ଆମ ତ୍ରିରଙ୍ଗା ଓ ଏହାର ରୂପକାର ପିଙ୍ଗଲି ଭେଙ୍କେୟା

Share it

ଜଣା ଅଜଣା
13th August 2024

ଆମ ତ୍ରିରଙ୍ଗା ଓ ଏହାର
ରୂପକାର ପିଙ୍ଗଲି ଭେଙ୍କେୟା

===============

ମହାଭାରତୀୟ ଜାତୀୟତା,ଜାତୀୟ ଚେତନା ଓ ଜାତୀୟ ଐକ୍ୟର ପ୍ରତୀକ ଆମ ଜାତୀୟ ପତାକା ତ୍ରିରଙ୍ଗା l ଏହା ବହୁ ଭିନ୍ନତା ଭିତରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ,ସମସ୍ତ ଭାରତୀୟଙ୍କୁ ଜାତୀୟ ସ୍ରୋତ ସୂତ୍ରରେ ବାନ୍ଧିରଖିଛି l ଆମ ତ୍ରିରଙ୍ଗା ଆମ ଜାତିର ଗର୍ବ ଓ ଗୌରବ l ସମ୍ମାନ ଶ୍ରଦ୍ଧାର ସହିତ ଏଣୁ ଆମେ ଶ୍ରୀଶ୍ୟାମଲାଲ ପ୍ରସାଦଙ୍କ ଦେଶ ଭକ୍ତି ସଙ୍ଗୀତଟି ଗାଇଥାଉ :-
ବିଜୟୀ ବିଶ୍ୱ ତ୍ରିରଙ୍ଗା ପ୍ୟାରା ।
ଝଣ୍ଡା ଉଚ୍ଚା ରହେ ହମାରା ।।

ଆମର ଏହି ଜାତୀୟପତାକା ସଂପୂର୍ଣ୍ଣ ଭାରତୀୟ ଉପ ମହାଦେଶକୁ ପ୍ରତିନିଧିତ୍ୱ କରୁଥିବା ଜାତୀୟ ଧ୍ଵଜା l ଗୋଟିଏ ଦେଶ ପାଇଁ ଗୋଟିଏ ଧ୍ବଜା ଏହା ପ୍ରଥମ ଥର ପାଇଁ ପରିକଳ୍ପନା କରିଥିଲେ, ସ୍ବାମୀ ବିବେକାନନ୍ଦ l ଏହାକୁ ରୂପ ଦେଇଥିଲେ ଭଗିନୀ ନିବେଦିତା 1905 ରେ l ବର୍ତ୍ତମାନର ଦୃଶ୍ୟମାନ ଆମର ଜାତୀୟ ପତାକାକୁ ୧୯୪୭ ଜୁଲାଇ ୨୨ ତାରିଖରେ ରୂପ ଦେଇଥିଲେ ପିଙ୍ଗଲି ଭେଙ୍କୟା l ପତାକା ପ୍ରସ୍ତୁତ ହେବାର ଏକ ନିର୍ଦ୍ଧିଷ୍ଟ ଶୈଳୀ ଓ ନିୟମ ରହିଛି l ଏହାର ପ୍ରତି ଅଂଶ ଏକ ଅର୍ଥକୁ ନିର୍ଦ୍ଦେଶ କରେ l

ଭାରତୀୟ ସ୍ୱାଧୀନତା ସଂଗ୍ରାମର ସମୟ ମଧ୍ୟରେ ଜାତୀୟପତାକାର ରୂପରେ ବହୁବାର ପରିବର୍ତ୍ତନ ହୋଇଛି l ପ୍ରଥମ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଭାବେ ଜଣା ୧୮୫୭ ମସିହାର ସିପାହୀ ବିଦ୍ରୋହ ସମୟରେ ସର୍ବପ୍ରଥମେ ଜଣେ ଇଂରେଜଙ୍କ ଦ୍ୱାରା ଏକ ଏକକ ଜାତୀୟ ପତାକା, ନିର୍ମାଣର ପ୍ରସ୍ତାବ ଆସିଥିଲା l ବହୁବିବର୍ତ୍ତନ ମଧ୍ୟରେ ସର୍ଵ ଶେଷରେ ସ୍ୱାଧୀନ ଭାରତର ଜାତୀୟପତାକା ତ୍ରିରଙ୍ଗାକୁ ହିଁ ଗ୍ରହଣ କରାଯାଇଛି l

