15th July 2024
– ଡୋଳାମଣି ତ୍ରିପାଠୀ
ଶୂନ୍ଯରୁ ପ୍ରସରି ମାଟିକୁ ଆବୋରି ସାରିଥିଲେ ଆକାଶେ ଅନ୍ଧାର
ଲାଗ ଲାଗ ଦି’ ବରଷର ଧୋଇ ଆଉ ମରୁଡି ପରେ ଏ ସନ ଜାଣ ସୁନା ଫଳିଲା ପହଲି ପଧାନ ବିଲରେ । ଘର ଅଗଣାରେ ଟ୍ରାକ୍ଟରେ ଧାନ ବସ୍ତା ଚଉତି ଦେଇ ନଜରଟେ ପହଁରେଇ ଆଣିଲା ଧାନନାଟ ଟା ଉପରଦେଇ । ହେତୁ ହେଲା ଦିନରୁ ଏତେ ଧାନ କେବେ ପାଇ ନ ଥିଲା । ଲାଗିଲା; ସତେ ଯେମିତି ମୋଦି ଛାତି ଠୁ ବି ଦି’ ଇଞ୍ଚ ବଢି ଯାଇଛି ତା’ ଛାତିର ଓସାର ।
ରାତିରେ ସଅଳ ଖାଇ ଦେଇ ହିସାବ ଯୋଡି ଲାଗିଲା । ଦି’ଏକର ଜଳସେଚିତକୁ ସତର ଦୁ’ଗୁଣେ ଚଉତିରିଶ ଆଉ ଦି’ ଏକର ଅଣ ଜଳସେଚିତକୁ ଛବିଶ । ଗାଏମୋଟ ଷାଠିଏ କୁଇଣ୍ଟାଲ । ମାନେ ପାଖାପାଖି ଶହେ କୋଡିଏ ବସ୍ତା ଧାନ ବିକି ପାରିବ। ତଥାପି ବଳିବ ବାର ବସ୍ତା। ଆଖି ଖୋସି ହୋଇ ଯାଉଥାଏ। ହେତୁ ପାଇବା ଦିନଠୁ ଏତେ ଅମଳ ହୋଇ ନ ଥିଲା କେବେ। ଲକ୍ଷ୍ମୀ ମାଁଙ୍କୁ ସୁମରି ଯୋଡାହାତ ଆପେ ଉଠି ଯାଉଥାଏ ମୁଣ୍ଡ ଉପରକୁ । ଏତିକି କୃପା ରଖିଥିବୁ ମାଁ !
ବିହନ, ସାର,ଓଷଧ ବାବଦରେ ରାମୁ ସେଠର ବାର ହଜାର। ବରଷ ଯାକର ଲୁଗାପଟା ଆଉ ପୁନେଇଁ ପରବକୁ ଧର ଦଶ ହଜାର। ନବମରେ ପଢୁଥିବା ସୁମିର ପାଠ ପାଇଁ ମୋବାଇଲଟେ କିସ୍ତିରେ ଆଣିଥିଲା। ଆଉ ଦି’ହଜାର ବାକିଆ ଗଡୁଛି। ସବୁ ମିଶି ଚବିଶ ହଜାର। ଥରକରେ ଦେଇ ଦେଲେ ହେବ। ବରଷ ଯାକର ଚିନ୍ତା ଯିବ।
ଜଲଦି କାମ ତୁଟେଇ ଖଟ ଧଇଲା ପହଲି। ଶୀଘ୍ର ଶୋଇଗଲେ ଭୋଓର ଭୋଓର ଉଠିଯିବ । ହେଲେ ଦିନ ଯାକର ଉରଘା ସତ୍ତ୍ବେ ଟିକିଏ ବୋଲି ନିଦ ନାଇଁ ପହଲି ଆଖିରେ। ତୁଚ୍ଛାରେ ଖାଲି ଗଡପଡ ହେଉ ଥାଏ। ସେଇମିତି ଗଡୁଗଡୁ ହିସାବ ଯୋଡିଲା। ଗାଡିଘୋଡା, ମୂଲିଆ,ଚପରାଶି ଆଉ ସାନବାବୁ ମାନଙ୍କ ହାତଗୁଞ୍ଜା ପରେ କଟନି ଛଟନି ଯାଇ ବି କୁଇଣ୍ଟାଲ ପିଛା ସତର ଶହ ଯାଏ ମିଳିବ। ଷାଠିଏ କୁଇଣ୍ଟାଲକୁ ଷାଠିଏ ଆଉ ତା’ ଅଧା ତିରିଶ। ହେଲା ନବେ ହଜାର।କୁଇଣ୍ଟାଲକୁ ବାକି ଦି’ଶହ ଲେଖା ଯୋଡିଦେଲେ ପାଞ୍ଚ ପାଞ୍ଚ କୁଇଣ୍ଟାଲକୁ ହଜାରେ ହଜାରେ। ପଚାଶ କୁଇଣ୍ଟାଲକୁ ଦଶ ହଜାର। ଆଉ ବଳିଲା ଦଶ କୁଇଣ୍ଟାଲକୁ ଦୁଇ ହଜାର। ନବେ,ଦଶ ଆଉ ଦୁଇ। ଲକ୍ଷେ ଦି’ ହଜାର।
ଲକ୍ଷେ ଟଙ୍କା ମିଳିବ…. !?
