କେମିତି ହେବା ଆବଶ୍ଯକ ରାଜ୍ଯ ସରକାରଙ୍କ ସୂଚନା ପ୍ରସାରଣ ନୀତି

Share it

Mo Lekha
Laxmidhar Nayak
My Facebook Post: 17th July 2024

କେମିତି ହେବା ଆବଶ୍ଯକ ରାଜ୍ଯ ସରକାରଙ୍କ ସୂଚନା ପ୍ରସାରଣ ନୀତି

ସୂଚନା ପ୍ରସାରଣ ବିଭାଗ : ଯାହାଙ୍କ ପାଖରେ ଜନ କଲ୍ୟାଣକାରୀ ସୂଚନା ଜ୍ଞାନ ଶୂନ, ବିଜ୍ଞାପନ ବିତରଣ କରି ଦରମା ଓ ପିସି କମାଣ ଯାହାଙ୍କର ଏକ ପ୍ରମୁଖ କାମ ।

ଗୋଟାଏ ପେପରକୁ ବିଜ୍ଞାପନ ଦେବା ପାଇଁ ହେଲେ ସେମାନେ ତାର ଛପା ସଂଖ୍ୟା ଗଣନ୍ତି , ସଂଖ୍ୟା ମନକୁ ପାଇଲେ ସେ ପେପରକୁ କଣ ଗୋଟେ ଆପ୍ରୁଭାଲ ଦିଅନ୍ତି, ଏମ୍ପାନେଲ୍ କରନ୍ତି, ଓ ଇଚ୍ଛା ମୁତାବକ ସରକାରୀ ବିଜ୍ଞାପନ ସବୁ ଦିଅନ୍ତି । ସଂଖ୍ୟା ଅନୁପାତରେ , ଉପଯୋଗୀତା ଆଧାରରେ ନୁହେଁ ।

ସୂଚନା ଓ ପ୍ରସାରଣ ବିଭାଗ ବାବୁ ମାନଙ୍କର ସୂଚନା ଜ୍ଞାନ ଶୂନ, ଏକଥା ସର୍ବ ବିଦିତ କଥା, ସମସ୍ତେ ଏକଥା ଅଳ୍ପେ ବହୁତେ ଜାଣନ୍ତି ,

ପ୍ରଶ୍ନ ହେଉଛି, ଏ ସୂଚନା ପ୍ରସାରଣ ଅଫିସରମାନଙ୍କୁ କଣ ସଂଖ୍ୟା ବି ଗଣି ଆସେନି କି ?

ଯଦି ଗଣି ଆସେ, ତାହେଲେ ଗୋଟାଏ ପେପରକୁ ଏମ୍ପାନେଲ୍ କରିବା ପୂର୍ବରୁ, ଗୋଟେ ପେପର ଗଣା ଏନକ୍ୱାରୀରେ ଯିବାକୁ ଏମାନେ କଲେକ୍ଟର ଅଫିସ ଷ୍ଟାଫଙ୍କ ଉପରେ କାହିଁକି ନିର୍ଭର କରନ୍ତି ?

ସେମାନଙ୍କର କାହିଁକି ସମୟ ନଷ୍ଟ କରନ୍ତି ଗୋଟାଏ ତୁଚ୍ଛା କାଗଜ ଗଣା କାମରେ ?

କେବଳ ସୂଚନା ପ୍ରସାରଣ ବିଭାଗ ଷ୍ଟାଫ୍ ଏ କାମଟି କରି ପାରନ୍ତେ କି ନାହିଁ ?

ସୂଚନା ଓ ପ୍ରସାରଣ ବିଭାଗ ବାବୁ ମାନଙ୍କର ସୂଚନା ଜ୍ଞାନ ଶୂନ କହିଲେ ଆପଣମାନଙ୍କୁ ହୁଏତ କଥାଟା ଅଡୁଆ ଲାଗୁଥିବ କିମ୍ୱା ମିଛ ଲାଗୁଥିବ ।

ସିଏମ୍ ସାର୍
ଆପଣଙ୍କ ସୂଚନା ପ୍ରସାରଣ ବିଭାଗ ଅଫିସର ମାନଙ୍କ ଭିତରୁ ଜଣେ କେହି କହିଦେଇ ପାରିବେ କି ଏବେ ଆମ ରାଜ୍ୟରେ କେତୋଟି ଜନ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ ହେଉଛି ଏବଂ ସେଗୁଡିକର ନାମ ସବୁ କଣ ? କେଉଁ ଜିଲ୍ଲାରେ ସରକାରଙ୍କ କେଉଁ ଯୋଜନା ଟି କେତେ ଫଳପ୍ରଦ ?

