ ନଥିଲୁ । ପରେ ଖଆଉଥିଲୁ, ବୋଉ ଯେବେ ଗାଁରୁ ନୂଆ ଚୁଡା, ନୂଆ ଚାଉଳ ପଠାଉଥିଲା, ସେତେବେଳେ, ନୂଆଖାଇର ପ୍ରାୟ ମାସେ ପରେ।

ସବୁ ବର୍ଷ ମୁଁ ଅନେକ ଲୋକଙ୍କୁ କହେ, ଆରେ ଭାଇ ଶହେ ଦୁଇଶହ ଗ୍ରାମ୍ ହେଲେ ନୂଆ ଚାଉଳ ପଠା, କେବଳ ବିଧି ରକ୍ଷା ପାଇଁ ସେତେକ ବି ଯଥେଷ୍ଟ, ସମସ୍ତେ ଗୋଟାଏ ଦିନ ନୂଆ ଖାଇ ଦେବା,

ତୁମ ପିଲା ନୂଆ ଚାଉଳ ଭାତ, ନୂଆ ଚାଉଳ ଚୁଡା, ନୂଆ ଚାଉଳ ଖିରୀ, ନୂଆ ଚାଉଳରେ ତିଆରି ଆରିସା, କାକରା, ଛୁଂଚିପତର, ସରୁ ଚକୁଳି, ମଣ୍ଡା ପିଠା ଖାଇ ଯେଉଁଦିନ କହୁଥିବେ ଆଜି ଆମର ନୂଆଖାଇ,

ସେଦିନ ଆମ ପିଲା କହୁଥିବ ଆଜି ଆମର କିଛି ନାହିଁ,
ଆମ ମା ଆଜି ଆମପାଇଁ ପିଠା କରି ନାହିଁ କି ପଣା କରି ନାହିଁ। କାରଣ ମା କହୁଥିଲା ଆମର ଧାନ ଆଜିଯାଏ ପାଚି ନାହିଁ ।

ବାବୁରେ
ତୁମେ ବି ଚାଷୀକୁଳର ପିଲା, ଆମେ ବି ଚାଷୀ କୁଳର ପିଲା ।
କାହାର ପିଲା ନଚାହେଁ ସାଙ୍ଗସାଥି ହେଇ ପର୍ବପର୍ବାଣୀ ପାଳିବାକୁ,
ଏକା ସାଂଗରେ ପିଠାପଣା ଖାଇ ଆନନ୍ଦରେ ଡେଇଁ ବୁଲିବାକୁ !

ମୁଁ ମୋ ମନର ଏ ଦୁଃଖ ମୋର ଅନ୍ଯ ଜିଲ୍ଲା ବନ୍ଧୁମାନଙ୍କୁ ପ୍ରାୟ ପ୍ରତି ବର୍ଷ କହେ, ଯେତେ କହିଲେ ବି ସେମାନେ କେବେ ନୂଆ ଚାଉଳ ଦି କିଲୋ ପଠାନ୍ତି ତ ନାହିଁ, ଓଲଟା ମୋତେ ପ୍ରବୋଧନା ଦିଅନ୍ତି,
ନାଇଁ ଭାଇ ସେମିତି ନୁହେଁ, ପିଠା ପଣା ସବୁ ପୁରୁଣା ଚାଉଳରେ ହୁଏ, ନୂଆ ଖାଇ ତିଥିକୁ ସମସ୍ତଙ୍କର ଧାନ ପାଚି ନଥାଏ,
ଯାହାର ବି ପାଚିଥାଏ ତାହା ପର୍ଯ୍ଯାପ୍ତ ନୁହେଁ, କେବଳ କୌଣସି ମତେ ଅଳ୍ପ କିଛି ନୂଆ ଧାନ ଯୋଗାଡ କରି, ଅଳ୍ପ ମୁଠାଏ ନୂଆ ଅନ୍ନ ପ୍ରସ୍ତୁତ କରାଯାଏ, ଦେବା ଦେବୀଙ୍କ ପ୍ରସାଦ ପାଇଁ, ବାକି ସବୁ ପୁରୁଣା ଚାଉଳରେ ହୁଏ, ଲୁଗାପଟା ନୂଆ କରାଯାଏ, ବିଭିନ୍ନ ପ୍ରକାରର ଆନନ୍ଦ ଉତ୍ସବର ଆୟୋଜନ ହୁଏ।

