ଆଉ ଶୁଭିବନି “ହଇରେ ଶଳା”
——— *ତ୍ରିଲୋଚନ
ପିଲା ଦିନ ସାଂଗ ପାକଲା ବାଳିଆ
ପାକୁଆ ସେଦିନ ମିଳିଲା ହାଟେ
ପଚାରି ବସିଲି, “କେମିତି ଅଛୁରେ,
ଶୁଣୁଛି ଘରଟେ କରିଛୁ ଥାଟେ॥
ବୋହୂଘର ଲୋକ ନିଜ ଘରଲୋକ
ନାତି ନାତୁଣୀଂକ ଅଝଟ ଝଡ
ଘରକରଣାରେ ରୋଷେଇବାସରେ
ଭାଂଗି ଯିବଣି ତୋ ଭାରିଯା ହାଡ॥”
ହସ ଉଡିଗଲା ପାକୁଆ ପାଟିରୁ,
କୁନ୍ଥେଇ କହିଲା, “ଶୁଣରେ ଭାଇ,
ତିନି ପୁଅଂକର ଦୁଇଟି ଛୁଆରେ
ବୋହୂମାନଂକର ଭାଇ ବି ନାହିଁ॥
ଯେଉଁ ପୁଅଟିର ପିଲାଟେ ହେଉନି
ସେଇଟି ରହିଛି ଆମରି ପାଖେ
ବୋହୂଟି ଆମର ଚାକିରି କରିଛି
ଆମେ କି ଦୁଃଖରେ କିଏ ବା ଦେଖେ
ତୁ ମୁଁ ଯେମିତି ସମୁଦୀ ସେମିତି
ଆସି ପାରନ୍ତିନି ଗଲେଣି ନଇଁ
ଘରଟା ଗହଳି କେମିତି ହବରେ
ପୁଅଂକର ଶଳା ଶାଳୀ ପା ନାହିଁ॥
ଆଗକୁ ଗହଳି ବଢିଯିବ ଭାବି
କରିଥିଲି ବାର ବଖରା ଘର
ଏକା ବୁଢୀ ମୋର ଓଳଉ ପୋଳଉ
ଆଜି ଦେହବିନ୍ଧା କାଲିକି ଜର॥”
ଶେଷରେ ପାକୁଆ ଯାହା ବି କହିଲା
ଆଜି ବି ବସିଲେ ପଡୁଛି ମନେ
ସମୟ କେମିତି କଡ ନେଉଟାଏ
ଜଳ ଜଳ ଆଖି ଦେଖଇ ଦିନେ॥
ପାକୁଆ କହିଲା, “ଆଉ ଶୁଭିବନି
“ମାମୁଁ ଘର ଯିବି’ କହିବ ପିଲା
ଶାଳୀ ଡାକୁଥିବ ଭିଣୋଇ ବାବୁ ହେ
ଭିଣୋଇ ଡାକିବ ‘ହଇରେ ଶଳା’॥”
——————
ତ୍ରିଲୋଚନ ପଣ୍ଡା
ଧାମନଗର, ଭଦ୍ରକ
2 Comments
ଭିଣେଇ ଡାକିବ ହଇରେ ଶଳା !
ହା ହା ହା
ବଢିଆ
ସତରେ କୁଆଡେ ହଜି ଗଲାଣି ସେ ଆତ୍ମିୟତା
ଲକ୍ଷ୍ମୀଧର ନାୟକ
ହୃଦୟ ଭରି ଶତ ଶତ ଧନ୍ୟବାଦ ଜଣାଇଛି।।