ଏ କଥା ଆପଣମାନେ ବି ପଢିଲେ ଭଲ

Share it

Mo Lekha
Laxmidhar Nayak
My Facebook Post: 14th August 2021

ଆମ ଗାଁ ର ଲୋକ ଶଙ୍କର ନିଜ ହାତରେ ତିଆରି କରିଥିବା ବ୍ରାହ୍ମଣୀ ନଈ ବି ରହମାନ ପଡୁନି,

କେତେବେଳେ ନବୀନ ସରକାରଙ୍କ ସ୍ୱାମୀଜୀ କହୁଛନ୍ତି ମୋ ଠାରୁ ଅନୁମତି ନନେଇ ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର ଏଠି ଗାଁ ଲୋକଙ୍କ ସୁବିଧାପାଇଁ ପଥର ଖଣ୍ଡେ ମଧ୍ୟ ପକାଇ ପାରିବେ ନାହିଁ ତ

କେତେବେଳେ ନବୀନ ସରକାର ନିଜକୁ ଏହାର ମାଲିକ କହି ତହସିଲଦାର ସାଙ୍ଗରେ ବାଲି କଣ୍ଟ୍ରାକ୍ଟରଙ୍କୁ ପଠେଇ ବାଲି ତାଡି ନେଇଯିବାକୁ କହୁଛନ୍ତି | ଆଉ ଆପଣ କହୁଛନ୍ତି ଖରସ୍ରୋତା ସମସ୍ୟା | ଏବେ ଶୁଣନ୍ତୁ ଅଳ୍ପ କିଛି କଥା …..

କେହି ଜଣେ କେବେ ନିଶ୍ଚୟ କହିଥିବେ ଅଥବା କହିବା କଥା ଯେ ଭବିଷ୍ୟତରେ ସହରୀ ସୁବିଧାବାଦୀ ଅ….ମଣିଷମାନେ ଶିଳ୍ପପତିମାନେ ନଈମାନଙ୍କୁ ନର୍ଦ୍ଦମା ହିସାବରେ ବ୍ୟବହାର କରିବେ ଓ ମଣିଷମାନେ ପାଣି ପାଇଁ ପରସ୍ପର ବିରୁଦ୍ଧରେ ଯୁଦ୍ଧ କରିବେ ।

ମୋ ମନକୁ ଗୋଟେ ପ୍ରଶ୍ନ ଆସୁଛି ଯେ,
ପ୍ରଥମେ ଲୋକ କେନ୍ଦ୍ରାପଡାରେ ରହିଲେ ଓ ତା ପରେ ଖରସ୍ରୋତା ନଦୀ ନିର୍ମାଣ କରି ସେଥିରେ ଝାଡ଼ଖଣ୍ଡ ସୁନ୍ଦରଗଡ ଅନୁଗୋଳ ଢେଙ୍କାନାଳ ଅଞ୍ଚଳର ବର୍ଷାପାଣିକୁ ପୁରାଇ କେନ୍ଦ୍ରାପଡା ପାଖ ଦେଇ ସମୁଦ୍ର ଆଡକୁ ବୁହାଇଲେ , ନା ପ୍ରଥମେ ଖରସ୍ରୋତା ନଦୀ ଥିଲା ଏବଂ ଏ ନଦୀ ଥିବାରୁ ଲୋକେ ସେ ନଦୀ କୂଳରେ ବସବାସ ଚାଷ ଇତ୍ୟାଦି କରି କେନ୍ଦ୍ରାପଡା ସୃଷ୍ଟି କଲେ ?

ମୁଁ ଏଥିପାଇଁ ଏକଥା ପଚାରୁଛି ଯେ, ଚାରି ପାଞ୍ଚ ଶହ ବର୍ଷ ପୂର୍ବେ ଆମ ଗାଁ ଖରିପଡିଆ ପାଖରେ ନଈ ନଥିଲା, କାଣ୍ଡି ସାହି ପାଖରୁ ବ୍ରାହ୍ମଣୀ ଦକ୍ଷିଣ ମୋଡ ନେଇ ଯୂଣପଡିଆ ( ଯଁପଡା ), ସ୍ୱାଇଁଖଣ୍ଡ , ବାଲିଆ ଦେଇ ସେ ବାଟେ ସମୁଦ୍ରକୁ ଯାଇଥିଲା |

