ଆମ ଦେଶର ନାମ ଭାରତ ହେଲା କାହିଁକି ?

Share it

କଥାରେ କୁହାଯାଏ “ଅଲଗ ଭାଷା ଅଲଗ ବେଶ, ଫିରଭି ଅପନା ଏକ ଦେଶ ” l ଅର୍ଥାତ୍, ଏଠି ବାସ କରୁଥିବା ଲୋକଙ୍କ ମଧ୍ୟରେ ଜାତି, ଧର୍ମ, ଭାଷା ସଂସ୍କୃତି ଆଦିରେ ବହୁ ଅନୈକତା ଥାଇ ମଧ୍ୟ ଏହା ଏକ ଦେଶ, ଭାରତ l ବହୁ ପ୍ରାଚୀନ କାଳରୁ ଆମର ଏହି ଦେଶ ଭାରତ ବର୍ଷ ନାମରେ ପରିଚିତ ହୋଇଛି l ଭାରତବର୍ଷର ଭୌଗୋଳିକ ସ୍ଥିତି ଦର୍ଶାଇ, ରଘୁବଂଶ କାବ୍ୟରେ ମହାକବି କାଳିଦାସ କହିଲେ:-
ଅସ୍ଥ୍ୟୁତ୍ତରସ୍ୟାମ୍ ଦିଶି ଦେବତାତ୍ମା
ହିମାଳୟ ନାମ ନଗାଧିରାଜଃ l
ପୂର୍ବାପରୌ ତୋୟନିଧି ବିଗାହ୍ମ
ସ୍ଥିତଃ ପୃଥିବ୍ୟା ଇବ ମାନଦଣ୍ଡଃ ll

ଅର୍ଥାତ୍ ଉତ୍ତରଦିଗରେ ପୃଥିବୀର ମାନଦଣ୍ଡ ଭଳି ବିରାଜ ମାନ କରୁଥିବା ଦେବତାତ୍ମା ହିମାଳୟ ଓ ପୂର୍ବ ପଶ୍ଚିମ ଦିଗରେ ଜଳଧି ପରିବେଷ୍ଠିତ ବିରାଟ ଭୂଖଣ୍ଡ ହେଉଛି, ଭାରତବର୍ଷ l ରତ୍ନଗର୍ଭା ଆମର ଏ ଦେଶକୁ ଆକୃଷ୍ଠହୋଇ ଆସିଛନ୍ତି ସାରା ବିଶ୍ଵରୁ ବହୁ ପର୍ଯ୍ୟଟକ,ଆସିଛନ୍ତି ପୁଣି ବହୁ ଲୁଣ୍ଠନକାରୀ ଦଳ l ଯୁଗେ ଯୁଗେ ଭାରତ ବିଶ୍ଵରେ ଏକ ବିସ୍ମୟ ଦେଶ ରୂପେ ତାର ପରିଚୟ ବଜାୟରଖିଛି ଏଵଂ ରଖିଥିବ ମଧ୍ୟ l

ତେବେ ଆମର ଏହି ଦେଶ ଭାରତ ନାମରେ କିପରି ପରିଚିତ ହେଲା, ସେ ନେଇ ଆମ ଶାସ୍ତ୍ର ପୁରାଣ ମାନଙ୍କରେ ବହୁ ରୋଚକ କାହାଣୀ ରହିଛି l ସେହି ବିଷୟରେ ଆଲୋଚନା l

ବିଶ୍ବର ସର୍ବ ପୁରାତନ ଗ୍ରନ୍ଥ ହେଉଛି ବେଦ ଏଵଂ ଏହା ମଧ୍ୟରେ ସର୍ଵପୁରାତନ ହେଉଛି ଋଗଵେଦ l ପ୍ରଥମେ ଭାରତ ସମ୍ବନ୍ଧରେ ସୂଚନା ମିଳେ, ଋଗ୍ ବେଦର ସପ୍ତମ ମଣ୍ଡକ, ଅଷ୍ଟାଦଶତମ ଶ୍ଳୋକରେ ବର୍ଣ୍ଣିତ ଦଶରାଜ୍ଞ କାହାଣୀରେ l

