କଥା କଳସା
କ୍ଷୀରୋଦ ପରିଡ଼ା
ଆଜି ହୈମବତୀର ବାହାଘର ।
ତା’ ବାହାଘର ସ୍ଥିର କରିଛନ୍ତି ତା ବାପା। କିଶୋରୀ ପ୍ରାଣରେ ଯୌବନର ଜୁଆର। ଭାବୀପତିଙ୍କ ରୂପ ଗୁଣକୁ ନେଇ ସେ ତା ମନ ଭିତରେ ଆଙ୍କି ଚାଲିଛି କେତେ କେତେ ଚିତ୍ର । କାହାକୁ ପଚାରିବ ? ସରମରେ ମୁରୁକି ହସୁଛି। ସେ ହୋଇଥିବେ କି ଦିବ୍ୟ ପୁରୁଷ ? ଅପୂର୍ବ କାନ୍ତିରେ ଝଟକୁ ଥିବ କି ତାଙ୍କ ମୁଖ ମଣ୍ଡଳ ? ପତି ଅତି ସୁନ୍ଦର ହୋଇଥିଲେ ସେ ହୋଇପାରିବେ କି ତାଙ୍କରି ଭାଜନ ?
ଗୋଟିଏ ପଟେ ସଂକୀର୍ଣ୍ଣ ମନ ତ ଆରପଟେ ଅପୂର୍ବ ପ୍ରାପ୍ତିର ସ୍ବପ୍ନ ! ଯାହା ବି ହେଉ , ତାହା ତ ହୋଇଥିବ ବିଧି ନିରୂପିତ, ଦୈବୀ ସ୍ଥିରୀକୃତ । ହୈମବତୀ ତ ସାରା ଜୀବନ କରିଆସିଛି ବିଭୂ ଆରାଧନା। ପୂରଣ ହେବ କି ତାହାରି ମନୋବାଞ୍ଛା ? ହେମନ୍ତତନୟା ହୋଇଯାଉଛି ସ୍ଥିର । ଗଭୀର ଆତ୍ମବିଶ୍ଵାସ ସହ ସେ ଦମ୍ଭ ଧରିଲା। ସେ ପ୍ରହର ପରେ ପ୍ରହର ଗଣି ଚାଲିଲା। ଉତ୍କଣ୍ଠାରେ ବିତୁଥାଏ ସମୟ । ହୁଏତ ତା ଭାବୀପତି ଆଉ କିଛି ମୁହୂର୍ତ୍ତ ଭିତରେ ଆସି ପହଞ୍ଚିଯିବେ ବିବାହ ମଣ୍ଡପରେ । ସେଇଠି ହେବ ଚାରିଟି ଆଖିର ମିଳନ। ରୂପ ଦର୍ଶନ- କଳ୍ପିତ ବିଗ୍ରହଙ୍କ ଅବଲୋକନ । ମନ ଓ ହୃଦୟ ହୋଇଯିବ ତଲ୍କୀନ, ମାତ୍ର ପଲକଟିଏର ସେଇ ଚାହାଣିରେ ! ହୈମବତୀର ଯଥେଷ୍ଟ ଭକ୍ତି ଓ ଭରସା ରହିଛି ତା ପିତାଙ୍କ ସିଦ୍ଧାନ୍ତରେ, ତା’ ଆରାଧ୍ୟ ଦେବତାଙ୍କ ଉପରେ। ତା ନିଷ୍ଠା ଓ ନୀରାଜନାରେ ନାହିଁ ସାମାନ୍ୟତମ ତ୍ରୁଟି। ତେଣୁ ତ ସେ ଆଶା କରିବ ଦିବ୍ୟ ଆଶିଷର ପୁଷ୍ପବୃଷ୍ଟି !
