ଅଲିମ୍ପିକ କ୍ରୀଡ଼ାର ଇତିବୃତ୍ତ

Share it

ଜଣା ଅଜଣା
8th August 2024
ଅଲିମ୍ପିକ କ୍ରୀଡ଼ାର ଇତିବୃତ୍ତ
================

ବିଶ୍ୱ ଭ୍ରାତୃତ୍ୱର ପ୍ରତୀକ ଏବଂ କ୍ରୀଡ଼ାର ମହାକୁମ୍ଭ ହେଉଛି ଅଲିମ୍ପିକ କ୍ରୀଡ଼ା l ଏହା ବିଶ୍ୱରେ ସବୁଠୁ ବଡ଼,ସର୍ବପ୍ରାଚୀନ,ମର୍ଯ୍ୟାଦାଜନକ ଓ ଲୋକପ୍ରିୟ କ୍ରୀଡ଼ା l ଅଲିମ୍ପିକ ଖେଳରେ ଅନ୍ତତଃ ଥରେ ଭାଗ ନେବା ପାଇଁ ସବୁ କ୍ରୀଡ଼ାବିତ୍‌ ଅଭିଳାଷ ପୋଷଣ କରିଥାନ୍ତି l ଅଲିମ୍ପିକ କ୍ରୀଡ଼ାରେ ଜୟ ପରାଜୟ ଅପେକ୍ଷା ଅଂଶଗ୍ରହଣ କରିବା ଓ ତଦ୍ୱାରା ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବା ହେଉଛି ଗୁରୁତ୍ୱପୂର୍ଣ୍ଣ l

ସେଥିପାଇଁ ଆଧୁନିକ ଅଲିମ୍ପିକର ସ୍ରଷ୍ଟା ପେରି ଡ଼ି କୁବର୍ଟିନ କହିଥିଲେ :- “The most important thing in the Olympic Games is not winning but taking part; the essential thing in life is not conquering but fighting well.”

ସୁସ୍ଥ ଖେଳୁଆଡ଼ ମନୋଭାବ ରଖି ନିଜର ଶ୍ରେଷ୍ଠତ୍ୱ ପ୍ରଦର୍ଶନ ପାଇଁ ଯଥା ସମ୍ଭବ ପ୍ରୟାସ କରିବା,ଏହା ହିଁ ଏହି କ୍ରୀଡ଼ାର ମୂଳମନ୍ତ୍ର l
ଅଲିମ୍ପିକକ୍ରୀଡ଼ା ହେଉଛି ପ୍ରାଚୀନ ଗ୍ରୀକସଭ୍ୟତାର ଅବଦାନ l ଆଜକୁ ତିନି ହଜାର ବର୍ଷ ପୂର୍ବେ ଏହା ଗ୍ରୀସରେ ସୃଷ୍ଟି ହୋଇଥିଲା l ମଝିରେ ଏହା କିଛି କାଳ ବନ୍ଦ ହୋଇଯାଇ ଥିଲା l ଏହା ପୁଣି ଫ୍ରାନ୍ସ ଶିକ୍ଷାବିତ୍‌ ଏବଂ କ୍ରୀଡ଼ା ପ୍ରେମୀ ବାରୋଁ ପିୟର ଡି’ କୁବର୍ଟିନଙ୍କ ଉଦ୍ୟମ କ୍ରମେ ଊନବିଂଶ ଶତାବ୍ଦୀର ଶେଷ ଭାଗରେ ପୁନରୁଦ୍ଧାର ହୋଇଥିଲା l ପ୍ରଥମ ଆଧୁନିକ ଅଲିମ୍ପିକକ୍ରୀଡ଼ା 1896 ଖ୍ରୀଅରେ ଗ୍ରୀସର ରାଜଧାନୀ ଏଥେନ୍‌ସଠାରେ ପ୍ରଥମେ ଆୟୋଜିତ ହୋଇଥିଲା l

