ଯାହା ଲେଖିଲେ ବି ପ୍ରଶ୍ନ
ହେଇ ଏବେ ଜଣେ ପଚାରିଲେଣି ଆଜ୍ଞା ଗଜିଆ କିଏ ?
ହଉ ଗଜେନ୍ଦ୍ର ବାବୁଙ୍କୁ ଚିହ୍ନେଇବାକୁ ଚେଷ୍ଟା କରୁଚି
ଆମ ଗାଁ ର ଅତି ଭଲ ପିଲା ଟାଏ । ନାଁ ଗଜେନ୍ଦ୍ର। ଗାଁ ଲୋକେ ତାଙ୍କ ଷ୍ଟାଇଲରେ ଡାକନ୍ତି ଗଜିଆ। ପାଠ ପଢା କେତେ ମୁଁ ଜାଣିନି , ବୁଦ୍ଧି କିନ୍ତୁ ଭାରି ତୀକ୍ଷଣ। କଥା ବହୁତ ସୁନ୍ଦର, ମାର୍ଜିତ।
କାହାର କେବେ ଅମଙ୍ଗଳ କରେନି। କିନ୍ତୁ କଥା ମଝିରେ ଏମିତି ଗୋଟେ ଲେଖା ସରୁ ପିନ୍ ମାରିଦେବ ଯେ, ଶୁଣିବା ଲୋକ ହସି ହସି ଗଡନ୍ତି। ଏମିତି ପହଳି କରି ହସୋଉଥିବା ଲୋକମାନଙ୍କୁ ଆମ ପଟର ଗାଁ ଲୋକେ ଶ୍ରଦ୍ଧାରେ ଖବିଷା କହନ୍ତି।
କୋଡିଏ ବାଇଶି ବର୍ଷ ତଳର କଥା ହେବ।
ସମୟ ପାଖା ପାଖି ଦିନ 11.45 କି 12 ଟା।
ଗଜିଆ ଲୁଙ୍ଗିଟେ ମାରି କାନ୍ଧରେ ଗାମୁଛା ଖଣ୍ଡେ ପକେଇ, ଛେଳି ବନ୍ଧା ଦଉଡି, ଖୁଣ୍ଟି ଓ ପିଟଣା ଖଣ୍ଡେ ଧରି ତା ଛେଳି ଦୁଇଟାକୁ ନେଇ ଆମ ଗାଁ ସ୍କୁଲ ସାମନା ଦେଇ ଯାଉଥାଏ ବିଲ ଆଡକୁ, ଛେଳି ବାନ୍ଧିବାକୁ।
ଗଜିଆ ସେତେବେଳକୁ ବୟସରେ ବେଶୀ ନୁହେଁ, ଗଜା ପିଲାଟାଏ।
ଗଜିଆ ଦେଖିଲା ଆମ ଗାଁ ୟୁ ପି ଇସ୍କୁଲ ସାର୍ ସାଇକେଲ ଖଣ୍ଡେ ଧରି ମନ ଖୁସିରେ ଗୁଣୁ ଗୁଣୁ ଗୀତ ଗାଇ ଗାଇ ଆରାମରେ ଆସୁଛନ୍ତି ସ୍କୁଲକୁ।
ଦିନ 12 ଟାରେ ସାର୍ ସ୍କୁଲ ଆସିବେ,
ଏକଥା ଖବିଷା ଗଜିଆର ହଜମ ହୁଏ କେତେକେ!
ଗଜିଆ ବିଲ ମୁହାଁ ଚଳନ୍ତି ଛେଳି ଦୁଇଟାଙ୍କ ଚଳନ ଉପରେ ବ୍ରେକ୍ କସି ଇସ୍କୁଲ ସାମନା ତୋଟାରେ ଦଣ୍ଡେ ଛିଡା ହେଇଗଲା।
ସାର୍ ସେଇବାଟେ ଇସ୍କୁଲକୁ ଗଡିଲେ।
ଗଜିଆ ସାରଙ୍କୁ ହାତ ଦେଖେଇ ଅଟକେଇଲା, ସରୁ ଦଣ୍ଡବତଟେ ପକେଇ କହିଲା – ସାଆରେ ଦଣ୍ଡବତ ।
ସାର୍ ବଡ ଖୁସିଟାଏ ହେଇ ସାଇକେଲରୁ ଓହ୍ଲେଇ ପଡିଲେ, ଓ ଗଜିଆକୁ କହିଲେ – ଆଉ ଗଜେନ୍ଦ୍ର ବାବୁ କଣ ଖବର?
