ଆପଣଙ୍କ ଯମପୁରୀ କୁ କେବଳ ମୁର୍ଦାରମାନେ ହିଁ ଆସୁଛନ୍ତି, ଗୋଟେ ଜିଅନ୍ତା ଲୋକ ଆସିଲେ ଜଣା ପଡ଼ିଯାଆନ୍ତା ଆପଣଙ୍କ କଥା

Share it

ଗୋଟିଏ ହାତୀ ଥିଲା । ସେ ମରିଯିବାରୁ ଧର୍ମରାଜ ଯମଙ୍କ ଧାମରେ ପହଞ୍ଚିଲା ।

ଧର୍ମରାଜ ତାକୁ ପଚାରିଲେ– ‘ହଇରେ ! ତତେ ଏତେ ବିଶାଳ ଶରୀରଟାଏ ମିଳିଛି, ତଥାପି ତୁ ମନୁଷ୍ୟର ବଶ ହୋଇଗଲୁ ! ତୋର ଗୋଟେ ଗୋଡ଼ ଯେତିକି, ମନୁଷ୍ୟ ପରା ତା ଅଧା ବି ହେବନି, ପୁଣି ତୁ ତା’ର ବଶ ହୋଇଗଲୁ କେମିତି?”

ହାତୀ କହିଲା–‘ମହାରାଜ! ଏ ମନୁଷ୍ୟ ଏପରି ଗୋଟେ ପ୍ରାଣୀ ଯେ, ବଡ଼ ବଡ଼ ପ୍ରାଣୀ ମଧ୍ୟ ଏହାର ବଶ ହୋଇଯାଆନ୍ତି।’

ଧର୍ମରାଜ କହିଲେ— ‘ଆମ ଏଠିକି ତ ଅଗଣିତ ଲୋକ ଆସୁଛନ୍ତି! କାହିଁ ଆମେ ତ କାହାର ବଶ ହୋଇ ଯାଇନୁ !

ହାତୀ ଉତ୍ତର ଦେଲା— ‘ଆପଣଙ୍କ ଏଠିକି କେବଳ ମୂର୍ଦାରମାନେ ହିଁ ଆସୁଛନ୍ତି, ଗୋଟେ ଜିଅନ୍ତା ଲୋକ ଆସିଲେ ଜଣାପଡ଼ିବ!’

କେତେବେଳେ ସୁବିଧା ଦେଖି ଗୋଟିଏ ଜିଅନ୍ତା ଲୋକକୁ ଧରି ଆଣିବା ପାଇଁ ଦୂତମାନଙ୍କୁ ଯମରାଜ କହିଲେ । ଦୂତମାନେ ଆଜ୍ଞା ଶିରୋଧାର୍ଯ୍ୟ କଲେ ।

ଦୂତମାନେ ଖୋଜି ବୁଲୁ ଥାଆନ୍ତି । ଥରେ ଖରାଦିନେ ଛାତ ଉପରେ ଖଟ ପକାଇ ଜଣେ ଲୋକ ଶୋଇଥିବାର ସେମାନେ ଦେଖିଲେ । ଦୂତମାନେ ଖଟ ସହିତ ତାକୁ ଉଠାଇ ନେଲେ।

ବାଟରେ ଯାଉ ଯାଉ ସେ ଲୋକଟିର ନିଦ ଭାଙ୍ଗିଗଲା । ସେ ଭାବିଲା, ଏ କ’ଣ ହେଉଛି! ସେ ଥୁଲା ବୃତ୍ତିରେ ସାମ୍ବାଦିକ। ବହି ଲେଖାଲେଖି ପଢାପଢି କରୁଥିଲା। ସେ ବହିରୁ ଧର୍ମରାଜଙ୍କ ଦୂତମାନଙ୍କର ଲକ୍ଷଣ ବିଷୟରେ ପଢ଼ିଥିଲା । ସେ ଜାଣିପାରିଲା ଯେ, ତାକୁ ଧର୍ମରାଜଙ୍କର ଦୂତମାନେ ନେଇଯାଉଛନ୍ତି! ସେ ପକେଟରୁ କାଗଜ ଓ କଲମ ବାହାର କଲା। କାଗଜରେ କିଛି ଲେଖି ପୁଣି ପକେଟରେ ରଖିଦେଲା।