ଆମର ପ୍ରଥମ ଜାତୀୟ ପତାକା ୧୯୦୬ ମସିହା ଅଗଷ୍ଟ ୭ ତାରିଖରେ କଲିକତାର ପାର୍ସି ବାଗାନ ଛକ ଠାରେ ଉତ୍ତୋଳନ କରାଯାଇ ଥିଲା ବୋଲି ଜଣାଯାଇ ଥାଏ l ସେତେବେଳେ ଏହି ପତାକାର ରଙ୍ଗ ଲାଲ, ହଳଦିଆ ଓ ସବୁଜ ଥିଲା l

ଦ୍ୱିତୀୟ ଜାତୀୟ ପତାକା ଜର୍ମାନୀର ଷ୍ଟୁଟଗାର୍ଟ ସହରରେ ୧୯୦୭ ମସିହା ଅଗଷ୍ଟ ୨୨ ତାରିଖରେ ମାଡାମ କାମାଙ୍କ ନେତୃତ୍ୱରେ ଉତ୍ତୋଳନ କରାଯାଇଥିଲାl ଏହି ପତାକାରେ ଉପରେ ପଦ୍ମ ଚିହ୍ନ ଓ ସପ୍ତର୍ଷିଙ୍କୁ ସୂଚାଉ ଥିବା ୭ଟି ତାରା ଥିଲା l ୧୯୧୭ ମସିହା ରେ ତୃତୀୟଥର ଜାତୀୟ ପତାକାର ପରିବର୍ତ୍ତନ ହୋଇ ଥିଲା l

ଡକ୍ଟର ଆନି ବେଶାନ୍ତଙ୍କ ” ହୋମ ରୁଲ୍‍” ଆନ୍ଦୋଳନ ସମୟରେ ଜାତୀୟ ପତାକାର ରଙ୍ଗ ଥିଲା ଲାଲ ଓ ସବୁଜ l

୧୯୨୧ ମସିହାରେ ବିଜୟୱାଡ଼ା ଠାରେ ଜାତୀୟ କଂଗ୍ରେସ ବୈଠକ ଅନୁଷ୍ଠିତ ହୋଇଥିଲା l ପିଙ୍ଗଲି ଭେଙ୍କୟା ନାମକ ଜଣେ ଯୁବକ ସେହି ଠାରେ ଭାରତୀୟ ଜାତୀୟ ପତାକାର ଏକ ରୂପ ରେଖ ପ୍ରସ୍ତୁତ କରି ମହାତ୍ମା ଗାନ୍ଧୀଙ୍କୁ ପ୍ରଦାନ କରିଥିଲେ l

ପିଙ୍ଗଲି ଥିଲେ ପ୍ରଖ୍ୟାତ ସ୍ବାଧୀନତା ସଂଗ୍ରାମୀ ଓ ମହାତ୍ମା ଗାନ୍ଧିଙ୍କ ଦୃଢ ଅନୁଗତ l ସେ ଚାହୁଁଥିଲେ ଜାତୀୟ ପତାକାରେ, ଦେଶର ଜାତୀୟ ଭାବନା ପ୍ରତିଫଳିତ ହେଉ l ଏହି ମନୋଭାବ ନେଇ ସେ 1916 ରେ ଏକ ପୁସ୍ତକ ରଚନା କରିଥିଲେ, ” A National Flag For India” l ସେଥିରେ ସେ 24ଟି ନମୁନା ପତାକା ପ୍ରସ୍ତାବ ଦେଇଥିଲେ l ଏହା ଥିଲା ତାଙ୍କର 1921 ମସିହା ଯାଏଁ ବିଭିନ୍ନ ଦେଶର ପତାକା ସମ୍ପର୍କରେ ଗବେଷଣା ପ୍ରସୂତ ସନ୍ଦର୍ଭ ଓ ପ୍ରସ୍ତାବ l

ସେତେବେଳେ ପିଙ୍ଗଲି ଏହି ପତାକାରେ ଦୁଇଟି ରଙ୍ଗ ରଖିଥିଲେ ଲାଲ ଏବଂ ସବୁଜ l ଏହା ହିନ୍ଦୁ ଏବଂ ମୁସଲମାନ୍‍ ଦୁଇ ପ୍ରମୁଖ ସମ୍ପ୍ରଦାୟର ପ୍ରତୀକ ଥିଲା l ଏହି ଦୁଇ ସମ୍ପ୍ରଦାୟ ବ୍ୟତିରେକ ଅନ୍ୟ ଧର୍ମାବଲମ୍ୱୀ ମାନଙ୍କ ପାଇଁ ଏହି ପତାକାର ମଧ୍ୟ ଭାଗରେ ଧଳାରଙ୍ଗ ରଖିବାକୁ ମହାତ୍ମା ଗାନ୍ଧି ପ୍ରସ୍ତାବ ଦେଇ ଥିଲେ l

୧୯୩୧ ମସିହାରେ କେଶରୀ ଧଳା ଏବଂ ସବୁଜ ରଙ୍ଗରେ ଜାତୀୟ ପତାକା ତିଆରି କରାଗଲା ଓ ପତାକା ମଝିରେ ଅରଟ ଚିହ୍ନ ରହିଲା l ପରେ ଏ ପତାକାର ପରିବର୍ତ୍ତନ କରାଯାଇ ଶୀର୍ଷ ଭାଗରେ କେଶରୀ, ମଝିରେ ଧଳା ଓ ନିମ୍ନରେ ଘନ ସବୁଜ ରଙ୍ଗ ରଖାଗଲା l ସମସ୍ତ ରଙ୍ଗର ଆକାର ସମାନ ରଖା ଯାଇ, ମଝିରେ ଚବିଶଟି ଅର ବିଶିଷ୍ଟ ନୀଳ ରଙ୍ଗର ଅଶୋକଚକ୍ର ରଖାଗଲା l ଆମ ଜାତୀୟ ପତାକାର ଏହି ରୂପକୁ ଜୁଲାଇ ୨୨, ୧୯୪୭ ରେ ସାମ୍ବିଧାନିକ କମିଟି ଗ୍ରହଣ କରିଥିଲା l ସେହିଦିନ ଠାରୁ ଭାରତର ଜାତୀୟ ପତାକା ତ୍ରିରଙ୍ଗା ବୋଲି ଅଭିହିତ ହୋଇଛି l

ଜାତୀୟ ପତାକା ପ୍ରସ୍ତୁତି ନିମନ୍ତେ ନିର୍ଦ୍ଦିଷ୍ଟ ନିୟମ ରହିଛି l କପଡାର ଆକାର l ବ୍ୟବହୃତ ଭିନ୍ନ ଭିନ୍ନ ରଙ୍ଗର ଅନୁପାତ, ଏହାର ଘନତ୍ବ ଆଦିକୁ ନେଇ ନିର୍ଦ୍ଦିଷ୍ଟ ନୀତି ରହିଛି l

ଜାତୀୟ ପତାକାର ବିଭିନ୍ନ ଅଂଶ ଭିନ୍ନଭିନ୍ନ ତତ୍ତ୍ୱକୁ ସୂଚାଇ ଥାଏ l ଏହା ଉପରେ ରହିଥିବା କେଶରୀ ରଙ୍ଗ ଆମ ଦେଶବାସୀଙ୍କ ସୌର୍ଯ୍ୟ ଓ ବୀରତ୍ୱକୁ ସୂଚାଇ ଥାଏ l ମଝିରେ ଥିବା ଧଳାରଙ୍ଗ ସତ୍ୟ ଓ ଶାନ୍ତିର ପ୍ରତୀକ l ନିମ୍ନରେ ଥିବା ଘନସବୁଜ ରଙ୍ଗ ଭ୍ରାତୃତ୍ୱର ପ୍ରତୀକ l ମଝିରେ ଥିବା, ଅଶୋକ ଚକ୍ର ଦେଶ ପ୍ରଗତିର ସୂଚକ l

ଅଶୋକ ଚକ୍ର ସାରନାଥ ଠାରେ ଥିବା ଅଶୋକ ସ୍ତମ୍ଭରୁ ଗ୍ରହଣ କରାଯାଇଛି ଯାହା ମୌର୍ଯ୍ୟ ସମ୍ରାଟ ଅଶୋକଙ୍କ ଦ୍ଵାରା ନିର୍ମିତ l ସର୍ବୋପରି ଆମ ଜାତୀୟ ପତାକାରୁ ଆମ ଦେଶ ବାସୀଙ୍କୁ ଦେଶ ଭକ୍ତିର ପ୍ରେରଣା ମିଳିଥାଏ l

ଜାତୀୟ ପତାକାକୁ ଉଡ଼ାଇବା ପାଇଁ ନିର୍ଦ୍ଦିଷ୍ଟ ନୀତି ରହିଛି l ଏହି ନୀତି ୨୬ ଜାନୁୟାରୀ ୨୦୦୨ ରେ ସଂଶୋଧନ କରା ଯାଇଛି l