ଗଜିଆ କହିଲା – କଣ ଆଉ ଖବର ସାର୍, ଏଇ ତ ଛେଳି ବାନ୍ଧିବାକୁ ବିଲକୁ ଯାଉଥିଲି ।
ମୋ ପାଖରେ କିଛି କାମ ଥିଲା କି ? ସାର୍ ପଚାରିଲେ।
ଗଜେନ୍ଦ୍ର କହିଲା – ହଁ ସାର୍, କାମ ନଥିଲେ ମୁଁ କଣ ଆପଣଙ୍କୁ ରାସ୍ତାରେ ଅଟକେଇ ଥାଆନ୍ତି ?
ସାର୍ ଆହୁରି ଖୁସି ଗଦ ଗଦ ହେଇ କହିଲେ – ଗଜେନ୍ଦ୍ର ବାବୁ, ତମର କି କାମ ପଡିଲା ମୋ ପାଖରେ?
ଗଜେନ୍ଦ୍ର କହିଲା – ଛେଳି ବାନ୍ଧିବାକୁ ଯାଉଚି ତ, ଟାଇମ୍ କେତେ ହେଲା ବୋଲି ଜାଣିବାକୁ ଚାହୁଁଥିଲି, ମୁଁ ଭାବିଲି କେବଳ ଆମ ହେଡମାଷ୍ଟ୍ର ରାମ ସାଆରେ ହିଁ ଠିକ୍ ଟାଇମ କହି ପାରିବେ। ସେଥିପାଇଁ ଟିକେ ଅଟକେଇ ଦେଲି।
ସାର୍ ବୁଝିଗଲେ ଗଜିଆ ତାଙ୍କୁ ଥଟ୍ଟା କରୁଚି, ଅସଲ ମଞ୍ଜି କଥାଟାକୁ ଧରି ପକେଇଚି। ସମୟ ଆସି ସାଢେ 12 ଟା ବାଜିବାକୁ ବସିଲାଣି। ସ୍କୁଲ କୁ ସାଢେ 9 ଟାରେ ଆସିବା କଥା।
ସାର୍ ଚିଡିକି ପୁରା ହୁତାଶନ ହେଇଗଲେ। କାରଣ 12 ଟା ପରେ ଇସ୍କୁଲ ଆସି ଶୀଘ୍ର ଛୁଟି କରିଦେବା ସାରଙ୍କ ଗୋଟେ ନିତି ଦିନିଆ ଅଭ୍ୟାସ।
ସାର୍ ବି ପଲିଟିକାଲି ଭାରି ପାବାରଫୁଲ୍ ଲୋକ। ତାଙ୍କୁ କହିବ କିଏ? 20 କି 22 ବର୍ଷ ତଳର ମଫସଲ ଗାଁ କଥା।
ସାର୍ ଏକେ ତ ବହୁତ ପାୱାରଫୁଲ ଲୋକ, ପ୍ରତ୍ତିପତ୍ତିଶାଳୀ ଘରର ଲୋକ, ପୁଣି ଶିକ୍ଷକ, ସେ ସତକୁ ସତ ଖୁବ୍ ରାଗିକି କହିଲେ –
କୋର୍ସ ସାରିବା ଆମ ଦାୟିତ୍ୱ, ଠିକ୍ ସମୟରେ କୋର୍ସ ସାରିଦେଲେ ଆମ କାମ ଶେଷ। ଆମେ କଣ ମୂଲିଆ ? ଘଣ୍ଟା ଦେଖି ଆଠ ଘଣ୍ଟା ପାଠ ପଢେଇବୁ ??
