ଆସୁଛି ହୋଲି – ୧୪ : ଗୋପାଳ ବେଶ

Share it

ଦ୍ୱାଦଶ ବେଶେ ଲଉଡି ଧରି ଆମ୍ଭେ କର
ଅଚ୍ଯୁତ ବୋଇଲେ ଆମ୍ଭେ ହୋଇଲୁ ବାହାର

ଆସୁଛି ହୋଲି – ୧୪
( ଗାଁ ଗହଳର ବୟସ୍କ ଗୋପାଳମାନେ ଦୋଳ ପର୍ବରେ ଗାଉଥିବା ଓଗାଳ ଗୀତ )

୧୧. ଗୋପାଳ ବେଶ …

ଓଗାଳ ପ୍ରଶ୍ନ
ଶୁଣ ହେ ଗୋପାଳ ଭାଇ ପଚାରୁଛି ମୁହିଁ
ଗୋଟି ଗୋଟି କରି ମୋତେ ଦେବ ଯେ ବୁଝାଇ ।

ବହୁତ ଦିନରୁ ମନେ ରହିଅଛି ମୋର
ଗୋପାଳର କେତେ ବେଶ କହିବ ସଭାର ।

କେଉଁ କେଉଁ ବେଶ ହେଲେ ହୁଅନ୍ତି ବାହାର
କେତେ ଗୋଟି ବେଶେ ପୂର୍ଣ୍ଣ ହୁଅଇ ଶରୀର ।

ଏତେକ ବିଚାରି ଭାଇ କହିଦିଅ ବାଛି
ଅଚ୍ଯୁତ ବୋଲନ୍ତି ବେଳ ଉଛୁର ହେଉଛି ।

ଉତ୍ତର

ଶୁଣ ହେ ଗୋପାଳ ଭାଇ ପଚାରିଲ ଯାହା
ଗୋଟି ଗୋଟି କରି ଆମ୍ଭେ କହିଦେବା ତାହା ।

ପ୍ରଥମ ବେଶରେ ଆମ ପୟରେ କଠାଉ
ଦ୍ୱିତୀୟ ବେଶରେ ଆମ୍ଭେ ଶିଂଘା ଧରିଥାଉ ।

ତୃତୀୟ ବେଶରେ ଆମ୍ଭ କଟିରେ କାଛେଟି
ଆଗପଛ ଲମ୍ୱିଥାଏ ଧଣ୍ଡାମାଳ ଗୋଟି ।

ଚତୁର୍ଥ ବେଶରେ ଆମ୍ଭ ନୟନେ କଜ୍ଜଳ
ପଂଚମ ବେଶରେ ଆମ୍ଭ ଗଳେ ଫୁଲମାଳ ।

ଷଷ୍ଠ ବେଶରେ ଆମ୍ଭ କପାଳେ ସିନ୍ଦୁର
ସପ୍ତମ ବେଶରେ ବଂଶୀ ଧରିଥାଉ କର ।

ଅଷ୍ଟମ ବେଶରେ ଆମ୍ଭ କନ୍ଧରେ ପଇତା
ନବମ ବେଶରେ ଆମ୍ଭେ ଧରିଥାଉ ଛତା ।

ଦଶମ ବେଶରେ ଆମ୍ଭ ମଥାରେ ଗୋଚିନା
ଏକାଦଶ ବେଶ ଗୋଟି ଅଟଇ ଫୁଲଣା ।

ଦ୍ୱାଦଶ ବେଶେ ଲଉଡି ଧରି ଆମ୍ଭେ କର
ଅଚ୍ଯୁତ ବୋଇଲେ ଆମ୍ଭେ ହୋଇଲୁ ବାହାର ।।


Share it

Leave a comment

Your email address will not be published. Required fields are marked *

Verified by MonsterInsights