ଆଜି ମୋ ବଡ ବାପାଂକ କଥା କହିବି
ମୋର ଜେଜେ ଚାରି ଜଣ,
ଶ୍ରୀରାମ, ଗୋବିନ୍ଦ, ମାୟାଧର ଓ ଚୈତନ୍ଯ ।
ମୋର ବାପା ବଡ ବାପା ମିଶି ପାଂଚ ଭାଇ । ସେମାନେ ହେଲେ
ବାବାଜୀ ଚରଣ, ଶଶଧର, କାହ୍ନୁ ଚରଣ, ହୃଦାନନ୍ଦ ଓ ପରମାନନ୍ଦ । ମୋ ବାପା ପରମାନନ୍ଦ ସବୁଠୁ ସାନ ।
ମୁଁ ସେମାନଂକୁ ଯଥାକ୍ରମେ ଡାକେ
ବଡ ବଡବାପା, ବଡବାପା, ( ଏମାନେ ଚାଷବାସ ସମ୍ଭାଳନ୍ତି )
ଗାଈବାପା ( ସେ ଗାଈ ଗୋରୁଂକ ଦାୟିତ୍ୱ ନିଅନ୍ତି, ତେଣୁ ଗାଈବାପା ),
କଲିବାପା ( ସେ ବିଦେଶରେ ରହନ୍ତି, ତାଳଚେରରେ ଏମସିଏଲ୍ ରେ ଚାକିରୀ କରନ୍ତି ତେଣୁ କଲିକତି ବାପା ବା କଲିବାପା )
ଓ ବାପା ।
ମୋ ବାପାଂକୁ ସମସ୍ତେ ମାଡୁଆ ବାପା ଡାକନ୍ତି, କାରଣ ସେ ପିଲାଂକର ପାଠ ପଢା ଦାୟିତ୍ୱ ବୁଝନ୍ତି, ଘରର ମୂରବି ଦାୟିତ୍ୱ ତାଂକ ଉପରେ ଥାଏ,
ଘରର ହାନି ଲାଭ ଭଲ ମନ୍ଦ ବଂଧୁ ବାଂଧବ ନ୍ଯାୟ ନିଶାପ ଇତ୍ଯାଦି ଦାୟିତ୍ୱ ତାଂକର, ଏଡେ ବଡ ଯୌଥ ପରିବାର, ଶାସନ ତ କଡା ହେବ ହିଁ ହେବ,
ଗୁଡାଏ ପିଲାଂକ ଶିକ୍ଷା ଦିକ୍ଷା ସଂସ୍କାର ଆଚାର ବ୍ଯବହାର ପାଠ ପଢା ଦାୟିତ୍ୱ ଯେତେବେଳେ ଛାଟ ତ ଚାଏଁ ଚାଏଁ ବାଜିବ ନା !
ତାଂକୁ ସମସ୍ତଂକର ପ୍ରାଣରେ ଭୟ । ତେଣୁ ସେ ମାଡୁଆ ବାପା ।
ଅବଶ୍ଯ ଭିତରୁ ସେ ଲହୁଣୀ ଠୁ ବି କୋମଳ , ଯେଉଁ ଦିନ କେଉଁ ପିଲା ଉପରେ ଛାଟ ଚାଳନା ହେଲା, ସେଦିନ କାଳନ୍ଦୀ ସାହୁ କି ଶଂକର ସାହୁ ଘରର ଦି ଥାଳି ଜଲିପି କି ହାଣ୍ଡିଏ ମିଠା ବିକ୍ରି ହେବା ଥୟ,
ମାଡର ଘଣ୍ଟାଏ ଦୁଇ ଘଣ୍ଟା ଭିତରେ ଅବଶ୍ଯ ଏହା ପ୍ରାପ୍ତ ହେବ,
ତାକୁ ଖାଇ ପିଲାଏ ଖୁସ୍,
ପିଲାଂକ ମା ମାନଂକ ମନରେ ହୋଇଥିବା ଦରଜ ବି ଉପଶମ ।
ଏପରି ଚାଲୁଥିଲା ଗୋଟାଏ ଗ୍ରାମୀଣ ଯୌଥ ପରିବାର । ଗାଁ ଗହଳିର ସବୁ ଯୌଥ ପରିବାର ଗୁଡିକ ପ୍ରାୟ ମୋଟାମୋଟି ଏହିପରି ଦାୟିତ୍ୱ ବିଭାଜନ, ସହଯୋଗ, ଭାବ ବିନିମୟ ପ୍ରକ୍ରିୟା ରେ ଚାଲେ ।