ଅଜବ ପୁଲକଟେରେ ଦିହ ଯାକର ରୁଅଁ ଶିରଶିରେଇ ଗଲା ପହଲିର ।ମନକୁ ମନ ଭଳିକି ଭଳି ସପନ ମହଲ ତୋଳି ଲାଗିଲା । କେତେବେଳେ ଉଠି ପଡୁଥାଏ ଖଟରୁ। ଘରୁ ଅଗଣା, ଅଗଣାରୁ ଘର ଯାଏ ଦି’ଚାରି ଘେରା ମାରି ପୁଣି ଗଡି ପଡୁଥାଏ ଖଟରେ। ନିଷ୍ପତ୍ତି କରି ପାରୁ ନ ଥାଏ ; କଉଟା ଆଗ କରିବ। କୋଉଟିକୁ ପଛକୁ ରଖିବ; କ’ଣ ସବୁ ନ କଲେ ବି ଚଳିବ । ଜଲଦି ଶୋଇଲେ ଜଲଦି ଉଠିବ ଯେ ଆଖିକୁ ନିଦ ଆଇଲେ ତ ଶୋଇବ !
ବେଜାଏ ଯୋଗାଡ ଯନ୍ତ୍ର କଲେ ଯାଇ ଧାନ ବିକିହୁଏ ମଣ୍ଡିରେ । ସରକାରୀ କାମ ବାବା । ଦୁନିଆଁ କାଇଦା କାନୁନ। ରାମୁ ସେଠ ନୁହେଁ ଯେ ଧାନ ନେଇ ମାପି ଦଉ ଦଉ ଠାଡେ ଠାଡ ହିସାବ କରିଦବ ।ଧାର ତକ ଭରଣା ହେଲା ବା’ଦେ ଦି’ ହଜାର ବଳୁ; ପାଞ୍ଚ ହଜାର ବଳୁ ; ସେଇଠି ଗଣି ଦେବ । ପଇସା କମ ଥିଲେ କେବେ କେମିତି ଦିନେ ଦୁଇ ଦିନ ଲାଗି ବି ଯାଏ। ହେଲେ ହାତକୁ ପଇସା ଆସୁ ଆସୁ ତା’ଲୋକ ହାତରେ ଖବର ପଠାଏ । ଯାହା ପାଉଣା ଛିଡିଲା ଖଡାଖଡ ଗଣି ଦିଏ । ପାଇଟି ଖତମ।
ସନାତନକୁ ଟ୍ରାକଟର ପାଇଁ କହିଲେ ଯାଇ ମିଲବାଲାର ଲୋକକୁ ଭେଟିବ,ମାର୍କେଟ ଆଡେ ଯାଇ ନଜରଟେ ପକେଇ ଆସିବ; ଧାନ କଉଠି କେମିତି ରଖିବ। ଆଗରୁ ସବୁ ସଜିଲ କରି ନ ଥିଲେ ଠିକଣା ବେଳକୁ ହଇରାଣ ହେବାକୁ ହେବ ।
ନା, ଯେମିତି ହେଲେ ଝଅଟ ଶୋଇବାକୁ ହେବ । ପଙ୍ଖା ଚାବି ପାଞ୍ଚଯାଏ ମୋଡି ଦେଇ ଗଡି ପଡିଲା ଖଟରେ । ପତଳା ଚାଦରଟେ ଘୋଡି ହେଲା ପାଦରୁ ମୁଣ୍ଡଯାଏ । ହେଲେ ନିଦ କାହିଁ !?
