କୋଟି କୋଟି ବ୍ରହ୍ମା ଏହି ବଟ ତଳେ ଯାଇ

Share it

ବଡ଼ ଦେଉଳ କାହାର

କାହାଣୀ ଓ କିମ୍ବଦନ୍ତୀ ମାନଙ୍କରୁ ଜଣା ଯାଇ ଥାଏ ବଡ଼ଦେଉଳ ଶ୍ରୀମନ୍ଦିରର ଆଦି ନିର୍ମାତା ହେଉଛନ୍ତି ମହାରାଜା ଇନ୍ଦ୍ରଦ୍ୟୁମ୍ନ । ଏହି କାହାଣୀ ସ୍କନ୍ଧପୁରାଣ ସହ ଅତି ସୁନ୍ଦରଭାବେ ବର୍ଣ୍ଣିତହୋଇଛି କବି କୃଷ୍ଣ ଦାସଙ୍କ ରଚିତ ଦେଉଳତୋଳା କ୍ଷୁଦ୍ର ପୁସ୍ତକରେ । ମହାରାଜ ଇନ୍ଦ୍ରଦ୍ୟୁମ୍ନଙ୍କ ନିର୍ମିତ ଆଦି ବଡ଼ଦେଉଳ କାଳକ୍ରମେ, ଜୀର୍ଣ୍ଣ ହୋଇଛି ଏବଂ ବହୁ ବାର ବହୁ ନରପତିଙ୍କ ଦ୍ବାରା ପୁନଃ ନିର୍ମିତ ହୋଇଛି, ଜୀର୍ଣ୍ଣ ସଂସ୍କାର ହୋଇଛି । ବର୍ତ୍ତମାନର ଦୃଶ୍ୟମାନ ବଡ଼ ଦେଉଳର ନିର୍ମାତା ଶ୍ରୀଅନଙ୍ଗ ଭୀମଦେବ ବୋଲି ଐତିହାସିକ ପ୍ରମାଣ ମିଳେ । ଉତ୍କଳମଣି ଧର୍ମପଦ କାବ୍ୟରେ କହିଛନ୍ତି :-
ଶେଷେ ସେ ଦେଉଳ ତୋଳାଇଲେ
ପୁଣି ଶ୍ରୀ ଅନଙ୍ଗଭୀମ ରାଏ ।
ଉତ୍କଳେ ଅକ୍ଷୟ କୀର୍ତ୍ତିସ୍ତମ୍ଭ ପ୍ରାୟେ
ଶୋଭେ ଯାହା ଆଜି ଯାଏ ।।

ସେହି ପୁରାଣ କଥା । ମହାରାଜା ଇନ୍ଦ୍ରଦ୍ୟୁମ୍ନ ବଡ଼ ଦେଉଳ ନିର୍ମାଣ କଲାପରେ ଏହାର ପ୍ରତିଷ୍ଠାପାଇଁ ବ୍ରହ୍ମାଙ୍କୁ ଆମନ୍ତ୍ରଣ ପାଇଁ ବ୍ରହ୍ମ ଲୋକ ଚାଲିଗଲେ । ବ୍ରହ୍ମଲୋକରେ ପହଞ୍ଚି ସେ ଦେଖିଲେ ବ୍ରହ୍ମା ତର୍ପଣ କରୁଛନ୍ତି । ତେଣୁ ସେ ଟିକିଏ ଅପେକ୍ଷା କଲେ ଓ ବ୍ରହ୍ମାଙ୍କ ତର୍ପଣାନ୍ତେ ତାଙ୍କୁ ସାଥିରେ ମର୍ତ୍ତ୍ୟ ପୁରକୁ ଘେନି ଆସିଲେ ।

