ଓଡିଆ ସାହିତ୍ୟକୁ ପଞ୍ଚୁ ଚନ୍ଦ୍ର ଧିରେନ୍ଦ୍ର ଓ ବାଇ ମହାନ୍ତିଙ୍କ ଅବଦାନ

Share it

ଓଡିଆ ସାହିତ୍ୟକୁ ପଞ୍ଚୁ ଚନ୍ଦ୍ର ଧିରେନ୍ଦ୍ର ଓ ବାଇ ମହାନ୍ତିଙ୍କ ଅବଦାନ

ଇତିଶ୍ରୀ ଗୁପ୍ତ ଭାଗବତ ମହାପୁରାଣେ ପ୍ରଥମ ସ୍କନ୍ଧେ ଶୁକ ପରୀକ୍ଷିତ ସାମ୍ବାଦେ ଅତିହୋମ ନାମ ଦ୍ୱିତୀୟ ଅଧ୍ୟାୟ, ଶ୍ରୀ ପଞ୍ଚୁଚନ୍ଦ୍ର ଧୀରେନ୍ଦ୍ର ମହାନ୍ତି ବିରଚିତ ।

କେନ୍ଦୁଝରର ରାଜା ଶ୍ରୀଧନୁର୍ଜୟ ନାରାୟଣ ଭଞ୍ଜଙ୍କ ରାଜୁତି କାଳରେ 1891 ମସିହାରେ ଭୂୟାଁ ବିଦ୍ରୋହ ମୁଣ୍ଡ ଟେକି ଥିଲା । ବିଦ୍ରୋହର ନେତୃତ୍ୱ ନେଇଥିଲେ ଧରଣୀଧରଭୂୟାଁ । ସେତେବେଳେ ରାଜାଙ୍କ ଦେୱାନ ଥିଲେ ଫକୀରମୋହନ ସେନାପତି

ଭୂୟାଁବିଦ୍ରୋହୀ ମାନଙ୍କ କବଳରୁ ନିଜକୁ ତଥା ରାଜାଙ୍କୁ ବଞ୍ଚାଇଥିଲେ ଫକୀର ମୋହନ 16 ମଇ 1891 ସାଲରେ ଗୋଟିଏ ଦ୍ବିଅର୍ଥ ବୋଧକ ଐତିହାସିକ ଚିଠି ଲେଖି ।

ଚିଠିଟିର ଅସଲ ଉଦ୍ଦେଶ୍ୟ ଓ ଅର୍ଥ ବୁଝି ପାରିଥିଲେ ମଧୁସୂଦନ ଯାହା ଫଳରେ ଠିକଣା ସମୟରେ ବ୍ରିଟିଶ ଫୋଉଜ ପହଞ୍ଚି ଥିଲେ, କେନ୍ଦୁଝରରେ ଏଵଂ ବିଦ୍ରୋହ ଦମନ ହୋଇଥିଲା ।

ଚିଠିଟି ଥିଲା –
“ଭୋଳାନାଥ ଖମାରିଆ ଜାଣିବୁ । ମହାରାଣୀ ପୁତ୍ରଙ୍କ ସକାଶେ ଏହା ନିତାନ୍ତ ଦରକାର ଅତି ଶୀଘ୍ର ଶହେ ହେଲେ ମଧ୍ୟ ପାନ, ଦୁଇ ଶହ ଗୁଆ ପଠାଇବୁ । ପଶ୍ଚିମ ପଟରୁ ମାହାରା କରି ଆଖୁବାଡି଼କୁ ଶୀଘ୍ର ପାଣିବୁହାଇବୁ । ନୋହିଲେ ଆଖୁ ବାଡ଼ି ବିନାଶ ଯିବବୋଲି ଜାଣିବୁ ।”

