କିଏ କହେ ତାରେ ଅଧମ ଜାତି ?
ରଂଜନ କୁମାର ଦାସ
ଓଡ଼ିଶାର ଶେଷ ହିନ୍ଦୁ ରାଜା ମୁକୁନ୍ଦ ଦେବଙ୍କର ୧୫୬୮ ଖ୍ରୀଷ୍ଟାବ୍ଦରେ ଗୋହିରାଟିକିରୀ ଯୁଦ୍ଧରେ ପତନ ଓ ପରିଶେଷରେ ମୃତ୍ୟୁ ଘଟିଲା I ବଙ୍ଗର ନବାବ ସୁଲେମାନ କରIନୀଙ୍କ ସେନାପତି କଳାପାହାଡ ଓଡ଼ିଶା ଉପରେ ଆକ୍ରମଣ କଲା I ଶିଖୀ ଓ ମନାଇଙ୍କ ଵିଶ୍ଵାସଘାତ ଓ ଗୋବିନ୍ଦ ବିଦ୍ୟାଧରଙ୍କ ଚକ୍ରାନ୍ତ ଗଜପତି ମୁକୁନ୍ଦଦେବଙ୍କର ଅନ୍ତ ଘଟାଇଲା ପରେ କଳାପାହାଡ଼କୁ ଜଗନ୍ନାଥ ମନ୍ଦିର ଉପରେ ଆକ୍ରମଣ ଓ ଲୁଣ୍ଠନ ସହଜ ହେଲା I ଯଦିଓ ସେବକ ମାନେ ଜଗନ୍ନାଥଙ୍କୁ ନେଇ ଚିଲିକା ଭିତରେ ଲୁଚାଇ ରଖିଥିଲେ, କଳାପାହାଡ଼ ତାଙ୍କୁ ଠାବ କରି ହାତୀ ପିଠିରେ ଲଦି ନେଇଗଲା ଓ ସେଠାରେ ନିଆଁରେ ପୋଡି, ଭସ୍ମାବଶେଷକୁ ଗଙ୍ଗା ନଦୀକୁ ଫିଙ୍ଗିଦେଲା I
ଏହି ସମୟରେ ଗଜପତିଙ୍କର ପତନ ଓ ହିନ୍ଦୁ ଏକତାର ମୂଳପିଣ୍ଡ ଜଗନ୍ନାଥଙ୍କର ଏତାଦୃଶ ଦୁରବସ୍ଥା ଓଡ଼ିଆ ଜନମାନସର ଆସ୍ଥା ଓ ବିଶ୍ୱାସକୁ ଦୋହଲାଇ ଦେଇଥିଲା I ମୁକୁନ୍ଦ ଦେବଙ୍କ ରାଣୀ କଳାପାହାଡ଼ ପାଖରେ ଆତ୍ମସମର୍ପଣ କରି ସୁବର୍ଣ୍ଣ ଥାଳିରେ ହୀରା ପରଶିବା କାହାଣୀ ଆଜି ମଧ୍ୟ ତତ୍କାଳୀନ ଓଡ଼ିଶାର ଦୁରାବସ୍ଥାର କାହାଣୀ ବର୍ଣ୍ଣନା କରେ I
ତାପରେ ଗୋବିନ୍ଦ ବିଦ୍ୟାଧର ରାଜ୍ୟ ଦଖଲ କଲେ ମଧ୍ୟ ଜଣେ ବିଶ୍ୱାସଘାତକ ରୂପେ ଓଡିଶାବାସୀଙ୍କ ଦ୍ୱାରା ଗୃହୀତ ହେଲେନାହିଁ I ଆକାଶରେ ଯେତେବେଳେ ଏଭଳି ଅନ୍ଧାର ଘୋଟିଆସୁଥିଲା ଆଶାର କିରଣ ହୋଇ ଆବିର୍ଭାବ ହେଲେ ରମାଇ ରାଉତରାୟ ବା ରାମଚନ୍ଦ୍ର ରାଉତରାୟ ମହାପାତ୍ର I ରାମଚନ୍ଦ୍ର ସେତେବେଳେ ଥିଲେ ଗୋବିନ୍ଦ ବିଦ୍ୟାଧରଙ୍କ ମହାମନ୍ତ୍ରୀ ଏବଂ ମୁଖ୍ୟ ସେନାପତି I ୧୯୬୮ ରେ ମୁକୁନ୍ଦଦେବଙ୍କ ପତନ ପରେ ଦାକ୍ଷିଣାତ୍ୟର ରାଜା ମାନଙ୍କ ସହାୟତା ନେଇ ରମାଇ ରାଉତରାୟ ନିଜକୁ ରାମଚନ୍ଦ୍ର ଦେବ ୧ ନାମରେ ନାମିତ କରି ଓଡ଼ିଶାର ଗଜପତି ରାଜା ଭାବେ ପ୍ରତିଷ୍ଠା କଲେ I ସେ ଜାତିରେ ଗୋପାଳ ଥିବାର ପ୍ରମାଣ ମାଦଳା ପାଞ୍ଜିରୁ ମିଳେ I