ଆମ ଗାଁ ପାଖ ଦେଇ କେବଳ ଗୋଟେ ପାଞ୍ଚ ସାତଫୁଟ୍ ଚଉଡା ପାଟନାଳୀ ଥିଲା , ସେ ନାଳଦେଇ ନୁଣୁପୁର , ଦୁର୍ଗାପୁର, ରୁଦ୍ରପୁର ଇତ୍ୟାଦି ପାଟବିଲର ଉଦବୃତ୍ତ ପାଣି ନିଷ୍କାସିତ ହେଉଥିଲା |

ଏ ପାଟନାଳୀ ବହି ବହି ଯାଇ ପଟଣା ରାଧିକା ଛନ୍ଦା ପାଖରେ ବ୍ରାହ୍ମଣୀରେ ମିଶିଥିଲା | ଚତୁର୍ମାସ୍ୟା ପରେ ବର୍ଷକୁ ଆଠମାସ ଶୁଖିଲା ରହୁଥିଲା | ଆମ ଗାଁ ଲୋକ ଆମ ଗାଁର ଗାଈଗୋରୁ ଇତ୍ୟାଦି ମଙ୍ଗଳାପାରି ପର୍ଯ୍ୟନ୍ତ ଗଲେ ଯାଇ ନଈପାଣି ପିଉଥିଲେ | ଭାରି ଗୋଟେ ଅସୁବିଧା ହେଉଥିବ ନିଶ୍ଚୟ |

ଆମ ଗାଁ ରେ ଗୋଟେ ଲୋକ ଥିଲା, ତା ନାଁ ଶଙ୍କର , ଲୋକେ ଡାକିବା ପ୍ରକାରେ ଶଙ୍କରା | ସେ ସବୁଦିନ ଗାଈ ଜଗିବାକୁ ଯାଏ , ଗାଈଙ୍କୁ ମଙ୍ଗଳାପାରି ପାଖରେ ପାଣି ଗଡାଏ | ସେ ଚାହିଁଲା ବ୍ରାହ୍ମଣୀର ଗୋଟେ ଶାଖା ତିଆରି କରି ତାକୁ ଆମ ଗାଁ ପାଖ ଦେଇ ବୁହାଇବାକୁ | ତାହେଲେ ପାଣି ପେଇବାକୁ ଗାଈ ଗୋରୁଙ୍କୁ ଧରି ତାକୁ ଏତେବାଟ ଆସିବାକୁ ପଡିବନି, ତାପରେ ଗାଁ ଦେଇ ନଈ ଗଲେ ପୂଣ୍ୟ ହୁଏ, ଏକଥା ମଧ୍ୟ ଭାବିଥିବ |

ଥରେ ନଈ ଉଛୁଳୁ ମୁଛୁଳୁ ଭରାଭର ଥିବାବେଳେ ସେ ଗୋଟେ କୋଦାଳ ନେଇ ( ଲୋକେ କୁହନ୍ତି ତା ଗାଈରଖା ବାଡିରେ ) କାଣ୍ଡି ସାହି ପାଖରୁ ମାଟି ଚୋଟେ ଚୋଟେ ହାଣି ଏବେକା ନାଳ ମୁହଁ ପର୍ଯ୍ୟନ୍ତ ସିଆର ଟେ ବା ସରୁ ନାଳି ଟେ କରିଦେଲା | ପ୍ରାୟ ଗୋଟାଏ କିଲୋମିଟର |

ସେଇ ସରୁ ନାଳ ଦେଇ ବ୍ରାହ୍ମଣୀ ପାଣି ଆସି ପାଟନାଳୀ ସହ ବା ବଡ ନାଳ ସହ ମିଶିଲା | ଦୁଇ ତିନିଥର ବନ୍ୟୀବେଳେ ଶଙ୍କରା ବ୍ରାହ୍ମଣୀ ପାଣିକୁ ଏମିତି ବଡନାଳକୁ ମୁହଁ ଛଡାଇ ଦେବା ଦ୍ୱାରା ବ୍ରାହ୍ମଣୀ ବଡନାଳକୁ ଗୋଟେ ରାସ୍ତା ପାଇଗଲା |