ମୁଁ ଗୋଟାଏ ଭିନ୍ନ କଥା କହିବାକୁ ଚାହୁଁ ଥିଲି, କଥାଟା ଟିକେ ବାଟ ବଣା ହୋଇଗଲା ବୋଧେ । ଏବେ ମୁଁ କହିବାକୁ ଚାହୁଁଥିବା କଥାକୁ ଆସିବା ।
ମୋର ଅନ୍ଯ ବାପା ମାନେ ଯାହା ତାହା କିଛି କିଛି ପଢିଥିଲେ, ଚାଟଶାଳୀ ପାଠ, ପଣକିଆ, ନଳ ଭଂଗା, ପୁରାଣ , ଭାଗବତ, ଅଳ୍ପ ସ୍ୱଳ୍ପ ଇଂରାଜୀ, ହିନ୍ଦୀ, ଟିକେ ଅଧେ ସଂସ୍କୃତ ମଧ୍ଯ ।
କିନ୍ତୁ ମୋ ବଡବାପା ( ଶଶଧର ନାୟକ ) କାହିଁକି କେଜାଣି ଅ ଆ ବି ପଢି ନଥିଲେ । ମୁଁ ସେହି ବଡ ବାପାଂକ କଥା କହୁଛି ।
ବଡ ବାପା ବହୁତ ସରଳ, ନିଷ୍କପଟ ଦେବତୁଲ୍ଯ ମଣିଷ, ଏଇଟା ମୋର ଦୃଢ ଅନୁଭବ ।
ସେ ସବୁଦିନ ବିଲ ବାଡିରୁ କାମ ଦାମ ସାରି ଆସିବେ, ବୋଉ କି ବଡ ବୋଉ ଚଉଁରା ମୂଳେ ସଂଜ ଦେଇ ଆସିବା ପରେ , ବଡ ବାପା ସେଠାରେ କଣ ଗୋଟାଏ ସଂଧ୍ଯା କରନ୍ତି ।
ମୁଁ ଦେଖେ ସେ ସେଠାରେ ଆଣ୍ଠୁମାଡି ଦଣ୍ଡବତ କରନ୍ତି, କଣ ଅସ୍ପଷ୍ଟ ଗୁଣୁଗୁଣୁ କୁହନ୍ତି, ଶେଷରେ କାନ ମୋଡି ହୋଇ ଦୁଇ ଚାପୁଡା ଖାଆନ୍ତି । ଏଇଟା ତାଂକର ନିତି ଦିନିଆ ତଥାକଥିତ ସଂଧ୍ଯା ।
ମୁଁ ଅତି ଛୋଟ ହୋଇଥାଏ,
ତାଂକର କାନ ମୋଡି ହୋଇ ଚାପୁଡା ଖାଇବା ଦୃଶ୍ଯଟା ମୋତେ ଭାରି ଆମୋଦ ଦାୟକ ଲାଗେ,
ମୁଁ ସେହି ସମୟକୁ ଏକ ପ୍ରକାର ଜଗି କରି ଥାଏ, ସେ ସଂଧ୍ଯା କଲାବେଳେ ମୁଁ ଚୁପ୍ କରି ଯାଇ ତାଂକ ପଛରେ ଛିଡା ହୋଇଥାଏ,
ସେ ଯେତେବେଳେ ତାଂକର ଗୁଣୁଗୁଣୁ କଥା ଓ ଦଣ୍ଡବତ ସାରି କାନ ମୋଡି ଚାପୁଡା ଖାଆନ୍ତି, ମୁଁ ପଛରୁ ଫେଁ କିନା ହସି ଦିଏ ।
ବଡ ବାପା ବୁଲି କରି ମୋତେ କାଖେଇକି ନେଇ ଆସନ୍ତି । ବେଳେ ବେଳେ ଗାଈ ବଳଦଂକୁ କୁର୍ଚି ଦେବାରେ ଗାଈବାପାଂକୁ ସାହାଯ୍ଯ କରନ୍ତି, ବେଳେବେଳେ ପିଣ୍ଢାରେ ପଡିଥିବା ଗୋଟାଏ ଲମ୍ୱା କାଠ ବେଂଚ୍ ଉପରେ ବସନ୍ତି ।
ମୁଁ ପଚାରେ,
ବଡ ବାପା, ତମେ କାନ ମୋଡି ହେଇ ଚାପୁଡା କାହିଁକି ଖାଉଛ ?
