ଉତ୍କଳ ଅସ୍ମିତାର ପ୍ରତୀକ ଭଣ୍ଡଗଣପତି

Share it

26th July 2024

ଗଣପତି ବା ଗଣେଶଙ୍କର ବହୁତ ରୂପ ଅଛି । ଶାସ୍ତ୍ର ମାନଙ୍କରେ ଏ ସବୁର ବର୍ଣ୍ଣନା ରହିଛି । ତା ଭିତରେ ସବୁ ଠାରୁ ଅଧିକ ଶ୍ରୀମୁଦଗଲ ପୁରାଣରେ ଦ୍ୱାତ୍ରିଂଶ ଗଣପତିଙ୍କ ବର୍ଣ୍ଣନା ରହିଛି। ଗଣେଶଙ୍କ କେତେକ ମୂର୍ତ୍ତିରେ ସେ ନିଜ କୋଳରେ ଜଣେ ଦେବୀଙ୍କୁ ଧରି ଥିବା ଦେଖାଯାଏ। ଏହି ବିଗ୍ରହ ହେଉଛନ୍ତି ବତିଶ ଗଣପତିଙ୍କ ଭିତରୁ ଗୋଟିଏ । ଏ ଗଣପତି ଉଚ୍ଛିଷ୍ଟ ଗଣପତି, ଭଣ୍ଡ ଗଣପତି, କାମୋଦା ଗଣପତି ଆଦି ନାମରେ ପରିଚିତ । ସାଧାରଣତ ଦକ୍ଷିଣ ଭାରତରେ ଏଭଳି ବିଗ୍ରହ ପରିଦୃଶ୍ୟ ହୁଏ। କାମୋଦା ବା ଭଣ୍ଡ ଗଣପତିଙ୍କ ଧ୍ୟାନ ମନ୍ତ୍ର ହେଲା :-

ମହାକାୟଧରଂ ଦେବଂ
ବିଘ୍ନେଶଂ ବିଘ୍ନ ନାଶକମ୍
ପରଶୁମାଳିକାହସତଂ
ନିଜ ଲିଙ୍ଗାଗ୍ରମର୍ଦକଂ ।।
କ୍ରୋଡେ ସିଦ୍ଧି ମହାଦେବୀମ୍
ଆଲିଜ୍ଞ ଵପୁରାୟତମ୍
ଉଦଣ୍ଡବିଗ୍ରହଂ ବନ୍ଦେ
ଶୁଣ୍ଢୀନଂ ସିଦ୍ଧି ଦାୟକମ୍ ।।

ଏହି ଭଣ୍ଡ ଗଣପତିଙ୍କ ବିଷୟରେ ଏକ ଚମତ୍କାର କିମ୍ବଦନ୍ତୀ ରହିଛି। ଉତ୍କଳର ଗଜପତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟସେବକ ରାଜା ପୁରୁଷୋତ୍ତମ ଦେବଙ୍କ କାଞ୍ଚି ଅଭିଯାନ କଥା ସମସ୍ତଙ୍କୁ ଜଣା। କାଞ୍ଚିରାଜ ସାଲ୍ୱ ନରସିଂହ ଦେବ ଅତ୍ୟନ୍ତ ଔଦ୍ଧତ୍ୟ ସହକାରେ ନିଜ କନ୍ୟା ରୁପାମ୍ବିକା ବା ପଦ୍ମାବତୀଙ୍କୁ ଚଣ୍ଡାଳକାର୍ଯ୍ୟ କରୁଥିବା ଉତ୍କଳରାଜା ପୁରୁଷୋତ୍ତମ ଦେବଙ୍କ ସହ ବିବାହ ଦେବେନାହିଁ କହି ଅପମାନିତ କଲେ। ଅପମାନର ପ୍ରତିଶୋଧ ନେବା ପାଇଁ ଦୁଇ ରାଜ୍ୟ ମଧ୍ୟରେ ପ୍ରବଳ ଯୁଦ୍ଧର ସୂତ୍ରପାତ ହେଲା । କାଞ୍ଚି ରାଜ୍ୟ ଏକ ସମୃଦ୍ଧ ରାଜ୍ୟ ଥିଲା ଏଣୁ ପ୍ରଥମ ବାର ଯୁଦ୍ଧରେ ତାଙ୍କ ସୈନ୍ୟ ମାନେ ଜିତିବା ଆଶା ନେଇ ବଡ଼ ଉତ୍ସ।ହର ସହକାରେ ଯୁଦ୍ଧ କରୁଥାନ୍ତି ।

କିଛିଦିନ ଯୁଦ୍ଧପରେ ସେମାନେ ଦେଖିଲେ ଯେତେ ସୈନ୍ୟ ବଧ କଲେ ସୁଦ୍ଧା ଉତ୍କଳର ସେନା ସଂଖ୍ୟା କମୁନାହିଁ ଏବଂ ସେମାନଙ୍କର ଜୟଲାଭ ପ୍ରତିହତ ହେଉଛି । କାଞ୍ଚିର ଆରାଧ୍ୟ, ଗଣପତିଙ୍କୁ ଧ୍ୟାନ କରି କାଞ୍ଚିରାଜା ଜାଣି ପାରିଲେ ମାଆ ଜୟଦୁର୍ଗା ଉତ୍କଳ ଗଜପତିଙ୍କୁ ସହାୟତା ଦେଉଛନ୍ତି। ତେଣୁ ଯେତେ ସୈନ୍ୟ ସଂହାର କଲେ ମଧ୍ୟ ସୈନ୍ୟ ସଂଖ୍ୟା କମୁ ନାହାଁନ୍ତି କାରଣ ମାଆ ଦୁର୍ଗା ତାଙ୍କଠାରୁ ପୁନଃ ପୁନଃ ସୈନ୍ୟ ମାନଙ୍କୁ ଜନ୍ମ ଦେଉଛନ୍ତି ।

