କବିତା ପୁସ୍ତକ ଗୀତାଞ୍ଜଳି ପାଇଁ ରବୀନ୍ଦ୍ରନାଥ ନୋବେଲ ପୁରସ୍କାର ପାଇଲେ, ମାତ୍ର ଗଙ୍ଗାଧରଙ୍କ ଜୀବିତାବସ୍ଥାରେ ତାଙ୍କ କବିତା ଅନ୍ୟ ଭାରତୀୟ ଭାଷାରେ ଅନୁଦିତ ହୋଇପାରିଲା ନାହିଁ।
ସ୍ବଭାବ କବି ଗଙ୍ଗାଧର ମେହେରଙ୍କର ଜନ୍ମଦିନ, ତିଥି ଅନୁସାରେ ଶ୍ରାବଣ ପୂର୍ଣ୍ଣିମା, କିନ୍ତୁ ସେ 1862 ଅଗଷ୍ଟ 9 ତାରିଖରେ ଜନ୍ମ ହୋଇ 1924 ଏପ୍ରିଲ 4ରେ ଇହଲୀଳା ସମ୍ବରଣ କରିଥିଲେ । ବିଶ୍ବକବି ରବୀନ୍ଦ୍ରନାଥ ଙ୍କଠାରୁ ସେ ମାତ୍ର ଏକ ବର୍ଷ ସାନ ।
କବିତା ପୁସ୍ତକ ଗୀତାଞ୍ଜଳି ପାଇଁ ରବୀନ୍ଦ୍ରନାଥ ନୋବେଲ ପୁରସ୍କାର ପାଇଲେ, ମାତ୍ର ଗଙ୍ଗାଧରଙ୍କ ଜୀବିତାବସ୍ଥାରେ ତାଙ୍କ କବିତା ଅନ୍ୟ ଭାରତୀୟ ଭାଷାରେ ଅନୁଦିତ ହୋଇପାରିଲା ନାହିଁ।
କାବ୍ୟପ୍ରତିଭାରେ ମେହେର ଅନନ୍ୟ, ଅସାଧାରଣ। ତାଙ୍କ ଯୁବାବସ୍ଥାରେ ଅବିଭକ୍ତ ସମ୍ବଲପୁର ଜିଲ୍ଲାର ପ୍ରାକୃତିକ ପରିବେଶ ସୌନ୍ଦର୍ଯ୍ୟର ଗନ୍ତାଘର ଥିଲା । ପାହାଡପର୍ବତ, ନଈଝରଣା, ସବୁଜଶ୍ୟାମଳ ଶସ୍ୟକ୍ଷେତ୍ର, ଅଙ୍କାବଙ୍କା ଗ୍ରାମ୍ୟ, ଗିରି ରାସ୍ତା, ସରଳ ସବଳ ସୁସ୍ଥ ଯୁବା ବୃଦ୍ଧ, ପୁଷ୍ପବିଭୂଷିତ ବନଉଦ୍ୟାନ ଓ ପୁଷ୍ପ ପରି ସୁନ୍ଦରୀ, ସୁକୋମଳ ଗ୍ରାମ୍ୟ ଲଳନା ନୀରସ ମନରେ ବି କବିତ୍ବ ଜନ୍ମାଇବ । ସୁତରାଂ ଦରିଦ୍ର ହେଲେ ବି ଗଙ୍ଗାଧର କବିତାର ଗଙ୍ଗାଧାର ହୋଇଗଲେ।
ମହାକାବ୍ୟ ମାନଙ୍କର ଗୋଟିଏ ଗୋଟିଏ ଚରିତ୍ର, ଗୋଟିଏ ଦୃଶ୍ଯରେ ଗଙ୍ଗାଧର ଅନବଦ୍ୟ କାବ୍ୟ ସ୍ରୃଷ୍ଟିକଲେ। ତପସ୍ବିନୀ, ଇନ୍ଦୁମତୀ, ପ୍ରଣୟ ବଲ୍ଲରୀ ଇତ୍ୟାଦି କାବ୍ୟରେ ଜଣେ ଜଣେ ଚରିତ୍ର, ସେ ପୁଣି ନାରୀକୁ ନେଇ ମେହେରଙ୍କ ସମୟରେ କାବ୍ୟରଚନା ଅସମ୍ଭବ ଥିଲା। କିନ୍ତୁ ଗଙ୍ଗାଧର ତା ସମ୍ଭବ କରିଥିଲେ ବଡ ସହଜ ଭାବରେ । କାରଣ ସେ ପ୍ରକୃତ କବି, ପ୍ରକୃତି କବି, ସ୍ବଭାବତଃ କବି, ସ୍ବଭାବରେ କବି, ଅଭାବରେ କବି।
ସୀତାଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାର କରାଯାଇଛି ବୋଲି ସେ ସିଧା କହିନାହାନ୍ତି। କିନ୍ତୁ ତପସ୍ବିନୀ ପଢିସାରି ପାଠକ ଏହା ହିଁ ନିଶ୍ଚିତ କରିବ। ସେ ସମୟରେ ସେ ନାରୀ ଜନନୀ, ଭଗିନୀ , ଜାୟାର ଏକୀଭୂତ ସାକାର ମୂର୍ତ୍ତି କରିଥିଲେ ।
ତାଙ୍କ ଠୁ 24 ବର୍ଷ ସାନ ମୈଥିଳୀ ଶରଣ ଗୁପ୍ତ ସାକେତ କାବ୍ୟ ପାଇଁ ବିଶ୍ବ ପ୍ରସିଦ୍ଧ ହୋଇଗଲେ। ରାମାୟଣର ଅନାଲୋଚିତ ଚରିତ୍ର ଊର୍ମିଳା ସାକେତ କାବ୍ୟର ନାୟିକା ।
ତେବେ ତପସ୍ବିନୀର ସୀତା ବା ପ୍ରଣୟ ବଲ୍ଲରୀର ଶକୁନ୍ତଳାକୁ ଗଙ୍ଗାଧର ଯେମିତି ଉତ୍ତୁଙ୍ଗ ବ୍ୟକ୍ତିତ୍ବରେ ରୂପାନ୍ତରିତ କରିଛନ୍ତି, ତାହା ବିରଳ।
ଆଜିର ଓଡ଼ିଆ ସାହିତ୍ୟ ପଣ୍ଡିତ ଗଣ ଚେଷ୍ଟା କଲେ ମେହେରଙ୍କ ଏ କାବ୍ୟ ସବୁ ଓଡିଶା ସୀମା ଡେଇଁ ପାରନ୍ତା।
80ପ୍ରୃଷ୍ଠାର ଊପନ୍ୟାସ ଯାହା ସାଣ୍ଟିଆଗୋ ନାମକ ସାଧାରଣ କୈବର୍ତ୍ତର କାହାଣୀ ନୋବେଲ ପୁରସ୍କାର ପାଇଲା । ତପସ୍ବିନୀ, ଇନ୍ଦୁମତୀ, ପ୍ରଣୟ ବଲ୍ଲରୀ, କିଚକ ବଧ ଇତ୍ୟାଦିକୁ ଭାଷାନ୍ତର କରି ଦେଶବିଦେଶରେ ପରିଚିତ କଲେ, ସେ ସବୁ ଅନେକ ପୁରସ୍କାର ପକେଟରେ ପୁରାଇବେ, ଏଥିରେ ସନ୍ଦେହ ଅଛି କି ?
– ଉଲ୍ଲାସ ବେହେରା, ପୁରୀ
ମୋ : 8895268021