ସେଦିନ ଥାଏ ଶ୍ରାବଣର ଏକ ବର୍ଷଣ ମୁଖର କିନ୍ତୁ ଗୁଳୁଗୁଳିଆ ସୋମବାର। ଶେଣି ଷ୍ଟେସନ୍ ( ସିନି ଜଙ୍କ୍ସନ୍ )। ବର୍ଷା ଛାଡ଼ି ଯାଇଥାଏ। କିନ୍ତୁ ସନ୍ତସନ୍ତିଆ ପାଗ ଯୋଗୁଁ ଭାରି ଛତିବିତି ଲାଗୁଥାଏ । ଷଢ଼େଇକଳାରେ ମୋ ମାଆର ଏକାଦଶାହ ଓ ବାରଭାତ ପରେ ଚତୁର୍ଦ୍ଦଶ ଦିନ ଆମେ ଉତ୍କଳ ଏକ୍ସପ୍ରେସରେ ଆସୁଥାଉ ଭୁବନେଶ୍ବର। ସାଙ୍ଗରେ ମୋ ନାନୀ ଭିଣେଇ, ଆଉ ମୋର ସ୍ଵାମୀ ଓ ପୁଅ। ମୋ ପୁଅର ପରୀକ୍ଷା ଥିବାରୁ ବାପପୁଅ ଫେରୁଥାନ୍ତି ଦିଲ୍ଲୀ। କିନ୍ତୁ ଗ୍ୟାଷ୍ଟ୍ରିକ ପାଇଁ ମୋ ଦେହ ଭୀଷଣ ଅସୁସ୍ଥ ଥିବାରୁ ଏତେଦୂର ଦିଲ୍ଲୀ ଯିବାକୁ ଆମର ସାହସ କୁଳାଉନଥାଏ। ତେଣୁ ମୁଁ ନାନୀଘରେ ଭୁବନେଶ୍ୱରରେ କିଛିଦିନ ରହି ଚିକିତ୍ସିତ ହେବାକୁ ନିର୍ଣ୍ଣୟ ନେଉ।
ଏତେବଡ଼ ଦୁଃଖ ପରେ ମନ ତ କାହାରି ଭଲ ନଥାଏ। ମୋର ସେଥିରେ କିନ୍ତୁ ଏତେ ଯୋର୍ ପେଟବଥା ହେଉଥାଏ ଯେ ସେଇ ପ୍ଲାଟଫର୍ମ ଉପରେ ମାଟିରେ ଗଡ଼ି ଯାଉଥାଏ। ଏଣେ ଟ୍ରେନ ଆସିବାକୁ ଅନିଶ୍ଚିତ କାଳୀନ ବିଳମ୍ବ। ଅନେକ ବିଳମ୍ବରେ ଏକ ସମୟରେ ଭୁବନେଶ୍ଵରର ଓ ଦିଲ୍ଲୀର ଟ୍ରେନ ପ୍ରବେଶ କରନ୍ତି ପ୍ଲାଟଫର୍ମରେ। କିନ୍ତୁ ଏ କ’ଣ, ବଗି ସବୁରେ ସୋରିଷ ରଖିବାକୁ ଜାଗା ନାହିଁ। ଏସି, ନନ୍ଏସି ସବୁର ଜେନେରାଲ ବଗିଠାରୁ କାହିଁ କେତେ ଗୁଣରେ ଖରାପ ଅବସ୍ଥା। ସବୁଠି ସେଇ ନାରଙ୍ଗୀ ପୋଷାକ ପିନ୍ଧା କାଉଁରିଆ ମାନଙ୍କର ଜବରଦସ୍ତ ଗହଳି। ତିନି ତିନିଟା ଯାକ ବର୍ଥରେ ଅନ୍ୟୁନ ଦଶଜଣ ଲେଖା କାଉଁରିଆ। ତଳ କଥା କିଏ ପଚାରେ। ସତରେ ଯେମିତି ଭକ୍ତିର ନଈବଢ଼ି ( ସଚ୍ଚା ଭକ୍ତମାନେ ମୋତେ ମାଫ୍ କରିବେ )। ଗେଟ୍ ପାଖରେ ଏତେ ଭିଡ଼ ଯେ ସେଥିରେ ପଶିବୁ କେମିତି? କୌଣସିମତେ ଆମକୁ ସେ ଭିଡ଼ରେ ଗେଞ୍ଜି ଠେଲି ଭର୍ତ୍ତି କରି ବାପପୁଅ ଧାଇଁଲେ ଅଲଗା ପ୍ଲାଟଫର୍ମକୁ। ବର୍ତ୍ତମାନ ଆମର ପ୍ରକୃତ ସମସ୍ୟା ଆରମ୍ଭ ହେଇଗଲା। କ୍ଲାଇମେକ୍ସ୍ ତଥାପି ବାକି ଥିଲା।