ମାଲପା ଅଧ ଗିନା ହାତରେ ଗୋଡପଟେ ବସୁ ବସୁ ମାଳତୀ ପଚାରିଲା; ନିଦ ହଉନି ପରା ? ପାଛୁଡା କାଢିଲ । ହାତ ପାଦରେ ମାଲପା ହାତଟେ ବୁଲାଇ ଦିଏ ଯେ ଉଷାସ ଲାଗିବ। ଜଲଦି ନିଦ ହେଇଯିବ ।
ମାଳତୀ ମୁହଁକୁ ଅନେଇଲା ପହଲି । ପଚାରିଲା; କେତେ ଧାନ ବିକିବା? ଷାଠିଏ କୁଇଣ୍ଟାଲ ବିକିଲେ ବି ବଳିବ ବାର ବସ୍ତା । ମିଳିବ ଲକ୍ଷେ ଦୁଇ ହଜାର । ଚବିଶ ହଜାର ଧାର ଶୁଝିଦେଲା ପରେ ବି ଢେର ବଳିବ । ତୋ କାନକୁ ଗୋଲାପି ପଥର ବସା ସୁନା ଫୁଲ ହଳେ କରିବା ।
ପହଲି ପାଦରେ ମାଲପା ହାତକୁ ବୁଲାଇ ଆଣୁ ଆଣୁ ମାଳତୀ ମୃଦୁ ପ୍ରତିବାଦ କଲା । ମୋର ଆଉ ସୁନାଫୁଲ ନାଇବା ବଅସ ଅଛି ବା !ସୁମି ପାଇଁ କରିଦେବା ଯେ ବାହା ବେଳକୁ କାମରେ ଆସିବ ।
ମୁଁ କ’ଣ ମନା କରୁଛି ! ସୁମି ପାଇଁ ହବ। ତୋ ପାଇଁ ବି ହବ।ତଥାପି ଢେର ପଇସା ବଳିବ। ବାବୁ ଭାୟାଙ୍କୁ ଧରାକରା କରି ସବସିଡିରେ ନଳକୂଅଟେ କରିବା । ମଟର ପମ୍ପଟେ ବି ବସେଇ ଦେବା।ଖାଲି ଧାନରେ ଲାଭ କମ। ଏକରେ ଖଣ୍ଡେ ପରିବା କରିବା। ଆଗକୁ ଆଉ ଅଭାବ ରହିବନି। ରାମୁ ସେଠ ଠୁ ଧାର ବି କରିବାକୁ ପଡିବନି।
ମାଳତୀ କହିଲା; ସରକାରୀ କଥା। ଯଦି ନ ହୁଏ !?
ପହଲି ବୋଧ ଦେଲା, ନ ହେଲା ନାଇଁ ! ଖାଲି କୂଅଟେ ଖୋଳି ହେଣ୍ଡ ପମ୍ପଟେ ଲଗେଇ ଦେବା । ଏକରେ ନ ହେଲା ନାଇଁ, ଜାଙ୍ଗଲ ଖଟାଇଲେ ଅଧ ଏକର ପରିବା ଚାଷ କେତେ କି !?