ସେମାନଙ୍କର ଏ ମନ ଭୁଲାଣିଆ ଡାହା ମିଛକୁ ମୁଁ ବିଶ୍ୱାସ ନ କଲେ ବି ଚୁପ୍ ରୁହେ, ସତରେ ମନ ଦୁଃଖ ହୁଏ, ଚାଷୀକୁଳର ଗୋଟାଏ ଏତେବଡ ଗଣ ପର୍ବ, ଅଥଚ ସେଥିରେ ଯତ୍ କିଞ୍ଚିତ୍ ନିଜକୁ ସାମିଲ କରି ହେଉ ନାହିଁ । ସତରେ ମନ ଟା ଟିକେ ଊଣା ଊଣା ଲାଗେ।

ଆଜି ସଖାଳେ ଗାଁକୁ ଯାଜପୁରକୁ ଟେଲି ଫୋନ୍ କଲି, ଟେରୁକୁ ପଚାରିଲି, କିରେ ଆମର ସିଆଡେ ଧାନ କଟା ହେଲାଣି, ଟେରୁ କହିଲା ନାଇଁ ଦାଦା, ଆହୁରି ପନ୍ଦର କୋଡିଏ ଦିନ ଲାଗିବ।

ଏହି ସମୟରେ ଟିଟିଲାଗଡର ବଂଶୀ ଟେଲିଫୋନ୍ କଲେ,
କହିଲେ ସାର୍, ନୁଆଖାଇପାଇଁ ମୁଁ ବାଉଁଶ କରଡି ଆଣିଛି, ନେଇକରି ଯିବି।

ମୁଁ କହିଲି ବଂଶୀ ତୁମେ ଅଧାକିଲୋ ନୂଆ ଚାଉଳ ଆଣି ପାରିବ କି ?
ବଂଶୀ କହିଲେ, ହଁ ସାର୍, କିଛି ନୂଆ ଚାଉଳ ବି ଆସିଛି, ଆମେ ଏଠି ଭୁବନେଶ୍ୱରରେ ନୂଆ ଖାଇବା ପାଇଁ, ଯେତିକି ସମ୍ଭବ ଅଳ୍ପ କିଛି ନିଶ୍ଚୟ ନେଇକି ଯିବି।

ଓହୋ !
ଏତେ ଦିନପରେ ମନ ଟା ଟିକେ ଖୁସି ହେଲା ।

ଏ ହୁଣ୍ଡା ବିଜୁକୁ କ’ଣ ବା କହିବି !
କିହୋ, ଗୋଟାଏ ଦିନରେ ନୂଆ ଖାଇ କଲ, ଭଲ କଲ ।
କେହି କେହି ନିନ୍ଦୁକ ରେସନାଲିଷ୍ଟ କହନ୍ତି, ଗାଆଁ ସାହୁକାର, ଦାଦନ ଦଲାଲ ଓ ଲୁଗା ବ୍ଯବସାୟୀଙ୍କ ବେପାର ବଢାଇବା ପାଇଁ, ଗରୀବମାନଙ୍କୁ କରଜ ବାରଜରେ ବୁଡେଇ ଦାଦନ ଯିବାକୁ ବସ୍ତୁତଃ ବାଧ୍ଯକରିବା ପାଇଁ ବିଜୁଙ୍କ ଏ ଅବଦାନ ଅତୁଳନୀୟ । ମୁଁ ସେପରି କହୁ ନାହିଁ, ମୁଁ କହୁଛି, ଏ ହୁଣ୍ଡା ବିଜୁ କେବଳ କହି ଦେଇ ଥାଆନ୍ତା କି,- କୁମାର ପୂର୍ଣ୍ଣିମା ଲକ୍ଷ୍ମୀଙ୍କ ଶୁଭ ଲଗ୍ନ, ସେଇଦିନ ଓଡିଶା ସାରା ଲୋକ ନୂଆ ଖାଇବା ଚାଲ ।

ଭାରି ସୁବିଧା ହେଇ ଥାଆନ୍ତା,
ସମସ୍ତଙ୍କ ଘରେ ଭରପୁର ନୂଆ ଚାଉଳ ଥାଆନ୍ତା, ଚାକିରୀ ବାକିରୀ କରୁଥିବା ଲୋକମାନଙ୍କ ହାତରେ ବୋନସ ଟଙ୍କା ବି ଥାଆନ୍ତା, ଭାରି ବଢିଆ ହେଇ ଥାଆନ୍ତା । ହେଲେ ଆମ ବେପାରୀ-ଧନୀକଜଜମାନ-ହୀତକାରୀ ଚିତାକଟା ଜ୍ଞାନଗର୍ଭା ପଣ୍ଡିତ ବାପୁଡାଙ୍କ ଖଡି ସେତେବାଟ ଗଡିଲେ ତ !