ସମୟକ୍ରମେ ଧିରେ ଧିରେ ତାହା ନଦୀ ପରି ଚଉଡା ହୋଇଗଲା ଓ ବ୍ରାହ୍ମଣୀର ଗୋଟେ ଶାଖା ହୋଇଗଲା | ଆମ ଗାଁ ପାଖ ଦେଇ ନଈଟାଏ ସୃଷ୍ଟି ହେଲା |

ଗାଈଆଳ ଶଙ୍କର ବାବୁ ଏ କାମ ଟି କରିଥିବାରୁ କାଣ୍ଡି ସାହି ପାଖରୁ ରାଧିକା ଛନ୍ଦା ପର୍ଯ୍ୟନ୍ତ ବ୍ରାହ୍ମଣୀର ଏ ଶାଖା ନଦୀକୁ ଲୋକେ ଶଙ୍କରା ବୋଲି କହିଲେ ଓ ଏହାର କୂଳ ଅଧିବାସୀମାନଙ୍କୁ ଆଜି ବି ଶଙ୍କରାକୁଳିଆ କୁହାଯାଏ | ( ସେତେବେଳକୁ ପଦ୍ମଶ୍ରୀ ପୁରସ୍କାର ଜନ୍ମ ଲାଭ କରି ନଥିଲା )

କିଛି ଦିନ ନଦୀ ଦୁଇ ପଟେ ବହିଲା , ବ୍ରାହ୍ମଣୀ ଓ ଶଙ୍କରା ନାମରେ |

କାଣ୍ଡି ସାହି ପାଖରୁ ବ୍ରାହ୍ମଣୀକୁ ପ୍ରାୟ 120 ଡିଗ୍ରୀ ବହିସ୍ଥ କୋଣ କାଟି ଦକ୍ଷିଣ ମୋଡ ନେବାକୁ ବହୁତ କଷ୍ଟ ହେଉଥିଲା | ନଦୀ ଯେତେବେଳେ ଶଙ୍କରାଙ୍କ ଉଦ୍ଦ୍ୟମରୁ ସିଧା ରାସ୍ତା ପାଇଗଲା ବ୍ରାହ୍ମଣୀ ସିଧା ଆମ ଗାଁ ଦେଇ ବହିବାକୁ ସୁଖ ମଣିଲା |

ସେପଟେ ଯଁପଡା ସ୍ୱାଇଁ ଖଣ୍ଡ ପଟେ ଯାଇଥିବା ନଈ ଏବେ ସେମାନଙ୍କର ବାଦାମ ବିଲ ହୋଇଛି, କିନ୍ତୁ ସ୍ଥାନୀୟ ଲୋକେ ଆଜି ବି ସେ ଜମି ସବୁକୁ ନଈ ବୋଲି କହନ୍ତି, ସେପଟ ଦେଇ ଏକଦା ବ୍ରାହ୍ମଣୀ ବହିଯାଇଥିବାର ଏହା ଏକ ବଳିଷ୍ଠ ପ୍ରମାଣ ନୁହେଁ କି ?

ଧିରେ ଧିରେ ଯଁପଡା ଦେଇ ଯାଇଥିବା ଧାରର ମୁହଁ ବନ୍ଦ ହୋଇଗଲା | ଶଙ୍କରା ନଈ ମୂଳ ବ୍ରାହ୍ମଣୀ ନଈ ହୋଇଗଲା |

ଆମ ଗାଁ ପାଖରେ ଏବେ ଗୋଟେ ବଡ ଗଣ୍ଡ ଅଛି, ତା ନାଁ କପିଳା ଗଣ୍ଡ | ବନ୍ୟା ସମୟରେ ସେଠାରେ ପ୍ରବଳ ଭଉଁରୀ ହୁଏ | ଖରାଦିନେ ସେଠି ଅକାତ କାତ ପାଣି | ଖରାଦିନେ ସେଠାକୁ ପ୍ରାୟ ଆଖପାଖ ଦଶ ଖଣ୍ଡ ଗାଁର ଗାଈଗୋରୁ ପାଣି ପିଇବାକୁ ଆସନ୍ତି |