ପ୍ରଫେସର ଆର୍ତ୍ତବଲଭ ମହାନ୍ତିଙ୍କ ସମ୍ପାଦିତ ମାଦଳା ପାଞ୍ଜିରୁ ଜଣାପଡେ ଦନାଇ ବିଦ୍ୟାଧରଙ୍କ ସୁପୁତ୍ର ରମାଇ ଯେ କି ରାଜମହେନ୍ଦ୍ରୀ ପାଖ ତୋଟାମା ଦୁର୍ଗର ଦାୟିତ୍ୱରେ ଥିଲେ ଆସି ରାମଚନ୍ଦ୍ର ଦେବ ବୋଲାଇ ଖୋର୍ଦ୍ଧା ନିକଟସ୍ଥ ବରୁଣେଇ ପାହାଡ ତଳେ ଜଗନ୍ନାଥପୁର କଟକ ଗ୍ରାମ ବସାଇ ନିଜ ଦୁର୍ଗସ୍ଥାପନ କଲେ I ସେଇଠୁ ଆରମ୍ଭ ହେଲା ଭୋଇବଂଶ I
ଏହି ସମୟରେ ମୁକୁନ୍ଦଦେବଙ୍କ ଭାଇ ନରସିଂହ ବାହୁବଳେନ୍ଦ୍ର ଗୋଲକୁଣ୍ଡା ସୁଲତାନଙ୍କ ସହାୟତାରେ ଏବଂ ତାଙ୍କ ନିଜ ପୁଅ ରାମଚନ୍ଦ୍ର ଦେବ (ତେଲେଙ୍ଗା ରାମଚନ୍ଦ୍ର) ଆକବରଙ୍କ ସେନାପତି ମାନସିଂହଙ୍କ ସହାୟତାରେ ନିଜକୁ ଗଜପତି ଆସନରେ ଆସୀନ କରିବାପାଇଁ ପ୍ରୟାସ କରୁଥିଲେ I ମାତ୍ର ସେତେବେଳକୁ ରାମଚନ୍ଦ୍ର ଦେବ ୧ ପ୍ରଜା ଓ ବ୍ରାହ୍ମଣମାନଙ୍କ ମଧ୍ୟରେ ଆଦୃତ ଓ ଗୃହୀତ ହୋଇ ସାରିଥିଲେ I ଆକବର ସେଥିରେ ଆଉ ବେଶୀ ହସ୍ତକ୍ଷେପ ନକରି ମାନସିଂହଙ୍କୁ ଓହରି ଯିବା ପାଇଁ କହିଲେ I ତେଣୁ ମାନ ସିଂହ ବାଧ୍ୟହେଇ ବିମଳା ମନ୍ଦିର ପ୍ରାଙ୍ଗଣରେ ଖଡ଼ିପ୍ରସାଦ ଦେଇ ରାମଚନ୍ଦ୍ର ଦେବ ୧ ଙ୍କୁ ଗଜପତି ଭାବେ ସ୍ୱୀକୃତି ଦେଲେ I
ମୁକୁନ୍ଦ ଦେବଙ୍କ ପୁଅ ତେଲେଙ୍ଗା ରାମଚନ୍ଦ୍ର ଦେବ ହେଲେ ଆଳିର ରାଜା ଓ ମୁକୁନ୍ଦଦେବଙ୍କ ଅନ୍ୟଜଣେ ପୁଅ ଛକଡ଼ି ଭ୍ରମରବର ହେଲେ ପଟିଆଗଡର ରାଜା I