ବ୍ରହ୍ମଲୋକରେ ରାଜା ଇନ୍ଦ୍ରଦ୍ୟୁମ୍ନ ଅପେକ୍ଷା କରିଥିବା ସେହି ଅଳ୍ପ କେତୋଟି ମୁହୂର୍ତ୍ତ ମଧ୍ୟରେ ମର୍ତ୍ତ୍ୟରେ ଶହଶହ ବର୍ଷ ବିତି ଯାଇଥିଲା ଏବଂ ଇନ୍ଦ୍ରଦ୍ୟୁମ୍ନଙ୍କ ନିର୍ମିତ ସେ ମନ୍ଦିରଟି ବାଲିରେ ପୋତିହୋଇ ପଡ଼ିଥିଲା । ବହୁକାଳ ପରେ ଉତ୍କଳ ନରପତି ଗାଲ ମାଧବ ସେହି ବାଟ ଦେଇ ଘୋଡ଼ା ଝପଟେଇ ଯାଉଥିଲେ । ରାଜାଙ୍କ ଘୋଡ଼ାର ଟାପୁ ସେ ପୋତା ମନ୍ଦିର ଚୂଡ଼ାରେ ବାଜିବାରୁ ଘୋଡ଼ାଟି ବାଲିରେ ପଡ଼ିଗଲା । ଘୋଡ଼ାରୁ ଓଲ୍ହାଇପଡ଼ି ବାଲି ଆଡ଼େଇ ରାଜା ଦେଖିଲେ ଏକ ବିଶାଳ ମନ୍ଦିରର ଚୂଡ଼ା । ସେ ନିଜର ସୈନ୍ୟ ସାମନ୍ତ ଲଗାଇ ବାଲି ଖୋଳିବାରୁ ଦୃଶ୍ୟମାନ ହେଲା ଗୋଟିଏ ସୁଦୃଶ୍ୟ ବିଶାଳ ମନ୍ଦିର । ଗାଲ ମାଧବ ମନ୍ଦିରକୁ ଉଦ୍ଧାର ମାତ୍ର କରି ଦାବିକଲେ ମୁଁ ଏହାକୁ ନିର୍ମାଣ କରିଛି ବୋଲି ।

ଏ ପଟେ ମହାରାଜା ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମାଙ୍କୁ ବ୍ରହ୍ମ ଲୋକରୁ ଧରି ଆସି ମନ୍ଦିର ପ୍ରତିଷ୍ଠା ନିମନ୍ତେ ପହଞ୍ଚି ଗଲେ । କିନ୍ତୁ ଗାଲମାଧବ ମନ୍ଦିର ଉପରେ ନିଜର ଅଧିକାର ସାବ୍ୟସ୍ତକଲେ । ଦୁହିଁଙ୍କ ମଧ୍ୟରେ କନ୍ଦଳ ଲାଗିଲା ମନ୍ଦିର ନିର୍ମାତାଙ୍କୁ ନେଇ ।

କ୍ରମେ ବିବାଦ ତୀବ୍ରତର ହେବାରୁ ବ୍ରହ୍ମା ମଧ୍ୟସ୍ଥତା କରି କହିଲେ, ହେ ରାଜାମାନେ, ତୁମେ ଏ ମନ୍ଦିର ତୋଳାଇଛ ଏହାର ପ୍ରମାଣ ସ୍ୱରୂପ କେହି ସାକ୍ଷୀ ଅଛନ୍ତି କି? ଗାଲମାଧବ ତ ଗାଲୁ ହିଁ ମାରୁ ଥିଲେ, ସେ ସାକ୍ଷୀ କେଉଁଠୁ ଆଣିବେ, ତେଣୁ ବାଧ୍ୟ ହୋଇ ସେ ଚୁପ ରହିଲେ ।

ଏହା ଭିତରେ ଯେ ଅନେକ ସମୟ ବିତି ଯାଇଛି, ମହାରାଜା ଇନ୍ଦ୍ରଦ୍ୟୁମ୍ନ ସାକ୍ଷୀ କେଉଁଠୁ ଆଣିବେ ? ସେ ଏହା ଚିନ୍ତା କରୁଛନ୍ତି, ତାଙ୍କର ନଜର ପଡ଼ିଲା ନିକଟ କଳ୍ପବଟ ପରେ ବସି ରହିଥିବା କଳ୍ପଜୀବି ଭୂଷଣ୍ଡ କାକଙ୍କ ଉପରେ । ତତ୍କ୍ଷଣାତ ସେ ବ୍ରହ୍ମାଙ୍କୁ କହିଲେ ଏହି କାକହିଁ ମୋର ସାକ୍ଷୀ ।

ଇନ୍ଦ୍ରଦ୍ୟୁମ୍ନ ବୋଇଲା ମୋହର ସାକ୍ଷୀ ଅଛି ।
କଳପବଟରେ ଯେଉଁ କାକ ବସିଅଛି ।।

ତେଣୁ ସମସ୍ତେ ଯାଇ, ଭୁଷଣ୍ଡ କାକଙ୍କ ନିକଟରେ ପହଞ୍ଚିଗଲେ । ସେତେବେଳେ ଭୂଷଣ୍ଡ କାକ ଉର୍ଦ୍ଧ୍ଵ ରେତା ହୋଇ ବ୍ରହ୍ମ ସାଧନ ଲିପ୍ତ ଥାନ୍ତି । ସେ ଆଉ ବ୍ରହ୍ମାଙ୍କ କଥାକୁ କାନ ଦେଉ ନଥାନ୍ତି । ବ୍ରହ୍ମା ବ୍ୟସ୍ତ ବିବ୍ରତ ହୋଇ, ଭୂଷଣ୍ଡ କାକଙ୍କୁ କଟୁ ଧିକ୍କାର କରି କହିଲେ, “ରେ ଛାର କାକ ପକ୍ଷୀ, ଛାର ପକ୍ଷୀଟିଏ ହୋଇ ତୁମେ ମୋ କଥାକୁ କର୍ଣ୍ଣପାତ କରୁନାହଁ । ମୁଁ କିଏ, ତୁମେ ଜାଣ ! ମୁଁ ହେଉଛି ସ୍ୱୟଂ ବେଦପତି ଚତୁରାନନ ବ୍ରହ୍ମା ।”