ଇତିହାସରୁ ଜଣାଯାଇ ଥାଏ, ଖ୍ରୀଷ୍ଟ ପୂର୍ବ ଅଷ୍ଟମ ଶତାବ୍ଦୀରୁ ଖ୍ରାଷ୍ଟାବ୍ଦ ଚତୁର୍ଥ ଶତାବ୍ଦୀଯାଏ ଗୋଟିଏ କ୍ରୀଡ଼ା ପ୍ରତି ଯୋଗିତା ଗ୍ରୀକ ଦେବତା ଜିୟସଙ୍କ ସମ୍ମାନାର୍ଥେ ଆୟୋଜିତ ହେଉଥିଲା ସେଠିକାର ଧାର୍ମିକ ଉତ୍ସବ ଅବସରରେ lଏହା ପ୍ରତି ଚାରିବର୍ଷ ବ୍ୟବଧାନରେ ଅଗଷ୍ଟ, ସେପ୍ଟେମ୍ବର ମାସ ମଧ୍ୟରେ ଆୟୋଜିତ ହେଉଥିଲା l ଦକ୍ଷିଣ ଗ୍ରୀସ୍‌ ଅଲିମ୍ପିଆ ନାମକ ଏକ ସ୍ଥାନରେ ଏହି କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହେଉଥିଲା l ଅଲିମ୍ପିଆ ନାମାନୁଯାୟୀ ପ୍ରତିଯୋଗିତାର ନାମ ରଖା ଯାଇଥିଲା ଅଲିମ୍ପିକ l ଅଲିମ୍ପିଆ ଗ୍ରୀସର ନାଗରିକ ମାନଙ୍କ ପାଇଁ ଥିଲା ଏକ ପବିତ୍ର ଧର୍ମ ପୀଠ l

ଖ୍ରୀଷ୍ଟପୂର୍ବ 776 ରେ ପ୍ରଥମ ପ୍ରାଚୀନ ଅଲିମ୍ପିକ କ୍ରୀଡ଼ା ଆୟୋଜିତ ହୋଇଥିବା ପ୍ରମାଣ ମିଳେ l କିନ୍ତୁ ବିଶ୍ୱାସ କରାଯାଏ ଲିପିବଦ୍ଧ ହୋଇଥିବା ଏ ସମୟ ପୂର୍ବରୁ ଏହା ବହୁବର୍ଷଧରି ଅନୁଷ୍ଠିତହୋଇ ଆସୁଥିଲା l କୋରୋବସ ନାମକ ଜଣେ ପାଚକ ପ୍ରଥମ ପ୍ରାଚୀନ ଅଲିମ୍ପିକ୍ସର ଏକ ମାତ୍ର ଖେଳରେ ବିଜୟୀ ହୋଇଥିଲା l ତାହା ଥିଲା ୧୯୨ ମିଟର ଦୌଡ଼ l ଏହି ଦୌଡ଼କୁ ‘ଷ୍ଟେଡ’ କୁହାଯାଉଥିଲା l ‘ଷ୍ଟେଡ୍’ ଶବ୍ଦରୁ ହିଁ ଏବେକାର ଷ୍ଟାଡିୟମ୍‌ ଶବ୍ଦର ଉତ୍ପତ୍ତି ହୋଇଛି l