ଆମେ ଯାଇ ଆମର ବର୍ଥ ଅଣ୍ଡାଳିଲୁ। ସେଥିରେ କୋଉ ନାମ ଲେଖା ହେଇଛି। ଲିଷ୍ଟ୍ ଫଡ଼ା ହେଇ ଯାଇଥାଏ। ଦୁଃଖ କଥା କାହାକୁ କହିବା। ଟିଟି ମାନେ ସବୁ ହାତ ଟେକି ଦିଅନ୍ତି ଏ ସମୟରେ। ବର୍ତ୍ତମାନ ତ ଏଙ୍କ ପ୍ରାଦୁର୍ଭାବ ଏମିତି ବଢ଼ିଗଲାଣି ଯେ ପୋଲିସ, ଟ୍ରାଫିକ ପୋଲିସ୍, ସାଧାରଣ ଜନତା ସମସ୍ତେ ହାତ ଟେକି ଦେଇଛନ୍ତି। ଖାସ୍ ତାଙ୍କ ପାଇଁ ଯାତାୟାତ ନିୟମ ବଦଳୁଛି। କେତେକ ରାସ୍ତା କେବଳ ତାଙ୍କ ପାଇଁ ଉତ୍ସର୍ଗ କରା ଯାଉଛି । ଜନ ସାଧାରଣଙ୍କୁ ସତର୍କ ବାଣୀ ଶୁଣେଇ ଦିଆ ଯାଉଛି ଯେ , ବାବୁ , ଭଲରେ ବାଟ ଛାଡି଼ ଦିଅ ଏମାନଙ୍କୁ , ପଙ୍ଗା ନେଲେ ନିଜେ ବୁଝିବ ବାପା, କୋଉ ସୁରକ୍ଷାକର୍ମୀ ପିଠିରେ ପଡ଼ିବେ ନାଇଁ । ଏମାନେ କାଉଁରିଆ। ଏମାନଙ୍କ ହାତରୁ ପାଣି ନପାଇଲେ କୈଳାସ ଗଳି ପଡ଼ିବ।
ହଁ, ଆମେ କିନ୍ତୁ ଟିକେ ପଙ୍ଗା ନେଲୁ। ପ୍ରଥମେ ଧୀରେ ସୁସ୍ଥେ ଆମ ବର୍ଥ ଛାଡ଼ି ଦେବାକୁ ଅନୁରୋଧ କଲୁ। ତାପରେ ମୋ ଅସୁସ୍ଥ ଶରୀରର ଦ୍ୱାହି ଦେଲୁ ଆଉ ଶେଷରେ ଟିକେ କଡ଼ା ମିଞ୍ଜାସ୍ ଦେଖେଇବାକୁ ଚାହିଁଲୁ। କିନ୍ତୁ ସେମାନେ ମହାଦେବଙ୍କ ବୃଷଭ କି କୋଠପୁଅ ଜଣାନାହିଁ, ବଡ଼ ବଳୀୟାନ ସେମାନେ, ସମବେତ ଆମ ଉପରକୁ କୁଦି ପଡ଼ିଲେ। ଶିବଭକ୍ତଙ୍କ ତୁଣ୍ଡରୁ କଦର୍ଯ୍ୟ ଓ କଦର୍ଥ ମନ୍ତ୍ର ସବୁ ବାହାରିଲା। ମଦ ଗଞ୍ଜେଇ ଖିଆ ନାଲ୍ ନାଲ୍ ଆଖି ଦେଖେଇ ମାରିବେ କି ମରିବେ ପରି ଉଲୁକ୍ପାତ୍ ହେଲେ। ଆମେ ଡରି କପସି ଧକ୍କାମୁକ୍କିରେ ଗେଞ୍ଜି ହେଇ ରହିଲୁ । ଏସବୁରୁ ବେଖବର୍ ଟ୍ରେନ୍ ତାର ଚାଲିଥାଏ ଧକେଇ ଧକେଇ , ଯୋଉଠି ଭକ୍ତଙ୍କ ଇଚ୍ଛା ସେଇଠି ନିଜକୁ ଥୋଇ। ଯୋଉଠି ରହିଲା ଭସ୍ ଭସ୍ କରି ଗେରୁଆ ବସ୍ତ୍ରଧାରୀ ପଶି ଆସୁଥାନ୍ତି, ଲୋକଙ୍କୁ ଦଳି ଚକଟି। ନଗଣ୍ୟ ସାଧାରଣ ଜନତା ଜୋକ ମୁହଁରେ ଲୁଣ ଦେଲାପରି ଜାକିଜୁକି ଠିଆ ହେଇଥାନ୍ତି ନହେଲେ ଭାଗ୍ୟବାନ କେଇଜଣ ବସିଥାନ୍ତି। ( ଆମକୁ ସିନା ଜଣା ନଥିଲା, କିନ୍ତୁ ସେଇ ଦିନ ମାନଙ୍କରେ ରେଳଯାତ୍ରା କରନ୍ତି ନାହିଁ ଅନେକେ )
