ଉଜୁଡା ଐତିହ୍ୟର ମୁକସାକ୍ଷୀ ‘ରଣପୁର ରାଜବାଟୀ’

Share it


ଦି ପଦ ଅତୀତ
21st August 2024

ଉଜୁଡା ଐତିହ୍ୟର ମୁକସାକ୍ଷୀ ‘ରଣପୁର ରାଜବାଟୀ’ _____________________________________
ପ୍ର.ବିଜୟ କୁମାର ଜେନା

(ଅବସରପ୍ରାପ୍ତ ପ୍ରାଧ୍ୟାପକ)
‘ରାଜନୀତି ବିଜ୍ଞାନ ବିଭାଗ’
ଶାମୁକା ସାହି, ରଣପୁର, ନୟାଗଡ଼
ଦୂରଭାଷ:୯୯୩୭୪୮୬୧୮୩

ସମୟ ଥିଲା ରଣପୁର ଏକ ସର୍ବ ପ୍ରାଚୀନ ଗଡଜାତ ଅଞ୍ଚଳର ମାନ୍ୟତା ପାଇଥିଲା। ଓଡ଼ିଶାର ୨୬ଗୋଟି ଗଡ଼ଜାତ ଅଞ୍ଚଳ ମଧ୍ୟରେ ଏହାର ସ୍ଥାନ ସ୍ଵତନ୍ତ୍ର ଥିଲା। ସେ ସମୟ ଆଉ ନାହିଁ;ମହାକାଳର ସୁଅରେ ଭାସି ଯାଇଛି। ଇତିହାସ ପୃଷ୍ଠା ତାହାକୁ ସ୍ଥାନିତ କରିଛି।ପୁନଶ୍ଚ ଆହୁରି ତିନୋଟି ଗୁରୁତ୍ୱ ପୂର୍ଣ୍ଣ ଘଟଣା ପାଇଁ ରଣପୁର କେବଳ ଦେଶରେ ନୁହେଁ , ବରଂ ଆନ୍ତର୍ଜାତୀୟ ସ୍ତରରେ ପରିଚୟ ସୃଷ୍ଟି କରି ପାରିଥିଲା। ବ୍ରିଟିଶ୍ ଶାସନ କାଳରେ ୧୯୩୯ମସିହା ଜାନୁୟାରୀ ୫ତାରିଖ(ପୌଷ ପୂର୍ଣ୍ଣିମା), ୧୯୪୧ ମସିହା ଅପ୍ରେଲ ୪ତାରିଖ ଓ ଭାରତ ସ୍ଵାଧିନତା ପାଇବା ପରେ ଅର୍ଥାତ୍ ତା,୧/୧/୧୯୪୮ ରିଖ ରଣପୁର ନିଜର ଭିନ୍ନ ଧରଣର ପରିଚୟ ସୃଷ୍ଟି କରି ଜନମାନସକୁ ଆଲୋଡ଼ିତ କରିଥିଲା। ଏହି ତିନୋଟି ଘଟଣା ହେଉଛି ମହାର୍ଘ୍ୟ ଅତୀତର ସ୍ମରଣୀୟ ଘଟଣା। ପ୍ରତ୍ୟେକ ଘଟଣାର ମୁକ ସାକ୍ଷୀ ହେଉଛି ରଣପୁର ରାଜବାଟୀ। ତାହା ଆଜି ଜରାଜୀର୍ଣ୍ଣ ଅବସ୍ଥାରେ ଦଣ୍ଡାୟମାନ ହୋଇ ଅତୀତକୁ ମନେ ପକାଇ ଦେଉଛି। ପୁରୁଣା ରାଜବାଟି, ଯାହା ତଳ ମଣିନାଗ ପାଦ ଦେଶରେ ଥିଲା ତାହା ଆଉ ନାହିଁ। ଏବର ରାଜବାଟୀ ଯାହା ରଣପୁରର ମଧ୍ୟ ସ୍ଥଳରେ ଅଛି ଓ ତାହାର ଆନୁମାନିକ ବୟସ ତିନି ଶହରୁ ଉର୍ଦ୍ଧ୍ବ ହେବ ଏବଂ କେତେ କେତେ ରାଜା ରାଣୀଙ୍କୁ ନିଜ କୋଳରେ ଧରି ଗଡ଼ଜାତ ଶାସନର ମଙ୍ଗୁଆଳ ସାଜିଥିଲା। କର୍ପୁର ଉଡ଼ି ଯାଇଛି ସତ ହେଲେ କନା ଖଣ୍ଡେ ପଡ଼ି ରହିଛି।