ଆଜି ବାହାଘର, ବର ପହଞ୍ଚିବ କନ୍ୟା ଘରେ। ଶୁଭୁଛି ମଙ୍ଗଳ ଗୀତିକାର ଧ୍ଵନି । ଭେରୀ ମହୁରି ଶଙ୍ଖ ବାକୁଛି। ବାଜୁଛି ଦୁନ୍ଦୁଭି ଓ ସାହାନାଇ। ବର ପହଞ୍ଚିଲେ ବରଣ ହେବ। ବାହାବେଦୀରେ ବସିବେ ବର କନ୍ୟା। ତାପରେ ବିଦାୟର ପର୍ବ। ସ୍ୱଗୃହ ଛାଡ଼ି ହୈମବତୀ ଚାଲିଯିବ ତା ପତିଙ୍କ ସହ, ବିତାଇବ ତା ଜୀବନର ଆରେକ ଅଧ୍ୟାୟ !
ଏ ସଂସାର ହେବ ଆସ୍ଥା ଓ ବିଶ୍ଵାସର। ଏ ଯାତ୍ରା ହେବ ସମତାଳର, ସଂକଳ୍ପର – ଦୁଇଟି ଆତ୍ମାର ମହିମ୍ନ ମିଳନର। ଏକ ଅଦୃଷ୍ଟ ଯାତ୍ରାପଥରେ ଦୁଇ ଅପରିଚିତ ହୋଇଯିବେ ସହଯାତ୍ରୀ !! କୁହାଯିବ ଈଶ୍ୱର ଗଢ଼ିଛି ଦୁହିଁଙ୍କୁ ସାତଜନ୍ମ ପାଇଁ !
ହୈମବତୀ ଏଯାଏ ଦେଖିନାହିଁ ତା’ର ଭାବୀପତିଙ୍କୁ। ମନ ଉଚ୍ଛନ୍ନ !! କନ୍ୟା ପକ୍ଷର ଦୃଢ଼ ଦାବି ଯେ ତାଙ୍କ କନ୍ୟା ହେଉଛି ଏକ ଅମୁଲ୍ୟ ରତ୍ନ ପରି। ଏପରି ରୂପବତୀ , ଗୁଣବତୀ ଜଗତେ ନାହିଁ । ସେ ଯେ ହେମନ୍ତ କୁମାରୀ, ସେ ହିରନ୍ମୟୀ !! ଆଉ ବର ? ନୁହଁଇ କି ସେ କନ୍ୟା ଲାଖି କୁମର ?
ଚାଲିଛି ମଙ୍ଗଳଗୀତିର ଗାୟନ। ହୈମବତୀର ମନ ଛନଛନ !! ଆଖି ଓ କାନ ଉତ୍କୀର୍ଣ୍ଣ। ସେ ଚାହିଁ ପାରୁନି ଆଢ଼ୁଆଳରୁ, ସେ ଶୁଣି ପାରୁନି କିଛି ସେହି ସ୍ଵାଗତ ଶବ୍ଦ ଧ୍ୱନିର ପ୍ରାବଲ୍ୟରୁ। କେବଳ ଗୋଟିଏ ହିଁ କଥା, ଗୋଟିଏ ହିଁ ଦୃଶ୍ୟ ତାହାର ଅଭିପ୍ରେତ – ତା ବରର ସାକ୍ଷାତ !
ସାଥୀ, ସଖୀ ,ସହଚରୀ, ସହାୟିକା ସମସ୍ତେ ଚୁପ୍ – ସହାସ୍ୟ ବଦନରେ। ସେମାନେ ଉଲ୍ଲସିତ, ବିଭୋର – ହୈମବତୀର ଶୁଭ ପରିଣୟରେ।
ପଚାରିବ କି ସେମାନଙ୍କୁ ସେ ଭାବୁଥିବା ତାହାରି ମନ ଗହନର କଥାପଦକ ? ନା , ସେ ପଚାରି ପାରୁନାହିଁ। ସରମି ଯାଉଛି। କେବଳ ଶୁଣୁଛି, ଆମ ହେମନ୍ତ ଦୁଲଣୀ ହେଉଛି ଜଗତଜିତା। ସାକ୍ଷାତ୍ ଲକ୍ଷ୍ମୀ ପ୍ରତିମା ! ଏ ଜଗତେ ନାହିଁ ତା ସରି କେଉଁ ଦୁହିତା !
