ଆମ୍ଭ ଆୟୁଷ ତୋତେ ହେଉ, ତୋ ଦେହ ଚିର କାଳ ରହୁ

Share it

ସେ ବ୍ରଜ ନାରୀଙ୍କ ପୟରେ
===============

ଦ୍ଵାପର ଯୁଗର କଥା । ଏକଦା ଦ୍ୱାରାବତୀ ପୁରରେ
ଗୋଟିଏ ଅନ୍ତରଙ୍ଗ ଆଳାପରେ ପ୍ରଭୁ ଦ୍ୱାରକାଧୀଶଙ୍କୁ ଅଷ୍ଟପାଟବଂଶୀ ପଚାରିଲେ,’ପ୍ରଭୁ ଆପଣ ତ ଗୋପ ପୁର ଛାଡ଼ି ମଥୁରା ଆସିଲେ, ପୁଣି କଂସନିଧନ ପରେ ସେଠାରୁ ଆସି ଏଠାରେ ମନୋରମ ଦ୍ୱାରିକା ନଗର ନିର୍ମାଣ କଲେ । ଆମ୍ଭମାନଙ୍କୁ ବିବାହ କରି ଆପଣଙ୍କ ଚରଣଦାସୀ ହେବାର ସୌଭାଗ୍ୟ ଦେଲେ । ହେଲେ ଆଶ୍ଚର୍ଯ୍ୟର କଥା, ଆମ୍ଭମାନଙ୍କ ମଧ୍ୟରୁ କାହାରି ଜଣକ ନାମ ସହିତ ଆପଣଙ୍କ ନାମ ଯୁକ୍ରହୋଇ ପାରିନାହିଁ । ମାତ୍ର ଗୋପ ଗୋପାଳୁଣୀମାନଙ୍କ ପାଇଁ ଆପଣଙ୍କ ନାମ ଗୋପୀବଲ୍ଲଭ, ଗୋପୀନାଥ, ଗୋପୀଜୀବନ ଆଦି କେତେ କେତେ ନାମ । ପୁଣି ପରକୀୟା ପ୍ରୀତି କରି ରାଧା ରାଣୀଙ୍କ ନାମ ଆପଣଙ୍କ ନାମ ଆଗରେ ଯୋଗ କରି ବୋଲାଉଛନ୍ତି ରାଧାକାନ୍ତ, ରାଧାରମଣ ରାଧିକା ଜୀବନ ଇତ୍ୟାଦି । ଏପରି କାହିଁକି ? ଆମ୍ଭର କ’ଣ କିଛି ଭୁଲ ରହିଗଲା କି ? ଆମେମାନେ ଆପଣଙ୍କ ସେବାରେ କିଛି ତ୍ରୁଟି କଲୁ କି ? ଦୟାକରି ଆମର ଏହି ସଂଶୟ ଦୂର କରନ୍ତୁ”।

ପ୍ରଭୁ ଦେଖିଲେ ଆରେ ଇଏତ ବଡ଼ କଠିନପ୍ରଶ୍ନ । କିଛିସମୟ ନିରବ ରହି ଶ୍ରୀକୃଷ୍ଣ କହିଲେ, “ଆଚ୍ଛା ହେଉ ! ତୁମ୍ଭମାନଙ୍କ ମନରେ ଏ ଯେଉଁ ସଂଶୟ ଉଠିଛି ତାହାକୁ ମୁଁ ସମାଧାନ କରିବି ।”

କିଛିଦିନ ବିତିଗଲା, ପ୍ରଭୁଙ୍କ ମନରେ ଥାଏ ଏକଥା । ସମାଧାନପାଇଁ ପ୍ରଭୁ ଗୋଟିଏ ମାୟା ରଚନାକଲେ । ଦିନେ ସେ ପ୍ରବଳ ଜ୍ୱରରେ ପଡ଼ି ଗଲେ ଓ ଅନେକ ଚେଷ୍ଟାସତ୍ତ୍ୱେ ଅସୁସ୍ଥତାର କୌଣସି ଉପଶମ ହେଲା ନାହିଁ । ଶେଷରେ ପ୍ରଭୁ ଉଦ୍ଧବଙ୍କୁ ଡାକି ଏହା କିପରି ଉପଶମ ହେବ, ପଚାରିଲେ ।

ଉଦ୍ଧବ ତ ପ୍ରଭୁଙ୍କର ମରମ ଜାଣିଥିବା ପରମଭକ୍ତ, ସେ କହିଲେ, ପ୍ରଭୁ ! ଏହାର ଗୋଟିଏ ମାତ୍ର ନିଦାନ ଅଛି । ନାରୀମାନଙ୍କ ପାଦ ଧୂଳି ଯଦି ଆପଣଙ୍କ ମସ୍ତକରେ ଲେପନ କରା ଯାଏ, ତେବେ ଯାଇ ଏହା ଉପଶମ ହୋଇପାରିବ । ସେ ପୁଣି ଅଷ୍ଟ ପାଟବଂଶୀଙ୍କୁ ଡାକି ଏହି ବ୍ୟବସ୍ଥା କରିବାକୁ କହିଲେ ।