⚫୧୯୩୯ ମସିହା ଜାନୁଆରୀ ୫ତାରିଖ:-

ସେଦିନ ଥିଲା ୧୯୩୯ ମସିହା, ଜାନୁଆରୀ ୫ତାରିଖ ପୌଷ ପୂର୍ଣ୍ଣିମା। ଫିରିଙ୍ଗି ସେନାର ଅତ୍ୟାଚାର ଶାସନ ବିରୁଦ୍ଧରେ ରଣପୁର ରାଜବାଟୀ ସାମ୍ନାରେ ପ୍ରଜା ମଣ୍ଡଳର ଏକ ଜନ ଆନ୍ଦୋଳନ ଚାଲିଥିଲା ଶହ ଶହ ସ୍ଵାଧୀନ ମନା ରଣପୁର ଗଡଜାତର ପ୍ରଜାମାନଙ୍କୁ ନେଇ। ଉକ୍ତ ସଭାରେ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ାଙ୍କ ଠାରୁ ଓଜସ୍ଵିନୀ ଓ ଉତ୍ତେଜିତ ଭାଷଣ ଶୁଣିବାକୁ ମିଳେ। କୃପାସିନ୍ଧୁଙ୍କୁ ତୁରନ୍ତ ମୁକ୍ତ କରାଅ ନାରାରେ ରାଜବାଟୀ ପ୍ରକମ୍ପିତ ହୁଏ। ପ୍ରଜାଙ୍କ ଉପରେ ହେଉଥିବା ଜୁଲମ, ଶୋଷଣ ବନ୍ଦ କର!!ନିର୍ଯ୍ୟାତନା ବନ୍ଦ କର!!!ଏହି ନାରାରେ ମଣିନାଗ ପର୍ବତ ମଧ୍ୟ ଗୁଞ୍ଜରିତ ହେଉଥିଲା। ଲୋକମାନେ ନିଜର ହକ୍ ଓ ସ୍ଵାଧୀନତା ପାଇଁ ରାଜା ଓ ବ୍ରିଟିଶ୍ ମାନଙ୍କ ମନମୁଖୀ ଶାସନ ବିରୁଦ୍ଧରେ ସ୍ବର ଉତ୍ତୋଳନ କରି ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିଲେ। ଲୋକମାନେ ଯେ କୌଣସି କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହୋଇ ରହୁ ଥିବାର ଅନୁମାନ କରାଯାଉ ଥିଲା। ଲୋକଙ୍କର ଏଭଳି ଆଚରଣ ଓ ବ୍ୟବହାର ଦେଖି ତତ୍କାଳୀନ ଦେବାନ ଚଣ୍ଡେଶ୍ୱର ମିଶ୍ର ଭୟଭୀତ ହୋଇ ନୟାଗଡ଼ରେ ଅବସ୍ଥାନ କରୁଥିବା ବ୍ରିଟିଶ୍ ପଲିଟିକାଲ୍ ଏଜେଣ୍ଟ ମେଜର୍ ବେଜେଲଗେଟଙ୍କ ନିକଟକୁ ଗୁପ୍ତରେ ଏ କଥା ଜଣାଇ ହସ୍ତକ୍ଷେପ କରିବାକୁ ନିମନ୍ତ୍ରଣ କଲେ।