କାହାଣୀ ବର୍ଣ୍ଣନା ଅନୁଯାୟୀ ପୂର୍ବେ ରାବି ନଦୀ କୂଳରେ ଦଶଗୋଟି ଜନ ଜାତିଙ୍କ ମଧ୍ୟରେ ଭୀଷଣ ସଂଗ୍ରାମ ଲାଗିଲା l ଏହି ଯୁଦ୍ଧ ଭରତ ଜନ ଜାତିର, ତୃଷ୍ଟୁ ବଂଶୋଦ୍ଭବ ରାଜା, ସୁଦାସଙ୍କୁ କ୍ଷମତା ଚ୍ୟୁତ କରିବାକୁ ଉଦ୍ଦିଷ୍ଟ ଥିଲା l କିନ୍ତୁ ସୁଦାସ ଏଥିରେ ଜୟଲାଭ କଲେ ଓ ଦଶ ଜନଜାତି ମୁଖ୍ୟଙ୍କ ଉପରେ ତାଙ୍କର କର୍ତ୍ତୁତ୍ତ୍ଵ ଜାହିର ହେଲା l ଲୋକମାନେ ସେବେ ଠୁଁ ନିଜକୁ ଭରତ ଜନଜାତି ଲୋକଭାବେ ଭାରତ କହିବାକୁ ଲାଗିଲେ l ସେମାନେ ବାସ କରୁଥିବା ସେ ବିସ୍ତୃତ ଅଞ୍ଚଳ ଭାରତବର୍ଷ ଭାବେ ପରିଚିତ ହେଲା l

ଦ୍ୱିତୀୟ କାହାଣୀ ଦେଖାଯାଏ, ମହାଭାରତରେ l ହସ୍ତୀନା ସମ୍ରାଟ ଦୁଷ୍ୟନ୍ତ ଏବଂ ଶକୁନ୍ତଳାଙ୍କ ପୁତ୍ର ଥିଲେ, ଭରତ l ଦୁଷ୍ୟନ୍ତଙ୍କ ପରେ, ଭରତ ରାଜା ହେଲେ l ସେ କ୍ରମେ ରାଜ ଚକ୍ରବର୍ତ୍ତୀ ହେଲେ ଓ ଏକ ବିଶାଳ ଭୂଖଣ୍ଡକୁ ଏକତ୍ରକରି ଶାସନକଲେ l ତାଙ୍କରି ନାମ ଅନୁସାରେ ସେହି ଭୂଖଣ୍ଡଟି ଭାରତ ନାମରେ ପରିଚିତହେଲା l ରାଜା ଭରତ କୌରବ ଏବଂ ପାଣ୍ତବଙ୍କ ପୁର୍ବଜ ହୋଇଥିବାରୁ ସେମାନଙ୍କୁ ଭାରତ ବୋଲି ସମ୍ବୋଧନ କରାଯାଏ l

ତୃତୀୟରେ, ଜୈନଗ୍ରନ୍ଥ ମାନଙ୍କରୁ ପ୍ରମାଣ ମିଳେ, ପ୍ରଥମ ଜୈନ ତୀର୍ଥଙ୍କରଙ୍କ ଜଣେ ଭାରତ ବୋଲି ପୁତ୍ର ଥିଲେ l ସେ ଥିଲେ ରାଜଚକ୍ରବର୍ତ୍ତୀ l ତାଙ୍କରି ନାମାନୁସାରେ ଏ ଦେଶ ଭାରତ ହୋଇଛି ବୋଲି ଜୈନ ଧର୍ମାବଲମ୍ବୀ ମାନେ ବିଶ୍ୱାସ କରନ୍ତି l

ଭାରତବର୍ଷର ନାମ ଓ ବର୍ଣ୍ଣନା ବିଷ୍ଣୁପୁରାଣ, ବାୟୁ ପୁରାଣ, ଲିଙ୍ଗପୁରାଣ, ବ୍ରହ୍ମାଣ୍ଡପୁରାଣ, ମାର୍କଣ୍ଡେୟ ପୁରାଣ, ଅଗ୍ନି ପୁରାଣ, ସ୍କନ୍ଧ ପୁରାଣ ଓ ଭାଗବତ ମହାପୁରାଣ ଆଦି ପ୍ରାଚୀନ ଗ୍ରନ୍ଥ ମାନଙ୍କରେ ପ୍ରାପ୍ତ ହୋଇଥାଏ l