ମୁଁ ଗାଈ ଗୋରୁଙ୍କ ପାଣି ପିଇବା ସୁବିଧା ପାଇଁ ତଥା ବନ୍ୟା ଦାଉରୁ ଖରିପଡିଆ, ଯଁପଡା, ସ୍ୱାଇଁଖଣ୍ଡ ଇତ୍ୟାଦି ଗ୍ରାମର ଘର ଦ୍ୱାର ଧନ ଜୀବନ ସୁରକ୍ଷା ପାଇଁ ସେ କପିଳା ଗଣ୍ଡର ଘୁଙ୍ଗୁରୀ ଘାଇ ମୁହଁକୁ , ତତ୍କାଳୀନ ଓସଡମା ମୁଖ୍ୟ ତଥା ଜଳସମ୍ପଦ ସଚିବ ଅରବିନ୍ଦ ବେହେରାଙ୍କୁ କହି ୱାର୍ଲଡ ବ୍ୟାଙ୍କ ପଇସାରେ ପଥର ପ୍ୟାକିଂ କରେଇ ଦେବା ସହ ପଥରରେ ଗୋଟେ ସ୍ଥାୟି ଗଡା ବା ରାମ୍ପ୍ କରି ଦେଇଥିଲି | ପରେ ପର୍ଯ୍ୟାୟକ୍ରମେ ଆମ ଗାଁ ଠୁ କୁଶବଟ ଶେଷ ପର୍ଯ୍ୟନ୍ତ ଏବଂ ରୁଦ୍ରପୁର ପାଖରୁ ବାଙ୍କସାହି ଦେଇ ବଣିଆତାରୀ ପର୍ଯ୍ୟନ୍ତ ପ୍ରାୟ 5 କିଲୋମିଟର ବ୍ୟାପି ସମଗ୍ର ନଦୀକୁଳକୁ ଏପରି ପଥର ପ୍ୟାକିଙ୍ଗ ମଧ୍ୟ | ଏପରି ନ କରାଯାଇଥିଲେ ଆଜି ହୁଏତ ଖରିପଡିଆ, କୁଶବଟ ଓ ଯଁପଡାର ଅଧା ଗାଁ ଓ ରୁଦ୍ରପୁର, ବାଙ୍କସାହି ଇତ୍ୟାଦି ନଦୀ ଗର୍ଭରେ ଲୀନ ହୋଇ ବ୍ରାହ୍ମଣୀ ଏବେ ଆଉଥରେ ଯଁପଡା ସ୍ୱାଇଁଖଣ୍ଡ ବାଲିଆ ଦେଇ ବହୁ ଥାଆନ୍ତା କି କଣ |
ସେ ଯାହା ହେଉ ତିନି ଚାରି ବର୍ଷ ହେଲା ଜଣେ ଇରିଗେସନ କଣ୍ଟ୍ରାକ୍ଟର ନଦୀ କାନ୍ଥି ମୂଳରେ ପଥର ଲଞ୍ଚିଙ୍ଗ କରିବା ନିମିତ୍ତ ସେବାଟେ ପଥର ବୋହିବାକୁ ଟ୍ରକ ନେବାକୁ ସେ ଗଡା ପାହାଚକୁ ତାଡିଦେଲେ ଯେ ଆଜିଯାଏ କରୁନାହାନ୍ତି |

ଗତମାସ ମୁଁ ମାଡାମଙ୍କ କାମ ପାଇଁ ଗାଁ ରେ ଥିବାବେଳେ ଜାରକା ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର ଦେବାଶୀଷ ପଟ୍ଟନାୟକ, ତାଙ୍କ ଏଇ ଓ ଜେଇଙ୍କୁ ଥରେ ଏ କଥା ଦେଖେଇଲା ପରେ ସେ ସମସ୍ୟାଟିକୁ ହୃଦୟଙ୍ଗମ କଲେ ଏବଂ ବହୁତ ମନ ଦୁଃଖ ମଧ୍ୟ କଲେ ପୂର୍ବ କଣ୍ଟ୍ରାକ୍ଟରଙ୍କ ଉପରେ |

ସେ କହିଲେ ଏଠାରେ ଗଡା ପାହାଚ କରାଯିବା ନିହାତି ଆବଶ୍ୟକ, ସ୍ଥାନୀୟ ବୟସ୍କ ଲୋକ, ବିଶେଷକରି ଖରାଦିନିଆ ତୃଷାର୍ତ୍ତ ଗାଈ ଗୋରୁଙ୍କ ଚଳ ପ୍ରଚଳ ପାଇଁ | ପାଞ୍ଚ ଲକ୍ଷ ଟଙ୍କା ର କାମ ମଧ୍ୟ ଏଷ୍ଟିମେଟ୍ ହେଲା | କେବଳ କାମ ଆରମ୍ଭ ହେବା କଥା |