ସେତେବେଳେ ରଣପୁର ଗଡଜାତର ରାଜା ଥା’ନ୍ତି କୃଷ୍ଣ ଚନ୍ଦ୍ର ନରେନ୍ଦ୍ର। ପକ୍ଷାଘାତରେ ସଂକ୍ରମିତ ଥିବାରୁ ତାଙ୍କୁ ଛୋଟା ରାଜା ବୋଲି କୁହାଯାଏ। ଜଗନ୍ନାଥ ମହାନ୍ତିଙ୍କ ପରେ ଦେବାନ୍ ହୋଇଥିଲେ ଚଣ୍ଡେଶ୍ୱର ମିଶ୍ର। ସେ ପ୍ରଜାମାନଙ୍କ ଆଗରେ ରାଜାଙ୍କର ଏକ ଘୋଷଣା ନାମାକୁ ପାଠ କରି ଶୁଣାଇଲେ, ଯେଉଁଥିରେ ସେମାନଙ୍କୁ କିଛି କିଛି ସ୍ଵାଧୀନତା ଦିଆ ଯାଇଥିଲା। କିନ୍ତୁ ଏଥିରେ ପ୍ରଜାମଣ୍ଡଳ ଆଦୌ ରାଜି ପଡ଼ି ନଥିଲା। ସେଥିପାଇଁ ଦେବାନ ଚଣ୍ଡେଶ୍ୱର ମିଶ୍ର ବଡ ସମସ୍ୟାରେ ପଡିଗଲେ। ସେ ଭାବିଲେ ଯେ ଯଦି ସଭା ସମିତି ବନ୍ଦ ନ ହୁଏ, ତେବେ ପ୍ରଜାମଣ୍ଡଳର ଆନ୍ଦୋଳନ ସର୍ବତ୍ର ବ୍ୟାପିଯିବ। ପ୍ରଜାମଣ୍ଡଳ ମଧ୍ୟ ବ୍ରଜରାଜ ପୁର ଠାରେ ଏକ ବଡ଼ ଧରରଣର ସଭାରେ ମିଳିତ ହୋଇଥିଲେ। ସେହି ସଭାରେ କୃପାସିନ୍ଧୁ, ରଘୁନାଥ ଏବଂ ଦିବାକର ଉପସ୍ଥିତ ରହି ପରିସ୍ଥିତିକୁ ସାମ୍ନା କରିଥିଲେ। ରାଜା କୃଷ୍ଣଚନ୍ଦ୍ର ଦେବାନ ଙ୍କ ମାଧ୍ୟମରେ ବୌଦ୍ଧ ରାଜ୍ୟରୁ ପୋଲିସ ଫୋର୍ସ ମଗାଇ ଏହି ନେତା ମାନଙ୍କୁ ଗିରଫ କରିବା ପାଇଁ ବ୍ରଜରାଜ ପୁର ଗ୍ରାମକୁ ପଠାଇଲେ। ବୌଦ୍ଧରୁ ଆସିଥିବା ପୋଲିସ ଫୋର୍ସ ବାଙ୍କପୁର ଓ ହିଞ୍ଜଳଗାଡିଆ ଗ୍ରାମର ସରୁ ନାଳ ରାସ୍ତା ଦେଇ ବ୍ରଜରାଜ ପୁର ଠାରେ ପହଞ୍ଚିଲେ। ରଘୁନାଥ ମହାନ୍ତି, ଦିବାକର ପରିଡ଼ାଙ୍କ ସମେତ କିଛି ପ୍ରଜାମଣ୍ଡଳ କର୍ମୀ ନିକଟସ୍ଥ ପାହାଡ ଆଡ଼କୁ ଫେରାର ହୋଇଗଲେ। କୃପାସିନ୍ଧୁ ମିଶ୍ର ଓ ସଭାରେ ଉପସ୍ଥିତ ଥିବା ଅନ୍ୟ ୧୨ଜଣ କର୍ମୀଙ୍କୁ ପୋଲିସ୍ ଫୋର୍ସ ଗିରଫ କରି ନେଇଥିଲେ