ସେ କହନ୍ତି, କାଳେ ଦିନ ସାରା କାମ ଦାମରେ କେଉଁଠି ଭୁଲ୍ ଭାଲ୍ ହେଇ ଯାଇଥିବ, ସେଥିପାଇଁ ଭଗବାନଂକୁ କ୍ଷମା ମାଗିବାକୁ ପଡେ, କାନ ମୋଡା ଖାଇବାକୁ ପଡେ, ତମେ ଯିମିତି ପାଠ ଭୁଲ୍ କଲେ ପରମାନ୍ଦ ଠୁ କାନ ମୋଡା ଖାଉଛ ।
ମୁଁ ପଚାରେ, ଭଗବାନ କିଏ ?
ସେ କହନ୍ତି
ନଥିଲା ଶଶାଗରା ଧରା
ନଥିଲେ ସୂର୍ଯ୍ଯ ଚଂଦ୍ର ତାରା
ନଥିଲେ ପବନ ଗଗନ
କେବଳ ଥିଲେ ଭଗବାନ
ମଁ ପଚାରେ ଭଗବାନ କେଉଁଠି ଥିଲେ ?
ସେ କହନ୍ତି,
ଶୂନ୍ଯ ଶୂନ୍ଯ ମହା ଶୂନ୍ଯ
ମହାଶୂନ୍ଯ ପରେ ଜ୍ଯୋତି
ସେଇ ଜ୍ଯୋତି ଭଗବାନ
ମୁଁ ପଚାରେ କୃଷ୍ଣ କିଏ ?
ସେ କହନ୍ତି, ସେ ଭଗବାନ,
ଜ୍ଯୋତି ଭଗବାନ ଥରେ ଇଚ୍ଛା କଲେ, ଗୋଟେ ରୂପ ହେବା ।
ସେ ଯେଉଁ ବାଳକ ରୂପ ଧାରଣ କଲେ ସିଏ ହେଲେ ବାଳ ଗୋପାଳ ।
ଭଗବାନଂକ ମୂଳ ନାଁ ଗୋପାଳ ।
ଶ୍ରୀକୃଷ୍ଣ କେମିତି ହେଲେ ?
ସେ କହନ୍ତି,
ଗୋପାଳଂକୁ ଏକୁଟିଆ ଭଲ ଲାଗିଲା ନାହିଁ,
ସେ ତାଂକର ବାମ ଅଂଗରୁ ଆଉ ଗୋଟିଏ ନାରୀ ରୂପ ବାହାର କଲେ,
ତାଂକ ନାଁ ହେଲା ଶ୍ରୀରାଧା ।
ଗୋପାଳ କଳା, ଶ୍ରୀରାଧା ଗୋରୀ । ଗୋପାଳଂକ ସହ ଶ୍ରୀରାଧା ଆକର୍ଷିତ ହୋଇ ରହିଲେ । ସେଇଠୁ ଗୋପାଳଂକ ନାଁ ହେଲା ଶ୍ରୀକୃଷ୍ଣ ।
ରାଧା କୃଷ୍ଣ ହେଲେ ଯୁଗଳ ମୂର୍ତ୍ତି ଭଗବାନ , ଈଶ୍ୱର ଈଶ୍ୱରୀ ।
ସେମାନେ ଲୀଳା ଖେଳା କଲେ,
ତମେ ସବୁ ଯିମିତି ଧୂଳି ଖେଳ ଖେଳୁଚ।
ମନରେ ଚିନ୍ତା କରି ବିଭିନ୍ନ ଜିନିଷ ଗଢୁଛ ଭାଂଗୁଛ, ସିଏ ସେମିତି ବିଭିନ୍ନ ଜିନିଷ କଳପନା କଲେ, ଯାହା କଳପନା କଲେ ତାହା ସୃଷ୍ଟି ହେଲା,