ସଂଶୋଧିତ ନିୟମ ଅନୁସାରେ :-
1. ଶିକ୍ଷାନୁଷ୍ଠାନ, ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ଯେ କୌଣସି ଦିନ ପତାକା ଉଡ଼ାଇ ପାରିବେ l ଜାତୀୟ ପତାକାର ଗରିମା ଯେପରି କ୍ଷୁର୍ଣ୍ଣ ନହୁଏ ସେଥିପ୍ରତି ଧ୍ୟାନ ଆବଶ୍ୟକ l

2.ବିଦେଶୀ ନାଗରିକଗଣ ମଧ୍ୟ ଭାରତ ଭିତରେ ପତାକା ଉତ୍ତୋଳନ କରି ପାରିବେ l ସେମାନେ ତାଙ୍କ ଘର କିମ୍ବା କାର୍ଯ୍ୟାଳୟ ଉପରେ ପତାକା ଲଗାଇ ପାରିବେ l

3. କୌଣସି ସମ୍ପ୍ରଦାୟ ପୃଥକ୍‍ ଭାବେ ଜାତୀୟ ପତାକା ବ୍ୟବହାର କରି ପାରିବେ ନାହିଁ l

4. ଜାତୀୟ ପତାକାରେ କୌଣସି ପୋଷାକ କିମ୍ବା ଅନ୍ୟ ପରିଧାନ ସାମଗ୍ରୀ ପ୍ରସ୍ତୁତହୋଇ ପାରିବନାହିଁ l

5. ସୂର୍ଯ୍ୟୋଦୟ ପର ଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଜାତୀୟ ପତାକା ଉଡ଼ାଇବା ବିଧି l

6. ପତାକାକୁ ଭୂମିରେ ଛୁଆଁଇବା କିମ୍ବା ପାଣିରେ ବୁଡ଼ାଇବା ଆଇନ ଅସିଦ୍ଧ l

7. କୌଣସି ଗାଡି, ଜାହାଜ ଓ ଉଡ଼ାଜାହାଜରେ ଜାତୀୟ ପତାକା ଲଗାଯାଇ ପାରିବ ନାହିଁ l

8. ପତାକାଠାରୁ ଉଚ୍ଚରେ ଅନ୍ୟ କୌଣସି ଜିନିଷ ରହି ପାରିବ ନାହିଁ l

9. ଖଦି କିମ୍ବା ହସ୍ତତନ୍ତ ବୁଣା କପଡାରେ ଜାତୀୟ ପତାକା ତିଆରି ହେବ l ଅନ୍ୟ କୌଣସି ବସ୍ତୁ ବା ସାମଗ୍ରୀରେ ପତାକା ପ୍ରସ୍ତୁତ ବେଆଇନ l

ଏହି ସଂଶୋଧିତ ନିୟମର ଉଲଂଘନ କଲେ ଏଥି ପାଇଁ ଜୋରିମାନା ସହ ତିନି ବର୍ଷ ଜେଲ ଦଣ୍ଡର ବ୍ୟବସ୍ଥା ଅଛି l

ଏହି ନିୟମରେ ପୁଣି ପରେ ବହୁ ସଂଶୋଧନ ହୋଇଛି l

ଆମର ରାଷ୍ଟ୍ରୀୟ ଧ୍ବଜା ତ୍ରିରଙ୍ଗା, ଆମର ସଂକଳ୍ପ, ସଂଘର୍ଷ, ବଳି ଦାନ, ତ୍ୟାଗ ଓ ପ୍ରେରଣାର ଉତ୍ସ l ଏହା ଆମକୁ ଶ୍ରଦ୍ଧା,ସୌହାର୍ଦ୍ଧ୍ୟ, ଧର୍ମନିରପେକ୍ଷତା ଓ ସ୍ୱାବଲମ୍ବନ ଶୀଳତାର ବାର୍ତ୍ତାରେ ଅନୁପ୍ରାଣିତ କରି ଥାଏ l ଜାତୀୟ ପତାକାକୁ ସମ୍ମାନ ପ୍ରଦର୍ଶନ ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ପ୍ରତ୍ୟେକ ଭାରତୀୟଙ୍କ କର୍ତ୍ତବ୍ୟ l ଆସନ୍ତୁ ଆମର କାମ୍ୟ ହେଉ:-
” ଝଣ୍ଡା ଉଚ୍ଚା ରହେ ହମାରା ”
ଭାରତ ମାତା କି ଜୟ
🙏🙏🙏


ଅର୍ଜୁନୀ ଚରଣ ବେହେରା
ମୋ -7693091971

FlagCode_18072023_0


Share it

Join the Conversation

1 Comment

  1. ସୁନ୍ଦର ତଥ୍ୟାତ୍ମକ ରଚନା

Leave a comment

Your email address will not be published. Required fields are marked *

Verified by MonsterInsights