⚫ବେଜେଲଗେଟ ହତ୍ୟାକାଣ୍ଡ:-

ବେଜେଲଗେଟ୍ ହେଉଛନ୍ତି ବ୍ରିଟିଶ ଆର୍ମିର ଜଣେ ଦୂର୍ଦ୍ଧଶ ମେଜର୍। ସେ ପଲିଟିକାଲ୍ ଏଜେଣ୍ଟ୍ ଭାବରେ କାର୍ଯ୍ୟ କରୁଥିଲେ ଏବଂ ସେଣ୍ଟ୍ରାଲ୍ ପ୍ରେସିଡେନ୍ସି ସମ୍ବଲପୁର ହେଡ୍ କ୍ୱାଟର୍ସରେ ଅବସ୍ଥାନ କରୁଥିଲେ। ଆମ ଦେଶରେ ବ୍ରିଟିଶ ଶାସନ ସମୟରେ ସେମାନେ ଯେପରି ଦୀର୍ଘ ଦିନ ଶାସନ କରି ପାରିବେ ସେଥିପାଇଁ ଯାହା କରିବା କଥା ସେ କରୁ ଥିଲେ ଓ କାହାକୁ ଖାତିର କରୁ ନଥିଲେ। କୁହାଯାଏ ବାଜି ରାଉତର ମୃତ୍ୟୁ ପଛରେ ତାଙ୍କର ହାତ ଥିଲା। ଇଟାମାଟି କ୍ୟାମ୍ପରୁ କିଛି ଫୋର୍ସଙ୍କୁ ସାଥିରେ ଧରି ବେଜେଲଗେଟ୍ ରଣପୁର ଯାତ୍ରା କଲେ। ବାଟରେ ଲୋଧାଚୁଆ ଗ୍ରାମ ନିକଟରେ ବଡ ବଡ ଗଛ ଦ୍ଵାରା ପଥ ଅବରୋଧ ଯୋଗୁଁ ଅଟକି ଗଲେ। ଫୋର୍ସଙ୍କୁ ପଠାଇ ନିକଟ ଗ୍ରାମରୁ ଲୋକଙ୍କୁ ଆଣି ରାସ୍ତା ଅବରୋଧ ହଟାଇବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ। ଶେଷରେ ନାଥ ଭୋଳଙ୍କୁ ଧରି ଆଣି ପଚରାଉଚୁରା କଲେ। କିନ୍ତୁ ନାଥ ଭୋଳ ରୋକଠକ ଭାବେ ଏ କଥା କହିବାକୁ ତାଙ୍କୁ ମନା କରାଯାଇଛି ବୋଲି ଶୁଣାଇ ଦେଲେ। ଏହି ପ୍ରକାର ଉତ୍ତରରେ ସାହେବ ରାଗି ଯାଇ ନିଜ ବନ୍ଧୁକର ବାୟୋନେଟରେ ତାଙ୍କୁ ଆଘାତ କରି ସେଠାରେ ପକାଇ ଓ ଫୋର୍ସ ମାନଙ୍କ ଦ୍ଵାରା ରାସ୍ତା ସଫା କରି ରଣପୁର ଅଭିମୁଖେ ଯାତ୍ରା ଆରମ୍ଭ କଲେ।
ପ୍ରଜା ମଣ୍ଡଳର ସାଂଗଠନିକ ସମ୍ପାଦକ ଦିବାକର ପରିଡ଼ା ଏବଂ ସମ୍ପାଦକ ରଘୁନାଥ ମହାନ୍ତି ରାଜବାଟୀ ସାମନାରେ ରାଜାଙ୍କ ଘୋଷଣା ନାମା ସମ୍ପର୍କରେ ଆଲୋଚନା ରତ ଥିବା ସମୟରେ ବେଜେଲଗେଟ୍ ଆସି ପହଁଞ୍ଚିଲେ। ଦେବାନ୍ ମଧ୍ୟ ରାଜାଙ୍କ ଘୋଷଣା ନାମାକୁ ସାହେବଙ୍କୁ ଅବଗତ କରାଇଥିଲେ। ଏତିକି ବେଳକୁ ଗୋଟିଏ ଶଗଡ଼ ଗାଡ଼ିକୁ ଲୋକମାନେ ଟାଣି ଟାଣି ସେଠାରେ ପହଞ୍ଚାଇଲେ। ସେତେବେଳକୁ ରାଷ୍ଟ୍ର ହୋଇ ସାରିଥାଏ ଯେ ସାହେବ ଲୋଧାଚୁଆର ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରିଥିବା ହେତୁ ତାଙ୍କୁ ଶଗଡ଼ ଗାଡ଼ିରେ ଟାଙ୍ଗୀ ଡାକ୍ତର ଖାନା ନେଉଛନ୍ତି। ତେଣୁ ରାଜବାଟୀ ଆଗରେ ବହୁ ଲୋକଙ୍କ ସମାବେଶ ହୋଇଥିଲା। ଏହାର ସତ୍ୟାସତ୍ୟ ଅନୁସନ୍ଧାନ କରିବା ପାଇଁ ସାହେବ ଏକମାତ୍ର ଅଙ୍ଗରକ୍ଷୀଙ୍କୁ ନେଇ ସେଇ ଭିଡ଼ରେ ପଶିଗଲେ। ଶଗଡ଼ ଅଟକାଇବା ପାଇଁ ସାହେବ ଲୋକଙ୍କୁ କହୁଥା’ନ୍ତି କିନ୍ତୁ କେହି ଶୁଣୁ ନ ଥା’ନ୍ତି। ସାହେବ ସେ ଲୋକଟିର ନାଡ଼ି ଓ ହୃଦ ସ୍ପନ୍ଦନରୁ ଅନୁଭବ କଲେ ଯେ ଲୋକଟି ବଞ୍ଚିଛି। ସାହେବ ବୁଝି ପାରୁ ନ ଥା’ନ୍ତି ଯେ ଲୋକେ କାହିଁକି ତାଙ୍କୁ ବଦନାମ୍ କରିବାକୁ ଚାହୁଁଛନ୍ତି। ଏମିତି ଠେଲାପେଲା ଭିତରେ ସାହେବ ଭଣ୍ଡାରି ସାହି ଆଡ଼କୁ ଯାଉଥାନ୍ତି, ଅଙ୍ଗରକ୍ଷୀ ତାଙ୍କ ଠାରୁ ଦୂରେଇ ଗଲେଣି। ଭିଡ଼ ମଧ୍ୟରୁ କେହି ଜଣେ କାନ୍ଦି କାନ୍ଦି କହୁଥିଲେ,ସାହେବ ଆମର ଜଣେ ଲୋକଙ୍କୁ ମାରି ଦେଇଛନ୍ତି। ହଠାତ୍ ବ୍ୟତିବ୍ୟସ୍ତ ହୋଇ ସାହେବ ନିଜ ପିସ୍ତଲରୁ ଗୁଳି ଚଳାଇବାରୁ ସାମନାରେ ଥିବା ମୟୂରଝାଲିଆ ଗ୍ରାମର ଅର୍ଜ୍ଜୁନ ରାଉତଙ୍କ ଛାତିରେ ବାଜିବାରୁ ସେ ସେଠାରେ ଟଳି ପଡ଼ିଥିଲେ। ତାଙ୍କ ତାଜା ରକ୍ତ ଦେଖି ଲୋକେ ଆହୁରି ଉତ୍ୟକ୍ତ ହୋଇପଡିଲେ। ପୁଣି ଠେଲା ପେଲା ବଢ଼ିଗଲା। ସାହେବ ଆଉ ଥରେ ଗୁଳି ଚଳାଇବାକୁ ଉଦ୍ୟମ କଲେ। ଉଦୟନାଥ ନାମକ ଜନୈକ ବ୍ୟକ୍ତି ସାହେବଙ୍କୁ କହୁଣିରେ ଠେସ ମାରିବାରୁ ତାଙ୍କ ହସ୍ତରୁ ପିସ୍ତଲଟି ଖସି ତଳେ ପଡ଼ିଗଲା ଏବଂ ସେ ମଧ୍ୟ ତଳେ ପଡ଼ିଗଲେ। ସାହେବ ଉପାୟ ଶୂନ୍ୟ ହୋଇ ଧାଇଁ ଧାଇଁ ଭଣ୍ଡାରି ସାହିର ବିମ୍ବାଧର ପଢ଼ିଆରିଙ୍କ ଉଚ୍ଚ ବାରଣ୍ଡାରେ ଆଶ୍ରୟ ନେବାକୁ ଚେଷ୍ଟାକଲେ। ସେହି ସମୟରେ ବିମ୍ବାଧର ଘରର ଦ୍ଵାର ବନ୍ଦ କରିଦେଲେ। କିଛି ଉପାୟ ନ ପାଇ ସାହେବ ବିମ୍ବାଧର ପଢ଼ିଆରୀଙ୍କ ଉଚ୍ଚ ବାରଣ୍ଡାରେ ଥିବା ଶଗଡ଼ ଗୁଳା ମଧ୍ୟରେ ମୁଣ୍ଡ ଲୁଚାଇ ଖସିବାକୁ ଚେଷ୍ଟା କଲେ। ତାଙ୍କର ସମସ୍ତ ଉଦ୍ୟମ ଫସର ଫାଟିଗଲା। ଉତ୍ୟକ୍ତ ଜନତାଙ୍କ ଠେଙ୍ଗା ମାଡ଼ରେ ସାହେବଙ୍କ ଏକ ଦୟନୀୟ ମୃତ୍ୟୁ ହେଲା। ଏହି ଘଟଣା ସେ ସମୟରେ ସମଗ୍ର ବିଶ୍ବକୁ ସ୍ତମ୍ଭିଭୂତ କରିଥିଲା।

