୩୦,ଏପ୍ରିଲ ,୨୦୧୫ ମସିହାରେ ତତ୍କାଳୀନ ବିଜେଡ଼ି ସରକାର ଓଡ଼ିଶା ଆଳୁ ମିଶନ ପ୍ରତିଷ୍ଠା କରିଥିଲେ। ୨୦୧୭-୧୮ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଆଳୁର ଉତ୍ପାଦନ, ଏହାର ପର୍ଯ୍ୟାପ୍ତ ଭଣ୍ଡାରୀକରଣ ଏବଂ ସଠିକ୍ ପରିବହନ କ୍ଷେତ୍ରରେ ରାଜ୍ୟକୁ ସ୍ୱୟଂ ସମ୍ପୁର୍ଣ୍ଣ କରିବା ଆଳୁ ମିଶନର ମୂଳ ଲକ୍ଷ୍ୟ ଥିଲା।
ମାତ୍ର ସରକାରଙ୍କ ଆନ୍ତରିକତା ଅଭାବ ଯୋଗୁଁ ଏହି ମିଶନ ବିଫଳ ହେଲା ବୋଲି ଖୋଦ ବିଧାନ ସଭାରେ ମନ୍ତ୍ରୀଙ୍କ ଉତ୍ତର ଏବଂ ସିଏଜିଙ୍କ ଅଡିଟ ରିପୋର୍ଟରୁ ଜଣାପଡିଛି। କୃଷି ବିଭାଗ ଅଧିନରେ ଥିବା ଏହି ମିଶନ ଏହାର ମୌଳିକ ଲକ୍ଷ୍ୟ ସାଧନରେ ବିଫଳ ହେବା ଘୋର ପରିତାପର ବିଷୟ।
୨୦୧୯ ମସିହା ଆର୍ଥିକ ବର୍ଷ ଅଡିଟ୍ ରିପୋର୍ଟରେ ସିଏଜି ଦର୍ଶାଇଛନ୍ତି ଯେ ୨୦୧୫-୧୬ ରୁ ୨୦୧୭-୧୮ ମସିହାରେ ସରକାର ମୋଟ ୧୩୦ କୋଟି ଟଙ୍କା ବଜେଟରେ ଆର୍ଥିକ ପ୍ରାବଧାନ ରଖିଥିଲେ ମଧ୍ୟ ଏହି ସମୟ ମଧ୍ୟରେ ଆଳୁ ମିଶନ୍ ଧାର୍ଯ୍ୟ ଲକ୍ଷ୍ୟର ମାତ୍ର ଶତକଡା ୨୦.୦୫ ଭାଗ ଅର୍ଥାତ୍ ୨୬.୬୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ସମର୍ଥ ହୋଇଛି।
ସେହିପରି ଏହି ଧାର୍ଯ୍ୟ ସମୟ ସୀମା ମଧ୍ୟରେ ରାଜ୍ୟରେ ୫୫ଟି ଶୀତଳ ଭଣ୍ଡାର ପ୍ରତିଷ୍ଠା ହେବାକୁ ଲକ୍ଷ୍ୟ ଥିବା ସମୟରେ ସରକାର ମାତ୍ର ୨୧ଟି ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବାରେ ସମର୍ଥ ହୋଇଛନ୍ତି, ଯାହା ଧାର୍ଯ୍ୟ ଲକ୍ଷ୍ୟର ମାତ୍ର ଶତକଡା ୪୧.୮୧ ଭାଗ।
ତତ୍କାଳୀନ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ ବିଧାନ ସଭାରେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରଶ୍ନର ଉତ୍ତରରେ ସ୍ୱୀକାର କରିଛନ୍ତି ଯେ ଆଳୁ ମିଶନ ୨୦୧୫ ମସିହାରେ ପ୍ରତିଷ୍ଠା କରାଯାଇଥିଲେ ମଧ୍ୟ ମିଶନ ଫେଲ୍ ମାରିଛି।
୨୦୨୦-୨୧ ଆର୍ଥିକ ବର୍ଷରେ ୨୬୦୦୦ ହେକ୍ଟର ଜମିରେ ୩.୦୯ ଲକ୍ଷ ମେଟ୍ରିକ୍ ଟନ୍ ଆଳୁ ଉତ୍ପାଦନ ଲକ୍ଷ୍ୟ ରଖାଯାଇଥିଲା। ମାତ୍ର ଏବେ ଆମ ରାଜ୍ୟରେ ମାତ୍ର ୧୫୦୦୦ ହେକ୍ଟର ଜମିରେ ଆଳୁ ଚାଷ ହେଉଛି ଏବଂ ବାର୍ଷିକ ଧାର୍ଯ୍ୟ ଲକ୍ଷ୍ୟ ୨.୦୫ ଲକ୍ଷ ମେଟ୍ରିକ୍ ଟନ୍ ରହିଛି।
