ଅର୍ଜୁନଙ୍କୁ ଯୁଧିଷ୍ଠିରଙ୍କ ଭର୍ତ୍ସନା

Share it

ମହାଭାରତରେ କର୍ଣ୍ଣ ଓ ଅର୍ଜ୍ଜୁନ ବୀରତ୍ୱରେ କେହି କାହାକୁ ଉଣା ନ ଥିଲେ । ଦୁହେଁ ସମକକ୍ଷ ଯୋଦ୍ଧା ଥିଲେ ଏବଂ ଦୁହେଁ ଅଭିଳାଷ ରଖିଥିଲେ ଦିନେ ନା ଦିନେ, ଯୁଦ୍ଧରେ ସେମାନେ ପରସ୍ପରକୁ ଭେଟିବେ । ଘଟଣାକ୍ରମେ ମହାଭାରତ ଯୁଦ୍ଧ ସଂଘଟିତ ହେଲା । ସେଦିନ ଥାଏ ଷୋଡଶ ଦିବସ ଯୁଦ୍ଧ । ଭୀଷ୍ମ ଦ୍ରୋଣ ଓ ଜୟଦ୍ରଥଙ୍କ ପତନପରେ କୌରବଙ୍କ ସେନାପତି ରୂପେ କୁରୁକ୍ଷେତ୍ର ରଣଭୂମିରେ ଅବତୀର୍ଣ୍ଣ ହୋଇଛନ୍ତି ମହାବୀର କର୍ଣ୍ଣ । ଦୁଇ ସେନାଙ୍କ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗିଗଲା ।

କର୍ଣ୍ଣ ତ ଅର୍ଜୁନଙ୍କସହ ଲଢ଼ିବାକୁ ଚାହୁଁଥିଲେ । କିନ୍ତୁ ତାଙ୍କର ରଣ କୌଶକ ଥିଲା, ସେ ଅର୍ଜୁନଙ୍କ ସହିତ ପ୍ରଥମରୁ ନ ଲଢ଼ି, ପ୍ରଥମେ ପାଣ୍ଡବ ମାନଙ୍କ ପ୍ରଧାନ ପ୍ରଧାନ ବୀରଙ୍କୁ ନାଶ କରିବେ । ଏହି ଅବସରରେ ଦୁର୍ଯ୍ୟୋଧନ ସଂଶପ୍ତକ ସୈନ୍ୟ ମାନଂଙ୍କୁ ଅର୍ଜୁନଙ୍କ ବଳ କ୍ଷୟ ପାଇଁ, ଲଗାଇ ଦେବେ । ଏହି ଯୋଜନା ଅନୁଯାୟୀ ସେଦିନ ଯୁଦ୍ଧ ଆଗେଇ ଚାଲିଲା । କର୍ଣ୍ଣ ଉଗ୍ରରୂପ ଧାରଣ ପୂର୍ବକ ପାଣ୍ତବ ସେନାଙ୍କୁ ସଂହାର କରିବାକୁ ଲାଗିଲେ । ପାଣ୍ଡବ ପକ୍ଷର କେହି ଯୋଦ୍ଧା ତାଙ୍କ ସାମ୍ନାରେ ତିଷ୍ଠି ପାରୁ ନଥାନ୍ତି । ନକୁଳ କର୍ଣ୍ଣଙ୍କ ସହ ଲଢ଼ିବା ପାଇଁ ଆସି ନୀରସ୍ତ୍ର ହୋଇ ପଳାୟନ କଲେ । କର୍ଣ୍ଣ ତାଙ୍କୁ ତାତ୍ସଲ୍ୟ କରି କହିଲେ, ଶୀଘ୍ର ଏଠାରୁ ପଳାଇ ଯାଇ, ମାତାଙ୍କ କୋଳରେ ଆଶ୍ରୟ ନିଅ । ଯୁଧିଷ୍ଠିର ଅସିଲେ କର୍ଣ୍ଣଙ୍କସହ ଲଢ଼ିବା ପାଇଁ । ତାଙ୍କର ମଧ୍ଯ ସେଇ ଦଶା ହେଲା । ତାଙ୍କ ଶୀରାସନ କାଟି, କର୍ଣ୍ଣ ତାଙ୍କ ଅଶ୍ଵ ଓ ସାରଥିକୁ ନିହତ କଲେ । ଯୁଧିଷ୍ଠିରଙ୍କ ଶରୀର ରୁଧିରମୟ ହୋଇଗଲା । କର୍ଣ୍ଣ ପଛରେ ଗୋଡ଼ାଇଯାଇ ଧରିବାକୁ ଚେଷ୍ଟା କରୁଛନ୍ତି ଏହି ସମୟରେ, ସାରଥି ଶଲ୍ୟ ତାଙ୍କୁ ବାରଣ କରି କହିଲେ, ତୁମେ ତ ଅର୍ଜୁନଙ୍କୁ ନିହତ କରିବ ବୋଲି ପ୍ରତିଜ୍ଞା କରିଛ । ପୁଣି ଏହାଙ୍କୁ କାହିଁକି ଗୋଡ଼ାଉଛ । କର୍ଣ୍ଣ କୁନ୍ତିଙ୍କୁ ଦେଇଥିବା କଥାକୁ ସ୍ମରଣ କରି ତାଙ୍କୁ ଛାଡ଼ି ଦେଇ କହିଲେ,” ତୁମେ ବନଚାରୀ, ବନରେ ରହିବା ଯୋଗ୍ୟ,ତୁମ ପକ୍ଷରେ ଯୁଦ୍ଧକରିବା ଆଦୌ ଶୋଭା ପାଉନାହିଁ ” ।