ହୈମବତୀର ଅବସ୍ଥା କିନ୍ତୁ ଭିନ୍ନ। ବେଳୁବେଳ ସେ ଉଦଗ୍ରୀବ ହୋଇଉଠୁଛି। ମଝିରେ ମଝିରେ ସଖୀ କେତେ ଜଣ କୋଠରି ବାହାରକୁ ଯାଇ ଫେରି ଆସୁଛନ୍ତି। ନା, ବରପାତ୍ର ପହଞ୍ଚି ନାହିଁ ! ଧୈର୍ଯ୍ୟହରା ହୋଇଉଠୁଛି ହୈମବତୀ। ପ୍ରିୟ ସଖୀ ଜଣକ କୁଆଡ଼େ ଗଲା ? ପାଖରେ ନାହିଁ। ଯାଇଛି କି କିଛି ସନ୍ଦେଶ ପାଇଁ ? ନା, ସେ ପଚାରି ନାହିଁ କାହାକୁ ତା ମନ ଭିତରେ ରୁନ୍ଧି ହୋଇଥିବା ପ୍ରଶ୍ଣଟିକୁ !
ହଠାତ୍ ପହଞ୍ଚିଗଲା ପ୍ରିୟ ସଖୀ କାମିନୀ। ସେ କଣ କହିବ ଭାବି ପାରୁନାହିଁ। ଦୁଇ ଓଠ ସନ୍ଧିରେ ଅଟକି ଯାଉଛି ଶବ୍ଦ। ଆଖି ଦୁଇଟି ହୋଇ ଯାଇଛି ଛଳ ଛଳ। ଇଏ କଣ ତାହାଲେ ବିହ୍ୱଳପଣର ବାକ୍ ରୁଦ୍ଧତା? କାମିନୀ ନିରବ ରହି ପାରିବନାହିଁ। କୌଣସି କଥା ଲୁଚାଇ ରଖିପାରିବ ନାହିଁ। ସେ ବିଶ୍ଵସ୍ତ, ସେ ଅନୁଗତ, ସମର୍ପିତ।
ରାଜନନ୍ଦିନୀ ଚାହିଁଛନ୍ତି କାମିନୀର ମୁହଁକୁ।
କାମିନୀ ପାଟିରୁ ଅନର୍ଗଳ ବାହାରି ଆସିଲା ଖେଦୋକ୍ତି ତା’ରି କେତେଜଣ ସହୀଙ୍କ ସହ :
” କେଉଁ ବର ବରିଲେ ଗୋ ପିତା ନୃପମଣି !!
କୁଳ ମୂଳ ବେନି ଗୋତ୍ର ନ ଜାଣଇ ତା’ର
କନକ ବେଦୀରେ ବୁଢ଼ା ବସିଚି ସଭାର।
ଖୁଁ ଖୁଁ ଖାସ ସାହାସେଣ ପେଲୁଅଛି ଧଇଁ
ଖରତର ନିଶୁଆସ ମଥା ଲାଗେ ଭୂଇଁ।
ଖଣ୍ଡିଏ ଯୋଗାଣପଣ ନ ଦେଖିଲୁ ତା’ର
ଖଣ୍ଡିଏ ବଳଦ ବୁଢ଼ା ବାନ୍ଧୁଛି ପାଖର। ”
ହୈମବତୀ ନିର୍ବାକ ହୋଇଯାଉଛି। ଇଏ କଣ ହେଲା ? ବର୍ଷ ବର୍ଷର ତପସ୍ୟା କଣ ବ୍ୟର୍ଥ ହୋଇଗଲା ? କପାଳରେ ଏମିତି ଘଟିବାର ଥିଲା ! ଈଶ୍ବରଙ୍କ ମାୟା ସେ ବୁଝିବ କେମିତି। ସ୍ଵୟଂ ଈଶ୍ୱର ବି ବଦଳାଇ ଦେଇପାରନ୍ତି ତାଙ୍କର ତେତିଶ କୋଟି ରୂପ। ସେ ଅରୂପ, ସେ ନିରାକାର। ସେ ଅନାମ, ସେ ସର୍ବନାମ। ହୈମବତୀ ତା ମନରେ ଆଙ୍କି ରଖିଥିବା ସେହିସବୁ ରୂପ ପ୍ରତିମା ଗୋଟିଗୋଟି ହୋଇ ଉଭାନ ହୋଇଯାଉଛି , କାମିନୀ ପ୍ରତିଟି ଶବ୍ଦ ଉଚ୍ଚାରଣରେ !