ଆମ ରାଜ୍ୟରେ ଏବେ ହେକ୍ଟର ପିଛା ଆଳୁ ଉତ୍ପାଦନ ୧୬.୪୬ ମେଟ୍ରିକ୍ ଟନ୍ ରହିଛି, ମାତ୍ର ଜାତୀୟ ସ୍ତରରେ ଏହି ଉତ୍ପାଦନ ହେକ୍ଟର ପିଛା ୨୨.୭୬ ମେଟ୍ରିକ୍ ଟନ୍ ରହିଛି।
ସାରା ଭାରତରେ ଉତ୍ତର ପ୍ରଦେଶ ଏଭଳି ଏକ ରାଜ୍ୟ ଯାହା ସମଗ୍ର ଭାରତରେ ଯେତିକି ଆଳୁ ଉତ୍ପାଦନ ହୁଏ ସେଠରେ ତାହାର ୩୦ ଭାଗ ଉତ୍ପାଦନ ହୁଏ।
ଆମ ରାଜ୍ୟରେ ବାର୍ଷିକ ଆଳୁ ଆବଶ୍ୟକତା ପ୍ରାୟ ୧୨ ଲକ୍ଷ ମେଟ୍ରିକ୍ ଟନ୍ ରୁ ଉର୍ଦ୍ଧ୍ବ। ମାତ୍ର ୨୦୨୦-୨୧ ଆର୍ଥିକ ବର୍ଷ ସୁଦ୍ଧା ଆମର ଆଳୁ ଉତ୍ପାଦନ ମୋଟ ଆବଶ୍ୟକତାର ମାତ୍ର ଚାରି ଭାଗରେ ସୀମିତ ରହିଛି।
ଏବେ ଓଡ଼ିଶାରେ ମୋଟ ୪୯ଟି ଶୀତଳ ଭଣ୍ଡାର କାର୍ଯ୍ୟ କରୁଛି। ଏବେ ସୁଦ୍ଧା ୧୩ଟି ଜିଲ୍ଲାରେ କୌଣସି ଶୀତଳ ଭଣ୍ଡାର ନାହିଁ।
ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ, ଏହାର ମାଟି ଉର୍ବର ଏବଂ ଆଳୁ ଉତ୍ପାଦନ ନିମନ୍ତେ ସର୍ବୋତ୍କୃଷ୍ଟ। ଆମର ଚାଷୀଭାଇ ଖୁବ୍ ପରିଶ୍ରମୀ। ସରକାରଙ୍କ ନିକଟରେ ଆଜିର ସମୟରେ ଅର୍ଥର ଅଭାବ ନାହିଁ। ଗୋଟିଏ ଅଭାବ ଆମର ଦୃଢ଼ ଇଚ୍ଛାଶକ୍ତି, ଦୂରଦୃଷ୍ଟି ଏବଂ ମନୋବୃତ୍ତି।
ଆମ ଲୋକପ୍ରିୟ ସରକାରମାନେ କୃଷି ବିଭାଗରେ ବହୁ ବିଶେଷଜ୍ଞ, ଦକ୍ଷ ଓ କରିତ୍କର୍ମା ଅଫିସର ଓ କର୍ମଚାରୀଙ୍କୁ ନିଯୁକ୍ତି ଦେଇ ମୋଟା ଅଙ୍କର ଆର୍ଥିକ ତଣ୍ଡ ମାସକୁ ମାସ ଗଣିବାରେ ଲାଗିଛନ୍ତି। ଜଣେ ଜୁନିଅର ଏଗ୍ରିକଲ୍ଚର ଅଫିସର ବାର୍ଷିକ ୭.୮ ରୁ ୮.୭ ଲକ୍ଷ ଟଙ୍କା ଦରମାରେ ନିଯୁକ୍ତ ହେଉଛନ୍ତି। ଏହାଛଡ଼ା ବହୁ ବଡ଼ବଡ଼ିଆ ଅଧିକାରୀ ଓ କର୍ମଚାରୀ ଅଛନ୍ତି।
ସରକାର ଏମାନଙ୍କୁ କାମରେ ଲଗାଇବା କଥା। କ୍ଷେତ୍ରରେ ପୂର୍ବପରି ଅଧିକାରୀ ମାନେ କାମ କରୁ ନାହାନ୍ତି ବୋଲି ସରକାର ଜାଣନ୍ତି କି ନାହିଁ ଆମେ ଜାଣୁ ନା। ଯୋଜନା ପ୍ରସ୍ତୁତି କରିବା ଯେତିକି ବଡ କଥା ନୁହେଁ ଯୋଜନା କାର୍ଯ୍ୟକାରୀ କରିବା ସେତିକି ବଡ଼ କଥା।