ଆମ ଗାଁରେ ପ୍ରତ୍ଯେକ ପରିବାରରେ ବି ନୂଆଖାଇ ହୁଏ, କେଉଁ ଆବାହମାନ କାଳରୁ । ତାକୁ ଆମେ କହୁ ନୂଆ ଖିଆ ।

ବିଲରେ ବିଓଳି ଧାନ ପାଚେ ।
କୌଣସି କିଆରୀର ଧାନ ବାରଣା ପାଚି ଗଲେ,
ମୋ ବୁଢି ମା ମୋ ବଡ ବାପାଙ୍କୁ କହେ, ଶଶଧର, ଆଗିଲା ଶୁକ୍ରବାର ଦିନ ଶୁକରବାର କରିଦେବ ।

ଧାନ ଶୁକ୍ରବାର କରିବା ଅର୍ଥ :
କୌଣସି ଏକ ଶୁକ୍ରବାରରେ ଚାଷୀ ଟିଏ
ଗୋଟିଏ କଂସା ପାତ୍ରରେ କିଛି କଞ୍ଚା କ୍ଷୀର, ଗୁଡ ଏବଂ ନୋଟାଏ ପାଣି ଓ ଗୋଟାଏ ନୂଆ ଦାଆ ଧରି ଧାନ ବିଲକୁ ଯିବ । ଧାନ ବିଲରେ ଦୁଧ ଗୁଡ ଶୀତଳ ଦେବ ବା ଭୋଗ ଦେବ, ବିଡାଏ ମାତ୍ର ଧାନ ସେଦିନ କାଟିକରି ଆଣିବ ।

ସେଇଟା ହେଲା ଧାନ କାଟିବାପାଇଁ ଅନୁମତି ପତ୍ର ।
ଶୁକ୍ରବାର କରି ନଥିବା ଚାଷୀ କୌଣସି ପରିସ୍ଥିତିରେ ଧାନ କାଟିବ ନାହିଁ, ଏଇଟା ପରମ୍ପରା, ଧାନ ନଈବଢିରେ ବୁଡିଗଲେ ବି କାଟିବ ନାହିଁ, ପରମ୍ପରାର ଏ ନିଷ୍ଠୁରତା ମୁଁ ପିଲାବେଳେ ଆମ ଗାଁରେେ ଦେଖିଛି, ଅଙ୍ଗେ ନିଭେଇଛି ।

ତା ପରେ ଧାନ ଅମଳ ହୋଇ ଘରକୁ ଆସିବ ।
ସେଥିରୁ ପ୍ରଥମେ ନୂଆ ଚୁଡା ହେବ, ଆମ ଗାଁ ପାଖ କୁଶବଟ ମଝିଆଣି ବୋହୁ ଘରେ କିଛି ଧାନ ଦେଇ ଆସିଲେ, ଦଶ ଗୌଣି ଧାନ ଦେଲେ ସେ ପାଞ୍ଚ ଗୌଣି ଚୁଡା ଦେବ, କାହାକୁ ଆଜି କାହାକୁ କାଲି କାହାକୁ ଚାରିଦିନ ବାଦ୍ ।

ନୂଆ ଚୁଡା ହାତକୁ ଆସିଲେ ଚୁଡା ଗୁଡ ଖୀର କଦଳୀ ନଡିଆ ପ୍ରଥମେ ଘରର ଦେଇପିଣ୍ଡି, ଗାଁର ଦେବାଦେବୀ ଓ ସୋମବାର ସଇଁଖଣ୍ଡ ସୁବର୍ଣେଶ୍ୱର ମହାଦେବ, ମଂଗଳବାର ଦିନ ଗୋଳକୁଣ୍ଡ ମଂଗଳାଂକ ପାଖରେ ଭୋଗ ଲଗାଇବାକୁ ପଠାଯିବ, କିଛି ଚୁଡା ଗୁରୁପୀଠ ଛତିଆ ବଟ ପାଇଁ ରଖାଯିବ, ତା ପରେ ଚୁଡାଖିଆ ପର୍ବ ।
ଯାହା ଘରେ ଯେଉଁଦିନ ନୂଆ ଚୁଡାଖିଆ ହେବ, ସେଦିନ ସେ ସାହି ଭାଇ ସମସ୍ତଂକୁ ଡାକିବ, ସମସ୍ତେ ସାଂଗ ସାଥି ହେଇ ପେଟେ ପେଟେ ଚୁଡା ଦହି ଗୁଡ ନଡିଆକୋରା କଦଳୀ ଚକଟି ଖାଇବେ । ଆଜି ୟା ଘରେ ତ କାଲି ତା ଘରେ ।