ସେ ଭାବିଲା— ‘ଯଦି ମୁଁ ଏବେ କିଛି ପାଟିତୁଣ୍ଡ କିରବି ବା ଏପଟ ସେପଟ ହେବି, ତେବେ ତଳକୁ ଖସି ପଡ଼ିବି, ହାଡ଼ଗୋଡ଼ ଭାଙ୍ଗିଯିବ। ତେଣୁ ଯାହା ହେବ ପରେ ଦେଖାଯିବ!” ଏପରି ଭାବି ସେ ଖଟରେ ସେମିତି ଶୋଇ ରହିଲା।

ସକାଳୁ ସକାଳୁ ଦୂତମାନେ ଧର୍ମରାଜଙ୍କ ନିକଟରେ ପହଞ୍ଚିଲେ ।ଧର୍ମରାଜଙ୍କର ସଭା ବସିଥିଲା । ଦୂତମାନେ ଖଟଟିକୁ ତଳେ ରଖିଦେଲେ। ସେହି ଲୋକ ଜଣକ ସଙ୍ଗେ ସଙ୍ଗେ ପକେଟରୁ କାଗଜ ଖଣ୍ଡିକ ବାହାର କରି ଧର୍ମରାଜଙ୍କୁ ଦେବା ପାଇଁ ଦୂତମାନଙ୍କ ହାତକୁ ବଢ଼ାଇ ଦେଲା।

ଦୂତମାନେ ସେହି କାଗଜ ଖଣ୍ଡିକ ଧର୍ମରାଜଙ୍କୁ ଦେଲେ । ଧର୍ମରାଜ ତାହା ପଢ଼ିଲେ। ସେଥିରେ ଲେଖାଥିଲା—

“ଧର୍ମରାଜ! ନାରାୟଣଙ୍କର ଯଥାଯୋଗ୍ୟ ମାନ୍ଯ ଗ୍ରହଣ କରିବେ । ମୋର ଏହି ଗୁମାସ୍ତା ଆପଣଙ୍କ ପାଖକୁ ଯାଉଛି । ଏହାଦ୍ବାରା ସମସ୍ତ କାର୍ଯ୍ଯ କରାଇବେ ।’

ସ୍ବାକ୍ଷର —
ଶ୍ରୀମନ୍ ନାରାୟଣ, ବୈକୁଣ୍ଠ ପୁରୀ

ପତ୍ରଟିକୁ ପଢ଼ି ଧର୍ମରାଜ ନିଜର ଆସନରୁ ଉଠି ପଡ଼ିଲେ ଏବଂ କହିଲେ— ‘“ଆସନ୍ତୁ, ଆପଣ ସିଂହାସନରେ ବସନ୍ତୁ ।’ ଧର୍ମରାଜ ଭଗବାନଙ୍କର ଆଦେଶ ବୋଲି ଭାବି ସେହି ଲୋକଟିକୁ ସିଂହାସନରେ ବସାଇଦେଲେ ।

ଦୂତମାନେ ଅନ୍ୟ ମୃତ ଲୋକଙ୍କୁ ଆଣିଲେ। ସାମ୍ବାଦିକଟି କହିଲା– ‘‘ଏ କିଏ?’

” ଦୂତଗଣ କହିଲେ—‘‘ମହାରାଜ! ଏ ଜଣେ ବଡ଼ ଡାକୁ । ବହୁତ ଲୋକଙ୍କୁ ଲୁଟିଛି, ବହୁତ ଲୋକଙ୍କୁ ମାରିଛି । ଏହାକୁ କ’ଣ ଦଣ୍ଡ ଦିଆଯିବ?’

ସାମ୍ବାଦିକ କହିଲା–‘‘ଏହାକୁ ବୈକୁଣ୍ଠକୁ ପଠାଇଦିଅ।”

ଆଉ ଜଣେ ଆସିଲା। ‘“ଇଏ କିଏ?

‘“ମହାରାଜ! ଇଏ ଜଣେ ବେପାରୀ। ଇଏ ନକଲି ଓଷଦ ତିଆରି କରି ବିକୁଥୁଲା, ଯାହାଫଳରେ ପିଲାମାନଙ୍କର ପେଟ ବେମାରି ବଢ଼ିଗଲା ଏବଂ ସେମାନେ ରୁଗ୍‌ଣ ହୋଇଗଲେ। ଏହାକୁ କି ଦଣ୍ଡ ଦେବା?”

