ଅର୍ଜୁନଙ୍କୁ ଗଙ୍ଗାଙ୍କ ଅଭିଶାପ

Share it

ମହାଭାରତ ଯୁଦ୍ଧ ଶେଷ ହେଲା । ଯୁଦ୍ଧ ଜୟୀ ରାଜା ଯୁଧିଷ୍ଠିର ହସ୍ତିନାର ସିଂହାସନରେ ଅଭିଷିକ୍ତହେଲେ ।

ନିଜ ସାର୍ବଭୌମତ୍ଵ ପ୍ରତିଷ୍ଠାପାଇଁ ଧର୍ମରାଜ ଗୋଟିଏ ଅଶ୍ଵମେଧ ଯଜ୍ଞର ଆୟୋଜନ କରି, ସମଗ୍ର ଭାରତ ବର୍ଷର ରାଜାମାନଙ୍କୁ ନିମନ୍ତ୍ରଣ କରିବା ପାଇଁ ମନସ୍ଥ କଲେ । ଗୋଟିଏ ଶ୍ୱେତ ଅଶ୍ୱକୁ ସଜ୍ଜିତ କରି ରାଜ୍ୟ ମାନଙ୍କୁ ପ୍ରେରଣ କରାଗଲା । ଅଶ୍ଵ ଶିରରେ ପତ୍ରିକା ଗୋଟିଏ ବାନ୍ଧି ଦିଆଗଲା । ସେ ପତ୍ରିକାରେ ଲେଖା ହୋଇଥିଲା,”ହସ୍ତିନା ସମ୍ରାଟ୍ ଯୁଧିଷ୍ଠିରଙ୍କ ଅଶ୍ଵମେଧ ଯଜ୍ଞରେ ଯୋଗ ଦେବାପାଇଁ ରାଜାମାନଙ୍କୁ ଆମନ୍ତ୍ରଣ କରାଯାଉଛି,ଯେଉଁମାନେ ବଶ୍ୟତା ସ୍ଵୀକାର ନକରି ଏହି ଅଶ୍ୱକୁ ବାନ୍ଧିବେ, ତାଙ୍କୁ ଅଶ୍ଵରକ୍ଷକ ମହାବୀର ଅର୍ଜୁନଙ୍କ ସହ ଯୁଦ୍ଧ କରିବାକୁ ପଡିବ ।”

ଅର୍ଜ୍ଜୁନ ଯଜ୍ଞ ଅଶ୍ଵକୁ ଧରି ପୂର୍ବ ଦେଶକୁ ଯାତ୍ରା ପାଇଁ ପ୍ରସ୍ତୁତହେଉଥିବା ବେଳେ ତାଙ୍କ ମୁଣ୍ଡକୁ କଅଣ ଏକ ଭାବନା ଆସି ଖୁବଚିନ୍ତିତ ହୋଇପଡ଼ିଲେ । ଅର୍ଜୁନଙ୍କୁ ଚିନ୍ତିତ ଥିବା ଦେଖି ଭୀମ କହିଲେ, ଏବେ ତ ଆମେ ପୂର୍ବ ଦେଶକୁ ଯାତ୍ରାକରିବା । ସମସ୍ତ ସୈନ୍ୟ ସାମନ୍ତ ପ୍ରସ୍ତୁତ ହୋଇ ସାରିଲେଣି । ଆଉ ତୁମେ କି ଚିନ୍ତାରେ ପଡ଼ିଛ ?

ଅର୍ଜୁନ କହିଲେ, ଭାଇ, ପୂର୍ବ ଦେଶକୁ ଯିବା ପୂର୍ବରୁ ମୁଁ ଭାବୁଛି, ମାତା ଗଙ୍ଗାଙ୍କୁ ଯାଇ କ୍ଷମା ମାଗି ନେବି । ମୁଁ ପିତାମହଙ୍କୁ ହତ୍ୟା କରିଥିବାରୁ ସେ ମୋ ଉପରେ ବହୁ ରୁଷ୍ଠାହୋଇ ରହିଛନ୍ତି । ଭୀମ କହିଲେ, ହଉ ଭଲକଥା । ଯାଅ ! ଗଙ୍ଗାମାତା ନିଶ୍ଚୟ ତୁମକୁ କ୍ଷମା କରିଦେବେ । ତୁମେ ସ୍ଵ ଇଚ୍ଛାରେ ପିତାମହଙ୍କୁ ତ ମାରିନାହଁ । ତୁମେ ତାଙ୍କରି ଇଚ୍ଛାରେ ଶରଶଯ୍ୟା ଉପରେ ତାଙ୍କୁ ଶୁଆଇ ଦେଲ ।