⚫ ୧୯୪୧ମସିହା ଏପ୍ରିଲ ୪ତାରିଖ:-

ବେଜେଲଗେଟ୍ ହତ୍ୟାକାଣ୍ଡର ରାୟ ୧୯୩୯ମସିହା ଜୁନ୍ ମାସ ୧ତାରିଖ ଦିନ ରଣପୁର ସ୍ପେଶାଲ୍ ସେସନ ଜଜ୍ ଙ୍କ ଦ୍ଵାରା ପ୍ରକାଶିତ ହୋଇଥିଲା। ଏହି ରାୟ ଶୁଣାଇଛନ୍ତି ଯେ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ାଙ୍କୁ ଫାଶୀ ଦଣ୍ଡ ଦିଆଯିବ। ଚିନ୍ତା ନାୟକଙ୍କୁ ମଧ୍ୟ ଫାଶୀ ଦଣ୍ଡ ଦିଆଯିବ। କିନ୍ତୁ ପରବର୍ତ୍ତୀ ସମୟରେ ଚିନ୍ତା ନାୟକ ଫାଶୀ ଦଣ୍ଡରୁ ତାଙ୍କ ବୟସ ଅଧିକ ହେବା ଦୃଷ୍ଟିରୁ ମୁକ୍ତ ହେଲେ। ଯାହା ହାଇକୋର୍ଟଙ୍କ ରାୟ ବଳରେ ଧାର୍ଯ୍ୟ ହୋଇଥିଲା। ଏହି ଖବର ସବୁଆଡେ ପ୍ରଚାର ଓ ରାଷ୍ଟ୍ର ହୋଇ ସାରିଥିଲା। ସମସ୍ତେ ଏହାକୁ ନିନ୍ଦା କରିଥିଲେ। ଆମ ଓଡ଼ିଶା ଓ ଦେଶର କୌଣସି ନେତା ଏହି ଦୁଇ ଜଣ ନୀରିହ ବ୍ୟକ୍ତିଙ୍କୁ ଫାଶୀ ଦଣ୍ଡାଦେଶରୁ ମୁକୁଳାଇ ପାରି ନ ଥିଲେ। ଚିନ୍ତା ନାୟକଙ୍କୁ ଫାଶୀ ଦଣ୍ଡ ବଦଳରେ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇ ଥିଲା। ପରିଶେଷରେ ୧୯୪୧ମସିହା ଏପ୍ରିଲ୍ ମାସ ୪ ତାରିଖ ଦିନ ସୂର୍ଯ୍ୟୋଦୟ ପୂର୍ବରୁ ବିହାରର ଭାଗଲପୁର ଜେଲରେ ରଘୁ ଦିବାକର ଫାଶୀ ପାଇଥିଲେ। ଦୁଇଟି ନୀରିହ ଓ ଦେଶ ତଥା ସମାଜ ପାଇଁ ସମର୍ପିତ ଜୀବନ ଅକାଳରେ ନିର୍ବାପିତ ହୋଇଗଲା।
କେତେ କେତେ ବର୍ଷ ଗଲାଣି ବହି
ରହିଛି ଏବେ କଥା
ରଘୁ ଦିବାକର ପାଇଲେ ଫାଶୀ
ନ ନୁଆଁଇ କେବେ ମଥା।