ଅଷ୍ଟ ପାଟବଂଶୀ ଚିନ୍ତାରେ ପଡ଼ିଗଲେ । ଅତି ଆଶ୍ଚର୍ଯ୍ୟହୋଇ ପରସ୍ପର ଭିତରେ ସେମାନେ ଚାହାଁଚାହିଁ ହେଉଥାନ୍ତି, କୌଣସି ନିଷ୍ପତ୍ତିରେ ପହଞ୍ଚି ପାରୁ ନ ଥାନ୍ତି । ଆଲୋଚନା କରି କହୁଥାନ୍ତି,”ଆମେ କିପରି ଏ ଅଧର୍ମ କରିବୁ ? ସ୍ବାମୀ ଆମର ଇହକାଳ ପରକାଳର ଦେବତା, ତାଙ୍କୁ ପୁଣି ଦେବୁ ପାଦଧୂଳି !! ଅସମ୍ଭବ !!

ଭକ୍ତ ଉଦ୍ଧବଙ୍କୁ ସ୍ପଷ୍ଟ ଭାବେ ଏ କଥା ଜଣାଇ ଦେଲେ ସେମାନେ । ନିରୁପାୟ ଉଦ୍ଧବଙ୍କୁ ଦେଖି ଶ୍ରୀକୃଷ୍ଣ କହିଲେ,’ହଉ ! ତୁମେ ଗୋଟିଏ କାମ କର । ଟିକିଏ କଷ୍ଟ କରିବାକୁ ହେବ । ତୁମେ ଗୋପପୁର ଯାଅ ଓ ଗୋପୀ ମାନଙ୍କୁ ଏକଥା ଜଣାଅ । ମୋର ବିଶ୍ୱାସ, ସେମାନେ ନିଶ୍ଚୟ ରାଜିହେବେ । ଅବିଳମ୍ବେ ତୁମେ ବ୍ରଜ ପୁରକୁ ଗମନ କର ଏଵଂ ସେମାନେ କଅଣ କହୁଛନ୍ତି ଫେରି ଆସି ମୋତେ ଜଣାଅ ।’

ଉଦ୍ଧବ ଚାଲିଲେ,ଗୋକୁଳ । ସେଠାରେ ପହଞ୍ଚି ସେ ଗୋପୀମାନଙ୍କୁ ସମସ୍ତ ବୃତ୍ତାନ୍ତ କହିଲେ । ପାଦଧୂଳି କଥା କହିବାକୁ ଟିକିଏ ତାଙ୍କୁ ସଙ୍କୋଚ ଲାଗୁଥାଏ । କିନ୍ତୁ ଉପାୟ କଅଣ । ସେ ବାଧ୍ୟହେଲେ କହିବାକୁ ।

ଶୁଣିବା ମାତ୍ରକେ ଗୋପୀମାନେ ଏକ ସ୍ଵରରେ କହି ଉଠିଲେ,”ଏଇନିଅ ଆମ ପାଦଧୂଳି । ଆମ କାହ୍ନାର ମୁଣ୍ଡସାରା ବୋଳି ଦେବ ଏବଂ କହିବ ଆମ୍ଭ ମାନଙ୍କ ଆୟୁଷ ତାକୁ ପ୍ରାପ୍ତହେଉ “।

Jyotsna Rani

ଆମ୍ଭ ଆୟୁଷ ତୋତେ ହେଉ
ତୋ ଦେହ ଚିର କାଳ ରହୁ ।।

ଉଦ୍ଧବ ଆଶ୍ଚର୍ଯ୍ୟ ! ଧନ୍ୟ ଏ ବ୍ରଜାଙ୍ଗନା ଗଣ ! ଧନ୍ୟ ଏହାଙ୍କ ଜୀବନ ! ଧନ୍ୟ ଏହାଙ୍କ ଅତ୍ମୀୟତା ! ଧନ୍ୟ ଏହାଙ୍କ ପ୍ରଭୁଙ୍କ ସହ ଏକାତ୍ମତା ! ଆଉ କାଳ ବିଳମ୍ବ ନ କରି ଉଦ୍ଧବ ଗୋପୀଙ୍କ ପାଦ ଧୂଳିକୁ ଗାମୁଛାରେ ବାନ୍ଧି ମୁଣ୍ଡେଇ ପ୍ରତ୍ୟାବର୍ତ୍ତନ କଲେ ଦ୍ବାରିକା ।

