Eyelash
ଆରତୀ ସାହୁ
-ଦିଦି ,ଆଇଲେଶ୍ ର ହେୟର କୁ ଫୁଙ୍କିଲେ ୱିଶ୍ ପୂରା ହୁଏ ନା?
-ଅଫକୋର୍ସ
-ତେବେ ବିନି କାହିଁକି କହିଲା ମିଛ କଥା ବୋଲି?ମୁଁ ତ ୱିଶ୍ କରିଥିଲି ପରଦିନ,ମେମ ପନିଶ୍ ନ କରନ୍ତୁ ବୋଲି।ମୁଁ ହୋମୱର୍କ କରି ନଥିଲି ତ।ମୋର ତ ୱ୍ଇଶ୍ ପୂରା ହେଇଗଲା।
-ତୁ ବିନି କଥା ଜମା ଶୁଣ ନା ।ସେଇଟା ମିଛେଇଟା।
ନାଚି ନାଚି ପ୍ରଜାପତି ଟି ପରି ପାରାପେଟ ଡେଇଁ ଚାଲିଗଲା ଜୁବଲି।
ଆମର ଓ ଜୁବଲି ଘର ଛାତ ଲଗାଲଗି।ଛାତରୁ ଭାବ ବିନିମୟ ଓ ଖାଦ୍ୟ ପଦାର୍ଥ ବିନିମୟ ବେଶ ସୁରୁଖୁରୁରେ ହୋଇ ପାରୁଥିଲା।ଜୁବଲି ଆମ ପଡ଼ିଶା ଘର ମଉସାଙ୍କ ପୁଅ ସୁରଞ୍ଜନ ଭାଇଙ୍କ ଝିଅ।ଷ୍ଟାଣ୍ଡାର୍ଡ 2 ରେ ପଢ଼ୁଥାଏ, ଡି ଏ ଭି ସ୍କୁଲରେ।ଭାରି ଚଞ୍ଚଳି , ଭାରି ଗପୁଡି଼।
ଶୀତଦିନ, ଛାତରେ ପାଠ ପଢ଼ିଲା ବେଳେ ସେ ଆସି ଇଆଡୁ ସିଆଡୁ ପ୍ରଶ୍ନ ପଚାରି ଅଥୟ କରେ।ମାଉସୀ ପୂଜା ଘରେ ବ୍ୟସ୍ତ,ମଉସା ସମବୟସ୍କଙ୍କ ସହ ଗୁଲିଖଟି ଓ ତାସ ଖେଳରେ ବ୍ୟସ୍ତ ଓ ଭାଉଜ ଦିନକୁ ଦଶଥର ଚାହା ଓ ଅନ୍ୟାନ୍ୟ ଘରକାମ ରେ ବ୍ୟସ୍ତ।ତେଣୁ ଜୁବଲିର ଏକମାତ୍ର ସାହାଭରଷା ଓ ଉତ୍ତମ ଶ୍ରୋତା ମୁଁ।କେତେବେଳେ ମୁଁ ଏଣୁତେଣୁ ଉତ୍ତର ଦିଏ ତ କେତେବେଳେ ଶୁଣେନା ମୋଟରୁ।ସେ ତାର ଧୈର୍ଯ୍ୟ ନ ହରାଇ ଅନବରତ ଗପୁଥାଏ।ଅଧିକ ହଇରାଣ କଲେ ତାକୁ ଲେସନ୍ ଲାର୍ନ କରିବାକୁ ଦେଇ ଦିଏ।
ଜୁବଲିର ବାପା ସୁରଞ୍ଜନ ଭାଇ ସ୍ପେଶାଲ ଫୋର୍ସରେ କମାଣ୍ଡୋ।ତାଙ୍କର ପୋଷ୍ଟିଂ ହୁଏ କେବଳ ମାଓବାଦୀ ସଂକ୍ରମିତ ସ୍ଥାନ ମାନଙ୍କରେ।ବାରଣ ନ ମାନି ପ୍ରାଇଭେଟ କମ୍ପାନୀ ଛାଡ଼ି ସେ ଯୋଗ ଦେଇଥିଲେ ଏସ୍ ଓ ଜି ରେ।ସେ ଥିଲେ ମାଉସୀ ମଉସାଙ୍କର ଏକୋଇର ବଳା ବିଶିକେସନ।ସେହି ଦିନଠାରୁ ବୋଧେ ମାଉସୀ ପୂଜା ବ୍ରତରେ ମନ ଲଗାଇଲେ ଆଉ ଭାଉଜ ଅଧିକାଂଶ ସମୟ ମଉନ ବ୍ରତ ଆଚରିଲେ।ଜୁବଲି ହୋଇଗଲା ସମ୍ପୂର୍ଣ୍ଣ ନିଃସଙ୍ଗ।
ଡିସେମ୍ବର ଦଶ ବାର ତାରିଖ।ମୁଁ ପଢ଼ୁଥାଏ ଖବର କାଗଜ, ଖରାରେ।କଲେଜ ଯାଇ ନଥାଏ।ଛୁଟି ଥିଲା ବୋଧେ, ମନେ ନାହିଁ।ଜୁବଲି ପାରାପେଟ ଡେଇଁ ଆସିଲା।
-ମୋ ଗାଲରେ ଆଇଲେଶ୍ ପଡ଼ିଛି କି?
-କାହିଁ, ନା ତ।
ମୁହଁଟା ଶୁଖିଗଲା ତାର।
-ଦିଦି, ଡିସେମ୍ବର ପଚିଶ କେତେ ତାରିଖ?