ସୂର୍ଯ୍ଯ ଚଂଦ୍ର ଗ୍ରହ ନକ୍ଷତ୍ର ମଣିଷ ଗାଈ ଗୋରୁ ଜୀବ ଜନ୍ତୁ ଗଛ ନଟା ବ୍ରହ୍ମା ବିଷ୍ଣୁ ମହେଶ୍ୱର ଦେବୀ ଦେବତା, ସବୁ କିଛି ।
ମୁଁ କହେ ,
ହଁ ଠିକ୍ କଥା ।
ବଡବାପା କହନ୍ତି,
ଯାଆ ମା ଡାକିଲାଣି, ( ମା ମାନେ ମୋ ବୁଢୀ ମା )
କ୍ଷୀର ପିଇ ତା ଗୋଡରେ ଶୋଇ ପଡିବ ଯା ।
ୟାଠୁ ସରଳ ଆଉ ଆନନ୍ଦ ଦାୟକ ସୃଷ୍ଟି ତତ୍ତ୍ୱ ଏ ବୈଜ୍ଞାନିକ ମତେ ବୁଝେଇବେ,
ଲାଜ ନାହିଁ ।
ଏତିକି ସରଳ କଥାରେ ମଣିଷ ଷାଠିଏ ବର୍ଷ ଆନନ୍ଦରେ ଚଳିଲାଣି,
ମତେ ଜ୍ଞାନ ବିଜ୍ଞାନ ଦେଖୋଉଛନ୍ତି,
ଏକଦମ୍ ମୂଳ ବିଜ୍ଞାନ ହେଉଛି,
ଏ ବିଶ୍ୱ ବ୍ରହ୍ମାଣ୍ଡ ଗୋଟାଏ ବିରାଟ ଯଂତ୍ର ନୁହେଁ,
ଏହା ଏକ ବିରାଟ କଳ୍ପନା ।ଭଲକି ଗବେଷଣା କର ।
( ଫୁଲ ଫଟୋ : ସୌଜନ୍ୟ, ଡ. ତ୍ରିଭୁବନ ପଣ୍ଡା, କଳାହାଣ୍ଡି )
ଏ ଫୁଲର ଡିଜାଇନ ଗୁଡା ତମ କୋଉ ଇଞ୍ଜିନିୟର କରିଥିଲେ? ଏହାର ରଙ୍ଗ ଗୁଡା ତୁମ କୋଉ ବୈଜ୍ଞାନିକ ତାଙ୍କ କୋଉ ଲାବୋରଟୋରୀରେ ତିଆରି କରିଥିଲେ ଆଉ ତମେ ସବୁ ତୁଳି ଧରି ଏ ଫୁଲମାନଙ୍କୁ କେତେବେଳେ ରଙ୍ଗାଅ ?
ଲକ୍ଷ୍ମୀଧର ନାୟକ
My Facebook Post: 13th October 2019
ସେ କଥାକୁ ବେଳ ନାହିଁ କି ବଳ ନାହିଁ l ବର୍ତ୍ତମାନ ବ୍ରଟିଶ ଦୂରଦୃଷ୍ଟିର ଶିକାର ସମଗ୍ର ଶିକ୍ଷା ଓ ଦୀକ୍ଷା ପଦ୍ଧତି l ଉତ୍କଳ ଆଉ ଉତ୍କୃଷ୍ଟ କଳା ଓ ଭାରତମାତାଙ୍କ କେନ୍ଦ୍ର l ସେ କଥା ବିଚାରକୁ ଆଣିବାକୁ ଆମ ଅଯୋଗ୍ୟତା ଦଶରଥଙ୍କ ପ୍ରାବଲ୍ୟ ଯୋଗୁଁ ବିଲୁପ୍ତ ପ୍ରାୟ। ତଥାପି ଦୀପ ଜଳୁଥାଉ l ଅନ୍ଧକାର ଦୂରକୁ ଦିନେ ନା ଦିନେ ପଳାୟନ କରିବ ହିଁ କରିବ l