ବିଷ୍ଣୁ ପୁରାଣରେ କୁହାଗଲା:-
ଉତ୍ତରଂ ୟତ୍ସମୁଦ୍ରସ୍ୟ ହୀମାଦ୍ରେଶ୍ଚୈବ ଦକ୍ଷିଣମ୍ l
ବର୍ଷ ତଦ୍ଭାରତଂ ନାମ ଭାରତୀ ଯତ୍ର ସନ୍ତତିଃ ll

ଅର୍ଥାତ ହିମାଦ୍ରୀର ଦକ୍ଷିଣକୁ ଓ ସମୁଦ୍ରର ଉତ୍ତର ଦିଗକୁ ଯେଉଁ ଭୁଖଣ୍ଡ ରହିଲା ତାହାହିଁ ଭାରତବର୍ଷ l ଏଠାରେ ଭାରତୀୟ ମାନେ ବାସ କରନ୍ତି l

ଭାରତର ନାମ କରଣ ପଛରେ ବିଷ୍ଣୁ ପୁରାଣରେ ବର୍ଣ୍ଣନା ରହିଛି:-
ଋଷଭୋ ମରୁଦେବ୍ୟାଶ୍ଚ
ଋଷଭାତ୍ ଭରତୋ ଭବେତ୍ l
ଭରତାଦ୍ ଭାରତଂ ବର୍ଷ,
ଭରତାଦ୍ ସୁମତିସ୍ତ୍ଵଭୁତ୍ ll

ଅର୍ଥାତ୍, ଋଷଭଦେବ ଥିଲେ ମେରୁଦେବୀଙ୍କ ପୁତ୍ର l ତାଙ୍କ ପୁତ୍ର ହେଲେ ଭରତ l ଭରତଙ୍କ ଠାରୁ ସୃଷ୍ଟି ହେଲା, ଭାରତ ବର୍ଷ ଏବଂ ଜନ୍ମ ହେଲେ ସୁମତି l

ପୁଣି ବିଷ୍ଣୁ ପୁରାଣରେ ଉଲ୍ଲେଖ ରହଛି :-
ତତଶ୍ଚ ଭାରତଂ ବର୍ଷମେତଲ୍ଲୋକେଷୁ ଗୀୟତେ l
ଭରତାୟ ଯତଃ ପିତ୍ରାଦତ୍ତମ୍ ପ୍ରତିଷ୍ଠିତା ବନମ୍ ll

(ବି ପୁ 2,1,32)

ଅର୍ଥାତ୍, ଏ ଦେଶ ଭାରତବର୍ଷ ନାମରେ ଅଭିହିତ ହେଲା ଯେତେବେଳେ ପିତା (ଋଷଭଦେବ) ପୁତ୍ର ଭରତକୁ ରାଜ୍ୟ ଭାର ଦେଇ ବନକୁ ଚାଲିଗଲେ l

ବିଷ୍ଣୁ ପୁରାଣର ଏହି କଥାକୁ ବ୍ୟାସ କୃତ ସଂସ୍କୃତ ଶ୍ରୀମଦ୍ ଭାଗବତମ୍ ଜଡ଼ ଭରତ ଉପାଖ୍ୟାନରେ ପଞ୍ଚମସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ବର୍ଣ୍ଣନା କଲେ :- ” ଅଜନାଭଂ ନାମୌତଦ୍ ବର୍ଷମ୍, ଯତ୍ ଭାରତମ୍ ଇତି ଯତ ଆରଭ୍ୟ ବ୍ୟପଦିଶନ୍ତି”l

ଏହି ଶ୍ଳୋକର ମର୍ମାନୁବାଦକରି ଓଡ଼ିଆ ଭାଗବତକାର ଅତିବଡ଼ି ଜଗନ୍ନାଥଦାସ କହିଲେ :-
ଏ ଦେଶ ଅଜନାଭ ଥିଲା l
ଭରତୁ ଭାରତ ହୋଇଲା ll

ଭାଗବତ ଓ ବିଷ୍ଣୁ ପୁରାଣର ଭରତ କିନ୍ତୁ ଦୁଷ୍ୟନ୍ତ ଶକୁନ୍ତଳାଙ୍କ ପୁତ୍ର ଭରତଙ୍କ ଠାରୁ ଭିନ୍ନ ଅଟନ୍ତି l