ସାର୍
ଆପଣଙ୍କ ବିଭାଗ ପାଖରେ 30 ଜିଲ୍ଲାରେ ଅତି କମ୍ ରେ 30 ଡି.ଆଇ.ପି.ଆର୍.ଓ. ଥିବେ ।

ପ୍ରତ୍ଯେକ DIPRO ଯଦି ମାସକୁ ସରକାରଙ୍କର ଦ୍ବାରା କାର୍ଯ୍ୟକାରୀ ହେଉଥିବା ଯେକୌଣସି ଗୋଟିଏ ସ୍କିମ୍ ର ଯେକୌଣସି ଗୋଟିଏ ସଫଳତା ଠାବ କରି ସେ ସମ୍ପର୍କରେ ବିସ୍ତୃତ ସୂଚନା ସମ୍ବଳିତ ଲେଖାଟିଏ ଗଣମାଧ୍ୟମ ବ୍ଯବହାର ପାଇଁ ପ୍ରସ୍ତୁତ କରିପାରନ୍ତେ ତାହେଲେ ପ୍ରତ୍ଯେକ ଦିନ କୌଣସି ନା କୌଣସି ଜିଲ୍ଲାର ଗୋଟିଏ ସଫଳ କାହାଣୀ ଖବରକାଗଜ ମାନଙ୍କରେ ପ୍ରକାଶିତ ହୋଇ ପାରନ୍ତା, ଟିଭିରେ ଇଲେକ୍ଟ୍ରୋନିକ web media ରେ ବି ପ୍ରଦର୍ଶିତ ହୋଇ ପାରନ୍ତା ।

ଯେହେତୁ ଖବରକାଗଜମାନେ ଅନ୍ଯାନ୍ଯ ଗଣମାଧ୍ୟମମାନେ ସରକାରଙ୍କ ବିଜ୍ଞାପନ ଉପରେ ଅନେକାଂଶରେ ନିର୍ଭରଶୀଳ ହୋଇଥାଆନ୍ତି, କେହି ଏପରି ସତ ସୂଚନାଟିକୁ ଛାପିବାକୁ ମନା କରି ପାରନ୍ତେ ନାହିଁ ।

ଦ୍ବିତୀୟରେ ଗଣମାଧ୍ୟମରେ ଆଜିକାଲିକା ଯାତ୍ରା ଡାଇଲଗ୍ ଧର୍ମୀ ଗପ ଶୁଣି ବିରକ୍ତ ହେବା ଅପେକ୍ଷା ଲୋକେ ଏ ସତ ସୂଚନାଧର୍ମୀ ଘଟଣା ସମ୍ପର୍କରେ ଅବଗତ ହୋଇ ସେପରି କରିବାକୁ ଉତ୍ସାହିତ ହୁଅନ୍ତେ ।

ଏପରି ବି ହୁଅନ୍ତା ଯେ ନବରଙ୍ଗପୁରରେ ହୋଇଥିବା ଗୋଟେ ଭଲ କାମକୁ ବାଲେଶ୍ବର ଜିଲ୍ଲା ଲୋକ ତାଙ୍କ ଜିଲ୍ଲାର ସମ୍ପୃକ୍ତ ଅଫିସରଙ୍କୁ ଦେଖାଇ ସେମାନଙ୍କୁ ବି ସେପରି କରିବାକୁ ଚାପ ସୃଷ୍ଟି କରିପାରନ୍ତେ । ବିକାଶ ନିଆଁ ଟା ଏମନ୍ତ ପ୍ରକାରେ ବ୍ଯାପେ ସିନା !

ସରକାର ଗୋଟେ କାମ କରନ୍ତୁ :
1. ବଡ ବଡ ଖବରକାଗଜ ଓ ଇଂରାଜୀ ହିନ୍ଦୀ ଖବରକାଗଜ ମାନଙ୍କୁ 100 କୋଟି ବିଜ୍ଞାପନ ବଜେଟର 99.99 କୋଟି ଦେଇଦେବା ବେଶୀ ଗୋଟେ ବୁଦ୍ଧିମାନର କାମ ନୁହଁ ।

ରାଜ୍ଯର ଛୋଟ ଛୋଟ ମାସିକ, ପାକ୍ଷିକ, ସାପ୍ତାହିକ ଖବରକାଗଜ ଏପରିକି ବର୍ଷକୁ ଥରେ ଦୁଇଥର ପ୍ରକାଶ ପାଉଥିବା ସାହିତ୍ଯ ପତ୍ରିକାମାନଙ୍କ ପାଇଁ ବିଜ୍ଞାପନ ବଜେଟର 50% ବରାଦ କରାଯାଉ ।
ଏପରି କଲେ ଭାଷା ବଞ୍ଚିବ, ସମୃଦ୍ଧ ବି ହୋଇପାରେ ।