ସେହିପରି ହରି ଛନ୍ଦା ପାଖରୁ କୁଶବଟ ଶେଷପର୍ଯ୍ୟନ୍ତ ସମଗ୍ର ନଦୀ ବନ୍ଧକୁ ହାଇ ଫ୍ଲଡ୍ ସମୟରେ ସ୍କାୱାରିଙ୍ଗରୁ ରକ୍ଷା କରିବା ପାଇଁ ପଥର ପ୍ୟାକିଙ୍ଗ କରିବା,
ଖରିପଡିଆ ବ୍ରିଜ୍ ପାଖରୁ ମଙ୍ଗଳା ପର୍ଯ୍ୟନ୍ତ ବନ୍ଧକୁ ଗମନାଗମନ ସୁବିଧାପାଇଁ 40 ଫୁଟ୍ ଚଉଡା କରିବା,
କପିଳା ଗଣ୍ଡ ବେସମେଣ୍ଟରେ 5 ଫୁଟ୍ ଚଉଡାର ଲଞ୍ଚିଙ୍ଗ କରିବା ଏମିତି ଆଉ ପ୍ରାୟ 3 କୋଟି ଟଙ୍କାର ଅତି ଜରୁରୀ କାମ ମଧ୍ୟ ଦିଶିଲା ଏବଂ ଏ ସବୁକୁ କରାଯିବାକୁ ନିଷ୍ପତ୍ତି ମଧ୍ୟ ହେଲା |

ବାଲି କଣ୍ଟ୍ରାକ୍ଟରମାନେ ପର୍କୋଲିନ ବଡ ଟ୍ରକ ନେଇ ଫଟେଇ ଦେଇଥିବା ବନ୍ଧ ଓ ତଦ୍ ଜନିତ ରେନ୍ କଟ୍ ମରାମତି କାମ ସେହିଦିନ ସାଙ୍ଗେ ସାଙ୍ଗେ ଆରମ୍ଭ କରାଗଲା ।

ମନଟା ଖୁସି ଲାଗିଲା, ମୋ ଅଞ୍ଚଳର ଗାଁ ଲୋକମାନଙ୍କର ବହୁ ଅସୁବିଧା ଦୂର ହେବାର ଆଶା ଦେଖି ଏବଂ ସରକାରଙ୍କର ଗୋଟେ ସୁନାମ ହେବାର ସମ୍ଭାବନା ଦେଖି ।

ଅନେକ ଲୋକ କେବଳ ସରକାରମାନଙ୍କୁ ଗୋଟାଏ ଶତ୍ରୁଭଳି ଭାବି କେବଳ ଗାଳିଗୁଲଜ ସମାଲୋଚନା କରନ୍ତି, ମୁଁ ସେପରି କରି ପାରେନି, ମୁଁ ସରକାରଙ୍କର କୌଣସି ଭଲ କାମ ଦେଖିଲେ ମନ ଖୋଲି ପ୍ରଶଂସା କରେ, ଭୁଲ୍ ଭଟକା ଦେଖିଲେ କଡା ସମାଲୋଚନା କରେ ଓ ମୋ ବୁଦ୍ଧି ଜ୍ଞାନ ଅନୁସାରେ ସମାଧାନ ବି ବରାଦ କରେ, ଲୋକଙ୍କର କୌଣସି ସମସ୍ୟା ନଜରରେ ପଡିଲେ ( ତାହା କେବଳ ମୋ ଗାଁ ଅଞ୍ଚଳ ସମସ୍ୟା ନୁହେଁ, କହି ବସିଲେ 30 ଜିଲ୍ଲାର ସମସ୍ୟା ଓ ତାର ଯତ କିଞ୍ଚିତ ସମାଧାନ କଥା ମଧ୍ୟ ମୁଁ ଉଦାହରଣ ଦେଇ ପାରିବି ) ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆଣି ଯଥା ସମ୍ଭବ ତାର ପ୍ରତିକାର କରାଇ ସରକାରଙ୍କୁ ଜଣେ ସାଧାରଣ ନାଗରୀକ ହିସାବରେ ସହଯୋଗ ମଧ୍ୟ କରେ, ସରକାରଙ୍କ ସୁନାମ ପାଇଁ |