ଏହା ଏକ ବହୁ ଚର୍ଚ୍ଚିତ ଓ ପରିଚିତ ଐତିହାସିକ ଉପାଖ୍ୟାନ ।

ଏହି କ୍ରମରେ ଫକୀର ମୋହନଙ୍କ ସମ୍ବନ୍ଧରେ ଅନ୍ୟ ଏକ ରୋଚକ ଐତିହାସିକ ଉପାଖ୍ୟାନ ।

ମଧୁସୂଦନ ବିଲାତରୁ ଫେରି ଆସି, ଉତ୍କଳର ଉନ୍ନତି କଳ୍ପେ ଗୋଟିଏ ନୂଆ ବ୍ୟବସ୍ଥା କରିଥାନ୍ତି, ପ୍ରତି ଶନି ବାର ସନ୍ଧ୍ୟାରେ ତାଙ୍କ ବାସ ଭବନରେ ଏକ ସଭା ବସିବ ନାଁ ତାର ” ଆଟ୍ ହୋମ୍ ” । ସଭାକୁ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ଡକାଯିବ । ଖାଦ୍ୟ ଏବଂ ପାନୀୟର ବ୍ୟବସ୍ଥା ଥାଇ ଉତ୍କଳର ଉନ୍ନତି ନିମନ୍ତେ ସମବାୟ ସଂସ୍ଥା ପ୍ରତିଷ୍ଠା, ବ୍ୟାଙ୍କ ଶିଳ୍ପ ପ୍ରତିଷ୍ଠା ଆଦି ବିଷୟରେ ଆଲୋଚନାହୋଇ ପନ୍ଥାସବୁ ସ୍ଥିର କରାହେବ ।

ନିଗମାନନ୍ଦ ମିଶ୍ର ବୋଲି ଜଣେ ଭଦ୍ର ବ୍ୟକ୍ତି କଟକ ଭିକ୍ଟୋରିଆ ପ୍ରେସରେ କମ୍ପୋଜିଟର ଭାବେ କାମ କରୁଥାନ୍ତି । ତାଙ୍କର ଟିକେ ସାହିତ୍ୟପ୍ରୀତି ଥାଏ । କେଉଁଠୁ କଣ ଭଲ ଲେଖାଟିଏ ପାଇଲେ ସେ ବହୁତ ଲୋକଙ୍କୁ ଆବୃତ୍ତି କରି ଶୁଣାଇ ଦେଉଥିଲେ ।

ଦିନେ ସେ ଶନିବାର ସନ୍ଧ୍ୟାରେ ମଧୁସୂଦନଙ୍କ ଘରେ ଯାଇ ପହଁଚିଲେ, ବୈଶାଖ 1898 ରେ ଉତ୍କଳ ସାହିତ୍ୟରେ “ଅତିହୋମ” ଶିରୋନାମାରେ ପ୍ରକାଶିତ ଗୋଟିଏ ଲେଖା ନେଇ ।

ସେଥିରେ ଲେଖାଥିଲା – “ଭକ୍ତବତ୍ସଳ ଭଗବାନ ଆର୍ତ୍ତ ମାନଙ୍କ ଦୁଃଖ ବିମୋଚନ ନିମନ୍ତେ ସେହି ଘୋର ତିମିର ଅଵଗୁଣ୍ଠିତା ରଜନୀରେ ଯାତ୍ରା କଲେ । ପ୍ରଭୁ ଅନ୍ଧକାର ସେ ରାତ୍ରିରେ ଏକାକୀ ଯାତ୍ରା କରିବାରୁ ଲକ୍ଷ୍ମୀଠାକୁରାଣୀ ପ୍ରଭୁଙ୍କୁ ଜଣାଇଲେ, ହେ ଗୋଲୋକପତି ! ଅନୁଗ୍ରହ କରି, ଦୁଃଖୀ ମାନଙ୍କର ଦୁଃଖ ମୋଚନକର । ଆମ୍ଭେ ମଧ୍ୟ ସେମାନଙ୍କ ଶସ୍ୟ କ୍ଷେତ୍ରରେ ଚିରକାଳ ବିରାଜିତ ଥିବୁ । ଏଥୁ ଅନନ୍ତରେ ଭଗବାନ ଆକାଶ ମାର୍ଗରେ ବିରାଜିତ ହୋଇ ଶୂନ୍ୟ ବାଣୀରେ ଉଚ୍ଚସ୍ୱରରେ ଆଜ୍ଞାକଲେ, ହେ ଉତ୍କଳୀୟ ମାନେ ! ଦେବରାଜ ସତ୍ୟବାଦୀ, ତାହାଙ୍କ ଅଭିଶାପ ଅଵ୍ୟର୍ଥ । ତୁମ୍ଭେ ମାନେ ସେହି ଅଭିଶାପ ପ୍ରଭାବରୁ ଅବଶ୍ୟ ଦୁର୍ଦ୍ଦଶାକୁ ଭୋଗିବ । ମାତ୍ର ସେଥରୁ ମୁକ୍ତି ପାଇବାର ସନ୍ଧାନ ବୋଲୁଅଛୁ । ଶ୍ରବଣ କର ।