2. RNI ରେଜିଷ୍ଟ୍ରେସନ ନମ୍ବର ଥାଇ ରାଜ୍ୟରୁ ପ୍ରକାଶିତ ହେଉଥିବା ସମସ୍ତ ଖବରକାଗଜ, ସମସ୍ତ ପତ୍ରିକାକୁ ଚିହ୍ନିବା ଓ ଅନୁମୋଦନ କରିବା ସୂଚନା ଓ ପ୍ରସାରଣ ବିଭାଗର ଅନ୍ଯତମ ଆଇନଗତ ଦାୟିତ୍ବ ଅଟେ । ଏ ଅନୁମୋଦନରେ ଛପା ସଂଖ୍ଯାକୁ ଗୋଟେ ବାଧକ ହିସାବରେ ବିଚାର କରିବା ଆଇନତଃ ଅପରାଧ ଅଟେ ।

3. ହଁ, ଛପା ସଂଖ୍ଯା ଅଧିକ ହୋଇଥିଲେ ସେ କାଗଜ ପତ୍ରପତ୍ରିକା ମାନଙ୍କ ପାଇଁ ବିଜ୍ଞାପନ ଦର ଅଧିକ ସ୍ଥିର କରିପାରନ୍ତି ସରକାର, ସେଥିରେ ଆପତ୍ତି ନାହିଁ। କିନ୍ତୁ ସରକାର ଏପରି ନୀତିଟିଏ କରନ୍ତୁ ଯେ ଯଦି କୌଣସି ଓଡିଶା ଖବରକାଗଜର, ଓଡିଶା ସାହିତ୍ଯ ପତ୍ରିକାର ଛପା ସଂଖ୍ଯା ହଜାରେ ବି ହୋଇଥାଏ ତାଙ୍କୁ ମାସକୁ ଅତି କମ୍ ରେ 30 ହଜାର ଟଙ୍କାର ବିଜ୍ଞାପନ ଟିଏ ନିଶ୍ଚିତ ଦିଆଯିବ ।

ଇଂରାଜୀ, ହିନ୍ଦୀ, ବଡ ବଡ ଖବରକାଗଜ ମାନଙ୍କୁ ମାସକୁ 30 ଲକ୍ଷ ଟଙ୍କାର ବିଜ୍ଞାପନ ଗଣିଦେବାକୁ ଦ୍ବିଧା ପୋଷଣ କରୁନଥିବା ସୂଚନା ଲୋକସମ୍ପର୍କ ବିଭାଗର ମନ୍ତ୍ରୀ ଅଫିସର ଏ ଓଡିଆ ଭାଷା ସୁରକ୍ଷା ଜନିତ ଅସ୍ମିତା କଥାଟିକୁ ଗୁରୁତ୍ବର ସହ ବିଚାରକୁ ନେବା କଥା ।

4. ମାତ୍ର ଦୁଇ ହଜାର ଛପା ସଂଖ୍ଯା ଥିବା ଖବରକାଗଜ, ପତ୍ର ପତ୍ରିକାକୁ କେନ୍ଦ୍ର ସରକାରଙ୍କ ସୂଚନା ପ୍ରସାରଣ ବିଭାଗର DAVP ସଂସ୍ଥା ଅନୁମୋଦନ ପ୍ରଦାନ କରୁଥିବା ବେଳେ ଆମ ରାଜ୍ୟ ସରକାରଙ୍କ ସୂଚନା ପ୍ରସାରଣ ବିଭାଗ ସର୍ବନିମ୍ନ ଛପା ସଂଖ୍ଯାକୁ 10 ହଜାର ରଖିଛି କେଉଁ ଯୁକ୍ତିରେ ? ଓଡିଶା ରାଜ୍ଯଟା କଣ କେନ୍ଦ୍ରୀୟ ଆଇନ, ନୀତି, ନିୟମ ପରିଧି ବାହାରେ ? ଏପରି ଅନୀତି ଓ ମନମାନି କାହିଁକି ? ଏହା ଗୋଟେ ଆଇନ ବହିର୍ଭୂତ ଅପରାଧିକ ମାନସିକତାଯୁକ୍ତ କାର୍ଯ୍ଯ ନୁହେଁ କି ?