ବିଶାଳ ଆମ ଏ ଭାରତ ଭୂଖଣ୍ଡ ପୂର୍ବେ ଜମ୍ବୁଦ୍ଵୀପ ନାମରେ ପଶ୍ଚିମ-ମଧ୍ୟଏସିଆ ଠାରୁ ପୂର୍ବ ଦିଗରେ ଚମ୍ପାଦ୍ଵୀପ ବା ଭିଏତନାମ ପର୍ଯ୍ୟନ୍ତ ବିସ୍ତୃତ ଥିଲା l ଆଜି ବି ଏସବୁ ଅଞ୍ଚଳରେ ଭାରତୀୟ ସଭ୍ୟତାର ସଙ୍କେତ ପରିଦୃଶ୍ୟହୁଏ l

ରାମାୟଣ ମହାଭାରତ ଯୁଗରେ ଭାରତର ପଶ୍ଚିମରେ ଦୁଇ ପ୍ରସିଦ୍ଧ ରାଜ୍ୟ ଥିଲା କେକେୟ ଓ ଗାନ୍ଧାର l ରାମାନୁଜ ଭରତଙ୍କ ପୁତ୍ର ତକ୍ଷଙ୍କ ଦ୍ବାରା ଶାସ୍ତ୍ର ଇତିହାସ ବର୍ଣ୍ଣିତ ପ୍ରସିଦ୍ଧ ତକ୍ଷଶୀଳା ନଗରୀ ସ୍ଥାପିତ ହୋଇଥିଲା। ଗାନ୍ଧାର ଦେଶର କନ୍ୟା ଥିଲେ ମହାଭାରତର ମହାରାଣୀ ଗାନ୍ଧାରୀ l ରାମାୟଣରେ ମହାରାଣୀ କୈକେୟୀ ଥିଲେ କେକେୟ ରାଜ ଦୁଲାଳୀ l

ହିନ୍ଦୁ ମାନଙ୍କର ବାସସ୍ଥଳୀ ଭାବେ ପୁନଶ୍ଚ ଭାରତ ବର୍ଷ ହିନ୍ଦୁସ୍ଥାନ ନାମରେ ପରିଚିତ ହୁଏ l ହିନ୍ଦୁଶବ୍ଦ ସଂସ୍କୃତ ସିନ୍ଧୁ ଶବ୍ଦରୁ ଆନୀତ ଯାହା ସିନ୍ଧୁ ନଦୀକୁ ବୁଝାଏ l ହିନ୍ଦୁ ନାମକୁ ଧରି ବୃହତ୍ ଭାରତବର୍ଷର ପଶ୍ଚିମରେ ବିରାଜମାନ ହିନ୍ଦୁକୁଶ ପର୍ବତଶୃଙ୍ଖଳା l

ସିନ୍ଧୁ ନଦୀ କାଳକ୍ରମେ, ଗ୍ରୀକ୍ ଓ ବ୍ରିଟିଶ୍ ମାନଙ୍କ ଦ୍ଵାରା Indus ନାମରେ ପରିଚିତ ହେଲା l ଏବଂ ଏଇଥିରୁ ଆସିଲା ଭାରତର ନାମ ଇଣ୍ଡିଆ l ଏହି ନାମକୁ ନେଇ ଖ୍ରୀ.ପୂ. ଦ୍ଵିତୀୟ ଶତାବ୍ଦୀରେ ଗ୍ରୀକ ପର୍ଯ୍ୟଟକ ମେଘାସ୍ଥିନିସ ତାଙ୍କ ଭ୍ରମଣଗ୍ରନ୍ଥର ନାମ ରଖିଲେ ଇଣ୍ଡିକା l

ପୁଣି କେତେକ ମତରଖନ୍ତି ଆମ ଦେଶରେ ବେଦ ଜନନୀ, ମା’ ସରସ୍ବତୀ ବା ଭାରତୀ ସ୍ରୋତସ୍ଵତୀ ନଦୀ ରୂପେ ପ୍ରବାହିତ ହୋଇ, ଏ ଭୂଖଣ୍ଡକୁ କୃପା କରିଛନ୍ତି l ଏ ଭୂମି ମାଆ ଭାରତୀଙ୍କ କୃପା ପ୍ରାପ୍ତ ହୋଇ ଭାରତ ନାମରେ ନାମିତ ହୋଇଛି l

!!! ବନ୍ଦେ ମାତରମ୍ !!!
🙏🙏🙏


ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧


Share it

Leave a comment

Your email address will not be published. Required fields are marked *

Verified by MonsterInsights