କ୍ଷତବିକ୍ଷତ ଯୁଧିଷ୍ଠିର ଦୁଃଖ ଓ ଅପମାନରେ ଆସି ଶିବିର ଭିତରେ ଶୋଇ ରହିଲେ । ଅର୍ଜୁନ ଭୀମଙ୍କ ଠାରୁ ଶୁଣିବାକୁ ପାଇଲେ କର୍ଣ୍ଣଙ୍କ ବାଣରେ ଜ୍ୟେଷ୍ଠ ଭ୍ରାତା କ୍ଷତ ବିକ୍ଷତ ହୋଇ, ଶିବିରରେ ଶୋଇଛନ୍ତି । ଭୀମ ତାଙ୍କୁ କହିଲେ, ମୁଁ ଶତ୍ରୁଙ୍କୁ ମୁକାବିଲା କରୁଛି ତୁମେ ଶୀଘ୍ର ଯାଇ ତାଙ୍କ ଖବର ବୁଝି ଆସ । ଅର୍ଜୁନ କୃଷ୍ଣଙ୍କୁ ଶିବିର ଆଡେ଼ ରଥ ନେଇଯିବାକୁ କହିଲେ । ଉଭୟ ଯାଇ ଯୁଧିଷ୍ଠିରଙ୍କ ପାଖରେ ପହଁଚିଲେ ।

କର୍ଣ୍ଣଙ୍କୁ ବଧକରି ଅର୍ଜୁନ ଫେରିଆସିଛନ୍ତି ମନେକରି ଯୁଧିଷ୍ଠିର ଅର୍ଜୁନଙ୍କୁ ଅଭିବାଦନ କରି କହିଲେ, ତୁମ ସଫଳତାରେ ମୁଁ ବହୁତ ଖୁସି । ଜ୍ୟେଷ୍ଠଭ୍ରାତା ଏପରି କାହିଁକି କହୁଛନ୍ତି ଅର୍ଜ୍ଜୁନ କିଛି ବୁଝି ପାରିଲେ ନାହିଁ । ଅର୍ଜୁନ କହିଲେ ମୁଁ ଅଶ୍ୱତ୍ଥାମା ଶର ବର୍ଷଣରେ ଅଳ୍ପ ଆଘାତ ପ୍ରାପ୍ତ ହୋଇ ତାହା ସହିତ ଯୁଦ୍ଧ କରୁଥିଲି । ଏହି ସମୟରେ, ମୋତେ ଆକ୍ରମଣ କରିବାକୁ କର୍ଣ୍ଣ ଆସିଲା । କିନ୍ତୁ ମୁଁ ଭୀମଙ୍କ ଠାରୁ ଆପଣଙ୍କ କ୍ଷତାକ୍ତ ହେବା ଖବର ପାଇ ତା’ ସହିତ ଯୁଦ୍ଧ ନକରି ଏଠିକି ବାସୁଦେବଙ୍କୁ ନେଇ ଧାଇଁଆସିଛି । ଆପଣ ମୋତେ କର୍ଣ୍ଣଙ୍କ ସହ ଲଢ଼ିବା ପାଇଁ ଆଦେଶ ଦିଅନ୍ତୁ ।