ମାଳତୀ କହିଲା କିଛି ଅଧିକା ଧାନ ରଖିବା । ପଚାଶ କୁଣ୍ଟାଲ ବିକିଲେ ବି ହବ। ବାକି ତକ ଓଳିଆ ବାନ୍ଧି ରଖିଦବା। ଧାନମୁଠାଏ ବଳକା ଥିଲେ ମନକୁ ବଳ ପାଏ। ଅବେଳରେ ଆଉ ରାମୁ ସେଠକୁ ଆଶରା କରିବାକୁ ପଡିବ ନାହିଁ ।
ମାଳତୀ କଥା ପହଲି ମନକୁ ପାଇଲା। ସତରେ ମାଳତୀ ଘରକରି ମାଇକିନାଟେ। ପିଠିରେ ମାଲପା ହାତେ ଘସିଦେବାକୁ ଓଲଟି ଶୋଇବାକୁ କହିଲା ମାଳତି। ପହଲି ମନ ହାଲକା ହୋଇସାରଥାଏ ମାଳତୀ କଥା ଆଉ ଗୋଡଘସାରେ। ଏବେ ଉରଘା ଦିହ ଖୋଜି ବସୁଥିଲା ଅଲଗା କିଛି। ଟିକେ ଅନ୍ତରଙ୍ଗ ଛୁଆଁ। ସରାଗ ସରସର କିଛି ଦିଆ ନିଆ।
ଆଜି ଏତିକି ଥାଉ। ଆଉ ଦିନେ ଘସି ଦବୁ କହି ମାଳତୀ ହାତରୁ ତେଲ ଗିନାଟି ନେଇ କବାଟ କୋଣ ଫୁଲିରେ ରଖିଦେଲା ପହଲି। ଧୀରେ କି କବାଟ କିଳିଣି ଦଉ ଦଉ ନଜରଟେ ବୁଲେଇ ଆଣିଲା ମାଳତୀର ତୁଚ୍ଛା ଲୁଗାଟେ ବେଢା ଦେହ ଉପର ଦେଇ । ମାଳତୀର ନଇଁଲା ମୁହଁରୁ କଣେଇ ଚାହିଁ ରହିଥିଲା ଦୁଇଟି ଉପାସୀ ଆଖି । ପହଲି ଦିହରେ ନିଆଁ ଲାଛି ଦେଲା । ମାଳତୀର ଥରିଲା ଓଠ। ବତୀ ଲିଭାଇ ଦେଲା ପହଲି। ସୃଷ୍ଟିର ସେଇ ଆଦିରାଗରେ ସିକ୍ତ ସଙ୍ଗୀତ ସହ ଛଲର ଛଲର, ଛମ ଛମ ତାଳ ଦେଉଥିଲେ ଚୁଡି ଆଉ ପାଁଉଜୀ ।
…. ମୂଲିଆ ଧାରରେ କାମ କରନ୍ତି ନାହିଁ। ଟଙ୍କା ପାଁ’ଶ ନିହାତି ଦରକାର।ଏମିତି ଅସୁବିଧା ସମୟରେ ଆଖପାଖ ପାଞ୍ଚ ପାଳିରେ ରାମୁ ସେଠ ଏକା ଉଦ୍ଧାର କର୍ତ୍ତା ସାଜେ। ସେ ଇ ଏକା ଭରସା। ସେଇ ଭରସା ଟିକକୁ ହେଜକରି ପହଲି ଧପାଳିଲା ରାମୁ ସେଠର ଦୋକାନ ଆଡେ।
ଗାଁରେ ରାମୁ ସେଠର ତେଜରାତି ଦୋକାନ। ନା ସିନା ତେଜରାତି, ହେଲେ ସବୁ ମିଳେ ସେଇଠି। ଧାରରେ ବି ଦିଏ। ସରକାରୀ ଜିନିଷ ବି ଅବେଳରେ ଯୋଗାଇ ଦିଏ। ନଗଦିଆଙ୍କୁ ଦେଢଗୁଣା । ଉଧାରିଆଙ୍କୁ ଦି’ଗୁଣା ଦେବାକୁ ହୁଏ। ହଁ..ଅଧିକା କିଛି ନିଏ !କ’ଣ ହେଇଗଲା ସେଇଠୁ। ଅଭାବବେଳେ ଚାହିଁଲା ଦରବ ବି ତ ଯୋଗାଇ ଦିଏ !କାମ ତ ନିପଟି ଯାଏ..ନା !
