ମୁଁ ଏବେ ଭାବିଲି ଆଜିକାଲି ଧର୍ମକୁ ନେଇ ବହୁତ ଘଟଣା ଘଟୁଛି,
ଫେସବୁକରେ ବହୁତ କଥା ଲେଖାଯାଉଛି ,
ମୁଁ ତ ଆଜି ଯାଏ କିଛି ଧର୍ମ ପୁସ୍ତକ ପଢିଲି ନାହିଁ,
ଗୀତା କି ଭାଗବତ କଣ ଗୋଟାଏ ଆମୁଳଚୁଳ ପଢି ଦେବା କି !
ଏମିତି ଭାବି ବହି ଥାକ ଉଣ୍ଡାଳିଲି, ବଡ ଗୀତା ବହିଟିଏ ପାଇଲି, ଧୂଳି ଝଡାଝଡି କରି ବହିଟିକୁ ଖୋଲିଲି,
ପ୍ରଥମ ପୃଷ୍ଠାରେ ଦେଖିଲି ଲେଖାଯାଇଛି ମୂଲ୍ଯ ୨୫ ଟଂକା ।
A4 ସାଇଜର ବଡ ବହିଟାଏ,
ଦୁଇ କିଲୋ ଖଣ୍ଡେ ଓଜନ ହେବ,
ପୃଷ୍ଠା ସଂଖ୍ଯା ଦେଖିଲି ୭୩୬ ।
ମୁଁ ଭାବିଲି ଇଏ କାମକୁ ନୁହଁ । ଏତେ ପୃଷ୍ଠା କିଏ ପଢିବ !
ତା ପରେ ଏତେ ଜ୍ଞାନ ମୋର କଣ ହେବ ?
ବିନା ପଢାରେ ତ ଯାଇ ତାଇ ଦି ପଦ ଲେଖିଦେଲେ ଚଳି ଯାଉଛି,
ଇଏ ୭୩୬ ପୃଷ୍ଠିଆ ବହି କିଏ ପଢୁଛି ହୋ |
ଗୀତା କଥା ଛାଡ, ଭାଗବତ ବହି ଦେଖିବା ।
ଖୋଜା ଖୋଜି କଲାରୁ ସେ ବି ମିଳିଗଲେ ।
ମୁଁ ଦେଖିଲି ଗୀତାଠୁ ୟାଂକ ବପୁ ଆହୁରି ବିଶାଳ । ଗୀତା ୭୩୬ ପୃଷ୍ଠା ହେଲା ବେଳକୁ ୟାଂକର ପୃଷ୍ଠା ସଂଖ୍ଯା ୧୦୩୬ । କଣ କରିବ କର ।
ମୁଁ କହିଲି ଛାଡ, ଏ ପଢାପଢି ଆମ କାମ ନୁହଁ,
ସେ ବାହ୍ମୁଣ ବଅଁଶ ପଢୁ ଥାଆନ୍ତୁ ।
ପୁଣି ଭାବିଲି ପିଲାବେଳେ ବାହାଘର, ଏକାଦଶ ଇତ୍ଯାଦି ଭୋଜିରେ
ବାପାଂକ ଅନୁପସ୍ଥିତିରେ ଚାରି ସଂପ୍ରଦା ପୂଜା କରିବାକୁ ମୁଁ ତ କେତେଥର ଭାଗବତ ଅଧ୍ଯାୟେ ଲେଖା ପଢିଛି,
ପାଂଚ ସୁଉକା ପ୍ରଣାମୀ ବି ଆଣିଚି,
ତା ସହିତ ଚାରିଟା ପାନ,
ଚାରିଟା ଗୁଆ ବି ଆଣିବାକୁ ପଡେ ।
ମନରେ ଟିକେ କୌତୁହଳ ଜନ୍ମିଲା,
ମୁଁ ଭାବିଲି ଦେଖିବା
ଭାଗବତରୁ ମୁଁ ସେତେବେଳେ କଣ ସବୁ ପଢୁଥିଲି,
କିଛି ତ ବୁଝୁ ନଥିଲି,
ଭୋଜି ଖାଇବା ପୂର୍ବରୁ ଚାରି ସଂପ୍ରଦା ପୂଜା କରିବା ଆଉ ଭାଗବତ ଅଧ୍ଯାୟେ ପଢିବା ଆବଶ୍ଯକ ଥିବାରୁ କେବଳ ପଢି ଦେଉଥିଲି,
ମଂତ୍ର ତଂତ୍ର କିଛି ନଜାଣି ବି ଭୋଗ ରାଗ କରି ଦେଉଥିଲି,