ଯୁଧିଷ୍ଠିର କ୍ରୋଧିତହୋଇ କହିଲେ, ତୁମେ ବନବାସ କାଳରେ ଦ୍ବୈତ ବନରେ କର୍ଣ୍ଣକୁ ଏକା ବଧ କରିବ ବୋଲି ପ୍ରତିଜ୍ଞା କରିଥିଲ, କୁଆଡେ଼ ଗଲା ତୁମର ସେ ପ୍ରତିଜ୍ଞା । ଆଜି ଅଭିମନ୍ୟୁ କିମ୍ୱା ଘଟୋତ୍କଚ ଜୀବିତ ଥିଲେ, ମୋର ଏହି ଅବସ୍ଥା ହୋଇ ନଥାନ୍ତା । ତୁମେ ସ୍ଵୟଂ ବିଶ୍ଵକର୍ମାଙ୍କ ନିର୍ମିତ ଦିବ୍ୟ ରଥ ଏବଂ ବହୁତ ଶିଦ୍ଧାସ୍ତ୍ରର ଅଧିକାରୀ । ପୁଣି ଭଗଵାନ ଶ୍ରୀକୃଷ୍ଣ ତୁମ ସାରଥି । ତୁମ ଭୁଜବଳ, ଗାଣ୍ଡୀବଧନୁ, ସମସ୍ତ ଅସ୍ତ୍ର ଶସ୍ତ୍ର ଓ ଅସ୍ତ୍ର ବିଦ୍ୟାକୁ ଧିକ୍ । ତୁମେ କର୍ଣ୍ଣକୁ ନମାରି ରଣକ୍ଷେତ୍ରରୁ ପଳାୟନ କରିଛ ।

ଯୁଧିଷ୍ଠିରଙ୍କ ଏପରି ଭର୍ତ୍ସନା ଶୁଣି ଅର୍ଜୁନଙ୍କ ଶରୀର କମ୍ପିବାରେ ଲାଗିଲା । ସେ ଉତ୍ତେଜିତ ହୋଇ ଖଡ୍ଗ ଉତ୍ତୋଳନ କରି କିଛି କହିବାକୁ ଯାଉଥିଲେ । ଏହି ସମୟରେ ଭଗଵାନ ତାଙ୍କୁ ଶାନ୍ତ କରାଇ କହିଲେ, ବର୍ତ୍ତମାନ୍ ଯୁଧିଷ୍ଠିର ବହୁ କ୍ଳାନ୍ତ । ସେ ତୁମକୁ ଯାହା ନକହିବା କଥା କହି ଦେଲେ । କିନ୍ତୁ ଭଲ ଭାବରେ ସେ ଜାଣନ୍ତି ତୁମେ ହିଁ କେବଳ କର୍ଣ୍ଣକୁ ବଧ କରିବା ପାଇଁ ସମର୍ଥ । ସବୁଭୁଲି, ଏବେ ତାଙ୍କର ଆଶୀର୍ବାଦ ଭିକ୍ଷାକର । ଅର୍ଜୁନ ନିଜ ଭୁଲ ବୁଝିପାରି ଯୁଧିଷ୍ଠିରଙ୍କୁ କ୍ଷମାମାଗିଲେ । ଯୁଧିଷ୍ଠିର ଅର୍ଜୁନଙ୍କୁ ଆଲିଙ୍ଗନ କରି କହିଲେ, ” ଏ ପାପୀ କର୍ଣ୍ଣ ସେ ଦିନ କୁରୁ ସଭାରେ ପାଞ୍ଚାଳୀଙ୍କୁ ଦାସୀ ବୋଲି କହିଥିଲା, ଦୁର୍ଯ୍ୟୋଧନକୁ ତାଙ୍କ ବସ୍ତ୍ରହରଣ କର ବୋଲି ପ୍ରରୋଚିତ କରିଥିଲା । ସେହି ଦୁରାତ୍ମାକୁ ତୁମେ ଶୀଘ୍ର ବିନାଶ କର । ଅର୍ଜୁନ ଜ୍ୟେଷ୍ଠ ଭ୍ରାତାଙ୍କ ଆଜ୍ଞା ଘେନି, ପୁନଃ ଯୁଦ୍ଧ କ୍ଷେତ୍ରକୁ ପ୍ରସ୍ଥାନ କଲେ । ସେଦିନର ଯୁଦ୍ଧ କିନ୍ତୁ ଅମୀମାଂସିତ ରହିଲା । ପରଦିନ ସପ୍ତଦଶ ଦିବସ ଦିନ ସଂଘଟିତ ହେଲା ଭୟଂକର କର୍ଣ୍ଣାର୍ଜୁନ ସମର ।

🙏🙏🙏
ଅର୍ଜୁନୀ ଚରଣ ବେହେରା
ମୋ – ୭୬୯୩୦୯୧୯୭୧

*** **** ****

(ଏଇ ଲିଙ୍କ ବ୍ଯବହାର କରି ଆପଣ Google Play Store ରୁ e-Sulekha App ଡାଉନଲୋଡ କରିପାରିବେ ଏବଂ ପ୍ରତିଦିନ ଗୋଟିଏ ଲେଖାଏ ନୁଆ ପୋଷ୍ଟ ପଢିପାରିବେ।

https://play.google.com/store/apps/details?id=com.esulekha.magazine)


Share it

Leave a comment

Your email address will not be published. Required fields are marked *

Verified by MonsterInsights