ଅର୍ଜୁନ ସଂଶୟଭରା ମନରେ ଯାଇ ଗଙ୍ଗା କୂଳରେ ପହଞ୍ଚିଲେ । ସେ ଗଙ୍ଗା ଜଳକୁ ସ୍ପର୍ଶ କରୁଛନ୍ତି ଏକ ଅଦ୍ଭୁତଘଟଣା ଘଟିଲା । କୁଆଡୁ ହଠାତ୍ ସାତଜଣ ଦେବତା ଆସି ତାଙ୍କୁ ଗଙ୍ଗାମାତାଙ୍କୁ ସ୍ପର୍ଶ କରିବାକୁ ବାରଣକଲେ ।

ପାର୍ଥ ସେମାନଙ୍କୁ କିଏ ବୋଲି ପ୍ରଶ୍ନ କଲାରୁ ସେମାନେ କହିଲେ, ଆମେ ମାତା ଗଙ୍ଗାଙ୍କ ସାତ ପୁଅ, ସପ୍ତ ବସୁ । ତୁମେ ଆମର ଅଷ୍ଟମ ଭ୍ରାତା ଦେବବ୍ରତଙ୍କୁ ହତ୍ୟା କରିଛ । ସେହି ପାପୀ ହସ୍ତରେ ତୁମେ ଆମ ମାତାଙ୍କୁ ଛୁଇଁ ପାରିବ ନାହିଁ । ଶିଖଣ୍ଡିକୁ ତାଙ୍କ ଆଗରେ ରଖି ତାଙ୍କୁ ଯେପରି ବାଣବିଦ୍ଧ କରି ତୁମେ ହତ୍ୟା କଲ, ତାହା ଆମ ମନରୁ ଲିଭିନାହିଁ । ଆଜି ତୁମକୁ ଆମେ ଛାଡ଼ିବୁ ନାହିଁ ।

ଅର୍ଜୁନ ବିନୟ ହୋଇ କହିଲେ,”ଭୀଷ୍ମ ଯେପରି ଆମର ପିତାମହ, ଆପଣ ମାନେ ମଧ୍ୟ ସେହିପରି । ଆପଣଙ୍କୁ ମୋର ପ୍ରଣାମ, ପିତାମହ ନିଜେ ଇଚ୍ଛା କରିନଥିଲେ ତାଙ୍କୁ କେବେ ମୁଁ ଶର ଶଯ୍ୟାରେ ଶୁଆଇ ଦେଇ ନଥାନ୍ତି । ଶର ଶଯ୍ୟାରେ ଥାଇ ମଧ୍ୟ ସେ ମୋତେ ଆଶୀର୍ବାଦ କରିଛନ୍ତି । ମୋର କିଛି ଦୋଷନାହିଁ । ଆପଣମାନେ ମୋତେ ବାଧା ଦିଅନ୍ତୁ ନାହିଁ”।

ସପ୍ତବସୁ ଅର୍ଜୁନଙ୍କର କୌଣସି କଥା ଶୁଣିଲେ ନାହିଁ । ସେମାନେ ଅର୍ଜୁନଙ୍କ ସହ ଯୁଦ୍ଧ କରିବାକୁ ଉଦ୍ୟତ ହୁଅନ୍ତେ, ଅର୍ଜୁନ ବାଧ୍ୟ ହୋଇ ଗାଣ୍ଡୀବ ଚଳାଇ ତାଙ୍କୁ ବନ୍ଦିକଲେ ।

ଏହି ସମୟରେ ଗଙ୍ଗାମାତାଙ୍କ ଟିକିଏ ପୁତ୍ର ଭୀଷ୍ମଙ୍କୁ ଦେଖିବାକୁ ଇଚ୍ଛା ହେଲା । ହିମାଳୟରୁ ଆସି ଗଙ୍ଗା ଭୀଷ୍ମଙ୍କ ଶରଶଯ୍ୟା ପାଖରେ ପହଁଚି କହିଲେ, ପୁତ୍ର ତୁମେ କେମିତି ଅଛ । ଭୀଷ୍ମ କହିଲେ, ମାଆ ! ମୋ ଶରୀର ତ ଆଉ ନାହିଁ । କେବଳ ଆତ୍ମା ଅଛି । ଏଣୁ ମୋର ଆଉ କୌଣସି କଷ୍ଟନାହିଁ, ମୁଁ ସୁଖି ଅଛି ଯେ ହସ୍ତିନା ବର୍ତ୍ତମାନ ସୁରକ୍ଷିତ । ପ୍ରାଣ ପ୍ରୟାଣ ବେଳେ ମୋତେ ଦର୍ଶନ ଦାନକରି କୃତାର୍ଥ କରିଛନ୍ତି ମାଆ । ଏବେ କୁହନ୍ତୁ ଆପଣ କାହିଁକି ଏତେ ଉଦାସ ଦେଖା ଯାଉଛନ୍ତି । କୁହନ୍ତୁ ଆପଣ କୁଆଡ଼େ ଯିବେ ।