ପ୍ରଭୁ ଗଣପତିଙ୍କୁ ଏହାର ପ୍ରତିକାର ପ୍ରାର୍ଥନା କଲାରୁ କାଞ୍ଚିରାଜଙ୍କ ଭକ୍ତିରେ ସନ୍ତୁଷ୍ଟ ହୋଇ ଗଣପତି ତାଙ୍କ ଶୁଣ୍ଢରେ ମାଆ ଜୟଦୁର୍ଗାଙ୍କ ଭଗ ଦ୍ୱାରକୁ ବନ୍ଦ କରି ଦେଲେ । ଏହାଫଳରେ ପ୍ରଥମ ବାର ଏହି ଯୁଦ୍ଧରେ କାଞ୍ଚିର ବିଜୟ ହୋଇଥିଲା । ପରାଜିତ ଗଜପତି ପୁରୁଷୋତ୍ତମ ଦେବ, ଶ୍ରୀଜଗନ୍ନାଥଙ୍କ ଶରଣାଗତ ହୋଇ ଦ୍ୱିତୀୟ ବାର ଯୁଦ୍ଧରେ ତାଙ୍କୁ ପରାସ୍ତ କରି ଥିଲେ ଯେଉଁଥିରେ ସ୍ୱୟଂ ଜଗନ୍ନାଥ,ବଳଭଦ୍ର ଦୁଇ ଭାଇ ଧଳା ଓ କଳା ଘୋଡା ଚଢି ଉତ୍କଳ ରାଜାଙ୍କ ତରଫରୁ ସୈନିକ ହୋଇ ଯୁଦ୍ଧ ଭୁମିରେ ଅବତୀର୍ଣ୍ଣ ହୋଇଥଲେ । ଏହି ବିଜୟ ପରେ, ଗଜପତି କାଞ୍ଚି ରାଜ୍ୟରୁ ବିପୁଳ ଧନ ସମ୍ପତ୍ତି, ରାଜଜେମା ରୂପଶ୍ରୀ ରୁପାମ୍ବିକାଙ୍କ ସହ କାଞ୍ଚିରାଜ୍ୟର ଆରାଧ୍ୟ ଗଣପତି, ମାଆ ତାରିଣୀ ତଥା ଗୋପାଳଙ୍କ ବିଗ୍ରହ ଉତ୍କଳକୁ ଘେନି ଆସିଲେ ।

କେନ୍ଦୁଝରର ରାଜା ଗୋବିନ୍ଦଭଞ୍ଜ ଏହି ଯୁଦ୍ଧରେ ସହାୟତା କରିଥିବାରୁ ମା ତାରିଣୀଙ୍କୁ ଉପହାରସ୍ୱରୂପ ତାଙ୍କ ରାଜ୍ୟକୁ ନେଇଗଲେ । ଏହି ଐତିହାସିକ ଘଟଣା ଓ କିମ୍ବଦନ୍ତୀର ସ୍ମାରକୀରୁପେ ଘଟଗାଁରେ ମାଆ ତାରିଣୀ, ସତ୍ୟବାଦୀରେ ସାକ୍ଷୀ ଗୋପାଳ ଓ ଶ୍ରୀମନ୍ଦିର ବେଢ଼ାରେ ଗଣେଶ ବିଜେ କରୁଛନ୍ତି । ଶ୍ରୀମନ୍ଦିର ପଛକୁ ଏକ କ୍ଷୁଦ୍ର ମନ୍ଦିରରେ ବିରାଜମାନ କରୁଥିବା ଗଣେଶ ହେଉଛନ୍ତି ଦକ୍ଷିଣୀ ରାଜ୍ୟ କାଞ୍ଚିରୁ ଆନୀତ ବିଗ୍ରହ ଓ ଉତ୍କଳ ଅସ୍ମିତାର ପ୍ରତୀକ କାଞ୍ଚି ଗଣେଶ । ସେ କାଞ୍ଚି ରାଜାଙ୍କୁ ତ୍ୟଗ କରି ବା ଭଣ୍ଡି ଉତ୍କଳକୁ ଚାଲି ଆସିଥିବାରୁ ତାଙ୍କର ଅନ୍ୟ ନାମ ଭଣ୍ଡ ଗଣପତି ।

!!! ଓଁ ଗଣପତୟେ ନମଃ !!!
🙏🙏🙏

ଅର୍ଜୁନୀ ଚରଣ ବେହେରା
ମୋ – 7693091971


Share it

Leave a comment

Your email address will not be published. Required fields are marked *

Verified by MonsterInsights