‘‘ଏହାକୁ ମଧ୍ୟ ବୈକୁଣ୍ଠକୁ ପଠାଅ।’’

‘‘ଇଏ କିଏ?’’
‘‘ଆଜ୍ଞା! ଇଏ ମିଛ ସାକ୍ଷୀ ଦେଇ ଅନେକ ଲୋକଙ୍କୁ ଜେଲ୍‌ରେ ପୂରାଇଛି। ଏହାକୁ କ’ଣ କରିବା?”

‘‘ଆରେ, ପଚାରୁଛ କ’ଣ? ବୈକୁଣ୍ଠକୁ ପଠାଅ”

ଏଥର ଚୋର, ତସ୍କର, ଇଞ୍ଜିନିୟର, ଠିକାଦାର, ପିସିଖୋର୍ , ବ୍ୟଭିଚାରୀ, ଯେ କେହି ଆସିଲେ, ତାଳୁ ବୈକୁଣ୍ଠକୁ ପଠାଇବାକୁ ଆଦେଶ ହୋଇଗଲା ।

ଧର୍ମରାଜ କରନ୍ତେ ବା କ’ଣ! ସିଂହାସନରେ ବସିଥିବା ବ୍ୟକ୍ତି ଯାହା କହିବେ, ତାହା ହିଁ ଠିକ୍ । ତାହା ହିଁ ତ କରିବାକୁ ହେବ ।

ସେପଟେ ବୈକୁଣ୍ଠରେ ଭିଡ଼ ଜମିଲା। ଏହା ଦେଖି ଭଗବାନ ଚିନ୍ତାରେ ପଡ଼ିଗଲେ। ସେ ଭାବିଲେ, ଏତେ ଲୋକ ଏଠିକି କିପରି ଆସୁଛନ୍ତି, ମୃତ୍ୟୁଲୋକରେ କୌଣସି ମହାତ୍ମା ପ୍ରକଟ ହେଲେ କି? ଘଟଣା କ’ଣ, ସମସ୍ତେ ବୈକୁଣ୍ଠକୁ ଆସୁଛନ୍ତି କେମିତି? ଏମାନେ ଆସୁଛନ୍ତି କେଉଁଠୁ?

ଟ୍ରାକ୍ କରି ଦେଖିଲା ବେଳକୁ ଏମାନେ ଧର୍ମରାଜଙ୍କ ପାଖରୁ ଆସୁଛନ୍ତି ।
ଭଗବାନ ଧର୍ମରାଜଙ୍କ ପାଖକୁ ଗଲେ । ତାଙ୍କୁ ଦେଖି ସମସ୍ତେ ଠିଆ ହୋଇ ପଡ଼ିଲେ। ସାମ୍ବାଦିକ ମଧ୍ୟ ଠିଆ ହୋଇଗଲା।

ଭଗବାନ ପଚାରିଲେ — ଧର୍ମରାଜ! ତୁମେ ସମସ୍ତଙ୍କୁ ବୈକୁଣ୍ଠ ପଠାଇ ଦେଉଛ ଯେ! ଘଟଣା କ’ଣ? କ’ଣ ଏମାନେ ସମସ୍ତେ ଭକ୍ତ?”

ଧର୍ମରାଜ—‘‘ପ୍ରଭୁ! ଏସବୁ ମୋର କାମ ନୁହେଁ । ଆପଣ ପଠାଇଥିବା ଗୁମାସ୍ତା ହିଁ ଏସବୁ କରୁଛନ୍ତି ।’’

ଭଗବାନ ସାମ୍ବାଦିକକୁ ପଚାରିଲେ– ‘“ତୋତେ ଏଠିକି ପଠାଇଲା କିଏ?’’

ସାମ୍ବାଦିକ — “ପ୍ରଭୁ! ଆପଣ।”

ଭଗବାନ – “ମୁଁ କେତେବେଳେ ପଠାଇଲି?”

ସାମ୍ବାଦିକର କାହାକୁ ଡର ନା ଭୟ ।
ସାମ୍ବାଦିକ କହିଲା – “ ହଇ ହୋ ଭଗବାନ ! ମୁଁ ଏଠାକୁ ଆସିଯିବାଟା କଣ ମୋ ବୋପା ହାତର କଥା? ଆପଣ ହିଁ ତ ପଠାଇଛନ୍ତି। ଆପଣଙ୍କ ଇଚ୍ଛା ବିନା କଣ କୌଣସି କାମ ସମ୍ଭବ? ଏସବୁ କଣ ମୋ ବଳରେ ହୋଇଛି?’