ତା ପରେ ପରେ ନୂଆ ଖିଆ ବା ନୂଆ ଭାତ ଖିଆ,
ଗୁହାଳ ପିଢା କଖାରୁ, କଂଚା ଚେପଟା କଦଳୀ, ମାଟି ଆଳୁ ଇତ୍ଯାଦି ତରକାରି ଭାତ ଇତ୍ଯାଦିର ଭୋଜି ।ପୁଣି ସାହି ଭାଇଂକୁ ଡାକି ହାକି, ପୁଣି ଆଜି ୟା ଘରେ ତ କାଲି ତା ଘରେ, ମାସ ସାରା ଚାଲିଥିବ ଏ ଲୀଳା, ଦିନରେ ଯେଝା ଯେଝାର ବିଲ ବାଡି ଗାଈଗୋରୁ ଧନ୍ଦା, ରାତିରେ ନୂଆଖିଆ ଭୋଜି ।

ଅବଶ୍ଯ ଏ ଅବସରରେ କାହାରି ନୂଆ ଲୁଗାପଟା ହୁଏନି,
ନୂଆ ଲୁଗାପଟା ପର୍ବଗୁଡା ଅଲଗା, ତାହା ପୁଣି ପର୍ଯ୍ଯାୟ କ୍ରମେ, ବୋଧହୁଏ ଚାଷୀ ବାପୁଡାର ବଜେଟ୍ କୁ ସୁହାଇବା ପାଇଁ, ଚାଷୀକୁ କରଜ ବାରଜ ନ କରେଇ ଦେବାପାଇଁ ।

ଯେମିତିକି
ପ୍ରଥମାଷ୍ଟମୀ – କେବଳ ବଡ ପୁଅ କିମ୍ୱା ଝିଅଙ୍କ ପାଇଁ ଲୁଗାପଟା,
ସାନମାନେ ଏଥିରେ ଅଝଟ କରିବା ମନା

କୁମାର ପୁର୍ଣ୍ଣିମା – କେବଳ ଝିଅଙ୍କ ପାଇଁ ଲୁଗା ପଟା

ଦୋଳ ପୁର୍ଣ୍ଣିମା – ସମସ୍ତଙ୍କପାଇଁ, ହଳିଆ ମୂଲିଆ କୋଠିଆ ବାଠିଆ ସମସ୍ତଙ୍କପାଇଁ ଲୁଗାପଟା

ରଜ – ଝିଅ ବହୁ ସମସ୍ତ ସ୍ତ୍ରୀ ଲୋକଙ୍କପାଇଁ ଲୁଗାପଟା

ଏଇଟା ମୋ ପିଲାବେଳର କଥା, ଆଜିକା ଦିନରେ ଗାଁ ରେ ସେମିତି ନୁଆ ଗାଁ ସାହି ଭାଇଙ୍କୁ ଡାକି ନୁଆ ଚୁଡା ଖିଆ, ନୁଆ ଭାତ ଖିଆ ହେଉଛି କି ନାହିଁ ମୁଁ ଜାଣିନି, ମୁଁ କେବେ ସେ ସମୟରେ ଆଉ ଗାଁକୁ ଯାଇନି କି କଣ | ମତେ ଲାଗୁଛି ଆଗ ପରି ଡକା ହକା ହେଉଥିବ କି ନାହିଁ ସନ୍ଦେହ ସାହି ଭାଇ ନଡାକିଲେ ବି ଆଜିକାଲି ଅବଶ୍ୟ ପ୍ରତ୍ୟେକ ପରିବାରରେ ନିଜେ ନିଜେ ସବୁ ପରିବାର ନିଜ ନିଜର ସୁବିଧା ଅନୁସାରେ ଯାହାର ଯେଉଁ ଦିନକୁ ନୁଆ ଧାନ ପାଚି ଅମଳ ହେଉଥିବ ସେଦିନ ନୁଆଖାଉଥିବେ ନିଶ୍ଚୟ । ପ୍ରଥମ ନୁଆ ଚୁଡା ତ ନିଶ୍ତୟ ସ୍ଥାନୀୟ ଦେବାଦେବୀ ମନ୍ଦିରକୁ ଭୋଗ ପାଇଁ ପଠା ଯାଉଥିବ।