ନ ହେଲେ ଏ ଯଉ ସରକାରୀ କାଇଦା କାନୁନ…ରେ ବାବା ।ଡେଙ୍ଗୁରା ପିଟୁଥିବେ ପାଖେ, କାମ ବେଳକୁ ଆଉ ପାଖେ।
ଡିଏପି ସାର ଦୁଇ ଶହ ସତୁରୀରେ ମିଳିବ ବୋଲି କାମଦାମ ଛାଡି ଥରେ ଧାଡିରେ ସକାଳୁ ଠିଆ ହେଲା ପହଲି । ଏତେ ଲୋକ ଧାଡିରେ ଅଛନ୍ତି; ତୋଫା ଦିନ ଆଲୁଅରେ ସଭିଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ସାର ତକ ବୋହି ନେଲେ ଆଗକୁହା ସିଆଣିଆ କେଇଜଣ । ଦି’ପହର ଆଗରୁ ସାର ସରିଗଲା। ଶହେ ସରିକି କାର୍ଡଧାରୀ ଭେକଲା। ବୁଝୁ ବୁଝୁ ଜଣା ପଡିଲା; ସାତ ସହ ପାକେଟ ଆସିବାର ଥିଲା । ଆସିଲା ଦି’ଶହ ପାକେଟ। ବାକି ପାଞ୍ଚ ଶହ ପାକେଟ !? କେଉଁ ଆଡେ ଗଲା; କାହା ଜମିରେ ପଡିଲା କାହାକୁ ପତ୍ତା ନାଇଁ। ପହଲି, ନରି, ଶୁକୁଟା ଗୁଡା ଘଡିଏ ଗାରୁ ଗାରୁ ହେଇ ପାରିଲେ ସନ୍ତୋଷ। ଚାହିଁଲେ ବି ଅଧିକ କରିବେ କ’ଣ ଯେ ! ତେଣୁ ପାଖ ନଳକୂଅରୁ ପାଣି ପୋଷେ ପୋଷେ ପିଇ ନିଜ କାର୍ଡ ନିଜ ନିଜ କାଖରେ ଯାକି ଘରକୁ ଫେରିଲେ।
ଛାଡ, ଏତେ କଥାରେ କ’ଣ ଅଛି। ସରକାର, ସରକାରୀ ବାବୁ ଆଉ ବେପାରୀ ସବୁ ସେଇ ଏକା ଘାଟରେ ଗାଧାନ୍ତି । କୋଉଠି ଗଣ୍ଡ, କୋଉଠି ଖୋଲ ଇଞ୍ଚ ଫୁଟକରି ସେମାନଙ୍କୁ ଜଣା। ନରି, ପହଲି ସବୁ ହାମୁଡି ହାମୁଡି ଖଣ୍ଡିଆ ହେବା ସାର। କୋଉ ନୂଆଁ କଥା ଯେ !
ଫିରିଙ୍ଗିମାନେ ପରଦେଶୀ ଥିଲେ। ଶୋଷିଲେ ବୋଲି ପିଲା ଠୁ ବୁଢାଯାଏ ମେଳି ହୋଇ ଖେଦିଲେ !ଏମାନେ ପା’ ଘର ଢିଙ୍କି ! ସହି ନହେଲେ ବି କିଛି କହି ହୁଏନା । ଏଇମାନେ ପୁଣି ପାଠ ପଢାନ୍ତି; ଚାଷ କାମ ଯାହାର କେତେ ସୁଖ ତାହାର।
ହଉ ହେଲା। ଆମର ମହଣ ମହଣ ସୁଖ। ତେମେ ସବୁ ବାବା ଏକା ଦୁ଼ଃଖିଗୁଡା । ତେମେ ତ ବାପା ବସି ବସି ଗେଫିବା ଲୋକ। ଗେଫି ଗେଫି ପେଟଗୁଡା ଧାନ ଉଷିଆଁ ହାଣ୍ଡି ପରି ପେସେରେଇ ଥିବ। ଦିନରାତି ଏକକରି ଖାଲି ଖାଇବ ଆଉ ଖାଇବ । ଦାନ୍ତର ଦମ ଥିଲେ ଠାକୁର ଖଟୁଳି ବି ଚୋବାଇ ଯାଆନ୍ତ ପରା ! ପାରନି ବୋଲି ରାତିସାରା ଅନିଦ୍ରା। ଖଟୁଲି ଚୋବା କାଇଦା ଅଣ୍ଡାଳୁ ଅଣ୍ଡାଳୁ ରାତି ପାଏ; ହୁଏ ସକାଳ । ରୋଗ ବଇରାଗରେ ତେମେ ସଢିବନି ତ ଆଉ ଆମେ ସଢିବୁ !? କାହାର ସୁଗର ତ କାହାର ବ୍ଲଡପେସର, କେନସର। ଘାଣ୍ଟି ହଉଥା। ଡାକ୍ତର ବଇଦକୁ ଗଣୁ ଥା। ଆମେ ବାପ ଖଟିଖିଆ। ଦିହ ନଗେଇ ଖଟିବୁ। ପେଜ ତୋରାଣି କରି ପେଟେ ଠୁଙ୍କିଦେଇ ଚାରିକାତ ମେଲି ପଡିଯିବୁ ଯେ କୁକୁଡା କଁକ୍ରେ କଁ କଲେ ଉଠିବୁ । ଆମେ ସୁଖ ପାଇବୁନି ଯେ ତେମେ ଚେମେଡି ଗୁଡା ପାଇବ !?