⚫୧/୧/୧୯୪୮, ଏକ ସ୍ମରଣୀୟ ଦିନ:-

ସମୟ ବଦଳି ଗଲା, ରଘୁ ଦିବାକରଙ୍କ ଫାଶୀ ବ୍ୟର୍ଥ ହୋଇନି, ଦେଶ ସ୍ବାଧୀନ ହେଲା। ରାଜତନ୍ତ୍ରର ବିଲୟ ଘଟିଲା। ଆମ ଦେଶରେ ଗଣତନ୍ତ୍ର ପ୍ରତିଷ୍ଠା ହେଲା। ୧/୧/୧୯୪୮ମସିହା ଦିନ ରଣପୁର ଗଡ଼ଜାତ ଭାରତ ସରକାରଙ୍କ ଶାସନରରେ ସାମିଲ ହେଲା। ଏହିଦିନ ପର୍ଯ୍ୟନ୍ତ ରଣପୁର ଗଡ଼ଜାତରେ ୧୧୦ଜଣ ରାଜା ରାଜୁତି କରି ସାରିଛନ୍ତି। କେତେ କେତେ କୀର୍ତ୍ତିରାଜିର ଅଧିକାରୀ ହୋଇଛନ୍ତି। ସବୁର ମୁକ ସାକ୍ଷୀ ହେଉଛି ଆମ ରଣପୁର ରାଜବାଟୀ ଯାହା ଆଜି ଜରାଜୀର୍ଣ୍ଣ ଅବସ୍ଥାରେ ଅଛି। ଏହାର ସଂରକ୍ଷଣର ନିହାତି ଆବଶ୍ୟକତା ରହିଛି। ଉଜୁଡ଼ା ଐତିହ୍ୟର ମୁକ ସାକ୍ଷୀ ସେ। ଉପର ଲିଖିତ ସମସ୍ତ ଘଟଣା ଓ ଦୁର୍ଘଟଣାର ମଧ୍ୟ ମୁକସାକ୍ଷୀ ହେଇଛି ରଣପୁର ରାଜବାଟୀ।

⚫⚫⚫⚫⚫

ପ୍ର.ବିଜୟ କୁମାର ଜେନା

(ଅବସରପ୍ରାପ୍ତ ପ୍ରାଧ୍ୟାପକ)
‘ରାଜନୀତି ବିଜ୍ଞାନ ବିଭାଗ’
ଶାମୁକା ସାହି, ରଣପୁର, ନୟାଗଡ଼
ଦୂରଭାଷ:୯୯୩୭୪୮୬୧୮୩


Share it

Leave a comment

Your email address will not be published. Required fields are marked *

Verified by MonsterInsights