ଏଭଳି ଏକ କୃଷିଭିତ୍ତିକ ମହାନ ପର୍ବକୁ ସମଗ୍ର ଓଡିଶାର ଲୋକ ତ ପାଳନ କରନ୍ତି, କିଏ ଆଗ କିଏ ପଛ କିଏ ଅତି ଜାକଜମକରେ କିଏ ନିଜ ସାମର୍ଥ୍ୟ ଅନୁରୁପ, ମୋର ଇଚ୍ଛା ସମଗ୍ର ଓଡିଶାରେ ଗୋଟିଏ ତିଥିରେ ଗୋଟିଏ ଦିନରେ ଏ ପର୍ବ ପାଳନ ହେଉ, ସମଗ୍ର ଓଡିଶା ଲୋକ ଏ ପର୍ବକୁ ସେଦିନ ଏକ ସଙ୍ଗେ ମହା ଆନନ୍ଦରେ ପାଳନ କରନ୍ତୁ,

ଏବଂ ସେ ତିଥି ଟି ଗଣେଶ ଚତୁର୍ଥୀ ବାସି ନହୋଇ ଆଉ ମାତ୍ର ମାସେ ଡେରିରେ କୁମାର ପୁର୍ଣ୍ଣିମା ତିଥି ବା ଦିବସରେ ପାଳନ ହେଉ । ବହୁ ସୁବିଧା ହେବ ।

କୁମାର ପୁର୍ଣ୍ଣିମା ବି ମା ଲକ୍ଷ୍ମୀଙ୍କ ପାଇଁ ଉତ୍ସର୍ଗୀକୃତ ତିଥିଟିଏ, ଧାନକୁ ତ ଆମେ ଲକ୍ଷ୍ମୀ କହୁ, ତେଣୁ ସେହି ତିଥିଟି ହିଁ ସମସ୍ତଙ୍କ ପାଇଁ ସୁବିଧାଜନକ ହେବ, ସେତେବେଳକୁ ସମସ୍ତଙ୍କର ଧାନ ପାଚି ଯାଇ ଅମଳ ହୋଇଥିବ, ଖୁବ୍ ଭଲ ହେବ।

ଗଣେଶ ଚତୁର୍ଥୀ ବେଳକୁ କୌଣସି ମତେ କେଉଁଠୁ ମୁଠାଏ ନୁଆ ଚାଉଳ ଆଣି ତାକୁ ଯେନ ତେନ ପ୍ରକାରେଣ ପତ୍ରରେ ଟିକିଏ ଟିକିଏ ଠାକୁରଙ୍କୁ ଅର୍ପଣ କରି ପିଠା ପଣା ସବୁକୁ ପୁରୁଣା ଚାଉଳରେ କରିବାକୁ ପଡିବନି, ସବୁ କଥା ନୁଆ ଚାଉଳରେ ହୋଇ ପାରିବ।

କ୍ଷେତରେ ଧାନ ପାଚୁ କି ନପାଚୁ ଆମ ପଣ୍ଡିତମାନେ କେଉଁ ଶାସ୍ତ୍ର କି ପୁରାଣ ଦେଖିକି କେଜାଣି, ଗଣେଶ ଚତୁର୍ଥୀ ବାସୀ ପଞ୍ଚମୀ ତିଥିକୁ ଯାହା ନୁଆଖାଇ ତିଥି ବୋଲି ଉଦ୍ଘୋଷଣା କରିଦେଉଛନ୍ତି, ତାହା ଆଦୌ ମୋ ମନକୁ ପାଉନି, ଆପଣମାନେ ତେଣିକି ଯାହା ଭାବୁଛନ୍ତି ଭାବନ୍ତୁ ପଛେ, ମୁଁ ମୋର ମନର କଥା କହିଲି, ନିଷ୍ପତ୍ତି ଆପଣମାନଙ୍କ ପରି ବିଜ୍ଞ ଜନ ମାନଙ୍କର ।

କଥାଟା ବହୁତ ଲମ୍ୱି ଗଲାଣି ବୋଧେ
ଏତିକି ଥାଉ ।

ନୂଆଖାଇ ଜୁହାର

ମୋ ଟିଟିଲାଗଡ ଅର୍ଗାନିକ୍ ବନ୍ଧୁ, ବଂଶୀଧର ଏତେକ ନୂଆ ଚାଉଳ ଓ ପନି ପରିବା ଆଜି ପଠାଇଛନ୍ତି, ନୂଆଖାଇ ପାଇଁ । ସବୁ ଅର୍ଗାନିକ୍।

ନୂଆଖାଇ ଜୁହାର

Laxmidhar Nayak
My Facebook Post : 1st September 2019


Share it

Leave a comment

Your email address will not be published. Required fields are marked *

Verified by MonsterInsights