ଏକ ଅନେକ ନାରୀ ରମେ, ଏତେ ବିଚାରି ମନ ଭ୍ରମେ

Share it

26th July 2024

ଦ୍ୱାରକାରେ ଚକିତ ନାରଦ
===============

ଭଗବାନ୍ ଶ୍ରୀକୃଷ୍ଣ ପ୍ରାଗଜ୍ୟୋତିଷପୁରରେ ଦୈତ୍ୟ ନାରକାସୁରକୁ ବଧକଲେ ଓ ନାରକାପୁରରେ ବନ୍ଦି ଥିବା, ଷୋଳ ହଜାର ଏକଶହ ସୁନ୍ଦରୀ ରମଣୀଙ୍କୁ ଉଦ୍ଧାରକଲେ । ସେମାନେ ଶ୍ରୀକୃଷ୍ଣଙ୍କୁ କହିଲେ, ଆମ୍ଭମାନଙ୍କୁ ଏ ଦୁଷ୍ଟ ରାଜା ବନ୍ଦୀ କରି ରଖିଥିଲା । ଆପଣ ଆମ୍ଭମାନଙ୍କୁ ତାଙ୍କ କବଳରୁ ଉଦ୍ଧାର କଲେ ସେଥି ପାଇଁ ଆମେ ଆପଣଙ୍କ ପାଖରେ କୃତଜ୍ଞ । କିନ୍ତୁ ସମାଜ ଆମ୍ଭମାନଙ୍କୁ ଗ୍ରହଣ କରିବ ନାହିିଁ, ହୀନଦୃଷ୍ଟିରେ ଦେଖିବ ଏବଂ ଆମ୍ଭମାନଙ୍କ ନାମରେ ନାନାଦି କୁତ୍ସା ରଟନା କରିବ । ଏ ଉଦ୍ଧାର ପାଇବା ଖୁସିଠୁ ସେ ଦୁଃଖ ବଳିଯିବ । ଆପଣ ଆମ୍ଭମାନଙ୍କୁ ସ୍ତ୍ରୀର ମର୍ଯ୍ୟାଦା ପ୍ରଦାନ କରି ଏ ସାମାଜିକ ନିର୍ଯାତନାରୁ ରକ୍ଷା କରିବା ସହ ଆମ୍ଭମାନଙ୍କୁ ଏକ ସମ୍ମାନଜନକ ଜୀବନ ବଞ୍ଚିବାରେ ସହାୟ ହୁଅନ୍ତୁ।

ଶ୍ରୀକୃଷ୍ଣ ସେମାନଙ୍କର ଦୁଃଖ ବୁଝିଲେ ଏବଂ ସେ ସମସ୍ତ ରାଣୀଙ୍କୁ ଗୋଟିଏ ତିଥିରେ ବିବାହକରି ସେମାନଙ୍କୁ ସମସ୍ତଙ୍କୁ ଶ୍ରୀକୃଷ୍ଣଙ୍କ ସ୍ତ୍ରୀର ପରିଚୟ ପ୍ରଦାନ କଲେ । ଭଗବାନ୍ ଶ୍ରୀକୃଷ୍ଣଙ୍କ ସଙ୍ଗ ଲାଭକରି ସେହି ରମଣୀ ମାନେ ଦ୍ବାରାବତୀ ପୁରରେ ଅତିଆନନ୍ଦରେ ନିବାସ କଲେ। ଶ୍ରୀକୃଷ୍ଣଙ୍କ ଅଷ୍ଟ ପାଟବଂଶୀମାନଙ୍କ ସହିତ ରାଣୀ ମାନଙ୍କ ସଂଖ୍ୟା ହେଲା, ଷୋଳହଜାର ଏକ ଶହଆଠ ।

ଦିନେ ନାରଦଙ୍କୁ ଲାଗିଲା, ସଂସାରରେ ଜଣେ ଜଣେ ନାରୀ ରଖି ଚଳିବା ତ କେଡ଼େ କଷ୍ଟ । ମୁଁ ଯାଉଛି ଟିକେ ଦେଖିଆସିବି କୃଷ୍ଣ କିପରି ଏତେ ନାରୀଙ୍କ ସହିତ ଚଳି ପାରୁଛନ୍ତି । ଏପରି ଚିନ୍ତାକରି ଦିନେ ନାରଦ ପହଞ୍ଚିଲେ ଦ୍ଵାରକାରେ ।

ଏକ ଅନେକ ନାରୀ ରମେ ।
ଏତେ ବିଚାରି ମନ ଭ୍ରମେ ।।
ଦେଖିବି ବୋଲି କରି ସଧ ।
ଦ୍ୱାରକା ମିଳିଲେ ନାରଦ ।।