ଉଦ୍ଧବ ପହଞ୍ଚିବା କ୍ଷଣି ଭଗବାନ ସେହି ପାଦଧୂଳିକୁ ଅତ୍ୟନ୍ତ ଭାବାବେଗ ଓ ଶ୍ରଦ୍ଧାର ସହ ଗ୍ରହଣ କଲେ ଓ ନିଜ ଶିରରେ ସିଞ୍ଚି ଦେଲେ । ତୁରନ୍ତ ପ୍ରଭୁଙ୍କ ଜ୍ୱର ଛାଡ଼ିଗଲା ।

ଏହାକୁ କାଷ୍ଠପିତୁଳୀ ପ୍ରାୟ ଠିଆହୋଇ ଦେଖୁ ଥିଲେ ଅଷ୍ଟ ପାଟବଂଶୀ ଓ ଭକ୍ତ ଉଦ୍ଧବ । ଅଷ୍ଟ ପାଟବଂଶୀ ତାଙ୍କ ଉତ୍ତର ପାଇଗଲେ । ପରମ ଭକ୍ତ ଉଦ୍ଧବ କଳନା କରୁଥିଲେ, ଭଗବତ ପ୍ରେମ ଓ ଭକ୍ତିର ସେହି ଗଭୀରତାକୁ ।

ଭକ୍ତ ଓ ଭଗବାନଙ୍କମଧ୍ୟରେ କିଛି ସଂଶୟ ଅବିଶ୍ୱାସ ଦ୍ୱିଧା କୁଣ୍ଠା କିମ୍ବା ବିକାରର ପ୍ରଶ୍ନନାହିଁ । ଏହି ଭାବହିଁ ଥିଲା ଗୋପୀମାନଙ୍କ ଠାରେ । ତାହା ଥିଲା ଅନାବିଳ ପ୍ରେମ, ନିର୍ମଳ ଗୋପୀଭାବ ଏଵଂ ସମ୍ପୂର୍ଣ୍ଣ ସମର୍ପଣ । ଭାବ ନ ଥିଲେ ଭଗବାନ ନାହାଁନ୍ତି ।

ଏଣୁ ଭକ୍ତକବି ଦୀନକୃଷ୍ଣ ଦାସ ଗୋପୀ ଭାବକୁ ଲକ୍ଷ କରି କହିଲେ :-
କଲେ ବେଦପତି ନାନା ରୂପେ ସ୍ତୁତି
ବିମୁଖ ଯେ ଶୁଣିବାକୁ
କର୍ଣ୍ଣ ଡ଼େରି ଥାନ୍ତି ବରଜ ଯୁବତୀ
କରତାଙ୍କ ଡାକିବାକୁ ।।

ପୁଣି ଶ୍ରୀମଦ୍ ଭାଗବତ ମହାପୁରାଣ କହିଲେ :-

ଗାଳି ଶୁଣଇ ଗୋପୀ ମୁଖେ
ବେଦ ନଶୁଣେ ତେତେ ସୁଖେ ।।

ବ୍ରଜନାରୀ ମାନଙ୍କ ଭଗବାନ ଶ୍ରୀକୃଷ୍ଣଙ୍କୁ ପାଦରେଣୁ ପ୍ରଦାନ ପ୍ରସଙ୍ଗକୁ ଅତିଚମତ୍କାର ଭାବେ ବର୍ଣ୍ଣନାକରି ମହର୍ଷି ବ୍ୟାସଦେବ ଶ୍ରୀମଦ୍ଭାଗବତ ଦଶମସ୍କନ୍ଧ ଷଡ଼ ଚାଳିଶ ଅଧ୍ୟାୟ ଷଷ୍ଠ ଶ୍ଳୋକରେ କହିଲେ :-

ବନ୍ଦେ ନନ୍ଦ ବ୍ରଜସ୍ତ୍ରୀଣାମ୍
ପାଦରେଣୁ ମତ୍ତୀକ୍ଷ୍ମଣଃ
ଯାସାଂ ହରିକଥୋହଗୀତଂ
ପୁନାତି ଭୁବନ ତ୍ରୟମ୍ ।।

ବ୍ରଜନାରୀମାନେ ଭଗଵାନଙ୍କୁ ବାନ୍ଧିଥିଲେ ଭାବରେ । ଏଣୁ ସେମାନେ ନିର୍ବିକାରଚିତ୍ତରେ ଭଗବାନଙ୍କୁ ପାଦ ଧୂଳି ବାଢ଼ି ଦେଇଥିଲେ । ବୈଷ୍ଣବ ଭକ୍ତଗଣ ଗୋପୀ ଭାବକୁ ହୃଦରେ ଧରି ତେଣୁ ଗାଇଥାନ୍ତି:-

ସେ ବ୍ରଜନାରୀଙ୍କ ପୟରେ
ମନ ମୋ ଥାଉ ନିରନ୍ତରେ ।।

Last rituals of Jyotsna Rani

!!! ଜୟ ଶ୍ରୀରାଧେ !!!
🙏🙏🙏


Share it

Leave a comment

Your email address will not be published. Required fields are marked *

Verified by MonsterInsights