***********
ଧାନ ଉଠିବ ମାର୍କେଟ ୟାର୍ଡରୁ। ପହଲି ପାଇଁ କଣ୍ଟ ଦଶ ତାରିଖରୁ ଚବିଶ ତାରିଖ । ଆଜି କୋଡିଏ ତାରିଖ। ପାଞ୍ଚ ଦିନ ହେଲା ମଣ୍ଡିରେ ଧାନ ପଡିଛି। ତା’ ଧାନଗଦା ପାଖରେ ନରିର ଧାନଗଦା। ଅଣ୍ଟେ ଉପରେ ରାସ୍ତା କଡକୁ ଭଙ୍ଗା ଆଜବେଷ୍ଟସ ଘରଟେ। ସେଇଠୁ ଧାନଗଦା ଗୁଡିକ ଉପରେ ନଜରଟେ ଲେଖା ରଖି ସୁଖର ଦୁଃଖର ହୁଅନ୍ତି ନରି ଆଉ ପହଲି। ଅଫିସ ଆଡୁ ଥରେ ଅଧେ ଘେରାଏ ବୁଲି ଆସନ୍ତି। ମଣ୍ଡି ବାବୁଠୁ ବୁଝାବୁଝି କରନ୍ତି ; ତାଙ୍କ ଧାନ କେବେ ଉଠିବ। ବାବୁ କହୁଥିଲା ଧାନ ଉଠି ସାରନ୍ତାଣି। ଟ୍ରକ ଡ୍ରାଇଭର ଝିଅ ବାହାଘରରେ ବ୍ଯସ୍ତ। ସେଇଥିପାଇଁ ଅଟକି ଯାଇଛି। କାଲିଠୁ ଉଠିବ। ଆଉରି ଗୋଟେ ଅସୁହା କଥା ବି କହିଲା। ପଚିଶ ତାରିଖ ଭିତରେ ଧାନ ଉଠୁ କି ନ ଉଠୁ ପଚିଶ ପରେ କାର୍ଡ ଚଳିବନି। ନୂଆଁ କାର୍ଡ କରିବାକୁ ପଡିବ।
ଆଚ୍ଛା କଥା। ତମେ ନିଜେ ନିୟମ କଲ ପନ୍ଦର ଦିନରେ ଉଠିବ। ଆମେ ଧାନ ଗଦାକଲୁ। ଦଶଦିନ ଯାଏ ତମର ଖୋଜ ଖବର ନାଇଁ।ଆଜି କହୁଛ କ’ଣ ନା, ଉଠି ନ ପାରିଲେ ନୂଆଁ କାର୍ଡ କରିବାକୁ ହେବ।
ନରି ଆଉ ପହଲି ଚିନ୍ତାରେ ପଡିଗଲେ। ପଡିଆସାରା ଖଚାଖଚ ଧାନଗଦା। ମିଲବାଲା କେତେଟା ଗାଡିରେ ବୋହିବ ଯେ ପାଞ୍ଚ ଦିନରେ ସବୁଯାକ ଧାନ ଉଠିଯିବ। ନାଁ, କିଛି ଗୋଟେ ଗଳା ବାଟ ଖୋଜିବାକୁ ପଡିବ।
ନରି ଦି’ପହର ଖାଇକି ଫେରିଲା ବେଳକୁ ଖୁସି ଖୁସି ଜଣା ପଡୁଥାଏ। କହିଲା, ପହଲି ଭାଇ, ମୋ କଥାରେ ରାଜି ହେବୁ ଯଦି କାଲିକି ଆମ ଧାନ ଉଠିବ। ନରି ମୁହଁକୁ ହାଁ ଟା କରି ଅନେଇଲା ପହଲି ।