-ଗଧ,ଡିସେମ୍ବର ପଚିଶରେ।
-ସେଦିନ କ୍ରିସମାସ୍ ନା?ଶାନ୍ତା କ୍ଲୋଜ୍ ପିଲାମାନଙ୍କୁ ଗିଫ୍ଟ ଦିଅନ୍ତି ନା?
-ଓଵ୍ଭିୟସଲି।ତୋର କଣ ଦରକାର?
କିଛି ନ କହି ଫିକା ହସଟିଏ ହସି ଛାତରେ ଘେରାଏ ବୁଲି ଆସିଲା।
-ଦିଦି, ସୁକମା କୋଉ ଜାଗା?
-କଣ ହେଲା କି?
-ବାପାଙ୍କ ସେଠାରେ ଷ୍ଟ୍ରଗଲ ଚାଲିଛି।ଜେଜେ ବାପା ଅଜା ମାନଙ୍କୁ କହୁଥିଲେ।ଜେଜେମା ପୂଜା ଘରୁ ବାହାରୁ ନାହାନ୍ତି।ବୋଉ ବି କାନ୍ଦୁଛି।କିଛି ଭଲ ଡିଶ୍ ତିଆରି କରୁନାହିଁ।କ୍ରିସମାସ୍ ରେ ମୁଁ ଶାନ୍ତା କ୍ଲୋଜ୍ କୁ କହିବି, ସୁକମାରେ ଷ୍ଟ୍ରଗଲ ବନ୍ଦ ହୋଇ ଯାଉ।ମୋ ବାପା ଫେରି ଆସନ୍ତୁ।ବାପା ପ୍ରମିସ ବି କରିଥିଲେ କ୍ରିସମାସ୍ କୁ ଆସିବେ ବୋଲି।ମୋର ସ୍କୁଲ ଛୁଟି ଥିବ ତ।ଆମେ ଚିଲିକା ଯିବୁ।ସେଠାରେ କେତେ ବର୍ଡ୍ସ୍ ।
ସେଦିନ ମୋ ବାପା ମାଆଙ୍କ ମୁହଁ ବି ଶୁଖିଯାଇଥାଏ।ସୁକମା ବିଷୟରେ ଟି ଭି ରେ ଦେଖୁଥାଉ।ସୁରଞ୍ଜନ ଭାଇ,ସରକାର ମାନଙ୍କର କୋହଳ ନୀତି ଓ ଏ ନେଇ ପଲିଟିକାଲ ଖେଳ ବିଷୟରେ ଅନେକ ସମୟ ଗପିଲୁ।
ତା ପରଦିନ ଠାରୁ ପ୍ରତିଦିନ ଜୁବଲି ଦୁଇ ତିନି ଥର ପଚାରେ,
-ଦିଦି, ମୋ ଗାଲରେ ଆଇଲେଶ୍ ପଡ଼ିଛି?
ନାସ୍ତିବାଣୀ ଶୁଣି ମୁହଁ ଶୁଖାଇ ଚାଲିଯାଏ।
ଡିସେମ୍ବର ତେଇଶ ତାରିଖ।ମୁଁ ଛାତରେ ଗୋଲାପ ଗଛ ଗୁଡିକୁ ବାଗଉଥାଏ।କଢ଼ ଗୁଡିକ କଣ ପାଇଁ କେଜାଣି ଶୁଖି ଯାଉଥାନ୍ତି।ଫୁଲ ଗୁଡା ମଧ୍ୟ ପଚି ଯାଉଥାନ୍ତି।ପଚା ଫୁଲକୁ କାଟି ଦେଉ ଦେଉ ମୋ ଆଙ୍ଗୁଠିରେ କଣ୍ଟାଟିଏ ଫୁଟିଗଲା।ଆଃ କହି ଆଙ୍ଗୁଠିଟା ଚୁଚୁମି ଦେଉ ଦେଉ ମାଉସୀଙ୍କ ଘରୁ ଯୋର କାନ୍ଦଣା ଶୁଭିଲା।ମୋର ଛାତିରୁ ଅତଡ଼। ଖସି ପଡ଼ିଲା।ମୁଁ ପାରାପେଟ ଡେଇଁ ତାଙ୍କ ଛାତରୁ ତଳକୁ ଧାଇଁଲି।ତଳେ ପହଞ୍ଚି ମୋର ପାଦତଳୁ ପୃଥିବୀ ଖସି ଯାଉଥିଲା।ଗଳାରୁ ହାବୁକା ଉଠିଲା।
ମାଉସୀ ଅଚେତ, ଭାଉଜ ପଥର ଓ ମଉସାଙ୍କୁ ତାଙ୍କ ସାଙ୍ଗମାନେ ସମ୍ଭାଳି ପାରୁ ନଥାନ୍ତି।
ଆଉ ଜୁବଲି,
ତାର ଆଖିରୁ ଅନର୍ଗଳ ଲୁହ ବୋହି ଗାଲଟା ସାରା ଆଇଲେଶ୍ ଭର୍ତ୍ତି।ହାତରେ, ତାରି ଅଙ୍କା ଶାନ୍ତା କ୍ଲୋଜ୍ ଙ୍କ ସ୍ଲେଜ୍ ରାଇଡିଂ ସ୍କେଚ।
ଆରତୀ ସାହୁ (ଆଶା)
ବସନ୍ତ ବିହାର
ନୂଆଦିଲ୍ଲୀ
ଗପଟି ଭୁଲି ହେଇ ଯାଇଥିଲା। ଧନ୍ୟବାଦ ଭାଇ