ଗ୍ରୀସ୍‌ରେ ସେତେବେଳେ ଅନ୍ୟ ସ୍ଥାନ ମାନଙ୍କରେ ମଧ୍ୟ କ୍ରୀଡ଼ା ପ୍ରତିଯୋଗିତାମାନ ଅନୁଷ୍ଠିତ ହେଉଥିଲା l ମାତ୍ର ଏହି ଅଲିମ୍ପିଆରେ ଆୟୋଜିତ ହେଉଥିବା ପ୍ରତିଯୋଗିତା ସର୍ବାଧିକ ଲୋକପ୍ରୀୟ ଥିଲା l ଆଉ ଗୋଟିଏ କିମ୍ବଦନ୍ତୀରୁ ଜଣାଯାଇ ଥାଏ ଗ୍ରୀସର ଦେବତା ଜିୟସଙ୍କ ପୁତ୍ର ହରକ୍ୟୁଲେସ ଓ ତାଙ୍କ ମାଆ ଅଲସିମିନ ଏହି ଅଲିମ୍ପିକ କ୍ରୀଡ଼ାର ସଂସ୍ଥାପକ ଥିଲେ l ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀ ଶେଷ ବେଳକୁ ଅଲିମ୍ପିକ କ୍ରୀଡ଼ା ସବୁ ଗ୍ରୀକ୍ କ୍ରୀଡ଼ା ଉତ୍ସବ ମାନଙ୍କ ମଧ୍ୟରେ ଥିଲା ବେଶ୍ ଲୋକପ୍ରିୟ l ପ୍ରାଚୀନ କ୍ରୀଡ଼ାରେ କେବଳ ପୁରୁଷ ମାନେ ହିଁ ଅଂଶଗ୍ରହଣ କରୁଥିଲେ l ମହିଳା ମାନଙ୍କ ଅଂଶଗ୍ରହଣ ନିଷିଦ୍ଧଥିଲା l ମହିଳାମାନଙ୍କୁ ଅଲିମ୍ପିକ କ୍ରୀଡ଼ା ପ୍ରତିଯୋଗିତା ଦେଖିବା ନିଷିଦ୍ଧ ଥିଲା ମଧ୍ୟ l

ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀର ମଧ୍ୟଭାଗ ବେଳକୁ ଗ୍ରୀସ ରୋମ୍ ସାମ୍ରାଜ୍ୟ ଭୁକ୍ତ ହେଲା l ରୋମାନ ଶାସକଙ୍କ ଅଧୀନରେ ମଧ୍ୟ ଅଲିମ୍ପିକ କ୍ରୀଡ଼ା ଚାଲୁ ରହିଲା l କିନ୍ତୁ ଏହା ତାର ଆଗ ଆକର୍ଷଣ ହରାଇ ବସିଲା l ପ୍ରତିଯୋଗୀମାନଙ୍କୁ ଉପେକ୍ଷା କରାଯିବା ଦ୍ୱାରା ଏହା ତା’ର ଗୁରୁତ୍ୱ ଏବଂ ଗୌରବ ହରାଇ ବସିଲା l

393 ଖ୍ରୀଷ୍ଟାବ୍ଦରେ ରୋମ ସାମ୍ରାଜ୍ୟର ସମ୍ରାଟ ଥିଓଡେସିଅସ ଖ୍ରୀଷ୍ଟ ଧର୍ମ ଗ୍ରହଣ କଲେ l ଏଣୁ ଗ୍ରୀସରେ ଅଲିମ୍ପିକ କ୍ରୀଡ଼ାକୁ ଧର୍ମ ବିରୋଧୀ ଆଖ୍ୟା ଦିଆଗଲା l ସମସ୍ତ ଗ୍ରୀକ୍ ଉତ୍ସବ ମାନଙ୍କୁ ନିଷିଦ୍ଧ କରାଗଲା l ଏହାର ପରିଣାମସ୍ୱରୂପ ପ୍ରାୟ ବାର ଶହ ବର୍ଷ ଧରି ଚାଲି ଆସିଥିବା ଅଲିମ୍ପିକ କ୍ରୀଡ଼ା ବନ୍ଦହୋଇଗଲା l ୩୯୨ ଖ୍ରୀଷ୍ଟାବ୍ଦ ଅନୁଷ୍ଟିତ 293ତମ ଅଲମ୍ପିକକ୍ରୀଡ଼ା ହିଁ ଶେଷ କ୍ରୀଡ଼ା ଥିଲା l

