– ଲକ୍ଷ୍ମୀଧର ସାହୁ
-ଓଃ ମୋ ମୁଣ୍ଡ ଖାଆନ୍ତୁ ନାହିଁ । ମୁଁ ଏତେ ଗୁଡା ଓ.ଆର.ଏସ ଦେଇପାରିବିନି ।
ନୂଆ ନୂଆ ପାଇଥାଏ ମେଡ଼ିସିନ ଡିସଟ୍ରିବୁଟର୍ ଚାକିରୀ ସରକାରୀ ହସ୍ପିଟାଲରେ । ମଫସଲିଆ ପାହାଡ଼ିଆ ଅଞ୍ଚଳ । ବୋଝ ଉପରେ ନଳିତା ବିଡା ଭଳି ଅସମ୍ଭାଳ ଗରମ । ଛିଣ୍ଡା କପାଳକୁ ହସ୍ପିଟାଲରେ ସବୁ ପଙ୍ଖା କେଁ କେଁ କଟ କଟ ହେଇ ଚାଲେ । ଓଃ, ଉପରକୁ ଏ ବୁଢ଼ା ମଉସାଙ୍କ ଓ.ଆର.ଏସ ପାଇଁ ଜିଦି ।
– ବାପା ! ଶୀଘ୍ର ଦେଇଦିଅ ନା, ଦଶ ପନ୍ଦରଟା ଖଣ୍ଡେ ।
– ହେଁ, ଏତେଗୁଡ଼ା ?
ଦେବାରେ କୌଣସି ଅସୁବିଧା ନଥିଲା, ମାତ୍ର ସିନିଅରଙ୍କ ତାଗିଦ୍ ସବୁଦିନ ମୋଟେ ଯାଇପାରିବେନି ଡବା ଭରି ଓ.ଆର.ଏସ୍ ଆଣିବାକୁ। ଆଉ ସରକାରୀ ଗାଡ଼ି ବି ସବୁ ବୋଧେ ମାସ ମାସ ଶୋଇ ପଡ଼ନ୍ତି, ସତେ କି ସରିଯାଇଥିବା ମେଡ଼ିସିନ, ଓ. ଆର. ଏସ ଆଣିବାକୁ ଅକୁଣ୍ଠ ଆଳସ୍ୟ ।
-ଏ ବାପା, ଦିଅ ପରା, ମୁଁ ମୁଲିଆ ଲୋକ, ସବୁଦିନ କାମରୁ ଆସି କେମିତି ନେବି ? ତର ତର ଦିଅ ।
ସିଧା ଜବାବ ତ ଦେଇ ହେଉନି । କୋଷିଲି ମୁଁ ସେଇ ବିର୍କତିଆ ପଙ୍ଖାକୁ ।
-କଣ ଗୋଟେ କେଁ କେଁ କଟ କଟ ହେଉଛୁ ବେ, ପୁଣି ଏତେ ଧୀରେ ବୁଲୁଛୁ ?
ଓ. ଆର. ଏସ ଗୋଟେ ଆଣି ଫୋପାଡ଼ି ଦେଲି ମଉସାଙ୍କ ପାଖକୁ । ଆଉ କିଛି କହିବାକୁ ଚାହୁଁଥିଲେ ବୋଧେ କିନ୍ତୁ ମୋ ଆଖିର ନାଲିରଙ୍ଗ ଦେଖି ଚାଲିଗଲେ ।
ପରଦିନ…
ପଙ୍ଖାଟା ସେଇମିତି କେଁ କେଁ କଟ କଟ ବୁଲୁଥିଲା । ଆଜି ଲଞ୍ଚ୍
ଆଣିନି । ରୁମ୍କୁ ଯିବାକୁ ପଡିବ ଖାଇବା ପାଇଁ । ସ୍କୁଟି ଧରି ପାହାଡ଼ିଆ ରାସ୍ତାରେ ଯାଉଯାଉ ଦେଖିଲି ରାସ୍ତା କଣକୁ ଲୋକ ଭିଡ଼ ପ୍ରବଳ । ଧସ୍ତ ଧସ୍ତି ହୋଇ ଭିତରକୁ ପଶିଲାବେଳକୁ ଯାହା ଦେଖିଲି… ଓଃ
ହତପ୍ରଭ ମୁଁ, ସେ ମଉସା ଆଉ ନଥିଲେ । ରାସ୍ତାର ଡ୍ରିଲର ମେସିନ କରିଚାଲିଛି ସେମିତି ଶବ୍ଦ । ପିଚୁ ତରଳା ଚାଲିଛି । ନିର୍ଧୁମ ଧୂଆଁ । ତତଲା ପିଚୁ ରାସ୍ତାର ଶେଜରେ ଆଖିବୁଝି ଦେଇଛନ୍ତି ମଉସା ।
ଠିକାଦାର ଭିଡ଼ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇ ଶବ ଉଠେଇବାକୁ କାହାକୁ ଗୋଟେ ଫୋନ କରି କହୁଥାଏ । ଟିକେ ଭଲରେ ନିରୀକ୍ଷୀ ଦେଖିଲି ଶବଟାକୁ । ଧୁଡୁଧୁଡୁ ଚମ, ଗୋଡ଼ ହାତ ଅସ୍ଥିକଙ୍କାଳସାର । ପାପୁଲିରେ ଧରିଥିଲେ ରବର୍ରେ ଗୁଡାହେଇ ଅଧା ବ୍ୟବହାର ହୋଇଥିବା ଓ. ଆର. ଏସ୍ ପ୍ୟାକେଟ୍ଟା । ଦେଖୁଥିଲି ଗୋଟେ ବୁଢ଼ା ଲୋକର ଅସହାୟତାକୁ, ଆଉ ତଉଲୁ ଥିଲି ମୋ କ୍ୟାବିନ୍ ବାହାର ଦୁନିଆର ଉଷ୍ମତାକୁ ।
ଦୋଷୀ ଦୋଷୀ ମନେହେଉଥିଲା ନିଜକୁ ।
ଲଷ୍ମୀଧର ସାହୁ
ସ୍ନାତକ ଦ୍ଵିତୀୟ ବର୍ଷ
କେନ୍ଦ୍ରାପଡ଼ା ସ୍ୱାୟଂଶାସିତ ମହାବିଦ୍ୟାଳୟ
କେନ୍ଦ୍ରାପଡ଼ା
ଦର ଖଣ୍ଡିଆ ବ୍ଯବସ୍ଥାର ସ୍ପଷ୍ଟ ଚିତ୍ର।