ଭଗବାନ- ‘ଠିକ୍ ଯେ, କିନ୍ତୁ ତୁ ଏ କ’ଣ କଲୁ?”

ସାମ୍ବାଦିକ- ‘ମୁଁ କ’ଣ କଲି ପ୍ରଭୁ?’

ଭଗବାନ- ‘ତୁ ସମସ୍ତଙ୍କୁ ବୈକୁଣ୍ଠକୁ ପଠାଇ ଦେଲୁ ଯେ!”

ସାମ୍ବାଦିକ- ‘ଯଦି ବୈକୁଣ୍ଠକୁ ପଠାଇବାଟା ଖରାପ ହେଲା,
ଯଦି ଏକଥା ଆପଣଙ୍କ ପସନ୍ଦ ହେଉ ନାହିଁ, ତେବେ ସମସ୍ତଙ୍କୁ ସେଠାରୁ ଫେରାଇ ଦିଅନ୍ତୁ।

କିନ୍ତୁ ଭଗବଦ୍‌ଗୀତାରେ ଲିଖିତ ‘ଯଦ୍‌ଗତ୍ବା ନ ନିବର୍ତ୍ତନ୍ତେ ତଦ୍ଧାମ ପରମଂ ମମ’ (୧୫। ୬) । ଅର୍ଥାତ୍- ‘ମୋ ଧାମକୁ ଯିବାପରେ କେହି ଲେଉଟି ଆସେ ନାହିଁ ଶ୍ଳୋକଟିକୁ ଆପଣଙ୍କୁ ସେଠାରୁ କାଟିଦେବାକୁ ପଡ଼ିବ।”

ଭଗବାନ – “ଏ କଥା ତ ସତ୍ୟ ଯେ, କେହି ଯେତେ ବଡ଼ ପାପୀ ହୋଇଥିଲେ ବି ଯଦି ସେ ବୈକୁଣ୍ଠକୁ ଚାଲିଯାଏ, ସେ ପୁଣି ଫେରି ଆସିବାର ପ୍ରଶ୍ନ ଉଠୁ ନାହିଁ । ତା’ର ସବୁ ପାପ ନଷ୍ଟ ହୋଇଯିବ । କିନ୍ତୁ ତୁ ଏ କାମ କାହିଁକି କଲୁ ?”

ସାମ୍ବାଦିକ- ‘ପ୍ରଭୁ ! କାହିଁକି କଲି କ’ଣ କହିବି ? ମୋ ହାତରେ କାମ ରହିଲେ ମୁଁ ଏମିତି ହିଁ କରିବି। ମୁଁ ଭଲଭାବେ ଜାଣିଛି ଯେ, ମୋତେ ଅଳ୍ପ ସମୟ ପାଇଁ ଏ ପଦ ମିଳିଛି; ତେବେ ଭଲ କାମ ନ କରିବି କାହିଁକି ? ଲୋକମାନଙ୍କର ଉଦ୍ଧାର କରିବାଟା କଣ ଖରାପ କାମ ?”

ଭଗବାନ ଧର୍ମରାଜଙ୍କୁ ପଚାରିଲେ— ‘‘ଧର୍ମରାଜ ! ତୁମେ ଏହାକୁ ସିଂହାସନରେ ବସାଇଲ କିପରି ?”

ଧର୍ମରାଜ କହିଲେ—‘‘ପ୍ରଭୁ ! ଏଇ ଦେଖନ୍ତୁ, ଆପଣଙ୍କର ପତ୍ର। ତଳେ ପରିସ୍କାର ଭାବେ ଆପଣଙ୍କର ସ୍ବାକ୍ଷର ।’

ଭଗବାନ ସାମ୍ବାଦିକକୁ ପଚାରିଲେ— ‘‘ହଇରେ, ମୁଁ ତୋତେ ଏ ପତ୍ର କେତେବେଳେ ଦେଲି ?”

