ଆନନ୍ଦ ହେଉଅଛି ମହୀ, କୃଷ୍ଣ ଜନ୍ମିବେ ଦେହ ବହି

Share it

ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀରେ ଦି ପଦ ଭାଗବତ ପଢିବା କି ?
ଓଡିଆ ଭାଗବତରୁ କେଇ ପଦ

ବ୍ରହ୍ମାର ଦେଖିଣ ବିକଳ
କରୁଣା କଲେ ଆଦିମୂଳ
ନିଦ୍ରାର ବଳେ ମନ ହରି
ସ୍ୱପନେ କହିଲେ ମୁରାରୀ
ବ୍ରହ୍ମାଙ୍କୁ ଦିଶିଲା ସପନ
କହନ୍ତି ପ୍ରଭୁ ଭଗବାନ ।

ଏବେ ସକଳ ଦେବେ ଯାଅ
ମର୍ତ୍ଯ ମଣ୍ଡଳେ ଜାତ ହୁଅ
ଯାଦବ ଆଦି ସାତ ବଂଶ
କଂସକୁ ହୋଇବ ବିଶ୍ୱାସ
ଗୋପୀ ଗୋପାଳ ରୂପ ହୋଇ
ଗୋପେ ଜନ୍ମିବ ଦେହ ବହି
ମୁଁ ଜନ୍ମି ବସୁଦେବ ଘରେ
ବଢିବି ଯଶୋଦାର କୋଳେ ।

ବ୍ରହ୍ମା ବୋଇଲେ ଦେବେ ଶୁଣ
ଯାହା କହିଲେ ନାରାୟଣ
ଯାଦବ ବସୁଦେବ ଘରେ
ଜନ୍ମିବେ ଦେବକୀ ଉଦରେ

ହରିର କଳାରେ ଅନନ୍ତ
ଆଗେ ହୋଇବେ ଗର୍ଭଗତ
ମାୟାର ଯୋଗବଳେ କରି
ଦେବକୀ ଗର୍ଭୁ ତାହା ହରି
ରୋହୀଣୀ ଗର୍ଭେ ତାହା ଥୋଇ
ଦାସବତ୍ସଳ ଭାବଗ୍ରାହୀ
ଆପଣେ ପ୍ରଭୁ ଜଗନ୍ନାଥ
ଦେବକୀ ଗର୍ଭେ ହେବେ ଜାତ

ଦୁର୍ଗାଙ୍କୁ ଯଶୋଦାର କୋଳେ
ଜାତ କରିବେ ଯୋଗବଳେ
ଏମନ୍ତେ ତାରିବେ ସଂସାର
ଦାସବତ୍ସଳ ଦାମୋଦର

ରଜନୀ ହୋଇଲା ପ୍ରବେଶ
ମିଳିଲା ଅନ୍ତପୁରେ କଂସ
ତକ୍ଷଣେ ମିଳିଲେ ନାରଦ
ଆନନ୍ଦେ କଲେ ବୀଣା ନାଦ
କଂସ ଯେ ତେଜିଲା ଶୟନ
ପ୍ରଣାମ କଲାକ ବହନ
ନିଜ ଆସନେ ବସାଇଲା
ବିଶ୍ୱାସେ ଚରଣ ପୂଜିଲା
ଭକତି ଦେଖିଣ ନାରଦ
କହନ୍ତି ଶୋକ ଗଦଗଦ

ଦେବେ ଉପୁଜିଛନ୍ତି ଅଂଶେ
ଗୋପନଗରେ ଭୋଜବଂଶେ
ନନ୍ଦ ଯଶୋଦା ଆଦି ଯେତେ
କହିବି ଏକେ ଏକେ କେତେ
ଦେବକୀ ଦେବୀ ବସୁଦେବ
ଏ ଆଦି ଯେତେକ ଯାଦବ

ତୋର ସେବକ ଯେତେ ଲୋକ
ଦେବତାମାନେ ଏଟି ଦେଖ
ଏହା ତୁ ନକଲେ ବିଚାର
ନିକଟେ ମରିବୁ ଅସୁର
କଂସକୁ କରାଇ ଉଚ୍ଚାଟ
ନାରଦ ଗଲେ ଶୂନ୍ଯବାଟ