ଗଜପତି ରାଜା ରାମଚନ୍ଦ୍ର ଦେବ ୧ ପରବର୍ତ୍ତୀ ସମୟରେ ବିଶର ମହାନ୍ତିଙ୍କ ମାଧ୍ୟମରେ ଜଗନ୍ନାଥଙ୍କ ବ୍ରହ୍ମ ଉଦ୍ଧାର କରି ପୁଣି ତାଙ୍କୁ ଆଣି ରତ୍ନ ସିଂହାସନ ସ୍ଥାପିତ କରାଇଥିଲେ ଯୋଉଥିପାଇଁ ତାଙ୍କୁ ଦ୍ୱିତୀୟ ଇନ୍ଦ୍ରଦ୍ୟୁମ୍ନ ବୋଲି ମଧ୍ୟ ଆଖ୍ୟା ଦିଆଯାଏ I ଶ୍ରୀକ୍ଷେତ୍ରରେ ଶକ୍ତି ପୂଜାର ପ୍ରଚଳନ ଓ ପୁରୀରେ ଶୋହଳ ଶାସନ ପ୍ରତିଷ୍ଠା କରି ସେ ଓଡ଼ିଶାବାସୀଙ୍କ ଶ୍ରଦ୍ଧାଭାଜନ ହୋଇଥିଲେ I ତାଙ୍କ ସମୟରେ ମୁକ୍ତିମଣ୍ଡପର ନବକଳେବର ମଧ୍ୟ ହୋଇଥିଲା I କେବଳ ରାଜ୍ୟପ୍ରତିଷ୍ଠା ବା ଧର୍ମ ସଂସ୍ଥାପନା ନୁହେଁ କଳା ଓ ସାହିତ୍ୟର ବିକାଶ ପାଇଁ ମଧ୍ୟ ସେ ଅନେକ ପ୍ରଚେଷ୍ଟା କରିଥିଲେ ଓ ଜଣେ ପ୍ରଜାବତ୍ସଳ ରାଜା ରୂପେ ପରିଗଣିତ ହୋଇଥିଲେ I
ସେଇଭଳି ଓଡ଼ିଶାରେ ସୂର୍ଯ୍ୟବଂଶର ପ୍ରତିଷ୍ଠାତା ଗଜପତି ରାଜା କପିଳେନ୍ଦ୍ର ଦେବଙ୍କ ସଂପର୍କରେ ମଧ୍ୟ ଅନେକ କଥନିକା ଅଛି ଯାହା ପ୍ରମାଣ କରିପାରେ ଯେ ସେ ମଧ୍ୟ ଯଦୁବଂଶୀ ଥିଲେ I କିମ୍ବଦନ୍ତୀ ଅନୁସାରେ କପିଳ ବୋଲି ଗୋଟିଏ ପିଲା ତାର ବାଲ୍ୟ ବନ୍ଧୁ କାଶିଆ ସହ ମିଶି ଜଙ୍ଗଲକୁ ଗାଈ ଚରାଇବାକୁ ଯାଉଥିଲା I ଦିନେ ଗାଈ ଚରାଉ ଚରାଉ କ୍ଲାନ୍ତ ହେଇ ସେ ଶୋଇପଡିଥିଲା ବେଳେ ଗୋଟିଏ ନାଗ ଆସି ତା ମୁଣ୍ଡ ପାଖରେ ଫଣାଟେକି ଠିଆ ହେଇଥିଲା I ଏ ଦୃଶ୍ୟ ଦେଖି କାଶିଆ ଭବିଷ୍ୟବାଣୀ କରିଥିଲା ଯେ କପିଳା ଦିନେ ବଡ ହେଲେ ରାଜା ହେବ I ଏକଥାକୁ ସମସ୍ତେ ହସରେ ଉଡାଇ ଦେଇଥିଲେ I ମାତ୍ର ଥରେ ସେ ପୁରୀ ଚାଲିଆସି ବିମଳା ମନ୍ଦିର ପାଖରେ ବସିଥିଲା ବେଳେ ତା ଭାଗ୍ୟକୁ ହାତୀ ଆସି ସୁନାକଳସ ଢ଼ାଳିବା ପରି ସ୍ୱପ୍ନାଦେଶ ପାଇ ତତ୍କାଳୀନ ଗଙ୍ଗବଂଶର ରାଜା ଚତୁର୍ଥ ଭାନୁଦେବ ତାକୁ ପୋଷ୍ୟପୁତ୍ର ରୂପେ ଗ୍ରହଣ କଲେ I ପରେ ସେ ଭାନୁଦେବଙ୍କ ସେନା ବାହିନୀର ଦାୟିତ୍ୱ ନେଇ ତାଙ୍କ ବୀରତ୍ୱର ପରାକାଷ୍ଠା ପ୍ରତିପାଳନ କଲେ I ପରେ ଚତୁର୍ଥ ଭାନୁଦେବଙ୍କ ଦୁର୍ବଳ ରାଜ୍ୟପରିଚାଳନା ରେ ଅସନ୍ତୁଷ୍ଠ ହେଇ ସେ ସ୍ଥାନୀୟ ରାଜାମାନଙ୍କ ସହାୟତାରେ ନିଜ ରାଜ୍ୟାଭିଷେକ କଲେ ଓ ପ୍ରଥମ ଗଜପତି ରୂପେ ଆସୀନ ହୋଇଥିଲେ I