ବାୟସ ରାଜଙ୍କ ଧ୍ୟାନ ଭଗ୍ନ ହେଲା । ସେ ବ୍ରହ୍ମାଙ୍କ
ବାକ୍ୟ ଶୁଣି କହିଲେ,” ଆହେ ତୁମ୍ଭେ କେଉଁ ବ୍ରହ୍ମା ହୋ ! ମୁଁ ପରା ଏଠି କୋଟି କୋଟି ବ୍ରହ୍ମାଙ୍କୁ ଦେଖି ସାରିଲିଣି । ଜଣେ ସହସ୍ରମୁଖ ବ୍ରହ୍ମା ଥିଲା, ତା’ର ତ ମୋ ଦେଖିବାରେ ମାତ୍ର ପାଞ୍ଚଟା ଦିନ ମଧ୍ୟରେ ମୃତ୍ୟୁ ହୋଇଛି, ତୁ ତ ଚତୁର୍ମୁଖ ବ୍ରହ୍ମା, କାଲିମାତ୍ର ବିଷ୍ଣୁଙ୍କ ନାଭି କମଳରୁ ଜନ୍ମ ହୋଇଛୁ । ମୁଁ ପରା ରାମନାମ ଜପକରି ଏ ବଟମୂଳେ କୋଟିକୋଟି ବ୍ରହ୍ମାଙ୍କୁ ଦେଖି ସାରିଲିଣି ।”

କୋଟି କୋଟି ବ୍ରହ୍ମା ଏହି ବଟ ତଳେ ଯାଇ ।
ରାମନାମ ଧରି ଏକା ରହିଅଛି ମୁହିଁ ।।

ଭୂଷଣ୍ଡକାକଙ୍କ ଠାରୁ ଏପରିକଥା ଶୁଣି ବେଦବର ବ୍ରହ୍ମାଙ୍କ ମୋହ ଭଙ୍ଗହେଲା । ସେ ଜାଣିପାରିଲେ ଏଇ କାକ ସାମାନ୍ୟ ଏକ ପକ୍ଷୀ ନୁହଁନ୍ତି । ଏ ହେଉଛନ୍ତି କଳ୍ପଜୀବି, ପ୍ରଭୁ ଶ୍ରୀରାମଙ୍କ ପରମ ଭକ୍ତ ଭୂଷଣ୍ଡ କାକ । ସେ ଅନୁନୟ ହୋଇ, ତାଙ୍କୁ ପ୍ରଶ୍ନ କଲାରୁ ଭୂଷଣ୍ଡ କାକ ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଏ ବିଶାଳ କିର୍ତ୍ତୀ ବୋଲି କହିଲେ ।

ରାଜା ଗାଲମାଧବ ଏବଂ ମହାରାଜ ଇନ୍ଦ୍ରଦ୍ୟୁମ୍ନଙ୍କ ମଧ୍ୟରେ ବିବାଦର ଅନ୍ତଃ ହେଲା । ବେଦପତି ବ୍ରହ୍ମା ନୀଳାଚଳରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରତିଷ୍ଠାକରି ବ୍ରହ୍ମଲୋକକୁ ପ୍ରସ୍ଥାନ କଲେ । ଦେଉଳତୋଳା ପୁସ୍ତକରେ ଭୂଷଣ୍ଡ କାକ କହିଲେ :-