ପନ୍ଦରଶହ ବର୍ଷ ପରେ ପୁଣି ଏହି ସର୍ବ ବୃହତ ଓ ପ୍ରାଚୀନ ଅଲିମ୍ପିକ କ୍ରୀଡ଼ାର ପୁନରୁଦ୍ଧାର ଉଦ୍ୟମ ଆରମ୍ଭ ହେଲା l ଫରାସୀ ବୁଦ୍ଧିଜୀବୀ, ଶିକ୍ଷାବିତ ତଥା କ୍ରୀଡ଼ା ପ୍ରେମୀ ବାରୋଁ ପିୟର ଡି କୁବର୍ଟିନ ପ୍ରାଚୀନ ଅଲିମ୍ପିକ କ୍ରୀଡା ଢାଞ୍ଚାରେ ବିଶ୍ୱରେ ଏକ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନର ପରିକଳ୍ପନା କଲେ l ଗ୍ରୀସ୍‌ର ସେହି ପ୍ରାଚୀନ ଅଲିମ୍ପିକ କ୍ରୀଡ଼ା ସ୍ଥଳ ଅଲିମ୍ପିଆ ପରିଦର୍ଶନ କଲା ପରେ କୁବର୍ଟିନ ଆଧୁନିକ ଅଲିମ୍ପିକ କ୍ରୀଡ଼ାର ଆୟୋଜନ କରିବା ପାଇଁ ଚେଷ୍ଟିତ ହୋଇଥିଲେ l ଅଲିମ୍ପିକ କ୍ରୀଡ଼ାର ପୁନରୁଦ୍ଧାର ନିମନ୍ତେ ଫ୍ରାନସର ତତ୍କାଳୀନ କ୍ରୀଡ଼ା ସଂଘ ‘ଦି ୟୁନିଅନ ଅଫ ଫ୍ରେଞ୍ଚ ଆଥଲେଟିକସ ସ୍ପୋର୍ଟସ ସୋସାଇଟିଜ୍‌ ‘ର ୧୮୯୨ ମସିହାର ନଭେମ୍ବର ମାସରେ ଅନୁଷ୍ଠିତ ବୈଠକରେ ପ୍ରସ୍ତାବ ରଖିଥିଲେ କୁବେର୍ଟିନ l ଏହାର ଦୁଇ ବର୍ଷ ପରେ 1894ମସିହାରେ ତାଙ୍କ ଉଦ୍ୟମ ଯୋଗୁଁ ପ୍ରତିଷ୍ଠା ହୋଇଥିଲା ଆନ୍ତର୍ଜାତିକ ଅଲିମ୍ପିକ କମିଟି IOC l

ଆନ୍ତର୍ଜାତିକ ଅଲିମ୍ପିକ କମିଟି ଆଧୁନିକ ଅଲିମ୍ପିକ୍ସ କ୍ରୀଡ଼ାର ପରିଚାଳନା କରୁଛି l ଏହି ଆନ୍ତର୍ଜାତିକ ଅଲିମ୍ପିକ କମିଟି ଆନୁକୂଲ୍ୟରେ ୧୮୯୬ରେ ଗ୍ରୀସ ରାଜଧାନୀ ଏଥେନ୍ସରେ ଆୟୋଜିତ ହୋଇଥିଲା ପ୍ରଥମ ଆଧୁନିକ ଅଲିମ୍ପିକ କ୍ରୀଡ଼ା କୁ​‌ବେର୍ଟିନଙ୍କ ଉଦ୍ୟମରେ l ଗ୍ରୀସର ରାଜା ପ୍ରଥମ ଜର୍ଜିୟସ ଓ ଷାଠିଏ ହଜାର ଦର୍ଶକଙ୍କ ଉପସ୍ଥିତି ସହ ଏଥେନ୍ସ ଠାରେ ଏହା ଉଦ୍‌ଘାଟିତ ହୋଇଥିଲା l ଏଥିରେ ତେରଟି ଦେଶର 280 ଜଣ ପୁରୁଷ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ l ଦୌଡ଼ କୁଦ, ସନ୍ତରଣ, କୁସ୍ତି,ସାଇକେଲ ଚାଳନା,ଭାରୋତ୍ତୋଳନ,ବନ୍ଧୁକ ଚାଳନା, ଅସି ଚାଳନା, ଜିମ୍ନାଷ୍ଟିକ୍ସ ଓ ଟେନିସ ଆଦି ୪୩ଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏହି ଅଲିମ୍ପିକ୍ସ କ୍ରୀଡ଼ା ହିଁ ଯୋଡ଼ି ଦେଇଥିଲା ଇତିହାସ ପୃଷ୍ଠାରେ ଅଲିମ୍ପିକର ନୂତନ ଅଧ୍ୟାୟ l