ପ୍ରଥମେ ନାରଦ ଦ୍ଵାରିକାର ପୁଷ୍ପିତ ଓ ପକ୍ଷୀକୁଜ୍ଜିତ ସୁନ୍ଦର ଉପବନକୁ ଦେଖି ଖୁବ୍ ଆନନ୍ଦିତ ହେଲେ । ତାପରେ ଦେବର୍ଷି ଯାଇ ପ୍ରବେଶ କଲେ ରୁକ୍ମିଣୀଙ୍କ ମନ୍ଦିରରେ ଓ ଦେଖିବାକୁ ପାଇଲେ ଦେବୀ ରୁକ୍ମିଣୀ ବହୁ ଦାସୀ ପରିବେଷ୍ଠିତା ହୋଇ ଶ୍ରୀକୃଷ୍ଣଙ୍କୁ ସୁବର୍ଣ୍ଣ ବେଣ୍ଟ ଲଗା ଚାମର ବ୍ୟଜନ କରୁଛନ୍ତି । ନାରଦଙ୍କୁ ଦେଖି ବିପ୍ରପ୍ରିୟ ଶ୍ରୀକୃଷ୍ଣ ଗଜଦନ୍ତ ପଲ୍ୟଙ୍କରୁ ଉଠି ପଡ଼ି ଆସି ତାଙ୍କୁ ପ୍ରଣାମକଲେ ଓ ନିଜ ଆସନରେ ତାଙ୍କୁ ବସାଇ, ପଦ ପ୍ରକ୍ଷାଳନ କରି, ସେହି ପାଣିକୁ ନିଜ ମସ୍ତକରେ ସିଞ୍ଚିହୋଇ ପଡ଼ିଲେ ଓ ତାଙ୍କୁ ଯଥା ମତେ ସତ୍କାର କଲେ । ଭଗବାନ୍ ଜାଣିଥାନ୍ତି ନାରଦ କେଉଁଥିପାଇଁ ଆସିଛନ୍ତି । ନାରଦ ତରଭର ହେବାରୁ ସେ ତାଙ୍କୁ କିଛି ନକହି ବିଦାୟ ଦେଲେ ।

ଏହାପରେ ଆଉ ଦିନେ ନାରଦ ଯାଇ, ଭଗବାନଙ୍କ ଅନ୍ୟ ଏକ ପତ୍ନୀଙ୍କ ଗୃହରେ ପ୍ରଵେଶକଲେ । ସେଠାରେ ନାରଦ ଦେଖିଲେ, ଶ୍ରୀକୃଷ୍ଣ ତାଙ୍କ ପ୍ରିୟତମା ପତ୍ନୀ ଓ ସଖା ଉଦ୍ଧବଙ୍କ ସହ ପଶା ଖେଳୁଛନ୍ତି । ନାରଦଙ୍କୁ ଦେଖି ଶ୍ରୀକୃଷ୍ଣ ଉଠି ପଡ଼ି ଆସି, ତାଙ୍କର ଯଥାରୀତି ଚର୍ଚ୍ଚା କରି ତାଙ୍କ କୁଶଳ ଜିଜ୍ଞାସା କଲେ । ନାରଦ ହଁ ହାଁ ମାରି, କୌଣସି ପ୍ରକାରେ ସେଠାରୁ ତୁରନ୍ତ ପଳାଇ ଗଲେ । ନାରଦ ଥରେ ଅନ୍ୟ ଗୋଟିଏ ଭବନରେ ପହଞ୍ଚି ଦେଖିଲେ ସେଠାରେ ଶ୍ରୀକୃଷ୍ଣ ତାଙ୍କ ଶିଶୁପୁତ୍ରମାନଙ୍କୁ ଲାଳନ ପାଳନରେ ଲାଗିଛନ୍ତି । ପୁଣି ଅନ୍ୟଏକ ଭବନରେ ସେ ପ୍ରବେଶ କରି ଦେଖିଲେ ଶ୍ରୀକୃଷ୍ଣ ମଧ୍ୟାହ୍ନ ସ୍ନାନ ପାଇଁ ପ୍ରସ୍ତୁତ ହେଉଛନ୍ତି ।
ଏହିପରି ନାରଦ ଶ୍ରୀକୃଷ୍ଣ ରମଣୀମାନଙ୍କ ଭବନରୁ ଭବନ ବୁଲି ଦେଖିଲେ, ଭଗବାନ୍ କେଉଁଠି ଅତିଥି ସେବା କରୁଛନ୍ତି, କେଉଁଠି ବେଦପାଠ ହୋମ ଯଜ୍ଞ କରୁଛନ୍ତିତ କେଉଁଠି ବ୍ରାହ୍ମଣଭୋଜନ କରାଇ ପିତୃ ତର୍ପଣ କରୁଛନ୍ତି । ପୁଣି ସେ କେଉଁଠି ଭଗବାନଙ୍କୁ ଦେଖିଲେ ଗାୟତ୍ରୀ ଜପ କରୁଛନ୍ତି । ପୁଣି କେଉଁଠି ସେ ଯୁଦ୍ଧ ଅଭ୍ୟାସ କରୁଛନ୍ତି ତ କେଉଁଠି ଇତିହାସ ପୁରାଣ ଆଦି ଶ୍ରବଣ କରୁଛନ୍ତି । ସେ କେଉଁଠି ପୁଣି ସଂଗୀତ ଶ୍ରବଣ ପୂର୍ବକ ପୁରନାରୀ ମାନଙ୍କ ସହିତ ହସ କୌତୁକ କରୁଛନ୍ତି ।