ସବୁଙ୍କୁ ବସାଇ ଆସନେ
କଂସ କହଇ ଖେଦ ମନେ
ଯେତେକ ମୋହର ବିଶ୍ୱାସ
ଯଦୁଙ୍କୁ ବେଗେ କର ନାଶ

ଶୁଣି ଅସୁର ପରଜ୍ଜ୍ବଳି
ଯେସନ ସମୁଦ୍ର ଉଛୁଳି
ଯଦୁ ଙ୍କୁ ଦେଲେ କଷ୍ଟମାନ
ଯହୁଁ ରଖିବେ ଭଗବାନ

ଯାଦବେ ଅସୁରଙ୍କ ଡରେ
ପଳାଇଗଲେ ଦେଶାନ୍ତରେ
କେ କୁରୁ ନଗରେ ପଶିଲେ
ପାଞ୍ଚାଳ ଦେଶେ କେ ଲୁଚିଲେ
ବିଦର୍ଭ ନିଷେଧ କୋଶଳେ
ପଶିଲେ ଜୀବନ ବିକଳେ
ଯେ ଅବା ଯାଇ ନପାରିଲେ
କଂସର ଶରଣ ପଶିଲେ
କେହୁ ସେବକପଣେ ଦାସ
କାହାକୁ ଦେଲା ଲୌହପାଶ

ଦୁର୍ଗାଙ୍କୁ ନିକଟେ ବସାଇ
କହନ୍ତି ପ୍ରଭୁ ଭାବଗ୍ରାହୀ
ବସୁଦେବକୁ ଯେତେବେଳେ
ଧରିଆଣିଲା କଂସ ବଳେ
ତାହାର ପତ୍ନୀ ନନ୍ଦ ଘରେ
ଯାଇ ଲୁଚିଲା କଂସ ଡରେ
ରୋହୀଣୀ ନାମେ ବିଦ୍ଯମାନ
ତାହାର ଗର୍ଭ ଅଛି ଶୂନ୍ଯ
ଦେବକୀ ଦେବୀ ନିଦ୍ରାକାଳେ
ଗର୍ଭ ହରିବୁ ଯୋଗବଳେ
ମିଳିବୁ ନନ୍ଦ ଘରେ ଯାଇ
ରୋହିଣୀ ଗର୍ଭେ ତାହା ଥୋଇ
ଜନ୍ମିବୁ ଯଶୋଦା ଉଦରେ
ମୁଁ ପୁଣି ଯିବି ମଞ୍ଚପୁରେ
ଦେବକୀ ଗର୍ଭେ ହେବି ଜାତ
ମୋତେ ଘେନିଣ ଯିବେ ତାତ
ତୋତେ ଆଣିବେ ମୋତେ ଥୋଇ
ଏ କଥା ନଜାଣିବେ କେହି

ଶୁଣ ହୋ ଗୋବିନ୍ଦର ଜନ୍ମ
ଯେବେ ଖଣ୍ଡିବ ଭବଭ୍ରମ

ଆନନ୍ଦ ହେଉଅଛି ମହୀ
କୃଷ୍ଣ ଜନ୍ମିବେ ଦେହ ବହି
ଆକାଶେ ଉଦେ ନିଶାକର
ଗୋବିନ୍ଦ ଉଦରୁ ବାହାର
ନୀଳଜୀମୂତ ଦେହ କାନ୍ତି
ବଳୟ ମଣି ଝଟକନ୍ତି
ପୀତବସନ କଟି ଶୋହେ
ରୂପ କୋଟିଏ କାମ ମୋହେ
କଟି ମେଖଳା ସୁନାସୂତା
ଉତ୍ତରୀ ସୁବର୍ଣ୍ଣ ପଇତା
କିରୀଟ କୁଣ୍ଡଳ କଙ୍କଣ
ପାଦେ ନୂପୁର ରୁଣଝୁଣ
ଗଦା କମଳ ଶଂଖ ଚକ୍ର
ଅଧର ଓଷ୍ଠ ରଙ୍ଗ ରେଖ
ଶ୍ରୀବତ୍ସ ଚିହ୍ନ ହୃଦେ ଶୋହେ
ରତ୍ନ ପାଦୁକା ବେନି ପାୟେ

ଅପୂର୍ବ ରୂପ ଯୋଗେଶ୍ୱର
ଦେବ ମାନବେ ଅଗୋଚର

ହରି ଚରିତ ଭାଗବତ
କହଇ ଦାସ ଜଗନ୍ନାଥ ।।


Share it

Leave a comment

Your email address will not be published. Required fields are marked *

Verified by MonsterInsights