ଏବେ ଦେଖିବା, ସେହି ବୁଢ଼ା ବରର ପ୍ରତ୍ୟକ୍ଷଦର୍ଶୀ ବିବରଣ …
ତାହାର ଗୋଡ଼ ହାତ ଗୁଲିଯାଇଛି। ଆଖିରୁ ଲେଞ୍ଜରା ବାହାରୁଛି।
ବେକରେ ଲମ୍ବାଇଛି କାଠର ମାଳ। ଜ୍ଞାନହୀନ ପରି ଲାଗୁଛି ସେ।
ନାହିଁ ତାହାରି କୌଣସି ଗୁଣ। ଅଜଣା ତାହାରି ଘରଦ୍ବାର।
ଅନବରତ ପାଟିରୁ ଗଦୁଛି ଲାଳ। ମୁଣ୍ଡର କେଶ ହୋଇଛି ଜଟା।
ସେ କିଛି ଦେଖି ପାରୁନି କି ଶୁଣି ପାରୁନି। ମଣିଷ ଚିହ୍ନି ପାରୁନି।
ମୁହଁ ଭର୍ତ୍ତି ନିଶ ଦାଢ଼ି। ରାତିରେ କହିଲେ ଡରିବା ନିଶ୍ଚିତ।
ତାହାରି ଚାରିପଟେ ବେଢ଼ି ବସିଛନ୍ତି ଦେବତା ଓ ବ୍ରାହ୍ମଣମାନେ।
ବେକରୁ ପାଦ ଯାଏ ସେ ପିନ୍ଧିଛି ଯୋଗୀଙ୍କ ପରି ବସ୍ତ୍ର।
ପାଉଁଶରେ ବୋଳି ହୋଇଛି ତାହାର ସର୍ବାଙ୍ଗ ଶରୀର।
ମୁଣ୍ଡରେ ଛନ୍ଦି ହୋଇଛି ସର୍ପ ମାଳ ମାଳ …
ବୁଢ଼ାବରର ଏମିତି ରୂପ ଦେଖି ସଖୀମାନଙ୍କର ଇଏ ଥିଲା ବିମର୍ଷମୟ ବର୍ଣ୍ଣନା । ସେମାନେ ସମସ୍ତେ ଚିନ୍ତାରେ ପଡ଼ିଯାଇଛନ୍ତି। ଏତେ ସରଳ ଜୀବନଯାପି ଆସିଥିବା ଚନ୍ଦ୍ରମୁଖୀ ରାଜନନ୍ଦିନୀ ଏବେ ପ୍ରାପ୍ତ ହେବାକୁ ଯାଇଛନ୍ତି ଏକ ଜଙ୍ଗମ ଭୂମି !!
ବରର ହୋଇଯାଇଛି ବରଣ। ସଖୀମାନେ ହେମନ୍ତ-ଦୁଲଣୀକୁ କହୁଛନ୍ତି , ସହୀ ଏଇ ଅଣଉହାଡ଼କୁ ଆସ, ଦେଖାଇ ଦେବୁ ସେହି ବରର ରୂପ ଭେକ …
ଚୌତିରିଶ ବ୍ୟଞ୍ଜନ ବର୍ଣ୍ଣରେ ବଖାଣି ଚାଲିଲେ ବରର ବିଲକ୍ଷଣ ବିରୂପ କଥା। ହୈମବତୀ ଆକୁଳ ରୋଦନରେ ମାଆଙ୍କୁ କହୁଛି :
” ଦରିଦ୍ର ବୁଢ଼ା ଗୋଟାକୁ ଯେବେ ମୋତେ ଦେବୁ
ଦୁଇ ନୟନରେ ମୋର ମରଣ ଦେଖିବୁ ।”
xxx
ପୂଣି ନୃପବରଙ୍କୁ ଦୁଲଣୀ ଓ ମହାରାଣୀ କହୁଛନ୍ତି :
” ନିର୍ଲଜ୍ଜ ତ ଗୋଟା ବୁଢ଼ା ଆଖି କଲୁ ବର
ନିଆଁରେ ଝାସିବୁ ମାଏ ଝିଅ ଦୁଇ ହୋଇ।