ଭଗବାନଙ୍କ ଏସବୁ ଗୃହସ୍ଥ ଲୀଳା ଦେଖି ଦେବର୍ଷି ଖୁବ୍ ବିସ୍ମିତହେଲେ । ସେ ହସ୍ତଯୋଡ଼ି ଭଗବାନଙ୍କୁ କହିଲେ, ହେ ପ୍ରଭୁ ! ହେ ଯୋଗେଶ୍ୱର ! ଆପଣଙ୍କ ସଂସାର ଲୀଳା ଦର୍ଶନ ଯାହା ଅନ୍ୟମାନଙ୍କୁ ଦୁର୍ଲ୍ଲଭ ତାକୁ ମୁଁ ଦେଖିବା କେବଳ ଆପଣଙ୍କ କୃପାଯୋଗୁଁ ସମ୍ଭବ ହୋଇଛି । ଏବେ ମୋତେ ଆଜ୍ଞା ଦିଅନ୍ତୁ, ମୁଁ ଆପଣଙ୍କ ଲୀଳା ମାଧୁରୀକୁ ଗାନ କରିକରି ସମସ୍ତ ଲୋକରେ ଭ୍ରମଣ କରିବି ।

ଦେବର୍ଷି ଯିବାପାଇଁ ବାହାରିଲେଣି ଦେଖି ଭଗବାନ ଶ୍ରୀକୃଷ୍ଣ କହିଲେ, ହେ ବ୍ରହ୍ମନ୍ ! ମୁଁ ଧର୍ମର ପ୍ରବକ୍ତା । ଧର୍ମର କର୍ତ୍ତା ଓ ଅନୁମୋଦନକାରୀ। ଲୋକ ଶିକ୍ଷା ପାଇଁ ମୁଁ ଏସବୁ କାର୍ଯ୍ୟ କରିଚାଲୁଛି। ଆପଣ ଏହା ଦେଖି ଭ୍ରମିତ ହୁଅନ୍ତୁନାହିଁ ।

ଭଗବାନଙ୍କ ଅବତାର ହେଲେବି ଲୋକଶିକ୍ଷାପାଇଁ ସେ ସମସ୍ତ ଦୈନନ୍ଦିନ କାର୍ଯ୍ୟ ଯଥା ଦାନ, ଧ୍ୟାନ, ସେବା, ପୁଜା, ଆରାଧନା, ସାମାଜିକ ବ୍ୟବସ୍ଥା ଓ ଶାସନ ବ୍ୟବସ୍ଥା ପ୍ରତି ଧ୍ୟାନ ଦେଉଥିଲେ । ଶ୍ରଦ୍ଧାର ସହ ଭଗବାନ ଶ୍ରୀକୃଷ୍ଣ ଧର୍ମ, ଅର୍ଥ, କାମାଦି ତ୍ରିବିଧ ପୁରୁଷାକ୍ତଧର୍ମ କିପରି ପାଳନ କରୁଛନ୍ତି ତାହା ଦର୍ଶନ କାରି ନାରଦ ଅତ୍ୟନ୍ତ ପ୍ରୀତ ହେଲେ ଓ ଉପଯୁକ୍ତ ସତ୍କାରପାଇ ଶ୍ରୀକୃଷ୍ଣଙ୍କ ଠାରୁ ବିଦାୟ ଘେନି ପ୍ରସ୍ଥାନକଲେ। ନାରଦଙ୍କ ପ୍ରସ୍ଥାନକୁ ଭାଗବତକାର ଅତିବଡ଼ି ଜଗନ୍ନାଥ ଦାସ ଚମତ୍କାର ଭାବେ ବର୍ଣ୍ଣନା କଲେ:-

କୃଷ୍ଣର ଗୃହମେଧି କର୍ମ ।
ଯେ ନିତ୍ୟ ଧର୍ମ ଅର୍ଥ କାମ ।।
ଦେଖି ଚକିତ ଭାବ ବହି ।
ତକ୍ଷଣେ କୃଷ୍ଣ ଆଜ୍ଞା ପାଇ ।।
କୃଷ୍ଣ ଚରିତ ମନେ ସ୍ମରି ।
ଗଲେ ନାରଦ ବ୍ରହ୍ମଚାରୀ ।।

!!! ଓଁ ଗୋବିନ୍ଦାୟ ନମଃ !!!
🙏🙏🙏

ଅର୍ଜୁନୀ ଚରଣ ବେହେରା
ମୋ – ୭୬୯୩୦୯୧୯୭୧


Share it

Leave a comment

Your email address will not be published. Required fields are marked *

Verified by MonsterInsights