ସାମ୍ବାଦିକ କହିଲା—‘“ଆପଣ ଗୀତାରେ କହିଛନ୍ତି ନା— ‘ସର୍ବସ୍ୟ ଗୃହଂ ହୃଦି ସନ୍ନିବିଷ୍ଟ୍ଃ (୧୫।୧୫) ‘ମୁଁ ସମସ୍ତଙ୍କ ହୃଦୟରେ ବିରାଜମାନ’ ।

ହୃଦୟରୁ ପତ୍ର ଲେଖିବା ପାଇଁ ପ୍ରେରଣା ମିଳିଲା, ତେଣୁ ମୁଁ ଲେଖିଦେଲି। ଆପଣ ସେ ହୃଦୟରେ ବିରାଜମାନ। ତେଣୁ ଆଦେଶ ଆପଣଙ୍କର ହେଲା କି ନା ?

ଯଦି ଆପଣ ଏହାକୁ ମୋର କର୍ତ୍ତୃତ୍ଵ ବୋଲି ମାନୁଛନ୍ତି, ତେବେ ଗୀତାରୁ ଉପରୋକ୍ତ ଶ୍ଳୋକଟିକୁ କାଟି ଦିଅନ୍ତୁ !’

ଭଗବାନ କହିଲେ— “ହଉ, ଛାଡ଼ ସେ କଥା’” ।

ପୁଣି ଧର୍ମରାଜଙ୍କୁ ପଚାରିଲେ—‘‘ଧର୍ମରାଜ ! ଘଟଣା କ’ଣ ? ଇଏ ଏଠାକୁ ଆସିଲା କେମିତି ?”

ଧର୍ମରାଜ କହିଲେ—‘‘ପ୍ରଭୁ ! କେମିତି ଆସିଲା କ’ଣ କହିବି, ଆପଣଙ୍କ ପତ୍ର ନେଇ ଆସିଥିଲା।’’

ଧର୍ମରାଜ ଦୂତମାନଙ୍କୁ ପଚାରିଲେ – “ଏସବୁ କେମିତି ହେଲା ?”

ଦୂତମାନେ କହିଲେ— ‘‘ମହାରାଜ ! ଆପଣ ନିଜେ ଦିନେ କହିଥିଲେ ନା ଗୋଟିଏ ଜିଅନ୍ତା ମଣିଷ ଆଣିବା ପାଇଁ ?”

ଧର୍ମରାଜ— ‘‘ତେବେ ଇଏ କ’ଣ ସେହି ଲୋକ ? ଆରେ, ମୋ ସାଙ୍ଗରେ ଟିକେ ପରିଚୟ ତ କରାଇ ଦେବା କଥା !”

ଦୂତଗଣ— ‘‘ମହାରାଜ ! ଆମେ ପରିଚୟ କରାଇବାକୁ ବେଳ କାଇଁ? ଆପଣ ତ ସାଙ୍ଗେ ସାଙ୍ଗେ ପତ୍ର ପଢ଼ି ଏହାକୁ ସିଂହାସନରେ ବସାଇ ଦେଲେ। ଆମେ ଭାବିଲୁ, ବୋଧେ ଇଏ ଆପଣଙ୍କର ଚିହ୍ନା ପରିଚିତ ହୋଇଥିବ, ସେପରି ସ୍ଥିତିରେ ଆମର କହିବାର ସାହସ କାଇଁ ?”

ସେଇଠି ଠିଆ ହୋଇ ହାତୀ ସବୁ ଦେଖୁଥାଏ, ସେ କହିଲା–‘ମହାରାଜ! ରାମ ରାମ ! ଆପଣ ମୋତେ କହିଥିଲେ ନା ମୁଁ କେମିତି ଗୋଟେ ମନୁଷ୍ୟର ବଶ ହୋଇଗଲି ବୋଲି ? ମୁଁ କ’ଣ, ସ୍ଵୟଂ ଧର୍ମରାଜ ଓ ଭଗବାନ ମଧ୍ୟ ବଶ ହୋଇଗଲେ !