ଆହୁରି ବହୁ ବିଷମତା ଓ ଏକରକମ ଅରାଜକତା ବିରାଜମାନ କରୁଛି ସୂଚନା ଓ ପ୍ରସାରଣ ବିଭାଗରେ । ବିଜେଡି ସରକାର ସମୟରେ ଏହା ଅଧୋଗତିର ଚରମ ସୀମାରେ ପହଞ୍ଚି ଯାଇଥିଲା, ଯାହାର ଫଳଶ୍ରୁତି ସ୍ବରୂପ ଆମେ ଗୋଟେ ନୁଆ ସରକାର ପାଇଛୁ କହିଲେ ବି ବେଶୀ ଗୋଟାଏ ଅତି ଉକ୍ତି ମଧ୍ଯ ହେବ ନାହିଁ ।

ଏଇ ସବୁ କାରଣ ପାଇଁ ମୁଁ ସେ ବିଭାଗ ଆଡେ ଯିବାକୁ ଆଦୌ ପସନ୍ଦ କରୁନଥିଲି, 2000 ମସିହାରେ କଟକ ଛାଡି ଭୁବନେଶ୍ଵରରେ ଆସି ରହିବା ଦିନଠାରୁ ସେ ରାସ୍ତାରେ ଯିବା ଆସିବା କଲାବେଳେ ଅତର୍ଚ୍ଛିଆ ମୁତ ମାଡିଲେ ବି ମୁଁ ସେ ଆଇ.ଏଣ୍ଡ.ପି.ଆର୍. ଅଫିସ ଆଡେ ନ ଅନେଇ ଆମ ଏମ.ଏଲ.ଏ. କଲୋନୀ ଆଡକୁ ଅନେଇ ତାଙ୍କ ପଟ ଡ୍ରେନ୍ ରେ ଏକ କରେ । ବିଜେଡି ସରକାର ଥିବାବେଳେ ଏ କଥା ଏଇ ଭାଷାରେ ମୁଁ କହିଛି ସେ ବିଭାଗର ତତ୍କାଳୀନ ବହୁ ନିର୍ଦେଶକମାନଙ୍କୁ, ଗୋଟାଏ ବଡ ମନସ୍ତାପରେ, ପ୍ରତିବାଦ ସ୍ବରୂପେ ।

ବାଘକୁ ସୁତୁରେଇକି ଡାକି ଅର୍ଗଳିରେ ପୁରେଇକି ଇଞ୍ଜେକସନ ଦେବା ଭଳିଆ କାମ ଗୋଟେ କରିବାରେ ଗତ ବର୍ଷ ସକ୍ଷମ ହୋଇଯାଇଛନ୍ତି ଆପଣଙ୍କ ଏ ବିଭାଗ, ସେଥିପାଇଁ ଏ ଚାରିପଦ ଫେସବୁକ ଝାଡଣ ।

ଲେଖିଲେ ତ ଗୋଟେ ଥେସିସ ହେବ ।

ଅନୁରୋଧ : ଆମ ନୁଆ ସରକାର ଏ ଛୁଆ ପେପର୍ ମାନଙ୍କ ସମସ୍ଯାକୁ ସମାଧାନ କରିବାକୁ ଗୋଟେ ଆନ୍ତରୀକତାପୂର୍ଣ୍ଣ, ଦୃଢ ଓ ନୀର୍ଭିକ ନିଷ୍ପତ୍ତିଟିଏ ନିଅନ୍ତୁ, ଏବଂ ଯଥା ଶୀଘ୍ର ଏପରି ନିଷ୍ପତ୍ତିଟିଏ ନେବା ଲୋକଙ୍କ ପାଇଁ ମଙ୍ଗଳ, ରାଜ୍ଯ ପାଇଁ ମଙ୍ଗଳ, ଭାଷା ପାଇଁ ମଙ୍ଗଳ, ରାଜ୍ଯ ବିକାଶ ପାଇଁ ମଙ୍ଗଳ, ରାଜ୍ଯ ସରକାରଙ୍କ ପାଇଁ ମଧ୍ୟ ମଙ୍ଗଳ।

ବଡ ବଡ ଗଣମାଧ୍ୟମର ବେପାରୀ ମାଲିକଙ୍କ ଫଁ କୁ ଦେଖି ଡରି ନଯାଆନ୍ତୁ ସରକାର । ସେମାନଙ୍କ ଫଁ ଆଉ ଫୁତ୍କାର କେବଳ ବଡ, ଆଉ ସବୁ ଛୋଟ, ହୀନ, ଏପରିକି ବଳ ତକାୟତ; ବିକାଶର ଖଡା ବି ଶିଝେନି ସେମାନଙ୍କ ଅକର୍ମରେ।


Laxmidhar Nayak
My Facebook Post: 17th July 2024


Share it

Leave a comment

Your email address will not be published. Required fields are marked *

Verified by MonsterInsights