ଗଜିଆ କୋଉ ଛାଡିବା ଜନ୍ତୁ, ଆହୁରି ଧୀର ଓ ନମ୍ର ସ୍ୱରରେ କହିଲା – ହଁ ସାଆରେ, ସେଥିରେ କିଛି ଅସୁବିଧା ନାହିଁ, ଠିକ୍ ଟାଇମରେ କୋର୍ସ ସଇଲେ କାମ ସଇଲା। ଆମେ ବିଲ ବାଛିବାକୁ ଜମି କୁତ ନେଇଗଲା ପରିକା, ସରକାର ଆମ ଗାଁ ଇସ୍କୁଲଟାକୁ ସେମିତି ଆପଣଙ୍କୁ କୁତ ଦେଇ ଦେଇଥିବେ,ଆପଣ ସାଆରେ ସ୍କୁଲକୁ ଯାଆନ୍ତୁ।
ହଁ, ସାର୍ ମୁଁ ପଚାରୁଥିଲି ଟାଇମ ଟା ଏବେ କେତେ ହେଲା କି ସାର୍?
ଏତିକିରେ ତ ସାର୍ ଫୁଟି କି ନିଆଁ ବାଣ। ଅନ୍ୟ ଦେଖଣାହାରି ହସି ହସି ବେଦମ୍।
ଏ ଅପମାନ କଥା ପରେ ସାର୍ ମନେ ମନେ ରାଗିକି ରହିଲେ, ଗଜିଆକୁ ପାନେ ଦେବା ପାଇଁ ।
ଗଜିଆର ପଢା ପାଠ ଶୂନ ହେଲେ ହେଉ ପଛେ, ଈଶ୍ୱର ତାକୁ ବୁଦ୍ଧି ଜ୍ଞାନ ତ ପ୍ରବଳ ଦେଇଛନ୍ତି। ସେ ଜାଣି ପାରିଲା, ଏ ମାଷ୍ଟର ତାକୁ ଦିନେ ନା ଦିନେ କୋଉ ବାଟରେ ହଇରାଣ କରିବ। ୟାଙ୍କୁ ଯେତେ ଶୀଘ୍ର ଏଠୁ ବିଦା କରିବ ଗଜିଆ ପାଇଁ ସେତ ମଙ୍ଗଳ।
ଗଜିଆ କୋଉ ବିଡିଓ ନା କଲେକ୍ଟର ଯେ ସାରଙ୍କୁ ଟ୍ରାନ୍ସଫର କରି ଦବ, ନା ଏମ ଏଲ ଏ ?
ସିଏ ତା ବୁଦ୍ଧି ଖଞ୍ଜିଲା। ସବୁ ଦିନ ଠିକ୍ 12 ଟା ବେଳକୁ ଗଜିଆ ସେଇବାଟେ ଛେଳି ନେଇ ବିଲକୁ ବାହାରିବ । ସେପଟୁ ସାର୍ ଙ୍କର ସେଇଟା ଇସ୍କୁଲକୁ ଗଡିବା ବେଳ।
ସେଇ ତୋଟାରେ ଭେଟାଭେଟି ।
ସାର୍ ଙ୍କୁ ଦେଖିବା ମାତ୍ରେ ଗଜିଆ କହିବ – ସାଆରେ ଦଣ୍ଡ ବତ, ସାଆରେ ଆପଣଙ୍କ ଘଣ୍ଟାରେ ଏବେ କେଇଟା ବାଜିଚି ?
ଏକଥା ଶୁଣି ସାର୍ ଙ୍କ ଦିହରୁ ଅଧା ଝାଳ ବାହାରିଯିବା ଅବସ୍ଥା।
ଦି ତିନି ଦିନ ଏପରି ହବା ପରେ, ସାର୍ ଯେତେବେଳେ ଦେଖନ୍ତି ସିଏ ଇଆଡୁ ଯାଉଛନ୍ତି, ଗଜେନ୍ଦ୍ରବାବୁ ସିଆଡୁ ଛେଳି ନେଇ ଆଉଚନ୍ତି, ମଝି ତୋଟାରେ ଭେଟାଭେଟି ହେଇଯିବା ଥୟ, କାରଣ ରାସ୍ତା ତ ସେଇ ଗୋଟାଏ ।
ସାର୍ ଗଜିଆ ହାବୁଡରେ ପଡିବା ପୂର୍ବରୁ ଖଣ୍ଡେ ଦୂରରୁ ସାଇକେଲ ବୁଲାନ୍ତି ଘରକୁ। ସେଦିନ ସାର୍ ଙ୍କର ବିନା ଦରଖାସ୍ତରେ ଛୁଟି, ଉଇଦାଉଟ୍ ପେ ।
ଏମିତି କେତେ ଦିନ ଚାଲନ୍ତା ?