କାରଣ ମୁଁ ଭାବେ ସବୁ ସରକାର ଆମ ସରକାର, ହୁଏତ ମୁଁ ଭୋଟ୍ ଦେଇଛି ନହେଲେ ଆପଣ ଦେଇଛନ୍ତି, ତେଣୁ ସରକାର ଆମ ସମସ୍ତଙ୍କର, ସରକାର କେବଳ କୋଉ ଦଳର ନୁହେଁ କି କୋଉ ଏମଏଲଏ ଙ୍କର ନୁହେଁ

କିନ୍ତୁ ଆଶ୍ଚର୍ଯ୍ୟର କଥା ମତେ କାଲି ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର ସାର୍ ଟେଲିଫୋନ କରି କହିଲେ , ଆଜ୍ଞା ଏମ.ଏଲ. ଏ. ଙ୍କ ସ୍ୱାମୀ ମୋତେ ଆସି ଗାଳିଗୁଲଜ କରି ଧମକାଇ କହୁଛନ୍ତି , ସେ ଲକ୍ଷ୍ମୀଧର ନାୟକ କିଏ ମୋ ଏରିଆରେ କାମ ପାଇଁ ଇରିଗେସନ ବିଭାଗକୁ କାମ ବରାଦ କରିବାକୁ ? ସେ କାମ ଆପଣ ବନ୍ଦ୍ କରନ୍ତୁ । ମୁଁ ନ ଚାହିଁବା ପର୍ଯ୍ୟନ୍ତ ମୋ ନୀର୍ବାଚନ ମଣ୍ଡଳୀରେ କୌଣସି କାମ ହୋଇ ପାରିବ ନାହିଁ । ମୁଁ ତ ଏମଏଲଏଙ୍କ ସ୍ୱାମୀ, ମୁଁ ତ ଏ କାମ ବରାଦ କରିନି, ସିଏ କିଏ ?

ମତେ ବହେ ହସ ମାଡିଲା, ନବୀନବାବୁଙ୍କ ଦଳରେ ଏ ନୂଆ “ଏମ୍ ଏଲ୍ ଏ ଙ୍କ ସ୍ୱାମୀ” ପଦବୀ ନାଁ ଟା ଶୁଣି | ଆମେ ଓ ଆମ ଗାଁ ଲୋକ ଅକୁଣ୍ଠ ସମର୍ଥନ ଦେଇ ନବୀନବାବୁଙ୍କ ଯେଉଁ ବିଜେଡି ପ୍ରାର୍ଥୀଙ୍କୁ ଜିତାଇଛୁ , ସେଇ କଣ୍ଠରୁ ଏ ଭିନ୍ନ ସ୍ୱର ଶୁଣି ସତରେ ବହୁତ ହସ ଲାଗିଲା |

ମୁଁ ପଚାରିଲି ଦେବାଶୀଷ ବାବୁ, ସ୍ୱାମୀଜୀ ଯେତେବେଳେ ପଚାରିଲେ ଲକ୍ଷ୍ମୀଧର ନାୟକ କିଏ ? ଆପଣ କଣ ଉତ୍ତର ଦେଲେ ?

ଏକ୍ଜିକ୍ୟୁଟିଭ ଇଞ୍ଜିନିୟର କହିଲେ- ମୁଁ କହିଲି ସାର୍ ସେ ଖରିପଡିଆର ଜଣେ ଗାଁ ଲୋକ ।

ମୁଁ କହିଲି ମୋ ମନର କଥା କହିଲେ । ମୋତେ ବହୁତ ଖୁସି ଲାଗିଲା। ମୁଁ ମୋ ଗାଁ ଲୋକ । ମୁଁ ଭୋଟ୍ ଦେଲେ ଏମଏଲଏ ତିଆରି ହୁଅନ୍ତି , ଏହା ଭିନ୍ନ କଥା, ଏ କଥା ମୁଁ ଦେଖେ, ମୁଁ କିନ୍ତୁ ଆଜିଯାଏ କୌଣସି ସମୟରେ କୌଣସି ଏମଏଲଏ ଙ୍କ ଲୋକ ହୁଏନି, ସଦାକାଳେ ମୁଁ ମୋ ଗାଁ ଲୋକ , ସେମାନେ ବରଂ ମୋ ଭୋଟ୍ ରେ ଏମଏଲଏ ହୁଅନ୍ତି, ଏ ମହାଶୟ ନହେଲେ ମୋ ଭୋଟ୍ ରେ ଏମଏଲଏଙ୍କ ସ୍ୱାମୀ ହୋଇଥିବେ ।

