ଏଇ କିରେ ସ୍ୱାଧୀନତା ?

Share it

ଏଇ କିରେ ସ୍ୱାଧୀନତା ?
– ସୁରେନ୍ଦ୍ର ପାତ୍ର
———

ତ୍ରିରଙ୍ଗା ଉଡ଼ାଇ ଭାଷଣ ଝାଡିଲେ
ଚାରିଶବିଶ୍ ନେତା,
ନିଜକୁ ପଚାରେ ଭାରତବର୍ଷ
ଏଇ କିରେ ସ୍ୱାଧୀନତା ?

ଯାହା ଝାଳନାଳେ ଚମକନ୍ତି ନେତା
ଜର୍ଜର ତା’ର ସ୍ଥିତି,
ହତଭାଗ୍ୟ ସେ ଦୁଃଖୀ ଭାରତୀୟ
ଗଣୁଥାଏ ‘ମୁଦ୍ରାସ୍ଫିତି’ ।

କଳାଟଙ୍କାର ପାହାଡ ବଢିଛି
ବଢିଅଛି କୋଠାଘର,
ଅମଲା ବଢିଛି, ଟିଙ୍କ ସାଜିଛି
ଠିକାଦାର,ବିଲ୍ଡର ।

ସୁନା ଦୋକାନର ସଂଖ୍ୟା ବଢିଛି
ବଢିଛି ଠକେଇ ବାଟ,
ବିରୋଧୀଏ ଏଠି କାଗଜର ବାଘ
ଦଲାଲ୍ କରୁଛି ନାଟ ।

ହତ୍ୟା ବଢିଛି, ଲୁଟ୍ ବଢିଛି,
ବଢିଛି ଆତ୍ମହତ୍ୟା,
ହୋଟେଲ ବଢିଛି, ନିଶାତ ବଢିଛି,
ମରଣ ହୋଇଛି ଶସ୍ତା ।

ରୋଜଗାର ନାହିଁ, ଭଲଗାର ଚାଲେ
ସ୍ୱରୋଜଗାରର ନାମେ,
ଦାଦନ ଟା ଆମ ବଡ଼ ପରିଚୟ,
‘ଦକ୍ଷିଣେ’ ଥାଉ କି ‘ବାମେ’ ।

ଅଶୀ ବରଷକୁ ବଂଚିଲେ ଆମେ
ପାଇବୁ ସର୍କାରୀ ଭତ୍ତା,
ସେଥିରୁ ପାଆଁଶ କାଟି ନେଇଯିବ
ଟାଉଟର, କୁଜିନେତା ।

ହିସାବ କରିଛ କାହିଁକି ବଢୁଛି
ଏ ଦେଶରେ ଅପରାଧ,
ଲାଂଚୁଆ କିଆଁ ପ୍ରଶାସକ ଏଠି,
ଭୁଆଁ ବିରାଡିକୁ ଓଧ ?

ଅଙ୍ଗନ ବାଡି ଦିଦିକୁ ମାଗୁଛି
ଦେଢଲକ୍ଷ ଅଫିସର୍,
ତମ ମଦମନ୍ତ୍ରୀ ସମ୍ପତ୍ତି ବଢୁଛି
ନିଶାରେ ମଣିଷ ପାର୍ ।

ନେତାଙ୍କ ହସରେ ଗୋଲାପ ଫୁଟୁଛି
ମଣିଷକୁ ଖାଏ ଉଇ,
ପୁଅ ବିକେ ଏଠି ବାପର କିଡନୀ,
ଭାଇକୁ ହାଣୁଛି ଭାଇ ?

କାହିଁକି ବିକୁଛି ମାଆଟିଏ ତାର
ଛୁଆକୁ ଆଉ କା ହାତେ,
ମରଣ ଖୋଜୁଛି ଜିଅନ୍ତା ମଣିଷ
ଆଦ୍ୟ ଜୀବନ ପ୍ରାନ୍ତେ ?

ଠକେଇ ବିଶ୍ୱାସୀ ନେତା କହ
ତତେ ପଚାରେ ଭାରତମାତା
ଭାରତୀୟ ମୁହେଁ ହସ ଫୁଟେ ନାହିଁ
ଏଇ କିରେ ସ୍ୱାଧୀନତା ???


– ସୁରେନ୍ଦ୍ର ପାତ୍ର


Share it

Leave a comment

Your email address will not be published. Required fields are marked *

Verified by MonsterInsights