ମୋର ଇଆଡ଼େ ପେଟବଥା ସାଂଘାତିକ ଭାବେ ବଢ଼ି ଚାଲିଥିଲା। ମୋତେ ଲାଗୁଥିଲା ମୋ ମାଆ ବୋଧେ ମୋତେ ଡାକିନେବ ଆଜି। ନାନୀ ଆଖିରୁ ଧାରଧାର ଲୁହ ଗଡ଼ି ପଡ଼ୁଥାଏ। ଭିଣେଇ ବ୍ୟତିବ୍ୟସ୍ତ ହେଇ ପଡ଼ୁଥାନ୍ତି। କ’ଣ କରିବା ? ବୋଲ୍ବମ୍ , ବୋଲ୍ବମ୍ କୁହାଟରେ ଛାତି ଥରି ଯାଉଥିଲା। ଅଶ୍ଳୀଳ ଗୀତ ଆଉ ଶିବଭଜନର ଏମିତି ମେଳ ଦେଖି କେଜାଣି ଶିବଙ୍କ ଆସନ ଟଳମଳ ହେଉଥିବ କି ନାଇଁ। ମାଆ ପାର୍ବତୀ ଲଜ୍ଜାରେ ନିଜର ମୁହଁ ଲୁଚାଉଥିବେ କି ନାଇଁ। ଏଇ କଳିଯୁଗିଆ ଭକ୍ତିର ନିଦର୍ଶନ ଦେଖି ଦେବତାମାନେ କ’ଣ ଭାବୁଥିବେ ନା ଭାର ବହନକାରିଣୀ ବସୁମାତା ପାଇଁ ଦୁଃଖ କରୁଥିବେ। ସାଧାରଣ ଲୋକ ପାଟି ଖୋଲିଲେ ଅଶ୍ରାବ୍ୟ ଗାଳି ମନ୍ଦର ସମ୍ମୁଖୀନ ହେଉଥିଲା। ଦେଶୀ ବିଦେଶୀ ଗନ୍ଧରେ ନାକ ଫାଟି ଯାଉଥିଲା। ନାନୀ କିନ୍ତୁ ମନପ୍ରାଣ ଦେଇ ଜଗନ୍ନାଥକୁ ଡାକୁଥିଲା ଅଭ୍ୟାସ ବଶତଃ। ମୁଁ କିନ୍ତୁ ଛଟପଟ ହେଉଥିଲି। ଏତିକିବେଳେ ଆମ ପଛରେ ଥିବା ଉପର ବର୍ଥ୍ରୁ ଦୁଇଜଣ ସାଧାରଣ ପିଲା ହଠାତ୍ ତଳକୁ ଓହ୍ଲାଇ ପଡ଼ିଲେ। ସେମାନେ ସେଇ ବର୍ଥରେ କେତେବେଳୁ ଶୋଇଥିଲେ କେଜାଣି। ମୋ ଅବସ୍ଥା ଦେଖି ମୋତେ ଓ ନାନୀକୁ ସାହାଯ୍ୟ କରି ସେଠାକୁ ଚଢ଼ାଇ ଦେଲେ। ତାଙ୍କ କହିବା ମୁତାବକ ସେମାନେ ପରୀକ୍ଷା ଦେବାକୁ ଭୁବନେଶ୍ୱର ଯାଉଥିଲେ।
ମୋର ପିଣ୍ଡରେ ପ୍ରାଣ ପଶିଲା। ନାନୀ ହାତ ଯୋଡ଼ି ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପ୍ରଣାମ କଲା। ଜଗାବଳିଆ ବୋଧେ ମଣିଷ ବେଶରେ ଓହ୍ଲାଇ ଆସିଥିଲେ ଆମପାଇଁ ପରି ଆମକୁ ଲାଗିଲା। ହଁ , ତାଙ୍କ ଭିତରୁ ଜଣେ ଧେଡ଼ିଆ ସାବନା ଥିଲା ଅନ୍ୟ ଜଣକ ଗୋରା ଅପେକ୍ଷାକୃତ ମୋଟା ଥିଲା। ସକାଳେ ସେମାନଙ୍କର ଦର୍ଶନ ମିଳିଲା ନାହିଁ କିନ୍ତୁ।
(ଶେଷକଥା)
ହେଲେ, ଏମିତି ଭକ୍ତିରେ କ’ଣ ଶିବ ପ୍ରସନ୍ନ ହେଉଥିବେ ? ଯଦି ହଁ, ତେବେ ମୁଁ ଏମିତି ଭକ୍ତ ବୋଲାଇବାକୁ ମୋଟେ ଚାହିଁବି ନାଇଁ।
ବି: ଦ୍ର:– ମୁଁ ସବୁ ସୋମବାର ବ୍ରତ ରଖେ।
– ଆରତୀ ସାହୁ,
ନୂଆଦିଲ୍ଲୀ