କୁହାଯାଏ ତାଙ୍କର ୯୯௦௦௦ ହାତୀର ଏକ ବିରାଟ ବାହିନୀ ଥିଲା ଯୋଉଥିପାଇଁ ତାଙ୍କୁ ଗଜପତି କୁହାଯାଇଥିଲା I ତାଙ୍କ ସମୟରେ ଓଡ଼ିଶାର ବୀରସୈନ୍ୟମାନେ ଗଙ୍ଗାଠାରୁ ଗୋଦାବରୀ ଯାଏ ସମଗ୍ର ପୂର୍ବତଟକୁ ଅକ୍ତିଆର କରି ଏକ ଅପୂର୍ବ କୀର୍ତ୍ତମାନ ପ୍ରତିଷ୍ଠା କରିଥିଲେ I ବୋଧହୁଏ ଏଭଳି କୀର୍ତ୍ତିମାନ ଖାରବେଳଙ୍କ ପରେ ଆଉ କୌଣସି ରାଜା ହାସଲ କରିପାରି ନଥିଲେ I ଉତ୍ତରରେ ଗଙ୍ଗାନଦୀଠାରୁ ଓ ପୂର୍ବରେ ବଙ୍ଗଦେଶଠାରୁ ଆରମ୍ଭ କରି ମଧ୍ୟରେ ବିଜୟନଗରମ୍, ବାହାମନୀ ଓ ଦକ୍ଷିଣରେ ତିରୁଚିରାପଲ୍ଲୀ ଓ କାବେରୀ ନଦୀ ସୀମା ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା ତାଙ୍କ ସାମ୍ରାଜ୍ୟ ଯେଉଁଥିପାଇଁ ତାଙ୍କୁ “ବୀରଶ୍ରୀ ଗଜପତି ଗୈାଡେଶ୍ୱର ନବକୋଟି କର୍ଣ୍ଣାଟୋତ୍କଳ କଳବର୍ଗେଶ୍ୱର ବିରାଧୀବୀରବର ଭୁତ ଭୈରବ ସାଧୁ ଶାସନୋତ୍ତୀର୍ଣ୍ଣ ରାଉତରାୟ ଅତୁଲ ବଳ ପରାକ୍ରମ ସହସ୍ର ବାହୁ କ୍ଷତ୍ରୀୟକୁଳ ଧୂମକେତୁ ମହାରାଜାଧିରାଜ” ଉପାଧି ପ୍ରଦାନ କରାଯାଇଥିଲା I
ତାଙ୍କ ସମୟରେ ଶ୍ରୀମନ୍ଦିରର ମେଘନାଦ ପ୍ରାଚୀର, କୂର୍ମପ୍ରାଚୀର ଓ ନରେନ୍ଦ୍ର ପୁଷ୍କରିଣୀ ନିର୍ମିତ ହୋଇଥିଲା I ଭୁବନେଶ୍ୱରର କପିଳେଶ୍ୱର ମନ୍ଦିର ମଧ୍ୟ ତାଙ୍କର କୃତୀ I ମହାପ୍ରଭୁଙ୍କ ଚନ୍ଦନଯାତ୍ରାର ପରଂପରା ମଧ୍ୟ ତାଙ୍କରି ସମୟରେ ଆରମ୍ଭ ହୋଇଥିଲା I ଏଭଳି ଗୌରବମୟ ଇତିହାସର ପ୍ରଚଳନ କରିଥିବା ଏହି ଦୁଇ ମହାନ ରାଜା ଯଦୁବଂଶର ଗାରିମା ପ୍ରତିଷ୍ଠା କରିବାରେ ନିର୍ଣ୍ଣାୟକ ଭୂମିକା ନେଇଛନ୍ତି ଯାହା ଆହୁରି ଅଧିକ ଗବେଷଣାର ଅପେକ୍ଷା ରଖେ I