ଅବଶ୍ୟ ପୂର୍ବ ଏମଏଲଏ ମାନେ ମୋ ଅଞ୍ଚଳ ଲୋକଙ୍କ ପାଇଁ ସରକାରଙ୍କୁ କହି ମୁଁ କେବେ କିଛି କାମ କରିଦେଲେ ସେମାନେ ବହୁତ ଖୁସି ହୁଅନ୍ତି, ଯାହା ହେଉ ତାଙ୍କ ନୀର୍ବାଚନ ମଣ୍ଡଳୀରେ କିଛି କାମ ହୋଇଗଲା , ସେମାନେ ଅନେକ ସମୟରେ ସେ ସବୁ କାମର ଶିଳାନ୍ୟାସ ଉଦ୍ଘାଟନ ମଧ୍ୟ କରନ୍ତି ଖୁସିରେ ଖୁସିରେ, ମୁଁ ସେ ଉତ୍ସବକୁ କେବେ ବି ଯାଏନି, କାରଣ ମୁଁ ଭାବେ ଗାଁ ଲୋକ ହିସାବରେ ମୋ ଅଞ୍ଚଳ ଓ ମୋ ଏମଏଲଏଙ୍କ ନୀର୍ବାଚନ ମଣ୍ଡଳୀରେ ଯଦି ମୋ କୁହା ବୋଲା ଅନୁରୋଧ ଆପତ୍ତି ଯୋଗୁ ଯଦି କିଛି କାମ ହୋଇଗଲା ତାହେଲେ ସେଇଟା ବି ମୋର ଗୋଟେ କର୍ତ୍ତବ୍ୟ ଥିଲା । କହି ବସିଲେ ତ ଏମିତି ମୁଁ ମୋ ଅଞ୍ଚଳର ଦୁଇ ଶହ କୋଟି ଟଙ୍କା କାମର କଥା କହି ପାରିବି, ସ୍ୱାମୀଜୀ କେଉଁ କେଉଁ କାମକୁ ଜେସିବି ଲଗେଇ ତାଡିକି ନାଁ ଲିଭେଇବେ ? ହା ହା ହା

ପୂର୍ବ ବିଧାୟକ ମାନେ ଖୁସିହେବା, ଆଜି ଅନ୍ୟ କେହି ଖୁସି ନହେବା, ସେଇଟା ସେମାନଙ୍କର ନିଜସ୍ୱ ବିଚାର ଓ କର୍ମ ସଂସ୍କାର ହୋଇଥିବ, ତେଣୁ ସେ କଥାକୁ ନେଇ ମୁଁ ବ୍ୟସ୍ତ ନୁହେଁ, ତା ପରେ ଏ ଘୋର କଳିଯୁଗରେ ଏ ପରି କଥାମାନ ଘଟିବା ଅସ୍ୱାଭାବିକ୍ ନୁହେଁ, ସମ୍ପୂର୍ଣ୍ଣ ସ୍ୱାଭାବିକ୍ ମଧ୍ୟ ।

ପଟ୍ଟନାୟକ ବାବୁ କହିଲେ ସାର୍, ଆପଣ ପ୍ରକୃତରେ ଆପଣଙ୍କ ଗାଁ ଲୋକ, ଆଗରୁ ଏକଥା ଶୁଣିଥିଲି, ଆଜି ଅନୁଭବ ହେଉଛି, ଆମେ ବାହାର ଲୋକ, ରାଜ୍ୟର ଲୋକଙ୍କର ସେବାପାଇଁ ଅବଶ୍ଯ ଆମେ ନିୟୋଜିତ ହୋଇଛୁ, ମୁଁ ସେ ଗାଁକୁ ପ୍ରଣାମ କରୁଚି ଯିଏ ଆପଣଙ୍କ ଭଳି ଜଣେ ଗାଁ ଲୋକକୁ ଜନ୍ମ ଦେଇଛି ।