ଏତେବଡ ରାଜ୍ୟ। ଆମେ ଧାନରେ ସ୍ୱୟଂ ସମ୍ପୁର୍ଣ୍ଣ ହୋଇ ପାରିଲେ। ଆଳୁ, ପିଆଜ ଏବଂ ଅନ୍ୟାନ୍ୟ ପରିବାପତ୍ରରେ କାହିଁକି ହୋଇପାରିବା ନାହିଁ? ଏଥିପାଇଁ ସରକାରଙ୍କ ଭୂମିକା ସବୁଠାରୁ ଗୁରୁତ୍ବପୂର୍ଣ୍ଣ।
ଶୀତଳଭଣ୍ଡାର ଏକ ପ୍ରମୁଖ ସମସ୍ୟା ବୋଲି ସମସ୍ତେ କହୁଛନ୍ତି। ଶୀତଳ ଭଣ୍ଡାର ଅଭାବରୁ ଆଳୁ ପଚାଷଢା ହୋଇ ନଷ୍ଟ ହେଉଛି। ମାତ୍ର ଶୀତଳ ଭଣ୍ଡାର ହୋଇଗଲେ ଯଦି ଆଳୁ ଉତ୍ପାଦନ ଆଶାନୁରୂପକ ନହେବ ତେବେ ସେହି ଶୀତଳ ଭଣ୍ଡାର ଗୁଡ଼ିକ ଦିନେ ଭୂତକୋଠିରେ ରୂପାନ୍ତରିତ ନହେବ କିଏ ଗ୍ୟାରେଣ୍ଟି ଦେବ?
ଆମ ଉଚ୍ଚ ପଦସ୍ଥ ଅଧିକାରୀମାନେ ଅଧିକାଂଶ ମୁଁ ବଡା। ମନ୍ତ୍ରୀମାନେ ଅଧିକାଂଶ ସମୟ ଏହି ବଡ଼ବାବୁ ମାନଙ୍କ ଉପରେ ନିର୍ଭରଶୀଳ। ଅଧିକାଂଶ ବଡ଼ବାବୁ ମାନେ ଚାଷର ଚ ଅକ୍ଷର ଜାଣନ୍ତି ନାହିଁ। ସେମାନେ କାଗଜପତ୍ରରେ ଚାଷ କରିବାରେ ଅଧିକ ଦକ୍ଷ। ତେଣୁ ଏ କ୍ଷେତ୍ରରେ ବିଶେଷଜ୍ଞ ମାନଙ୍କର ସହାୟତା ନିଆଯିବା ଆବଶ୍ୟକ।
ପୁନଶ୍ଚ ଯିଏ ଚାଷ କରି ଉତ୍ପାଦନ କରିବ ଏବଂ ସରକାରଙ୍କ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବ ସେ ହେଉଛି ଚାଷୀ। ମାତ୍ର ଯୋଜନା ପ୍ରସ୍ତୁତି ସମୟରେ ସରକାରୀ କଳ ତାଙ୍କୁ ପଚାରନ୍ତି ନାହିଁ। ତେଣୁ ଯୋଜନା ଓ ଯୋଜନାର କାର୍ଯ୍ୟକାରିତାରେ ବିରାଟ ଅନ୍ତର ସୃଷ୍ଟି ହୁଏ। ଯାହା ଫଳ ମିଳିବା କଥା ଆଳୁ ମିଶନରୁ ଆମେ ଜାଣିଲେ।
ଖାଲି ଆଳୁ ମିଶନ ନୁହେଁ ସମସ୍ତ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ପ୍ରଣୟନ ସମୟରେ ବିଭିନ୍ନ ବର୍ଗର ଅଂଶଗ୍ରହଣକାରୀ ମାନଙ୍କୁ ବିଶ୍ୱାସକୁ ନେବା ଜରୁରୀ ହୋଇ ପଡ଼ିଛି।
ମୋହନ ସରକାର ଲୋକଙ୍କ ସରକାର ବୋଲି ନିଜେ ମୁଖ୍ୟମନ୍ତ୍ରୀ କହୁଛନ୍ତି। ଏଥିପ୍ରତି ସରକାର ଦୃଷ୍ଟି ଦେବେ ବୋଲି ଓଡ଼ିଶାର ସାଧାରଣ ଜନତା ଆଶା କରନ୍ତି।
ଦିଗମ୍ବର ବେହେରା, ଆଇନଜୀବୀ, ବ୍ରହ୍ମଗିରି, ପୁରୀ-୭୫୨୦୧୧,
ମୋ: ୯୪୩୭୫୦୧୨୬୭/
Email- bhaidigambar@gmail.com
ଲେଖକୀୟ କୃତଜ୍ଞତା ଜ୍ଞାପନ କରିବା ସହିତ ପ୍ରଣାମ ଜଣାଉଛି।