ଏବେ ଆସିବା ଖାରବେଳଙ୍କ ପାଖକୁ I ତାଙ୍କର ଉପାଧି ଥିଲା “ମହାମେଘବାହନ କଳିଙ୍ଗାଧିପତି ଐର ଖାରବେଳ ” I ଅନେକ ଐତିହାସିକ କୁହନ୍ତି ସେ ଚେଦୀ ବଂଶର ମହାମେଘବାହନ କୁଳରେ ଜାତ ବୋଲି I ଚେଦୀ ମାନେ ପ୍ରଥମେ ମଗଧରେ ବସବାସ କରୁଥିଲେ ଓ ପରେ କଳିଙ୍ଗକୁ ଆଗମନ କରିଥିଲେ I ଯେହେତୁ ତତ୍କାଳୀନ ମଗଧରେ ଯାଦବ ମାନଙ୍କ ପ୍ରଭାବ ରହିଥିଲା ଏବଂ ଯେହେତୁ ନାମ ପଛରେ ଲାଗିଥିବା ଐର ଶବ୍ଦ ‘ଅହୀର ‘ ଶବ୍ଦର ପ୍ରତିଫଳନ ଭଳି ଅନୁଭୂତ ହେଉଛି, ତେଣୁ ସେ ମଧ୍ୟ ଯାଦବ କୁଳୋଭବ ହେବାର ସମ୍ଭାବନାକୁ ଅଣଦେଖା କରାଯାଇନପାରେ I କୌଣସି କୌଣସି ଐତିହାସିକ ଗ୍ରନ୍ଥରେ ‘ଐର’ ମାନେ ପୁରୁରଵାଙ୍କ ବଂଶଧର ବୋଲି ବର୍ଣ୍ଣିତ ଅଛି I ଅନ୍ୟ କେତେକ ସ୍ଥାନରେ ଏପରିକି ବିଷ୍ଣୁ ପୁରାଣରେ ମଧ୍ୟ ବର୍ଣ୍ଣିତ ଅଛି ଯେ ପାଣ୍ଡବ, କୌରବ ଓ ଯାଦବ ମାନେ ପୁରୁରବାଙ୍କ ବଂଶଧର I ତେଣୁ ପୁରୁରବାଙ୍କ ବଂଶଜ ହେଲେ ଐର I ପୁନଶ୍ଚ ଯାଦବ ମାନେ ମଧ୍ୟ ପୁରୁରବାଙ୍କ ବଂଶଧର ବୋଲି ବର୍ଣ୍ଣିତ I ତେଣୁ ଐର, ଅହୀର ଓ ଯାଦବ ସମାର୍ଥବୋଧକ ବୋଲି ଧରାଯାଇପାରେ I ଯେହେତୁ ଚେଦୀବଂଶର ରାଜାମାନେ ପ୍ରଥମେ ଆସି କୋଶଳରେ ରାଜ୍ୟ ସ୍ଥାପନ କରିଥିଲେ ଯାହାକି ପଶ୍ଚିମ ଓଡ଼ିଶାର ନିକଟବର୍ତ୍ତୀ, ସେଠାରେ ବର୍ତ୍ତମାନ ଥିବା ମଗଧI ଗଉଡ଼ ମାନେ ମଗଧରୁ ତାଙ୍କ ସହ ଆସିଥିବା କଥା ମଧ୍ୟ ଅନୁମାନ କରାଯାଇପାରେ I
ମହା ଭାରତୀୟ ଚେତନାରେ ଯଦୁବଂଶୀ କୃଷ୍ଣଙ୍କର ପ୍ରଭାବ ଯୁଗେ ଯୁଗେ ରହି ଆସିଛି ଏକଥା ଅନସ୍ୱୀକାର୍ଯ୍ୟ I କୃଷ୍ଣ- ବଳରାମଙ୍କର ଯାଦବସେନା ମହାଭାରତ ଯୁଦ୍ଧ ସମୟରେ ଏକ ନିର୍ଣ୍ଣାୟକ ଭୂମିକା ନେଇଥିଲା, ଭାରତ ଭଳି ଉତ୍କଳ କଳିଙ୍ଗ ଓ ଓଡିଶା ଇତିହାସରେ ମଧ୍ୟ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ରହିଆସିଛି I