ନରି ଯୋଡିଲା। ମଧୁଭାଇ କହୁଥିଲା; ତା’ଧାନ ବି ଉଠୁ ନ ଥିଲା।ସେଇ ଯଉ ଆଗ ଚନ୍ଦା କାଲିଆ ରବିବାବୁ। ସଞ୍ଜ ସକାଳେ ଆସନ୍ତି ମ। କେତେ ଧାନ ଉଠିଲା; କେତେ ରହିଲା ବୁଝାସୁଝା କରନ୍ତି। ତାଙ୍କଠି ଗୁହାରି କଲା। ଟଙ୍କା ପାଁ ଶ’ରେ ସବୁ ସଜିଲ କରେଇ ଦେଲେ।ବେଳବୁଡକୁ ପଇସା ଦେଲା। ପରଦିନ ସୂରୁଜ ମୁଣ୍ଡ ଉପରକୁ ଉଠିଲା ବେଳକୁ ମଧୁଭାଇର ଧାନ ଉଠି ସାରିଥିଲା। ମଧୁ କହୁଥିଲା,ରବିବାବୁ ପକ୍କା ଲୋକ। ପହଲି ରାଜି ହୋଇ ମୁଣ୍ଡ ଟୁଙ୍ଗାରିଲା।
ସକାଳୁ ସକାଳୁ ପହଲି ଏକଦମ ଖୁସ। ରବିବାବୁ ପକ୍କା କରି କହିଛି; ଆଜି ଉପର ଓଳିଯାଏ ନରି ଆଉ ପହଲିର ଧାନ ଉଠିବ।
ଦି ପହର ଖାଇ ଯିବା ଆଗରୁ ଧାନ ଗଦା ମାନଙ୍କ ଦେଇ ଘେରାଏ ବୁଲି ଆସିଲା। ଅନୁମାନ କରିନେଲା ସନ୍ଧ୍ୟା ଆଗରୁ ତାଙ୍କ ଧାନ ସତରେ ଉଠିଯିବ। ମଧୁ ଭଲ ବୁଦ୍ଧିଟେ ଦେଲା। ରବିବାବୁ ସତରେ ପକ୍କାଲୋକ।ଚାରିଟା ବେଳେ ନରି ଘେରାଏ ବୁଲି ଆସି କହିଲା; ଦି’ଟା ଟ୍ରକ ଆସୁଛି। ଆଉ ମାନଙ୍କ ସହ ଆମ ଧାନ ବି ଯିବ। ଧାନ ଗଦା ଅଢୁଆଳ ଛାଇରେ ବସି ପରସ୍ପର ସୁଖ ସପନ ପରଷାରେ ମଶଗୁଲ ନରି ଆଉ ପହଲି।
ଜାଣିବା ଶୁଣିବା ଲୋକ କହନ୍ତି; ଦି’ ପହରିଆ ସପନ ଦେଖା ଦଇବକୁ ଅସହଣି । ମେଘ ବାଦଲର ଚିହ୍ନ ବର୍ଣ୍ଣ ନାଇଁ ହଠାତ ଆକାଶ ଅନ୍ଧାର ଦିଶିଲା। ପବନର ଗତି ତୀବ୍ର ହେଲା। ବର୍ଷା ହେବା ଆଗରୁ ଦୁହେଁ ରାସ୍ତାକଡର ସେଇ ପରିତ୍ଯକ୍ତ ଗୃହର ଭଙ୍ଗା ଆଜବେସଟସ ଛାତ ତଳେ ଆଶ୍ରୟ ନେଲେ।
ପବନର ବେଗ ବଢି ଚାଳିଥାଏ କ୍ରମଶଃ ତୀବ୍ରରୁ ତୀବ୍ରତର। ଧାନ ବସ୍ତା ଢଙ୍କା ଜରି ପାଲ ବନ୍ଧା ହୋଇଥିବା ଖୁଣ୍ଟସବୁ ଗଡି ଗଲେ। ଜରି ଗୁଡା ଛାଟିପିଟି ହେଉଥାନ୍ତି ଉଡିଯିବାକୁ। ଚର…ଡଡ… ଡଡ… ଶବଦଟେ କରି ବିଜୁଳି ଚହଟି ଗଲା ଆକାଶର ଏ ମୁଣ୍ଡରୁ ସେମୁଣ୍ଡ ।ବିଜୁଳି ଆଲୁଅରେ ଦିଶିଲା; ପହଲିର ଧାନ ବସ୍ତାକୁ ଘୋଡ଼େଇ ରଖିଥିବା ଜରି ଫାଡି ହେଇ ଉଡିଯାଇ ପାଖ ଥୁଣ୍ଟା ଗଛର ଗୋଜିଆ ଡାଳଟେରେ ଗଳିଗଲା। ସେଇ ଡାଳରୁ ମୁକୁଳି ଯିବାକୁ ଫଡଫଡଉ ଥାଏ ପହଲିର ଆତ୍ମା ପରି। ଯେତେ ଝିଙ୍କି ହେଉଥାଏ; ସେତେ ଫାଡି ହେଉଥାଏ।
ଦେଖୁ ଦେଖୁ କଚି ଲାଗିଲା ତୁହାକୁ ତୁହା ବର୍ଷା। ମାଘ ମାସରେ ଏତେ ମେଘ କଉଠି ଥିଲା କେଜାଣି !? ଘଣ୍ଟାକର ବର୍ଷାରେ ମାର୍କେଟ ୟା୍ର୍ଡ ସମ୍ପୂର୍ଣ୍ଣ ଜଳମଗ୍ନ। ଚାରିଆଡୁ ଛୁଟୁଛି ଆଣ୍ଠୁଏ ଉଚ୍ଚର ପାଣି । ପାଣି ଘେରରେ ଉବୁଟୁବୁ ଧାନ ବସ୍ତା। ଭଙ୍ଗା ଛାତ ବା କେତେ ଅଢୁଆଳ କରନ୍ତା ! ଓଦା ସରସର ନରି ଆଉ ପହଲି। ବଢି ବେଳେ ମୁଣ୍ଡ ଟୁଙ୍ଗାରି ରହିଥିବା ଅଧାବୁଡା ଗାଁ ଘର ପରି ଦିଶୁଥାନ୍ତି ଧାନଗଦା ସବୁ ! ଦି’ଯୋଡା ବିକଳ ଆଖି ଧାନଗଦା ଉପର ଦେଇ ପହଁରି ଆସି ପରସ୍ପର ମୁହଁକୁ ଅନେଇଲେ। ଅତି ନିରୀହ ସେ ଚାହାଣି। ମୁଣ୍ଡରେ ହାତ ଦେଲା ପହଲି। ନରିର ହତାଶିଆ ଆଖି ସେଇ ଘୁଟଘୁଟ ଅନ୍ଧାରରେ ବି ଆକାଶସାରା ପହଁରିଯାଇ ଖୋଜୁଥାଏ ଟିକିଏ ଆଶାର ଆଲୋକ। ବର୍ଷା କିନ୍ତୁ କଚି ଲାଗିଥାଏ ସେଇମିତି। ପହଲି ଛାତିର ଟାଣପଣ ସବୁକୁ କୁଚକୁଚା କରି ଦଳି ଚାଳିଥାଏ ଘଡଘଡି। ଶୂନ୍ଯରୁ ପ୍ରସରି ମାଟିକୁ ଆବୋରି ସାରିଥିଲେ ଆକାଶେ ଅନ୍ଧାର। ସେଇ ଅନ୍ଧାରରେ ଢାଙ୍କି ହୋଇ ସାରିଥିଲା ନରି ଓ ପହଲିର ଆଶାର ଆଲୁଅ। ତଥାପି ମେଘ ଗରଜୁ ଥାଏ ରହିରହି। ବରଷା କଚୁଥାଏ ଖତେଇ ହେଇ।
*****************
ଆକାଶେ ଅନ୍ଧାର
***********
ଡୋଳାମଣି ତ୍ରିପାଠୀ
ପାଇକମାଳ, ଜି:ବରଗଡ଼
ମୋ:୯୯୩୮୫୫୨୪୬୭
ଚାଷୀ ଜୀବନର ସୁଖ ଦୁଃଖ କୁ ନେଇ ଏକ ଦରଦଭରା ଗଳ୍ପ । ବଢିଆ ଲାଗିଲା ।