ଗଜେନ୍ଦ୍ର କୋଉ ଛାଡିବା ଲୋକ ଯେ ?
ସାର୍ ତାଙ୍କ ଆଡୁ ଚେଷ୍ଟା କରି ବଡ ହାକିମଙ୍କ ଗୋଡ ହାତ ଧରି ପାଉଣା ପାଉଣି ଦେଇ ଆଉ କୁଆଡେ ଟ୍ରାନସଫର ହେଇଗଲେ।
ଗଜେନ୍ଦ୍ରଙ୍କ ଗାଁ ସ୍କୁଲରୁ ସେହି ଦିନଠାରୁ କୁତରେ ପାଠ ପଢେଇବା ସିଷ୍ଟମ ଟା ବନ୍ଦ ହେଇଗଲା।
କହି ରଖେ, ଗଜେନ୍ଦ୍ର ବିଡିଓ ନୁହେଁ କି କଲେକ୍ଟର ନୁହେଁ କି ବିଧାୟକ ନୁହେଁ କି ତାର ଭାଷା ଅମାର୍ଜିତ ନୁହେଁ କି ବ୍ୟବହାର ମଧ୍ୟ ଅଶାଳୀନ ନୁହେଁ, ସେ ସମସ୍ତଙ୍କର ପ୍ରିୟ ।
ଆଜି କାଲି ତ କଣ କଥା କଥାକେ ଦଳ, ଆନ୍ଦୋଳନ, ପୋଡା ଜଳା, ଭଙ୍ଗାରୁଜା, ମାଡପିଟ୍ ପର୍ଯ୍ୟନ୍ତ କଥା ନଗଲେ କୁଆଡେ କାମ ହେଉନି ବୋଲି ଆମ ଅଞ୍ଚଳର ଜଣେ ମାନ୍ୟଗଣ୍ୟ ବ୍ୟକ୍ତି କହୁଥିଲେ। କଥାଟା ଶୁଣିକି ବହୁତ ଦୁଃଖ ଲାଗିଲା ।
ଚୁଲି ମୁଣ୍ଡରେ ଲିଭିବା ନିଆଁ ଆଜିକାଲି ଚିଲିକା ପର୍ଯ୍ୟନ୍ତ ଲମ୍ୱି କଥା ବିଧାୟକ ନିଲମ୍ୱନ ସ୍ତର ପର୍ଯ୍ୟନ୍ତ ନଗଲେ କଥା ସରୁନି ବୋଲି ଦେଖାଯାଉଛି ।
କଥା କହିଲେ ତ ଝାଳ ବୋହିବ, ହାତ ଉଠେଇବ କାହିଁକି? କଣ ଦରକାର ?
ଅହଙ୍କାର ଜନିତ ଅସଭ୍ୟତା ଗୋଟେ ଘୋର ଅପସନ୍ଦର କଥା ।
ହଁ, ରାଗ ତମରେ ଭୁଲରେ ଯଦି କେହି ଏପରି ଆଚରଣ କରିଥାଆନ୍ତି ଓ ସେଥିପାଇଁ ଅନ୍ତରରୁ ଅନୁତପ୍ତ ତାହା ଅବଶ୍ୟ ବିଚାରଣୀୟ ।
ଅହଙ୍କାର ଅକ୍ଷମଣୀୟ।
ଏଇଟା ତୁଚ୍ଛା ଗପ ଟାଏ ।
ଆପଣମାନେ ମତେ ଖାଲି କୁହନ୍ତୁ, ଗପ ଟା କେମିତି ଲାଗିଲା ?
ଟିକେ ଝାଳୁଆ ଝାଳୁଆ ଲାଗୁଚି କି ?
( ଗଜେନ୍ଦ୍ର କେମିତି ଚାକିରୀ କଲେ ପରେ କେବେ କହିବି )
Laxmidhar Nayak
My Facebook Post: 9th September 2021