ଓଡ଼ିଶାରେ ଯାଦବମାନେ ତିନିଭାଗରେ ବିଭକ୍ତ ହୋଇଥାନ୍ତି ଯଥା, ଗୋପପୁରୀଆ, ମଥୁରାପୁରୀଆ ଓ ମଗଧା I ଗୋପପୁରୀଆ ମାନେ ସିଧାସଳଖ ଶ୍ରୀକୃଷ୍ଣଙ୍କ ବଂଶର ହେଇଥିଲା ବେଳେ ମଥୁରାପୁରୀଆ ମାନେ ରାଜା ସୁରସେନଙ୍କ ବଂଶଧର I ମଗଧା ମାନେ ମୌର୍ଯ୍ୟ ରାଜା ମାନଙ୍କ ସହିତ ମଗଧ (ବର୍ତ୍ତମାନର ବିହାର) ରୁ ଆସି ଓଡ଼ିଶାରେ ବସବାସ କରିଥିଲେ I ଏମାନେ ନିଜନିଜ ଶୌର୍ଯ୍ୟବୀର୍ଯ୍ୟ ପାଇଁ ବେଶ୍ ପ୍ରଖ୍ୟାତ I ଶ୍ରୀ ଜଗନ୍ନାଥ ମନ୍ଦିରରେ ୧୧୯ ପ୍ରକାର ସେବକଙ୍କ ମଧ୍ୟରେ ଯାଦବବଂଶୀ ମହାଭୋଇ ସେବକ ମାନେ ଅଛନ୍ତି ଯେଉଁମାନେ ମହାପ୍ରଭୁଙ୍କ ଲବଣୀଖିଆ ନୀତି, ଦୋଳୋତ୍ସବ ଓ ପୋଢ଼ୁଆଭାର ଉଠାଣ ଆଦି କାର୍ଯ୍ୟ କରନ୍ତି ! ପ୍ରାଚୀନ ନୟାଗଡ, ରଣପୁର ଓ ଖଣ୍ଡପଡ଼ା ଆଦି ରାଜ୍ୟର ରାଜାମାନଙ୍କ ସେନାବାହିନୀରେ ମଧ୍ୟ ଯାଦବ ସେନା ମାନେ ଥିବାର କୌଣସି କୌଣସି ସ୍ଥାନରେ ଉଲ୍ଳେଖ ଅଛି I ସବୁଠୁ ଗୌରବ କଥା ହେଲା ଓଡ଼ିଶାର ସବୁଠୁ ବଡ ଠାକୁର ରାଜା ଚଳନ୍ତି ବିଷ୍ଣୁ ବୋଲି ଯାହାଙ୍କୁ କୁହାଯାଏ ସେହି ଆସନରେ ମଧ୍ୟ ଯଦୁବଂଶୀ ବସିଥିବାର ପ୍ରମାଣ ରହିଛି I ବର୍ତ୍ତମାନର ଭୋଇବଂଶର ଗଜପତି ରାଜାମାନେ ମଧ୍ୟ ଯାଦବ ସମ୍ପ୍ରଦାୟର ବୋଲି ମଧ୍ୟ ବିଶ୍ୱାସ କରାଯାଏ I
ତେବେ ଏ ନିବନ୍ଧଟି ସାରିବାପୂର୍ବରୁ ଏହାକୁ ଲେଖାଯିବାର ପଛର ଅନ୍ତର୍ନିହିତ କାରଣ ମଧ୍ୟ ଉପସ୍ଥାପନ ନକଲେ ନିବନ୍ଧଟି ଅସଂପୂର୍ଣ୍ଣ ଲାଗିବ I ଦିନେ ଜଣେ ବଂଧୁ ଉପହାସ ଛଳରେ କହୁକହୁ କହିଲେ ଘରେ ନରୁହନ୍ତି ଗଉଡେ ବଡ ଅଧମ ଜାତି I ସେଦିନ ମୋ ମନକୁ ଆସିଲା ଯଦୁବଂଶୀ ମାନେ ଏକଦା ଭାରତର ଶାସନ ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଥିଲେ I ମହାଭାରତ ଯୁଦ୍ଧରେ କୃଷ୍ଣ ବଳରାମଙ୍କ ଭୂମିକା ଠାରୁ ଆରମ୍ଭ କରି ଜଗନ୍ନାଥ ସଂସ୍କୃତିରେ ଗଜପତିଙ୍କ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ସେମାନେ ସମାଜର କର୍ଣ୍ଣଧାର ରହିଆସିଛନ୍ତି I କୃଷି, ଗୋପାଳନ ଠାରୁ ଆରମ୍ଭ କରି ଯୁଦ୍ଧ ଓ କୂଟନୀତି ସବୁଥିରେ ନିଜର ପାରଦର୍ଶିତା ପ୍ରତିପାଦନ କରିଛନ୍ତି ,ଏଭଳି ଏକ ବୀର ଜାତି ଯାହା ଉପରେ ରାଷ୍ଟ୍ରର ରାଜନୀତି ଓ ଅର୍ଥନୀତି ର ଦାୟିତ୍ୱ ନ୍ୟସ୍ତ ଥିଲା ସେ ଦିଗ୍ ବିଜୟୀ ନହେଇ କେବେ ଘରେ ବସିରହିଥାନ୍ତା ରୋଷେଇପାଇଁ ଜଙ୍ଗଲରୁ କାଠ ହାଣି ଆଣିବା ପାଇଁ, କୂଅରୁ ପାଣି କାଢ଼ିବା ପାଇଁ , ଘରେ ପରିବାପତ୍ର କାଟିବା ପାଇଁ ବା ମସଲା କାଟିବା ପାଇଁ ? ତେଣୁ ଏଭଳି ଏକ ବୀର ଉଦ୍ୟୋଗୀ ଜାତିକୁ ଅଧମ କହିବାର ଧୂଷ୍ଟତା କରିଥିବା କବି ବାସ୍ତବରେ ନିଜ ବିନମ୍ରତାର ପ୍ରଦର୍ଶନ ହିଁ କରିଛନ୍ତି I କହିବା ବାହୁଲ୍ୟ ଯେ ଏ ଜାତି ପ୍ରାଚୀନ ଭାରତ ଭଳି ଆଧୁନିକ ଭାରତରେ ମଧ୍ୟ ଅନେକ ଜନନାୟକ, ପ୍ରଶାସକ, ପଣ୍ଡିତ, ଶାସ୍ତ୍ରବିଦ୍ ଓ ପରମ ବୀର ଚକ୍ର ଉପାଧି ଧାରି ଶସ୍ତ୍ରବିଦ୍ଙ୍କୁ ଙ୍କୁ ଜନ୍ମ ଦେଇଛି I ତେଣୁ ଏଭଳି କିଛି ଖଳ ଲୋକଙ୍କ ବ୍ୟଙ୍ଗୋକ୍ତି, ବକ୍ରୋକ୍ତି ବା ମୁର୍ଖୋକ୍ତିକୁ ନେଇ ବିଚଳିତ ହେବାର ଆବଶ୍ୟକତା ନାହିଁ I
ରଞ୍ଜନ କୁମାର ଦାସ, ଆଇ.ଏ.ଏସ. ( ଅବସରପ୍ରାପ୍ତ )
ପୂର୍ବତନ ଶ୍ରୀମନ୍ଦିର ପ୍ରଶାସକ,
ଫୋନ -୯୪୩୭୨୮୬୫୧୨ ମେଲ – ranjank.das.rkd@gmail.com
ଖୁବ୍ ସୁନ୍ଦର୍ ବର୍ଣ୍ଣନା,ଲେଖକଙ୍କୁ ଶତ ପ୍ରଣାମ
ମୁକୁନ୍ଦଦେବ ଶେଷ ହିନ୍ଦୁ ରାଜା କୁହାଗଲା ତେବେ ତାଙ୍କପରେ ରାମଚନ୍ଦ୍ର ଦେବ 1 ଗଜପତିହେଲେ sekan ହିନ୍ଦୁ ନୁହଁନ୍ତି? ଉତ୍ତର ରଖିବାକୁ ଅନୁରୋଧ। 1968 ପରିବର୍ତ୍ତେ 1568 ହେବ