ଗଙ୍ଗା କହିଲେ, ମୋର ସାତ ପୁତ୍ର, ମୋତେ ସ୍ମରଣ କରୁଛନ୍ତି, ମୁଁ ତୁମ ପାଖ ହୋଇ ତାଙ୍କ ପାଖକୁ ଯିବି । ଆଉ ମୋ ପୁଅ ଦେବବ୍ରତକୁ ହତ୍ୟା କାରିଥିବା ସେ ପାପୀ ଅର୍ଜୁନକୁ ଉପଯୁକ୍ତ ଶାସ୍ତି ଦେବି । ଦେବବ୍ରତ କହିଲେ, ମାଆ ଆପଣ ଅର୍ଜୁନକୁ କ୍ଷମା କରିଦିଅନ୍ତୁ । ମୁଁ ମହାଭାରତ ଯୁଦ୍ଧରେ ଏକ ଧର୍ମ ସଙ୍କଟରେ ପଡ଼ି ଯାଇଥିଲି । ମୁଁ ଧର୍ମଯୁଦ୍ଧରେ ଥିଲି ମାତ୍ର ଅଧର୍ମ ପକ୍ଷ ସମର୍ଥନରେ ଲଢ଼ୁଥିଲି, ମୁଁ ବିବଶ ଥିଲି ମାଆ । ମୋ ହତ୍ୟା ପାଇଁ, ମୁଁ ହିଁ ଅର୍ଜ୍ଜୁନକୁ କହିଥିଲି । ଆପଣ ତ ମହା ମହା ପାପୀଙ୍କୁ ମୁକ୍ତ କରି ପାରନ୍ତି । ଆପଣଙ୍କ ସ୍ପର୍ଶ ମାତ୍ରେ ସମସ୍ତ ବସ୍ତୁ ପବିତ୍ର ହୋଇଯାଏ । ଏଣୁ ଆପଣ ଅର୍ଜୁନକୁ କ୍ଷମା କରିଦିଅନ୍ତୁ ।

ଦେବବ୍ରତଙ୍କ ବିକଟରୁ ବିଦାୟ ଘେନି, ଗଙ୍ଗା ଯାଇ ସପ୍ତବସୁଙ୍କ ପାଖରେ ପହଞ୍ଚି ଦେଖନ୍ତି ତ ସେମାନେ ବନ୍ଦି । ଗଙ୍ଗା ପଚାରିବାରୁ ସେମାନେ ସମସ୍ତ ଘଟଣା ବର୍ଣ୍ଣନା କରି କହିଲେ, ପାପୀ ଅର୍ଜ୍ଜୁନ ଆମକୁ ବନ୍ଦୀ କରିଛି । ଗଙ୍ଗା ଭୀଷଣ ରାଗି ଯାଇ କହିଲେ, ଆଉ ସେ ପାପୀର କ୍ଷମାନାହିଁ । ଅଭିଶାପ ଦେଉଛି, ମୋ ପୁତ୍ରକୁ ଯେପରି ସେ ହତ୍ୟା କରିଛି ସେ ସେହିପରି ତା ପୁତ୍ର ହାତରେ ବଧ ହେବ । ଏହାକହି, ସେ ନିଜ ଶକ୍ତିଦ୍ଵାରା ମଣିପୁରର ମାଆ କାମାକ୍ଷାଙ୍କ ନିକଟରେ ତପସ୍ୟାରେ ବସିଥିବା ରାଜ କୁମାର ବବ୍ରୁବହାନଙ୍କ ତପସ୍ୟା ସିଦ୍ଧ କରାଇ ଦେଲେ ।

ଅଭିଶପ୍ତ ଅର୍ଜୁନ ଚାଲିଲେ ପୂର୍ବ ଦେଶ ମଣିପୁରକୁ । କିନ୍ତୁ ସେ ଭୁଲିଯାଇଥିଲେ ଯେ ପୂର୍ବେ ସେଇଠି ସେ ଦିନେ ମଣିପୁର ରାଜ କୁମାରୀ ଚିତ୍ରାଙ୍ଗଦାଙ୍କୁ ପ୍ରେମ ବିବାହ କରି ଥିଲେ ଓ ସେ ଅନ୍ତସତ୍ତ୍ୱା ଥିଲା ବେଳେ ତାଙ୍କୁ ସେଠାରେ ଛାଡ଼ି ଆସି ଥିଲେ । ଚିତ୍ରାଙ୍ଗଦାଙ୍କ ଗର୍ଭରୁ ଭୂମିଷ୍ଠ ହୋଇଥିଲେ ବବ୍ରୁବାହନ ।