ମହାରାଜ ! ଏ କଳାମୁଣ୍ଡିଆ ମଣିଷ ବଡ଼ ବିଚିତ୍ର। ଚାହିଁଲେ ସବୁ ଓଲଟ ପାଲଟ କରିଦେବ ! କିନ୍ତୁ ଇଏ ନିଜେ ସଂସାରରେ ପଡ଼ିଯାଇଛି।’

ଭଗବାନ ସାମ୍ବାଦିକକୁ କହିଲେ—“ହଉ, ଯାହା କଲୁ କଲୁ, ଏବେ ତୁ ମର୍ତ୍ତ୍ୟକୁ ଚାଲି ଯା।’

ସାମ୍ବାଦିକ କହିଲା— ଗୀତାରେ ତ ଆପଣ କହିଛନ୍ତି— ‘ମାମୁପେତ୍ୟ ତୁ କୌନ୍ତେୟ ପୁନର୍ଜନ୍ମ ନ ବିଦ୍ୟତେ’ (୮। ୧୬) । ‘ମୋତେ ପ୍ରାପ୍ତ ହେବାପରେ ଆଉ ଜନ୍ମ ହୁଏ ନାହିଁ ; ତେବେ କ‌ହନ୍ତୁ, ମୁଁ ଆପଣଙ୍କୁ ପ୍ରାପ୍ତ ହୋଇଛି କି ନା ?”

ଭଗବାନ— ‘ହଉ ଠିକ୍ ଅଛି, ତାହେଲେ ତୁ ମୋ ସାଙ୍ଗରେ ବୈକୁଣ୍ଠ ଚାଲ।’

ସାମ୍ବାଦିକ — “ପ୍ରଭୁ ! ମୁଁ ଏକୁଟିଆ କେମିତି ଯିବି ? ବିଚରା ହାତୀଟା ରହିଯିବ ?’ ଏହାର କୃପାରୁ ତ ମୁଁ ଏଠାକୁ ଆସିଛି। ଏହାକୁ ମଧ୍ୟ ସାଙ୍ଗରେ ନେଇ ଚାଲନ୍ତୁ !”

ହାତୀ କହିଲା– “ମୋର ବହୁତ ଭାଇ ଏଇଠି ନରକରେ ପଡ଼ିଛନ୍ତି, ସେମାନଙ୍କୁ ସାଥୀରେ ନେଇ ଚାଲନ୍ତୁ ।’

ଭଗବାନ କହିଲେ— “ହଉ, ସମସ୍ତଙ୍କୁ ନେଇଚାଲ !’

ଭଗବାନ ଆସିବାରୁ ହାତୀର ମଧ୍ୟ କଲ୍ୟାଣ (ଉଦ୍ଧାର) ହେଲା, ସାମ୍ବାଦିକର ମଧ୍ୟ କଲ୍ୟାଣ ହେଲା ଏବଂ ଅନ୍ୟ ଜୀବମାନଙ୍କର ମଧ୍ୟ କଲ୍ୟାଣ ହେଲା !

ଏ କାହାଣୀଟି ତ କଳ୍ପିତ, କିନ୍ତୁ ଏହାର ସିଦ୍ଧାନ୍ତ ଅତି ଉତ୍ତମ। ନିଜ ହାତରେ କୌଣସି ଅଧିକାର ଥିଲେ ତାହାଦ୍ଵାରା ସମସ୍ତଙ୍କର ସେବା କରନ୍ତୁ। ଯେତିକି ପାରୁଛନ୍ତି, ସେତିକି ଭଲ କାମ କରନ୍ତୁ। ନିଜଆଡ଼ୁ କାହାର ମନ୍ଦ ନ କରନ୍ତୁ, କାହାକୁ ଦୁଃଖ ନ ଦିଅନ୍ତୁ ।

ଗୀତାର ସିଦ୍ଧାନ୍ତ ହେଉଛି— ‘ସର୍ବଭୂତହିତେ ରତାଃ’ (୫/୨୫, ୧୨/୪) ‘ପ୍ରତ୍ୟେକ ପ୍ରାଣୀଙ୍କ ହିତରେ ପ୍ରୀତି ହେଉ’ । ଅଧିକାର, ପଦ ଇତ୍ୟାଦି ଅଳ୍ପ ଦିନିଆ କଥା। ଏସବୁ ସବୁଦିନ ପାଇଁ ରହିବ ନାହିଁ। ତେଣୁ ସମସ୍ତଙ୍କ ସହିତ ଉତ୍ତମ ବ୍ୟବହାର କରନ୍ତୁ ।

ଦିଲ୍ଲୀପ କୁମାର ସାହୁ
କନ୍ଧମାଳ


Share it

Leave a comment

Your email address will not be published. Required fields are marked *

Verified by MonsterInsights