ସମସ୍ତେ କହୁଥିଲେ,
ଓଃ ଆଜି ପ୍ରଭୁ ମନଭରି ଭୋଗ ଖାଇଛନ୍ତି,
( ପ୍ରଭୁ ବୋଇଲେ ଆମ ଶ୍ରୀକୃଷ୍ଣ )
ଭୋଗ ଟା ଆଜି ଅମୃତ ଭଳିଆ ଲାଗୁଛି ।
ଏହା ଏକ ରୋଚକ ଗପ,
ମନେପଡିଲାଣି ଯେତେବେଳେ
ସେ କଥା ଆଉ କେବେ ଲେଖିବି ।
ହଁ, କଣ କହୁଥିଲି, ଅନ୍ତତଃ ପୃଷ୍ଠାଏ ଖଣ୍ଡେ ଭାଗବତ ପଢିବାକୁ ଇଚ୍ଛା ହେଲା ।
ମୁଁ ବହିଟାକୁ ଓଲଟାଇଲି, ପୃଷ୍ଠା ବାହାରିଲା ୯୮୩, ଏକାଦଶ ସ୍କନ୍ଧ, ଅଧ୍ଯାୟ ୨୧ ର କୌଣସି ଏକ ପୃଷ୍ଠା ।
ମୁଁ ସେଥିରୁ ଆଠ ଦଶ ଧାଡି ପଢିଲି,
ଦେଖିଲି ସେଠି ଯାହା ଲେଖା ଯାଇଛି
ତାର ଅର୍ଥ ହେଲା,
କେବଳ କମୁନିଷ୍ଟିଆ ମାନେ ହିଁ ପ୍ରାକ୍ଟିକାଲ କୃଷ୍ଣ ଭକ୍ତ,
ଏ ବିଜେପି ବାଲା ଭାଣ୍ଡଗୁଡା କି କଣ ,
ଆଉ ଅଧିକ ପଢିଲେ ଯାଇ ପରିଷ୍କାର ଜଣା ପଡିବ ।
ଆଜି ଯେଉଁ ଆଠ ଦଶ ଧାଡି ପଢିଲି
ଏଠାରେ ଲେଖି ଦେଉଛି ।
” ଏଣୁ ଯେ ମୋ ଭାବ ଜାଣଇ
ତାର କୈବଲ୍ଯ ଇଚ୍ଛା ନାହିଁ
ମୁହିଁ ସମ୍ପଦ ଦେଲେ ତାରେ
ତକ୍ଷଣେ ଦୂରେ ପରିହରେ
ସକଳଭାବେ ସେ ଉଦାର
ନିରପେକ୍ଷ ଯେ ଜ୍ଞାନ ତାର
ଏଣୁ ନିଷ୍କାମ ତାର ମତି
ସେ ଲଭେ ଏକାନ୍ତ ଭକତି
ମୋର ଭକତ ଯେଉଁ ନର
ଶୁଭ ଅଶୁଭ ନାହିଁ ତାର
ତାହାର ନାହିଁ ଗୁଣ ଦୋଷ
ମୋହର ଚରଣେ ବିଶ୍ୱାସ
ଏରୂପେ ଭକ୍ତି ଯୋଗ ପଥେ
ଯେ ପ୍ରାଣୀ ଆଶ୍ରେ କରେ ମୋତେ
ସର୍ବ ସଂକଳ୍ପ ତାରେ ମିଳେ
ସେ ମୋତେ ଭଜଇ ନିଶ୍ଚଳେ
କହିଲି ଭକତି ଲକ୍ଷଣ
ସରବେ ସାବଧାନେ ଶୁଣ
ପାମର ହୀନ ଜଗନ୍ନାଥ
ଗୀତ ପ୍ରବନ୍ଧେ ଭାଗବତ
ଯାହା କହିଲି ଜନ ହିତେ
ସୁଜନେ ଶୁଣ ଏକ ଚିତ୍ତେ
ଉଦ୍ଧବ ମାଧବ ସଂବାଦ
ଶୁଣନ୍ତେ ନ ଲାଗେ ପ୍ରମାଦ ।। ”
ସଲାମ୍ କମ୍ରେଡ୍
( କୈବଲ୍ୟ ମାନେ ମୋକ୍ଷ, ସର୍ବ
ସଂକଳ୍ପ ତାରେ ମିଳେ ଅର୍ଥ ସେ ଯେଉଁ ଶାନ୍ତି, ମୈତ୍ରୀ, ସମତା, ମମତା ଭିତ୍ତିକ ସମାଜ ଦେଖିବାକୁ ଚାହୁଁ ଥାଏ , ତାହା ଦିନେ ନା ଦିନେ ମିଳେ, )
Laxmidhar Nayak
My Facebook Post: 21st October 2019