1896 ରୁ ଏ ପର୍ଯ୍ୟନ୍ତ ନିୟମିତଭାବେ ଏହି କ୍ରିଡ଼ା ଅନୁଷ୍ଠିତ ହୋଇ ଆସୁଛି l କେବଳ ପ୍ରଥମବିଶ୍ୱଯୁଦ୍ଧ 1914 ରୁ 1918 ଏବଂ ଦ୍ୱିତୀୟବିଶ୍ୱଯୁଦ୍ଧ 1940 ରୁ 1944 ମଧ୍ୟରେ ଅଲମ୍ପିକ କ୍ରୀଡ଼ା ଅନୁଷ୍ଠିତ ହୋଇପାରି ନଥିଲା l

ଏସିଆ ମହାଦେଶରେ ପ୍ରଥମ ଥର ପାଇଁ ଅଲିମ୍ପିକ ଅନୁଷ୍ଠିତହୋଇଥିଲା 1964ରେ ଜାପାନ ରାଜଧାନୀ ଟୋକିଓ ଠାରେ l 1925ରେ ଚେକୋସ୍ଲୋଭିଆର ପ୍ରେଗଠାରେ ଅନୁଷ୍ଠିତ IOC ବୈଠକରେ ପ୍ରଥମ ଶୀତକାଳୀନ ଅଲିମ୍ପିକର ନିଷ୍ପତ୍ତି ନିଆ ଯାଇଥିଲା l

1896 ରେ ଅଲିମ୍ପିକ ଖେଳସହ ଯୋଡ଼ାଯାଇ ଥିଲା ଲମ୍ବା ଦୌଡ଼ ବା ମାରାଥନ l ଖ୍ରୀଷ୍ଟପୂର୍ବ 490ରେ ଜଣେ ଗ୍ରୀକଯୋଦ୍ଧା 25 ମାଇଲ ଦୌଡ଼ି ଏଥେନ୍ସରେ ଆଣି ଗ୍ରୀକମାନଙ୍କ ପାରସ୍ୟ ଉପରେ ବିଜୟ ଖବର ପହଞ୍ଚାଇ ଥିଲେ l ଅଲିମ୍ପିକରେ ମାରାଥନ ଦୌଡ଼ ସେହି ଚମତ୍କାରୀ ଐତିହାସିକ ଘଟଣାର ସ୍ମୃତିକୁ ରୋମନ୍ଥନ କରେ l

ଏ ବର୍ଷ ଏହି ମହା କ୍ରୀଡ଼ା କୁମ୍ଭ ଫ୍ରାନ୍ସର ରାଜଧାନୀ
ପ୍ୟାରିସ ଠାରେ ଅନୁଷ୍ଠିତ ହେଉଛି l ସଂକ୍ଷେପରେ ଏହାହିଁ ଅଲିମ୍ପିକ କ୍ରୀଡ଼ାର ଇତିହାସ l


🙏🙏🙏


ଅର୍ଜୁନୀ ଚରଣ ବେହେରା
ମୋ – 7693091971


Share it

Leave a comment

Your email address will not be published. Required fields are marked *

Verified by MonsterInsights