କଳି ଯୁଗର ମଧ୍ୟ ଭାଗରେ ଆମ୍ଭ ନାମ ଧାରଣକରି ଆମ୍ଭ ଅଂଶରୁ ଏକ ମହାପୁରୁଷ ଜନ୍ମଗ୍ରହଣ କରିବେ । ସେ ପୁରୁଷ ଶ୍ୱେତ ଦ୍ବୀପରୁ ଭ୍ରମଣସାରି ଆସି ବାରବାଟୀ ପୁଣ୍ୟ କ୍ଷେତ୍ରରେ ରାଜସୂୟ ଅଶ୍ଵମେଧ ଯଜ୍ଞ ସମାନ ଏକ ” ଅତିହୋମ ” ଆରମ୍ଭ କରିବେ । ସେହି ଯଜ୍ଞ ଯାବନିକ ଭାଷାରେ ‘ଏଟ ହୋମ’ ନାମରେ ନାମିତ ହେବ । ସେ ଯଜ୍ଞର ଵିଧି ପାଳନକଲେ ତୁମ୍ଭେମାନେ ଶାପରୁ ମୁକ୍ତହୋଇ ପରମସୌଭାଗ୍ୟ ଲାଭ କରିବ । ସେହି ଯଜ୍ଞର ଵିଧି ତୁମ୍ଭ ମାନଙ୍କୁ ବୋଲୁ ଅଛୁ । ମନ ଯୋଗ ପୂର୍ବକ ଶ୍ରବଣ କର । ରାଜସୂୟ ଯଜ୍ଞ ପରି ଏହି ମହାଯଜ୍ଞ ଚତୁର୍ବର୍ଗ ଫଳପ୍ରଦ ଅଟେ ।

ଯଜ୍ଞକର୍ତ୍ତା ଶୁଦ୍ଧାଚାରୀ ହୋଇ ଶନିବାର ସାୟାହ୍ନ ସମୟରେ ନଗରବାସୀ ଭଦ୍ରଲୋକମାନଙ୍କୁ ଆହ୍ୱାନ ପୂର୍ବକ ସଭ୍ୟକରିବେ । ସମସ୍ତ ସଭ୍ୟମାନେ ଯଥେଷ୍ଟ ପରିମାଣରେ ଚାହାପାନ, ତାମ୍ବୁଳଚର୍ବଣ ଓ ଧୂମପାନ କରି ଗୋଟିଏ ନ୍ୟାସନାଲ ବ୍ୟାଙ୍କ ସ୍ଥାପନ କରିବେ । ସେ ବ୍ୟାଙ୍କର ପାଣ୍ଠି ଓଡ଼ିଶାର ସର୍ବଶ୍ରେଣୀର ଲୋକ ମାନଙ୍କଠାରୁ ସଂଗ୍ରହ କରାଯିବ ଓ ଯେଉଁ ଲୋକ ମାନେ ବ୍ୟାଙ୍କରେ ତାଙ୍କ ମୁଦ୍ରା ନ୍ୟସ୍ତକରିବେ, ପ୍ରତି ସମ୍ବତ୍ସରରେ ଲାଭ ଦୃଷ୍ଟିରେ ତାଙ୍କୁ ବୃଦ୍ଧି ଦିଆଯିବ । ବ୍ୟାଙ୍କ ଧନରେ ଉତ୍କଳର ସମୁଦ୍ର କୁଳବର୍ତ୍ତୀ ପତିତ ଭୂମି କର୍ଷଣ କରାଯାଇ ଚା’, ନୀଳ ପ୍ରଭୃତି ଲାଭକର କୃଷିମାନ କରାଯିବ ତଥା ଉତ୍କଳ ଭୂମିରୁ ଲୁପ୍ତପ୍ରାୟ ଶିଳ୍ପଜାତ ଦ୍ରବ୍ୟମାନ ବାଣିଜ୍ୟ ନିମନ୍ତେ ବିଦେଶକୁ ପ୍ରେରଣ କରାଯିବ ।