ପିଲାବେଳେ ଦିନେ ବବ୍ରୁବାହନ ମା’ ଚିତ୍ରାଙ୍ଗଦାଙ୍କୁ ପଚାରି ଥିଲେ, ମାଆ ମୋ ପିତା କିଏ ? ତୁମେ ଏ ଯାଏ କାହିଁକି ତାଙ୍କର ପରିଚୟ ଦେଇନାହଁ । ସେହି ସମୟରେ ଚିତ୍ରାଙ୍ଗଦା କହିଥିଲେ, ପୁତ୍ର, ଯେଉଁଦିନ ଧନୁର୍ଦ୍ଧର, ମହାବୀର ଅର୍ଜୁନଙ୍କୁ ତୁ ଯୁଦ୍ଧରେ ପରାସ୍ତ କରିଦେବୁ ସେଦିନ ମୁଁ ତୋ ପିତାଙ୍କ ପରିଚୟ କହି ଦେବି ।

ମାତାଙ୍କ କଥାରେ ବବ୍ରୁବାହନ ଏକ ବୀର ଯୋଦ୍ଧା ହେବାପାଇଁ ସେ ଦିନରୁ ମାଆ କାମାକ୍ଷାଙ୍କୁ ତପସ୍ୟା କରୁଥିଲା । ବର୍ତ୍ତମାନ ଗଙ୍ଗା ତାଙ୍କ ତପସ୍ୟା ସିଦ୍ଧ କରି ଦେଲେ ।

ସିଦ୍ଧିଲାଭ କରି, ବବ୍ରୁବାହନ ଫେରି ଆସି ମାଆଙ୍କୁ କହିଲେ,ମାଆ ! ବର୍ତ୍ତମାନ ଗାଣ୍ଡିବଧାରୀ ଅର୍ଜୁନଙ୍କୁ ପରାସ୍ତ କରିବାକୁ ମୁଁ ସମର୍ଥ । ଚିତ୍ରାଙ୍ଗଦା କହିଲେ, ହଉ ସେଦିନ ଆସୁ । କାଳକ୍ରମେ ମଣିପୁରର ରାଜା ହେଲେ ବବ୍ରୁବାହନ ।

ଅର୍ଜ୍ଜୁନ ଯାଇ ପହଁଚିଲେ ମଣିପୁରରେ । ସେଠାରେ ପୁତ୍ର ବବ୍ରୁବାହନଙ୍କ ସହ, ତାଙ୍କର ତୁମୁଳ ସଂଗ୍ରାମ ଲାଗିଲା । ପୁତ୍ର ବବ୍ରୁବାହାନଙ୍କ ବାଣରେ ମହାବୀର ଅର୍ଜୁନ ମୃତ ପ୍ରାୟ ମୂର୍ଚ୍ଛିତ ହୋଇ ପଡ଼ିଲେ । ଏକଥା ଚିତ୍ରାଙ୍ଗଦା ଜାଣି ଅର୍ଜୁନଙ୍କ ଅନ୍ୟ ପତ୍ନୀ ନାଗକନ୍ୟା ଉଲ୍ଲୁପୀଙ୍କ ସାହାଯ୍ୟରେ ତାଙ୍କୁ ପୁନର୍ଜୀବିତ କରାଇ ଦେଲେ ।

ମାଆ ଗଙ୍ଗାଙ୍କ ଅର୍ଜୁନଙ୍କ ପ୍ରତି ଅଭିଶାପ ଫଳବତୀ ହେଲା, ବବ୍ରୁବାହନ ପୂର୍ଣ୍ଣକଲେ ମାଆଙ୍କ ଅଭିଳାଷ । ବହୁଦିନପରେ ଅର୍ଜୁନଙ୍କର ମହାମିଳନ ହେଲା ପତ୍ନୀ ଚିତ୍ରାଙ୍ଗଦା ଓ ପୁତ୍ର ବବ୍ରୁଙ୍କ ସହ ।

ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧

*** **** ****

ଆମର ଲକ୍ଷ୍ୟ : ଭାଷା ସୁରକ୍ଷା
ସରଳ ଲେଖା, ସରସ କଥା
ସଂସାର ପଢୁ ଆମ “ସୁଲେଖା”

(ଏଇ ଲିଙ୍କ ବ୍ଯବହାର କରି ଆପଣ Google Play Store ରୁ e-Sulekha App ଡାଉନଲୋଡ କରିପାରିବେ ଏବଂ ପ୍ରତିଦିନ ଗୋଟିଏ ଲେଖାଏ ନୁଆ ପୋଷ୍ଟ ପଢିପାରିବେ।

https://play.google.com/store/apps/details?id=com.esulekha.magazine)

***** ***** ******


Share it

Leave a comment

Your email address will not be published. Required fields are marked *

Verified by MonsterInsights