ମୁଁ କହିଲି ସାର୍ ପ୍ରଣାମ, ଆମେ ପରେ ଆଉ କେବେ କଥା ହେବା, ମୋର ଏବେ ଟିକେ ଅନ୍ୟ କାମ ଅଛି, କରିବାକୁ ପଡିବ । ସ୍ୱାମିଜୀ ଟିକିଏ ପିସି ବିକଳ ବୋଲି ଆଗରୁ କଣ୍ଟ୍ରାକ୍ଟର ତଥା ତାଙ୍କ ସମର୍ଥକମାନଙ୍କ ମୁହଁରୁ ଶୁଣିଥିଲି, ସେ ସେଥି ପାଇଁ ବୋଧହୁଏ ବ୍ୟସ୍ତ ହୋଇ ପଡୁଥିବେ । ମୁଁ ଏ ସବୁ କଥାକୁ ବେଶୀ ଗୁରୁତ୍ୱ ଦେଇ ସମୟ ନଷ୍ଟ କରିବାକୁ ଚାହୁଁନି । ଈଶ୍ୱର ତାଙ୍କୁ ଯାହା ଯେମିତି ବିବେକ ଦେଇଛନ୍ତି ସେ ସେପରି କରନ୍ତୁ । ଈଶ୍ୱର ତାଙ୍କର କଲ୍ୟାଣ କରନ୍ତୁ ।

କଥା ଟା ନଈ ପାଣି ଭଳି ଅନ୍ୟ କୁଆଡେ ମାଡି ଗଲାଣି ହେ ।
ଏବେ ପାଣି ପାଠ କଥା କହିବା, ଗୋଟେ ପାଣି ବହି କଥା କୁହାଯାଉ।

ଏ ବହି କଥାକୁ ବୋଧହୁଏ ପ୍ରଧାନମନ୍ତ୍ରୀ ପଢି ସାରିଲେଣି, କିନ୍ତୁ ଆମ ରାଜ୍ୟ ମନ୍ତ୍ରୀ ତନ୍ତ୍ରୀ ଯନ୍ତ୍ରୀ ଆଜି ଯାଏ ପଢୁ ନାହାନ୍ତି ।

ଏ ବହିରେ ଲେଖା ହୋଇଛି –
ସମୃଦ୍ଧିର ମୂଳ ସ୍ରୋତ ହେଉଛି ଜଳ ।
ଜଳ ସଚରାଚରକୁ ପୋଷକ ତତ୍ତ୍ୱ ପ୍ରଦାନ କରେ । ସର୍ବତ୍ର ମାତୃସମ କଲ୍ୟାଣକାରୀ ଜଳ ପ୍ରବାହ ପ୍ରକଟ ହେଉ । ସେହି ଜଳ ପାନଯୋଗ୍ୟ ଓ ଜୀବନରସ ପ୍ରଦାନକାରୀ ହେଉ

ଏଥିରେ ଆହୁରି ମଧ୍ୟ ଲେଖାଯାଇଛି ଯେ,
ସମଗ୍ର ବିଶ୍ୱରେ ଯେତେ ଜମି ଅଛି ତାର ମାଲିକ ସର୍ବମୋଟ୍ ପାଞ୍ଚ ଜଣ । ……..

ଏମିତି ବହୁ ଭଲ କଥା ଲେଖା ଯାଇଛି ଏଥିରେ |

ଏ ବହିଟିକୁ ଅତି କମ୍ ରେ ସବୁ ସରପଞ୍ଚ, ଗ୍ରାମ ସାଥୀ, ପାଣି ପଞ୍ଚାୟତ ସଦସ୍ୟ, ବନ ସୁରକ୍ଷା ସମିତି ସଦସ୍ୟ ଓ ପ୍ରତ୍ୟେକ ହାଇସ୍କୁଲ ପିଲା ପଢିବା ଆବଶ୍ୟକ ।

ଆପଣମାନେ ବି ପଢିଲେ ଭଲ ।

Laxmidhar Nayak
My Facebook Post: 14th August 2021


Share it

Leave a comment

Your email address will not be published. Required fields are marked *

Verified by MonsterInsights