ଉଦିବ ଫଗୁଣ ଜହ୍ନ
ନଖୋଜି ରାଧା କୁଣ୍ଡଳ
ସେ ପରମାନନ୍ଦ ଛାଡିଣ ଗୋବିନ୍ଦ
କେଉଁ ପ୍ରେମେ ହେବ ମଗ୍ନ ଗୋ
ଏବେ ତ ଫଗୁଣବେଳା
ଉଦିବ ଫଗୁଣ ଜହ୍ନ
ବନସ୍ତେ ଶୋଭା ସୁମନ
ବହେ ମନ୍ଦ ମଳୟ ପବନ ଗୋ
ଜାତିରେ ମୁଁ ତ ଗୋପାଳ
ପ୍ରକୃତି ଯଦିବା ସଜେଇ ହେବ ଗୋ
ପ୍ରେମ କି ମାନିବ କୁଳ
ଉଦିବ ଫଗୁଣ ଜହ୍ନ
ଯମୁନା ଘାଟରେ
ଯୋଗକୁ ହଜିଛି
ରାଧାର କର୍ଣ୍ଣ କୁଣ୍ଡଳ ଗୋ
ବିମାନରେ ବସି ଦ୍ୱାରେ ଦ୍ୱାରେ ବୁଲି
ନାନା ଜାତି ଫଗୁ ଖେଳ ଗୋ
ଜାତି ତ ଆମ୍ଭ ଗୋପାଳ ଗୋ ।।
ଚଇତ୍ରେ ଫୁଟିଲେ ମଲ୍ଲୀ
ମନ ଯମୁନାରେ
ଜୁଆର ଭାଙ୍ଗିବ
କିଏ ବା କରିବ ପାରି ଗୋ
ମୁଁ ତ ଜାତିରେ କୈବର୍ତ୍ତ
ନୂଆ ନାଉରୀ ମୁଁ
ଘାଟ ପାରିଅଛି
ବସ ମୋ ଆସି ସଙ୍ଗାତ ଗୋ ।।
ବୈଶାଖେ ମୁଁ ବନବାସୀ
ଚନ୍ଦନ ଚର୍ଚ୍ଚିତ ଶୀତଳ ବାସି ଗୋ
ଗ୍ରୀଷମେ ମନ ସରସି
ଜ୍ୟେଷ୍ଠେ ମୁଁ ଜାତିରେ ଚଷା
ହାତରେ ମୋହର ହଳ ଲଙ୍ଗଳ ଗୋ
ଜଗତ ପୋଷା ବେଉସା ।।
ଆଷାଢେ ମୁଁ ଅବଧାନ
ଜଗତେ ବାଣ୍ଟଇ ଜ୍ଞାନ ଅଞ୍ଜନ ଗୋ
ଗୁରୁ ବଇଷ୍ଣବ ଜ୍ଞାନ
ଶୀତଳେ ଧରା ଶ୍ରାବଣ
ସେବକ ଜାତି ମୋ କରମ ପଣ ଗୋ
ଭାବ ଗରବ ଗଞ୍ଜନ ।।
ଭାଦ୍ରବେ ଜାତି ମୋ ଯୋଗୀ
ସଂସାର ଛାଡି ନଛାଡି ବୈରାଗୀ ଗୋ
ଆଶ୍ୱିନେ ଜଗତ ଭୋଗୀ
ଏଣୁ ଜାତି ବିଶ୍ୱକର୍ମା
ଖୋଳ ତାଳ ଢୋଲ ଭିଣା ସୁକର୍ମା ଗୋ
ସରବ ଜାତି ଗରିମା ।।
କାର୍ତ୍ତିକ ମାସର ଭାବ
ଏ ମାସରେ ମୋର ଜାତି ସାଧବ ଗୋ
ବାଣିଜ୍ୟେ ମଜ୍ଜି ସ୍ୱଭାବ
ପ୍ରବେଶନ୍ତେ ମାର୍ଗଶୀର
ଏ ମାସରେ ଜାତି ମୋ କୁମ୍ଭକାର ଗୋ
ଚକ୍ର ଚକ୍ରୀ ଏକାକାର ।।
ପଉଷରେ ଶୀତ ଭୀତି
ଏ ମାସରେ ମୁଁ ତ କ୍ଷତ୍ରିୟ ଜାତି ଗୋ
ଅନ୍ୟାୟ ମୋର ଅରାତି
ପରବେଶ ମାସ ମାଘ
ସତ୍ୟ ଶିବ ଜାତି ପଶୁପାଳକ ଗୋ
ଚର ଅଚର ରକ୍ଷକ ।।
ନାମ ତ ମୋର ଗୋପାଳ
ମୋ ଲୋମକୂପରେ ବିଜ୍ଞାନୀ ଦେଖନ୍ତି
କୋଟି ବ୍ରହ୍ମାଣ୍ଡ ଯେ ମାଳ ମାଳ ଗୋ
ଅଜ୍ଞାନୀ କୂପ ମଣ୍ଡୁକ
ଅଢେଇ ହାତ ଆଲୋକ
ତାକୁ ମାପି ଧରା ସରା ଜ୍ଞାନ କରେ
ସତେ କେଡେ ଅବିବେକ ଗୋ ।।
ମୋଠାରୁ ସର୍ବ ଉତ୍ପତ୍ତି
ତେଣୁ ମୁଁ ସରବ ଜାତି ସଜନୀ ଗୋ
ସଦା ବସନ୍ତରେ ମତି
ଉଦିବ ଫଗୁଣ ଜହ୍ନ
ନଖୋଜି ରାଧା କୁଣ୍ଡଳ
ସେ ପରମାନନ୍ଦ ଛାଡିଣ ଗୋବିନ୍ଦ
କେଉଁ ପ୍ରେମେ ହେବ ମଗ୍ନ ଗୋ ।।
– ଲକ୍ଷ୍ମୀଧର ନାୟକ
( 11.03.2021 )