ବୋଇଲା ଭୁଷଣ୍ତ କାକ ବ୍ରହ୍ମାଙ୍କୁ ଅନାଇ ।
ଦେଉଳ ଇନ୍ଦ୍ରଦ୍ୟୁମନ ଯାଇଛି ତୋଳାଇ ।।

ନୀଳାଚଳରେ ଶ୍ରୀମନ୍ଦିରର ପ୍ରତିଷ୍ଠା ହୋଇଗଲା । ମହାରାଜ ଇନ୍ଦ୍ରଦ୍ୟୁମ୍ନ ଚତୁର୍ଦ୍ଧା ଦାରୁବିଗ୍ରହଙ୍କୁ ରତ୍ନ ସିଂହାସନରେ ଆରୁଢ଼ କରାଇ ନିଜକୁ କୃତକୃତ୍ୟ ମନେ କଲେ । ମହାପ୍ରଭୁ ଅତ୍ୟନ୍ତ ପ୍ରୀତ ହୋଇ କହିଲେ, ହେ ଭକ୍ତରାଜ ! ତୁମ୍ଭେ ନୀଳାଚଳରେ ଆମକୁ ପ୍ରତିଷ୍ଠା କରାଇ ଯୁଗ ଯୁଗ ପାଇଁ ଅକ୍ଷୟ କୀର୍ତ୍ତି ସ୍ଥାପନ କରିଗଲ । ତୁମ୍ଭେ କି ବର ମାଗୁଛ ମାଗ । ଭକ୍ତପ୍ରବର ମହାରାଜ ଇନ୍ଦ୍ରଦ୍ୟୁମ୍ନ କରପତ୍ର ଯୋଡ଼ି କହିଲେ :-

ତୁମ୍ଭେ ଯେବେ ବର ଦେବ ମାଗୁଅଛି ମୁହିଁ ।
ମୋହର ବଂଶରେ କେହି ନଥିବେ ଗୋସାଇଁ ।।
ପୁତ୍ର ନାତି ବୋଲିବେ ଯେ ଦେଉଳ ଆମ୍ଭର ।
ଆମ୍ଭର ବୋଲନ୍ତେ ଧର୍ମ ନାଶ ଯିବ ମୋର ।।

ଶ୍ରୀମନ୍ଦିର ନିର୍ମାଣର ସାକ୍ଷୀ ଭୂଷଣ୍ଡ କାକ ଏକଦା ଧ୍ୟାନରେ କଳ୍ପବଟ ଉପରେ ମହାପ୍ରଭୁଙ୍କ ଉପରେ ଚିତ୍ତ ନିବେଶକରି ସୁଷୁପ୍ତି ଅବସ୍ଥାରେ ବସି ଥାନ୍ତି । ଅସାବଧାନତା ବଶତଃ ପବିତ୍ର ରୋହିଣୀ କୁଣ୍ଡରେ ସେ ପତିତ ହେବାରୁ ଚତୁର୍ଭୁଜ ରୂପ ଧାରଣ କରି ବିଷ୍ଣୁଲୋକ ଗମନ କଲେ ।
ଏବେ ଶ୍ରୀମନ୍ଦିର ଭିତର ବେଢ଼ା ମାଆ ବିମଳାଙ୍କ ମନ୍ଦିର ସାମ୍ନାରେ ଅବସ୍ଥିତ ରୋହିଣୀକୁଣ୍ଡ ଠାରେ ଭୂଷଣ୍ଡକାକଙ୍କ ଦର୍ଶନ ମିଳିଥାଏ । ଭୂଷଣ୍ଡ କାକଙ୍କ ଦର୍ଶନ ବିଷୟରେ ଭକ୍ତ ସାଲବେଗ କହିଛନ୍ତି :-

ରୋହିଣୀ ପାଦୁକା କୁଣ୍ଡ ରଜ ।
ସିଂହ ମାଡ଼ିବସି ଅଛି ଗଜ ।।
ସତେ କି ଏ ନେତ୍ର ସଫଳ ହୋଇବ
କାକ ପଡ଼ି ହେଲା ଚତୁର୍ଭୁଜ ।।

ସନ୍ଥ ତୁଳସୀ ଦାସ କୃତ ରାମ ଚରିତ ମାନସରେ କାକଭୂଷଣ୍ଡିଙ୍କ ବିଷୟରେ ବିସ୍ତୃତ ବର୍ଣ୍ଣନା ରହିଛି । କାକ ଭୂଷଣ୍ଡି ଭୂଷଣ୍ଡ ରାମାୟଣ ବୋଲି ରାମାୟଣ ରଚନା କରିଥିବା କଥିତ ହୁଏ । ଶ୍ରୀରାମ ଚରିତ ମାନସରେ ସନ୍ଥ ତୁଳସୀ କହିଛନ୍ତି :-

ଉମା କହିଉଁ ସବ କଥା ସୁହାଇ ।
ଜୋ ଭୁଷୁଣ୍ଡି ଖଗପତିହି ଶୁନାଇ ।।

ଅର୍ଥାତ୍ ହେ ଉମା ! ମୁଁ ତୁମକୁ ସେହି ଅତି ସୁନ୍ଦର ରାମକଥା ଶୁଣାଇବି ଯାହା କାକଭୂଷଣ୍ଡି ଗରୁଡ଼ଙ୍କୁ ଶୁଣାଇ ଥିଲେ ।

ଜୟ ଜଗନ୍ନାଥ
🙏🙏🙏

ଅର୍ଜୁନୀ ଚରଣ ବେହେରା
ମୋ -7693091971


Share it

Leave a comment

Your email address will not be published. Required fields are marked *

Verified by MonsterInsights