ହେ ଉତ୍କଳୀୟମାନେ ଆମ୍ଭର ଆଦେଶ ପାଳନ ନକଲେ କଦାଚ ଇନ୍ଦ୍ରଶାପରୁ ମୁକ୍ତ ହେବନାହିଁ ।

ଏତକ ବୋଲି ଭଗବାନ ।
ଶୂନ୍ୟରେ ହେଲେ ଅନ୍ତର୍ଧ୍ୟାନ ।।
ଗୁପତ ଭାଗବତ କଥା ।
ଶୁଣିଲେ ମରେ ଦେହୁଁ ବ୍ୟଥା ।।
ଯେ ଲୋକ ପଇସାର ରଙ୍କା ।
ପାଇବ ପଣ ପଣ ଟଙ୍କା ।।
ଅପତ୍ୟ ନାହିଁ ଯାହା ଘରେ ।
ତା’ପୁଅ ଡ଼େଇଁବ ଦାଣ୍ଡରେ ।।
ସମ୍ପଦ ଯିବ ଘରେ ଭରି ।
ସୁଖ ତା ବୋଇଲେ ନ ସରି ।।
ଯେ କରେ ଭକ୍ତିରେ ଶ୍ରବଣ ।
ସାଧୁ ଭକତ ସେହି ଜାଣ ।।
ଅମାନ୍ୟ କରିବ ଯେ ଗୀତ ।
ଦଣ୍ଡ ପାଇବ ସମୁଚିତ ।।
ନ କର ଗ୍ରନ୍ଥ ଉପହାସ ।
ଗୀତେ ଭଣିଲେ ଦେବ ବ୍ୟାସ ।।
ବାଇ ମହାନ୍ତି ଅନୁବାଦ ।
ଶ୍ରବଣେ ତୁଟଇ ପ୍ରମାଦ ।।

ଇତିଶ୍ରୀ ଗୁପ୍ତ ଭାଗବତ ମହାପୁରାଣେ ପ୍ରଥମ ସ୍କନ୍ଧେ ଶୁକ ପରୀକ୍ଷିତ ସାମ୍ବାଦେ ଅତିହୋମ ନାମ ଦ୍ୱିତୀୟ ଅଧ୍ୟାୟ, ଶ୍ରୀ ପଞ୍ଚୁଚନ୍ଦ୍ର ଧୀରେନ୍ଦ୍ର ମହାନ୍ତି ବିରଚିତ ।

ଶନିବାରଦିନ ସଭା ଆରମ୍ଭ ହେବାରୁ ନିଗମାନନ୍ଦ ବାବୁ ସମସ୍ତଙ୍କ ଅବଗତି ନିମନ୍ତେ ଏହା ପଢି ଶୁଣାଇ ଦେଲେ । ଶୁଣି ସମସ୍ତେ ଚମତ୍କୃତ ହୋଇଥିଲେ କିନ୍ତୁ ଶେଷରେ ପଞ୍ଚୁଚନ୍ଦ୍ର ଧୀରେନ୍ଦ୍ର ମହାନ୍ତି ଲେଖାଥିବାରୁ ଏହା କାହାର ବୋଲି, ସମସ୍ତଙ୍କର ସନ୍ଦେହ ହେଲା ।

ସଭାରେ ଉତ୍କ ଳସାହିତ୍ୟର ସମ୍ପାଦକ ଶ୍ରୀବିଶ୍ୱନାଥ କର ଉପସ୍ଥିତ ଥିଲେ, ସେ ସ୍ପଷ୍ଟ କରିଦେଇ କହିଲେ, ଏହା ଫକୀର ମୋହନଙ୍କ ଦ୍ୱାରା ଲିଖିତ । ‘ନନାଙ୍କ ବସ୍ତାନି’ ସ୍ତମ୍ଭରେ ଏହା ଉତ୍କଳସାହିତ୍ୟରେ ପ୍ରକାଶିତ ହୋଇଥିଲା । ପଞ୍ଚୁ ଚନ୍ଦ୍ର ଧୀରେନ୍ଦ୍ର ଓ ବାଇ ମହାନ୍ତି ଛଦ୍ମ ନାମରେ ଫକୀର ମୋହନ ଏହା ଲେଖିଛନ୍ତି । ସେ ମଧୁସୂଦନଙ୍କ “At Home” ର କାର୍ଯ୍ୟକ୍ରମକୁ ଓଡ଼ିଆରେ ଅତିହୋମ ବୋଲି କହି ଏହି ଲେଖାଟି ଲେଖିଛନ୍ତି ।

ଏବେ ସୁଧୀଜନେ ବିଚାର କରନ୍ତୁ ଓଡିଆ ଭାଷା ସାହିତ୍ୟକୁ ପଞ୍ଚୁ ଚନ୍ଦ୍ର ଧିରେନ୍ଦ୍ର ଓ ବାଇ ମହାନ୍ତି ଓରଫ୍ ଫକୀରମୋହନ ସେନାପତିଙ୍କ ଅବଦାନ ସମ୍ପର୍କରେ ।

ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧


Share it

Leave a comment

Your email address will not be published. Required fields are marked *

Verified by MonsterInsights