ନୋହିଲେଣ ମାରିବୁ ନିଚୟେ ବିଷ ଖାଇ
ପଟ ଘେନି ମୁକୁତା ମାଣିକ ଗୁନ୍ଥ କାହିଁ । ”
କନ୍ୟା ଓ ରାଣୀଙ୍କ ଧୈର୍ଯ୍ୟ ଚ୍ୟୁତି ଘଟିଲା। ଭୂଇଁରେ ଲୋଟିପଡ଼ିଲେ ଓ ଅଚେତ ହୋଇଗଲେ। କିଛି ସମୟ ପରେ ସମ୍ବିତ ଫେରିପାଇ – ବିଚାର କରନ୍ତି ମାଏ ଝିଏ ଦୁହେଁ ହୋଇ, ବିଚାର ଛଡ଼ା ମନରୁ ବୋଲୁଅଛୁ ଆଈ। ବ୍ରହ୍ମା ବିଷ୍ଣୁ ପାଶରେ ଅଛନ୍ତି ଯାକୁ ବେଢ଼ି, ବଡ଼ ଭାଗ୍ୟବନ୍ତ ଗଉରା ଧରିବୁ ତା ନଡି !!
ଏହା ପରେ ଆସୁଛି ବରକନ୍ୟାଙ୍କ ଦିବ୍ୟରୂପ। ସରସ ସ୍ନେହ ଭାବକରି ସଦାଶିବ, ଶୋଭା ପାଉଛନ୍ତି ଦୁହେଁ ରତି କାମଦେବ।
ହରଷ ହୋଇଲେ ସୁରପୁର ଲୋକ ଦେଖି, ହାସ
କରୁଛନ୍ତି ଚାହିଁ ସଂଘାତ ସୁମୁଖୀ !!
ପାଠକେ ବୁଝି ସାରିବେଣି ଯେ ଇଏ ହେଉଛି ଦେଵ ଦେଵ ମହାଦେବଙ୍କ ମାୟା। ଦିବ୍ୟରୂପର ଅଧିକାରୀ ପୁଣି ନିଜ ବିବାହ ସମୟରେ କରିପାରନ୍ତି ଏମିତି ମାୟା ! ଏ ମାୟା ପୁଣି ମହାମାୟାଙ୍କ
ସାମ୍ନାରେ ! xxx
( ଇଏ ଥିଲା ଷୋଡ଼ଶ ଶତାବ୍ଦୀର ଆମ ଓଡ଼ିଆ ଭାଷାର କବି ବତ୍ସା ଦାସଙ୍କ ଚଉତିଶା ଉପରେ ଆଧାରିତ ଏକ ଆଖ୍ୟାନ ରୂପ। ଆମ ଓଡ଼ିଆ ଭାଷାର ଚଉତିରିଶ ବ୍ୟଞ୍ଜନ ବର୍ଣ୍ଣର ଆଦ୍ୟ ଅନୁପ୍ରାସରେ ରଚିତ ମଙ୍ଗଳ ଗୀତିକା। ଏପରି ଚଉତିଶା ଏବେ ବି ସ୍ୱଳ୍ପ କିଛି ଲୋକଙ୍କ ପାଖରେ ଶ୍ରଦ୍ଧାର ସହ ବଞ୍ଚିରହିଛି । ଏଥିରେ ଆଖ୍ୟାନ ଓ ଅନୁପ୍ରାସ କାହିଁକି ରହିଥିଲା, ସେସବୁ କଥା କୁହାଯାଇ ପାରେ। ସମକାଳରେ ତାହାରି ସଂକ୍ଷିପ୍ତ ଗଦ୍ୟରୂପର ପ୍ରୟୋଜନ ରହିଛି କି ? ଆପଣଙ୍କ ମତାମତ ପାଇଁ ଏତିକିରେ ରହୁଛି ।
ପ୍ରଣାମ,
#କବି_ବତ୍ସା_ଦାସ_ବଚ୍ଛା_ଦାସ_ବଂଶୀ_ଦାସଙ୍କୁ )
@highlight Followers ⊕